“ଆମେ ଆଜି ପଛକୁ ହଟିବୁ ନାହିଁ”, ତୁକାରାମ ଭାଲାଭି କହିଥିଲେ। “ଏ ସରକାର ଆମକୁ ଆକ୍ରମଣ କରୁଛନ୍ତି। ବର୍ଷ ବର୍ଷ ଧରି ଆମେ ଚାଷ କରି ଆସୁଥିବା ୧୦ ଏକର ଜମି ମାଗିଲେ, ସେମାନେ ଆମକୁ ମାତ୍ର ୧୦ ଗୁଣ୍ଠ (ଗୋଟିଏ ଏକରର ଏକଚତୁର୍ଥାଂଶ) ଦେଇଥାନ୍ତି। ଯଦି ଆମେ ପାଞ୍ଚ ଏକର ମାଗିଲୁ ସେମାନେ ଆମକୁ ତିନି ଗୁଣ୍ଠ ଦେବେ। ବିନା ଜମିରେ ଆମେ ଖାଇବୁ କ’ଣ? ଆମ ପାଖରେ ଟଙ୍କା ନାହିଁ, କାମ ନାହିଁ ଏବଂ ଖାଦ୍ୟ ନାହିଁ।”
୬୧ ବର୍ଷ ବୟସ୍କ ଭାଲଭି ୱାର୍ଲୀ ଆଦିବାସୀ ସମ୍ପ୍ରଦାୟର ଏବଂ ସେ ପାଲଘର ଜିଲ୍ଲାର ୱାଡା ତାଲୁକାରେ ଥିବା ଗଡ଼ଗାଓଁ ଗ୍ରାମର ଏକ ପଡ଼ାରେ ତିନି ଏକର ଜମିରେ ଚାଷ କରିଥାନ୍ତି। ସେ ଏକ ସପ୍ତାହ ଧରି ପାଖାପାଖି ୩,୦୦୦ କୃଷକ ଓ କୃଷି ଶ୍ରମିକଙ୍କୁ ନେଇ ଆନ୍ଦୋଳନ ଚଳାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ୱାର୍ଲୀ ସମୁଦାୟର ଏବଂ ଏମାନେ ପାଲଘରର ବିଭିନ୍ନ ଜିଲ୍ଲାରୁ ଆସିଛନ୍ତି।
“ଦେଶରେ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଚାଷୀଙ୍କ ଆୟ ବଢ଼ାଇବା” ଲାଗି ସେପ୍ଟେମ୍ବର ୨୭ ତାରିଖରେ ତିନୋଟି କୃଷି ଆଇନ ପାସ ହୋଇଥିଲା। ଏହା ବିରୋଧରେ ୱାଡ଼ାର ଖାଣ୍ଡେଶ୍ୱରୀ ନାକାଠାରେ ସେମାନେ ମିଳିତ ହୋଇ ନଭେମ୍ବର ୨୬ ତାରିଖରେ ରାସ୍ତାରୋକ କରିଥିଲେ। ସରକାରଙ୍କ ଦାବି ହେଲା, ଏହି ଆଇନଗୁଡ଼ିକ କୃଷି କ୍ଷେତ୍ରକୁ ଘରୋଇ ନିବେଶକ ଏବଂ ବିଶ୍ୱ ବଜାର ପାଇଁ ଉନ୍ମୁକ୍ତ କରିବ। ଏହି ଆଇନଗୁଡ଼ିକ ଅନୁମୋଦନ ଲାଭ କରିବା ପରେ ସେପ୍ଟେମ୍ବର ପରଠାରୁ ଦେଶବ୍ୟାପୀ ବ୍ୟାପକ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି-ବିଶେଷ କରି ହରିୟାଣା, ପଞ୍ଜାବ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଆନ୍ଦୋଳନର ମାତ୍ରା ଅଧିକ ରହିଛି।
ନିକଟରେ ହରିୟାଣା ଓ ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀମାନଙ୍କର ବିକ୍ଷୋଭ ପ୍ରତି ସମସ୍ତଙ୍କ ଧ୍ୟାନ ଯାଇଥିବା ବେଳେ ଅନ୍ୟ ରାଜ୍ୟରେ ସେମାନଙ୍କର ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇବା ସହିତ, କେତେକ ସ୍ଥାନୀୟ ଦାବିକୁ ନେଇ ଜାରି ରହିଥିବା ଚାଷୀ ଆନ୍ଦୋଳନ ସେତେଟା ଗଣମାଧ୍ୟମର ଦୃଷ୍ଟିକୁ ଆସିପାରିନାହିଁ। ଉଦାହରଣ ସ୍ୱରୂପ ମହାରାଷ୍ଟ୍ରରେ, ନଭେମ୍ବର ୨୫-୨୬ ତାରିଖରେ ରାଜ୍ୟବ୍ୟାପୀ-ନାସିକଠାରୁ ଆରମ୍ଭ କରି ପାଲଘର ପୁଣି ରାୟଗଡ଼ ପର୍ଯ୍ୟନ୍ତ ପାଖାପାଖି ୬୦,୦୦୦ ଚାଷୀ ଏକାଧିକ ବିକ୍ଷୋଭରେ ସାମିଲ ହୋଇଥିଲେ। ଏପରିକି ଏସବୁ ଜିଲ୍ଲାର, ବିଭିନ୍ନ ତାଲୁକାରେ ଥିବା ଅନେକ କେନ୍ଦ୍ରରେ ଆନ୍ଦୋଳନ ବ୍ୟାପକ ହୋଇଛି।
ଚଳିତ ସପ୍ତାହରେ ୱାଡ଼ାଠାରେ ଅଲଇଣ୍ଡିଆ କିଷାନ ସଭା(ଏଆଇକେଏସ) ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ବିଭିନ୍ନ ଦାବିଗୁଡ଼ିକ ମଧ୍ୟରେ-ଜମି ମାଲିକାନା-କୁ ନେଇ ଭାଲଭିଙ୍କ ମନରେ ଚିନ୍ତା ରହିଥିଲା। ଆଜକୁ କିଛିବର୍ଷ ଧରି ମହାରାଷ୍ଟ୍ରର ଆଦିବାସୀ ଚାଷୀମାନେ ଏହି ଦାବିକୁ ନେଇ ବହୁବାର ଆନ୍ଦୋଳନ କରିଆସିଛନ୍ତି। ନିଜ ଜମିର ଅଧିକାର ପାଇବା ଲାଗି ଗତ ୧୫ ବର୍ଷ ହେବ ଭାଲଭି ଅଦାଲତର ଚକ୍କର କାଟୁଛନ୍ତି। “ଆମ ଗ୍ରାମରେ, ଯେଉଁମାନେ ଜଙ୍ଗଲ ଜମିରେ ଚାଷ କରୁଛନ୍ତି ସେମାନେ ଜଙ୍ଗଲ ବିଭାଗ ଅତ୍ୟାଚାରର ଶିକାର ହେଉଛନ୍ତି,” ସେ କହିଥିଲେ। “ଆମକୁ ଏହି ମାମଲା କୋର୍ଟରେ ଲଢ଼ିବାକୁ ପଡ଼ୁଛି। ଜାମିନ ପାଇଁ ଆମ ପାଖରେ ଟଙ୍କା ନାହିଁ। ଆମେ ଗରିବ ଲୋକ କେଉଁଠୁ ଏଥିପାଇଁ ଟଙ୍କା ଆଣିବୁ?”


















