ଅଗଷ୍ଟ ୧୯ ତାରିଖ, ବିଶ୍ଵ ଫଟୋଗ୍ରାଫି ଦିବସ ଅବସରରେ କର୍ଣ୍ଣାଟକସ୍ଥିତ ବାନ୍ଦିପୁର ଜାତୀୟ ଉଦ୍ୟାନର କିଛି ଆସାଧାରଣ ଚିତ୍ର ପରୀ ପ୍ରସ୍ତୁତ କରିଛି। କୌଣସି ପର୍ଯ୍ୟଟକ କିମ୍ବା ଫଟୋଗ୍ରାଫର ଦୃଷ୍ଟିରେ ନୁହେଁ, ବରଂ ଏହି ଅଭୟାରଣ୍ୟର ଆଖପାଖରେ ରହୁଥିବା ସ୍ଥାନୀୟ ଲୋକଙ୍କ ଦୃଷ୍ଟିରେ ବଣ, ବନ୍ୟପ୍ରାଣୀ ଏବଂ ଏଠିକାର ଲୋକଙ୍କୁ ଦେଖନ୍ତୁ।
ଜଣେ ବ୍ୟକ୍ତି ଆଉ କାହା କାହାଣୀର ପାତ୍ର ହେବା ବଦଳରେ କିପରି ଫଟୋଗ୍ରାଫି ମାଧ୍ୟମରେ ତାଙ୍କ ନିଜର କାହାଣୀ କହିପାରିବେ, ଏହି ଫଟୋ ନିବନ୍ଧ ତାହା ଦର୍ଶାଉଛି। ବିଭିନ୍ନ ଗଣମାଧ୍ୟମରେ ବନ୍ୟପ୍ରାଣୀମାନଙ୍କର ସୁନ୍ଦର ସୁନ୍ଦର ଫଟୋର କୌଣସି ଅଭାବ ନାହିଁ, ତେବେ ସେଠାରେ ବିଲୁପ୍ତପ୍ରାୟ ଏବଂ ବିପଜ୍ଜନକ ବନ୍ୟପ୍ରାଣୀଙ୍କ ସହ ଜୀବନର ଅଧିକାଂଶ ସମୟ ବିତାଉଥିବା ଲୋକଙ୍କର କଥା କାହିଁ? ଏହି ଦୃଶ୍ୟପଟ୍ଟରେ ଜୀଵନ କିପରି ହୋଇଥିଵ, ଯେଉଁଠି ମଣିଷ ଏବଂ ବନ୍ୟପ୍ରାଣୀ କିଏ କାହାକୁ କେତେବେଳେ ବି ମାରି ଦେଇପାରେ, କିମ୍ବା କାହା ଦ୍ଵାରା ମରିଯାଇପାରେ। ଏ ସବୁ କାହାଣୀ କିଏ କହିବ?
ଏହି ଚିନ୍ତାଧାରା ବାନ୍ଦିପୁର ବହି ରଚନା କରିବା ପାଇଁ ପ୍ରେରଣା ପାଲଟିଥିଲା। ୨୦୧୫-୨୦୧୬ ମସିହାରେ, ଛଅଜଣ ବ୍ୟକ୍ତି, ଜଣେ କୃଷକ, ଜଣେ ଶ୍ରମିକ, ଜଣେ ବନ୍ୟପ୍ରାଣୀ ବିଶେଷଜ୍ଞ, ଜଣେ ଆଦିବାସୀ ଏବଂ ଅନ୍ୟମାନେ ଦୀର୍ଘ ଛଅମାସ ଧରି ବାନ୍ଦିପୁର ଜାତୀୟ ଉଦ୍ୟାନ ଉପକଣ୍ଠରେ ସେମାନଙ୍କର ଜୀବନାନୁଭୂତି ଲିପିବଦ୍ଧ କରିଥିଲେ। ଏହା ବାଘ, ଚିତାବାଘ ଏବଂ ହାତୀମାନଙ୍କ ପାଇଁ ବିଶ୍ଵରେଅତି ଗୁତ୍ଵପୂର୍ଣ୍ଣ ବାସସ୍ଥଳୀ ମଧ୍ୟରୁ ଅନ୍ୟତମ ଅଟେ।
ଏହି ପ୍ରୟାସରେ ସାମିଲ ଅନେକ ଲୋକ, ପୂର୍ବରୁ କେବେ କ୍ୟାମେରା ବ୍ୟବାହର କରି ନ ଥିଲେ। ସେମାନେ ନିଜର ଦୈନନ୍ଦିନ ଜୀବନରେ କିପରି ଅଣ-ମାନବ ଜୀବନ ସଂସ୍ପର୍ଶରେ ଆସିଥାନ୍ତି – ସେମାନଙ୍କର କାମ କରିବା, ଖେଳିବା ଏବଂ ଅପ୍ରତ୍ୟାଶିତ ଭାବରେ ସମ୍ମୁଖୀନ ହେବାର ଉପାୟଗୁଡ଼ିକ ବିଷୟରେ ଏକାଠି ଆଲୋଚନା କରିଥିଲେ। ଯେପରି ସେମାନଙ୍କର ନିବନ୍ଧରେ ଉଲ୍ଲେଖ ରହିଛି, ବାନ୍ଦିପୁର ହେଉଛି ପରସ୍ପର ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଏକ ନିଚ୍ଛକ ଚିତ୍ର। ଏହି ପ୍ରକଳ୍ପକୁ ମୁଖ୍ୟତଃ ଅନୁପ୍ରାଣିତ କରିଥିଲା ଏହି ଜଗତକୁ ଲୋକଲୋଚନକୁ ଆଣିବାର ଉଦ୍ଦେଶ୍ୟ।
କିଛି ଫଟୋଗ୍ରାଫର ସେମାନଙ୍କର ଫଟୋ ମାଧ୍ୟମରେ ଦର୍ଶାଇଛନ୍ତି ଯେ, କିଭଳି ଏଠିକା ସମୁଦାୟଙ୍କଠାରୁ ବନ୍ୟପ୍ରାଣୀ ସଂରକ୍ଷଣ ନାଁରେ ରାଜ୍ୟ ଏସବୁ ଜମି ଛଡ଼ାଇ ନେଇଛି। ଆଉ କିଛି ଲୋକ ଏହାକୁ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣର ଏକମାତ୍ର ଉପାୟ ବୋଲି କହୁଛନ୍ତି। ଏହି ସମସ୍ତ ଫଟୋ ନିବନ୍ଧ ଆମକୁ ଗୋଟିଏ କଥା ଭାବିବାକୁ ବାଧ୍ୟ କରୁଛି, ତାହା ହେଉଛି, ବନ୍ୟପ୍ରାଣୀ ସଂରକ୍ଷଣ ପ୍ରସଙ୍ଗରେ ସାମାଜିକ ନ୍ୟାୟ କିପରି ଦେଖାଯିବ, ଏବଂ ସଂରକ୍ଷଣର ଭଵିଷ୍ୟତ କଳ୍ପନା କରିଵାକୁ ଆମେ କେଉଁମାନଙ୍କୁ ବିଶେଷଜ୍ଞ କରିଵା ଉଚିତ।








