ଗୁରପ୍ରତାପ ସିଂହ ୧୧ଶ ଶ୍ରେଣୀର ଛାତ୍ର ଏବଂ ତାଙ୍କ ଦାଦାପୁଅ ଭାଇ ୧୩ ବର୍ଷୀୟ ସୁଖବୀର, ୭ମ ଶ୍ରେଣୀର ଛାତ୍ର। ଉଭୟ ପଞ୍ଜାବର ଅମୃତସର ଜିଲ୍ଲାରେ ରହନ୍ତି। ଏବେ ସେମାନେ ସ୍କୁଲଠାରୁ ବହୁଦୂରରେ ସତ, ହେଲେ ଏକ ଭିନ୍ନ ଧରଣର ଶିକ୍ଷା ପାଇବାରେ ଲାଗିପଡ଼ିଛନ୍ତି।

“ଆମେ ରାତିରେ ଏଠି କୃଷକଙ୍କ ଅଞ୍ଚଳ ଜଗି ରହୁଛୁ, ଏବଂ ଆମେ ଏହି କାମ କରିଚାଲିଥିବୁ ।” ହରିଆଣାର ସୋନିପତରେ, ସିଂଘୁ-ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ମୋତେ ଏହା କହିଥିଲେ ୧୭ ବର୍ଷ ବୟସ୍କ ଗୁରପ୍ରତାପ ।

ସେମାନେ ଦିଲ୍ଲୀ ସୀମାବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ଏକତ୍ର ହୋଇଥିବା ହଜାର ହଜାର ଚାଷୀ ପରିବାରର ସଦସ୍ୟ । କେଇ ସପ୍ତାହ ଆଗରୁ କେତେକ ଚାଷୀ ରାଜଧାନୀ ଭିତରେ ପ୍ରବେଶ କରିଥିଲେ ଏବଂ ସେମାନେ ଉତ୍ତର ଦିଲ୍ଲୀର ବୁରାଡ଼ି ମଇଦାନରେ ଡେରା ପକାଇଥିଲେ ।

ଏ ବର୍ଷ ସେପ୍ଟେମ୍ବର ମାସରେ ସଂସଦ ଜରିଆରେ ଲାଗୁ କରାଯାଇଥିବା ତିନିଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ସବୁ ଜାଗାରେ ସେମାନେ ଚଳାଇଥିବା ବିଶାଳ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଥମିବାର କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ । ଏବଂ ସେମାନଙ୍କ ଦାବି ପୂରଣ ନିମନ୍ତେ ଦୃଢ଼ ସଂକଳ୍ପ ସହିତ ଆନ୍ଦୋଳନ ପ୍ରତି ଅଙ୍ଗୀକାରବଦ୍ଧ ଭାବରେ ଏକ ଲମ୍ବା ଲଢ଼େଇ ଲଢ଼ିବାକୁ କୃଷକମାନେ ପ୍ରସ୍ତୁତ ଅଛନ୍ତି ।

ବିଳମ୍ବିତ ସନ୍ଧ୍ୟାରେ ମୁଁ ଯେତେବେଳେ ସିଂଘୁ ଓ ବୁରାଡ଼ିର କେତେକ ସ୍ଥାନରେ ସେମାନେ ସ୍ଥାପନ କରିଥିବା ଶିବିର ପାଖ ଦେଇ ଯାଉଥାଏ, ସେମାନଙ୍କ ମଧ୍ୟରୁ ଅନେକ ଶୋଇବାକୁ ପ୍ରସ୍ତୁତ ହେଉଥିଲେ। କେତେକ ଚାଷୀ ସେମାନଙ୍କ ଟ୍ରକ୍‌ରେ ରହୁଥିଲେ, ଆଉ କେତେକ ପେଟ୍ରୋଲ ପମ୍ପ ପାଖରେ ଶୋଉଥିଲେ ଏବଂ ଅନ୍ୟ କେତେ ଜଣ ଦଳ ଦଳ ହୋଇ ଗୀତ ଗାଇ ରାତି କଟାଇ ଦେଉଥିଲେ । ଏହି ସବୁ ସ୍ଥାନରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଉଷ୍ମତାର ବାତାବରଣ ଏବଂ ସଂକଳ୍ପ ଓ ପ୍ରତିରୋଧର ଏକ ଭାବଧାରା ଲାଗି ରହିଥିଲା ।

କୃଷକମାନେ ଯେଉଁ ତିନିଟି ଆଇନର ପ୍ରତିବାଦ କରୁଛନ୍ତି ସେଗୁଡ଼ିକ ହେଲା: କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ଆଇନ,୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ,୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦

ଏହି ଆଇନଗୁଡ଼ିକ ବଳରେ, କୃଷିକ୍ଷେତ୍ର ଉପରେ ଥିବା ସେମାନଙ୍କ ଅଧିକାର ଓ ଭାଗ ଦେଶର ବିଭିନ୍ନ ଶକ୍ତିଶାଳୀ କମ୍ପାନୀ ହାତକୁ ଚାଲିଯିବ ଏବଂ ସେମାନେ ବଡ଼ ବଡ଼ ବ୍ୟବସାୟୀଙ୍କ ଦୟାର ପାତ୍ର ହୋଇ ରହିଯିବେ ବୋଲି ସେମାନେ ଭାବୁଛନ୍ତି । ଅନ୍ଧାର ଭିତରୁ ସ୍ୱରଟିଏ ପଚାରେ, “ଯଦି ଏହା ବିଶ୍ୱାସଘାତକତା ନୁହେଁ, ତେବେ ଆଉ କ’ଣ ?”

ସେହି ବିଳମ୍ବିତ ସନ୍ଧ୍ୟାରେ, ସିଂଘୁରେ ସ୍ଥାପିତ ସେଇ ସବୁ ଶିବିର ଭିତର ଦେଇ ଗଲାବେଳେ ଅନେକ ସ୍ୱର ଭିତରୁ ଗୋଟିଏ ସ୍ୱର ଶୁଭିଥିଲା, “ପୂର୍ବରୁ ମଧ୍ୟ ଏଭଳି ବଡ଼ ବଡ଼ କମ୍ପାନୀ ସହିତ କାମ କରିବାର ଅନୁଭୂତି ଆମ ଭଳି ଚାଷୀମାନଙ୍କର ରହିଛି- ଏବଂ ଆମେ ସେମାନଙ୍କୁ ବିଶ୍ୱାସ କରୁନାହୁଁ। ସେମାନେ ଆମକୁ ପୂର୍ବରୁ ଧୋକା ଦେଇଥିଲେ, ଏବଂ ଆମେ ଏତେ ବୋକା ନୁହଁ । ଆମେ ଆମ ଅଧିକାର ସଂପର୍କରେ ଜାଣିଛୁ ।”

ସରକାର ଏହି ଆଇନଗୁଡ଼ିକର ପ୍ରତ୍ୟାହାର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରି ଚାଲିଥିବା ବେଳେ ଏହି ଅଚଳାବସ୍ଥାକୁ ନେଇ ସେମାନେ ଚିନ୍ତିତ ନୁହଁନ୍ତି କି ? ସେମାନେ କ’ଣ ପ୍ରତିବାଦ ଜାରି ରଖିପାରିବେ ?

ପଞ୍ଜାବରୁ ଆସିଥିବା ଅନ୍ୟ ଜଣେ ଚାଷୀ କହନ୍ତି, “ଆମେ ଦୃଢ଼ ନିଶ୍ଚିତ। ଆମେ ଆମ ନିଜ ପାଇଁ ଖାଦ୍ୟ ରାନ୍ଧୁଛୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଦେଉଛୁ । ଆମେ କିଷାନ, ଆମେ ଜାଣିଛୁ କେମିତି ସୁଦୃଢ଼ ରହିବାକୁ ହେବ।”
PHOTO • Shadab Farooq

ପଞ୍ଜାବର ଅମୃତସର ଜିଲ୍ଲାରୁ ଆସିଥିବା ୧୭ ବର୍ଷୀୟ ଗୁରପ୍ରତାପ ସିହଂ ଏବଂ ୧୩ ବର୍ଷୀୟ ସୁଖବୀର ସିଂହ ଆମକୁ କହନ୍ତି ଯେ, ସେମାନେ ‘ସବୁ ରାତିରେ ଚାଷୀଙ୍କ ଅଞ୍ଚଳକୁ ଜଗି ରହୁଛନ୍ତି

ଏବଂ ପ୍ରତିବାଦକାରୀ ଚାଷୀମାନଙ୍କର ଯେତେ ସମ୍ଭବ ସେତେ ସହାୟତା କରିବା ଲାଗି ହରିଆଣାରୁ ଆସିଥିବା ଅନେକ ଚାଷୀ ବି ଏଠାରେ ଅଛନ୍ତି । କୈଥଲ ଜିଲ୍ଲାରୁ ଆସିଥିବା ୫୦ ବର୍ଷୀୟ ଶିବ କୁମାର କହନ୍ତି, “ନିଜ ନିଜ ଘରର ସୁଖସୁବିଧା ଛାଡ଼ି ଆମ କୃଷକ ଭାଇମାନେ ଦିଲ୍ଲୀ ସୀମା ଯାଏ ଏତେ ବାଟ ଆସିଛନ୍ତି । ସେମାନଙ୍କୁ ଆମେ ଆମ ଦ୍ୱାରା ଯାହା ସମ୍ଭବ ସେ ସବୁ ଦେଉଛୁ ।”

ସିଂଘୁ ଓ ବୁରାଡ଼ିରେ ରହିଥିବା କୃଷକମାନେ ସାଥୀ ନାଗରିକମାନଙ୍କଠାରୁ ସେମାନଙ୍କୁ ମିଳୁଥିବା ସଦିଚ୍ଛା ଓ ସେବାଯତ୍ନ ସଂପର୍କରେ ମଧ୍ୟ କହନ୍ତି । ଜଣେ ପ୍ରତିବାଦକାରୀ କହନ୍ତି, “ଲୋକେ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଆମକୁ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ଡାକ୍ତରମାନେ ସୀମାର ବିଭିନ୍ନ ଅଞ୍ଚଳରେ ଶିବିର କରିଛନ୍ତି ।”

ଆଉ ଜଣେ ଆନ୍ଦୋଳନକାରୀ ମୋତେ କହନ୍ତି, “ଆମେ ଯଥେଷ୍ଟ ଲୁଗାପଟା ଆଣି ଆସିଛୁ । ତଥାପି ଲୋକେ ଆମକୁ ଅଧିକରୁ ଅଧିକ ଲୁଗାପଟା ଏବଂ କମ୍ବଳ ଦେଉଛନ୍ତି । ଏହା ଏଭଳି ଏକ ଯାତ୍ରା, ଯାହାକି ନିଜ ଘର ଭଳି ଲାଗୁଛି ।”

ସରକାର ଓ କର୍ପୋରେଟ୍‌ ଜଗତ ପ୍ରତି ସେମାନଙ୍କ ମନରେ ଅତିଶୟ କ୍ରୋଧ ଓ ଅଭିଯୋଗର ତୀବ୍ରଭାବନା ରହିଛି । ଜଣେ ଆନ୍ଦୋଳନକାରୀ କହନ୍ତି, “ସରକାର ଚାଷୀମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ଆମେ ଏ ଦେଶକୁ ଖାଦ୍ୟ ଦେଉଛୁ ଏବଂ ବଦଳରେ ଆମକୁ ଲୁହବୁହା ଗ୍ୟାସ୍‌ ଓ ପାଣି ମାଡ଼ ମିଳୁଛି ।”

କଥା ଯୋଡ଼ି ଆଉ ଜଣେ କହନ୍ତି, “ଚାଷୀ ଯେତେବେଳେ ହାଡ଼ଭଙ୍ଗା ଶୀତରେ ଜମିରେ ପାଣି ଦେଉଥାଏ, ସେତେବେଳେ ଏହି କମ୍ପାନୀ ମାଲିକ ଓ ରାଜନେତାମାନେ ସେମାନଙ୍କ ଗରମ ବିଛଣାରେ ଶୋଇ ରହିଥାଆନ୍ତି ।”

ହେଲେ ବିରୋଧ କରିବାର ସଂକଳ୍ପ ବେଶ ସୁଦୃଢ଼: କ୍ରୋଧରେ ଜର୍ଜରିତ ଜଣେ ଚାଷୀ କହନ୍ତି, “ପ୍ରତି ବର୍ଷ ଶୀତ ଋତୁରେ ପ୍ରବଳ ଥଣ୍ଡାର ମୁକାବିଲା କରି ଆମେ ତିଷ୍ଠି ରହିଛୁ, କିନ୍ତୁ ଏ ବର୍ଷ ଶୀତରେ ଆମ ହୃଦୟ ହିଁ ଜଳନ୍ତା ଅଙ୍ଗାର ପାଲଟିଛି ।”

“ଆପଣ ଏଇ ସବୁ ଟ୍ରାକ୍‌ଟରକୁ ଦେଖୁଛନ୍ତି ତ ?” ସେମାନଙ୍କ ମଧ୍ୟରୁ ଜଣେ ପଚାରନ୍ତି । “ଏସବୁ ଆମର ଅସ୍ତ୍ରଶସ୍ତ୍ର ମଧ୍ୟ । ଆମେ ଆମ ପିଲାଛୁଆଙ୍କ ଭଳି ସେମାନଙ୍କର ଯତ୍ନ ନେଉ ।” ଦିଲ୍ଲୀର ସୀମାବର୍ତ୍ତୀ ଅଞ୍ଚଳରେ ଏବେ ହଜାର ହଜାର ସଂଖ୍ୟାରେ ଟ୍ରାକ୍‌ଟର ରହିଛି ଏବଂ ଏଥିରେ ଲାଗିଥିବା ଟ୍ରଲିରେ ବସି ଆସିଛନ୍ତି ଆଉ ଅନେକ ହଜାର ଲୋକ ।

ଆଉ ଜଣେ ବ୍ୟକ୍ତି କହନ୍ତି: “ମୁଁ ପେସାରେ ଜଣେ ମେକାନିକ୍‌, ଆଉ ମୁଁ ନିଜକୁ ନିଜେ କଥା ଦେଇଛି ଯେ ଜଣ ଜଣ କରି ସବୁ ଚାଷୀଙ୍କ ଟ୍ରାକ୍ଟରକୁ ବିନା କୌଣସି ପାଉଣାରେ ମରାମତି କରିବି ।”

ସେମାନେ ସମସ୍ତେ ଭାବନ୍ତି ଯେ ଦୀର୍ଘ ଦିନ ଧରି ଚାଲିବାକୁ ଥିବା ଏକ ଲଢ଼େଇ ଲାଗି ସେମାନେ ଆସିଛନ୍ତି । କେତେକ କହନ୍ତି ଯେ ଏଇ ଅଚଳାବସ୍ଥା ମାସ ମାସ ଧରି ଲାଗି ରହିପାରେ । ହେଲେ କେହି ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ଏସବୁକଥାର ସାରାଂଶ କହନ୍ତି: “ସେଇ ତିନିଟି ଆଇନ ପ୍ରତ୍ୟାହାର ନହେଲା ପର୍ଯ୍ୟନ୍ତ ଆମେ ଏଠାରେ ରହୁଛୁ । ଅଥବା ମୃତ୍ୟୁ ନଆସିବା ପର୍ଯ୍ୟନ୍ତ ।”

PHOTO • Shadab Farooq

ଉତ୍ତର ଦିଲ୍ଲୀର ବୁରାଡ଼ି ମଇଦାନରେ ଏହି ୭୦ ବର୍ଷୀୟ ଆନ୍ଦୋଳନକାରୀ ଅଭିଯୋଗ କରନ୍ତି ଯେ, କେନ୍ଦ୍ର ସରକାର କୃଷକମାନଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।  ସେ କହନ୍ତି ଯେ ତିନିଟି ଯାକ କୃଷି ଆଇନ ପ୍ରତ୍ୟାହୃତ ନ ହେଲା ଯାଏ ଆମେ ଏଠାରୁ ଘୁଞ୍ଚିବୁ ନାହିଁ । ଅନ୍ୟଥା, ‘ମୃତ୍ୟୁ ହେଲା ଯାଏ ଆମେ ଏଠାରେ ରହିବୁ’ ।


PHOTO • Shadab Farooq

ରାତିର ଅନ୍ଧାର ଘନେଇ ଆସୁଥିବା ବେଳେ ବୁରାଡ଼ି ମଇଦାନରେ ଜଣେ ଯୁବ ଆନ୍ଦୋଳନକାରୀ


PHOTO • Shadab Farooq

ହରିଆଣାର ସୋନିପତ ଅନ୍ତର୍ଗତ ଦିଲ୍ଲୀ ସୀମାବର୍ତ୍ତୀ ସିଂଘୁରେ ସନ୍ଧ୍ୟାକାଳୀନ ପ୍ରାର୍ଥନାରେ ମଗ୍ନ କୃଷକମାନେ । ଅନେକ ଗୁରୁଦ୍ୱାରା ପକ୍ଷରୁ ଲଙ୍ଗର (ଶିଖ ସଂପ୍ରଦାୟର ସାମୂହିକ ରନ୍ଧନଶାଳାର ଭୋଜନ) ଆୟୋଜିତ ହୋଇଛି, ଯେଉଁଠି କି କେତେକ ପୋଲିସ କର୍ମଚାରୀଙ୍କୁ ବି ଖାଇବାକୁ ଦିଆଯାଇଛି।


PHOTO • Shadab Farooq

ସିଂଘୁ ସୀମାରେ କୃଷକମାନଙ୍କର ଏକ ଗୋଷ୍ଠୀ ଆନ୍ଦୋଳନକାରୀ ଗୋଷ୍ଠୀ ସମୂହ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଉଭୟ ସିଂଘୁ ଓ ବୁରାଡ଼ିରେ ଆୟୋଜିତ ଅନେକ ଉପକ୍ରମ ମଧ୍ୟରୁ ଏହା ଗୋଟିଏ ।


PHOTO • Shadab Farooq

ସିଂଘୁ ସୀମାର ଏହି ଶିବିରରେ ରାତିରେ ବି ଲଙ୍ଗର (ଶିଖ ସଂପ୍ରଦାୟର ସାମୂହିକ ରନ୍ଧନଶାଳା) ଚାଲିଛି।


PHOTO • Shadab Farooq

ବୁରାଡ଼ି ମଇଦାନରେ ଜଣେ ବୟସ୍କ ଚାଷୀ ଟ୍ରକ୍‌ରେ ଚଢୁଛନ୍ତି । ଆନ୍ଦୋଳନ ସମୟରେ କେତେକ ଚାଷୀ ସେମାନଙ୍କ ଟ୍ରକ୍‌ରେ ହିଁ ଶୋଉଛନ୍ତି।


PHOTO • Shadab Farooq

ସିଂଘୁ ସୀମାରେ ସେମାନଙ୍କ ଟ୍ରକ୍‌ ଭିତରେ ବିଶ୍ରାମ ନେଉଥିବା କୃଷକମାନେ।


PHOTO • Shadab Farooq

ସିଂଘୁ ସୀମାରେ ଆନ୍ଦୋଳନକାରୀଙ୍କର ଏକ ଦଳ ଗୋଟିଏ ପେଟ୍ରୋଲ ପମ୍ପରେ ଶୋଇଛନ୍ତି।


PHOTO • Shadab Farooq

ଆନ୍ଦୋଳନକାରୀମାନେ ସେମାନଙ୍କ ସହିତ ହଜାର ହଜାର ଟ୍ରାକ୍ଟର ଆଣିଛନ୍ତି । ସେମାନଙ୍କ ପାଇଁ ଟ୍ରାକ୍ଟର କେବଳ ପରିବହନର ଏକ ମାଧ୍ୟମ ନୁହେଁ, ବରଂ ଆହୁରି ଅନେକ କିଛି । ଯେମିତି କି ବୁରାଡ଼ିରେ ସେମାନଙ୍କ ମଧ୍ୟରୁ ଜଣେ କହନ୍ତି. ‘ଏହି ସବୁ ଟ୍ରାକ୍ଟର ଆମର ଅସ୍ତ୍ରଶସ୍ତ୍ର ବି


PHOTO • Shadab Farooq

‘ମୋତେ ନିଦ ଲାଗୁନାହିଁ, ସରକାର ମୋ ଆଖିରୁ ନିଦ ହଜାଇ ଦେଇଛନ୍ତି’, ଉତ୍ତର ଦିଲ୍ଲୀର ବୁରାଡ଼ି ଆନ୍ଦୋଳନ ସ୍ଥଳରେ ଏହା କହନ୍ତି ଏହି କୃଷକ ଜଣକ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Shadab Farooq

Shadab Farooq is a Delhi-based freelance photographer and a final year student of Mass Communications (MA) at Jamia Millia Islamia, New Delhi.

Other stories by Shadab Farooq