ଯେତେବେଳେ ପହିଲମାନ ରବି ଦହିୟା ଅଗଷ୍ଟ ୫ରେ ତାଙ୍କର ଅଲିମ୍ପିକ ରୌପ୍ୟ ପଦକ ଗ୍ରହଣ କରିବା ପାଇଁ ପୋଡିୟମ୍‌ ଉପରେ ଛିଡ଼ା ହୋଇଥିଲେ, ଋଷିକେଶ ଘାଡ୍‌ଗେ ଖୁବ୍‌ ଭାବପ୍ରବଣ ହୋଇଯାଇଥିଲେ । ସେ ଏହି ଚରମ ଆନନ୍ଦ ଅନୁଭବ କରିବା ଅଳ୍ପ କିଛି ଦିନ ତଳର କଥା ।

ମହାରାଷ୍ଟ୍ରର ଲାଟୁର୍‌ ଜିଲ୍ଲାରୁ ଆସିଥିବା ଋଷିକେଶ, ୨୦ ହେଉଛନ୍ତି ଜଣେ ଆଶାୟୀ ପହିଲମାନ । ମାର୍ଚ୍ଚ ୨୦୨୦ରେ କୋଭିଡ୍‌ – ୧୯ ବ୍ୟାପିବା ପରଠାରୁ ୧୮ ମାସ ସମୟ ତାଙ୍କ ପାଇଁ ଖୁବ୍‌ ହତାଶାଜନକ ଥିଲା ଏବଂ ଏହି ପରିସ୍ଥିତି ଆଗାମୀ ନିକଟ ଭବିଷ୍ୟତରେ ବଦଳିବା ପରି ମନେ ହେଉନାହିଁ । ସେ କୁହନ୍ତି, ‘‘ଏହା ହତୋତ୍ସାହଜନକ । ମୋତେ ଲାଗୁଛି ଯେମିତି ମୋ ହାତରୁ ସମୟ ଖସି ଯାଉଛି ।’’

ଏକ ଉଦାଶା ହସ ହସି ସେ ଅପ୍ରିୟ ସମସ୍ୟାଟିକୁ ଦର୍ଶାନ୍ତି: ‘‘ଆପଣ କେମିତି କୁସ୍ତି ଏବଂ ଶାରୀରିକ ଦୂରତା ଏକା ସମୟରେ ରକ୍ଷା କରିପାରିବେ ?’’

ନିଜକୁ ଖୁସି କରିବା ପାଇଁ ଋଷିକେଶ ତାଙ୍କ ସାଙ୍ଗମାନଙ୍କ ସହ ଓସମାନାବାଦ ସହର ବାହାରେ ଥିବା ଏକ କୁସ୍ତି ଏକାଡେମୀ ହଟଲାଇ କୁସ୍ତି ସଙ୍କୁଳରେ ଆଗ୍ରହର ସହ ଟୋକିଓ ୨୦୨୦ ଅଲିମ୍ପିକ୍‌ ଦେଖୁଥିଲେ । ଯେତେବେଳେ ଅଗଷ୍ଟ ୮ରେ ଏହି କ୍ରୀଡ଼ା ଶେଷ ହେଲା, ଭାରତ ଏହାର ସର୍ବକାଳୀନ ସର୍ବୋତ୍ତମ ଅଲିମ୍ପିକ୍‌ ଉପଲବ୍ଧି ସାତୋଟି ପଦକ ଜିତିଥିଲା – ସେଗୁଡ଼ିକ ମଧ୍ୟରୁ ଦୁଇଟି ଥିଲା କୁସ୍ତିରେ ।

ପୁରୁଷ ୫୭ କେଜି ଏବଂ ୬୫ କେଜି ଫ୍ରିଷ୍ଟାଇଲ୍ କୁସ୍ତିରେ ଯଥାକ୍ରମେ ଦହିୟାଙ୍କ ରୌପ୍ୟ ପଦକ ଏବଂ ବଜରଙ୍ଗ ପୁନିଆଙ୍କ ବ୍ରୋଞ୍ଜ୍ ଋଷିକେଶଙ୍କ ପରି ପହିଲମାନମାନଙ୍କୁ ପ୍ରେରଣା ଦେଇଛି ଯେଉଁମାନେ ସାଧାରଣ ପରିବାରରୁ ଆସିଛନ୍ତି । ଦହିୟା, ୨୩ ତାଙ୍କ ବିଜୟ ପରେ ଟୋକିଓରେ ପ୍ରେସ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ ସହ ଆଲୋଚନା ସମୟରେ କହିଥିଲେ ଯେ ସେ ସଫଳ ହୁଅନ୍ତୁ ଏହା ଦେଖିବା ପାଇଁ ତାଙ୍କ ପରିବାର ଅନେକ ତ୍ୟାଗ କରିଛି । ସେ ହରିୟାନାର ନାହାରି ଗ୍ରାମର ଜଣେ ଭାଗଚାଷୀଙ୍କ ପୁଅ । କିନ୍ତୁ ତାଙ୍କ ଗ୍ରାମ ଯାହାକି ତିନି ଜଣ ଅଲିମ୍ପିକ୍‌ ଖେଳାଳି ସୃଷ୍ଟି କରିଛି, ସେଠାରେ ମୌଳିକ ସୁବିଧାର ଅଭାବ ରହିଛି । ସେ କହିଥିଲେ, ‘‘ଏହା ସବୁକିଛି ଆବଶ୍ୟକ କରେ.. ଭଲ ବିଦ୍ୟାଳୟ ଏଥିସହିତ କ୍ରୀଡ଼ା ପାଇଁ ଭଲ ସୁବିଧା ।’’

Left: Rushikesh Ghadge moved from Latur to Osmanabad to train in wrestling. Right: Practice session in the wrestling pit at Hatlai Kusti Sankul in Osmanabad
PHOTO • Parth M.N.
Left: Rushikesh Ghadge moved from Latur to Osmanabad to train in wrestling. Right: Practice session in the wrestling pit at Hatlai Kusti Sankul in Osmanabad
PHOTO • Parth M.N.

ବାମ : ଋଷିକେଶ ଘାଡ୍‌ଗେ କୁସ୍ତିରେ ପ୍ରଶିକ୍ଷଣ ନେବା ପାଇଁ ଲାଟୁରରୁ ଓସମାନାବାଦ ଆସିଥିଲେ । ଡାହାଣ : ଓସମାନାବାଦର ହାଟଲାଇ କୁସ୍ତି ସଙ୍କୁଳରେ କୁସ୍ତି ଆଖଡ଼ାରେ ଅଭ୍ୟାସ

ଋଷିକେଶ ଜାଣନ୍ତି ଦହିୟା କାହା ବିଷୟରେ କହିଛନ୍ତି । ତିନି ବର୍ଷ ତଳେ, ସେ ଲାଟୁର୍‌ର ଟାକା ଗ୍ରାମରୁ କୁସ୍ତି ନିମନ୍ତେ ତାଙ୍କର ଆଗ୍ରହ ପାଇଁ ଘର ଛାଡ଼ିଥିଲେ । ସେ କୁହନ୍ତି, ‘‘ଗାଁରେ କୌଣସି ସୁବିଧା ନାହିଁ, ଓସମାନାବାଦରେ ଭଲ କୋଚ୍‌ ଅଛନ୍ତି, ଏବଂ ଏହା କରିବା ପାଇଁ [ଜଣେ ସଫଳ ପହିଲମାନ ଭାବରେ] ମୋର ଏଠାରେ ଏକ ଭଲ ସୁଯୋଗ ରହିଛି ।’’ ସେ ୬୫ କିଲୋମିଟର ଦୂର ଓସମାନାବାଦକୁ କାହିଁକି ଯାଇଥିଲେ ତାହା ବୁଝାଇବା ପାଇଁ ଏହା କହିଥିଲେ ।

ଘରଠାରୁ ଦୂରକୁ ଯିବାର ନିଷ୍ପତ୍ତି ଋଷିକେଶଙ୍କ ପାଇଁ ସହଜ ନଥିଲା । ସେ କୋଲି ସମୂହରୁ ଆସିଛନ୍ତି । ତାଙ୍କ ବାପାଙ୍କର କର୍ମସଂସ୍ଥାନ ନାହିଁ ଏବଂ ତାଙ୍କ ମାଆ ଏମ୍ବ୍ରୋଡୋରୀ କରି ମାସକୁ ଯେଉଁ ଟ. ୭,୦୦୦- ୮,୦୦୦ ଆୟ କରନ୍ତି ସେଥିରେ ଘର ଚଳାନ୍ତି । ସେ କୁହନ୍ତି, ‘‘ସୌଭାଗ୍ୟବଶତଃ ମୁଁ ଏଠାରେ ଜଣେ କୋଚ୍‌ଙ୍କୁ ପାଇଲି ଯେ ମୋତେ କୁସ୍ତି ଏକାଡେମୀର ହଷ୍ଟେଲ୍‌ରେ ମାଗଣାରେ ରହିବା ପାଇଁ ଦେଲେ । ତେଣୁ ମୋ ମାଆଙ୍କୁ ମୋ ଚଳିବା ପାଇଁ କେବଳ ଅତି ଜରୁରୀ ପରିମାଣର ଅର୍ଥ [ଟ. ୨,୦୦୦- ୩,୦୦୦] ପଠାଇବାକୁ ହେଉଥିଲା । ସବୁକିଛି ଭଲ ଚାଲିଥିଲା ।’’

ତାଙ୍କ କୋଚ୍‌ କିରଣ ଜୱାଲ୍‌ଗେ, ୨୮ କୁହନ୍ତି, ଓସମାନାବାଦକୁ ଆସିବା ପରେ ଋଷିକେଶ କୁସ୍ତି ପ୍ରତି ଖୁବ୍‌ ନିଷ୍ଠା ଏବଂ ନିଜ ଯୋଗ୍ୟତାର ପରିଚୟ ଦେଇଛନ୍ତି । ହଟ୍‌ଲାଇ କୁସ୍ତି ସଙ୍କୁଳ ପରିଚାଳନା କରୁଥିବା ଏହି କୋଚ୍‌ କୁହନ୍ତି, ‘‘ସେ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କର ପରବର୍ତ୍ତୀ ସୋପାନ ଥିଲା ଜାତୀୟ ସ୍ତର । ଯଦି ଆପଣ ଏସବୁ ଟୁର୍ଣ୍ଣାମେଣ୍ଟରେ ଭଲ କରନ୍ତି, ତେବେ ସ୍ପୋର୍ଟସ କୋଟା ଜରିଆରେ ଏକ ସରକାରୀ ଚାକିରି ପାଇବାର ଏକ ସମ୍ଭାବନା ରହିଛି।’’

କିନ୍ତୁ ଏହି ମହାମାରୀ ଜୀବନକୁ ଅଟକାଇ ଦେଇଛି । ଋଷିକେଶଙ୍କ ମାଆ ତାଙ୍କ କାମ ହରାଇଲେ, ଏବଂ କୁସ୍ତି ଟୁର୍ଣ୍ଣାମେଣ୍ଟଗୁଡ଼ିକ ଯାହା ଜରିଆରେ ସେ କିଛି ଅର୍ଥ ଉପାର୍ଜନ କରିପାରିଥାନ୍ତେ-ସେଗୁଡ଼ିକ ମଧ୍ୟ ବନ୍ଦ ହୋଇଗଲା । ଜୱାଲ୍‌ଗେ କୁହନ୍ତି, ‘‘ଅନେକ ପହିଲମାନ ଏହି ମହାମାରୀ ସମୟ ମଧ୍ୟରେ କୁସ୍ତି ଛାଡ଼ିଦେଲେ ଏବଂ ଶ୍ରମିକ କାମ କଲେ । ସେମାନେ ଏହାକୁ [ତାଲିମ] ଆଉ ଆଗକୁ ଜାରି ରଖିବା ପାଇଁ ଖର୍ଚ୍ଚ କରିପାରିବେ ନାହିଁ ।’’

Many students of the wrestling academy have stopped training because they cannot afford the expensive diet anymore
PHOTO • Parth M.N.

ଏହି କୁସ୍ତି ଏକାଡେମୀର ଅନେକ ଛାତ୍ର ତାଲିମ୍‌ ବନ୍ଦ କରିଦେଇଛନ୍ତି କାରଣ ସେମାନେ ଆଉ ବ୍ୟୟବହୁଳ ଭୋଜନର ଖର୍ଚ୍ଚ ବହନ କରିପାରିବେ ନାହିଁ

ଏକ ସ୍ୱାସ୍ଥ୍ୟକର ଭୋଜନ ବଜାୟ ରଖିବା ଜଣେ ପହିଲମାନ ପାଇଁ ଗୁରୁତ୍ୱପୂର୍ଣ୍ଣ – ଏବଂ ଖର୍ଚ୍ଚବହୁଳ ମଧ୍ୟ । ଜୱାଲ୍‌ଗେ କୁହନ୍ତି, ‘‘ଜଣେ ପହିଲମାନ ମାସିକ ହାରାହାରି ପ୍ରାୟ ୪ କେଜି ପେସ୍ତା ବାଦାମ ଖାଆନ୍ତି । ଏଥିସହିତ ସେ ଦୈନିକ ୧.୫ ଲିଟର ଦୁଗ୍ଧ ଏବଂ ଆଠଟି ଅଣ୍ଡା ଆବଶ୍ୟକ କରନ୍ତି । କେବଳ ଏହି ଭୋଜନରେ ମାସିକ ଟ. ୫,୦୦୦ ଖର୍ଚ୍ଚ ହୋଇଥାଏ । ମୋର ଅନେକ ଛାତ୍ର ବର୍ତ୍ତମାନ କୁସ୍ତି ଛାଡ଼ି ଦେଇଛନ୍ତି କାରଣ ସେମାନେ ଏହି ଖାଦ୍ୟର ଖର୍ଚ୍ଚ ଆଉ ବହନ କରିପାରିବେ ନାହିଁ ।’’ ତାଙ୍କ ଏକାଡେମୀରେ ଥିବା ୮୦ ଜଣ ଛାତ୍ରଙ୍କ ମଧ୍ୟରୁ ଏହି କୋଚ୍‌ଙ୍କ ପାଖରେ ବର୍ତ୍ତମାନ ମାତ୍ର ୨୦ ଜଣ ଅଛନ୍ତି।

ଋଷିକେଶ ହେଉଛନ୍ତି ସେହି ଛାତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଯେ କି ଆଶା ହରାଇନାହାନ୍ତି ।

ନିଜ ଖର୍ଚ୍ଚ ତୁଲାଇବା ପାଇଁ ସେ କୁସ୍ତି ଏକାଡେମୀ ନିକଟରେ ଥିବା ଏକ ହ୍ରଦକୁ ମାଛ ଧରିବାକୁ ଯାଆନ୍ତି ଏବଂ ଧରିଥିବା ମାଛକୁ ନିକଟସ୍ଥ ହୋଟେଲଗୁଡ଼ିକରେ ବିକ୍ରି କରନ୍ତି । ସେ କୁହନ୍ତି, ‘‘ମୁଁ ମଧ୍ୟ ଓସମାନାବାଦରେ ଏକ ପୋଷାକ ଫ୍ୟାକ୍ଟ୍ରିରେ ପାର୍ଟ ଟାଇମ୍‌ କାମ କରୁଛି । ମୁଁ ମାସିକ ପ୍ରାୟ ଟ. ୧୦,୦୦୦ ଉପାର୍ଜନ କରେ ।’’ ଏ ମଧ୍ୟରୁ ସେ ଟ. ୫,୦୦୦ ରଖନ୍ତି ଏବଂ ଅବଶିଷ୍ଟ ଘରକୁ ପଠାଇ ଦିଅନ୍ତି । ଋଷିକେଶ ମଧ୍ୟ ଓସମାନାବାଦର ମକାନୀ ଜିଲ୍ଲାରେ ଥିବା ଭାରତ ବିଦ୍ୟାଳୟରେ ବିଏ ଦ୍ୱିତୀୟ ବର୍ଷର ଛାତ୍ର । ସେ ତାଙ୍କ ସାଙ୍ଗଙ୍କ ସ୍ମାର୍ଟ ଫୋନ୍‌ରେ ଅନ୍‌ଲାଇନ୍‌ ଲେକ୍‌ଚରରେ ଯୋଗ ଦେଉଛନ୍ତି କାରଣ ତାଙ୍କର ସ୍ମାର୍ଟଫୋନ୍‌ ନାହିଁ ।

ଋଷିକେଶଙ୍କ ମାଆ ତାଙ୍କ ପୁଅର ସଂଘର୍ଷ ବିଷୟରେ ଜାଣନ୍ତି ନାହିଁ । ଋଷିକେଶ କୁହନ୍ତି, ‘‘ଟୁର୍ଣ୍ଣାମେଣ୍ଟ ହେଉନଥିବାରୁ ମୋ ମାଆ ମୋର ଭବିଷ୍ୟତ ପାଇଁ ଚିନ୍ତାରେ ଅଛନ୍ତି । ମୁଁ ତାଙ୍କୁ ଆଉ ଚିନ୍ତା ଦେବାକୁ ଚାହେଁନି । ମୋ ସ୍ୱପ୍ନକୁ ଜୀବିତ ରଖିବା ପାଇଁ ମୁଁ ସବୁକିଛି କରିବାକୁ ଚାହେଁ । ମୁଁ ପ୍ରତିଦିନ ଅଭ୍ୟାସ କରେ ଯଦ୍ୱାରା ଏହି ମହାମାରୀ ଶେଷ ହେବା ବେଳକୁ ମୋର ଅଭ୍ୟାସ ଛାଡ଼ିଯାଇ ନଥିବ ।’’

Tournaments used to be a good source of income for aspiring wrestlers says Kiran Jawalge (left), who coaches the Hatlai Kusti Sankul students
PHOTO • Parth M.N.
Tournaments used to be a good source of income for aspiring wrestlers says Kiran Jawalge (left), who coaches the Hatlai Kusti Sankul students
PHOTO • Parth M.N.

ହାଟ୍‌ଲାଇ କୁସ୍ତି ସଙ୍କୁଳରେ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେଉଥିବା କିରଣ ଜୱାଲ୍‌ଗେ ( ବାମ ) କୁହନ୍ତି , ଆଶାୟୀ ପହିଲମାନମାନଙ୍କ ନିମନ୍ତେ ଟୁର୍ଣ୍ଣାମେଣ୍ଟଗୁଡ଼ିକ ଉପାର୍ଜନର ଏକ ଭଲ ଉତ୍ସ ହେଉଥିଲା

ଗ୍ରାମୀଣ ମହାରାଷ୍ଟ୍ରର ପହିଲମାନମାନେ ଋଷିକେଶଙ୍କ ଆଗ୍ରହର ପ୍ରତିଫଳନ – ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କୃଷକ ଏବଂ କୃଷି ଶ୍ରମିକମାନଙ୍କର ସନ୍ତାନ । ଏହି କ୍ରୀଡ଼ା ଏହି ରାଜ୍ୟରେ ଲୋକପ୍ରିୟ, ଯେଉଁଠାରେ ହଜାର ହଜାର, ବେଳେ ବେଳେ ଲକ୍ଷ ଲକ୍ଷ କୁସ୍ତି ପଡ଼ିଆରେ କୁସ୍ତି ଯୁଦ୍ଧ ଦେଖିବା ପାଇଁ ଏକାଠି ହୁଅନ୍ତି ।

ଏହି ଆଖଡ଼ାଗୁଡ଼ିକ (ପାରମ୍ପରିକ କୁସ୍ତିଶାଳା) ସାଧାରଣତଃ ପ୍ରତିବର୍ଷ ନଭେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରତି ବୟସ ଗୋଷ୍ଠୀ ନିମନ୍ତେ କୁସ୍ତି ଟୁର୍ଣ୍ଣାମେଣ୍ଟ ଆୟୋଜନ କରନ୍ତି । ଜୱାଲ୍‌ଗେ କୁହନ୍ତି, ‘‘ଯଦି ଆପଣ ଏହି ଛଅ ମାସରେ ଭଲ କରନ୍ତି ତେବେ ଆପଣ ପୁରସ୍କାର ରାଶି ଭାବରେ କେଇ ଲକ୍ଷ ଟଙ୍କା ଉପାର୍ଜନ କରିପାରିବେ । ଏହା ଦାମୀ ଭୋଜନର ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରେ ।’’ କିନ୍ତୁ କୋଭିଡ୍‌-୧୯ ଠାରୁ ପହିଲମାନମାନଙ୍କ ପାଇଁ ଉପାର୍ଜନର ମୁଖ୍ୟ ଉତ୍ସଗୁଡ଼ିକ ଶୁଷ୍କ ହୋଇଯାଇଛି । ଏହି କୋଚ୍‌ କୁହନ୍ତି, ‘‘ସମସ୍ୟା ହେଉଛି, ଆମେ କେବଳ କ୍ରିକେଟ୍‌ ପାଇଁ ଏବଂ କିଛି ପରିମାଣରେ ହକି ପାଇଁ ଚିନ୍ତିତ । କିନ୍ତୁ କୁସ୍ତି ଏବଂ ଖୋ-ଖୋ ପରି ପାରମ୍ପରିକ କ୍ରୀଡ଼ାଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଅଣଦେଖା ହେଉଛି ।’’

ଓସମାନାବାଦ ସହରର ୨୯ ବର୍ଷ ବୟସ୍କ ସାରିକା କାଲେ ଜାତୀୟ ଖୋ-ଖୋ ଟିମ୍‌ ପାଇଁ ଚୟନ ହେବା ପୂର୍ବରୁ ଆନ୍ତଃରାଜ୍ୟ ମ୍ୟାଚ୍‌ଗୁଡ଼ିକ ଖେଳିବା ପାଇଁ ତାଙ୍କୁ ବିନା ରିଜର୍ଭେସନ୍‌ରେ ଟ୍ରେନ୍‌ରେ ଯାତ୍ରା କରିବାକୁ ଏବଂ କମୁନିଟି ହଲ୍‌ରେ ରହିବାକୁ ହେଉଥିଲା । ସେ କୁହନ୍ତି, ‘‘ଆମକୁ ଯାତ୍ରା ସମୟରେ ନିଜ ଖାଦ୍ୟ ନିଜେ ନେବାକୁ ହେଉଥିଲା । ବେଳେ ବେଳେ ଆମକୁ ଟ୍ରେନ୍‌ରେ ଶୌଚାଳୟ ନିକଟରେ ବସିବାକୁ ହେଉଥିଲା କାରଣ ଆମ ପାଖରେ ଟିକେଟ୍ ନଥିଲା ।’’

ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ଖୋ-ଖୋ ପାରମ୍ପରିକ ଭାରତୀୟ କ୍ରୀଡ଼ା ମଧ୍ୟରେ ଲୋକପ୍ରିୟ । ସାରିକା ଆସାମର ଗୌହାଟିରେ ଅନୁଷ୍ଠିତ ହୋଇଥିବା ୨୦୧୬ ଦକ୍ଷିଣ-ଏସୀୟ କ୍ରୀଡ଼ାରେ ଭାରତୀୟ ଖୋ-ଖୋ ଦଳର ଅଧିନାୟିକା ହୋଇଥିଲେ । ୨୦୧୮ରେ ଲଣ୍ଡନରେ ଏକ ଦ୍ୱିପାକ୍ଷୀୟ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ୍ ବିପକ୍ଷରେ ଭାରତୀୟ ଟିମ୍‌ରେ ଖେଳିଥିଲେ । ଅଗଷ୍ଟ ୨୦୨୦ରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ । ସାରିକା କୁହନ୍ତି, ‘‘ଗତ ଦଶକରେ ଅଧିକରୁ ଅଧିକ ଝିଅ ଖୋ-ଖୋ ଖେଳିବା ଆରମ୍ଭ କରିଛନ୍ତି ।’’

Left: Sarika Kale is a former national kho-kho captain and an Arjuna awardee. Right: A taluka sports officer now, Sarika trains and mentors kho-kho players
PHOTO • Parth M.N.
Left: Sarika Kale is a former national kho-kho captain and an Arjuna awardee. Right: A taluka sports officer now, Sarika trains and mentors kho-kho players
PHOTO • Parth M.N.

ବାମ : ସାରିକା କାଲେ ହେଉଛନ୍ତି ଜଣେ ପ୍ରାକ୍ତନ ଜାତୀୟ ଖୋ - ଖୋ ଅଧିନାୟିକା ଏବଂ ଅର୍ଜୁନ ପୁରସ୍କାର ବିଜୟିନୀ । ଡାହାଣ : ବର୍ତ୍ତମାନ ଜଣେ ତାଲୁକା କ୍ରୀଡ଼ା ଅଧିକାରୀ ହୋଇଥିବା ସାରିକା ଖୋ - ଖୋ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି ଏବଂ ସେମାନଙ୍କର ପୃଷ୍ଠପୋଷକତା କରନ୍ତି

ବର୍ତ୍ତମାନ ଓସମାନାବାଦର ତୁଲଜାପୁର ତାଲୁକାରେ ଜଣେ ତାଲୁକା କ୍ରୀଡ଼ା ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ସାରିକା ଯୁବ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଏବଂ ପୃଷ୍ଠପୋଷକତା ପ୍ରଦାନ କରନ୍ତି । କୋଭିଡ୍‌-୧୯ ବ୍ୟାପିବା ପରେ ସେ ଦେଖୁଛନ୍ତି ଖେଳାଳିମାନେ ଧୀରେ ଧୀରେ ତାଲିମ୍‌ ଛାଡ଼ୁଛନ୍ତି । ସେ କୁହନ୍ତି, ‘‘ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଦରିଦ୍ର ପରିବାରରୁ ଆସିଥିବା ଝିଅମାନେ । ଗାଁଗୁଡ଼ିକରେ ଝିଅମାନଙ୍କୁ ଖେଳିବାକୁ ପ୍ରୋତ୍ସାହିତ କରାଯାଏ ନାହିଁ । ଏହି ମହାମାରୀ ସେମାନଙ୍କ ପିଲାମାନଙ୍କୁ କ୍ରୀଡ଼ାରୁ ଦୂରେଇ ନେବା ପାଇଁ ପିତାମାତାଙ୍କୁ ଏକ ବାହାନା ଦେଇଛି ।’’

ସାରିକା କୁହନ୍ତି ମହାମାରୀ ସମୟରେ ପ୍ରଶିକ୍ଷଣ ଛାଡ଼ିବା ଜଣେ ଯୁବ ଖେଳାଳିଙ୍କ ଅଭିବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷତି । ସେ କୁହନ୍ତି, ‘‘ମାର୍ଚ୍ଚ ୨୦୨୦ ପରେ ଅଭ୍ୟାସ ପାଞ୍ଚ ମାସ କିମ୍ବା ଆଉ ଅଧିକ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଯେତେବେଳେ କିଛି ଖେଳାଳି ଫେରିଲେ ସେମାନଙ୍କର ଫିଟ୍‌ନେସ୍‌ ସ୍ତର ତଳକୁ ଖସିଯାଇଥିଲା । ଏହା ପରେ ଯେତେବେଳେ ଆମେ ପୁଣି ପ୍ରଥମରୁ ପ୍ରଶିକ୍ଷଣ ଆରମ୍ଭ କଲୁ, ଦ୍ୱିତୀୟ ଲହରି ଆସିଲା । ଆମେ ପୁଣି କିଛି ମାସ ପାଇଁ ଅଭ୍ୟାସ କରିପାରିଲୁ ନାହିଁ । ଆମେ ଜୁଲାଇ [୨୦୨୧]ରେ ପୁନାରମ୍ଭ କଲୁ । ଅଭ୍ୟାସ ସମୟଗୁଡ଼ିକ ଏପରି ଆରମ୍ଭ ହେବା ଏବଂ ବନ୍ଦ ହେବା ଭଲ ନୁହେଁ ।’’

ବୟସ ଗୋଷ୍ଠୀ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ପ୍ରତିଯୋଗିତା କରୁଥିବା ଖେଳାଳିମାନେ ଯଥେଷ୍ଟ ଅଭ୍ୟାସ ନଥିବା କାରଣରୁ ହାରିବାର ସମ୍ଭାବନା ରହିଛି । ସାରିକା କୁହନ୍ତି, ‘‘ଏକ ୧୪-ବର୍ଷରୁ କମ୍‌ ଖେଳାଳି ଗୋଟିଏ ମ୍ୟାଚ୍‌ ନ ଖେଳି ୧୭-ବର୍ଷରୁ କମ୍‌ ଶ୍ରେଣୀକୁ ଯିବ । ଏଗୁଡ଼ିକ ହେଉଛି ମୂଲ୍ୟବାନ୍ ବର୍ଷ ଯାହା ସେମାନେ ହରାଉଛନ୍ତି । ଜଣେ ଖୋ-ଖୋ ଖେଳାଳିଙ୍କର ପ୍ରଦର୍ଶନ ୨୧ରୁ ୨୫ ମଧ୍ୟରେ ସର୍ବୋଚ୍ଚ ଶିଖରେ ପହଞ୍ଚିଥାଏ, ଏବଂ ସେମାନେ ବୟସ- ଗୋଷ୍ଠୀ ସ୍ତରରେ ସେମାନଙ୍କ ପ୍ରଦର୍ଶନ ଉପରେ ଆଧାର କରି ସର୍ବୋଚ୍ଚ ସ୍ତର [ଜାତୀୟ]କୁ ବଛାଯାଆନ୍ତି ।’’

ଏହି ମହାମାରୀ ଅଧିନରେ ଏକ ଅନିଶ୍ଚିତ ଭବିଷ୍ୟତ ଉଦୀୟମାନ ପ୍ରତିଭାମାନଙ୍କ ସମ୍ଭାବନା ଉପରେ ଏକ କଳା ବାଦଲ ଘୋଡ଼ାଇ ଦେଉଛି, ଗ୍ରାମୀଣ ମହାରାଷ୍ଟ୍ରରେ କ୍ରୀଡ଼ାବିତ୍‌ମାନେ ହାସଲ କରିଥିବା ଅଗ୍ରଗତିକୁ ପଛକୁ ଫେରାଇ ନେଉଛି ।

Promotion of kho-kho in Osmanabad district has brought more players to the sport, but Covid-19 is affecting the progress of recent years
PHOTO • Parth M.N.

ଓସମାନାବାଦ ଜିଲ୍ଲାରେ ଖୋ-ଖୋ ପ୍ରତି ପ୍ରୋତ୍ସାହନ ଏହି କ୍ରୀଡ଼ାକୁ ଅଧିକ ଖେଳାଳି ଆଣିଛି କିନ୍ତୁ କୋଭିଡ୍‌-୧୯ ନିକଟତମ ବର୍ଷଗୁଡ଼ିକରେ ହୋଇଥିବା ଅଗ୍ରଗତିକୁ ପ୍ରଭାବିତ କରୁଛି

ଯେତେବେଳେ ପ୍ରାୟ ଦୁଇ ଦଶକ ତଳେ ସାରିକା ଖୋ-ଖୋ ଖେଳିବା ଆରମ୍ଭ କରିଥିଲେ, ତାଙ୍କୁ ଏହା ତାଙ୍କ ପିତାମାତାଙ୍କଠାରୁ ଲୁଚାଇବାକୁ ହୋଇଥିଲା କାରଣ ସେମାନେ ଏହାକୁ ଅନୁମୋଦନ କରୁନଥିଲେ । ସେ କୁହନ୍ତି, ‘‘ଗ୍ରାମୀଣ ଅଞ୍ଚଳରେ ଖୁବ୍‌ କମ୍‌ ଆନୁଷ୍ଠାନିକ ସହଯୋଗ ରହିଛି ଏବଂ ଭଲ ସୁବିଧା ନାହିଁ । ପରିବାରଗୁଡ଼ିକ ସେମାନଙ୍କ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି – ମୋ ବାପା ମଧ୍ୟ ମୋ ପାଇଁ ତାହା ଚାହୁଁଥିଲେ । ମୁଁ ବଡ଼ ହେଉଥିବା ବେଳେ ଆମ ପରିବାର ପାଇଁ ଖାଇବାକୁ ଯଥେଷ୍ଟ ଖାଦ୍ୟ ମଧ୍ୟ ନଥିଲା ।’’ ତାଙ୍କ ବାପା ଜଣେ କୃଷି ଶ୍ରମିକ ଭାବରେ ଏବଂ ତାଙ୍କ ମାଆ ଜଣେ ଘରୋଇ ସହାୟିକା ଭାବରେ କାର୍ଯ୍ୟ କରୁଥିଲେ ।

ସାରିକା କୁହନ୍ତି, ଗୋଟିଏ କ୍ରୀଡ଼ାକୁ ଗ୍ରହଣ କରିବା ଝିଅମାନଙ୍କ ପାଇଁ ଅଧିକ କଷ୍ଟକର । ସେ କୁହନ୍ତି, ‘‘ଲୋକମାନଙ୍କର ବଦ୍ଧମୂଳ ଧାରଣା ହେଉଛି ଯେ ଗୋଟିଏ ଝିଅ ତା’ ସନ୍ତାନମାନଙ୍କର ଯତ୍ନ ନେବ ଏବଂ ରୋଷେଇ ଘର ଚଳାଇବ । ଝିଅଟିଏ ଛୋଟ ପୋଷାକ ପିନ୍ଧି ଖେଳିବା ଗୋଟିଏ ପରିବାର ଗ୍ରହଣ କରିବା ଖୁବ୍‌ ବଡ଼ କଥା ଥିଲା ।’’ କିନ୍ତୁ ୧୦ ବର୍ଷ ବୟସରେ ସ୍କୁଲ୍‌ରେ ପ୍ରଥମ ଥର ପାଇଁ ଏହି ଖେଳ ଦେଖିବା ପରେ ସାରିକାଙ୍କୁ କିଛି ବି ଖୋ-ଖୋ ଖେଳିବାରୁ ଦୂରେଇ ପାରିନଥିଲା । ସେ କୁହନ୍ତି, ‘‘ମୋର ମନେଅଛି ମୁଁ ଏହା ଦ୍ୱାରା ସମ୍ମୋହିତ ହୋଇଯାଇଥିଲି । ମୁଁ ଜଣେ ଭଲ କୋଚ୍‌ ପାଇଲି ଯେ କି ମୋତେ ସହଯୋଗ ଦେଇଥିଲେ ।’’

ତାଙ୍କ କୋଚ୍‌ ଚନ୍ଦ୍ରଜିତ ଯାଦବ ହେଉଛନ୍ତି ଭାରତୀୟ ଖୋ-ଖୋ ସଂଘର ଯୁଗ୍ମ ସଚିବ । ଓସମାନାବାଦର ବାସିନ୍ଦା ହୋଇଥିବା ଶ୍ରୀ ଯାଦବ ସେଠାରେ ଏହି କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାରେ ଏବଂ ଏହାକୁ ଗୋଟିଏ ଖୋ-ଖୋ ହବ୍‌ରେ ପରିଣତ କରିବାରେ ଏକ ବୃହତ୍‌ ଭୂମିକା ଗ୍ରହଣ କରିଛନ୍ତି । ଓସମାନାବାଦ ସହରରେ ଦୁଇଟି କୋଚିଂ ସେଣ୍ଟର ଅଛି ଏବଂ ଏହି ଜିଲ୍ଲାରେ ପ୍ରାୟ ୧୦୦ଟି ସ୍କୁଲ୍‌ ଏହି କ୍ରୀଡ଼ାକୁ ପ୍ରୋତ୍ସାହିତ କରନ୍ତି । ଯାଦବ କୁହନ୍ତି: ‘‘ଗତ ଦୁଇ ଦଶକରେ ବିଭିନ୍ନ ବୟସ ଗୋଷ୍ଠୀରେ ଓସମାନାବାଦର ୧୦ ଜଣ ଖେଳାଳି ଜାତୀୟ ସ୍ତରରେ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ଜିତିଛନ୍ତି । ଚାରି ଜଣ ମହିଳା ରାଜ୍ୟ ସରକାରଙ୍କ ଶିବ ଛତ୍ରପତି ପୁରସ୍କାର ଜିତିଛନ୍ତି ଏବଂ ମୁଁ ଜଣେ କ୍ରୀଡ଼ା ପ୍ରଶିକ୍ଷକ ଭାବରେ ଏହା ଜିତିଛି । ଆମର ମଧ୍ୟ ଜଣେ ଅର୍ଜୁନ ପୁରସ୍କାର ବିଜେତା ଅଛନ୍ତି ।’’

ଗ୍ରାମମାନଙ୍କରେ ଲୋକମାନେ କିପରି କ୍ରୀଡ଼ାକୁ ସମ୍ମାନ ଦେଉଛନ୍ତି (କ୍ରିକେଟ୍ କିମ୍ବା ହକି ଭିନ୍ନ) ସେହି ଶୈଳୀରେ ଏକ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ସାରିକା ଲକ୍ଷ୍ୟ କରିଛନ୍ତି । ସେ କୁହନ୍ତି, ‘‘ଏବେ କମ୍‌ ଲୋକ ଏହାକୁ ସମୟ ନଷ୍ଟ ଭାବରେ ଚିନ୍ତା କରୁଛନ୍ତି ।’’

Left: Ravi Wasave (in grey t-shirt) from Nandurbar wants to excel in kho-kho. Right: More girls have started playing the sport in the last decade
PHOTO • Parth M.N.
Left: Ravi Wasave (in grey t-shirt) from Nandurbar wants to excel in kho-kho. Right: More girls have started playing the sport in the last decade
PHOTO • Parth M.N.

ବାମ: ନନ୍ଦୁବାରରୁ ଆସିଥିବା ରବି ୱାସାଭେ (ପାଉଁଶିଆ ଟି-ସାର୍ଟରେ) ଖୋ-ଖୋରେ ଭଲ କରିବାକୁ ଚାହାଁନ୍ତି । ଡାହାଣ: ଗତ ଦଶକରେ ଅଧିକ ଝିଅ ଏହି ଖେଳ ଖେଳିବା ଆରମ୍ଭ କରିଛନ୍ତି

୬୦୦ କିଲୋମିଟର ଦୂରରେ ଥିବା ମହାରାଷ୍ଟ୍ରର ଏକ ଆଦିବାସୀବହୁଳ ଜିଲ୍ଲା ନନ୍ଦୁବାର୍‌ରୁ ୧୯ ଜଣ ତରୁଣ ଖୋ-ଖୋ ପ୍ରଶିକ୍ଷଣ ପାଇଁ ଓସମାନାବାଦକୁ ଆସିବାରୁ ଏହି ଅଗ୍ରଗତିର ପ୍ରମାଣ ମିଳୁଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରବି ୱାସାଭେ, ସେ ଭିଲ୍‌ ଆଦିବାସୀ ସମୂହର ଜଣେ ୧୫ ବର୍ଷ ବୟସ୍କ ବାଳକ । ସେ କୁହନ୍ତି, ‘‘ଘରେ କ୍ରୀଡ଼ା ପାଇଁ ପରିବେଶ ଅନୁକୂଳ ନୁହେଁ । ଓସମାନାବାଦ ଅନେକ ଖୋ-ଖୋ ଚାମ୍ପିଆନ୍‌ ସୃଷ୍ଟି କରିଛି । ମୁଁ ସେମାନଙ୍କ ମଧ୍ୟରୁ ଜଣେ ହେବାକୁ ଚାହୁଁଛି ।’’

ଯଦି ଏହି ମହାମାରୀ ଆସିନଥା’ନ୍ତା ତେବେ ୨୦୨୦ରେ ରବି ଜାତୀୟ ସ୍ତରରେ ଖେଳି ପାରିଥାନ୍ତେ ଏ ନେଇ ସାରିକାଙ୍କର କୌଣସି ସନ୍ଦେହ ନାହିଁ । ସେ କୁହନ୍ତି, ‘‘ନିଜକୁ ପ୍ରମାଣ କରିବା ପାଇଁ ମୋ ପାଖରେ ଅଧିକ ସମୟ ନାହିଁ । ମୋ ପିତାମାତାଙ୍କର ପାଞ୍ଚ ଏକର ଚାଷ ଜମି ରହିଛି ଯାହାକି ଅନୁର୍ବର । ସେମାନେ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରି ଜୀବିକା ନିର୍ବାହ କରନ୍ତି । ମୋ ଆଗ୍ରହକୁ ଜାରି ରଖିବା ପାଇଁ ଅନୁମତି ଦେଇ ସେମାନେ ଅନେକ ବିପଦ ସ୍ୱୀକାର କରିଛନ୍ତି ।’’

ଓସମାନାବାଦରେ ଡାଏଟ୍‌ କଲେଜ୍‌ କ୍ଲବ୍‌ରେ ତାଲିମ୍‌ ନେଉଥିବା ରବି କୁହନ୍ତି ଯେ ତାଙ୍କ ପିତାମାତା ତାଙ୍କ ପାଇଁ ସବୁଠାରୁ ଭଲ ଚାହାଁନ୍ତି । କିନ୍ତୁ ସେ ଚିନ୍ତା କରନ୍ତି ଯଦି ଏହି ପରିସ୍ଥିତି ଜାରି ରହେ ତାଙ୍କର ଭବିଷ୍ୟତ କ’ଣ ହେବ । ସେ କୁହନ୍ତି, ‘‘ସେମାନେ ଭାବନ୍ତି ଯଦି ମୁଁ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବି ନାହିଁ ତେବେ ଦୂରରେ ରହିବା ମୂଲ୍ୟହୀନ । ମୋ କୋଚ୍‌ମାନେ ବର୍ତ୍ତମାନ ପାଇଁ ସେମାନଙ୍କୁ ଆଶ୍ୱସ୍ତ କରିଛନ୍ତି । କିନ୍ତୁ ମୁଁ ଜାଣେ ସେମାନେ ବିବ୍ରତ ହୋଇଯିବେ ଯଦି ଟୁର୍ଣ୍ଣାମେଣ୍ଟଗୁଡ଼ିକ ଶୀଘ୍ର ଆରମ୍ଭ ନ ହୁଏ । ମୁଁ ଖୋ-ଖୋରେ ଭଲ କରିବାକୁ, ଏମ୍‌ପିଏସ୍‌ସି [ରାଜ୍ୟ ପ୍ରଶାସନିକ ସେବା] ପରୀକ୍ଷା ଦେବାକୁ ଏବଂ କ୍ରୀଡ଼ା କୋଟାରେ ଏକ ଚାକିରି ପାଇବାକୁ ଚାହେଁ ।’’

ରବି ସାରିକାଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହାଁନ୍ତି, ଯେ କି ସାରା ଗ୍ରାମୀଣ ମହାରାଷ୍ଟ୍ରର ଯୁବ ଖୋ-ଖୋ ଖେଳାଳିମାନଙ୍କ ପାଇଁ ଜଣେ ଆଦର୍ଶ । ସେ ଖୋ-ଖୋ ଖେଳାଳିମାନଙ୍କର ଏକ ପିଢ଼ିକୁ ଅନୁପ୍ରେରିତ କରିଛନ୍ତି ଏ ସମ୍ପର୍କରେ ସଚେତନ ଥିବା ସାରିକା କ୍ରୀଡ଼ା ଉପରେ ଏହି ମହାମାରୀ ପ୍ରଭାବକୁ ନେଇ ଭୟ କରନ୍ତି । ସେ କୁହନ୍ତି, ‘‘ଅଧିକାଂଶ ପିଲାମାନଙ୍କର ମହାମାରୀ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାର ସୁବିଧା ନାହିଁ । ତେଣୁ ମୁଁ ଆର୍ଥିକ ଦୁର୍ବଳ ଶ୍ରେଣୀର ପ୍ରତିଭାବାନ୍‌ ପିଲାମାନଙ୍କୁ ଆର୍ଥିକ ସହାୟତା ଦିଏ ଏହି ଆଶାରେ ଯେ ଏହା ସେମାନଙ୍କୁ ଏହି କ୍ରୀଡ଼ାରେ ରହିବାକୁ ସାହାଯ୍ୟ କରିବ ।’’

ଏହି କାହାଣୀ ଏହି ସମ୍ବାଦଦାତାଙ୍କ ନିମନ୍ତେ ଏକ ଏକ ସ୍ୱାଧୀନ ସାମ୍ବାଦିକତା ଜରିଆରେ ପୁଲିଜର ସେଣ୍ଟର ଦ୍ୱାରା ସମର୍ଥିତ ଏକ ସିରିଜ୍‌ର ଅଂଶ ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

پارتھ ایم این ۲۰۱۷ کے پاری فیلو اور ایک آزاد صحافی ہیں جو مختلف نیوز ویب سائٹس کے لیے رپورٹنگ کرتے ہیں۔ انہیں کرکٹ اور سفر کرنا پسند ہے۔

کے ذریعہ دیگر اسٹوریز Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE