ବେଳେବେଳେ ଦେବଦେବୀ ନିଜ ଭକ୍ତମାନଙ୍କ ସହିତ ଯାତ୍ରା କରିଥାନ୍ତି। କିଛି ନହେଲେ ମା’ ଅଙ୍ଗାରମୋତୀ ତ’ ନିଶ୍ଚିତ ଭାବେ ଯାତ୍ରା କରନ୍ତି।

ପ୍ରାୟ ୪୫ ବର୍ଷ ପୂର୍ବରୁ ଏହି ଆଦିବାସୀ ଦେବୀ ଧ୍ୟାୟ-ଚାଓଁର ଗାଁରେ ରହୁଥିଲେ। ଈଶ୍ୱର ନେତାମ୍‌ (୫୦)ଜଣେ ଗୋଣ୍ଡ ଆଦିବାସୀ ଏବଂ ସେ ଦେବୀଙ୍କ ମୁଖ୍ୟ ପୂଜାରୀ ବା ବୈଗା ଅଟନ୍ତି। ସେ କୁହନ୍ତି, ‘‘ମା’ ଅଙ୍ଗାରମୋତୀ ମହାନଦୀ ଓ ସୁଖାନଦୀ ମଧ୍ୟବର୍ତ୍ତୀ ଗୋଟିଏ ସ୍ଥାନରେ ରହୁଥିଲେ।

ବିସ୍ଥାପିତ ହେବା ସତ୍ତ୍ୱେ ମା’ ଅଙ୍ଗାରମୋତୀଙ୍କ ଲୋକପ୍ରିୟତା କମି ନାହିଁ । ଗାଁ ଓ ଅନ୍ୟ ସ୍ଥାନରୁ ୫୦୦ରୁ ୧,୦୦୦ ଶ୍ରଦ୍ଧାଳୁ ଏବେ ବି ସବୁଦିନ ତାଙ୍କ ମନ୍ଦିରରେ ପହଞ୍ଚିଥା’ନ୍ତି। ଦେବୀଙ୍କ ନାମରେ ମେଳା ଆୟୋଜନ କରାଯାଏ, କିନ୍ତୁ ଏହା ଗଙ୍ଗ୍ରେଲ ମଡ଼ଇ ନାମରେ ମଧ୍ୟ ପ୍ରସିଦ୍ଧ ଯେଉଁଥିରେ ଗାଁ ଓ ନିକଟବର୍ତ୍ତୀ ବନ୍ଧର ଉଲ୍ଲେଖ ମିଳିଥାଏ। ଦେବୀ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ଭୁଲି ନାହାନ୍ତି । ପ୍ରତିବର୍ଷ ଦୀପାବଳି ପରବର୍ତ୍ତୀ ପ୍ରଥମ ଶୁକ୍ରବାର ଦିନ ମା’ ଅଙ୍ଗାରମୋତୀ ବାର୍ଷିକ ଉତ୍ସବ ପାଇଁ ଆଖପାଖ ଗାଁର ଦେବଦେବୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଥା’ନ୍ତି ।

ଗୋଣ୍ଡ ଆଦିବାସୀ ନେତା ଏବଂ ପ୍ରତିବର୍ଷ ଏହି ସମୟରେ ଗଙ୍ଗ୍ରେଲରେ ମେଳା ଆୟୋଜନ କରୁଥିବା ଦଳର ସଦସ୍ୟ ବିଷ୍ଣୁ ନେତାମ୍‌ କୁହନ୍ତି, ‘‘ଆମେ ଆମ ପୂର୍ବପୁରୁଷ ଅମଳରୁ ପ୍ରାୟ ପ୍ରତ୍ୟେକ ଆଦିବାସୀ ଗାଁରେ ଏହି ମଡ଼ଇ (ମେଳା) ଆୟୋଜନ କରି ଆସୁଛୁ।’’

‘‘ମଡ଼ଇ ଆମ ପାରମ୍ପରିକ ଆଦିବାସୀ ସଂସ୍କୃତିର ଅଂଶବିଶେଷ,’’ ସେ ଆହୁରି କହିଥାନ୍ତି। ସ୍ଥାନୀୟ ଲୋକଙ୍କ ବ୍ୟତୀତ ଗାଁ ବାହାରୁ ମଧ୍ୟ ଲୋକମାନେ ମେଳା ବୁଲିବାକୁ ଆସନ୍ତି, ସେମାନେ ଭଲ ଫସଲ ପାଇଁ ଦେବଦେବୀମାନଙ୍କୁ ଫୁଲ ଚଢ଼ାନ୍ତି ଓ ଆସନ୍ତା ବର୍ଷ ପାଇଁ ବରଦାନ ମାଗନ୍ତି। ପ୍ରତିବର୍ଷ ଜିଲ୍ଲାରେ ପ୍ରାୟ ୫୦ଟି ମେଳା ଆୟୋଜନ କରାଯାଏ ସେଥିମଧ୍ୟରେ ମଡ଼ଇ ଅନ୍ୟତମ। ଏହା ହେଉଛି ମଧ୍ୟ ଭାରତର ଏହି ଜିଲ୍ଲାରେ ଆୟୋଜିତ ହେଉଥିବା ମଡ଼ଇ ଶୃଙ୍ଖଳାର ପ୍ରଥମ ମେଳା।

ସ୍ଥାନୀୟ ଲୋକଙ୍କ ବ୍ୟତୀତ ଗାଁ ବାହାରୁ ମଧ୍ୟ ଲୋକମାନେ ମେଳା ବୁଲିବାକୁ ଆସନ୍ତି, ସେମାନେ ଭଲ ଫସଲ ପାଇଁ ଦେବଦେବୀଙ୍କୁ ଫୁଲ ଚଢ଼ାନ୍ତି ଓ ଆସନ୍ତା ବର୍ଷ ପାଇଁ ବରଦାନ ମାଗନ୍ତି

ଭିଡ଼ିଓ ଦେଖନ୍ତୁ : ଗଙ୍ଗ୍ରେଲରେ ସବୁ ଦେବଦେବୀଙ୍କ ସଂଗମ

୧୯୭୮ ମସିହାରେ ଜଳସେଚନ ଏବଂ ଭିଲାଇ ଇସ୍ପାତ କାରଖାନାକୁ ଜଳ ଯୋଗାଣ ନିମନ୍ତେ ମହାନଦୀ ଉପରେ ଏକ ନଦୀ ବନ୍ଧ ନିର୍ମାଣ କରାଗଲା। ତେବେ, ପଣ୍ଡିତ ରବିଶଙ୍କର ନଦୀବନ୍ଧ ନାମରେ ଅଧିକୃତ ଭାବେ ନାମକରଣ ହୋଇଥିବା ଏହି ନଦୀବନ୍ଧ ଦେବୀ ଓ ତାଙ୍କୁ ପୂଜା କରୁଥିବା ଗ୍ରାମବାସୀଙ୍କ ପାଇଁ ବିପଦ ଆଣିଲା।

ନିର୍ମାଣ ସମୟରେ, ବାରମ୍ବାର ବନ୍ୟା ଆସିବା ଯୋଗୁ ଚାଓଁର ଗାଁର ଲୋକମାନେ ନିଜ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ ହେଲେ। ଈଶ୍ୱର କୁହନ୍ତି, ‘‘ପାଖାପାଖି ୫୨-୫୪ ଗ୍ରାମ ଜଳମଗ୍ନ ହୋଇଯାଇଥିଲା ଏବଂ ଲୋକମାନେ ବିସ୍ଥାପିତ ହୋଇଥିଲେ।’’

ସେଥିପାଇଁ ସେମାନେ ଗାଁ ଛାଡ଼ିଗଲେ କିନ୍ତୁ ସେମାନଙ୍କ ଦେବୀଙ୍କୁ ମଧ୍ୟ ସାଥୀରେ ନେଲେ ଏବଂ ନଦୀବନ୍ଧଠାରୁ ୧୬ କିଲୋମିଟର ଦୂର ଧମତରୀର ଗଙ୍ଗ୍ରେଲ ଅଞ୍ଚଳରେ ଯାଇ ବସତି ସ୍ଥାପନ କଲେ।

ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ, ଆଜି ଏହି ନଦୀବନ୍ଧ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପାଲଟିଛି, କିନ୍ତୁ ବିସ୍ଥାପିତ ହୋଇଥିବା ଅନେକ ଗ୍ରାମବାସୀ ଆଜି ବି ସରକାରଙ୍କଠାରୁ କ୍ଷତିପୂରଣ ପାଇବାକୁ ଅପେକ୍ଷା କରି ରହିଛନ୍ତି ।

Left: The road leading to the madai.
PHOTO • Prajjwal Thakur
Right: Ishwar Netam (third from left) with his fellow baigas joining the festivities
PHOTO • Prajjwal Thakur

ବାମ : ମଡ଼ଇକୁ ଯାଇଥିବା ରାସ୍ତା । ଡାହାଣ : ଈଶ୍ୱର ନେତାମ (ବାମରୁ ତୃତୀୟ) ନିଜ ସହଯୋଗୀ ବୈଗାଙ୍କ ସହିତ ପର୍ବରେ ଯୋଗ ଦେଇଛନ୍ତି

Left: Wooden palanquins representing Angadeos are brought from neighbouring villages.
PHOTO • Prajjwal Thakur
Right: Items used in the deva naach
PHOTO • Prajjwal Thakur

ବାମ : ଅଙ୍ଗଦେବମାନଙ୍କୁ ପ୍ରତିନିଧିତ୍ୱ କରୁଥିବା କାଠ ପାଲିଙ୍କୀ ପଡ଼ୋଶୀ ଗାଁରୁ ଅଣାଯାଇଛି । ଡାହାଣ : ଦେବ ନାଚରେ ବ୍ୟବହାର କରାଯାଉଥିବା ସାମଗ୍ରୀ

ଦିନିକିଆ ମଡ଼ଇ ଉତ୍ସବ ଅପରାହ୍ଣରେ ଆରମ୍ଭ ହୋଇଥାଏ ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥାଏ। ଦେବୀଙ୍କୁ ନଦୀ ବନ୍ଧ ପାଖରେ ରଖାଯାଏ ଏବଂ ସକାଳୁ ସେଠାକୁ ଭକ୍ତମାନଙ୍କର ଆସିବା ଲାଗି ରହିଥାଏ। ସେମାନଙ୍କ ମଧ୍ୟରୁ କେତେଜଣ ଫଟୋ ଉଠାଇବା କିମ୍ବା ସେଲଫି ନେବା ପାଇଁ ବନ୍ଧ ଆଡ଼େ ବୁଲି ଆସନ୍ତି ।

ମଡ଼ଇ ପର୍ଯ୍ୟନ୍ତ ପଡ଼ିଥିବା ରାସ୍ତା କଡ଼ରେ ମିଠା ଓ ଜଳଖିଆ ଦୋକାନ ପଡ଼ିଛି। କିଛି ଦୋକାନ ପୁରୁଣା ହୋଇଥିବା ବେଳେ ବାକି ପର୍ବ ପାଇଁ ଖୋଲାଯାଇଛି।

ବିଧିବଦ୍ଧ ଭାବେ ମଡ଼ଇ ଚାଲିବା ବେଳକୁ ପ୍ରାୟ ପାଞ୍ଚରୁ ଛଅ ହଜାର ଲୋକ ଆଖପାଖ ଅଞ୍ଚଳରୁ ଆସି ସାରିଛନ୍ତି । ଧମତରୀ ସହର ବାସିନ୍ଦା ନୀଲେଶ ରାଇଚୁରା ରାଜ୍ୟର ଅନେକ ମେଳା ବୁଲିଛନ୍ତି । ସେ କୁହନ୍ତି, ‘‘ମୁଁ କାଙ୍କେର, ନରହରପୁର, ନଗରୀ-ସିହାୱା, ଚରାମା, ପଖାଞ୍ଜୁର ଏବଂ ଅନ୍ୟ ସ୍ଥାନରେ ମଡ଼ଇ ଦେଖିଛି, କିନ୍ତୁ ଗଙ୍ଗ୍ରେଲ ମଡ଼ଇର ସ୍ୱାତନ୍ତ୍ର୍ୟ ରହିଛି’’।

ଏଠାରେ ଗର୍ଭଧାରଣ କରିପାରୁନଥିବା ମହିଳାମାନେ ମଡ଼ଇରେ ପୂଜାର୍ଚ୍ଚନା କରିଥା’ନ୍ତି। ଆଦିବାସୀ ନେତା ଓ ସାମାଜିକ କର୍ମୀ ଈଶ୍ୱର ମଣ୍ଡାଭୀ କୁହନ୍ତି, ‘‘ନିଃସନ୍ତାନ ମହିଳାମାନେ ମା’ ଅଙ୍ଗାରମୋତୀଙ୍କ ଆଶୀର୍ବାଦ ନେବାକୁ ଆସନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଇଚ୍ଛା ପୂରଣ ହୋଇଛି ।’’

The road leading up to the site of the madai is lined with shops selling sweets and snacks
PHOTO • Prajjwal Thakur
The road leading up to the site of the madai is lined with shops selling sweets and snacks
PHOTO • Prajjwal Thakur

ମଡ଼ଇକୁ ଯାଇଥିବା ରାସ୍ତା କଡ଼ରେ ମିଠା ଓ ଜଳଖିଆ ଦୋକାନ ସବୁ ପଡ଼ିଛି

Left: Women visit the madai to seek the blessings of Ma Angarmoti. 'Many of them have had their wishes come true,' says Ishwar Mandavi, a tribal leader and activist.
PHOTO • Prajjwal Thakur
Right: Worshippers come to the madai with daangs or bamboo poles with flags symbolising deities
PHOTO • Prajjwal Thakur

ବାମ : ମହିଳାମାନେ ମା’ ଅଙ୍ଗାରମୋତୀଙ୍କ ଆଶୀର୍ବାଦ ନେବା ପାଇଁ ମଡ଼ଇକୁ ଆସନ୍ତି। ଆଦିବାସୀ ନେତା ଓ ସାମାଜିକ କର୍ମୀ ଈଶ୍ୱର ମଣ୍ଡାଭୀ କୁହନ୍ତି, ‘ସେମାନଙ୍କ ମଧ୍ୟରୁ ଅନେକଙ୍କ ଇଚ୍ଛା ପୂରଣ ହୋଇଛି।’ ଡାହାଣ : ଭକ୍ତମାନେ ଦେବତାଙ୍କ ପ୍ରତୀକ ପତାକା ଥିବା ଡାଙ୍ଗ ବା ବାଉଁଶ ଖୁଣ୍ଟ ଧରି ମଡ଼ଇକୁ ଆସନ୍ତି

ଆମେ ଏମିତି କିଛି ମହିଳାଙ୍କୁ ଭେଟିଲୁ ଯେଉଁମାନେ ରାୟପୁର (୮୫ କିମି), ଜାଞ୍ଜଗିର୍‌ (୨୬୫ କିମି) ଏବଂ ବେମେତରା (୧୩୦ କିମି) ଭଳି ଦୂରବର୍ତ୍ତୀ ଅଞ୍ଚଳରୁ ଏଠାକୁ ଆସିଛନ୍ତି । ସେମାନେ ଧାଡ଼ିରେ ଛିଡ଼ା ହୋଇ ଆଶୀର୍ବାଦ ପାଇବା ଲାଗି ନିଜ ପାଳିକୁ ଅପେକ୍ଷା କରି ରହିଛନ୍ତି ।

‘‘ମୋ ବାହାଘରକୁ ପାଞ୍ଚ ବର୍ଷ ହେଲାଣି,’’ ସେମାନଙ୍କ ମଧ୍ୟରୁ ଜଣେ ମହିଳା କହିଥା’ନ୍ତି, ‘‘କିନ୍ତୁ ମୋର ପିଲା ନାହାନ୍ତି। ତେଣୁ ମୁଁ ଏଠାକୁ ଆର୍ଶୀବାଦ ନେବା ଲାଗି ଆସିଛି ।’’ ମେଳାରେ ସକାଳୁ ଉପବାସ କରିଥିବା ତିନି ଶହରୁ ଚାରି ଶହ ମହିଳାଙ୍କ ମଧ୍ୟରୁ ଏହି ମହିଳା ଜଣଙ୍କ ଅନ୍ୟତମ ଏବଂ ସେ ନିଜ ପରିଚୟ ପ୍ରଘଟ କରିବାକୁ ରାଜି ହୋଇନଥିଲେ।

ଅନ୍ୟ ଗାଁରୁ ଶ୍ରଦ୍ଧାଳୁମାନେ ଦେବ ନାଚ (ଦେବଦେବୀଙ୍କ ନୃତ୍ୟ)ରେ ଭାଗ ନେବା ପାଇଁ ନିଜ ଡାଙ୍ଗ (ଦେବତାଙ୍କ ପ୍ରତୀକ ପତାକା ଥିବା ବାଉଁଶ ଖୁଣ୍ଟ) ଏବଂ ଅଙ୍ଗା (ଦେବତା)ଙ୍କୁ ସାଥୀରେ ନେଇ ଏଠାକୁ ଆସନ୍ତି। ସେମାନେ ଏହି ଖୁଣ୍ଟ ଏବଂ କାଠ ପାଲିଙ୍କିକୁ ଅଞ୍ଚଳ ପରିକ୍ରମା କରାଇବେ ଏବଂ ଶ୍ରଦ୍ଧାଳୁମାନେ ଭଗବାନଙ୍କଠାରୁ ବରଦାନ ମାଗିବେ ।

‘‘ଏସବୁ ମଡ଼ଇରେ, ମୁଁ ଆଦିବାସୀ ସଂସ୍କୃତି ଏବଂ ଜୀବନକୁ ଅତି ନିକଟରୁ ଦେଖିପାରୁଛି।’’

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

புருஷோத்தம் தாகூர், 2015ல் பாரியின் நல்கையைப் பெற்றவர். அவர் ஒரு ஊடகவியலாளர் மற்றும் ஆவணப்பட இயக்குநர். தற்போது அஸிஸ் பிரேம்ஜி அமைப்பில் வேலைப் பார்க்கிறார். சமூக மாற்றத்துக்கான கட்டுரைகளை எழுதுகிறார்.

Other stories by Purusottam Thakur
Photographs : Prajjwal Thakur

பிரஜ்வால் தாகூர், அசிம் பிரேம்ஜி பல்கலைக்கழகத்தின் இளங்கலை மாணவர்.

Other stories by Prajjwal Thakur
Editor : Sarbajaya Bhattacharya

சர்பாஜயா பட்டாச்சார்யா பாரியின் மூத்த உதவி ஆசிரியர் ஆவார். அனுபவம் வாய்ந்த வங்க மொழிபெயர்ப்பாளர். கொல்கத்தாவை சேர்ந்த அவர், அந்த நகரத்தின் வரலாற்றிலும் பயண இலக்கியத்திலும் ஆர்வம் கொண்டவர்.

Other stories by Sarbajaya Bhattacharya
Video Editor : Shreya Katyayini

ஷ்ரேயா காத்யாயினி பாரியின் காணொளி ஒருங்கிணைப்பாளராகவும் ஆவணப்பட இயக்குநராகவும் இருக்கிறார். பாரியின் ஓவியராகவும் இருக்கிறார்.

Other stories by Shreya Katyayini
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE