“ତିନିଟି ଟ୍ରାକ୍‌ଟର, ଛଅଟି ଟ୍ରାକ୍ଟର ଟ୍ରଲି ଏବଂ ୨ରୁ ୩ଟି କାର୍‌, ଜାନୁଆରୀ ୨୪ ସକାଳେ ଆମ ଗାଁରୁ ଦିଲ୍ଲୀ ଯିବାକୁ ବାହାରିବ,” ହରିୟାଣାର କନ୍ଦରୌଲି ଗାଁର ଚିକୁ ଢାଣ୍ଡା କହିଲେ । ଏହି ୨୮ବର୍ଷୀୟ କୃଷକ ଜଣକ ଆହୁରି କହିଲେ କି “ଆମେ ଟ୍ରାକ୍‌ଟର ରାଲିରେ ଯୋଗ ଦେବାକୁ ଯାଉଛୁ । ମୁଁ ମୋ ନିଜ ଟ୍ରାକ୍‌ଟର ଚଲାଇ ଦିଲ୍ଲୀ ଯିବି।”

ହରିଆଣା-ଦିଲ୍ଲୀ ସୀମାବର୍ତ୍ତୀ ସିଂଘୁକୁ ଚିକୁଙ୍କର ଏହା ଷଷ୍ଠ ଯାତ୍ରା। ସବୁ ଥର ସେ ୨୦୨୦ ସେପ୍‌ଟେମ୍ବରେ ସଂସଦରେ ଗୃହୀତ କୃଷି ଆଇନଗୁଡ଼ିକ ବିରୋଧରେ ସିଂଘୁରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୁଅନ୍ତି । ପ୍ରତି ଥର ସେ କନ୍ଦରୌଲିରୁ ଯମୁନାନଗର ଜିଲ୍ଲା ପର୍ଯ୍ୟନ୍ତ ୧୫୦ କିଲୋମିଟର ରାସ୍ତାରେ ପ୍ରାୟ ଚାରି ଘଣ୍ଟା ଧରି ଯାତ୍ରା କରନ୍ତି । ଆନ୍ଦୋଳନ ପ୍ରତି ତାଙ୍କର ସମର୍ଥନ ଜଣାଇବା ପାଇଁ ପ୍ରତି ଥର ସିଂଘୁରେ ସେ ଅତି କମ୍‌ରେ ତିନି ରାତି ବିତାଇଛନ୍ତି ।

ପ୍ରତି ଥର ତାଙ୍କ ସହ ତାଙ୍କ ସଂପର୍କୀୟ ଭାଇ ୨୨ ବର୍ଷୀୟ ମନିନ୍ଦର ଢାଣ୍ଡା ମଧ୍ୟ ଯାତ୍ରା କରନ୍ତି. ଯିଏ କି କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରେ ଆଇନ ପଢୁଛନ୍ତି । ସେମାନେ ହରିଆଣାର ବହୁସଂଖ୍ୟକ କୃଷକମାନଙ୍କର ଜାଟ୍‌ ସଂପ୍ରଦାୟ ଅନ୍ତର୍ଭୁକ୍ତ-ସେମାନଙ୍କ ପରିବାର ଏକାଠି ରହନ୍ତି ଏବଂ ପରିବାରର ମାଲିକାନାରେ ଥିବା ୧୬ ଏକର ଜମିରେ ପନିପରିବା, ଗହମ ଓ ଧାନ ଚାଷ କରନ୍ତି ।

ମନିନ୍ଦର କହିଲେ, “ଆମେ ଆମ ଫସଲକୁ ସ୍ଥାନୀୟ APMC ମଣ୍ଡିରେ ବିକି ପ୍ରତି ବର୍ଷ ଏକର ପିଛା ୪୦,୦୦୦ରୁ ୫୦,୦୦୦ ଟଙ୍କା ରୋଜଗାର କରିବାରେ ସମର୍ଥ । ପ୍ରତି ବର୍ଷ ଫସଲ ଉତ୍ପାଦନ ବାବଦ ଖର୍ଚ୍ଚ ବଢ଼ିବାରେ ଲାଗିଛି, ହେଲେ MSP (ନ୍ୟୂନତମ ସମର୍ଥନ ମୂଲ୍ୟ)ବଢୁନାହିଁ ।” ଏହି ରୋଜଗାରରୁ ତାଙ୍କର ଆଠ ଜଣିଆ ପରିବାର ଚଳେ ।

ଏହି ସଂପର୍କୀୟ ଦୁଇ ଭାଇଙ୍କ ପରିବାର ଭଳି କନ୍ଦୌରଲି ଗାଁର ୧,୩୧୪ ଜଣ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ଲୋକ ଚାଷବାସ କରନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ, କୃଷକ ଆନ୍ଦୋଳନ ସଂପର୍କିତ ବିଷୟରେ ସଂଯୋଜନା ଓ ସମନ୍ୱୟ ସ୍ଥାପନ ପାଇଁ ଜାନୁଆରୀ ମଧ୍ୟ ଭାଗରେ ଅନୌପଚାରିକ ଭାବରେ ଏକ କମିଟି ଗଠନ କଲେ। ଭାରତୀୟ କିଷାନ ୟୁନିଅନ (ଗାଁର ଅଧିକାଂଶ କୃଷକ ଏହି ସଂଘ ସହିତ ଅନୁବନ୍ଧିତ)ର ଜୋନ୍‌ସ୍ତରୀୟ ସବ୍‌ କମିଟି ଭଳି ବ୍ୟାପକ ବିଷୟବସ୍ତୁ ଉପରେ ଧ୍ୟାନ ନ ଦେଇ,ଏହି କମିଟି କେବଳ ସ୍ଥାନୀୟ ଅଞ୍ଚଳ ସଂପର୍କିତ ନିଷ୍ପତ୍ତି ଉପରେ ଧ୍ୟାନକେନ୍ଦ୍ରିତ କରେ। ଚିକୁ କହିଲେ, “ଗାଁର କମିଟି ଏହା ଠିକ୍‌ କରେ ଯେ ଆନ୍ଦୋଳନରେ ଯୋଗ ଦେବାକୁ ଯାଇଥିବା ଲୋକଙ୍କ ଚାଷଜମି ଦେଖାରଖା କରିବାର ପାଳି କାହାର । ସେମାନେ ସିଂଘୁରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇବା କଥା ମଧ୍ୟ ବୁଝନ୍ତି ।”

Left: Cheeku Dhanda, on the way to Singhu border for the tractor rally on January 26. Right: A photo from Cheeku’s last trip to Singhu
PHOTO • Courtesy: Cheeku Dhanda
Left: Cheeku Dhanda, on the way to Singhu border for the tractor rally on January 26. Right: A photo from Cheeku’s last trip to Singhu
PHOTO • Cheeku Dhanda
Left: Cheeku Dhanda, on the way to Singhu border for the tractor rally on January 26. Right: A photo from Cheeku’s last trip to Singhu
PHOTO • Courtesy: Cheeku Dhanda

ବାମ : ଚିକୁ ଢାଣ୍ଡା, ଜାନୁଆରୀ ୨୬ ଟ୍ରାକ୍‌ଟର ରାଲିରେ ଯୋଗ ଦେବାକୁ ସିଂଘୁ ସୀମା ଅଭିମୁଖେ ବାହାରିଛନ୍ତି ଡାହାଣ : ଚିକୁ ଗତ ଥର ସିଂଘୁକୁ ଆସିଥିବା ସମୟର ଏକ ଫଟୋ

ଆନ୍ଦୋଳନକାରୀ କୃଷକମାନଙ୍କୁ ସମର୍ଥନ ଜଣାଇ କନ୍ଦରୌଲି ଗାଁରୁ ଏ ପର୍ଯ୍ୟନ୍ତ ୨ ଲକ୍ଷ ଟଙ୍କା ଦାନ ଦିଆଯାଇଛି । ମନିନ୍ଦର କହିଲେ, ଏହି ଟଙ୍କା ଦିଲ୍ଲୀ ସୀମାକୁ ଯାଉଥିବା ଲୋକଙ୍କ ହାତରେ ପଠାଇ ଦିଆଯାଏ ଏବଂ ସେମାନେ ଏହାକୁ ରାଜଧାନୀ ନଗରୀରେ ଏବଂ ଆଖପାଖର ଆନ୍ଦୋଳନ ସ୍ଥଳରେ ଥିବା କୃଷକ ସଂଘ ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରନ୍ତି । ଜାନୁଆରୀ ୨୪ ତାରିଖରେ କନ୍ଦରୌଲିରୁ ବାହାରିଥିବା ଏକ ଟ୍ରାକ୍ଟର ଯାତ୍ରା ସମୟରେ ଆଉ ୧ ଲକ୍ଷ ଟଙ୍କା ଦାନ ଦିଆଯାଇଥିଲା ଏବଂ ଗାଁର ଆଉ କେତେକ ଲୋକ ଆନ୍ଦୋଳନ ସ୍ଥଳରେ ଚାଲିଥିବା ବିଭିନ୍ନ ଲଙ୍ଗର (ସାମୂହିକ ରନ୍ଧାଘର) ପାଇଁ ଡାଲି, ଚିନି, କ୍ଷୀର ଓ ଗହମ ଭଳି ଖାଦ୍ୟ ସାମଗ୍ରୀ ମଧ୍ୟ ଦାନ ଦେଇଛନ୍ତି ।

ଦିଲ୍ଲୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ କୃଷକମାନେ ଗତ ନଭେମ୍ବର ୨୬ ତାରିଖରୁ ସେହି ତିନିଟି ଆଇନ ବିରୋଧରେ ପ୍ରତିବାଦ କରୁଛନ୍ତି ଯେଉଁଗୁଡ଼ିକୁ କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍‌ ୫ ତାରିଖ ଦିନ ଅଧ୍ୟାଦେଶ ଆକାରରେ ଜାରି କଲେ, ତା’ ପରେ ସେପ୍‌ଟେମ୍ବର ୧୪ ତାରିଖ ଦିନ ଏସବୁକୁ ସଂସଦରେ ଉପସ୍ଥାପନ କରିବା ପରେ ତରବରିଆ ଭାବେ ସେହି ମାସ ୨୦ ତାରିଖ ଦିନ ଏଗୁଡ଼ିକୁ ଆଇନ ରୂପରେ ଗୃହୀତ କରାଇନେଲେ । ଏହି ତିନିଟି ଆଇନ ହେଲା: କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ଆଇନ, ୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦

କୃଷକମାନଙ୍କ ଦୃଷ୍ଟିରେ ଏହି ଆଇନଗୁଡ଼ିକ ଲାଗୁ ହେଲେ କୃଷି କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀର କ୍ଷମତା ପ୍ରୟୋଗର ପରିସର ବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି ହେବ ଏବଂ ଏହା ସେମାନଙ୍କ ଜୀବିକାକୁ ବିପର୍ଯ୍ୟସ୍ତ କରିଦେବ । ଏହି କମ୍ପାନୀଗୁଡ଼ିକ, ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ ( MSP), କୃଷିଜାତ ସାମଗ୍ରୀ ବିପଣନ କମିଟି (APMC), ରାଜ୍ୟ ସରକାରଙ୍କ ଦ୍ୱାରା ଫସଲ କ୍ରୟ ସମେତ କୃଷକଙ୍କ ପାଇଁ ରହିଥିବା ବିଭିନ୍ନ ପ୍ରମୁଖ ସହଯୋଗ ବ୍ୟବସ୍ଥାକୁ ଏଡ଼ାଇ ଯିବେ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ସବୁ ନାଗରିକମାନଙ୍କର ଆଇନର ଆଶ୍ରୟ ନେବା ଅଧିକାରକୁ ଅକାମୀ କରିଦେଉଥିବା କାରଣରୁ ମଧ୍ୟ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଇଛି ।

ଜାନୁଆରୀ ୨୬, ଗଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀରେ ଏକ ଅଭୂତପୂର୍ବ ଟ୍ରାକ୍ଟର ରାଲି ଆୟୋଜନ ନିମନ୍ତେ କୃଷକମାନେ ଯୋଜନା କରିଛନ୍ତି । ଚିକୁ ଓ ମନିନ୍ଦର ଏହି ପ୍ରତିବାଦ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିବାକୁ ସ୍ଥିର କରିଛନ୍ତି । ସ୍ପଷ୍ଟତଃ କ୍ରୋଧଭରା କଣ୍ଠରେ ମନିନ୍ଦର କହନ୍ତି, “ଏମିତି ନୁହଁ ଯେ ବର୍ତ୍ତମାନର ବ୍ୟବସ୍ଥା ସଂପୂର୍ଣ୍ଣ ଠିକ୍‌’’। କିନ୍ତୁ ଏହି ତିନିଟି ଆଇନ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି ।”

ଅନୁବାଦ - ଓଡ଼ିଶାଲାଇଭ୍‍

Gagandeep

Gagandeep (he prefers to use only this name) is a first year student of Law at Kurukshetra University, Haryana.

Other stories by Gagandeep
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE