“ଆମ ପାଇଁ ଦିଲ୍ଲୀର ସବୁ ଫାଟକ ବନ୍ଦ କରିଦେଇଥିଲେ ସେମାନେ,” ବୁଟ୍ଟାର ସରିଂହ ଗାଁ ମୁଣ୍ଡରେ ବିଟ୍ଟୁ ମଲାନ କହନ୍ତି । “ଏବେ ସେମାନଙ୍କ ପାଇଁ ପଞ୍ଜାବର ସବୁ ଗାଁର ଫାଟକ ବନ୍ଦ ହୋଇଯାଇଛି ।”
ଶ୍ରୀ ମୁକ୍ତସର ସାହିବ ଜିଲ୍ଲାର ମଲାନ ଗାଁ ନିବାସୀ ବିଟ୍ଟୁ ମଲାନ, ପାଞ୍ଚ ଏକର ଜମିର ମାଲିକାନା ଥିବା ଜଣେ କୃଷକ । ତାଙ୍କ କଥାରେ ସେ ଯେଉଁ ‘ସେମାନେ’ ଏବଂ ‘ସେମାନଙ୍କ’ ଶବ୍ଦ ବ୍ୟବହାର କରନ୍ତି, ତାହା ବିଜେପିକୁ ସୂଚାଏ, କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଏବଂ ଲୋକସଭା ନିର୍ବାଚନରେ ପଞ୍ଜାବରେ ନିହାତି ଏକୁଟିଆ ହୋଇ ପଡ଼ିଥିବା ଦଳ । ଯେଉଁ ‘ଆମମାନଙ୍କ’ ପାଇଁ ଦିଲ୍ଲୀରେ ପ୍ରବେଶ ମନା କରାଯାଇଥିଲା, ସେମାନେ ହେଲେ ୨୦୨୦ ନଭେମ୍ବରରେ ଦେଶର ରାଜଧାନୀ ରାସ୍ତାରେ ପଦଯାତ୍ରାରେ ଆଗେଇ ଯାଉଥିବା ହଜାର ହଜାର ସଂଖ୍ୟକ କୃଷକ ।
ପଞ୍ଜାବର ମାନସପଟଳରେ ଏବେ ବି କିଷାନ ଆନ୍ଦୋଳନ ଏବଂ ଜାତୀୟ ରାଜଧାନୀର ପ୍ରବେଶ ପଥରେ ତମ୍ବୁ ପକାଇ ଅସ୍ଥାୟୀ ସହର ଗଠନର ସ୍ମୃତି ଅମଳିନ ରହିଛି । ତିନିଟି ଗ୍ରୀଷ୍ମ ପୂର୍ବରୁ, ଏହି ରାଜ୍ୟର ଲକ୍ଷ ଲକ୍ଷ କୃଷକ ପ୍ରତିବାଦ ଏବଂ ଆଶାର ସମ୍ମିଳିତ ଭାବ ସହିତ ଏକ ଲମ୍ବା ଅଭିଯାନରେ ବାହାରିଥିଲେ । ଧାଡ଼ିକି ଧାଡ଼ି ଟ୍ରାକ୍ଟର ଓ ଟ୍ରେଲରରେ ବସି ସେମାନେ ଶହ ଶହ ମାଇଲ ଅତିକ୍ରମ କରି ରାଜଧାନୀରେ ଏକତ୍ର ହୋଇଥିଲେ କେବଳ ଗୋଟିଏ ଦାବି ପୂରଣ ପାଇଁ: ସେମାନଙ୍କ ଜୀବିକା ବିପନ୍ନ କରିବାର ଆଶଙ୍କା ରହିଥିବା ତିନିଟି କୃଷି ଆଇନର ପ୍ରତ୍ୟାହାର ।
ଦିଲ୍ଲୀର ପ୍ରବେଶ ପଥରେ ପହଞ୍ଚି ସେମାନେ ଏମିତି ଏକ ବିରାଟ ପ୍ରାଚୀରର ସମ୍ମୁଖୀନ ହୋଇଥିଲେ ଯାହା କି ସେମାନଙ୍କ ଦାବି ପ୍ରତି ଉଦାସୀନ ସରକାରଙ୍କ ଦ୍ୱାରା ଗଢ଼ା ହୋଇଥିଲା । ଆନ୍ଦୋଳନରେ ଅଂଶଗ୍ରହଣକାରୀ କୃଷକମାନଙ୍କ କହିବା ଅନୁସାରେ, ପାଖାପାଖି ବର୍ଷେ ପର୍ଯ୍ୟନ୍ତ, ସେଇଠାରେ ହିଁ ସେମାନଙ୍କ ରାତି କଟିଥିଲା, କେତେବେଳେ ହାଡ଼ଥରା ନିର୍ଜନତାରେ ତ ଆଉ କେତେବେଳେ ଅନ୍ୟାୟର ପ୍ରଖର ନିଆଁରେ । ଥର୍ମୋମିଟରର ପାରଦ ମାତ୍ର ୨ ଡିଗ୍ରୀରେ ରହୁ କି ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚୁ, ସେଥିକୁ ଖାତିର ନ କରି ସେମାନେ କାଳାତିପାତ କରିଥିଲେ । ସେମାନଙ୍କ ପାଇଁ ଘର ପାଲଟିଥିଲା ଲୁହାର ଟ୍ରେଲର ।
ଦୀର୍ଘ ୩୫୮ ଦିନର ଉଠାପକା ସ୍ଥିତି ଭିତରେ, ଦିଲ୍ଲୀ ଚାରିପାଖେ ସେମାନେ ସ୍ଥାପନ କରିଥିବା ଶିବିର ଭିତରେ ୭୦୦ରୁ ଅଧିକ କୃଷକ ପ୍ରାଣ ହରାଇଥିଲେ ଏବଂ ପଞ୍ଜାବକୁ ଫେରିଥିଲା ସେମାନଙ୍କ ମୃତଦେହ । ପ୍ରତିଟି ମୃତଦେହ ବହନ କରୁଥିଲା ସେମାନଙ୍କ ସଂଘର୍ଷର ନିରବ ପ୍ରମାଣ । କିନ୍ତୁ ଆନ୍ଦୋଳନ ଥମି ନଥିଲା । ସେମାନଙ୍କ ତ୍ୟାଗ ଓ ବୃହତ୍ତର ସଂଘର୍ଷ ବଳରେ ବର୍ଷେ ହେଲା ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ଗର୍ଜନ କରିଆସୁଥିବା ସରକାର ଆଣ୍ଠେଇବାକୁ ବାଧ୍ୟ ହୋଇଥିଲେ । ଶେଷରେ, ୨୦୨୧ ମସିହା ନଭେମ୍ବର ୧୯ ତାରିଖ ଦିନ କୃଷି ଆଇନଗୁଡ଼ିକ ପ୍ରତ୍ୟାହାର କରାଗଲା ବୋଲି ପ୍ରଧାନ ମନ୍ତ୍ରୀ ଘୋଷଣା କରିଥିଲେ ।
ଏବେ ପଞ୍ଜାବର ପାଳି, ହିସାବନିକାଶ କରିବାର ସମୟ । ଏବଂ ସେତେବେଳେ ଦିଲ୍ଲୀରେ ସେମାନଙ୍କ ପ୍ରତି ପ୍ରଦର୍ଶିତ ଆଚରଣକୁ ଫେରସ୍ତ କରିବା ଲାଗି ସ୍ଥିର କରିଛନ୍ତି ବିଟ୍ଟୁ ମଲାନ ଓ ତାଙ୍କ ଭଳି ଅନେକ କୃଷକ । ପ୍ରତିଟି ପ୍ରପୀଡ଼ିତ କୃଷକଙ୍କ ତରଫରୁ ହିସାବନିକାଶ କରିନେବା ନିଜର କର୍ତ୍ତବ୍ୟ ବୋଲି ଧରି ନେଇଥିବା ବିଟ୍ଟୁ, ଏପ୍ରିଲ ୨୩ ତାରିଖ ଦିନ ବଟ୍ଟାର ସରିଂହ ଗାଁରେ ଫରିଦକୋଟ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ହଂସରାଜ ହଂସଙ୍କ ସହିତ ମୁହାଁମୁହିଁ ହୋଇଥିଲେ ।







