ସେପ୍ଟେମ୍ବର ମାସର ଆଦ୍ୟ ଭାଗରେ ଘୋଡ଼ାମାରା ଦ୍ୱୀପର ଫେରି ଘାଟ ବେଶ ଚଳଚଞ୍ଚଳ ଥିଲା। ପୁରୁଷ, ମହିଳା, ଶିଶୁ ଓ ଏପରିକି ଗୃହପାଳିତ ପଶୁମାନେ ମଧ୍ୟ ଡଙ୍ଗାରୁ ଓହ୍ଲାଇ ଦୈନନ୍ଦିନ କାର୍ଯ୍ୟକୁ ଯିବା ଲାଗି ବ୍ୟସ୍ତ ଥିଲେ। ସମୁଦ୍ରର ଉଚ୍ଚ ଜୁଆର ଆସିବା ସମୟରେ ଏମାନେ ଅନ୍ୟତ୍ର ଆଶ୍ରୟ ନେଇଥିଲେ। ପାଣି ଛାଡ଼ିବା ପରେ ଦ୍ୱୀପରେ ଥିବା ନିଜ ଘରକୁ ଫେରୁଥିଲେ। ଅଧିକାଂଶ ସମୟରେ ଏହି ଦ୍ୱୀପର ବାସିନ୍ଦାଙ୍କୁ ନିଜ ସମ୍ପର୍କୀୟମାନଙ୍କ ସହ ନିରାପଦ ଆଶ୍ରୟସ୍ଥଳରେ ରହିବାକୁ ପଡ଼ିଥାଏ। ମୂଳ ଭୂଖଣ୍ଡ କାକଦ୍ୱୀପରୁ ଡଙ୍ଗା ଯୋଗେ ସୁନ୍ଦରବନ ତ୍ରିକୋଣଭୂମିରେ ଥିବା ଏହି ଦ୍ୱୀପରେ ପହଞ୍ଚିବା ଲାଗି ୪୦ ମିନିଟ୍ ସମୟ ଲାଗିଥାଏ। ମାସକୁ ଦୁଇ ଥର ଲୋକମାନେ ଏହି ଫେରିଘାଟ ଦେଇ ଯିବା ଆସିବା କରିଥାନ୍ତି। ତେବେ ଏହି ନିତିଦିନିଆ କାମ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ଥିବା ଏହି ଛୋଟିଆ ଦ୍ୱୀପରେ ବଞ୍ଚି ରହିଥିବା ଗ୍ରାମବାସୀଙ୍କ ପାଇଁ ଲମ୍ବା ସଂଘର୍ଷର କାରଣ ପାଲଟିଥାଏ।
ଜଳବାୟୁ ପରିବର୍ତ୍ତନର କୁପରିଣାମ ଯୋଗୁ ବାରମ୍ବାର ବାତ୍ୟା, ସମୁଦ୍ର ଜଳସ୍ତର ବୃଦ୍ଧି ଏବଂ ପ୍ରବଳ ବର୍ଷା ଭଳି ପ୍ରାକୃତିକ ଦୁର୍ବିପାକ ଘୋଡ଼ାମାରାର ଲୋକମାନଙ୍କ ଜୀବନକୁ ସଂଘର୍ଷପୂର୍ଣ୍ଣ କରି ଦେଇଛି । ଦୀର୍ଘ ଦଶନ୍ଧି ଧରି ବନ୍ୟା ଓ ମୃତ୍ତିକା କ୍ଷୟ ଯୋଗୁଁ ହୁଗଲି ମୁହାଣରେ ଥିବା ସେମାନଙ୍କର ଏହି ପୃଥକ ବାସସ୍ଥାନ ଏକ ଭାସମାନ ଭୂଖଣ୍ଡ ପାଲଟିଯାଇଛି।
ଯେତେବେଳେ ମେ ମାସରେ ୟାସ ବାତ୍ୟା ସ୍ଥଳ ଭାଗରେ ମାଡ଼ ହୋଇଥିଲା, ସାଗର ବ୍ଲକ୍ ଅଧୀନରେ ଆସୁଥିବା ଘୋଡ଼ାମାରା ସୁନ୍ଦରବନ ଅଞ୍ଚଳରେ ସବୁଠୁ ପ୍ରଭାବିତ ଅଞ୍ଚଳ ଥିଲା। ମେ ୨୬ ତାରିଖରେ, ବାତ୍ୟା ସହ ଆସିଥିବା ସମୁଦ୍ରର ଉଚ୍ଚ ଜୁଆର ମାତ୍ର ୧୫-୨୦ ମିନିଟ ମଧ୍ୟରେ ତଟବନ୍ଧକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେବା ସହ ଏହି ଦ୍ୱୀପକୁ ଜଳପ୍ଳାବିତ କରି ଦେଇଥିଲା। ପୂର୍ବରୁ ବାତ୍ୟା ଅମ୍ଫନ (୨୦୨୦) ଏବଂ ବୁଲବୁଲ (୨୦୧୯) ର ପ୍ରଭାବକୁ ଦେଖିଥିବା ଏହି ଦ୍ୱୀପର ବାସିନ୍ଦା ପୁଣିଥରେ ଧ୍ୱଂସଲୀଳାର ସମ୍ମୁଖିନ ହୋଇଥିଲେ। ସେମାନଙ୍କ ଘରର ଚିହ୍ନବର୍ଣ୍ଣ ନଥିଲା, ଧାନ ଭଣ୍ଡାର, ପାନ ବରଜ ଓ ସୂର୍ଯ୍ୟମୁଖି କ୍ଷେତ ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା।
ବାତ୍ୟା ପରେ କାଶୀମାରା ଘାଟ ନିକଟରେ ଥିବା ଅବ୍ଦୁଲ ରୌଫଙ୍କ ଘର ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା। “ସେହି ତିନିଦିନ ଆମ ପାଖରେ କିଛି ଖାଇବାକୁ ନଥିଲା। ଆମେ ବର୍ଷା ପାଣି ପିଇ ବଞ୍ଚିଥିଲୁ। କେବଳ ଜରି ପାଲ ତଳେ ସୁରକ୍ଷିତ ରହିଥିଲୁ”, ଏଠାରୁ ୯୦ କିଲୋମିଟର ଦୂର କୋଲକାତାରେ ଜଣେ ଦରଜି ଭାବେ କାମ କରୁଥିବା ରୌଫ କହିଥାନ୍ତି। “ସୁରକ୍ଷିତ ସ୍ଥାନକୁ ବାହାରି ନପାରି ଆମେ ସେଠାରେ ପଡ଼ି ରହିଲୁ।” ତିନି ଦିନ ପରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ସୂଚନା ମିଳିଲା ଯେ ରୌଫ ଏବଂ ତାଙ୍କ ପତ୍ନୀଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି। “ଯେକୌଣସି ପରିସ୍ଥିତିରେ କାକଦ୍ୱୀପରେ ପହଞ୍ଚିବା ଲାଗି ବିଡିଓ ଆମକୁ କହିଲେ। ସେଠାରେ ସେ ଆମ ପାଇଁ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଇ ଦେଲେ। ଆମକୁ (ଚିକିତ୍ସା ପାଇଁ) ପ୍ରାୟ ୨୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା।” ସେହିଦିନ ଠାରୁ ରୌଫ ଏବଂ ତାଙ୍କ ପରିବାର ଦ୍ୱୀପରେ ଥିବା ଆଶ୍ରୟସ୍ଥଳୀରେ ରହି ଆସୁଛନ୍ତି।
ଆହୁରି ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିଲା ଓ ସେମାନେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିଲେ। ମନ୍ଦିରତାଲା ଗ୍ରାମର ବାସିନ୍ଦାମାନେ ଦ୍ୱୀପର ସର୍ବୋଚ୍ଚ ସ୍ଥାନ କୁହାଯାଉଥିବା ମନ୍ଦିରତାଲା ବଜାର ନିକଟବର୍ତ୍ତୀ ଟ୍ୟାଙ୍କ ଗ୍ରାଉଣ୍ଡ ନିକଟରେ ନିର୍ମିତ ଏକ ଆଶ୍ରୟସ୍ଥଳୀରେ ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ସେହି ପାଖରେ ଥିବା ଏକ ସଂକୀର୍ଣ୍ଣ ରାସ୍ତାରେ ଶିବିର ପକାଇଥିଲେ। ହାତଖୋଲା, ଚୁନପୁରୀ ଓ ଖାସିମାରା ଅଞ୍ଚଳର ୩୦ ପରିବାର ଘୋଡ଼ାମାରାର ଦକ୍ଷିଣରେ ଥିବା ସାଗର ଦ୍ୱୀପରେ ନିର୍ମିତ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିଲେ। ସେହି ସ୍ଥାନରେ ରହିବା ଲାଗି ସେମାନଙ୍କୁ ଏବେ ଜମି ଆବଣ୍ଟନ କରାଯାଇଛି।
ରେଜାଉଲ ଖାନଙ୍କ ପରିବାର ସେମାନଙ୍କ ମଧ୍ୟରୁ ଅନ୍ୟତମ। ଖାସିମାରାରେ ଥିବା ତାଙ୍କ ଘର ଏବେ ଧ୍ୱଂସାବଶେଷ ପାଲଟିଛି। “ମୋତେ ଏହି ଦ୍ୱୀପ ଛାଡ଼ିବାକୁ ପଡ଼ିବ, କିନ୍ତୁ ମୁଁ କାହିଁକି ଛାଡ଼ିବି?” ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏକ ମସଜିଦ ପାଖରେ ଏକ ଅଶାନ୍ତ ଦିନରେ ବସିଥିବା ବେଳେ ସେ ମୋତେ କହିଥିଲେ। “ମୁଁ ମୋ ପିଲାଦିନର ସାଙ୍ଗ ଗଣେଶ ପାରୁଆକୁ କିଭଳି ଛାଡ଼ିପାରିବି? ତାଙ୍କ ବାଡ଼ିରେ ଫଳିଥିବା କଲରା ଗତକାଲି ଆମେ ରାତ୍ରୀ ଭୋଜନରେ ଖାଇଥିଲୁ”, ସେ କହିଥିଲେ।
ବାତ୍ୟାଜନିତ କ୍ଷତିରୁ ମୁକୁଳିବା ଲାଗି ଗାଁ ଲୋକଙ୍କୁ ସୁଯୋଗ ମିଳିନଥିଲା। କାରଣ ୟାସ ବାତ୍ୟା ପରେ ଜୁନ ମାସରେ ଆସିଥିବା ସମୁଦ୍ର ଜୁଆର ଘୋଡ଼ାମାରାକୁ ବନ୍ୟା ପ୍ଳାବିତ କରି ଦେଇଥିଲା, ଏହାପରେ ମୌସୁମୀ ବର୍ଷା ଆସି ସ୍ଥିତିକୁ ଆହୁରି ସଙ୍ଗୀନ୍ କରି ଦେଲା। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତିକୁ ନେଇ ବିବ୍ରତ ରାଜ୍ୟ ପ୍ରଶାସନ, ଜୀବନ ରକ୍ଷା କରିବା ଲକ୍ଷ୍ୟ ନେଇ ଏଠାକାର ବାସିନ୍ଦାମାନଙ୍କୁ ପୃଥକ ସ୍ଥାନରେ ଥଇଥାନ କରିବାକୁ ଆରମ୍ଭ କରିଛି ।
ମନ୍ଦିରତାଲାରେ ଏକ ତେଜରାତି ଦୋକାନର ମାଲିକ ଅମିତ ହାଲଦାର କୁହନ୍ତି, “ସେତେବେଳେ (ବାତ୍ୟା ପରେ) ମୋ ଦୋକାନରେ ଲୁଣ ଓ ତେଲ ଛଡ଼ା ଆଉ କିଛି ନଥିଲା। ସମୁଦ୍ର ଜୁଆର ଆସି ସବୁ କିଛି ବୁଡ଼ି ଯାଇଥିଲା। ଆମର ପୂର୍ବଜମାନେ ମଧ୍ୟ ଏପରି ବଡ଼ ବଡ଼ ସମୁଦ୍ର ଲହଡ଼ି କେବେ ଦେଖିନଥିଲେ। ସେଗୁଡ଼ିକ ଏତେ ଉଚ୍ଚ ଥିଲା ଯେ ଆମ ଭିତରୁ ଅଧିକାଂଶ ଲୋକଙ୍କୁ ବଞ୍ଚି ରହିବା ଲାଗି ବଡ଼ ବଡ଼ ଗଛ ଉପରକୁ ଚଢ଼ିବାକୁ ପଡ଼ିଥିଲା। କିଛି ମହିଳାମାନଙ୍କୁ ଦ୍ୱୀପର ଉଚ୍ଚସ୍ଥାନରେ ଥିବା ଗଛରେ ବାନ୍ଧି ଦିଆଯାଇଥିଲା, ଯାହାଫଳରେ ସେମାନେ ସମୁଦ୍ର ଢେଉରେ ଭାସିନଯିବେ। ସମୁଦ୍ର ପାଣି ସେମାନଙ୍କ ବେକ ଉଚ୍ଚ ପର୍ଯ୍ୟନ୍ତ ମାଡ଼ି ଯାଇଥିଲା। ଆମେ ଆମର ଅଧିକାଂଶ ଗୃହପାଳିତ ପଶୁମାନଙ୍କୁ ବଞ୍ଚାଇ ପାରିଲୁ ନାହିଁ।”
୨୦୧୪ର ଏକ ଅଧ୍ୟୟନ ଅନୁଯାୟୀ, ସୁନ୍ଦରବନରେ ଜଳବାୟୁ ପରିବର୍ତ୍ତନର ସଙ୍କଟ ଯୋଗୁଁ ସମୁଦ୍ର ପତନ ବୃଦ୍ଧି ପାଇବା ସହିତ ଜଟିଳ ଜଳପ୍ଳାବନ ସମସ୍ୟା ଦେଖାଦେଉଛି। ଯାହାଫଳରେ ଘୋଡ଼ମାରାରେ ସମୁଦ୍ର ତଟ କ୍ଷୟ ଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି। ଏହି ଦ୍ୱୀପର ମୋଟ ଭୂମି କ୍ଷେତ୍ରଫଳ ୧୯୭୫ରେ ୮.୫୧ ବର୍ଗମିଟର ଥିଲା ଯାହାକି ୨୦୧୨ରେ ହ୍ରାସ ପାଇ ମାତ୍ର ୪.୪୩ ବର୍ଗକିମି ରହିଯାଇଛି। ବାରମ୍ବାର ସ୍ଥାନାନ୍ତର ଏବଂ ଧୀରେ ଧୀରେ ପ୍ରାକୃତିକ ପରିବେଶ କ୍ଷୟ କାରଣରୁ ଏହି ଦ୍ୱୀପରେ ପ୍ରବାସ ହାର ଅଧିକ ଥିବା ଅଧ୍ୟୟନରେ ଦର୍ଶାଯାଇଥିଲା। ୨୦୦୧ରେ ଘୋଡ଼ାମାରାର ଜନସଂଖ୍ୟା ୫,୨୩୬ ଥିବା ବେଳେ ୨୦୧୧ରେ ଏହା ୫.୧୯୩କୁ ହ୍ରାସ ପାଇଥିଲା। ଏହା ପ୍ରବାସ କାରଣରୁ ହୋଇପାରେ ବୋଲି ଅଧ୍ୟୟନକାରୀମାନେ ମତବ୍ୟକ୍ତ କରିଥିଲେ।
ସେମାନଙ୍କର ଦୁର୍ଭାଗ୍ୟ ସତ୍ତ୍ୱେ, ଘୋଡ଼ାମାରା ବାସିନ୍ଦା ପରସ୍ପରକୁ ସହାୟତା କରିଥାନ୍ତି। ସେପ୍ଟେମ୍ବର ମାସର ସେହି ଦିନ, ହାତଖୋଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀର ସମସ୍ତ ଆଶ୍ରିତମାନେ ୬ ମାସର ଶିଶୁ ଅଭିକର ଅନ୍ନପ୍ରାଶନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ଏହି ସମାରୋହରେ ଛୋଟ ଶିଶୁକୁ ପ୍ରଥମ ଥର ପାଇଁ ଭାତ ଖାଇବାକୁ ଦିଆଯାଇଥାଏ। ସଙ୍କୁଚିତ ହେଉଥିବା ଭୂଖଣ୍ଡର ଏହିସବୁ ପରିବେଶ ଶରଣାର୍ଥୀମାନଙ୍କୁ ଅନିଶ୍ଚିତ ଜୀବନ ନେଇ ବଞ୍ଚିବା ଲାଗି ଅଭ୍ୟସ୍ତ କରି ଦେଇଛି- ତେଣୁ ସେମାନେ ନିଜର ଘର ପୁଣିଥରେ ତିଆରି କରୁଛନ୍ତି କିମ୍ବା ଏକ ନୂଆ ବାସସ୍ଥାନ ସନ୍ଧାନରେ ଚାଲି ଯାଉଛନ୍ତି।
ଅନୁବାଦ : ଓଡ଼ିଶାଲାଇଭ୍