ପ୍ରଥମ ଥର ପାଇଁ ୧୮ ବର୍ଷ ବୟସ୍କ ସୁମିତ (ଛଦ୍ମନାମ) ଯେତେବେଳେ ହରିୟାଣା ରୋହତକର ଏକ ସରକାରୀ ଜିଲ୍ଲା ଡାକ୍ତରଖାନାରେ ଛାତି  ପୁନର୍ଗଠନ ଅସ୍ତ୍ରୋପଚାର ବିଷୟରେ ପଚାରିବାକୁ ଗଲେ, ତାଙ୍କୁ ପୋଡ଼ି ହୋଇଯାଇଥିବା ରୋଗୀ ଭାବେ ଭର୍ତ୍ତି ହେବାକୁ ପଡ଼ିବ ବୋଲି କୁହାଗଲା।

ଏହା ଏକ ମିଛ ଥିଲା। ଭାରତର ତୃତୀୟ ଲିଙ୍ଗୀ ଲୋକମାନେ ଯେଉଁ ଶରୀର ସହିତ ଜନ୍ମ ନେଇଛନ୍ତି ଯଦି ସେମାନେ ତାହାକୁ ପରିତ୍ୟାଗ କରି ନିଜେ ସହଜ ଅନୁଭବ କରୁଥିବା ଆଉ ଏକ ଶରୀର ବଦଳାଇବାକୁ ଚୟନ କରନ୍ତି ତା’ହେଲେ ସେମାନଙ୍କୁ ଏହା ସହ ଜଡ଼ିତ ଏକ ଜଟିଳ ଚିକିତ୍ସା ଓ ଆଇନଗତ ଯାତ୍ରାକୁ ବେଡ଼ି ରହିଥିବା ନାଲି ଫିତାର ପ୍ରତିବନ୍ଧକକୁ କାଟିବା ଲାଗି ଏପରି ମିଛ କହିବାକୁ ପଡ଼ିଥାଏ। ତଥାପି ଏହି ମିଥ୍ୟା ସୁମିତଙ୍କ କ୍ଷେତ୍ରରେ କାମ ଦେଲା ନାହିଁ ।

ରୋହତକଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ହିସାରର ଏକ ଘରୋଇ ଡାକ୍ତରଖାନାରେ ‘ଟପ୍‌ ସର୍ଜରୀ’ (କଥିତ ଭାଷାରେ ଯେପରି ଉଲ୍ଲେଖ କରାଯାଏ) ବା ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିବା ପୂର୍ବରୁ ସୁମିତଙ୍କୁ ଆଠ ବର୍ଷର କାଗଜପତ୍ର କାମ, ଅନ୍ତହୀନ ମାନସିକ ମୂଲ୍ୟାଙ୍କନ, ଚିକିତ୍ସା ପରାମର୍ଶ, ଋଣ ସମେତ ଏକ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ, ପାରିବାରିକ ସମ୍ପର୍କରେ ମତଭେଦ ଏବଂ ନିଜର ପୂର୍ବର ସ୍ତନ ପ୍ରତି ଅପରିବର୍ତ୍ତନୀୟ ନାପସନ୍ଦ ଭାବନା ଭଳି ପର୍ଯ୍ୟାୟ ଦେଇ ଗତି କରିବାକୁ ହୋଇଥିଲା।

ଦେଢ଼ ବର୍ଷ ପରେ ୨୬ ବର୍ଷୀୟ ସୁମିତ୍‌ ଏବେ ବି ନିଜ କାନ୍ଧ ତଳକୁ କରି ଚାଲନ୍ତି, ଅସ୍ତ୍ରୋପଚାର ପୂର୍ବ ସମୟର ଏହି ଅଭ୍ୟାସ ତାଙ୍କ ଭିତରେ ରହିଛି ଯେତେବେଳେ ତାଙ୍କର ସ୍ତନ ତାଙ୍କ ପାଇଁ ଲଜ୍ଜା ଓ ଅସହଜବୋଧର କାରଣ ଥିଲା।

ଜନ୍ମ ସମୟରେ ଧାର୍ଯ୍ୟ ଲିଙ୍ଗଠାରୁ ଭିନ୍ନ ଲିଙ୍ଗରେ ପରିଚୟ ଦେଉଥିବା ସୁମିତଙ୍କ ଭଳି ଏମିତି କେତେଜଣ ଲୋକ ଭାରତରେ ଅଛନ୍ତି ତା’କୁ ନେଇ ନିକଟରେ କୌଣସି ଗଣନା ହୋଇନାହିଁ । ଜାତୀୟ ମାନବାଧିକାର ଆୟୋଗଙ୍କ ସହଯୋଗରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୧୭ରେ ଭାରତରେ ୪.୮୮ ଲକ୍ଷ ତୃତୀୟ ଲିଙ୍ଗୀ ଲୋକ ଥିଲେ।

୨୦୧୪ର ଜାତୀୟ ଆଇନସେବା ପ୍ରାଧିକରଣ ବନାମ ଭାରତ ସରକାର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟ ଦେଇଥିଲେ। ଏଥିରେ ‘‘ତୃତୀୟ ଲିଙ୍ଗୀ’’ଙ୍କୁ ମାନ୍ୟତା ଦିଆଯିବା ସହ ସେମାନଙ୍କୁ ‘‘ସ୍ୱ-ପରିଚିତ’’ ଲିଙ୍ଗ ଭାବେ ନିଜର ପରିଚୟ ଦେବାକୁ ଅଧିକାର ଦିଆଯାଇଥିଲା। ଏଭଳି ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବାକୁ ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ପାଞ୍ଚ ବର୍ଷ ପରେ, ତୃତୀୟ ଲିଙ୍ଗୀ ବ୍ୟକ୍ତି (ସୁରକ୍ଷା ଅଧିକାର)ଆଇନ, ୨୦୧୯ ଏହି ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଲିଙ୍ଗ ନିର୍ଦ୍ଧାରଣ ଅସ୍ତ୍ରୋପଚାର, ହର୍ମୋନ ଥେରାପୀ ଏବଂ ମାନସିକ ସ୍ୱାସ୍ଥ୍ୟ ସେବା ଭଳି ସାମଗ୍ରିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାରଙ୍କ ଭୂମିକାକୁ ପୁନଃପରିଭାଷିତ କରିଥିଲା।

PHOTO • Ekta Sonawane

ସୁମିତ ହରିୟାଣାର ରୋହତକ ଜିଲ୍ଲାରେ ଝିଅ ରୂପେ ଜନ୍ମ ନେଇଥିଲେ। ତିନି ବର୍ଷର ଝିଅ ରୂପରେ ମଧ୍ୟ ସୁମିତଙ୍କୁ ଫ୍ରକ୍‌ ପିନ୍ଧିବାରେ ଅସୁବିଧା ଲାଗୁଥିଲା

ଏହି ଆଇନଗତ ପରିବର୍ତ୍ତନ ପୂର୍ବରୁ ଅନେକ ତୃତୀୟ ଲିଙ୍ଗୀ ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର ଜରିଆରେ ଲିଙ୍ଗ ପରିବର୍ତ୍ତନ (ଯାହାକୁ ଲିଙ୍ଗ ପୁନଃନିର୍ଦ୍ଧାରଣ ଅସ୍ତ୍ରୋପଚାର ବା ଲିଙ୍ଗ ନିଶ୍ଚିତକରଣ ଅସ୍ତ୍ରୋପଚାର ବୋଲି ମଧ୍ୟ କୁହାଯାଏ) ପାଇଁ ଅନୁମତି ମିଳିନଥିଲା। ଏଥିରେ ମୁଖମଣ୍ଡଳ ଅସ୍ତ୍ରୋପଚାର, ‘ଟପ୍‌’ ବା ‘ବଟମ୍‌’ ସର୍ଜରୀ ଅର୍ଥାତ୍‌ ଯେଉଁଥିରେ ଛାତି କିମ୍ବା ଜନନାଙ୍ଗ ଅସ୍ତ୍ରୋପଚାର ସାମିଲ ରହିଥାଏ।

ଆଠ ବର୍ଷ ଧରି ଏବଂ ୨୦୧୯ ପରେ ମଧ୍ୟ ସୁମିତ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏକି ଏଭଳି ଏକ ଅସ୍ତ୍ରୋପଚାରର ଲାଭ ଉଠାଇପାରିଲେ ନାହିଁ ।

ହରିୟାଣା ରୋହତକ ଜିଲ୍ଲାର ଏକ ଦଳିତ ପରିବାରରେ ଝିଅ ରୂପେ ଜନ୍ମିତ ସୁମିତ ତିନି ଜଣ ଭାଇଭଉଣୀଙ୍କ ପାଇଁ ଅଭିଭାବକ ଭଳି ଥିଲେ। ସୁମିତଙ୍କ ବାପା ତାଙ୍କ ପରିବାରରେ ପ୍ରଥମ ପିଢ଼ିର ସରକାରୀ ଚାକିରିଆ ଥିଲେ ଏବଂ ପ୍ରାୟତଃ ବାହାରେ ରହୁଥିଲେ। ତାଙ୍କ ବାପା-ମା’ଙ୍କ ମଧ୍ୟରେ ସେତେ ଭଲ ସମ୍ପର୍କ ନଥିଲା। ସୁମିତ ଛୋଟ ହୋଇଥିବା ସମୟରେ ତାଙ୍କର ଜେଜେବାପା ଜେଜେମା’ ଆରପାରିକୁ ଚାଲି ଯାଇଥିଲେ। ଏହାପରେ ସୁମିତଙ୍କ ଉପରେ ପାରିବାରିକ ଉତ୍ତରଦାୟିତ୍ୱର ବୋଝ ପଡ଼ିବା ସହିତ ଘରର ବଡ଼ ଝିଅ ପରିବାର ଚଳାଉଛି ବୋଲି ଲୋକଙ୍କ ଧାରଣାକୁ ସାମ୍ନା କରିବାକୁ ହେଲା।  କିନ୍ତୁ ଏହା ସୁମିତଙ୍କ ପରିଚୟ ସହିତ ମିଶି ପାରିଲା ନାହିଁ । ‘‘ଜଣେ ପୁରୁଷ ଭାବେ ମୁଁ ସେସବୁ ଉତ୍ତରଦାୟିତ୍ୱ ପୂରଣ କଲି,’’ ସେ କୁହନ୍ତି।

ତିନି ବର୍ଷର ଝିଅ ରୂପରେ ମଧ୍ୟ ସୁମିତଙ୍କୁ ଫ୍ରକ୍‌ ପିନ୍ଧିବାରେ ଅସୁବିଧା ଲାଗୁଥିଲା। ତେବେ ହରିୟାଣାର କ୍ରୀଡ଼ା ସଂସ୍କୃତି ଏ କ୍ଷେତ୍ରରେ ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲା। ରାଜ୍ୟରେ ଝିଅମାନେ ନିରପେକ୍ଷ ଏବଂ ପୁରୁଷ ସୁଲଭ କ୍ରୀଡ଼ା ପୋଷାକ ପିନ୍ଧିବାରେ କୌଣସି ଅସୁବିଧା ନାହିଁ । ‘‘ବଡ଼ ହେବା ସମୟରେ ମୋର ଇଚ୍ଛା ଯାହା ହେଉଥିଲା ପିନ୍ଧୁଥିଲି। ଏପରିକି ମୋର (ଟପ୍‌) ଅସ୍ତ୍ରୋପଚାର ପରେ, ମୁଁ ଜଣେ ପୁରୁଷ ଭାବେ ରହିଲି,’’ ସୁମିତ କୁହନ୍ତି, ତଥାପି କିଛି ଗୋଟେ ଅସୁବିଧା ଅନୁଭୂତ ହେଉଥିଲା।

୧୩ ବର୍ଷ ବୟସ ବେଳକୁ ତାଙ୍କର ଭୌତିକ ଶରୀର ତାଙ୍କ ଇଚ୍ଛା ମୁତାବକ ପୁଅ ଭଳି ହେଉ ବୋଲି ସୁମିତଙ୍କ ମନରେ ରହିଥିବା ଇଚ୍ଛା ଆହୁରି ତୀବ୍ରତର ହେଲା। ‘‘ମୋ ଶରୀର ପତଳା-ଦୁର୍ବଳ ଥିଲା ଏବଂ ସ୍ତନରେ ପ୍ରାୟତଃ ମାଂସପେଶୀ ନଥିଲା। କିନ୍ତୁ ଘୃଣା ଅନୁଭବ କରିବା ଲାଗି ତାହା ଯଥେଷ୍ଟ ଥିଲା,’’ ସେ କୁହନ୍ତି । ଏହି ଭାବନାଠାରୁ ଅଧିକ ସୁମିତଙ୍କ ପାଖରେ ଏପରି କୌଣସି ସୂଚନା ନଥିଲା ଯାହା ତାଙ୍କର ଡାଏସ୍‌ଫୋରିଆ (ନିଜର ଜୈବିକ ଲିଙ୍ଗ ଏବଂ ଲିଙ୍ଗଗତ ପରିଚୟ ମଧ୍ୟରେ ରହିଥିବା ପାର୍ଥକ୍ୟ କାରଣରୁ କୌଣସି ବ୍ୟକ୍ତି ଅନୁଭବ କରୁଥିବା ଅସହଜ ଅବସ୍ଥା)କୁ ବୁଝାଇପାରିବ।

ଜଣେ ବନ୍ଧୁ ସହଯୋଗ କରିବାକୁ ଆଗେଇ ଆସିଲେ।

ସୁମିତ ସେତେବେଳେ ନିଜ ପରିବାର ଲୋକଙ୍କ ସହିତ ଏକ ଭଡ଼ା ଘରେ ରହୁଥିଲେ ଏବଂ ଘର ମାଲିକଙ୍କ ଝିଅ ସହ ତାଙ୍କର ବନ୍ଧୁତା ହୋଇଯାଇଥିଲା। ତାଙ୍କ ପାଖରେ ଇଣ୍ଟରନେଟ୍‌ ସୁବିଧା ଥିଲା ଓ ସେ ସୁମିତଙ୍କୁ ଛାତି ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ସଂଗ୍ରହ କରିବା ଲାଗି ସହଯୋଗ କଲେ। ଧୀରେ ଧୀରେ ସୁମିତଙ୍କୁ ସ୍କୁଲରେ ଅନ୍ୟ ପରଲିଙ୍ଗୀ ପୁଅଙ୍କ ସହିତ ମିଶିବାର ସୁଯୋଗ ମିଳିଲା, ଯେଉଁମାନେ ଡାଏସ୍‌ଫୋରିଆର ବିଭିନ୍ନ ସ୍ତରକୁ ଅନୁଭବ କରିଥିଲେ। ଡାକ୍ତରଖାନାକୁ ଯିବା ପାଇଁ ସାହସ ଜୁଟାଇବା ପୂର୍ବରୁ ଏହି ଯୁବ କିଶୋର ଜଣଙ୍କ ଆସନ୍ତା କିଛି ବର୍ଷ ପର୍ଯ୍ୟନ୍ତ ଅନଲାଇନ ଏବଂ ବନ୍ଧୁମାନଙ୍କଠାରୁ ସୂଚନା ସଂଗ୍ରହ କରିବାରେ ବିତାଇଲେ।

୨୦୧୪ରେ ସୁମିତ (୧୮) ତାଙ୍କ ଘର ପାଖ ଏକ ବାଳିକା ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ସମ୍ପୂର୍ଣ୍ଣ କଲେ। ତାଙ୍କ ବାପା କାମ ପାଇଁ ଚାଲି ଯାଇଥିଲେ, ମା’ ଘରେ ନଥିଲେ। କେହି ଅଟକାଇବା, ପ୍ରଶ୍ନ କରିବା କିମ୍ବା ସହଯୋଗ କରିବା ପାଇଁ ନଥିବାରୁ ସୁମିତ ଏକାକୀ ରୋହତକ ଜିଲ୍ଲା ଚିକିତ୍ସାଳୟକୁ ଗଲେ ଏବଂ ଦ୍ୱନ୍ଦ୍ୱ ଭିତରେ ସ୍ତନ ଅପସାରଣ ପ୍ରକ୍ରିୟା ସମ୍ପର୍କରେ ଅନୁସନ୍ଧାନ କଲେ।

PHOTO • Ekta Sonawane

ବିଶେଷ କରି ପର ଲିଙ୍ଗୀ ପୁରୁଷଙ୍କ ପାଇଁ ସୀମିତ ବିକଳ୍ପ ଥାଏ। ସେମାନଙ୍କ ମାମଲାରେ ଜିଏଏସ୍ ପାଇଁ ସ୍ତ୍ରୀ ରୋଗ ବିଶେଷଜ୍ଞ, ମୂତ୍ରରୋଗ ବିଶେଷଜ୍ଞ ଏବଂ ରିକନଷ୍ଟ୍ରକ୍ଟିଭ୍‌ ପ୍ଲାଷ୍ଟିକ୍‌ ସର୍ଜରୀ କରୁଥିବା ଦକ୍ଷ ପେସାଦାରଙ୍କ ଆବଶ୍ୟକତା ରହିଥାଏ

ତାଙ୍କୁ ଯେଉଁ ପ୍ରତିକ୍ରିୟା ମିଳିଲା ସେ ବିଷୟରେ ଅନେକ କଥା ସାମ୍ନାକୁ ଆସିଲା।

ପୋଡ଼ି ଯାଇଥିବା ରୋଗୀ ରୂପରେ ସେ ସ୍ତନ ପୁନର୍ଗଠନ ଅସ୍ତ୍ରୋପଚାର କରାଇପାରିବେ ବୋଲି ତାଙ୍କୁ କୁହାଗଲା। ସଡ଼କ ଦୁର୍ଘଟଣା ମାମଲା ସମେତ ସରକାରୀ ଡାକ୍ତରଖାନାର ବର୍ଣ୍ଣ ବିଭାଗ ଜରିଆରେ ପ୍ଲାଷ୍ଟିକ ସର୍ଜରୀ ଆବଶ୍ୟକ କରୁଥିବା ପ୍ରକ୍ରିୟା ପାଇଁ ଏହା ଆଦୌ ଅସ୍ୱାଭାବିକ ନୁହେଁ। କିନ୍ତୁ ସୁମିତଙ୍କୁ ସ୍ପଷ୍ଟ ଭାବେ କାଗଜପତ୍ରରେ ମିଥ୍ୟା ସୂଚନା ଦେବା ଏବଂ ପୋଡ଼ି ଯାଇଥିବା ରୋଗୀ ଭାବେ ପଞ୍ଜୀକରଣ କରିବାକୁ କୁହାଯାଇଥିଲା। ହେଲେ ପ୍ରକୃତରେ ସେ ଯେଉଁ ଅସ୍ତ୍ରୋପଚାର ଚାହୁଁଥିଲେ ସେ ବିଷୟରେ କୌଣସି ଉଲ୍ଲେଖ କରାଗଲା ନାହିଁ । ଏଥିପାଇଁ ତାଙ୍କୁ ଆଦୌ ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି କୁହାଗଲା - ଯଦିଓ ସରକାରୀ ଡାକ୍ତରଖାନାରେ ସ୍ତନ ପୁନର୍ଗଠନ ଅସ୍ତ୍ରୋପଚାର କିମ୍ବା ପୋଡ଼ିଯିବା ସହ ଜଡ଼ିତ ଅନ୍ୟ କୌଣସି ଅସ୍ତ୍ରୋପଚାର ପାଇଁ ଏଭଳି ରିହାତିର କୌଣସି ବ୍ୟବସ୍ଥା ନାହିଁ ।

କେବଳ ଏହି କାରଣ ଓ ଆଶା ନେଇ ପରବର୍ତ୍ତୀ ଦେଢ଼ ବର୍ଷ ପର୍ଯ୍ୟନ୍ତ ସୁମିତ ଡାକ୍ତରଖାନାକୁ ଯିବା ଆସିବା ଜାରି ରଖିଲେ, ଏହି ସମୟରେ ଏହାର ଆଉ ଏକ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ ହୃଦୟଙ୍ଗମ କରିପାରିଥିଲେ, ତାହା ଥିଲା ମାନସିକ ଚାପ ଜନିତ ମୂଲ୍ୟ।

‘‘ଡାକ୍ତରମାନେ (ସେଠାରେ) ବେଶ ନିର୍ଣ୍ଣାୟାତ୍ମକ ଥିଲେ। ମୁଁ ଭ୍ରମରେ ପଡ଼ିଛି ବୋଲି ସେମାନେ କହୁଥିଲେ। ଆହୁରି ମୋତେ କହୁଥିଲେ, ‘ଆପଣ କାହିଁକି ଅସ୍ତ୍ରୋପଚାର କରିବାକୁ ଚାହୁଁଛନ୍ତି?’ ଏବଂ ‘ଆପଣ ଏମିତି ଯେକୌଣସି ମହିଳାଙ୍କ ସହିତ ରହିପାରିବେ।’ ସେମାନଙ୍କ ମଧ୍ୟରୁ ଛଅ-ସାତ ଜଣ ମୋତେ ନାନା ପ୍ରଶ୍ନ କରୁଥିଲେ,’’ ସୁମିତ୍‌ ମନେ ପକାଇ କୁହନ୍ତି ।

‘‘ଦୁଇ ତିନି ଥର ୫୦୦-୭୦୦ ପ୍ରଶ୍ନର ଉତ୍ତର ଦେଇ ଫର୍ମ ପୂରଣ କରିଥିବାର ମୋର ମନେ ପଡ଼ୁଛି।’’ ପ୍ରଶ୍ନଗୁଡ଼ିକ ରୋଗୀଙ୍କ ଚିକିତ୍ସା ଓ ପାରିବାରିକ ଇତିହାସ, ମାନସିକ ସ୍ଥିତି ଏବଂ ନିଶା ଆଦି ବିଷୟ ଉପରେ ଆଧାରିତ ଥିଲା। କିନ୍ତୁ ଅଳ୍ପ ବୟସ୍କ ସୁମିତଙ୍କ ପାଇଁ ତାହା ନାକଚ ଭଳି ଅନୁଭବ ହେଉଥିଲା। ‘‘ମୁଁ ମୋ ଶରୀରକୁ ନେଇ ଖୁସି ନାହିଁ ଏହି କାରଣରୁ ଟପ୍‌ ସର୍ଜରୀ କରିବାକୁ ଚାହୁଁଛି ବୋଲି ସେମାନେ ବୁଝିପାରୁନଥିଲେ,’’ ସେ କହିଥା’ନ୍ତି।

ସହାନୁଭୂତିର ଅଭାବ ବ୍ୟତୀତ ଭାରତରେ ତୃତୀୟ ଲିଙ୍ଗୀ ଲୋକମାନଙ୍କୁ ସମର୍ଥନ କରିବା ଲାଗି ଆବଶ୍ୟକ ଚିକିତ୍ସା କୌଶଳର ଅଭାବ ରହିଥିଲା ଏବଂ ରହିଆସିଛି, ସେମାନେ ଲିଙ୍ଗ ପୁନଃନିର୍ଦ୍ଧାରଣ ଅସ୍ତ୍ରୋପଚାର (ଜିଏଏସ) ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନର ବିକଳ୍ପ ଚୟନ କରିବା ଉଚିତ୍‌ କି।

ପୁରୁଷରୁ ମହିଳା ଜିଏଏସ୍ରେ ସାଧାରଣତଃ ଦୁଇଟି ପ୍ରମୁଖ ଅସ୍ତ୍ରୋପଚାର (ସ୍ତନ ପ୍ରତିରୋପଣ ଏବଂ ଭେଜିନୋପ୍ଲାଷ୍ଟି) ସାମିଲ ରହିଥିବା ବେଳେ ମହିଳାରୁ ପୁରୁଷକୁ ପରବର୍ତ୍ତିତ ହେବା ପାଇଁ ସାତଟି ପ୍ରମୁଖ ଅସ୍ତ୍ରୋପଚାରର ଅଧିକ ଜଟିଳ ଶୃଙ୍ଖଳା ଦେଇ ଗତି କରିବାକୁ ପଡ଼ିଥାଏ। ଏଥିମଧ୍ୟରୁ ପ୍ରଥମ ହେଉଛି ଶରୀରର ଉପରିସ୍ଥ ଭାଗ ବା ‘ଟପ୍‌’ ସର୍ଜରୀ ଯେଉଁଥିରେ ଛାତି ପୁନର୍ଗଠନ ବା ସ୍ତନ ଅପସାରଣ କରାଯାଇଥାଏ।

‘‘ମୁଁ ଯେତେବେଳେ (୨୦୧୨ ବେଳକୁ) ଜଣେ ଛାତ୍ର ଥିଲି (ଚିକିତ୍ସା) ପାଠ୍ୟକ୍ରମରେ ଏପରି ପ୍ରକ୍ରିୟା ବିଷୟରେ ଉଲ୍ଲେଖ ମଧ୍ୟ କରାଯାଇନଥିଲା। ଆମର ପ୍ଲାଷ୍ଟିକ୍ସ ପାଠ୍ୟକ୍ରମରେ କେତେକ ଲିଙ୍ଗ ପୁନର୍ଗଠନ ପ୍ରକ୍ରିୟା ସାମିଲ ରହିଥିଲା, କିନ୍ତୁ ଏହା ଆଘାତ ଓ ଦୁର୍ଘଟଣା ପରିପ୍ରେକ୍ଷୀରେ ଥିଲା। ହେଲେ ଏବେ ସ୍ଥିତି ବଦଳି ଯାଇଛି,’’ ନୂଆଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଉପାଧ୍ୟକ୍ଷ ଡକ୍ଟର ଭୀମ ସିଂହ ନନ୍ଦା ସ୍ମରଣ କରି କୁହନ୍ତି ।

PHOTO • Ekta Sonawane

ତୃତୀୟ ଲିଙ୍ଗୀ ବ୍ୟକ୍ତି ଆଇନ ୨୦୧୯ରେ ତୃତୀୟ ଲିଙ୍ଗୀ ଲୋକଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଡାକ୍ତରୀ ପାଠ୍ୟକ୍ରମ ଓ ଗବେଷଣାର ସମୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି । କିନ୍ତୁ ପ୍ରାୟ ପାଞ୍ଚ ବର୍ଷ ପରେ ଭାରତୀୟ ତୃତୀୟ ଲିଙ୍ଗୀ ସମ୍ପ୍ରଦାୟ ପାଇଁ ଜିଏଏସକୁ ସୁଲଭ ଏବଂ ଶସ୍ତା କରିବା ଲାଗି ସରକାରଙ୍କ ତରଫରୁ କୌଣସି ବଡ଼ ଧରଣର ପ୍ରୟାସ କରାଯାଇନାହିଁ

ତୃତୀୟ ଲିଙ୍ଗୀ ବ୍ୟକ୍ତି ଆଇନ ୨୦୧୯ ଏକ ମାଇଲଖୁଣ୍ଟ ଥିଲା ଯେଉଁଥିରେ ତୃତୀୟ ଲିଙ୍ଗୀ ଲୋକଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଡାକ୍ତରୀ ପାଠ୍ୟକ୍ରମ ଓ ଗବେଷଣାର ସମୀକ୍ଷା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ପାଖାପାଖି ପାଞ୍ଚ ବର୍ଷ ପରେ, ଭାରତୀୟ ତୃତୀୟ ଲିଙ୍ଗୀ ସମ୍ପ୍ରଦାୟ ପାଇଁ ଏସଆରଏସକୁ ସୁଲଭ ଏବଂ ଶସ୍ତା କରିବା ଲାଗି ସରକାରଙ୍କ ତରଫରୁ କୌଣସି ବଡ଼ ଧରଣର ପ୍ରୟାସ କରାଯାଇନାହିଁ। ସରକାରୀ ଡାକ୍ତରଖାନାଗୁଡ଼ିକ ମଧ୍ୟ ମୁଖ୍ୟତଃ ଏସଆରଏସଠାରୁ ଦୂରେଇ ରହିଛନ୍ତି।

ପରଲିଙ୍ଗୀ ପୁରୁଷଙ୍କ ପାଇଁ ସୀମିତ ବିକଳ୍ପ ଥାଏ। ସେମାନଙ୍କ ମାମଲାରେ ଜିଏଏସ୍ ପାଇଁ ସ୍ତ୍ରୀ ରୋଗ ବିଶେଷଜ୍ଞ, ମୂତ୍ରରୋଗ ବିଶେଷଜ୍ଞ ଏବଂ ରିକନଷ୍ଟ୍ରକ୍ଟିଭ୍ ପ୍ଲାଷ୍ଟିକ୍ ସର୍ଜରୀ କରୁଥିବା ଦକ୍ଷ ପେସାଦାରଙ୍କ ଆବଶ୍ୟକତା ରହିଥାଏ। ତେଲଙ୍ଗାନା ହିଜଡ଼ା ଇଣ୍ଟରସେକ୍ସ ଟ୍ରାନ୍ସଜେଣ୍ଡର୍‌ ସମିତିର ଜଣେ କର୍ମୀ ତଥା ପରଲିଙ୍ଗୀ ପୁରୁଷ କାର୍ତ୍ତିକ ବିଟ୍ଟୁ କୋଣ୍ଡିୟା କୁହନ୍ତି, ‘‘ଏ କ୍ଷେତ୍ରରେ ତାଲିମ୍‌ ଓ ବିଶେଷଜ୍ଞତା ଥିବା ଖୁବ୍‌ କମ୍‌ ଚିକିତ୍ସା ପେସାଦାର ଅଛନ୍ତି ଏବଂ ସରକାରୀ ଡାକ୍ତରଖାନାରେ ଏମାନଙ୍କ ସଂଖ୍ୟା ଆହୁରି ନଗଣ୍ୟ।’’

ତୃତୀୟ ଲିଙ୍ଗୀ ଲୋକଙ୍କ ପାଇଁ ସରକାରୀ ମାନସିକ ସ୍ୱାସ୍ଥ୍ୟ ସେବା ସ୍ଥିତି ମଧ୍ୟ ଅନୁରୂପ ଭାବେ ଦୟନୀୟ ସ୍ଥିତିରେ ରହିଛି। ଦୈନନ୍ଦିନ ସମସ୍ୟାର ମୁକାବିଲା ପାଇଁ ଏକ ଉପକରଣ ବ୍ୟତୀତ ଯେକୌଣସି ଲିଙ୍ଗ ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପୂର୍ବରୁ ପରାମର୍ଶ ଏକ ଆଇନଗତ ଆବଶ୍ୟକତା। ତୃତୀୟ ଲିଙ୍ଗୀ ଲୋକମାନଙ୍କୁ ଲିଙ୍ଗ ପରିଚୟ ବିକାର ପ୍ରମାଣପତ୍ର ଏବଂ ମନୋବୈଜ୍ଞାନିକ କିମ୍ବା ମନୋଚିକିତ୍ସକଙ୍କଠାରୁ ଏକ ମୂଲ୍ୟାଙ୍କନ ରିପୋର୍ଟ ହାସଲ କରିବାର ଆବଶ୍ୟକତା ରହିଛି ଯାହାକି ସେମାନେ ଯୋଗ୍ୟ ବୋଲି ପ୍ରମାଣ ଦେଇଥାଏ। ଅନ୍ୟାନ୍ୟ ମାନଦଣ୍ଡ ମଧ୍ୟରେ ସଚେତନ ସହମତି, ନିର୍ଦ୍ଧାରିତ ଲିଙ୍ଗ ଭାବେ ରହିବାର ଅବଧି, ଲିଙ୍ଗଗତ ଡାଇସ୍ଫୋରିୟା ସ୍ତର, ବୟସଗତ ଆବଶ୍ୟକତା ଏବଂ ସୁସ୍ଥ ମାନସିକତାର ଗ୍ୟାରେଣ୍ଟି ଭାବେ ସମ୍ପୂର୍ଣ୍ଣ ମାନସିକ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ ସାମିଲ ରହିଛି ।

୨୦୧୪ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିର ଗୋଟିଏ ଦଶନ୍ଧି ପରେ, ଦୈନନ୍ଦିନ ଜୀବନରେ କିମ୍ବା ଲିଙ୍ଗ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିବା ସମୟରେ ସାମ୍ନା କରିବାକୁ ପଡ଼ୁଥିବା ପରିସ୍ଥିତି ପାଇଁ ସମାବେଶୀ, ସହାନୁଭୂତିପୂର୍ଣ୍ଣ ମାନସିକ ସ୍ୱାସ୍ଥ୍ୟ ସେବା ଜରୁରି ବୋଲି ଏହି ସମ୍ପ୍ରଦାୟ ମଧ୍ୟରେ ଏକ ସାଧାରଣ ସହମତି ସୃଷ୍ଟି ହୋଇଛି, କିନ୍ତୁ ଏହା ଏବେ ବି ଏକ ଅପୂରଣୀୟ ସ୍ୱପ୍ନ ହୋଇ ରହିଛି।

‘‘ଜିଲ୍ଲା ଡାକ୍ତରଖାନାରେ ଟପ୍‌ ସର୍ଜରୀ ପାଇଁ ମୋର ଚିକିତ୍ସା ପରାମର୍ଶ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିଲା,’’ ସୁମିତ କୁହନ୍ତି। ଶେଷରେ ପ୍ରାୟ ୨୦୧୬ ବେଳକୁ, ସେ ଡାକ୍ତରଖାନା ଯିବା ବନ୍ଦ କରିଦେଲେ। ‘‘ସୀମା ଅତିରିକ୍ତ ହୋଇଗଲେ ଆପଣ ଥକିଯାଆନ୍ତି।’’

ଲିଙ୍ଗ ନିର୍ଦ୍ଧାରଣ କରିବା ଲାଗି ତାଙ୍କର ଆଗ୍ରହ ତାଙ୍କ ଥକ୍କାପଣ ଉପରେ ପ୍ରଭାବୀ ହୋଇଗଲା। ସେ କିଭଳି ଏହି ଅନୁଭବ କଲେ, ଏହା ଏକ ସ୍ୱାଭାବିକ ଅନୁଭବ ଥିଲା କି, ଜିଏଏସ୍ରେ କ’ଣ ସାମିଲ ରହିଥାଏ ଏବଂ ଭାରତର କେଉଁ ସ୍ଥାନରେ ସେ ଏହାର ଲାଭ ପାଇପାରିବେ ସେ ବିଷୟରେ ଅଧିକ ଅନୁସନ୍ଧାନ କରିବା ଲାଗି ସୁମିତ ନିଷ୍ପତ୍ତି ନେଲେ।

ଏବେ ବି ସେ ନିଜ ପରିବାର ସହିତ ରହୁଥିବାରୁ ସବୁକିଛି ଗୋପନୀୟ ଭାବେ କଲେ। ସେ ଜଣେ ହେନା ଆର୍ଟିଷ୍ଟ ଓ ଟେଲର୍‌ ଭାବେ କାମ କଲେ ଏବଂ ଟପ୍‌ ସର୍ଜରୀ ପାଇଁ ନିଜ ରୋଜଗାରରୁ କିଛି ସଞ୍ଚୟ କରିବାକୁ ଆରମ୍ଭ କଲେ ଯେଉଁଥିପାଇଁ ସେ ସଂକଳ୍ପବଦ୍ଧ ଥିଲେ।

PHOTO • Ekta Sonawane
PHOTO • Ekta Sonawane

ତିନୋଟି କାମ କରିବା ସତ୍ତ୍ୱେ ସୁମିତ ଖର୍ଚ୍ଚ ତୁଲାଇବାରେ ସମସ୍ୟାରେ ପଡ଼ିଥା’ନ୍ତି । ତାଙ୍କୁ ନିୟମିତ କାମ ମିଳେ ନାହିଁ ଏବଂ ଏବେ ବି ତାଙ୍କ ଉପରେ ୯୦,୦୦୦ ଟଙ୍କାର ଉଧାର ସୁଝିବାକୁ ବାକି ରହିଛି

୨୦୨୨ରେ ସୁମିତ ପୁଣିଥରେ ଚେଷ୍ଟା କଲେ, ନିଜର ଜଣେ ପରଲିଙ୍ଗୀ ପୁରୁଷ ସାଙ୍ଗ ସହିତ ସେ ରୋହତକଠାରୁ ୧୦୦ କିଲୋମିଟରରୁ ଅଧିକ ଦୂର ହରିୟାଣାର ହିସାର ଜିଲ୍ଲାକୁ ଯାତ୍ରା କଲେ। ଜଣେ ଘରୋଇ ମନସ୍ତତ୍ୱବିତ୍‌ଙ୍କୁ ସେ ଭେଟିଲେ ଏବଂ ଦୁଇ ଥର ତାଙ୍କ ଠାରୁ ଚିକିତ୍ସା ପରାମର୍ଶ ନେଲେ, ଏଥିପାଇଁ ତାଙ୍କୁ ୨,୩୦୦ ଟଙ୍କା ପଇଠ କରିବାକୁ ହେଲା। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଟପ୍‌ ସର୍ଜରୀ କରିବା ଲାଗି ସେ ଯୋଗ୍ୟ ବୋଲି ତାଙ୍କୁ ସେହି ଡାକ୍ତର କହିଲେ।

ହିସାରର ଏକ ଘରୋଇ ଡାକ୍ତରଖାନାରେ ସେ ଚାରି ଦିନ ଭର୍ତ୍ତି ହୋଇ ରହିଲେ ଏବଂ ଅସ୍ତ୍ରୋପଚାରକୁ ମିଶାଇ ତାଙ୍କର ଏକ ଲକ୍ଷ ଟଙ୍କା ବିଲ୍‌ ହେଲା। ‘‘ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଭାରି ଦୟାଳୁ ଏବଂ ଭଦ୍ର ଥିଲେ। ସରକାରୀ ଡାକ୍ତରଖାନାରେ ମୁଁ ସାମ୍ନା କରିଥିବା ପରିସ୍ଥିତିଠାରୁ ଏଠାରେ ସମ୍ପୂର୍ଣ୍ଣ ଭିନ୍ନ ସ୍ଥିତି ଥିଲା,’’ ସୁମିତ କୁହନ୍ତି।

ଏହି ଖୁସି ବେଶୀଦିନ ରହିଲା ନାହିଁ।

ରୋହତକ ଭଳି ଛୋଟ ସହରରେ ଏକ ଟପ୍‌ ସର୍ଜରୀର ଅର୍ଥ ‘ସୀମାରୁ ବାହାରକୁ ବାହାରିବା’ ସହ ସମାନ। ସାଧାରଣତଃ ଏଲଜିବିଟିକ୍ୟୁଆଇ ସମୁଦାୟକୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ।  ସୁମିତଙ୍କ ଗୋପନୀୟତା ଏବେ ଦିନର ଆଲୋକ ଭଳି ସ୍ପଷ୍ଟ ହୋଇସାରିଥିଲା ଏବଂ ତାଙ୍କ ପରିବାର ଏହି ସତ୍ୟକୁ ସ୍ୱୀକାର କରିପାରିଲା ନାହିଁ। ଅସ୍ତ୍ରୋପଚାରର କିଛି ଦିନ ପରେ ଯେତେବେଳେ ସେ ରୋହତକରେ ଥିବା ନିଜ ଘରକୁ ଫେରିଲେ, ତାଙ୍କର ଜିନିଷପତ୍ର ଫିଙ୍ଗି ଦିଆଯାଇଥିବା ସେ ଦେଖିବାକୁ ପାଇଲେ। ‘‘ବିନା କୌଣସି ଆର୍ଥିକ କିମ୍ବା ଭାବଗତ ସହାୟତା ବିନା ମୋ ପରିବାର ମୋତେ ଘରୁ ବାହାଯିବାକୁ କହିଲା। ସେମାନେ ମୋ ପରିସ୍ଥିତି କଥା ଭାବିଲେ ନାହିଁ।’’ ଯଦିଓ ଟପ୍ ସର୍ଜରୀ ପରେ ମଧ୍ୟ ସୁମିତ ଆଇନଗତ ଭାବେ ଜଣେ ଝିଅ ହୋଇ ରହିଥିଲେ, କିନ୍ତୁ ସମ୍ଭାବ୍ୟ ସମ୍ପତ୍ତି ଦାବି ବିଷୟରେ ଚିନ୍ତା ସାମ୍ନାକୁ ଆସିବାରେ ଲାଗିଲା। ‘‘କିଛି ଲୋକ ଏହା ମଧ୍ୟ ପରାମର୍ଶ ଦେଲେ ଯେ ମୁଁ କାମ କରିବା ଉଚିତ୍‌ ଏବଂ ଜଣେ ପୁରୁଷ ଠାରୁ ଆଶା କରାଯାଉଥିବା ଉତ୍ତରଦାୟିତ୍ୱ ପୂରଣ କରିବା ଉଚିତ୍‌ ।’’

ଜିଏଏସ୍ ପରେ, ରୋଗୀଙ୍କୁ କିଛି ମାସ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଏ ଏବଂ ଜଟିଳତା ଦେଖାଦେବା ଆଶଙ୍କାରେ ଡାକ୍ତରଖାନା ପାଖରେ ରହିବାକୁ କୁହାଯାଏ। ଏହାଦ୍ୱାରା ପରଲିଙ୍ଗୀ ଲୋକଙ୍କର, ବିଶେଷ କରି କମ୍‌ ରୋଜଗାର ଥିବା ଏବଂ ପଛୁଆ ପୃଷ୍ଠଭୂମିରୁ ଆସିଥିବା ଲୋଙ୍କ ଉପରେ ଆର୍ଥିକ ଓ ତାର୍କିକ ବୋଝ ବୃଦ୍ଧି ପାଏ। ସୁମିତଙ୍କ କ୍ଷେତ୍ରରେ ଏଥିପାଇଁ ହିସାରକୁ ଯିବା ଆସିବା କରିବା ଲାଗି ତିନି ଘଣ୍ଟା ସମୟ ଓ ୭୦୦ ଟଙ୍କା ଖର୍ଚ୍ଚ ହେଉଥିଲା। ଅତିକମରେ ଦଶ ଥର ସେ ଯାତ୍ରା କରିଥିଲେ।

ଟପ୍‌ ସର୍ଜରୀ ପରେ, ରୋଗୀଙ୍କୁ ନିଜ ଛାତି ଚାରି ପାଖରେ ଭିଡ଼ି ହୋଇ ରହିଥିବା ପୋଷାକ ବା ବାଇଣ୍ଡର ଗୁଡ଼ାଇବାକୁ ପରାମର୍ଶ ଦିଆଯାଏ। ‘‘ଭାରତର ଗରମ ପାଣିପାଗ ଏବଂ ଅଧିକାଂଶ ଲୋକଙ୍କ ପାଖରେ ଏସି ନଥିବା ସ୍ଥିତିରେ ଶୀତ ଦିନରେ ଲୋକମାନେ ଅସ୍ତ୍ରୋପଚାର କରିବାକୁ ପସନ୍ଦ କରିଥାନ୍ତି,’’ ଡକ୍ଟର ଭୀମ ସିଂହ ନନ୍ଦା କୁହନ୍ତି, ସେ ଏହା ମଧ୍ୟ କହିଥାନ୍ତି ଯେ ଝାଳ ଦ୍ୱାରା ଅସ୍ତ୍ରୋପଚାରର ସିଲେଇ ଆଖପାଖରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ।

ସୁମିତଙ୍କର ଅସ୍ତ୍ରୋପଚାର ହେଲା ଏବଂ ତାଙ୍କୁ ଉତ୍ତର ଭାରତରେ ମେ ମାସର ଭୀଷଣ ଗରମରେ ଘରୁ ବାହାର କରି ଦିଆଗଲା। ‘‘ଏହାର ପରବର୍ତ୍ତୀ ସପ୍ତାହ ଯନ୍ତ୍ରଣାଦାୟକ ଥିଲା, ଯେମିତି କେହି ମୋ ହାଡ଼କୁ ଆଘାତ ପହଞ୍ଚାଇଥିଲା। ବାଇଣ୍ଡର୍‌ କାରଣରୁ ଚଳପ୍ରଚଳ ହେବା କଷ୍ଟକର ହୋଇଯାଇଥିଲା,’’ ସେ ସ୍ମରଣ କରି କୁହନ୍ତି। ‘‘ମୁଁ ନିଜର ପରଲିଙ୍ଗୀ ପରିଚୟକୁ ପ୍ରକାଶ କରି ଗୋଟିଏ ଜାଗାରେ ଭଡ଼ା ନେବାକୁ ଚାହୁଁଥିଲି କିନ୍ତୁ ଛଅ ଜଣ ଘର ମାଲିକ ମୋତେ ଘର ଭଡ଼ା ଦେବାକୁ ମନା କରିଦେଲେ। ଅସ୍ତ୍ରୋପଚାର ପରେ ମୁଁ ଗୋଟିଏ ମାସ ସୁଦ୍ଧା ବିଶ୍ରାମ ନେଇ ପାରିଲି ନାହିଁ,’’ ସୁମିତ କୁହନ୍ତି। ଟପ୍‌ ସର୍ଜରୀର ନଅ ଦିନ ପରେ ଏବଂ ତାଙ୍କ ବାପା ମା’ ତାଙ୍କୁ ଘରୁ ବାହାର କରିଦେବାର ଚାରି ଦିନ ପରେ, ସୁମିତ ନିଜ ବିଷୟରେ ମିଛ ନକହି ଗୋଟିଏ ଦୁଇ ବଖୁରିଆ ଘର ପାଇଲେ।

ଆଜି, ସୁମିତ ଜଣେ ହେନା ଆର୍ଟିଷ୍ଟ, ଟେଲର, ଚା’ ଦୋକାନରେ ସହାୟକ ଏବଂ ରୋହତକରେ ଗିଗ୍‌ ଆଧାରିତ ଅସଂଗଠିତ ଶ୍ରମିକ ଭାବେ କାମ କରୁଛନ୍ତି । ମାସକୁ ସେ ଅତିବେଶୀରେ ୫ରୁ ୭,୦୦୦ ଟଙ୍କା ରୋଜଗାର କରୁଛନ୍ତି, ଏଥିରୁ ଅଧିକାଂଶ ଭାଗ ଘର ଭଡ଼ା, ଖାଇବା ଖର୍ଚ୍ଚ, ରୋଷେଇ ଗ୍ୟାସ ଓ ବିଦ୍ୟୁତ ବିଲ୍‌ ଏବଂ ଋଣ ସୁଝିବାରେ ଚାଲି ଯାଉଛି। ଛାତି ଅସ୍ତ୍ରୋପଚାର ପାଇଁ ସୁମିତ ଯେଉଁ ଟଙ୍କା ଖର୍ଚ୍ଚ କରିଥିଲେ ସେଥିରୁ ୩୦,୦୦୦ ଟଙ୍କା ନିଜ ସଞ୍ଚୟ ଅର୍ଥ ଥିଲା ଯାହାକୁ ସେ ୨୦୧୬-୨୦୨୨ ମଧ୍ୟରେ ବଞ୍ଚାଇ ରଖିଥିଲେ; ଅବଶିଷ୍ଟ ଅର୍ଥ ସେ ପାଞ୍ଚ ପ୍ରତିଶତ ସୁଧରେ ସାହୁକାରଙ୍କ ଠାରୁ ଏବଂ କିଛି ବନ୍ଧୁଙ୍କ ଠାରୁ ଉଧାର ସୂତ୍ରରେ ଆଣିଥିଲେ ।

PHOTO • Ekta Sonawane
PHOTO • Ekta Sonawane

ବାମ : ସୁମିତ ଜଣେ ହେନା ଆର୍ଟିଷ୍ଟ ଓ ଟେଲର ଭାବେ କାମ କରି ଟପ୍‌ ସର୍ଜରୀ ପାଇଁ ଟଙ୍କା ସଞ୍ଚୟ କରିଥିଲେ। ଡାହାଣ : ସୁମିତ ଘରେ ହେନା ଡିଜାଇନ୍‌ ଅଭ୍ୟାସ କରୁଛନ୍ତି

୨୦୨୪ ଜାନୁଆରୀରେ, ସୁମିତଙ୍କ ମୁଣ୍ଡ ଉପରେ ଆହୁରି ୯୦,୦୦୦ ଟଙ୍କାର ଉଧାର ବାକି ରହିଛି, ଏଥିପାଇଁ ସେ ମାସିକ ୪,୦୦୦ ଟଙ୍କା ସୁଧ ଦେଉଛନ୍ତି । ‘‘ଅଳ୍ପ ରୋଜଗାରରେ କେମିତି ଜୀବନଯାପନ ଖର୍ଚ୍ଚ ତୁଲାଇବି ଏବଂ ଋଣ ବାବଦ ସୁଧ କିଭଳି ପରିଶୋଧ କରିବି ମୁଁ ତାହା ବୁଝିପାରୁନାହିଁ। ମୋତେ ନିୟମିତ କାମ ମିଳୁନାହିଁ,’’ ସୁମିତ ହିସାବ କରି କୁହନ୍ତି । ପାଖାପାଖି ଏକ ଦଶନ୍ଧିର ଲମ୍ବା, କଠିନ, ପୃଥକ ଏବଂ ପରିବର୍ତ୍ତନ ପାଇଁ ମହଙ୍ଗା ଯାତ୍ରା ତାଙ୍କୁ ଚିନ୍ତିତ କରି ଦେଇଛି ଏବଂ ଆଖିରୁ ନିଦ ଚୋରେଇ ନେଇଛି । ‘‘ବର୍ତ୍ତମାନ ମୁଁ ଅଣନିଃଶ୍ୱାସୀ ଅନୁଭବ କରୁଛି । ଘରେ ଏକୁଟିଆ ଥିବା ବେଳେ ମୁଁ ଭୟଭୀତ, ଆଶଙ୍କିତ ଏବଂ ନିସଙ୍ଗ ଅନୁଭବ କରୁଛି । ପୂର୍ବରୁ ଏଭଳି ସ୍ଥିତି ନଥିଲା।’’

ଘରୁ ବାହାର କରି ଦେବାର ଗୋଟିଏ ବର୍ଷରେ ପୁଣିଥରେ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିବା ତାଙ୍କର ପରିବାର ସଦସ୍ୟମାନେ ବେଳେବେଳେ ସେ ମାଗିଲେ ତାଙ୍କୁ ଆର୍ଥିକ ସହାୟତା ଦେଇଥାନ୍ତି ।

ସୁମିତ ଜଣେ ଗୌରବାନ୍ୱିତ ପରଲିଙ୍ଗୀ ପୁରୁଷ ନୁହନ୍ତି - କେବଳ ଜଣେ ଦଳିତ ପୁରୁଷଙ୍କ କଥା ଛାଡ଼ନ୍ତୁ ଭାରତରେ ଏହା ଏକ ବିଶେଷାଧିକାର। ପରିଚୟ ପ୍ରଘଟ ହୋଇଯିବା ଏବଂ ଜଣେ ‘ପ୍ରକୃତ ପୁରୁଷ ହୋଇନଥିବା’ର ମାନ୍ୟତା ମିଳିବାର ଭୟ ତାଙ୍କୁ ସବୁବେଳେ ଗୋଡ଼ାଉଛି। ସ୍ତନ ଅପସାରଣ କରିବା ପରେ ଛୋଟମୋଟ ଶାରୀରିକ କାମ ତାଙ୍କ ପାଇଁ ସହଜ ହେଉଛି, କିନ୍ତୁ ଶରୀରରେ ଲୋମ କିମ୍ବା ଗମ୍ଭୀର କଣ୍ଠସ୍ୱର ଭଳି ଅନ୍ୟ ଦୃଶ୍ୟମାନ ପୁରୁଷତ୍ୱ ପ୍ରତୀକ ନଥିବା କାରଣରୁ ସେ ପ୍ରାୟତଃ ସନ୍ଦେହ ଘେରକୁ ଚାଲି ଆସୁଛନ୍ତି । ଉଦାହରଣ ସ୍ୱରୂପ ତାଙ୍କର ଜନ୍ମଗତ ନାମ ଯାହାକୁ ସେ ବର୍ତ୍ତମାନ ସୁଦ୍ଧା ବଦଳାଇ ନାହାନ୍ତି।

ସେ ବର୍ତ୍ତମାନ ସୁଦ୍ଧା ହରମୋନ୍ ପ୍ରତିରୋପଣ ଚିକିତ୍ସା ପାଇଁ ପ୍ରସ୍ତୁତ ନାହାନ୍ତି; ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସେ ଅନିଶ୍ଚିତ। ‘‘କିନ୍ତୁ ଆର୍ଥିକ ଦୃଷ୍ଟିରୁ ସ୍ଥିର ହେବା ପରେ ମୁଁ ନିଶ୍ଚିତ ଏହାକୁ କରିବି,’’ ସୁମିତ କୁହନ୍ତି।

ସେ ଥରକେ ଗୋଟିଏ ପାଦ ଆଗକୁ ବଢ଼ାଉଛନ୍ତି।

ଟପ୍‌ ସର୍ଜରୀର ଛଅ ମାସ ପରେ, ସୁମିତ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟରେ ଜଣେ ପରଲିଙ୍ଗୀ ପୁରୁଷ ଭାବେ ପଞ୍ଜୀକରଣ କରିଛନ୍ତି, ଫଳରେ ତାଙ୍କୁ ଜାତୀୟ ସ୍ତରରେ ମାନ୍ୟତାପ୍ରାପ୍ତ ତୃତୀୟ ଲିଙ୍ଗୀ ପ୍ରମାଣପତ୍ର ଏବଂ ପରିଚୟପତ୍ର ମିଳିଛି ।  ଏବେ ତାଙ୍କୁ ବିଭିନ୍ନ ପ୍ରକାର ସେବା ଉପଲବ୍ଧ ହୋଇଛି ସେଥିମଧ୍ୟରୁ ଗୋଟିଏ ହେଉଛି ଜୀବିକା ଓ ଉଦ୍ୟମିତା ପାଇଁ ବଞ୍ଚିତ ବ୍ୟକ୍ତିଙ୍କୁ ସମର୍ଥନ ବା ସପୋର୍ଟ ଫର୍‌ ମାର୍ଜିନାଲାଇଜଡ୍‌ ଇଣ୍ଡିଭିଜୁଆଲ୍ସ ଫର ଲାଇଭଲିହୁଡ୍‌ ଏଣ୍ଡ ଏଣ୍ଟରପ୍ରାଇଜ୍‌ ( ସ୍ମାଇଲ ), ଯାହା ତାଙ୍କୁ ଭାରତର ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ତୃତୀୟ ଲିଙ୍ଗୀ ଲୋକଙ୍କ ପାଇଁ ଲିଙ୍ଗ ନିର୍ଦ୍ଧାରଣ ସେବା ପାଇବାକୁ ହକଦାର୍‌ କରିଥାଏ।

ସୁମିତ କୁହନ୍ତି, ‘‘ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ଅନ୍ୟ କେଉଁ ଅସ୍ତ୍ରୋପଚାର ଆବଶ୍ୟକ ମୁଁ ଜାଣେ ନାହିଁ । ଧୀରେ ଧୀରେ ମୁଁ ସେସବୁ କରିବି। ମୁଁ ମଧ୍ୟ ସବୁ କାଗଜପତ୍ରରେ ନିଜ ନାଁ ବଦଳାଇବି। ଏହା କେବଳ ଆରମ୍ଭ।’’

ଏ କାହାଣୀ ଭାରତରେ ଯୌନ ଓ ଲିଙ୍ଗ ଆଧାରିତ ହିଂସା (ଏସ୍‌ଜିବିଭି)ରୁ ମୁକ୍ତ ଲୋକଙ୍କ ଯତ୍ନ ନେବା ପାଇଁ ସାମାଜିକ, ସଂସ୍ଥାଗତ ଓ ଢାଞ୍ଚାଗତ ବାଧା ଉପରେ କେନ୍ଦ୍ରିତ ଏକ ଦେଶବ୍ୟାପୀ ରିପୋର୍ଟିଂ ପ୍ରକଳ୍ପର ଅଂଶବିଶେଷ। ଏହା ଡକ୍ଟର୍ସ ୱିଦାଉଟ୍‌ ବର୍ଡର୍ସ ଭାରତ ସମର୍ଥିତ ପ୍ରୟାସର ଅଂଶବିଶେଷ ଅଟେ।

ପରିଚୟ ଗୋପନୀୟ ରଖିବା ଲାଗି ଆତ୍ମୀୟ ସ୍ୱଜନ ଓ ପରିବାର ସଦସ୍ୟଙ୍କ ନାମ ଗୋପନୀୟ ରଖାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Ekta Sonawane

একতা সোনাওয়ানে স্বাধীনভাবে কর্মরত সাংবাদিক। জাতি, শ্রেণি এবং লিঙ্গ মিলে পরিচিতির যে পরিসর, সেই বিষয়ে তিনি লেখালিখি করেন।

Other stories by Ekta Sonawane
Editor : Pallavi Prasad

পল্লবী প্রসাদ মুম্বই-ভিত্তিক একজন স্বতন্ত্র সাংবাদিক, ইয়ং ইন্ডিয়া ফেলো এবং লেডি শ্রী রাম কলেজ থেকে ইংরেজি সাহিত্যে স্নাতক। তিনি লিঙ্গ, সংস্কৃতি এবং স্বাস্থ্য ইত্যাদি বিষয়ের উপর লেখেন।

Other stories by Pallavi Prasad
Series Editor : Anubha Bhonsle

২০১৫ সালের পারি ফেলো এবং আইসিএফজে নাইট ফেলো অনুভা ভোসলে একজন স্বতন্ত্র সাংবাদিক। তাঁর লেখা “মাদার, হোয়্যারস মাই কান্ট্রি?” বইটি একাধারে মণিপুরের সামাজিক অস্থিরতা তথা আর্মড ফোর্সেস স্পেশাল পাওয়ারস অ্যাক্ট এর প্রভাব বিষয়ক এক গুরুত্বপূর্ণ দলিল।

Other stories by Anubha Bhonsle
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE