“ଏ ହେଉଛି ସେହି ସ୍କୁଲ,” ମହାରାଷ୍ଟ୍ରର ଗୁଣ୍ଡେଗାଓଁ ଗାଁର ଏକ ଖାଲି ପଡ଼ିଆ ମଝିରେ ଠିଆ ହୋଇ ଗୋଟିଏ ଦୁଇ ବଖୁରିଆ କଂକ୍ରିଟ ଘର ଆଡ଼କୁ ଏକନିଷ୍ଠ ଭାବରେ ନିଜର ଆଙ୍ଗୁଠି ଦେଖାନ୍ତି ଅତୁଲ ଭୋସଲେ । ଗାଁକୁ ଯିବା ରାସ୍ତାରେ, ଯେମିତି ହେଲେ ଏହା ଉପରେ ଆପଣଙ୍କ ନଜର ପଡ଼ିବ, ଏବଂ ଏହି ରାସ୍ତା ଦେଇ ଆଗକୁ ଗଲେ ଶେଷରେ ଆପଣ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଅବସ୍ଥିତ ଏକ ପାର୍ଦ୍ଧି ବସତିରେ ପହଞ୍ଚିବେ ।

ସ୍କୁଲ କହିଲେ ଯାହା ଆପଣଙ୍କ ନଜରରେ ପଡ଼ିବ ତାହା ହେଲା, ଫିକା ହଳଦିଆ ରଙ୍ଗର କଂକ୍ରିଟ୍ ଢାଞ୍ଚାରେ ନୀଳ ରଙ୍ଗର ଝରକା, କେତେକ ରଙ୍ଗବେରଙ୍ଗ କାର୍ଟୁନ ଏବଂ କେତେଜଣ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ମୁହଁର ଧାଡ଼ିଏ ରଙ୍ଗିନ ଚିତ୍ରରେ ସଜ୍ଜିତ କାନ୍ଥ । ଏଠାକାର ୨୦ଟି ପାର୍ଦ୍ଧି ପରିବାରର ଘର ବୋଲି କୁହାଯାଉଥିବା କେତେକ ଅସ୍ଥାୟୀ କୁଡ଼ିଆ ଏବଂ କେରପାଲ ଛାତ ତଳର ମାଟିଘର ତୁଳନାରେ ଅଧିକ ସ୍ପଷ୍ଟ ଭାବରେ ବାରି ହୋଇପଡ଼େ ଏହି ସ୍କୁଲ ଘର।

ଆତା ଆମଚ୍ୟାକଡ଼େ ବିକାଶ ମାଞ୍ଜେ ନି ଶାଳାଚ ଆହେ, ବିକାଶଚି ନିଶାନି (ଏଠାରେ ଆମ ପାଇଁ ବିକାଶ ନାଁରେ କେବଳ ଏହି ସ୍କୁଲଟି ଯାହା ରହିଛି),” ଅହମଦନଗର ଜିଲ୍ଲାର ନଗର ତାଲୁକା ଅନ୍ତର୍ଗତ ପୌଟକାବସ୍ତି ନାଁରେ ପରିଚିତ ଏହି ପଲ୍ଲୀ ସଂପର୍କରେ କହନ୍ତି ୪୬ ବର୍ଷୀୟ ଅତୁଲ ଭୋସଲେ।

ଦୁସରା କାୟ ନୈ, ବସ୍ତିତ ୟାଲା ରାସ୍ତା ନାୟ, ପାନି ନାୟ, ଲାଇଟ ନାୟ କାୟ, ପକ୍କି ଘର ନାୟ (ଏଠି କିଛି ନାହିଁ, ରାସ୍ତା ନାହିଁ, ପାଣି ନାହିଁ, ଆଲୁଅ ନାହିଁ, ପକ୍କା ଘର ନାହିଁ) । ପାଖରେ ସ୍କୁଲଟିଏ ଅଛି ତ ଆମ ପିଲାମାନେ ଅତି କମ୍‌ରେ ଲେଖିପଢ଼ି ଶିଖିପାରୁଛନ୍ତି,” ସେ କହନ୍ତି । ଶିକ୍ଷାଲାଭର ଏହି କ୍ଷୁଦ୍ର ସ୍ଥାନଟିକୁ ନେଇ ଗର୍ବ କରନ୍ତି ଅତୁଲ । ଏହା ସେହି ସ୍ଥାନ, ଯେଉଁଠି, ଅନ୍ୟ ୧୬ ଜଣ ପିଲା- ସାତ ଜଣ ଝିଅ ଓ ନଅ ଜଣ ପୁଅଙ୍କ ସହିତ ପାଠ ପଢ଼ନ୍ତି ତାଙ୍କର ଦୁଇ ପୁଅଝିଅ ସାହିଲ ଓ ଶବନମ।

ଏହା ହେଉଛି ସେହି ସ୍କୁଲ, ଯାହାକୁ ଅନ୍ୟତ୍ର ଉଠାଇ ନେଇ ଅନ୍ୟ କୌଣସି ସ୍କୁଲ ସହିତ ମିଶାଇ ଦେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏବଂ ଏହା ହିଁ ଏଠାକାର, ଦାରିଦ୍ର୍ୟ ସୀମାରେଖାର ବହୁ ତଳେ ରହିଥିବା ଏହି ସଂପ୍ରଦାୟ ପାଇଁ ଖୁବ୍ ଯନ୍ତ୍ରଣାଦାୟକ । ଯାଯାବର ଭଳି ଜୀବନଯାପନ କରୁଥିବା ଏବଂ ବିମୁକ୍ତ ଜନଜାତି ରୂପେ ଘୋଷିତ ପାର୍ଦ୍ଧିମାନେ ମହାରାଷ୍ଟ୍ରରେ ଏକ ଅନୁସୂଚିତ ଜନଜାତି ରୂପେ ତାଲିକାଭୁକ୍ତ ।

ଦେଢ଼ ଶତାବ୍ଦୀ ଧରି ଅତ୍ୟଧିକ ଭେଦଭାବ ଓ ଅବହେଳାର ଶିକାର ହୋଇ ଆସିଛନ୍ତି ଏହି ଜନଜାତି ସଂପ୍ରଦାୟ । ୧୮୭୧ ମସିହାରେ ବ୍ରିଟିଶ ରାଜ୍ ଏକ ‘ଅପରାଧୀ ଜନଜାତି ଆଇନ’ (ସିଟିଏ) ପ୍ରଚଳନ କରିଥିଲେ । ପ୍ରାୟ ୨୦୦ ଅଦିବାସୀ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ବର୍ଗଙ୍କୁ ଅବଦମିତ କରି ରଖିବା ଉଦ୍ଦେଶ୍ୟରେ ଏହି ଆଇନ କାର୍ଯ୍ୟକାରୀ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୋଷ୍ଠୀ ବ୍ରିଟିଶ ଏକାଧିପତ୍ୟକୁ ସ୍ୱୀକାର କରିବାକୁ ଅନିଚ୍ଛୁକ ଥିଲେ । ପାର୍ଦ୍ଧିମାନଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଇଥିଲା। ଯେଉଁ ମୂଳ ଧାରଣା ଭିତ୍ତିରେ ଏହି ଆଇନ ତିଆରି ହୋଇଥିଲା ତାହା ହେଲା ଯେ, ଏହି ତାଲିକାରେ ଥିବା ଯେ କୌଣସି ଗୋଷ୍ଠୀରେ ଜନ୍ମିତ ଯେ କୌଣସି ବ୍ୟକ୍ତି ଜନ୍ମଗତ ଭାବରେ ଜଣେ ଅପରାଧୀ । ସ୍ୱାଧୀନ ଭାରତରେ, ୧୯୫୨ ମସିହାରେ ଏହି ଅପରାଧୀ ଜନଜାତି ଆଇନକୁ ଉଚ୍ଛେଦ କରାଯିବା ସହିତ ପୀଡ଼ିତ ସଂପ୍ରଦାୟମାନଙ୍କୁ ବିମୁକ୍ତ ଘୋଷଣା କରାଯାଇଥିଲା । କିନ୍ତୁ ଏହି ଆଇନରୁ ଉତ୍ପନ୍ନ ସାମାଜିକ କଳଙ୍କର ଅନ୍ତ ଘଟି ନଥିଲା । ପାର୍ଦ୍ଧିମାନଙ୍କ ପାଇଁ ସ୍ଥାୟୀ ଚାକିରିଟିଏ ପାଇବା ପ୍ରାୟତଃ ଅସମ୍ଭବ କଥା । ନିୟମିତ ସ୍କୁଲ ଯିବାକୁ ଉଦ୍ୟମ କରୁଥିବା ସେମାନଙ୍କ ପିଲାମାନଙ୍କୁ ଧମକଚମକ ଦିଆଯିବା ସହିତ ଅନେକ ସମୟରେ ମାଡ଼ ମରାଯାଏ ।

PHOTO • Jyoti
PHOTO • Jyoti

ବାମ: ଅହମଦନଗରର ନଗର ତାଲୁକା ଅନ୍ତର୍ଗତ ପୌଟକାବସ୍ତି ପଲ୍ଲୀରେ ସେମାନଙ୍କ ଘର ଆଗରେ ଅତୁଲ ଓ ରୂପାଲି ଭୋସଲେ ଏବଂ ସେମାନଙ୍କର ଦୁଇ ପିଲା ସାହିଲ ଓ ଶବନମ । ଡାହାଣ: ସାହିଲ ଓ ଶବନମ ପଢୁଥିବା ପ୍ରାଥମିକ ଜିଲ୍ଲା ପରିଷଦ ସ୍କୁଲ । ‘’ଆତା ଆମଚ୍ୟାକଡ଼େ ବିକାଶ ମାଞ୍ଜେ ନି ଶାଳାଚ ଆହେ, ବିକାଶଚି ନିଶାନି (ଏଠାରେ ଆମ ପାଇଁ ବିକାଶ ନାଁରେ କେବଳ ଏହି ସ୍କୁଲଟି ଯାହା ରହିଛି),’ ଅତୁଲ କହନ୍ତି

ଏହି ନିଷ୍ପେଷିତ ସଂପ୍ରଦାୟ ଲାଗି ସେହି ସ୍କୁଲଟି କେବଳ ସେମାନଙ୍କ ବସ୍ତିର ଏକମାତ୍ର ପକ୍କା ଘର ବ୍ୟତୀତ ଆହୁରି ଅନେକ କିଛିର ପ୍ରତିନିଧିତ୍ୱ କରେ । ଏହା ସେମାନଙ୍କ ଅଧିକାରଭୁକ୍ତ ଏକ ମାନବୀୟ ବିକାଶର ପ୍ରତୀକ – ସରକାରୀ ଉନ୍ନୟନର ସଂକେତ ମାତ୍ର ନୁହେଁ । ସମ୍ଭବତଃ, ସେମାନଙ୍କ ପିଲାମାନଙ୍କୁ ଏକ ମର୍ଯ୍ୟାଦାସଂପନ୍ନ କର୍ମସଂସ୍ଥାନ ଯୋଗାଇବାର ଏକ ଉପାୟ । କେବଳ ଶିକ୍ଷାର ‘ମୂଳସ୍ରୋତ’ଠାରୁ ଏତେ ଦୀର୍ଘ ସମୟ ଧରି ନିର୍ଦ୍ଦୟ ଭାବରେ ଅଲଗା କରି ରଖାଯାଇଥିବା ଏକ ସାମାଜିକ ଗୋଷ୍ଠୀ ହିଁ ଏହି ସ୍କୁଲକୁ ହରାଇବାର ଆଶଙ୍କାକୁ ସଂପୂର୍ଣ୍ଣ ଭାବରେ ଅନୁଭବ କରିପାରିବ ।

“ମୋ ପିଲାମାନେ ଭଲ ଭାବରେ ମରାଠୀ କହିପାରନ୍ତି । ସେମାନେ ପଢ଼ିପାରନ୍ତି । ଆମେ ପାରୁନାହିଁ,” ଅତୁଲଙ୍କ ସ୍ତ୍ରୀ, ୪୧ ବର୍ଷୀୟା ରୂପାଲି ଭୋସଲେ କହନ୍ତି । “କିନ୍ତୁ ମୁଁ (ଶିକ୍ଷକମାନଙ୍କ ପାଖରୁ) ଶୁଣିଛି ଯେ, ସରକାର ଏହି ସ୍କୁଲକୁ ଏଠାରୁ ଉଠାଇ ନେବେ,” ସେ କହନ୍ତି ।

ସମଭାବରେ ଅବିଶ୍ୱାସ ଏବଂ ଉଦବେଗରେ ଭରି ଉଠେ ଅତୁଲଙ୍କ କଣ୍ଠସ୍ୱର। “ସତରେ ସେମାନେ କ’ଣ ସେମିତି କରିବେ?” ସେ ପଚାରନ୍ତି ।

ଦୁଃଖର କଥା ଯେ, ସେମାନେ ପ୍ରକୃତରେ ତାହା କରିବେ । ମହାରାଷ୍ଟ୍ର ସରକାର ଯଦି ସେମାନଙ୍କ ବର୍ତ୍ତମାନର ଯୋଜନାକୁ କାର୍ଯ୍ୟକାରୀ କରନ୍ତି, ତେବେ କେବଳ ପୌଟକାବସ୍ତି ନୁହେଁ, ବରଂ ରାଜ୍ୟର ୧୪,୦୦୦ରୁ ଅଧିକ ସ୍କୁଲ ହୁଏତ ବନ୍ଦ ହୋଇଯିବ, ନହେଲେ ଅନ୍ୟତ୍ର ସ୍ଥାନାନ୍ତରିତ ହେବ କିମ୍ବା ଅନ୍ୟ କୌଣସି ସ୍କୁଲ ସହ ମିଶିଯିବ ।

*****

ଏବେ ବି ପଢ଼ିହୁଏ ଏହି ପବିତ୍ର ଶିକ୍ଷାନୁଷ୍ଠାନର ସାମନା ପଟ କାନ୍ଥରେ ମରାଠୀ ଭାଷାରେ ଲାଲ୍ ରଙ୍ଗର ଲେଖା – ପୌଟକାବସ୍ତି ଗୁଣ୍ଡେଗାଓଁ ପ୍ରାଇମେରୀ ଜିଲ୍ଲା ପରିଷଦ ସ୍କୁଲ। ଏମିତି କି ୧୭ ବର୍ଷ ପରେ ବି । ଭାରତ ସରକାରଙ୍କ ଏକ ପ୍ରମୁଖ ଶିକ୍ଷା ଯୋଜନା- ସର୍ବଶିକ୍ଷା ଅଭିଯାନ ଅଧୀନରେ, ୨୦୦୭ରେ ଏହି ସ୍କୁଲ ନିର୍ମାଣ କରାଯାଇଥିଲା ଏବଂ ଏଥିରେ ଏହି ଜନବସତିର ପିଲାମାନଙ୍କୁ ୧ମରୁ ୪ର୍ଥ ଶ୍ରେଣୀ ଯାଏଁ ପ୍ରାଥମିକ ଶିକ୍ଷାଦାନ କରାଯାଇ ଆସୁଛି । ସ୍କୁଲ କାନ୍ଥରେ ଏବେ ବି ରହିଥିବା ରଙ୍ଗିନ ଲେଖା ଅନୁସାରେ, ସେତେବେଳର ମୂଳ ଉଦ୍ଦେଶ୍ୟ ଥିଲା: ପ୍ରତ୍ୟେକ ମୂଲ ଶାୟିତ ଏୟିଲ, ଏକହି ମୂଲ ଘରି ନା ରହିଲ (ପ୍ରତ୍ୟେକ ପିଲା ସ୍କୁଲ ଯିବେ, କେହି ଜଣେ ହେଲେ ଘରେ ରହିବେ ନାହିଁ)।

ସେ ସମୟରେ ଏହା ଏକ ମହାନ ଉଦ୍ଦେଶ୍ୟ ମନେହେଉଥିଲା ।

କିନ୍ତୁ ନିକଟରେ, ୨୦୨୩ ସେପଟେମ୍ବର ୨୧ ତାରିଖରେ ପ୍ରକାଶିତ ଏକ ସରକାରୀ ପରିପତ୍ରରେ , ଉଲ୍ଲେଖ କରାଯାଇଛି ଯେ, ଗୁଣାତ୍ମକ ଶିକ୍ଷାଦାନର ଲକ୍ଷ୍ୟ ହାସଲ ପାଇଁ, ‘ସାମଗ୍ରିକ ବିକାଶ ଏବଂ ପିଲାମାନଙ୍କୁ ପର୍ଯ୍ୟାପ୍ତ ଶିକ୍ଷାଲାଭ ସୁବିଧା ଲାଗି ବ୍ୟବସ୍ଥା ପ୍ରଦାନ’ ନିମନ୍ତେ କେତେକ ଅଞ୍ଚଳରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକୁ ଅପେକ୍ଷାକୃତ ବଡ଼ ‘କ୍ଲଷ୍ଟର ସ୍କୁଲ’ ବା ସମୂହ ଶାଳା ରେ ମିଶାଇ ଦିଆଯିବ । ଛୋଟ ଛୋଟ ଶାଳା ଗୁଡ଼ିକୁ ଏକାଠି କରି ଗୋଟିଏ କ୍ଲଷ୍ଟର ସ୍କୁଲରେ ସ୍ଥାନିତ କରିବାର ଏହି ପ୍ରକ୍ରିୟାକୁ ଜାତୀୟ ଶିକ୍ଷା ନୀତି ୨୦୨୦ର ଧାରା ୭ ଅନୁସାରେ କାର୍ଯ୍ୟକାରୀ କରାଯିବ ।

PHOTO • Jyoti
PHOTO • Jyoti

ସ୍କୁଲର ଶ୍ରେଣୀଗୃହ କାନ୍ଥରେ ଗୋଟିଏ ଧାଡ଼ିରେ ଅଙ୍କିତ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମୁହଁ (ବାମ) ।  ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ୨୦୦୭ରେ ନିର୍ମିତ ଏହି ସ୍କୁଲ କାନ୍ଥରେ ଲେଖା ହୋଇଥିବା ସ୍ଲୋଗାନ (ଡାହାଣ) ‘ପ୍ରତ୍ୟେକ ମୂଲ ଶାଲେତ ଜାୟିଲ,. ଏକହି ମୂଲ ଘରି ନା ରହିଲ’ (ପ୍ରତ୍ୟେକ ପିଲା ସ୍କୁଲ ଯିବେ, କେହି ଜଣେ ହେଲେ ଘରେ ରହିବେନି)

ସ୍କୁଲରେ ଥିବା ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦାଖଲ କରିବାକୁ ପୌଟକାବସ୍ତି ଗୁଣ୍ଡେଗାଓଁ ଜିଲ୍ଲା ପରିଷଦ ସ୍କୁଲର ଅଧ୍ୟକ୍ଷ କୁଶଲକର ଗଙ୍ଗାରାମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ୱାରା ଏହି ସ୍କୁଲକୁ ଏକ କ୍ଲଷ୍ଟର ସ୍କୁଲରେ ମିଶାଇବାର ସମ୍ଭାବନା ଆକଳନ କରାଯାଇପାରିବ । ଏବଂ ସେ ମଧ୍ୟ ଉତ୍କଣ୍ଠିତ । “ପିଲାମାନେ ଭଲ ପଢୁଛନ୍ତି । ସଂଖ୍ୟା, ଇଂଲିଶ-ମରାଠୀ ବର୍ଣ୍ଣମାଳା, ଗୀତ । ସେମାନେ ପଢ଼ିପାରନ୍ତି ।

“ଆମ ସ୍କୁଲରେ ଶୌଚାଳୟ ନାହିଁ, ପିଇବା ପାଣି ପାଇଁ କଳ ବି ନାହିଁ.” ଯାଚନାଭରା କଣ୍ଠରେ ସେ କହି ଚାଲନ୍ତି । “କିନ୍ତୁ ପୂରା ନୂଆ ଏବଂ ବଡ଼ କୋଠାଟିଏ ତିଆରି କରିବା ତୁଳନାରେ ଏସବୁରେ କମ୍ ପାଣ୍ଠି ଖର୍ଚ୍ଚ ହେବ । ଏଠାକାର ମାନେମାଲା ବସ୍ତି ସ୍କୁଲ ସହିତ ଆଉ କେତେକ ସ୍କୁଲରେ ବି ୨୦ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି । ଏ ସବୁ ସ୍କୁଲକୁ ମିଶାଇ ଏକାଠି କରିବା ସମ୍ଭବପର ନୁହେଁ । ଏ ସ୍କୁଲ ଏଠାରେ ହିଁ ରହିବା ଦରକାର, ପିଲାମାନଙ୍କ ପାଖରେ,” ସେ କହନ୍ତି ଏବଂ ତାଙ୍କ ଚିନ୍ତାଧାରା ଭଳି ସ୍ପଷ୍ଟ ହୋଇଉଠେ ତାଙ୍କ କଣ୍ଠସ୍ୱର ।

“ଏହି ପିଲାଙ୍କ ମନରେ ପାଠପଢ଼ା ଅଭ୍ୟାସକୁ ସ୍ଥାନିତ କରାଇବା ଦିଗରେ ଆମ ଶିକ୍ଷକମାନେ କଠିନ ପରିଶ୍ରମ କରିଛନ୍ତି,” ଗଙ୍ଗାରାମ କହନ୍ତି । “ଯଦି ଗୁଣ୍ଡେଗାଓଁ ଜିଲ୍ଲା ପରିଷଦ ସ୍କୁଲକୁ ପାଦଚଲା ଦୂରତା ବାହାରକୁ ଉଠାଇ ନିଆଯାଏ, ତେବେ ଏହି ପିଲାମାନେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେବ,” ସେ କହନ୍ତି ।

ସରକାରୀ ଆଦେଶପତ୍ରରେ ଉଲ୍ଲେଖ ରହିଛି ଯେ, ନୂତନ କ୍ଲଷ୍ଟର ସ୍କୁଲ “ବସ୍ ଯୋଗେ ୪୦ ମିନିଟରୁ କମ୍‌ ସମୟ ଲାଗୁଥିବା ଦୂରତା”ରେ ରହିବ ଏବଂ ପିଲାମାନଙ୍କୁ ସରକାର ଏବଂ ବଡ଼ ବଡ଼ କମ୍ପାନୀର ସାମାଜିକ ଦାୟିତ୍ୱ ବା ସିଏସଆର (କର୍ପୋରେଟ ସୋସିଆଲ ରେସପନସବିଲିଟି) ପାଣ୍ଠିରୁ ମାଗଣାରେ ବସ୍ ଯାତ୍ରା ସୁବିଧା ପ୍ରଦାନ କରାଯିବ । “ଏହି ଆଦେଶପତ୍ରରେ ଦୂରତା ସଂପର୍କରେ କୌଣସି ସ୍ପଷ୍ଟତା ନାହିଁ । ୪୦ ମିନିଟର ଅର୍ଥ କ’ଣ; ଠିକ୍ କେତେ ଦୂରରେ ? ନିଶ୍ଚିତ ଭାବରେ ଏହା ଏକ କିଲୋମିଟରରୁ ଅଧିକ ହେବ,” କୁଶଲକର କହନ୍ତି । ମାଗଣା ବସ୍ ସେବା ସଂପର୍କିତ ପ୍ରତିଶ୍ରୁତି ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରିଲା ଭଳି ଲାଗେନାହିଁ ।

“ହାଇସ୍କୁଲ ଏହି ବସତିରୁ ଚାରି କିଲୋମିଟର ଦୂର । ନିର୍ଜନ ରାସ୍ତା ଦେଇ ପିଲାମାନେ ଏହି ରାସ୍ତାରେ ଯାଆନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ, ବିଶେଷତଃ ଝିଅମାନେ, ଅଧାରୁ ସ୍କୁଲ ଛାଡ଼ି ଦିଅନ୍ତି । କାରଣ ଏହି ରାସ୍ତା ନିରାପଦ ନୁହେଁ । କେଉଁଠି ରହିଛି ମାଗଣା ବସ୍ ଯାତ୍ରା?” ଗଙ୍ଗାରାମ ପଚାରନ୍ତି । ଗତ ବର୍ଷ ସାତ କି ଆଠ ଜଣ ଛାତ୍ରଛାତ୍ରୀ ୪ର୍ଥ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିଦେଲେ, ସେ କହନ୍ତି । ଏବେ ସେମାନେ ସେମାନଙ୍କ ବାପାମାଆଙ୍କ ସହିତ କାମ କରିବାକୁ ଯାଆନ୍ତି ।

ହୁଏତ ଆପଣ ଭାବିବେ ଯେ ଏ କ୍ଷେତ୍ରରେ ସାଧାରଣ ପରିବହନ ବ୍ୟବସ୍ଥାର ଅଭାବ ଏବଂ ଘର ଓ ସ୍କୁଲ ଭିତରେ ଥିବା ଦୂରତା ହିଁ ବଡ଼ ସମସ୍ୟା, କିନ୍ତୁ କେବଳ ସେତିକି ନୁହେଁ, ଆହୁରି ଅନେକ ସମସ୍ୟା ରହିଛି । ଏଥିରେ ସାମିଲ ଅନ୍ୟ ସମସ୍ୟା ହେଲା, ଏହି ପିଲାମାନଙ୍କ ବାପାମାଆମାନେ କାମ କରିବାକୁ ଯିବା ଦରକାର ଏବଂ କାମ ଖୋଜିବା ପାଇଁ ସେମାନେ ବାହାର ରାଜ୍ୟକୁ ବି ଯାଆନ୍ତି । ବର୍ଷା ଋତୁରେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଖପାଖରେ, ଏବଂ ବେଳେବେଳେ ଏତେଟା ପାଖରେ ନଥିବା ଚାଷଜମିରେ କୃଷି ଶ୍ରମିକ ଭାବରେ କାମ କରନ୍ତି । ବର୍ଷର ଅବଶିଷ୍ଟ ସମୟରେ, ସେମାନେ ଏଠାରୁ ୩୪ କିଲୋମିଟର ଦୂର ଅହମଦନଗର ସହରର ବିଭିନ୍ନ କୋଠାବାଡ଼ି ନିର୍ମାଣସ୍ଥଳୀରେ କାମ ଖୋଜନ୍ତି ।

“ଏଠାରେ ରାଜ୍ୟ ପରିବହନ ବିଭାଗର ବସ୍ କିମ୍ବା ଭାଗୁଆଳି ଭଡ଼ାରେ ଯିବା ଲାଗି ଜୀପ୍ ନାହିଁ । କାମକୁ ଯିବା ପାଇଁ ଗାଡ଼ିଟିଏ ପାଇବା ଲାଗି ଆମକୁ ୮-୯ କିଲୋମିଟର ବାଟ ପାଦରେ ଚାଲି ଚାଲି ମୁଖ୍ୟ ରାସ୍ତା ଯାଏଁ ଯିବାକୁ ପଡ଼େ,” ଅତୁଲ କହନ୍ତି । ‘ଠିକ୍ ସମୟରେ, ସକାଳ ୬ଟା କି ୭ଟା ସୁଦ୍ଧା ଆମକୁ ସେହି ଶ୍ରମିକ ନାକା ରେ ପହଞ୍ଚିବାକୁ ପଡ଼ିବ । ଆମ ପିଲାମାନଙ୍କୁ ଦୂରରେ ଥିବା ସ୍କୁଲକୁ ଯିବାକୁ ପଡ଼ିଲେ ଆମ ପାଇଁ ଏହା କଷ୍ଟକର ହୋଇପଡ଼ିବ,” ରୂପାଲି କହନ୍ତି । “ବର୍ଷ ସାରା, ପ୍ରତିଦିନ ଆମକୁ କାମ ଖୋଜିବାକୁ ପଡ଼େ ।” ଉଭୟ ରୂପାଲି ଓ ଅତୁଲ ମିଶି ଦିନକୁ ୪୦୦-୪୫୦ ଟଙ୍କାରୁ ଅଧିକ ରୋଜଗାର କରନ୍ତି ନାହିଁ ଏବଂ ତାହା ବି ପ୍ରାୟ ୧୫୦ ଦିନ ପାଇଁ । ତେଣୁ ପରିବାର ଚଳାଇବା ଲାଗି ବର୍ଷର ଅବଶିଷ୍ଟ ସମୟରେ ଯେତେବେଳେ ବି ସମ୍ଭବ ଅଧିକରୁ ଅଧିକ କାମ ଖୋଜିବା ସେମାନଙ୍କ ପାଇଁ ନିହାତି ଆବଶ୍ୟକ ହୁଏ ।

PHOTO • Jyoti
PHOTO • Jyoti

ପୌଟକାବସ୍ତିର ଅସ୍ଥାୟୀ କୁଡ଼ିଆ ଏବଂ ତାରପୁଲିନ ଛାତ ତଳ ମାଟିଘରେ ରହନ୍ତି ୨୦ଟି ପାର୍ଦ୍ଧି ପରିବର । ଏହି ନିଷ୍ପେଷିତ ସଂପ୍ରଦାୟ ଲାଗି ଜିଲ୍ଲା ପରିଷଦ ସ୍କୁଲଟି କେବଳ ସେମାନଙ୍କ ବସ୍ତିର ଏକମାତ୍ର ପକ୍କା ଘରଠାରୁ ଆହୁରି ଅନେକ କିଛିର ପ୍ରତିନିଧିତ୍ୱ କରେ । ଏହା ସେମାନଙ୍କ ଅଧିକାରଭୁକ୍ତ ଏକ ମାନବୀୟ ବିକାଶର ପ୍ରତୀକ – ସରକାରୀ ବିକାଶର ସଂକେତ ମାତ୍ର ନୁହେଁ

ଜାତୀୟ ଶିକ୍ଷା ନୀତି ୨୦୨୦ ର ଦସ୍ତାବିଜ ଅନୁସାରେ ଛୋଟ ଛୋଟ ସ୍କୁଲ ପରିଚାଳନା କରିବା ସରକାରଙ୍କ ପକ୍ଷରେ କଷ୍ଟକର କାମ । ଏଥିରେ କୁହାଯାଇଛି ଯେ, ଆକାର କାରଣରୁ “ଶିକ୍ଷକ ନିୟୋଜନ ଏବଂ ଗୁରୁତ୍ୱପୂର୍ଣ୍ଣ ବସ୍ତୁଗତ ସମ୍ବଳ ବ୍ୟବସ୍ଥା ବିଚାରକୁ ନେଲେ ସେଗୁଡ଼ିକ ଅର୍ଥନୈତିକ ଦୃଷ୍ଟିରୁ ଉପଯୋଗୀ ନୁହଁନ୍ତି ଏବଂ ପରିଚାଳନା କରିବା ଜଟିଳ...।” ଶାସନ ଓ ପରିଚାଳନା ଦୃଷ୍ଟିରୁ ସେଥିରେ ନାନାଦି ସମସ୍ୟା ଦେଖାଦିଏ କାରଣ, “ବିଚ୍ଛୁରିତ ଭୌଗୋଳିକ ଅବସ୍ଥିତି, ଗମନାଗମନରେ ସମସ୍ୟା ଏବଂ ବହୁସଂଖ୍ୟା ବିଶିଷ୍ଟ ହୋଇଥିବାରୁ ସବୁ ସ୍କୁଲରେ ସମାନ ଭାବରେ ପହଞ୍ଚିବା କଷ୍ଟକର ହୋଇପଡ଼େ ।”

ଛୋଟ ଛୋଟ ସ୍କୁଲ ରହିଲେ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ ସତ, କିନ୍ତୁ ଏଗୁଡ଼ିକର ମିଶ୍ରଣ ଫଳରେ ବି ଏସବୁ ସମସ୍ୟାର ଖୁବ୍ ଭଲ ସମାଧାନ ପନ୍ଥା ବାହାରିପାରିବ ନାହିଁ । ଏ କ୍ଷେତ୍ରରେ ପୁଣେର ପାନଶେଟ ଗାଁରେ ମହାରାଷ୍ଟ୍ର ସରକାରଙ୍କ ପ୍ରଥମ ପରୀକ୍ଷଣକୁ ଦେଖିଲେ ଏହା ସ୍ପଷ୍ଟ ବୁଝିହୁଏ । ରିପୋର୍ଟ ମୁତାବକ ବେଲହେ ତାଲୁକାରେ ପ୍ରଥମ ପୁନର୍ଗଠିତ କ୍ଲଷ୍ଟର ସ୍କୁଲ ଏବେ କର୍ମଚାରୀ ଅଭାବ ଏବଂ ମୌଳିକ ଭିତ୍ତିଭୂମି ଅଭାବ ସହିତ ଅନ୍ୟାନ୍ୟ ଅନେକ ସମସ୍ୟାରେ ବୁଡ଼ି ରହିଛି । ତେଣେ, ସରକାର ଏହି ପ୍ରକଳ୍ପକୁ ସାରା ରାଜ୍ୟରେ ସଂପ୍ରସାରିତ କରାଇବାକୁ ଉଦ୍ୟମ ଚଳାଇଛନ୍ତି ।

“ପାହାଡ଼ିଆ ଅଞ୍ଚଳ ଏବଂ ନିର୍ଜନ ସ୍ଥାନରେ ରହିଥିବା ଛୋଟ ଛୋଟ ସ୍କୁଲ ବାସ୍ତବରେ ଏକ ଗୁରୁତର ସମସ୍ୟା । କିନ୍ତୁ ପିଲାଙ୍କ ସଂଖ୍ୟା କମ୍‌ ହୋଇଥିଲେ ହେଁ ସେମାନଙ୍କୁ ଏହି ସବୁ ସ୍କୁଲରେ ଉତ୍ତମ ଶିକ୍ଷାଦାନ ଲାଗି ଅନ୍ୟ କୌଣସି ଉପାୟ ଥିବା ଭଳି ମନେହୁଏ ନାହିଁ,” ଶିକ୍ଷା ଅର୍ଥନୀତି ଉପରେ ବିଶେଷ ଅଧ୍ୟୟନ କରୁଥିବା ଜଣେ ପ୍ରଖ୍ୟାତ ବିଦ୍ୱାନ ଜନଧ୍ୟାୟାଲା ବି.ଜି. ତିଲକ କହନ୍ତି । ଇମେଲ ଯୋଗେ ‘ପରୀ’ ତାଙ୍କ ପାଖକୁ ପଠାଇଥିବା ଏକ ପ୍ରଶ୍ନାବଳୀର ଉତ୍ତରରେ ସେ ଏହା କହିଥିଲେ ।

“ସ୍କୁଲଗୁଡ଼ିକର ଏକତ୍ରୀକରଣ, ଶିକ୍ଷା ଅଧିକାର (ଆରଟିଇ)ର ବିରୁଦ୍ଧାଚରଣ କରେ,” ସେ କହନ୍ତି । ଏହି ଆଇନର ବ୍ୟବସ୍ଥା ଅନୁସାରେ ଆଦର୍ଶଗତ ଭାବେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲଗୁଡ଼ିକ ସେମାନଙ୍କ ନିଜ ଅଞ୍ଚଳରେ ଗୋଟିଏ କିଲୋମିଟର ଦୂରରେ ରହିବା ଉଚିତ । ଏବଂ ଏହି ସ୍କୁଲରେ ୬ରୁ ୧୧ ବର୍ଷ ବୟସ ବର୍ଗର ସର୍ବନିମ୍ନ ୨୦ ଜଣ ଛାତ୍ରଛାତ୍ରୀ ରହିପାରନ୍ତି ।

“ହେଲେ, ୨-୩ ଜଣ ଶିକ୍ଷକ ଏବଂ ଶିକ୍ଷା ଅଧିକାର ଆଇନର ପ୍ରତିଶ୍ରୁତି ମୁତାବକ ସବୁ ପ୍ରକାର ସୁବିଧା ଥିବା ଗୋଟିଏ ‘ପୂର୍ଣ୍ଣାଙ୍ଗ’ ସ୍କୁଲରେ ୫-୧୦ ଜଣ ଛାତ୍ରଛାତ୍ରୀ ରହିବା ମଧ୍ୟ ଅଯୌକ୍ତିକ ମନେହୁଏ । ଅନେକ ସମୟରେ ପ୍ରଶାସନ ଏହି ପ୍ରସଙ୍ଗ ଉଠାଇ ଥାଆନ୍ତି । ଏଥିପାଇଁ ଅଭିନବ ସମାଧାନ ଉପାୟ କଥା ଚିନ୍ତା କରିବାକୁ ପଡ଼ିବ । ଆକର୍ଷଣୀୟ ମନେ ହେଉଥିଲେ ହେଁ ଏକାଧିକ ସ୍କୁଲର ମିଶ୍ରଣ ଏହାର ଉତ୍ତମ ସମାଧାନ ନୁହେଁ,” ତିଲକ ବୁଝାଇ କହନ୍ତି ।

*****

ହେଲେ, ମହାରାଷ୍ଟ୍ର ରାଜ୍ୟ ଶିକ୍ଷା ବିଭାଗ ପାଇଁ ଏହି ପ୍ରଶ୍ନ କେବଳ ପୌଟକାବସ୍ତି ସ୍କୁଲରେ ସୀମିତ ନୁହେଁ । ୨୦୨୩ର ଆଦେଶପତ୍ର ରେ ଉଲ୍ଲେଖ କରାଯାଇଛି ଯେ, ‘୧ରୁ ୨୦’ ଛାତ୍ରଛାତ୍ରୀ ରହିଥିବା ସାରା ରାଜ୍ୟର ‘୧୪,୭୮୩ଟି ସ୍କୁଲ’ରେ ମୋଟ ୧,୮୫,୪୬୭ ପିଲା ଅଛନ୍ତି ଏବଂ ଏହି ସବୁ ସ୍କୁଲକୁ ବୃହତ୍ କ୍ଲଷ୍ଟରରେ ମିଶାଇବା ଆବଶ୍ୟକ । ସେମାନେ ଏବେ ଘୋର ଅନିଶ୍ଚିତତା ଭିତରେ ।

PHOTO • Jyoti

ନଗର ତାଲୁକାର ୱାଲୁଞ୍ଜ ଗାଁ ନିକଟ ଏକ ପାର୍ଦ୍ଧି ବସତିର ପିଲାମାନେ ସେମାନଙ୍କ ସ୍କୁଲ ଶିକ୍ଷକଙ୍କୁ ଅପେକ୍ଷା କରୁଛନ୍ତି । ଆମ ସ୍କୁଲ ୧୦ଟାରେ ଆରମ୍ଭ ହୁଏ । ଆମେ ତା ପୂର୍ବରୁ ଆସୁ, ସାତ ବର୍ଷର ଆୟେଷା କହନ୍ତି

“ବିଭିନ୍ନ କାରଣରୁ ଏହି ସ୍କୁଲଗୁଡ଼ିକ ଛୋଟ ହୋଇଥାଆନ୍ତି,” ଛୋଟ ଛୋଟ ଶାଳା ର ଇତିହାସ ସଂପର୍କରେ କହିବାକୁ ଯାଇ କହନ୍ତି ଗୀତା ମହାଶବଡ଼େ । ସେ ଏକ ଅଣଲାଭକାରୀ ସଂସ୍ଥା ‘ନବନିର୍ମିତି ଲର୍ଣ୍ଣିଂ ଫାଉଣ୍ଡେସନ’ର ନିର୍ଦ୍ଦେଶିକା ।

୨୦୦୦ ମସିହାରେ ମହାରାଷ୍ଟ୍ର ସରକାର ବସ୍ତିଶାଳା ଯୋଜନା ଆରମ୍ଭ କଲେ- ଆକ୍ଷରିକ ଅର୍ଥରେ, ପୌଟକାବସ୍ତି ଭଳି ଛୋଟ ଛୋଟ ଜନବସତିରେ ସ୍କୁଲ ସ୍ଥାପନ କରିବା ହିଁ ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା । “ସରକାରଙ୍କ ଯୋଜନା ଥିଲା ଯେ, ଶିକ୍ଷାଠାରୁ ଦୂରରେ ରହିଥିବା ସେହି ପିଲାମାନଙ୍କୁ ଚିହ୍ନଟ କରି, ସେମାନଙ୍କ ପାଇଁ ସେମାନଙ୍କ ନିଜ ପଲ୍ଲୀରେ, କିମ୍ବା ଅନ୍ୟଥା ଅଗମ୍ୟ ପାହାଡ଼ିଆ ଅଞ୍ଚଳରେ, ସ୍କୁଲ ଖୋଲିବା । ଏହି ଯୋଜନା, ମହାତ୍ମା ଫୁଲେ ଶିକ୍ଷନ ହମି କେନ୍ଦ୍ର ଯୋଜନା ନାମରେ ମଧ୍ୟ ପରିଚିତ ଥିଲା,” ଗୀତା କହନ୍ତି ।

ଏହି ଯୋଜନା ମୁତାବକ, ଗୋଟିଏ ବସ୍ତି ଶାଳାରେ ୧ମରୁ ୪ର୍ଥ ଶ୍ରେଣୀର ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ରହିପାରିବେ । ଜିଲ୍ଲା ପରିଷଦ କିମ୍ବା ପୌର ନିର୍ବାହୀ କମିଟିର ଅନୁମୋଦନକ୍ରମେ ଏହି ସଂଖ୍ୟା ନୀତିକୁ କୋହଳ କରାଯାଇପାରିବ । ଏମିତି କି ଅସାଧାରଣ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦ ଭଳି ଅଳ୍ପ ହୋଇପାରିବ ।

ତଦନୁସାରେ, ୨୦୦୦ ଏବଂ ୨୦୦୭ ମଧ୍ୟରେ ରାଜ୍ୟ ସରକାର ପ୍ରାୟ ଆଠ ହଜାର ବସ୍ତି ଶାଳା ଆରମ୍ଭ କଲେ ।

ହେଲେ, ୨୦୦୮ ମାର୍ଚ୍ଚରେ, ଏହି ଯୋଜନାକୁ ଏକ ‘ଅସ୍ଥାୟୀ ବନ୍ଦୋବସ୍ତ’  ବୋଲି କହି ସରକାର ଏହାକୁ ବନ୍ଦ କରିବା ପାଇଁ ସ୍ଥିର କଲେ ।

“ଏହି ସବୁ ସ୍କୁଲର ଅବସ୍ଥା ଅନୁଧ୍ୟାନ କରି ସୁପାରିସ ପ୍ରଦାନ ଲାଗି ମହାରାଷ୍ଟ୍ର ସରକାର ଏକ କମିଟି ନିଯୁକ୍ତ କଲେ,” ଗୀତା କହନ୍ତି । ଏହି କମିଟି, ଯେଉଁଥିରେ ସେ ନିଜେ ଜଣେ ସଦସ୍ୟା ଥିଲେ, କେତେକ ସ୍କୁଲକୁ ନିୟମିତ ପ୍ରାଥମିକ ସ୍କୁଲରେ ରୂପାନ୍ତରଣ ଲାଗି ସୁପାରିସ କରିଥିଲେ । ୨୦୦୮ରୁ ୨୦୧୧ ଭିତରେ, ରାଜ୍ୟ ସରକାର ୬,୮୫୨ଟି ବସ୍ତି ଶାଳାକୁ ନିୟମିତ ପ୍ରାଥମିକ ସ୍କୁଲରେ ପରିବର୍ତ୍ତନ କରିବାକୁ ଏବଂ ଅନ୍ୟ ୬୮୬ଟିକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଲେ ।

PHOTO • Jyoti

ପାର୍ଦ୍ଧି ଜନବସତିର ପିଲାମାନଙ୍କ ବାପାମାଆମାନଙ୍କୁ ଘରଠାରୁ ଦୂରରେ ରହିବାକୁ ପଡ଼େ ଏବଂ ଝିଅମାନେ ରନ୍ଧାବଢ଼ା କରିବା ସହିତ ଘରର ଏବଂ ସେମାନଙ୍କ ଛୋଟ ଭାଇଭଉଣୀମାନଙ୍କର ଦେଖାରଖା କରନ୍ତି

ବସ୍ତି ଶାଳା ଯୋଜନାରେ, ରାଜ୍ୟ ସରକାର ୨୦୦୦ରୁ ୨୦୦୭ ମଧ୍ୟରେ ପ୍ରାୟ ଆଠ ହଜାର ସ୍କୁଲ ଖୋଲିଲେ । ହେଲେ, ୨୦୦୮ ମସିହା ମାର୍ଚ୍ଚରେ, ଏହି ଯୋଜନାକୁ ଏକ ‘ଅସ୍ଥାୟୀ ବନ୍ଦୋବସ୍ତ’  ବୋଲି କହି ସରକାର ଏହାକୁ ବନ୍ଦ କରିବା ପାଇଁ ସ୍ଥିର କଲେ

ଆଉ ଗୋଟିଏ ଦଶନ୍ଧି ବିତିଯିବା ସହିତ ଏ ସବୁ ଓଲଟି ଯିବାରେ ଲାଗିଲା । ୨୦୨୦ର ଜାତୀୟ ଶିକ୍ଷା ନୀତି ଅନୁସାରେ ନିୟମିତ ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ କରିବା ଦିଗରେ ଆଲୋଚନା ଆଗେଇଲା । “ନିୟମିତ ସ୍କୁଲଗୁଡ଼ିକୁ ବନ୍ଦ କରିବାର କୌଣସି ଯୌକ୍ତିକତା ନାହିଁ,” ଗୀତା କହନ୍ତି । “ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ହୋଇଥିଲେ ମଧ୍ୟ ଜନବସତି ସେହିଠାରେ ହିଁ ରହିଛି, ଏବଂ ପିଲାମାନଙ୍କୁ ଶିକ୍ଷାଦାନର ଅନ୍ୟ କୌଣସି ଉପାୟ ନାହିଁ ।”

ପଡ଼ଘମ ବର୍ତି ଟିପରି ପଡ଼ଲି ତଡ଼ମ ତଟ୍ଟଡ଼ ତଡ଼ମ ... (ଢୋଲ ଉପରେ ପାହାର କହେ ତଡ଼ମ ତଟ୍ଟଡ଼ ତଡ଼ମ) । ଅତୁଲଙ୍କ ଆଠ ବର୍ଷର ଝିଅ ନିଜ ଶିକ୍ଷାର ପ୍ରଦର୍ଶନ ସୁଯୋଗ ପାଇ ଉତ୍ସାହିତ ହୋଇ ଉଠନ୍ତି । “ମୁଁ କବିତା ପଢ଼ିବାକୁ ଭଲ ପାଏ,” ସେ କହନ୍ତି । ଏବଂ ତାଙ୍କ ୩ୟ ଶ୍ରେଣୀ ମରାଠୀ ପଢ଼ାବହିରୁ ଗୋଟିଏ କବିତା ପାଠ କରି ଆମକୁ ଶୁଣାନ୍ତି ।

“ମୁଁ ଫେଡ଼ାଣ କରିପାରିବି, ବିୟୋଗ, ଯୋଗ । ମୁଁ ୫ ପର୍ଯ୍ୟନ୍ତ ପଣିକିଆ ଜାଣିଛି । ପାଚ ଇକେ ପାଚ, ପାଚ ଦୁନେ ଦହା...,”(ପାଞ୍ଚ କେ ପାଞ୍ଚ, ପାଞ୍ଚ ଦୁଗୁଣେ ଦଶ)। ଭଉଣୀଠୁଁ ଅଧିକ ଜାଣିଛି ବୋଲି ଦେଖାଇ ଦେବା ଲାଗି ସାହିଲ ମଝିରେ ମୁଣ୍ଡ ପୂରାଏ ।

ଭାଇଭଉଣୀ ଦୁହେଁ ସ୍କୁଲ ଯିବାକୁ ଭଲ ପାଆନ୍ତି, କିନ୍ତୁ କେବଳ କବିତା କି ଗଣିତ ପାଇଁ ନୁହେଁ । “ମୋତେ ଏହା ଭଲ ଲାଗେ କାରଣ, ଆମ ବସ୍ତି ର (ବସତିର) ସବୁ ପିଲାଙ୍କୁ ମୁଁ ସେଠାରେ ଭେଟିଥାଏ ଏବଂ ଖେଳଛୁଟିରେ ଆମେ ଲଙ୍ଗଡ଼ି (ଖପରା ଡିଆଁ) ଏବଂ ଖୋ-ଖୋ ଖେଳୁ,” ସାହିଲ କହନ୍ତି । ପୌଟକାବସ୍ତି ଗୁଣ୍ଡେଗାଓଁ ଜିଲ୍ଲା ପରିଷଦ ସ୍କୁଲର ସବୁ ପିଲା ହେଉଛନ୍ତି ପ୍ରଥମ ପିଢ଼ିର ଶିକ୍ଷାର୍ଥୀ ।

“ସ୍କୁଲ ଏବଂ ପାଠପଢ଼ା ପ୍ରତି ସେମାନଙ୍କର ଆଗ୍ରହ ଦେଖି ଆମେ ପ୍ରକୃତରେ ଖୁସି ହେଉ,” ତାଙ୍କ ମାଟିଘର ବାହାରେ ବସି ସେମାନଙ୍କ ମାଆ ରୂପାଲି କହନ୍ତି । ସ୍କୁଲ ବନ୍ଦ ହୋଇଯିବାର ଆଶଙ୍କା ତାଙ୍କ ମୁହଁରୁ ଫୁଟି ବାହାରୁଥିବା ଖୁସିକୁ ଢାଙ୍କି ପକାଏ । ସେ କି ତାଙ୍କ ସ୍ୱାମୀ ଅତୁଲ, କେହି କେବେ ହେଲେ ସ୍କୁଲ ଯାଇନାହାନ୍ତି । ସବୁ ସମୟରେ ପାର୍ଦ୍ଧି ସଂପ୍ରଦାୟ ପାଇଁ ଶିକ୍ଷାଲାଭ ଏକ ସମସ୍ୟା ରୂପରେ ରହିଆସିଛି । ୨୦୧୧ର ଜନଗଣନା ଅନୁସାରେ ମହାରାଷ୍ଟ୍ରରେ ୨୨୩,୫୨୭ ଜଣ ପାର୍ଦ୍ଧି ଅଛନ୍ତି । ଦଶନ୍ଧି ଦଶନ୍ଧି ଧରି ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ସରକାରୀ ନୀତି ପ୍ରଣୟନ ସତ୍ତ୍ୱେ ଅନେକ ପାର୍ଦ୍ଧି ପିଲାଙ୍କ ପାଖରେ ପ୍ରାଥମିକ ଶିକ୍ଷା ବି ପହଞ୍ଚି ପାରିନାହିଁ ।

PHOTO • Jyoti

ମୁଁ କବିତା ପଢ଼ିବାକୁ ଭଲ ପାଏ, ” ଆଠ ବର୍ଷର ଶବନମ (ମଝିରେ ଲାଲ ସ୍କର୍ଟ ପିନ୍ଧିଥିବା) କହନ୍ତି । ପୌଟକାବସ୍ତି ଗୁଣ୍ଡେଗାଓଁ ଜିଲ୍ଲା ପରିଷଦ ସ୍କୁଲର ସବୁ ପିଲା ହେଉଛନ୍ତି ପ୍ରଥମ ପିଢ଼ିର ଶିକ୍ଷାର୍ଥୀ

*****

“ଏଠାରେ କେହି ସ୍କୁଲ ଯାଆନ୍ତି ନାହିଁ,” ୧୦ ବର୍ଷର ଆକାଶ ବର୍ଡେ ନିରୁତ୍ସାହିତ ଢଙ୍ଗରେ କହନ୍ତି । ପୌଟକାବସ୍ତିରୁ ୭୬ କିଲୋମିଟର ଦୂର ଶିରୁର ତାଲୁକାର ଅନ୍ୟ ଏକ ପାର୍ଦ୍ଧି ବସ୍ତିରେ ସେ ରହନ୍ତି । କୁକାଡ଼ି ନଦୀ କୂଳରେ ଅବସ୍ଥିତ ଶିନ୍ଦୋଡ଼ି କଲୋନିରୁ ତିନି କିଲୋମିଟର ଦୂରରେ ରହିଛି ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲ । ପାଦରେ ଚାଲି ଚାଲି ଗଲେ ତାଙ୍କ ପାଇଁ ଏହା ବହୁ ଦୂର । “ମୁଁ ବେଳେବେଳେ ମାଛ ଧରେ, ମୋତେ ମାଛ ଧରିବାକୁ ଭଲ ଲାଗେ,” ସେ କହନ୍ତି । “ମୋ ବାପାମାଆ ଇଟାଭାଟିରେ ଏବଂ କୋଠାବାଡ଼ି ତିଆରି ହେଉଥିବା ସ୍ଥାନରେ କାମ କରନ୍ତି । ସେମାନେ ମଜଦୂରୀ (ଶ୍ରମିକ କାମ) କରିବାକୁ ୩-୪ ମାସ କାଳ ବାହାରେ ରହନ୍ତି । ସେମାନେ ମୋତେ କେବେ ସ୍କୁଲ ଯିବା ସଂପର୍କରେ କହିଥିଲେ ବୋଲି ମୋର ମନେ ପଡୁନି, ନା ମୁଁ କେବେ ଏ ସଂପର୍କରେ ଚିନ୍ତା କରିଛି ।”

ଏହି ବସତିରେ ରହୁଥିବା ୫ରୁ ୧୪ ବର୍ଷ ବୟସର ୨୧ ଜଣ ପିଲାଙ୍କ ମଧ୍ୟରୁ କେହି ହେଲେ ସ୍କୁଲ ଯାଆନ୍ତି ନାହିଁ ।

ମହାରାଷ୍ଟ୍ରର ଯାଯାବର ଏବଂ ବିମୁକ୍ତ ଜନଜାତି ସଂପ୍ରଦାୟରେ ଶିକ୍ଷାର ସ୍ଥିତି ସଂପର୍କରେ ୨୦୧୫ରେ କରାଯାଇଥିବା ଏକ ସର୍ଭେ ରୁ ଜଣାଯାଏ ଯେ, ୨୦୦୬-୦୭ ଏବଂ ୨୦୧୩-୧୪ ମଧ୍ୟରେ ଏହି ଗୋଷ୍ଠୀ ସମୂହର ମୋଟ ୨.୨ ନିୟୁତ ପିଲା ସ୍କୁଲରେ ନାମ ଲେଖାଇ ନଥିଲେ ।

PHOTO • Jyoti
PHOTO • Jyoti

ପୌଟକାବସ୍ତିରୁ ପ୍ରାୟ ୭୬ କିଲୋମିଟର ଦୂର ଶିରୁର ତାଲୁକାର ଏକ ପାର୍ଦ୍ଧି ପଲ୍ଲୀ ଶିନ୍ଦୋଡ଼ି କଲୋନୀର ୧୦ ବର୍ଷୀୟ ଆକାଶ ବର୍ଡେ (ଲାଲ ସାର୍ଟରେ) କହନ୍ତି, ‘ଏଠାରେ କେହି ସ୍କୁଲ ଯାଆନ୍ତି ନାହିଁ’ । ଶିନ୍ଦୋଡ଼ିର ପିଲାମାନେ ନଦୀ ପାଖରେ ଏବଂ ଡଙ୍ଗାରେ ଖେଳି ଅଧିକାଂଶ ସମୟ ବିତାଇ ଦିଅନ୍ତି । ଏହି ବସତିର ୫ରୁ ୧୪ ବର୍ଷ ବୟସ ବର୍ଗର ୨୧ ଜଣ ପିଲାଙ୍କ ମଧ୍ୟରୁ କେହି ହେଲେ ସ୍କୁଲ ଯାଆନ୍ତି ନାହିଁ

PHOTO • Jyoti

' ସ୍କୁଲ ବିଷୟରେ ମୁଁ କିଛି ଜାଣିନାହିଁ । କେବେ ବି ଏ ସଂପର୍କରେ ଚିନ୍ତା କରିନାହିଁ । ସ୍କୁଲ ପୋଷାକ ପିନ୍ଧିଥିବା ଝିଅମାନଙ୍କୁ ମୁଁ ଦେଖିଛି । ସେମାନେ ଭଲ ଦେଖା ଯାଆନ୍ତି, ’ ସାହିଲ ଓ ଟ୍ୱିଙ୍କଲଙ୍କ ସହିତ ଖେଳୁଥିବା ଅଶ୍ୱିନୀ (ମଝି) କହନ୍ତି

“ଏମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କ ବାପାମାଆ ବାହାରେ କାମ କରନ୍ତି, ମୁମ୍ବାଇରେ କିମ୍ବା ପୁଣେରେ । ପିଲାମାନେ ପଛରେ ରହିଯାଆନ୍ତି, ମାତ୍ର ଅଳ୍ପ କେଇ ଜଣ ବାପାମାଆଙ୍କ ସାଙ୍ଗରେ ଯାଆନ୍ତି,” ୫୮ ବର୍ଷୀୟା କାନ୍ତାବାଇ ବର୍ଡେ କହନ୍ତି । କାନ୍ତାବାଇ, ତାଙ୍କ ପୁଅ ଏବଂ ତାଙ୍କ ବୋହୂ ସାଙ୍ଗଲିର ଆଖୁ ଚାଷଜମିରେ କାମ କରିବାକୁ ଯିବା ବେଳେ ତାଙ୍କ ନାତୁଣୀ, ନଅ ବର୍ଷୀୟା ଅଶ୍ୱିନୀ ଏବଂ ଛଅ ବର୍ଷର ଟ୍ୱିଙ୍କଲ ପଛରେ ରହିଯାଆନ୍ତି । ଏହି ଝିଅଙ୍କ ମଧ୍ୟରୁ କେହି ହେଲେ ସ୍କୁଲ ଯାଆନ୍ତି ନାହିଁ ।

ଟ୍ୱିଙ୍କଲ ଆଖୁ କ୍ଷେତରେ ଜନ୍ମ ନେଇଥିଲା, ସେ କହନ୍ତି । ତାଙ୍କ ପରିବାର ଯେତେବେଳେ ସ୍କୁଲରେ ତା’ର ନାଁ ଲେଖାଇବାକୁ ଚେଷ୍ଟା କଲେ, ସେମାନେ ଦାଖଲା (ଜନ୍ମ ପ୍ରମାଣପତ୍ର) ଆଣିବାକୁ କହିଲେ । “ଏଠାକୁ କେହି ‘ଆଶା’ କର୍ମୀ ଆସନ୍ତି ନାହିଁ । ଆମ ପିଲାମାନେ ଓ ନାତିନାତୁଣୀମାନେ ଘରେ ଜନ୍ନ ନେଇଛନ୍ତି । ସେମାନଙ୍କର ଦାଖଲା ନାହିଁ,” କାନ୍ତାବାଇ କହନ୍ତି ।

“ମୁଁ ମୋ ଭଉଣୀ ପାଖରେ ବେଶି ସମୟ ରହେ । ଏକୁଟିଆ,” ଅଶ୍ୱିନୀ କହନ୍ତି । “ଆମ କଥା ବୁଝିବା ପାଇଁ ମୋଠି ଆଇ (ଆଈ) କିଛି ସପ୍ତାହ ପାଇଁ ଆସନ୍ତି । ମୁଁ ସବୁ ଖାଦ୍ୟ ରାନ୍ଧି ପାରିବି, ଏମିତି କି ଭାକରି । ମୁଁ ସ୍କୁଲ ବିଷୟରେ କିଛି ଜାଣିନି । ଏ ସଂପର୍କରେ କେବେ ଚିନ୍ତା କରିନି । ସ୍କୁଲ ପୋଷାକ ପିନ୍ଧିଥିବା ଝିଅମାନଙ୍କୁ ଦେଖିଛି। ସେମାନେ ଭଲ ଦେଖାଯାଆନ୍ତି,” ଖିଲିଖିଲି ହସ ହସି ସେ କହନ୍ତି ।

୨୦୧୭-୧୮ ର ଜାତୀୟ ନମୁନା ସର୍ଭେ (ଏନଏସ୍ଏସ୍) ଅନୁସାରେ, ଶିନ୍ଦୋଡ଼ିର ଆକାଶ, ଅଶ୍ୱିନୀ ଏବଂ ଟ୍ୱିଙ୍କଲଙ୍କ ଭଳି ଗ୍ରାମୀଣ ଭାରତର ୩ରୁ ୩୫ ବର୍ଷ ବୟସ ବର୍ଗରେ ୧୩ ପ୍ରତିଶତ ପୁରୁଷ ଓ ୧୯ ପ୍ରତିଶତ ମହିଳା କେବେ ହେଲେ କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନାହାନ୍ତି ।

“ଆମକୁ ଅନ୍ୟମାନେ ଚୋର୍ (ଚୋର) ବୋଲି କହନ୍ତି । ସେମାନେ ଆମକୁ ଅପରିଷ୍କାର ବୋଲି କହନ୍ତି ଏବଂ ସେମାନଙ୍କ ଗାଁରେ ପୂରାଇ ଦିଅନ୍ତି ନାହିଁ । କେମିତି ଆମେ ଆମ ପିଲାମାନଙ୍କୁ ସ୍କୁଲ ପଠାଇବୁ?” ତାଙ୍କ ସଂପ୍ରଦାୟର ପିଲାମାନଙ୍କ ପାଇଁ ସ୍କୁଲ ଏକ ନିରାପଦ ସ୍ଥାନ ବୋଲି କାନ୍ତାବାଇଙ୍କୁ ଲାଗେ ନାହିଁ ।

ଅପରାଧୀ ଜନଜାତି ଆଇନ ଉଚ୍ଛେଦ ହେବାର ବହୁ ଦଶନ୍ଧି ପରେ ବି ପାର୍ଦ୍ଧିମାନେ ଏହି ଆଇନ ଅନୁସାରେ ଚିହ୍ନଟ ହୋଇଥିବାର ବୋଝ ବୋହି ଚାଲିଛନ୍ତି । (ପଢ଼ନ୍ତୁ: ଅପରାଧ ନାହିଁ, ଦଣ୍ଡର ବି ଶେଷ ନାହିଁ ) । ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଥିବାରୁ ସରକାରୀ ଯୋଜନାର ସୁଫଳ ପାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼େ । (ପଢ଼ନ୍ତୁ: ମୋ ନାତିନାତୁଣୀମାନେ ହିଁ ନିଜର ଘର ତୋଳିବେ ଏବଂ ସମୃଦ୍ଧ ରାଜପଥ ଦ୍ୱାରା ପର୍ଦ୍ଧି ସ୍କୁଲରେ ବୁଲଡୋଜର ଚାଲିଲା )। ଏବଂ ସେହି ସାମାଜିକ କଳଙ୍କ କାରଣରୁ ହିଁ ଏହି ସଂପ୍ରଦାୟର ପିଲାମାନେ ସ୍କୁଲରେ ନାଁ ଲେଖାଇଲେ ବି ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୁଅନ୍ତି ।

PHOTO • Jyoti
PHOTO • Jyoti

ବାମ: ତାଙ୍କ ସଂପ୍ରଦାୟର ପିଲାଙ୍କ ପାଇଁ ସ୍କୁଲ ଏକ ନିରାପଦ ସ୍ଥାନ ବୋଲି କାନ୍ତାବାଇ (ବାଇଗଣି ରଙ୍ଗର ଶାଢ଼ିରେ) ମନେ କରନ୍ତି ନାହିଁ । ‘ଅନ୍ୟମାନେ ଆମକୁ ଚୋର୍ ବୋଲି କହନ୍ତି । ସେମାନେ ଆମକୁ ଅପରିଷ୍କାର ବୋଲି କହନ୍ତି ଏବଂ ସେମାନଙ୍କ ଗାଁରେ ପୂରାଇ ଦିଅନ୍ତି ନାହିଁ । ଆମେ ଆମ ପିଲାମାନଙ୍କୁ କେମିତି ସ୍କୁଲ ପଠାଇବୁ?’ ଡାହାଣ: ଦିବ୍ୟା ମାଲି, ମୀନା ପାୱାର ଏବଂ ମୋନିକା ଧୁଲେ (ବାମରୁ ଡାହାଣକୁ) କେବେହେଲେ ସ୍କୁଲ ଯାଇନାହାନ୍ତି । ‘ମୀନାଙ୍କ ବାହାଘର ଠିକ୍ ହୋଇସାରିଛି । ସେ ଏ ବର୍ଷ ବାହା ହୋଇଯିବେ । ଆମ ବାପାମାଆମାନେ ମଧ୍ୟ ଆମ ପାଇଁ ବରପାତ୍ର ଖୋଜୁଛନ୍ତି । ତାହା ହିଁ ଯାହା ଆମ ପାଇଁ ରହିଛି । ବୋଧହୁଏ ସ୍କୁଲ ନୁହେଁ,’ ମୋନିକା କହନ୍ତି

ହାଇଦ୍ରାବାଦର ସାମାଜିକ ବିକାଶ ପରିଷଦ ପକ୍ଷରୁ ମହାରାଷ୍ଟ୍ରର ୨୫ଟି ଜିଲ୍ଲାରେ ବିମୁକ୍ତ, ଯାଯାବର, ଏବଂ ଅର୍ଦ୍ଧ-ଯାଯାବର ଜନଜାତି ଉପରେ କରାଯାଇଥିବା ୨୦୧୭ର ସର୍ଭେ ଅନୁସାରେ, ସର୍ଭେ ପରିସରଭୁକ୍ତ ୧୯୯ଟି ପାର୍ଦ୍ଧି ପରିବାରର ୩୮ ପ୍ରତିଶତ ପରିବାରର ପିଲାମାନେ, ଭେଦଭାବ, ଭାଷାଗତ ପ୍ରତିବନ୍ଧକ, ବିବାହ ଏବଂ ଶିକ୍ଷାର ଗୁରୁତ୍ୱ ସଂପର୍କରେ ସଚେତନତାର ଅଭାବ କାରଣରୁ, ଅଧାରୁ ପ୍ରାଥମିକ ସ୍କୁଲ ଛାଡ଼ିଛନ୍ତି ।

“ଶିକ୍ଷା ଆମ ପିଲାମାନଙ୍କ ପାଇଁ ନୁହେଁ । ଏବେ ବି ସମାଜ ଆମକୁ ଘୃଣା କରେ । କିଛି ହେଲେ ବଦଳି ପାରିବ ବୋଲି ମୁଁ ଭାବୁନାହିଁ,” ଅଶୁଭ ଆଶଙ୍କା ଜଡ଼ିତ କଣ୍ଠରେ କାନ୍ତାବାଇ କହନ୍ତି ।

ଭୟଙ୍କର ଭାବରେ ସତ ମନେହୁଏ ତାଙ୍କ ତୁଣ୍ଡର ପ୍ରତିଟି କଥା । ଶିକ୍ଷାକୁ ରୟତ (ସର୍ବସାଧାରଣ)ଙ୍କ ପାଖକୁ ନେଇଯିବା ଲାଗି  ବଦ୍ଧପରିକର ହୋଇ ମହାରାଷ୍ଟ୍ରର ମହାନ ସାମାଜିକ ସଂସ୍କାରକ ଏବଂ ଶିକ୍ଷାବିତ୍ କର୍ମବୀର ଭାଉରାଓ ପାଟିଲ ୧୯୧୯ରେ ବସ୍ତି ତିଥେ ଶାଳା (ପ୍ରତି ବସତିରେ ସ୍କୁଲ) ପାଇଁ ଆହ୍ୱାନ ଦେଇଥିଲେ । ହେଲେ, ୧୦୫ ବର୍ଷ ପରେ ବି ଶିନ୍ଦୋଡ଼ିରେ ସ୍କୁଲଟିଏ ପହଞ୍ଚି ପାରିନାହିଁ । ପୌଟକାବସ୍ତିରେ ଗୋଟିଏ ସ୍କୁଲ ପହଞ୍ଚିବା ଲାଗି ୯୦ ବର୍ଷ ଲାଗିଗଲା – ଏବଂ ତାହା ବି ଏବେ ଏକ ସରକାରୀ ନୀତି ପ୍ରଣୟନ ପରେ ଉଠିଥିବା ତୋଫାନରେ ନିଶ୍ଚିହ୍ନ ହୋଇଯିବା ଏବଂ ଏହି ସଂପ୍ରଦାୟର ପିଲାମାନେ ସଂପୂର୍ଣ୍ଣ ବିପଥଗାମୀ ହେବାର ଆଶଙ୍କା ଦେଖାଦେଇଛି ।

ଜିଲ୍ଲା ପରିଷଦ ପୌଟକାବସ୍ତି ସ୍କୁଲର କାନ୍ଥରେ ରଙ୍ଗରେ ଲେଖାଯାଇଥିବା ଶବ୍ଦଗୁଡ଼ିକ କହେ:

ଶିକ୍ଷା ହକ୍କାଚି କିମୟା ନ୍ୟାରି,
ଶିକ୍ଷା ଗଙ୍ଗା ଆତା ଘରୋଘରି ।

(ଶିକ୍ଷା ଅଧିକାରର ସମ୍ମୋହକ ଯାଦୁ ବଳରେ
ଘରେ ଘରେ ପ୍ରବାହିତ ହେବ ଶିକ୍ଷାର ଗଙ୍ଗା)

ଏହି ଶବ୍ଦଗୁଡ଼ିକ ସତ ହେବାକୁ ଆଉ କେତେ ସମୟ ଲାଗିବ ?

ଅନୁବାଦ: ଓଡ଼ିଶାଲାଇଭ୍‍

జ్యోతి పీపుల్స్ ఆర్కైవ్ ఆఫ్ రూరల్ ఇండియా లో సీనియర్ రిపోర్టర్. ‘మి మరాఠీ’, ‘మహారాష్ట్ర 1’ వంటి వార్తా చానెళ్లలో ఆమె గతంలో పనిచేశారు.

Other stories by Jyoti

పి సాయినాథ్ పీపుల్స్ ఆర్కైవ్స్ ఆఫ్ రూరల్ ఇండియా వ్యవస్థాపక సంపాదకులు. ఆయన ఎన్నో దశాబ్దాలుగా గ్రామీణ విలేకరిగా పని చేస్తున్నారు; 'Everybody Loves a Good Drought', 'The Last Heroes: Foot Soldiers of Indian Freedom' అనే పుస్తకాలను రాశారు.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE