ଏହା ଥିଲା ଏକ ଅପ୍ରତ୍ୟାଶିତ ଯାଦୁଖେଳ ଭଳି। ତାଙ୍କ ଦୋକାନ ପଛପଟେ ରଖାଯାଇଥିବା ଗୋଟିଏ ପୁରୁଣା ବାକ୍ସରୁ ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜିନିଷ ବାହାର କରିଚାଲିଥିଲେ ଡି.ଫାତିମା। ପ୍ରତିଟି ଜିନିଷରେ ଥିଲା କଳା ନୈପୁଣ୍ୟର ନମୁନା: ବଡ଼ ବଡ଼, ଟାଣ ଟାଣ ମାଛ। ଦିନେ ଯେଉଁ ସବୁ ମାଛ ତୁତୁକୁଡ଼ିଠାରୁ ବହୁ ଦୂର ଗଭୀର ସମୁଦ୍ରରେ ରହୁଥିଲେ, ସେଗୁଡ଼ିକ ଆଜି ଖରା, ଲୁଣ ଓ ସୁଦକ୍ଷ ହାତର କୌଶଳ ବଳରେ ଶୁଖୁଆ ପାଲଟି ଯାଇଛନ୍ତି।
ହାତରେ ଗୋଟିଏ କାଟ୍ଟା ପାରା ମୀନ (ରାଣୀ ମାଛ) ଉଠାଇ ତାଙ୍କ ମୁହଁ ପାଖରେ ଧରନ୍ତି ସେ। ମାଛଟି ତାଙ୍କ ଉଚ୍ଚତାର ଅଧା ଉଚ୍ଚ ହେବ ଏବଂ ତା’ର ବେକ ତାଙ୍କ ହାତ ଭଳି ଚଉଡ଼ା। ଗୋଟିଏ ଧାରୁଆ ଛୁରୀରେ ମାଛର ପାଟି ପାଖରୁ ଲାଞ୍ଜ ଯାଏ କାଟି ଦିଅନ୍ତି ସେ। ମାଛର ମାଂସଳ ଶରୀର ଦୁଇ ଫାଳ ହୋଇଯାଏ। ପେଟରୁ ଅନ୍ତପୁଟା ବାହାର କରି କାଟ୍ଟା ପାରା ଭିତରେ ସେ ଲୁଣ ଭରି ଦିଅନ୍ତି ଏବଂ ଟାଣ ଖରାରେ ଶୁଖାଇ ଦିଅନ୍ତି। ଏ ଖରା ଏତେ ଟାଣ ଯେ, ଯାହା ଉପରେ ପଡ଼ିବ ତାକୁ ଶୁଖାଇ ଖଡ଼ଖଡ଼ କରିଦେବ, ତେଣିକି ମାଛ ହେଉ କି ମାଟି, କିମ୍ବା ମଣିଷ...।
ତାଙ୍କ ମୁହଁ ଓ ହାତର ରେଖା ଶୁଣାଏ ଏକ ତତଲା କାହାଣୀ। ହେଲେ ଭିନ୍ନ ଏକ କାହାଣୀ ଆରମ୍ଭ କରନ୍ତି ସେ। ଭିନ୍ନ ଏକ ଯୁଗର କାହାଣୀ, ଯେବେ ତାଙ୍କ ଆଛି (ଆଈ ମା’) ମାଛରେ ଲୁଣ ଦେଇ ବିକୁଥିଲେ। ଭିନ୍ନ ଏକ ସହରର ଏବଂ ବସ୍ତିର କାହାଣୀ, ଯେଉଁଠି ତାଙ୍କ ପୁରୁଣା ଘର ପାଖ ଦେଇ, ରାସ୍ତା କଡ଼େ କଡ଼େ ବହି ଯାଉଥିଲା ଅଳ୍ପ କେଇ ଫୁଟ୍ ଚଉଡ଼ାର କେନାଲଟିଏ। ଏବଂ ୨୦୦୪ର ସୁନାମିରେ କାଦୁଅ ଓ ଆବର୍ଜନାରେ ଭରି ଯାଇଥିଲା ସେମାନଙ୍କ ଘର, ଏବଂ ଜୀବନ। ଏହା ସହିତ ନୂଆ ଗୋଟିଏ ଘର ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ସେଥିରେ ଗୋଟିଏ ସମସ୍ୟା ଥିଲା। ସେମାନଙ୍କ ରହିବା ପାଇଁ ନିର୍ମିତ ଘରଟି ଥିଲା, ଫାତିମାଙ୍କ କହିବା ଅନୁସାରେ “ରୋମ୍ଭ ଦୂରମ୍ (ବହୁ ଦୂରରେ)”। ଗୋଟିଏ ପଟକୁ ମୁଣ୍ଡ ହଲାଇ ଏବଂ ଦୂରତା ଦେଖାଇବା ପାଇଁ ଗୋଟିଏ ହାତ ବଢ଼ାଇ ଏହା କହନ୍ତି ସେ। ବସ୍ରେ ଯିବା ପାଇଁ ପ୍ରାୟ ଅଧା ଘଣ୍ଟା ଲାଗେ ଏବଂ ଯାହା ହେଲେ ବି ମାଛ କିଣିବା ପାଇଁ ସେମାନଙ୍କୁ ସମୁଦ୍ରକୂଳକୁ ଆସିବାକୁ ପଡ଼େ।
ନଅ ବର୍ଷ ପରେ, ଫାତିମା ଏବଂ ତାଙ୍କ ଭଉଣୀମାନେ ସେମାନଙ୍କ ପୁରୁଣା ଜାଗାକୁ ଫେରିଆସିଲେ। ତାହା ହେଉଛି, ତରେସପୁରମ୍- ତୁତୁକୁଡ଼ି ସହରର ଶେଷମୁଣ୍ଡରେ ଅବସ୍ଥିତ ଏକ ଅଞ୍ଚଳ। ତାଙ୍କ ଘରକୁ ଲାଗି ରହିଥିବା କେନାଲଟି ଓସାରିଆ ହୋଇଯାଇଥିଲେ ହେଁ ପାଣିର ଧାର ମନ୍ଥର ହୋଇ ଯାଇଥିଲା। ଏବେ ଏଠାକାର ଅପରାହ୍ଣ ବି ସ୍ଥିର ହୋଇଯାଇଛି। ସେହି ଶୁଖୁଆ ଭଳି ସ୍ଥିର। ସତେ ଯେମିତି ଏହି ମହିଳାମାନଙ୍କ ଜୀବନକୁ କିଛିଟା ଲୁଣ ଓ ପ୍ରଚୁର ଖରାରେ ସଂରକ୍ଷିତ ରଖାଯାଇଛି।
ବିବାହ କରିବା ପର୍ଯ୍ୟନ୍ତ ତାଙ୍କ ଆଈ ମା’ଙ୍କ ମାଛ ବ୍ୟବସାୟ କରୁଥିଲେ ୬୪ ବର୍ଷୀୟା ଫାତିମା। ଦୁଇ ଦଶନ୍ଧି ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ପୁଣି ଏହି ବ୍ୟବସାୟକୁ ଫେରିଲେ। ଫାତିମା ମନେ ପକାନ୍ତି, ତାଙ୍କ ବୟସ ଆଠ ବର୍ଷ ହୋଇଥିବା ବେଳେ ଜାଲରେ ପଡ଼ି କୂଳକୁ ଅଣାଯାଉଥିବା ମାଛମାନେ ଜୀବନ ସହିତ ସଂଘର୍ଷ କରି ଥରୁଥିଲେ, ଛଟପଟ ହେଉଥିଲେ। ଏତେ ତାଜା ଥିଲା ସେ ସମୟର ମାଛ। ଏବେ, ପାଖାପାଖି ୫୬ ବର୍ଷ ପରେ, ସବୁ ଖାଲି ‘ବରଫ ମୀନ (ମାଛ)’ ବୋଲି ସେ କହନ୍ତି। ମାଛକୁ ବରଫରେ ପ୍ୟାକ୍ କରିବା ଲାଗି ଡଙ୍ଗାରେ ବରଫ ବୋଝେଇ କରି ନିଆଯାଏ। ବଡ଼ ବଡ଼ ମାଛ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୁଏ। “ସେ ସମୟରେ, ଆମେ ଅଣା, ପଇସାରେ ବେପାର କରୁଥିଲୁ ଏବଂ ଶହେ ଟଙ୍କା କହିଲେ ବହୁତ ବେଶୀ ଟଙ୍କା, ଏବେ ହଜାର ଆଉ ଲକ୍ଷରେ କାରବାର।”



























