ଆମ କାର୍ଯ୍ୟଧାରାର କେନ୍ଦ୍ରବିନ୍ଦୁରେ ରହିଆସିଛନ୍ତି ଆମର ସ୍ୱେଚ୍ଛାସେବୀମାନେ, ଯେଉଁମାନେ କି ଆମ ଦ୍ୱାରା ସନ୍ନିବେଶିତ ପ୍ରତିଟି ରିପୋର୍ଟର ସଂକ୍ଷିପ୍ତ ‘ଲକ୍ଷ୍ୟ ଓ ତଥ୍ୟାବଳୀ’ ଗଢ଼ି ତୋଳିବା ଉପରେ ବିଶେଷ ଦୃଷ୍ଟି ଦେଇଥାଆନ୍ତି । ଆମ ସହିତ ଅଛନ୍ତି ଅନେକ କଲେଜ ଛାତ୍ରଛାତ୍ରୀ, କାର୍ଯ୍ୟରତ ତଥା ଅବସରପ୍ରାପ୍ତ ବୃତ୍ତିଧାରୀ, ଯେଉଁମାନେ ସ୍ୱେଚ୍ଛାରେ ଆମ ସହିତ ଯୋଗ ଦେଇ ଗହନ ଏବଂ ବିସ୍ତୀର୍ଣ୍ଣ ବିଷୟବସ୍ତୁ ସମ୍ବଳିତ ରିପୋର୍ଟକୁ ସ୍ପଷ୍ଟ ଓ ବୋଧଗମ୍ୟ ଭାଷାରେ ପୁନଃପ୍ରକାଶ କରନ୍ତି । ସେମାନେ ଆମକୁ ସେମାନଙ୍କର ସମୟ ଓ ଦକ୍ଷତା ପ୍ରଦାନ କରି ନିଶ୍ଚିତ କରି ନିଅନ୍ତି ଯେ, ଆମର ଲେଖା ସଂକଳନ ସମସ୍ତଙ୍କ ପାଖରେ ପହଞ୍ଚି ପାରିବା ସହିତ ଏଥିରେ ବିଦ୍ବତ୍ତାର ବୈଚିତ୍ର୍ୟ ଅକ୍ଷୁର୍ଣ୍ଣ ରହିଛି ।
ବର୍ତ୍ତମାନ, ‘ପରୀ’ ଲାଇବ୍ରେରୀ ସହିତ ପାଖାପାଖି ୪୫୦ ଜଣ ସ୍ୱେଚ୍ଛାସେବୀ ରହିଛନ୍ତି, ଯେଉଁମାନେ ପ୍ରାରମ୍ଭରୁ ଆମ ସହିତ କାର୍ଯ୍ୟରତ ।
ଆମେ ୨୦୨୫ର ଶେଷରେ ଉପନୀତ ହୋଇଥିବା ବେଳେ ନିଜ ନିଜର ଅନୁଭୂତି ଏବଂ ପ୍ରମୁଖ ଉପଲବ୍ଧି ଆଧାରିତ ଆମର କେତେକ ନିୟମିତ ସ୍ୱେଚ୍ଛାସେବୀଙ୍କ ମତାମତକୁ ଏଠାରେ ଉପସ୍ଥାପନ କରି ଆନନ୍ଦ ଅନୁଭବ କରୁଛୁ ।
ୟାଜିନି ସାତିୟାମୂର୍ତ୍ତି
ଏନ୍ଭାଇରନମେଣ୍ଟାଲ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂରେ ଏମ୍.ଟେକ୍ ଡିଗ୍ରୀ ପାଇଁ ଆଇଆଇଟି ବମ୍ବେରେ ଅଧ୍ୟୟନରତ
‘ମୂଳ ଲକ୍ଷ୍ୟ ଓ ତଥ୍ୟାବଳୀ’ ସଂଲଗ୍ନ ସକାଶେ ମୁଁ ସଂକଳନ କରିଥିବା ପ୍ରତ୍ୟେକ ରିପୋର୍ଟ ମୋତେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିଛି ଏବଂ ତାହା ମୋ ସହିତ ରହିଆସିଛି । ସେଥିରୁ କେତେକ ରିପୋର୍ଟ, ଉଦାହରଣ ସ୍ୱରୂପ ‘ଟେଣ୍ଟେଡ କାର୍ପେଟ୍ସ: ସ୍ଲେଭରୀ ଆଣ୍ଡ ଚାଇଲ୍ଡ ଲେବର ଇନ୍ ଇଣ୍ଡିଆସ ହ୍ୟାଣ୍ଡ-ମେଡ୍ କାର୍ପେଟ ସେକ୍ଟର’ କିମ୍ବା ‘କ୍ଲାଇମେଟ୍ ଇଣ୍ଡିଆ 2024: ଆନ୍ ଆସେସ୍ମେଣ୍ଟ ଅଫ୍ ଏକ୍ସଟ୍ରିମ୍ ୱେଦର ଇଭେଣ୍ଟସ’ ମୋତେ ବିଚଳିତ କରିଛି ଏବଂ ସେଗୁଡ଼ିକୁ ପଢ଼ି ହୃଦୟଙ୍ଗମ କରିବା ଲାଗି ମୋତେ ବହୁ ଦିନ ଲାଗିଛି । ହେଲେ, ମୁଁ ପଢୁଥିବା ପାଠ ଦୃଷ୍ଟିରୁ ଦେଖିଲେ, ଏହି ସବୁ ରିପୋର୍ଟ ମୋତେ ମୋ ପାଖରେ ଥିବା ବିଷୟାବଳୀ ସହିତ ନିଜକୁ ଅଧିକ ଉତ୍ତମ ଢଙ୍ଗରେ ସାମିଲ କରିବାର ସୁଯୋଗ ପ୍ରଦାନ କରିଛି ।
ଗୋଟିଏ ପୃଷ୍ଠାର ପୋଷ୍ଟର ହେଉ କି ୫୦୦ ପୃଷ୍ଠାର ପରିସଂଖ୍ୟାନ ଭିତ୍ତିକ ରିପୋର୍ଟ, ‘ପରୀ’ ଲାଇବ୍ରେରୀର
‘ଲକ୍ଷ୍ୟ ଓ ତଥ୍ୟ’ ଭିତ୍ତିକ ସଂଯୋଜନା ଆପଣଙ୍କୁ ଯେ କୌଣସି ପ୍ରସଙ୍ଗର ମୂଳଲକ୍ଷ୍ୟକୁ ନେଇଯାଏ । ଦୁର୍ଭାଗ୍ୟବଶତଃ, ଏଥିରୁ ଅନେକ ରିପୋର୍ଟ ଏ ପର୍ଯ୍ୟନ୍ତ ମୁଖ୍ୟଧାରାରେ ସ୍ଥାନ ପାଇନାହିଁ ।
ଆବିଜାର ଶେଖ
ଜଣେ ୩୦ ବର୍ଷର ଅଭିଜ୍ଞତା ସଂପନ୍ନ ଯୋଗାଯୋଗ ଓ ଆର୍ଥିକ ସେବା ବିଶେଷଜ୍ଞ
ମୋ ପାଖରେ ଖାଲି ସମୟ ଥିଲା ଏବଂ ମୁଁ କିଛି ଯଥାର୍ଥ କାର୍ଯ୍ୟ କରିବାକୁ ଚାହିଁଲି । ସ୍ୱେଚ୍ଛାସେବୀ ଭାବରେ ‘ପରୀ’ ଲାଇବ୍ରେରୀ ପାଇଁ କାମ କରିବା ଥିଲା ଏକ ଚମତ୍କାର ସୁଯୋଗ । ‘ପରୀ’ ଯେଉଁ ସବୁ କାମ କରୁଛି, ସେ ସବୁ ମୋର ମନପସନ୍ଦର ବ୍ୟକ୍ତିଗତ ଆଗ୍ରହ ସହିତ ଉପଯୁକ୍ତ ଭାବେ ମେଳ ଖାଉଥିଲା ।
ଜଣେ ପାଠକ ଭାବରେ, ମୁଁ ଏହି ଲାଇବ୍ରେରୀର ବର୍ଗୀକରଣ ଏବଂ ବିଷୟବସ୍ତୁ ସନ୍ଧାନ ପ୍ରକ୍ରିୟାରେ ଉନ୍ନତି ଚାହିଁବି ।
ଜେରୀ ଜୋସ
କେରଳ କୋଟ୍ଟାୟାମର ଜଣେ ଜଳବାୟୁ ବିଜ୍ଞାନୀ
ପାଖାପାଖି ଏହି ୱେବ୍ସାଇଟ୍ ଉନ୍ମୋଚିତ ହେବା ସମୟରେ ପି.ସାଇନାଥଙ୍କ ଏକ ବକ୍ତୃତା ମାଧ୍ୟମରେ ମୁଁ ‘ପରୀ’ ସହିତ ପରିଚିତ ହେଲି । ମୋ ପାଇଁ, “ଏକ ଉପମହାଦେଶ ଭିତରେ ମହାଦେଶ” ରୂପେ ଅଭିହିତ ଭାରତର ଗ୍ରାମାଞ୍ଚଳକୁ ଅଭିଲେଖାଗାରରେ ସ୍ଥାନିତ କରିବାର ପ୍ରୟାସ ଥିଲା ପ୍ରେରଣାଦାୟକ ଏବଂ ଅନନ୍ୟ । ମୋ ନଜରରେ, ସ୍ୱେଚ୍ଛାରେ କାମ କରିବା ଥିଲା ଦୂରରେ ରହି ନିରନ୍ତର ବିସ୍ତାରିତ ହେଉଥିବା ‘ପରୀ’ ଲାଇବ୍ରେରୀ ପ୍ରତି ମୋର ଅବଦାନ ।
ଏହି ଲାଇବ୍ରେରୀରେ ସ୍ଥାନିତ ଉପଲବ୍ଧଯୋଗ୍ୟ ‘ଲକ୍ଷ୍ୟ ଓ ତଥ୍ୟାବଳୀ’ ସମ୍ବଳିତ ରିପୋର୍ଟ ସଂକଳନ ପ୍ରଶଂସନୀୟ । ମୋ ମତରେ ଏହାର ବିସ୍ତୃତ ପରିସର ‘ପରୀ’ ସାମ୍ବାଦିକତାର ପରିପୂରକ ଭୂମିକା ନିର୍ବାହ କରେ । ମୋ ନିଜ ଦକ୍ଷତା ପରିସର ଅନ୍ତର୍ଭୁକ୍ତ ଏବଂ ବହିର୍ଭୁକ୍ତ କ୍ଷେତ୍ରରେ ରିପୋର୍ଟ ପ୍ରସ୍ତୁତିକୁ ମୁଁ ଖୁବ୍ ଉପଭୋଗ କଲି, କାରଣ ଏଥିରେ ଅନୁସନ୍ଧାନ ହିଁ ଥିଲା ଜ୍ଞାନ ଆହରଣ ।