ସମ୍ପାଦକଙ୍କ ଟିପ୍ପଣୀ: ଏହା ହେଉଛି ତାମିଲନାଡୁର ସାତଟି ଫସଲ ଉପରେ ଆଧାରିତ କାହାଣୀ ଯାହାର ଶୀର୍ଷକ ‘ସେମାନଙ୍କୁ ଭାତ ଖାଇବାକୁ ଦିଅ’ ପର୍ଯ୍ୟାୟର ପ୍ରଥମ କାହାଣୀ ।  ଏହି ପର୍ଯ୍ୟାୟରେ ଦୁଇ ବର୍ଷ ମଧ୍ୟରେ ପରୀ ୨୧ଟି ମଲ୍ଟିମିଡିଆ ବିବୃତି ପ୍ରକାଶ କରିବ, ଯେଉଁଥିରେ କୃଷକମାନଙ୍କର ଜୀବନ ସେମାନଙ୍କ ଫସଲର ଦୁନିଆ ମାଧ୍ୟମରେ ପ୍ରତିଫଳିତ ହେବ । ଅପର୍ଣ୍ଣା କାର୍ତ୍ତିକେୟନ୍‌ଙ୍କ ଦ୍ୱାରା ଲିଖିତ ଏହି ସିରିଜ୍ ପାଇଁ ଅଜିମ୍‌ ପ୍ରେମଜୀ ବିଶ୍ୱବିଦ୍ୟାଳୟ, ବେଙ୍ଗାଲୁରୁଠାରୁ ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଛି।

ଥୁଥୁକୁଡ଼ି ଆକାଶରେ ସୂର୍ଯ୍ୟ -ସ୍ୱର୍ଣ୍ଣିମ ଓ ମନୋରମ – ଉଦୟ ହେବା ବେଳକୁ, ରାଣୀ ତା’ ପୂର୍ବରୁ କାର୍ଯ୍ୟସ୍ଥଳରେ ପହଞ୍ଚି ସାରିଥାନ୍ତି । କାଠର ଏକ ଲମ୍ବା ଆହୁଲା ଧରି ସେ ରୋଷେଇଘରର ସବୁଠାରୁ ସାଧାରଣ ଅଥଚ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ଏକାଠି କରନ୍ତି : ଲୁଣ।

ସେ କାମ କରୁଥିବା ଚାରିକୋଣିଆ ପ୍ଲଟ୍‌ର ନିମ୍ନଭାଗକୁ ରାମ୍ପି, କ୍ଷଣିକେ କଡ଼ମଡ଼, କ୍ଷଣିକେ ପଚ୍‌ ପଚ୍‌ ହେଉଥିବା ପୃଷ୍ଠରେ ଚାଲିଚାଲି, ସେ ଧଳା ଦାନାଗୁଡ଼ିକୁ ଗୋଟିଏ ପାଖରେ ଗଦା କରନ୍ତି।  ଯେଉଁ ସ୍ଥାନରେ ସେ ଏଗୁଡିକୁ ନେଇ ଗଦା କରନ୍ତି, ସେଠାକୁ ପ୍ରତ୍ୟେକଥର କ୍ଷୁଦ୍ର ଅଥଚ କ୍ଳାନ୍ତିକର ଯାତ୍ରା କରିବା ସହିତ ସେଠାରେ ଦାନାର ପାହାଡର ଉଚ୍ଚତା ବୃଦ୍ଧି ପାଏ, ଆଉ ତାଙ୍କର କାମ ମଧ୍ୟ କଠିନ ହୋଇଯାଏ । କାରଣ, ପ୍ରତ୍ୟେକଥର ଯେତେବେଳେ ସେ ଏପରି କରନ୍ତି, ଏହି ୬୦ ବର୍ଷ ବୟସ୍କ ବୃଦ୍ଧା ଜଣକ ସେହି ପାହାଡ଼ରେ ପ୍ରାୟ ୧୦କେ.ଜିରୁ ଅଧିକ ଓଦା ଲୁଣ ମିଶାଇଥାନ୍ତି, ଯାହା ତାଙ୍କର ଶରୀରର ଓଜନର ଏକ-ଚତୁର୍ଥାଂଶରୁ ଅଳ୍ପ କମ୍‌ ହେବ ।

ଆଉ, ୧୨୦ X ୪୦ଫୁଟ୍‌ର ପ୍ଲଟ୍‌ଟି ସକାଳର ପାଉଁଶିଆ ଆକାଶ ଓ ତାଙ୍କର ନିଜର ଗତିଶୀଳ ଛାୟାର ଏକ ଜଳୀୟ ପ୍ରତିଫଳନ ନ ହୋଇଯିବା ପର୍ଯ୍ୟନ୍ତ, ସେ ସେଠାରେ ଅବିରତ କାମ କରନ୍ତି । ଗତ ୫୨ବର୍ଷ ହେବ ଏହି ଲବଣାକ୍ତ ଦୁନିଆ ତାଙ୍କର କାର୍ଯ୍ୟସ୍ଥଳୀ ହୋଇ ରହିଛି, ଯେପରି ତାଙ୍କ ପୂର୍ବରୁ ତାଙ୍କର ବାପାଙ୍କର ଥିଲା ଓ ବର୍ତ୍ତମାନ ତାଙ୍କ ପୁଅଙ୍କର । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଏସ୍‌.ରାଣୀ ମତେ ତାଙ୍କର କାହାଣୀ କୁହନ୍ତି। ଆଉ ଦକ୍ଷିଣ ତାମିଲନାଡୁର ଥୁଥୁକୁଡ଼ି ଜିଲ୍ଲାର ୨୫ ହଜାର ଏକରର ଲୁଣ କିଆରିର ମଧ୍ୟ ।

ମାର୍ଚ୍ଚରୁ ଅକ୍ଟୋବର ମଧ୍ୟ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଏହି ଜିଲ୍ଲାର ଜଳବାୟୁ ଉତ୍ତପ୍ତ ଓ ଶୁଷ୍କ ରହୁଥିବାରୁ ଏହା ଲୁଣ ଉତ୍ପାଦନ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ, ଯେଉଁଠାରେ ଛଅ ମାସ ପର୍ଯ୍ୟନ୍ତ ନିରନ୍ତର ଉତ୍ପାଦନର ନିଶ୍ଚିତତା ରହିଛି । ଏହା ହେଉଛି ତାମିଲନାଡୁର ସର୍ବବୃହତ୍‌ ଉତ୍ପାଦକ ଓ ଏହି ରାଜ୍ୟରେ ସମଗ୍ର ଦେଶରେ ଉତ୍ପାଦନ ହେଉଥିବା ମୋଟ ଲୁଣର ପାଖାପାଖି ୧୧ପ୍ରତିଶତ  ବା ୨.୪ ମିଲିୟନ୍‌ ଟନ୍‌ ଲୁଣ ଉତ୍ପାଦନ ହୋଇଥାଏ । ଏକଥା ସତ ଯେ ଏହାର ସିଂହ ଭାଗ  ଗୁଜୁରାଟରୁ ଆସିଥାଏ ଯେଉଁଠାରେ ୧୬ ମିଲିୟନ୍‌ ଟନ୍‌ରୁ ଅଧିକ ବା ଦେଶରେ ଆଦାୟ ହେଉଥିବା ବାର୍ଷିକ ହାରାହାରି ଲୁଣର ପରିମାଣ, ୨୨ ମିଲିୟନ ଟନ୍‌ର  ୭୬ ପ୍ରତିଶତ ଉତ୍ପାଦିତ ହୋଇଥାଏ । ଜାତୀୟସ୍ତରର ଏହି ପରିମାଣ ମଧ୍ୟ ୧୯୪୭ରେ ଭାରତରେ ଉତ୍ପାଦନ ହେଉଥିବା ୧.୯ ମିଲିୟନ ଟନ୍‌ର ତୁଳନାରେ ବହୁତ ଅଧିକ ଅଟେ ।

ବର୍ତ୍ତମାନ ହେଉଛି ୨୦୨୧ର ମଧ୍ୟ-ସେପ୍ଟେମ୍ବର ସମୟ ଓ ଏହା ହେଉଛି ଥୁଥୁକୁଡ଼ିର ରାଜା ପଣ୍ଡି ନଗର ପାଖରେ ଥିବା ଲୁଣ କିଆରିକୁ ପରୀର ପ୍ରଥମ ଗସ୍ତ । ରାଣୀ ଓ ତାଙ୍କର ସହକର୍ମୀମାନେ ସନ୍ଧ୍ୟାବେଳେ କଥାବାର୍ତ୍ତା ହେବାକୁ ଆମ ସହିତ ସାକ୍ଷାତ କରିଥିଲେ, ସେମାନେ ସମସ୍ତେ ଏକ ନିମ ଗଛ ତଳେ ବୃତ୍ତାକାରରେ ପଡିଥିବା ଚୌକି ଉପରେ ବସିଥିଲେ । ଆମ ପଛରେ ସେମାନଙ୍କ ଘରଗୁଡିକ ଥିଲା, ଯାହା ମଧ୍ୟରୁ କିଛି ଇଟା କାନ୍ଥ ଓ ଆଜ୍‌ବେଷ୍ଟସ୍‌ର ଛାତରେ ନିର୍ମିତ ହୋଇଥିବାବେଳେ ଅନ୍ୟଗୁଡିକ କୁଡ଼ିଆ ଥିଲା ଯାହାର ଛପର ଭୁଷୁଡ଼ିବା ଅବସ୍ଥାରେ ଥିଲା ।  ‘ଲୁଣ ଶାଳା’ ବା ଯେଉଁଠାରେ ଲୁଣ ପ୍ରସ୍ତୁତ ହୋଇଥାଏ, ତାହା ରାସ୍ତାର ଠିକ୍‌ ଅପର ପାର୍ଶ୍ୱରେ ଥିଲା – ସେମାନଙ୍କ କାର୍ଯ୍ୟସ୍ଥଳ, ଅନେକ ପିଢ଼ିର । କଥାବାର୍ତ୍ତା ଆରମ୍ଭ ହେବା ବେଳକୁ ଆଲୋକ ପ୍ରାୟତଃ କ୍ଷୀଣ ହୋଇଯାଇଥିଲା । ଆଉ, କଥାବାର୍ତ୍ତା ଯାହା ସୋଡିୟମ୍‌ କ୍ଲୋରାଇଡ୍‌ NaCl ତିଆରିର ଜଟିଳ ପ୍ରକ୍ରିୟା ବିଷୟରେ ବୁଝାଉଥିବା ଏକ ଶ୍ରେଣୀ, ଏକ ଦ୍ରୁତ ଶିକ୍ଷାରେ ରୂପାନ୍ତରିତ ହୋଇଯାଇଥିଲା ।

At dawn, Thoothukudi's salt pan workers walk to their workplace, and get ready for the long hard hours ahead (Rani is on the extreme right in a brown shirt)
PHOTO • M. Palani Kumar
At dawn, Thoothukudi's salt pan workers walk to their workplace, and get ready for the long hard hours ahead (Rani is on the extreme right in a brown shirt)
PHOTO • M. Palani Kumar

ପ୍ରାତଃ ସମୟରେ, ଥୁଥୁକୁଡ଼ି ର ଲୁଣ କ୍ଷେତର ଶ୍ରମିକମାନେ ସେମାନଙ୍କ କାର୍ଯ୍ୟସ୍ଥଳକୁ ଚାଲିଚାଲି ଯାଉଛନ୍ତି  ଓ  ଆଗକୁ ସମ୍ମୁଖିନ ହେବାକୁ ଥିବା ଦୀର୍ଘ କଷ୍ଟଦାୟକ କାର୍ଯ୍ୟ ଅବଧି ପାଇଁ ପ୍ରସ୍ତୁତ ହେଉଛନ୍ତି (ରାଣୀ  ମାଟିଆ ସାର୍ଟ ପିନ୍ଧି  ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଛନ୍ତି)

ଥୁଥୁକୁଡ଼ିର ଏଇ ‘ଫସଲ’ ଉପମୃତ୍ତିକାର ଲୁଣିଆ ଜଳ, ଯେଉଁଥିରେ ଲୁଣର ସାନ୍ଦ୍ରତା ଅଧିକ ଓ ଯାହା ସମୂଦ୍ର ଜଳଠାରୁ ମଧ୍ୟ ଅଧିକ ଲବଣାକ୍ତ,ରୁ ଆଦାୟ ହୋଇଥାଏ । ଏହାକୁ ବୋର୍‌-ୱେଲ୍‌ ସହାୟତାରେ ଉପରକୁ ଉଠାଯାଏ । ୮୫ ଏକରର ଲୁଣ କିଆରି ଯେଉଁଠାରେ ରାଣୀ ଓ ତାଙ୍କର ସାଙ୍ଗମାନେ କାମ କରନ୍ତି, ସେଠାରେ ସାତଟି ବୋର୍‌ୱେଲ୍‌ ଚାରିଇଂଚ ଉଚ୍ଚତା ପର୍ଯ୍ୟନ୍ତ ଜମିକୁ ଜଳମଗ୍ନ କରନ୍ତି । (ପ୍ରତ୍ୟେକ ଏକରକୁ ପାଖାପାଖି ନଅଟି ପ୍ଲଟରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ଭାଗର ଧାରଣ  କ୍ଷମତା ଆନୁମାନିକ ଭାବେ ଚାରି ଲକ୍ଷ ଲିଟର ଅଟେ । ଏହାର ପରିମାଣ ୪୦ଟି ବଡ଼ ୧୦,୦୦୦ ଲିଟର ପାଣି ଟାଙ୍କିର ଧାରଣ କ୍ଷମତା ସହିତ ସମାନ ହେବ।)

ନିଜର ୫୬ ବର୍ଷର ଜୀବନକାଳ ମଧ୍ୟରୁ ଅଧିକାଂଶ ସମୟ ଜଣେ ଲୁଣ ଶ୍ରମିକ ଭାବେ ଅତିବାହିତ କରିଥିବା ବି.ଆନ୍ଥୋନି ସାମିଙ୍କ ଭଳି ବୋଧହୁଏ କ୍ୱଚିତ ବ୍ୟକ୍ତି ଥିବେ ଯେଉଁମାନେ ଉପ୍ପଲମ୍‌ର (ଲୁଣ କିଆରି)ର ରୂପରେଖକୁ ଭଲ ଭାବେ ବୁଝିପାରୁଥିବେ ବା ବୁଝାଇ ପାରୁଥିବେ । ତାଙ୍କର କାମ ହେଉଛି ବିଭିନ୍ନ ଲୁଣ କିଆରିରେ ପାଣି ସ୍ତର ପରିଚାଳନା କରିବା । ସାମି କିଆରିଗୁଡିକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରନ୍ତି, ପ୍ରଥମ ଆନ୍ ପାତି (ପୁରୁଷ କିଆରି) ଯାହା ଅଗଭୀର କୁତ୍ରିମ ଲୁଣ କିଆରିରେ ‘ବାଷ୍ପୀକରଣକାରୀ’ ଭାବେ କାମ କରିଥାଏ, ଯେଉଁଠାରେ ପାଣି ପ୍ରାକୃତିକ ଉପାୟରେ ଶୁଖି ଅପସାରିତ ହୋଇଥାଏ, ଆଉ, ଦ୍ୱତୀୟ ପେନ୍ ପାତି (ମହିଳା କିଆରି) ଯାହା କ୍ରିଷ୍ଟାଲାଇଜର୍‌ ବା ସ୍ପଟିକ ଭାବେ କାର୍ଯ୍ୟ କରି ଲୁଣ ପ୍ରସ୍ତୁତ କରିଥାଏ ।

“ପ୍ରଥମେ ଲୁଣିଆ ଜଳକୁ ପମ୍ପ ସହାୟତାରେ ଉପରକୁ ଉଠାଯାଏ ଓ ବାଷ୍ପିକରଣକାରୀକୁ ପୂର୍ଣ୍ଣ କରାଯାଏ,” ବୋଲି ସେ କୁହନ୍ତି।

ତାପରେ ସେ ବୈଷୟିକ କୌଶଳ ପ୍ରୟୋଗ କରନ୍ତି ।

ଲବଣତା ହାରକୁ ବାଉମେ ହାଇଡ୍ରୋମିଟର, ତରଳର ବିଶିଷ୍ଟ ଗୁରୁତ୍ୱ ମାପ କରୁଥିବା ଏକ ଉପକରଣ, ଦ୍ୱାରା ଡିଗ୍ରୀ ଏକକରେ ମାପ କରାଯାଏ । ଦ୍ରବୀଭୂତ ଜଳର ‘ବାଉମେ ଡିଗ୍ରୀ’ ହେଉଛି ଶୂନ । ସମୂଦ୍ର ଜଳ ପାଇଁ ଏହା ୨ରୁ ୩ ମଧ୍ୟରେ ସିମୀତ ଅଟେ। ସେହିପରି ବୋର୍‌ୱେଲ୍‌ ପାଣି ପାଇଁ ଏହାର ପରିମାଣ ୫ ରୁ ୧୦ଡିଗ୍ରୀ ମଧ୍ୟରେ ସିମୀତ । ଲୁଣ ୨୪ ଡିଗ୍ରୀରେ ତିଆରି ହୋଇଥାଏ । “ଜଳ ବାଷ୍ପୀଭୂତ ହୋଇ ଏହାର ଲବଣତା ବୃଦ୍ଧି ପାଇଲେ, ଏହାକୁ କ୍ରିଷ୍ଟାଲାଇଜର୍‌କୁ ପଠା ଯାଇଥାଏ,” ବୋଲି ସାମି କୁହନ୍ତି ।

The salinity is measured in degrees by a Baume hydrometer.
PHOTO • M. Palani Kumar
Carrying headloads from the varappu
PHOTO • M. Palani Kumar

ବାମ : ଲବଣତା ଡିଗ୍ରୀ ଏକକରେ ବାଉମେ ହାଇଡ୍ରୋମିଟର ଦ୍ୱାରା ମାପ କରାଯାଏ । ଡାହାଣ : ବରପ୍ପୁରୁ ମୁଣ୍ଡରେ ବୋଝ ମୁଣ୍ଡାଇ ବୋହୁଛନ୍ତି

ପରବର୍ତ୍ତୀ ଦୁଇ ସପ୍ତାହ ପର୍ଯ୍ୟନ୍ତ, ଏଠାକାର ମହିଳାମାନେ ସେମାନଙ୍କ ପଛରେ ଏକ ଅସ୍ୱାଭାବିକ ଭାବେ ଲମ୍ବା ଓ ଓଜନିଆ ଲୁହାର ଦାନ୍ତି କୋଦାଳକୁ ଘୋଷାଡ଼ି ଘୋଷାଡ଼ି ନେବେ, ଯାହା ସାହାଯ୍ୟରେ ସେମାନେ ପ୍ରତିଦିନ ସକାଳେ ପାଣିକୁ ଘାଣ୍ଟିଥାନ୍ତି । ସେମାନେ ଏହାକୁ ଗୋଟିଏ ଦିନ ଲମ୍ବରେ ଓ ତା’ପର ଦିନ ପ୍ରସ୍ଥରେ ରାମ୍ପନ୍ତି, ଯାହାଫଳରେ ଲବଣ ଦାନାଗୁଡ଼ିକ କିଆରିର ନିମ୍ନ ଅଂଶରେ ଜମିଯାଏ ନାହିଁ କିମ୍ବା ଏହା ଉପରେ କଠିନ ଆବରଣ ତିଆରି ହୁଏନାହିଁ । ପ୍ରାୟ ୧୫ଦିନ ପରେ, ଉଭୟ ମହିଳା ଓ ପୁରୁଷମାନେ ଏକ ବିରାଟାକାୟ କାଠ ଆହୁଲା ବ୍ୟବହାର କରି ଲୁଣଗୁଡ଼ିକୁ ଏକତ୍ର କରନ୍ତି । ତା’ପରେ ସେମାନେ ଏହାକୁ ବରପ୍ପୁ – କିଆରିଗୁଡ଼ିକ ମଧ୍ୟରେ ରହିଥିବା ହିଡ଼-ରେ ସଂଗ୍ରହ କରିଥାନ୍ତି ।

ତା’ପରେ ଆରମ୍ଭ ହୁଏ ପ୍ରକୃତ ଭାର ଉଠାଇବା କାମ: ମହିଳା ଓ ପୁରୁଷମାନେ ବରପ୍ପୁରୁ ମୁଣ୍ଡରେ ବୋଝ ଉଠାଇ ଆଣନ୍ତି ଓ ଏହାକୁ ଉଚ୍ଚ ଭୂମିରେ ଖାଲି କରନ୍ତି । ପ୍ରତ୍ୟେକ ବ୍ୟକ୍ତିକୁ ବରପ୍ପୁର କେତୋଟି ଲମ୍ବା ପଟିର ଦାୟିତ୍ୱ ପ୍ରଦାନ କରାଯାଇଥାଏ, ଯେଉଁଥିରୁ ସେମାନେ ପ୍ରତିଦିନ ସାଧାରଣତଃ ୫ରୁ ୭ ଟନ୍‌ ଓଜନ, ଯାହା ଏକ ବିଶାଳ ପରିମାଣ, ଲୁଣ ମାରିଥାନ୍ତି ତଥା ସେମାନଙ୍କ ମୁଣ୍ଡରେ ବୋଝେଇ ବୋହି ନେଇଥାନ୍ତି । ଅର୍ଥାତ୍‌ ଦୈନିକ ସେମାନେ ୧୫୦ଥର ଯିବା ଆସିବା କରି, ପ୍ରତ୍ୟେକ ଥର ୧୫୦ ରୁ ୨୫୦ ଫୁଟ ଦୂରତା ଅତିକ୍ରମ କରି ଥରକୁ ପାଖାପାଖି ୩୫ କିଲୋଗ୍ରାମର ବୋଝ ନିଜ ମୁଣ୍ଡରେ ବୋହି ନିଅନ୍ତି। ସେମାନେ ଯେଉଁ ସ୍ଥାନରେ ସେମାନଙ୍କର ବୋଝ ଜମା କରନ୍ତି, ସେଠାକୁ ବାରମ୍ବାର ଯାଇ ସେମାନେ ଅତିଶୀଘ୍ର ଏକ ଛୋଟ ଗଦାକୁ ଏକ ବିରାଟ ପାହାଡ଼ରେ ରୂପାନ୍ତରିତ କରିଦିଅନ୍ତି ଓ ମଧ୍ୟାହ୍ନ ସୂର୍ଯ୍ୟ କିରଣରେ ଲୁଣ ହୀରା ଭଳି ଝଲସି ଉଠେ, ଏହି ଉତ୍ତପ୍ତ, ମାଟିଆ ଭୂମିର ବହୁମୂଲ୍ୟ ସମ୍ପତ୍ତି ପରି ।

*****

ଯେମିତି ଖାଦ୍ୟ ପାଇଁ ଲୁଣ, ସେମିତି  ପ୍ରେମିକର ତୁଚ୍ଛ କଳହ କେବେ ଭଲ ନୁହେଁ ଏହାର ଆଧିକ୍ୟ ’’

ତାହା ହେଉଛି ଥିରୁକୁରାଲର (ପବିତ୍ର ଦ୍ୱିପଦୀ)ର ଏକ ଦ୍ୱିପଦୀର ଅନୁବାଦ ଯାହା ଚେନ୍ଥିଲ ନାଥନଙ୍କ ଦ୍ୱାରା କରାଯାଇଥିଲା । ଏହା ହେଉଛି ତାମିଲ୍‌ କବି-ଯୋଗୀ ଥିରୁବଲ୍ଲୁବରଙ୍କ ଦ୍ୱାରା ଲିଖିତ ଥିରୁକୁରାଲରେ ୧୩୩୦ଟି ଦ୍ୱିପଦୀ ମଧ୍ୟରୁ ଗୋଟିଏ , ଯିଏ ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀ ବି.ସି.ଇ ଓ ୫ମ ଶତାବ୍ଦୀ ସି.ଇ ମଧ୍ୟବର୍ତ୍ତୀ କିଛି ସମୟ ମଧ୍ୟରେ ଜୀବିତ ଥିବା ବିଭିନ୍ନ ଐତିହାସିକମାନଙ୍କ ଦ୍ୱାରା ବିଶ୍ୱାସ କରାଯାଏ ।

ସରଳ ଭାଷାରେ କହିଲେ: ତାମିଲ ସାହିତ୍ୟରେ ଲୁଣ ଏକ ତୁଳନା ଓ ଉପମାର ଅଭିବ୍ୟକ୍ତି ଭାବେ ଦୁଇ ଦୁଇ ହଜାର ବର୍ଷ ପୂର୍ବେ ସ୍ଥାନ ପାଇଥିଲା । ଆଉ, ଏହା ବୋଧହୁଏ ଆଜି ଯାହା ତାମିଲନାଡୁର ଉପକୂଳରେଖା ଭାବେ ପରିଚିତ, ତା’ ଆଖପାଖରେ ବହୁ ପୂର୍ବରୁ ଆଦାୟ ହେଉଥିଲା।

ଚେନ୍ଥିଲ ନାଥନ ୨,୦୦୦ ବର୍ଷ ପୁରୁଣା ସଙ୍ଗମ ଯୁଗର ଏକ କବିତା ମଧ୍ୟ ଅନୁବାଦ କରିଛନ୍ତି, ଯେଉଁଥିରେ ଲୁଣ ବିନିମୟ କଥା ଉଲ୍ଲେଖ ରହିଛି । ଏବଂ ତଥାପି, ଏଠାରେ ପ୍ରେମିକମାନଙ୍କ ଉପରେ କେନ୍ଦ୍ରିତ ଏକ ପଦରେ ଉଲ୍ଲେଖ କରାଯାଇଛି ।

ମୋର ବାପା , ତାଙ୍କର କ୍ଷତ ଶୁଖିଯିବା ପରେ ,
ଯାହା ଭୟଙ୍କର ସାର୍କ ଶିକାର ବେଳେ ହୋଇଥିଲା ,
ନୀଳ ସମୂଦ୍ରକୁ ପୁଣି ଯାଇଛନ୍ତି
ମୋର ମା , ଲୁଣ ବଦଳରେ ଚାଉଳ ଆଣିବାକୁ
ଲୁଣ କିଆରିକୁ ଯାଇଛି
ମୁଁ ଭାବୁଛି , ଭଲହେବ ଯଦି ଏପରି ଜଣେ
ବନ୍ଧୁ ପାଖରେ ଥିବ , ଯିଏ କିଛି ନଭାବି
ଲମ୍ବା ଦୂରତା ଓ କ୍ଳା ନ୍ତିକର ପଥ ଚାଲିଚାଲି ଯିବ ଓ
ଶୀତଳ ଦୀର୍ଘ କୂଳର ସେହି ମଣିଷକୁ କହିବ ଯେ ,
ଯଦି ସେ ମୋତେ ଦେଖିବାକୁ ଚାହୁଁଛି , ଏହା ହେଉଛି ଆସିବାର ସମୟ !

PHOTO • M. Palani Kumar

ଏକ ଲମ୍ବା କାଠ ଆହୁଲାରେ, ରାଣୀ ସବୁଠାରୁ ସାଧାରଣ, ଅଥଚ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୋଷେଇଘରର ଅତ୍ୟାବଶ୍ୟକ ଜିନିଷ : ଲୁଣ ଏକାଠି କରନ୍ତି

ଲୋକକଥା ଓ ପ୍ରବାଦଗୁଡ଼ିକରେ ମଧ୍ୟ ଲବଣତା ନେଇ ଅନେକ ନୀତିବାକ୍ୟମାନ ରହିଛି । ରାଣୀ ସେ ମଧ୍ୟରୁ ଗୋଟିଏ ମୋତେ କୁହନ୍ତି, ଏକ ଜନପ୍ରିୟ ତାମିଲ ପ୍ରବଚନ, ଯାହା ହେଉଛି : ଉପ୍ପିଲା ପନ୍ଦମ କୁପ୍ପାୟିଲେ : ଲୁଣ ବିନା ଖାଦ୍ୟ ଅଖାଦ୍ୟ ସହିତ ସମାନ ତାଙ୍କ ସମ୍ପ୍ରଦାୟରେ ଲୁଣକୁ ହିନ୍ଦୁ ଶାସ୍ତ୍ରରେ ଧନସମ୍ପତ୍ତିର ଦେବୀ ଭାବେ ବିବେଚିତ ମାତା ଲକ୍ଷ୍ମୀ ବୋଲି ବିବେଚନା କରାଯାଇଥାଏ ଯେତେବେଳେ କେହି ଘର ବଦଳି କରେ, ଆମେ କିଛି ଲୁଣ , ହଳଦୀ ପାଣି ନେ ଇ ସେମାନଙ୍କ ନୂଆ ଘରେ ରଖିଦେଇ ଆସୁ । ଏହା ପବିତ୍ର ,” ବୋଲି ରାଣୀ କୁହନ୍ତି

ଲୋକପ୍ରିୟ ସଂସ୍କୃତିରେ, ଲୁଣ ହେଉଛି ଆନୁଗତ୍ୟର ପ୍ରତୀକ । ବାସ୍ତବରେ, ଲେଖକ ଏ.ଶିବସୁବ୍ରମଣିୟନଙ୍କ ଦୃଷ୍ଟିକୋଣରୁ ଦେଖିଲେ, ତାମିଲ୍‌ରେ ‘ବେତନ’ ପାଇଁ ବ୍ୟବହାର ହେଉଥିବା ଶବ୍ଦ ସମ୍ବଳମ୍‌ ହେଉଛି ଦୁଇଟି ଶବ୍ଦର ମିଶ୍ରଣ – ସମ୍ବା (ଯାହା ଧାନକୁ ସୂଚାଇଥାଏ) ଓ ଉପ୍ପୁଆଲମ୍‌ ( ଯେଉଁସ୍ଥାନରେ ଲୁଣ ଆଦାୟ ହୋଇଥାଏ) । ତାଙ୍କର ଆକର୍ଷଣକ୍ଷମ ପୁସ୍ତକ ଉପ୍ପିଟବରାଇରେ (ତାମିଲ୍‌ ସଂସ୍କୃତିରେ ଲୁଣ ଉପରେ ଆଧାରିତ ଏକ ମନୋଗ୍ରାଫ୍‌)ରେ ସେ ବହୁଳଭାବେ ବ୍ୟବହାର ହେଉଥିବା ଏକ ତାମିଲ ପ୍ରବାଦ – ଉପ୍ପିଟବରାଇ ଉଲ୍ଲାଲବୁମ୍ ନେନାଇ – ବିଷୟରେ ମଧ୍ୟ କହିଛନ୍ତି, ଯେଉଁଥିରେ ଆପଣଙ୍କୁ ସେହି ବ୍ୟକ୍ତିର କଥା ମନେ ରଖିବାକୁ କୁହାଯାଇଛି ଯିଏ ଆପଣଙ୍କ ଖାଦ୍ୟରେ ଲୁଣ ଦେଇଛି । ଅର୍ଥାତ୍‌, ଆପଣଙ୍କ ନିଯୁକ୍ତିକାରୀ।

ଲୁଣ ହେଉଛି, ଯେପରି ମାର୍କ କୁର୍ଲାନକ୍ସି ତାଙ୍କର ବ୍ୟାପକ ଓ ମନ୍ତ୍ରମୁଗ୍ଧକାରୀ ବହି  ସଲ୍ଟ : ଏ ୱାର୍ଲଡ୍‌ ହିଷ୍ଟ୍ରୀରେ କହିଛନ୍ତି, “ସର୍ବପ୍ରାଚୀନ ବିଶ୍ୱସ୍ତରୀୟ ବ୍ୟବସାୟଭିତ୍ତିକ ବସ୍ତୁଗୁଡିକ ମଧ୍ୟରୁ ଗୋଟିଏ ; ଏହାର ଉତ୍ପାଦନ ସର୍ବପ୍ରାଚୀନ ଶିଳ୍ପ ମଧ୍ୟରୁ ଗୋଟିଏ ଥିଲା ଓ ନିଶ୍ଚିତ ଭାବେ ଏହା ସର୍ବପ୍ରଥମ ରାଜକୀୟ ଏକାଧିକାର ।

ଏହି ନିତିଦିନିଆ ସାମଗ୍ରୀ ଭାରତର ଇତିହାସର ଧାରା ବଦଳାଇବାରେ ସହାୟକ ହୋଇଥିଲା, ଯେତେବେଳେ ମହାତ୍ମାଗାନ୍ଧୀ, ମାର୍ଚ୍ଚ-ଏପ୍ରିଲ ୧୯୩୦ରେ ପ୍ରଥମେ ଲୁଣ ଉପରେ ବ୍ରିଟିଶ୍‌ ରାଜ ଦ୍ୱାରା ବସାଯାଇଥିବା ଦମନକାରୀ କରକୁ ଅମାନ୍ୟ କରିଥିଲେ ଓ ଏହାକୁ ଗୁଜୁରାଟର ଦାଣ୍ଡିର କିଆରିଗୁଡ଼ି କରୁ ସଂଗ୍ରହ କରିବାକୁ ଦାଣ୍ଡି ଯାତ୍ରା କରିଥିଲେ । ତା’ପରେ ପୁଣି ସେହି ଏପ୍ରିଲ୍‌ରେ, ତାଙ୍କର ରାଜନୈତିକ ପ୍ରତିନିଧି ସି.ରାଜଗୋପାଳଚାରୀ ତାମିଲନାଡୁର ତ୍ରିଚିରାପଲ୍ଲୀଠାରୁ ବେଦରାନ୍ୟମ ପର୍ଯ୍ୟନ୍ତ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ । ଦାଣ୍ଡି ଯାତ୍ରା ଆଜି ମଧ୍ୟ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ପ୍ରମୁଖ ଅଧ୍ୟାୟ ହୋଇ ରହିଛି ।

*****

କ୍ଳାନ୍ତ ପରିଶ୍ରମ ପାଇଁ ମିଳୁଛି ନଗଣ୍ୟ ପାରିଶ୍ରମିକ
– ଆନ୍ଥୋନି ସାମି, ଲୁଣ କିଆରି ଶ୍ରମିକ

ରାଣୀଙ୍କ ପ୍ରଥମ ବେତନ ଥିଲା ଦିନକୁ ୧.୨୫ଟଙ୍କା । ତାହା ହେଉଛି ୫୨ବର୍ଷ ତଳର କଥା, ଯେତେବେଳେ ତାଙ୍କୁ ଆଠ ବର୍ଷ ବୟସ ହୋଇଥିଲା ଆଉ ସେ ଏକ ଲମ୍ବା ସ୍କର୍ଟ ପିନ୍ଧି କିଆରିରେ ଅକ୍ଳାନ୍ତ ପରିଶ୍ରମ କରୁଥିଲେ । ଆନ୍ଥୋନି ସାମି ମଧ୍ୟ ତାଙ୍କର ପ୍ରଥମ ପାଉଣା କଥା ମନେପକାନ୍ତି; ଟଙ୍କା ୧.୭୫; କିଛି ବର୍ଷ ପରେ ଏହା ୨୧ଟଙ୍କାକୁ ବୃଦ୍ଧି ପାଇଥିଲା ।  ଦଶନ୍ଧି ଦଶନ୍ଧି ଧରି ଶ୍ରମିକମାନେ ସଂଘର୍ଷ କରିବା ପରେ, ଆଜି, ମହିଳାମାନଙ୍କୁ ୩୯୫ଟଙ୍କା ଓ ପୁରୁଷମାନଙ୍କୁ ୪୦୫ଟଙ୍କା ଦୈନିକ ମଜୁରି ପ୍ରଦାନ କରାଯାଉଛି । ଆଉ ଏବେ ମଧ୍ୟ ସ୍ଥିତି ପୂର୍ବ ଭଳି ରହିଥିବା ସୂଚିତ କରନ୍ତି “ଅକ୍ଳାନ୍ତ ପରିଶ୍ରମ ପାଇଁ ମିଳୁଛି ନଗଣ୍ୟ ପାରିଶ୍ରମିକ”।

ଭିଡିଓ ଦେଖନ୍ତୁ: ଏହି ପୃଥିବୀର ଲୁଣ

“ନେରମ ଆଇଟୁ,” ବିଳମ୍ବ ହେଇଯାଉଛି, ରାଣୀଙ୍କ ପୁଅ ଥୁଥୁକୁଡ଼ିର ସ୍ୱତନ୍ତ୍ର ତାମିଲରେ ପରଦିନ ସକାଳ ୬ଟା ବେଳେ ପାଟିକରି କହିଲା । ଆମେ ସମସ୍ତେ କିଆରିରେ ପହଞ୍ଚି ସାରିଥିଲୁ ଓ ସେ କାମ ଆରମ୍ଭ କରିବାରେ ବିଳମ୍ବ ହେବାନେଇ ଚିନ୍ତିତ ଅଛି । ଦୂରରୁ କିଆରି ଏକ ପେଣ୍ଟିଂ ଭଳି ଦେଖାଯାଏ – ଆକାଶ ଲାଲ୍‌,ବାଇଗଣି ଓ ସୁନେଲି ରଙ୍ଗରେ ରଙ୍ଗା ହୋଇଛି; ପାଣିରେ ଆଲୋକ ପଡ଼ି ଏହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଝିଲ୍‌ମିଲ୍‌ ହେଉଛି,; ଆରାମଦାୟକ ମୃଦୁ ପବନ ବହୁଛି, ଏପରିକି ଦୂରବର୍ତ୍ତୀ କାରଖାନାଗୁଡ଼ିକ ମଧ୍ୟ ନିରୀହ ପ୍ରତିତ ହେଉଛି । ଏକ ମନୋରମ ଭୂ-ଦୃଶ୍ୟ ପରି ମନେହେଉଛି । ହେଲେ, ଏହା କେତେ ନିର୍ଦ୍ଦୟ ହୋଇପାରେ, ତାହା ମୁଁ ଅଧଘଣ୍ଟା ଭିତରେ ଜାଣିପାରିବି, ଯେତେବେଳେ ମୁଁ ଏଥିରେ କାମ କରିବି ।

ଲୁଣ କିଆରିର ମଧ୍ୟଭାଗରେ ଥିବା ଏକ ପୁରୁଣା ଆଶ୍ରୟସ୍ଥଳି – ବର୍ତ୍ତମାନ ଯାହା ଜୀର୍ଣ୍ଣ ଓ ଅପରିଚ୍ଛନ୍ନ – ରେ ମହିଳା ଓ ପୁରୁଷମାନେ ଏକତ୍ରିତ ହୁଅନ୍ତି ଓ କାମ ପାଇଁ ପ୍ରସ୍ତୁତ ହୁଅନ୍ତି । ମହିଳାମାନେ ସେମାନଙ୍କ ଶାଢୀ ଉପରେ ସାର୍ଟ ପିନ୍ଧନ୍ତି ଓ ସେମାନଙ୍କ ମୁଣ୍ଡ ଉପରେ ବୋଝ ଉଠାଇବା ସହଜ ହେବାପାଇଁ ସୂତା – କପଡାକୁ ଗୁଡାଇ ପାତ୍ର ଆକାର କରି ରଖନ୍ତି । ଶ୍ରମିକମାନେ ତା’ପରେ ସେମାନଙ୍କର ଯନ୍ତ୍ରପାତି ଉଠାଇ ଧରନ୍ତି ଯାହା ଆଲୁମିନିୟମ ସଟିସ୍‌ (ବାସ୍କେଟ୍‌) ଓ ବାଲ୍‌ଟି ଅଟେ, ଏହାସହିତ ପାଣି ବୋତଲ ଓ ଖାଦ୍ୟ ସାମଗ୍ରୀ – ପୁରୁଣା ଚାଉଳରୁ ପ୍ରସ୍ତୁତ ଖେଚୁଡି ଯାହା ଏକ ଷ୍ଟିଲ୍‌ ଥୁକୁ (ହେଣ୍ଡେଲ୍‌ ଯୁକ୍ତ ଏକ ଛୋଟ ଧାତୁର ପାତ୍ର)ରେ ରଖାଯାଇଛି, ତାହା ମଧ୍ୟ ଧରନ୍ତି । “ ଆଜି ଆମେ ଉତ୍ତର ଦିଗରେ ଅଗ୍ରସର ହେବା,” ବୋଲି କୁମାର ତାଙ୍କର ବାମ ଆଡ଼କୁ ନିର୍ଦ୍ଦେଶ କରି କହିଲେ ଓ ଦଳ ତାଙ୍କୁ ଅନୁସରଣ କଲା, ଆସନ୍ତା କିଛି ଘଣ୍ଟା ମଧ୍ୟରେ ସେମାନେ ପରିଷ୍କାର କରିବାକୁ ଥିବା ଲୁଣ କିଆରିର ଦୁଇ ଧାଡିରେ ପହଞ୍ଚିବା ପର୍ଯ୍ୟନ୍ତ ।

ସାଙ୍ଗେସାଙ୍ଗେ ସେମାନେ କାମରେ ଲାଗିଗଲେ । ମହିଳା ଓ ପୁରୁଷମାନେ ସେମାନଙ୍କ ପୋଷାକକୁ ଫୋଲ୍ଡ କରି ଉପରକୁ କରିଦେଲେ; ଶାଢ଼ି, ସାୟା ଓ ଧୋତିଗୁଡ଼ିକ ବର୍ତ୍ତମାନ ସେମାନଙ୍କର ଆଣ୍ଠୁରେ ଘଷିହେଉଛି। ଦୁଇ-ଫୁଟ ଉଚ୍ଚର ଜଳ ପ୍ରଣାଳୀ ପାରି ହୋଇ – ଏକ ବନ୍ଧୁର ଓ ପୂର୍ବ ନିର୍ମିତ ତାଳ କାଠ ‘ପୋଲ’ ଉପର ଦେଇ – ସେମାନେ ସେମାନଙ୍କ ବାଲ୍‌ଟି ସହାୟତାରେ ଲୁଣ ଉଠାଇ ସଟିସ୍‌ରେ ପକାନ୍ତି । ଆଉ, ସେହି ବାସ୍କେଟ୍‌ଗୁଡ଼ିକ ଥରେ ପୂର୍ଣ୍ଣ ହୋଇଯିବା ପରେ, ସେଗୁଡ଼ିକୁ ଭୂମି ଉପରୁ ଉଠାଇ ଜଣେ ଅନ୍ୟ ଜଣଙ୍କ ମୁଣ୍ଡ ଉପରେ ରଖିଦିଅନ୍ତି । ତାପରେ, ଦୃଢଭାବେ ବନ୍ଧା ହୋଇଥିବା ଏକ ଦଉଡ଼ି ଉପରେ ସନ୍ତୁଳନ ରକ୍ଷା କରି ଚାଲିବାକୁ ସମର୍ଥ କୌଣସି ଦକ୍ଷ ଚଲାଳି ଭଳି ସେମାନେ ମଧ୍ୟ ସେହି ସଂକୀର୍ଣ୍ଣ ପଥରେ – ଉଭୟ ପାଖରେ ପାଣି ଥାଏ -ଲମ୍ବା ପାହୁଣ୍ଡ ପକାଇ ଉପର ତଳ ହୋଇ – ମୁଣ୍ଡ ଉପରେ ୩୫କେଜିର ଲୁଣ ବୋଝ ମୁଣ୍ଡେଇ, ତାଳ କାଠର ପୋଲ ଉପରେ ଚଢି,  ଆଗେଇ ଚାଲନ୍ତି- ଏକ, ଦୁଇ, ତିନି ... ଛଅ ପାଦ ।

ପ୍ରତ୍ୟେକ ଯାତ୍ରାର ଶେଷରେ, କମନୀୟ ଭାବେ, ସେମାନେ ସଟିସ୍‌ର ସାମଗ୍ରୀକୁ ଭୂମି ଉପରେ ଅଜାଡ଼ି ଦିଅନ୍ତି, ସେଥିରୁ ଲୁଣ ଧବଳ ବର୍ଷା ଆକାରରେ ଝଡ଼ିପଡ଼େ, ଆଉ ତା’ପେର ସେମାନେ ଆଉ ଅଧିକ ଆଣିବା ପାଇଁ ଫେରି ଯାଆନ୍ତି ...ଆଉ ଏପରି ସେମାନେ ବାରମ୍ବାର କରନ୍ତି, ପ୍ରତ୍ୟେକ ଅନ୍ୟୂନ ୧୫୦ ଥର କରନ୍ତି, ଏପରିକି ବେଳେବେଳେ ୨୦୦ଥର ମଧ୍ୟ କରିଥାନ୍ତି, ସମସ୍ତ ଲୁଣ ଗୋଟିଏ ପାହାଡ଼ର ରୂପ ନେବା ପର୍ଯ୍ୟନ୍ତ, ୧୦ଫୁଟ୍‌ରୁ ଅଧିକ ଉଚ୍ଚ, ୧୫ଫୁଟରୁ ଅଧିକ ଚଉଡ଼ା ବିଶିଷ୍ଟ, ଏକ ଆମ୍ବାରମ୍‌ (ଗଦା), ଯାହା ସମୂଦ୍ର ଓ ସୂର୍ଯ୍ୟଙ୍କ ବରଦାନ ଯେତିକି, ତା’ଠାରୁ ଅଧିକ ହେଉଛି ରାଣୀ ଓ ତାଙ୍କ ଲୋକମାନଙ୍କର ଝାଳବୁହା ପରିଶ୍ରମର ଫଳ ।

କିଆରିର ଅପର ପାର୍ଶ୍ୱରେ ୫୩ ବର୍ଷ ବୟସ୍କା ଝାନ୍‌ସି ରାଣୀ ଓ ଆନ୍ଥୋନି ସାମି ସେମାନଙ୍କ କାମରେ ବ୍ୟସ୍ତ ଅଛନ୍ତି । ସେ (ସ୍ତ୍ରୀ) ଘାଣ୍ଟିବା ପାଇଁ ଦାନ୍ତି କୋଦାଳକୁ ଟାଣୁଛନ୍ତି, ସେ (ପୁରୁଷ) ସେଗୁଡିକୁ ଆହୁଲା ବ୍ୟବହାର କରି ଏକାଠି କରୁଛନ୍ତି । ଜଳ ମୃଦୁ, କୁଳୁକୁଳୁ ସାଲା-ସାଲା ନାଦ ସହିତ ଗତି କରୁଛି, ଲୁଣ କଡ଼ମଡ଼ ଶବ୍ଦ କରୁଛି । ଦିନର ତାତି ବଢ଼ିବାରେ ଲାଗିଛି, ଛାଇ ଅଧିକ କଳାଳିଆ ମନେ ହେଉଛି, ଏପରିକି ସେମାନଙ୍କ ପିଠି ସଳଖିବା ପାଇଁ କିମ୍ବା ଶାନ୍ତିରେ ଟିକିଏ ନିଶ୍ୱାସ ମାରିବା ପାଇଁ, କେହି ମଧ୍ୟ ମୁହୂର୍ତ୍ତଟେ ପାଇଁ କାମ ବନ୍ଦ କରୁନହାନ୍ତି । ଆନ୍ଥୋନିଙ୍କଠାରୁ ଗୋଟିଏ ଆହୁଲା ଆଣି ମୁଁ ମଧ୍ୟ ହିଡ଼ ଆଡ଼କୁ ଲୁଣ ଟାଣିବାକୁ ଚେଷ୍ଟା କଲି । ଏହା ହେଉଛି ଏକ ପଶୁବତ୍‌ କାମ । ପାଞ୍ଚ ଥର ଏପରି ଟାଣିବା ପରେ ମୋର କାନ୍ଧ ଜଳିବାକୁ ଲାଗିଲା, ମୋର ପିଠିରେ ଯନ୍ତ୍ରଣା ଆରମ୍ଭ ହୋଇଗଲା, ଆଖିରେ ଝାଳ ପଶି ତୀବ୍ର ବେଦନା ଅନୁଭବ ହେଲା ।

PHOTO • M. Palani Kumar

କିଆରିର ଆର ପାଖରେ, ଝାନ୍‌ସି ରାଣୀ ଓ ଆନ୍ଥୋନି ସାମି କାମରେ ବ୍ୟସ୍ତ ଅଛନ୍ତି । ସେ (ମହିଳା) ଘାଣ୍ଟିବା ପାଇଁ ଦାନ୍ତି କୋଦାଳକୁ ଟାଣୁଛନ୍ତି, ସେ (ପୁରୁଷ) ସେଗୁଡିକୁ ଏକାଠି କରିବାକୁ ଆହୁଲା ବ୍ୟବହାର କରୁଛନ୍ତି

ଧୀର ଭାବେ, ଆନ୍ଥୋନି ତାଙ୍କର ଆହୁଲା ମୋ ପାଖରୁ ଫେରାଇନେଲେ ଓ ଲୁଣର ପ୍ଲଟ୍‌କୁ ପରିଷ୍କାର କରିଦେଲେ । ମୁଁ ଗୋପନରେ ରାଣୀଙ୍କ କିଆରି ଭିତରକୁ ପୁଣି ଚାଲିଆସିଲି । ତାଙ୍କର ଶେଷ କିଆରିରେ ସେ କାର୍ଯ୍ୟ ସାରିବାରେ  ଲାଗିଥିଲେ, ତାଙ୍କର ମାଂସପେଶୀଗୁଡ଼ିକ ବାରମ୍ବାର ସଂକୁଚିତ ଓ ପ୍ରସାରିତ ହେଉଥିଲା, ସମସ୍ତ ଶ୍ୱେତ ପଦାର୍ଥ ତାଙ୍କର ଗୋଟିଏ ପାଖରେ ଜମା ହେବା ପର୍ଯ୍ୟନ୍ତ ତଥା କିଆରି ସମ୍ପୂର୍ଣ୍ଣ ଖାଲି ଓ ମାଟିଆ ରଙ୍ଗର ଦେଖାଯିବା ପର୍ଯ୍ୟନ୍ତ, ଯେଉଁଥିରେ ବର୍ତ୍ତମାନ ପୁଣି ତାଜା ଜଳ ଭର୍ତ୍ତି କରାଯାଇପାରିବ ଓ ଅଧିକ ଲୁଣ ଆଦାୟ ହେବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇପାରିବ।

ଆହୁଲାର ଧାରରେ ଅସମତଳ ଗଦାକୁ ସମତଳ କରିସାରିବା ପରେ ରାଣୀ ମୋତେ ତାଙ୍କ ସହିତ ବସିବା ପାଇଁ ଆମନ୍ତ୍ରଣ କଲେ । ଆଉ, ଆମେ ଆଖିପାଉନଥିବା ଧଳା ଲୁଣର ପାହାଡ଼ ପାଖରେ ବସିଲୁ ଓ କିଛି ଦୂରରେ ଏକ ଲମ୍ବା ମାଲ୍‌ବାହୀ ରେଳଗାଡ଼ି ଥିବା ଦେଖିବାକୁ ପାଇଲୁ ।

“ଏକଦା ସେଠାକୁ ମାଲବାହୀ ରେଳଗାଡ଼ିଗୁଡ଼ିକ ଆସୁଥିଲା ଯାହା ଏହି କିଆରିଗୁଡ଼ିକରୁ ଲୁଣ ସଂଗ୍ରହ କରୁଥିଲା,” ବୋଲି ରାଣୀ ଶୂନ୍ୟରେ ନିଜ ଆଙ୍ଗୁଠିରେ ପୁରୁଣା ପଥର ଚିତ୍ର ଆଙ୍କୁ ଆଙ୍କୁ କହିଲେ । “ସେମାନେ କିଛି ଗାଡ଼ି ଟ୍ରାକ୍‌ରେ ଛାଡ଼ି ଚାଲି ଯାଉଥିଲେ ଓ ପରେ, ଏକ ଇଞ୍ଜିନ୍‌ ଆସୁଥିଲା ଓ ସେଗୁଡିକୁ ନେଇ ଯାଉଥିଲା” । ସେ ବଳଦ ଯୋଚା ହୋଇଥିବା ଶଗଡ଼ ଗାଡ଼ି ଓ ଘୋଡ଼ା ଗାଡ଼ି ଓ ପୁରୁଣା ଆଶ୍ରୟସ୍ଥଳି ଯେଉଁଠାରେ ଏକଦା ଲୁଣ କାରଖାନା କାର୍ଯ୍ୟ କରୁଥିଲା, ସେ ବିଷୟରେ ମଧ୍ୟ କୁହନ୍ତି । ବର୍ତ୍ତମାନ ସେଠାରେ କେବଳ ସୂର୍ଯ୍ୟ, ଲୁଣ ଓ କାମ ରହିଛି, ବୋଲି ସେ କୁହନ୍ତି ଓ ତାଙ୍କର ଅଣ୍ଟାରୁ ଏକ ସୂତା ଟାଣି ବନ୍ଦ କରାଯାଉଥିବା ଥଳି ବାହାର କରନ୍ତି – ଏଥିରେ ଏକ ଛୋଟ ଦୁଇ-ଟଙ୍କିଆ ଅମୃତାଞ୍ଜନ ଓ ଏକ ଭିକ୍ସ ଇନ୍‌ହେଲର୍‌ ଥିଲା । “ଏହା [ ଆଉ ତାଙ୍କର ମଧୁମେହର ଟାବ୍‌ଲେଟ୍‌] ହେଉଛି ସେହି ଜିନିଷ ଯାହା ମତେ ସକ୍ରିୟ କରି ରଖିଛି,” ବୋଲି କହି ହସି ଦିଅନ୍ତି ।

*****

ଯଦି ଗୋଟିଏ ଦିନ ବର୍ଷା ହୁଏ , ଆମେ ଏକ ସପ୍ତାହ ପର୍ଯ୍ୟନ୍ତ ବୃତ୍ତିହରା ହୋଇ ରହୁ”
– ଥୁଥୁକୁଡ଼ିର ଲୁଣ କିଆରିର ଶ୍ରମିକମାନେ

ସମୟ ସହିତ କାର୍ଯ୍ୟ ଅବଧି ମଧ୍ୟ ବଦଳିଯାଇଛି । ପାରମ୍ପରିକ ଭାବେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ ହେଉଥିବା ବେଳେ – ଏକ ଘଣ୍ଟା ବ୍ୟାପୀ ମଧ୍ୟାହ୍ନ ଭୋଜନ ପାଇଁ ବିରତି ସହିତ – ବର୍ତ୍ତମାନ କିଛି ଦଳ ମଧ୍ୟରାତ୍ର ୨ଟାରୁ ସକାଳ ୮ଟା ମଧ୍ୟରେ ଓ ଅନ୍ୟମାନେ ଭୋର ୫ଟାରୁ ୧୧ଟା ମଧ୍ୟରେ କାମ କରୁଛନ୍ତି । ଏହା ହେଉଛି ଦିନର ସେହି ସିଫ୍ଟ ଯେତେବେଳେ ସବୁଠାରୁ କଷ୍ଟସାଧ୍ୟ କାର୍ଯ୍ୟ ହୋଇଥାଏ । ଏହି ସମୟ ପରେ ମଧ୍ୟ ଆହୁରି କିଛି ଅଧିକ ଦୈନନ୍ଦିନ କାର୍ଯ୍ୟ ସମାପ୍ତ କରିବାକୁ ରହିଯାଏ । ଆଉ କିଛି ଶ୍ରମିକ ସେ ସବୁ ଶେଷ କରିବାକୁ ଅଧିକ ସମୟ କାମ କରିବାକୁ ବାଧ୍ୟ ହୁଅନ୍ତି ।

“ପୂର୍ବାହ୍ନ ୧୦ଟା ପରେ ସେଠାର ତାତିରେ ଠିଆ ହୋଇ ରହିବା କଷ୍ଟକର ହୋଇଯାଏ,” ବୋଲି ଆନ୍ଥୋନି ସାମି କୁହନ୍ତି । ସେ ନିଜେ ସେଠାର ଜଳବାୟୁ ଓ ତାପମାତ୍ରାରେ ଦେଖାଦେଇଥିବା ଅନିୟମିତତାକୁ ଦେଖିଛନ୍ତି ଓ ଅନୁଭବ କରିଛନ୍ତି । ନ୍ୟୁ ୟର୍କ ଟାଇମ୍‌ସର ବିଶ୍ୱବ୍ୟାପି ଉତ୍ତାପନ ସମ୍ବନ୍ଧିତ ଇଣ୍ଟର୍‌ଆକ୍ଟିଭ୍‌ ପୋର୍ଟାଲ୍‌ରୁ ପ୍ରାପ୍ତ ତଥ୍ୟ ମଧ୍ୟ କିପରି ଭାବେ ଜଳବାୟୁରେ ପରିବର୍ତ୍ତନ ହୋଇଛି, ସେ ସମ୍ବନ୍ଧୀୟ ତାଙ୍କର ବ୍ୟକ୍ତିଗତ ଅନୁଧ୍ୟାନକୁ ସମର୍ଥନ କରୁଛି ।

For two weeks, the women drag behind them a very heavy iron rake with which they stir the water every morning. After about 15 days, both men and women gather the salt using a huge wooden paddle
PHOTO • M. Palani Kumar
For two weeks, the women drag behind them a very heavy iron rake with which they stir the water every morning. After about 15 days, both men and women gather the salt using a huge wooden paddle
PHOTO • M. Palani Kumar

ଦୁଇ ସପ୍ତାହ ପର୍ଯ୍ୟନ୍ତ, ମହିଳାମାନେ ସେମାନଙ୍କ ପଛରେ ଏକ ଅତି ଓଜନଦାର ଲୁହା ଦାନ୍ତି କୋଦାଳକୁ ଘୋଷାଡ଼ି ଘୋଷାଡ଼ି ନିଅନ୍ତି, ଯାହାକୁ ସେମାନେ ପ୍ରତିଦିନ ସକାଳେ ପାଣି ଘାଣ୍ଟିବା ପାଇଁ ବ୍ୟବହାର କରିଥାନ୍ତି । ପ୍ରାୟ , ୧୫ ଦିନ ପରେ, ଉଭୟ ମହିଳା ଓ ପୁରୁଷ ଏକ ବିରାଟ କାଠ ଆହୁଲା ସହାୟତାରେ ଲୁଣକୁ ଏକାଠି କରନ୍ତି

୧୯୬୫ରେ ଯେତେବେଳେ ଆନ୍ଥୋନିଙ୍କ ଜନ୍ମ ହୋଇଥିଲା ସେତେବେଳେ ଥୁଥୁକୁଡ଼ି (ସେତେବେଳର ଟୁଟିକୋରିନ୍‌)ରେ ବର୍ଷରେ ୧୩୬ ଦିନ ଏପରି ରହୁଥିଲା  ଯେତେବେଳେ ଏହି ସ୍ଥାନର ତାପମାତ୍ରା ୩୨ଡିଗ୍ରୀରୁ ଅଧିକ ହେବା ସମ୍ଭାବନା ଅଧିକ ରହୁଥିଲା । ବର୍ତ୍ତମାନ, ତଥ୍ୟରୁ ଜଣା ପଡୁଛି ଯେ, ଏହିପରି ଦିନର ସଂଖ୍ୟା ବର୍ଷରେ ୨୫୮ ଦିନ ହୋଇଯାଇଛି । ତାଙ୍କ ଜୀବନକାଳରେ ଉତ୍ତପ୍ତ ଦିନଗୁଡ଼ିକର ସଂଖ୍ୟା ୯୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଏହା ସହିତ ଅଣଋତୁଭିତ୍ତିକ ବୃଷ୍ଟିପାତର ହାର ମଧ୍ୟ ବୃଦ୍ଧି ପାଇଛି ।

“ଯଦି ଗୋଟିଏ ଦିନ ବର୍ଷା ହୁଏ , ଆମେ ଏକ ସପ୍ତାହ ପର୍ଯ୍ୟନ୍ତ ବୃତ୍ତିହରା ହୋଇ ରହୁ,” ବୋଲି ଶ୍ରମିକମାନେ ଏକ ସ୍ୱରରେ କୁହନ୍ତି । ସେମାନେ ବର୍ଷାରେ ଲୁଣ, ମଇଳା, କିଆରିର ଢାଞ୍ଚା ଆଦି ଧୋଇ ହୋଇଯିବା ସହିତ କୌଣସି ଅର୍ଥ ବିନା ଦିନ ଦିନ ଧରି ଖାଲିରେ ବସିରହିବାକୁ ପଡୁଥିବା ବିଷୟରେ କୁହନ୍ତି ।

ଅନେକ ସ୍ଥାନୀୟ ପରିର୍ତ୍ତନ ମଧ୍ୟ ଜଳବାୟୁ ଓ ପାଣିପାଗରେ ଦେଖା ଦେଇଥିବା ଏପରି ଅନିୟମିତତା ପାଇଁ ଦାୟୀ ଅଟେ । ଗଛ ଯାହା ଅଳ୍ପବହୁତ ଛାୟାପ୍ରଦାନ କରୁଥିଲା, ସେଗୁଡିକୁ କାଟି ଦିଆଯାଇଛି; ବର୍ତ୍ତମାନ କେବଳ ରହିଯାଇଛି ଅନାବୃତ, ନୀଳ ଆକାଶ, ଫଟୋ ଉଠାଇବାକୁ ସୁନ୍ଦର ଲାଗେ, ହେଲେ, ଏହା ତଳେ କାମ କରିବା ଅତ୍ୟନ୍ତ ଅସନ୍ତୋଷଜନକ । ଆହୁରିମଧ୍ୟ ଲୁଣ କିଆରିଗୁଡ଼ିକ ଆମ ପାଇଁ ଅଧିକ ପ୍ରତିକୂଳ ହୋଇଯାଇଛି, କାରଣ “ପୂର୍ବେ ମାଲିକମାନେ ଆମ ପାଇଁ କିଛି ପରିମାଣର ଜଳ ସାଇତି ରଖୁଥିଲେ, ବର୍ତ୍ତମାନ କିନ୍ତୁ ଆମକୁ ବୋତଲରେ ଜଳ ଭର୍ତ୍ତି କରି ଏଠାକୁ ଆଣିବାକୁ ପଡୁଛି,” ବୋଲି ଝାନ୍‌ସି ମୋତେ କହିଲେ । ଶୌଚାଳୟ ବିଷୟରେ କ’ଣ କହିବ, ବୋଲି ମୁଁ ପଚାରିଲି । ମହିଳା ଜଣକ ଉପହାସ କରିବା ଢଙ୍ଗରେ ହସିଲେ । “ଆମେ କିଆରି ପଛରେ ଥିବା ଜମିକୁ ବ୍ୟବହାର କରୁ,” ବୋଲି ସେ କହିଲେ । କାରଣ, ଯଦିଓ ସେଠାରେ ଏକ ଶୌଚାଳୟ ରହିଛି, ହେଲେ ଏହାକୁ ବ୍ୟବହାର କରିବାକୁ ସେଠାରେ ପାଣିର ସୁବିଧା ନାହିଁ ।

ମହିଳାମାନଙ୍କୁ ସେମାନଙ୍କ ଘରେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ, ବିଶେଷକରି ସେମାନଙ୍କ ପିଲାମାନଙ୍କ କାମ କରିବାରେ । ଯେତେବେଳେ ସେମାନେ ଛୋଟ ଥିଲେ, ରାଣୀ କୁହନ୍ତି ଯେ, ସେ ତାଙ୍କର ପିଲାମାନଙ୍କୁ ତାଙ୍କ ସହିତ କାର୍ଯ୍ୟସ୍ଥଳକୁ ନେଇ ଯାଉଥିଲେ ଓ ଆଶ୍ରୟସ୍ଥଳରେ ଗୋଟିଏ ଥୁଲି, କପଡ଼ାର ଏକ ଦୋଳି, ବାନ୍ଧି ଦେଉଥିଲେ ଓ କାମକୁ ଚାଲିଯାଉଥିଲେ । “କିନ୍ତୁ, ବର୍ତ୍ତମାନ ମୋର ନାତିନାତୁଣିଙ୍କୁ ଘରେ ଛାଡ଼ି ଆସିବାକୁ ପଡୁଛି । ସେମାନେ କହୁଛନ୍ତି ଯେ କିଆରିଗୁଡ଼ିକ ଛୋଟ ପିଲାଙ୍କ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ । ଯୁକ୍ତିଯୁକ୍ତ କଥା, ହେଲେ, ଏହାର ଅର୍ଥ ଏହା ନୁହେଁ ଯେ ପିଲାମାନଙ୍କୁ ପଡ଼ୋଶୀ ଓ ସମ୍ପର୍କୀୟମାନଙ୍କ ଘରେ ଛାଡ଼ି ଆସିବାକୁ ହେବ – ବା ସେମାନଙ୍କୁ ଏକାକୀ ଛାଡ଼ିବାକୁ ପଡିବ । “ପିଲାମାନଙ୍କ ବୟସ ୩ବର୍ଷ ହେବାପରେ ଯାଇ ଆପଣ ସେମାନଙ୍କୁ ବାଲ୍‌ବାଡିରେ ଛାଡ଼ିପାରିବେ । ସେ ଯାହା ହେଲେ ମଧ୍ୟ, ସେଠାର କାର୍ଯ୍ୟ ନିର୍ଘଣ୍ଟ – ସକାଳ ୯ଟା ପରେ ଆରମ୍ଭ ହୋଇଥାଏ – ଆମର କାର୍ଯ୍ୟ ସମୟ ସହିତ ମେଳ ଖାଏ ନାହିଁ ’’।

*****

ଏଠାରେ , ମୋର ହାତଗୁଡ଼ିକୁ ଦେଖନ୍ତୁ, ସେଗୁଡ଼ିକୁ ଅନୁଭବ କରନ୍ତୁ, ସେଗୁଡିକ କ’ଣ ପୁରୁଷଙ୍କ ଭଳି ଲାଗୁନି?”
– ମହିଳା ଲୁଣ କିଆରି ଶ୍ରମିକ

ମହିଳାମାନେ ସେତେବେଳେ ସବୁଠାରୁ ଅଧିକ ଜୀବନ୍ତ ହୋଇ ଉଠନ୍ତି, ଯେତେବେଳେ ସେମାନେ ସେମାନଙ୍କର ଶରୀର ବିଷୟରେ ଓ ସେମାନଙ୍କ କାମ ପାଇଁ ସେମାନଙ୍କୁ ଦେବାକୁ ପଡୁଥିବା ଅମୂଲ ମୂଲ ବିଷୟରେ ଆଲୋଚନା କରନ୍ତି । ରାଣୀ ତାଙ୍କର ଆଖି କଥା ପ୍ରଥମେ କୁହନ୍ତି । ସେ କୁହନ୍ତି ଯେ ଝଲମଲ ହେଉଥିବା ଧବଳ ଭୂ-ଦୃଶ୍ୟ ଆଡକୁ ନିରନ୍ତର ଚାହିଁ ରହିବା ଫଳରେ ଆଖି ଲୁହରେ ଭରିଯାଏ ଓ ଭାରି ଯନ୍ତ୍ରଣା ହୁଏ ଓ ସେ ଉଜ୍ଜ୍ୱଳ ଆଲୋକରେ ଟେରେଇ କରି ଚାହାନ୍ତି । “ସେମାନେ ଆମକୁ କଳା ଚଷମା ଦେଉଥିଲେ,” ବୋଲି ସେ କୁହନ୍ତି, ହେଲେ, ବର୍ତ୍ତମାନ ସେମାନେ ଆମକୁ କିଛି ଟଙ୍କା ଦେଉଛନ୍ତି” । ସାଧାରଣତଃ ବର୍ଷକୁ ୩୦୦ଟଙ୍କା, ଚଷମା ଓ ପାଦର ଜୋତା ପାଇଁ ।

PHOTO • M. Palani Kumar

କେହି ଜଣେ ମଧ୍ୟ ସେମାନଙ୍କ ଆଖିକୁ ଅନ୍ଧ କରିଦେଉଥିବା ଧବଳ ଭୂ-ଦୃଶ୍ୟର ପ୍ରତିଫଳନରୁ ସୁରକ୍ଷିତ ରଖିବା ପାଇଁ ଚଷମା ପିନ୍ଧି ନାହାନ୍ତି

କିଛି ମହିଳା ଏକ ପୁନଃ ସଜାଯାଇଥିବା ବେସ୍‌, ଯାହା ହେଉଛି ରବର୍‌ର ଏକ ଟ୍ୟୁବିଂ ଯାହା ନିମ୍ନଭାଗରେ ସିଲେଇ ହୋଇଥାଏ, ସହିତ କଳା ମୋଜା ପିନ୍ଧନ୍ତି । ହେଲେ, ଲୁଣ କିଆରିର କୌଣସି ଜଣେ ବ୍ୟକ୍ତି ଗଗଲ୍‌ସ ପିନ୍ଧନ୍ତିନି । “ଗୋଟିଏ ଭଲ ଗଗଲ୍‌ସର ମୂଲ୍ୟ ହେଉଛି ୧୦୦୦ଟଙ୍କା, ଶସ୍ତା ମାଲ୍‌ରେ କୌଣସି ଉଦ୍ଦେଶ୍ୟ ସାଧନ ହେବନି, ଅଧିକନ୍ତୁ ସେଗୁଡ଼ିକ କାର୍ଯ୍ୟରେ ବାଧକ ସାଜନ୍ତି,” ବୋଲି ସେମାନେ ସମସ୍ତେ ମୋତେ କହିଲେ ଓ ସେମାନଙ୍କୁ ୪୦ବର୍ଷ ହେବାବେଳକୁ ସେମାନେ ଦୃଷ୍ଟି ଦୋଷର ଶିକାର ହୋଇଯାଆନ୍ତି ବୋଲି ସୂଚିତ କଲେ ।

ଅଧିକ ସଂଖ୍ୟକ ମହିଳା ରାଣୀଙ୍କ ସହିତ ମିଶିଲେ । କେବେ କେମିତି ସେମାନଙ୍କୁ କାର୍ଯ୍ୟ ବିରତି ମିଳୁଥିବା, କେବେ ମଧ୍ୟ ପର୍ଯ୍ୟାପ୍ତ ପାନୀୟ ଜଳ ମିଳୁନଥିବା, ସୂର୍ଯ୍ୟଙ୍କ ରୌଦ୍ର ତାପ, ମରଣାନ୍ତକ ତାତି, ଲୁଣିପାଣି ଯାହା ସେମାନଙ୍କର ତ୍ୱଚାକୁ ନଷ୍ଟ କରିଦେଉଛି, ଆଦି ବିଷୟରେ ସେମାନେ ସ୍ପଷ୍ଟଭାବେ ଅଭିଯୋଗ କଲେ । “ଏଠାରେ, ମୋର ହାତଗୁଡ଼ିକ ଦେଖନ୍ତୁ, ସେଗୁଡ଼ିକୁ ଅନୁଭବ କରନ୍ତୁ, ସେଗୁଡ଼ିକ କଣ ପୁରୁଷଙ୍କ ଭଳି ଲାଗୁନି?” ଆଉ, ହାତ ପାପୁଲି, ପାଦ ଓ ଆଙ୍ଗୁଳିଗୁଡ଼ିକୁ ମଧ୍ୟ ମୋତେ ଦେଖାଇଲେ, ପାଦ ଆଙ୍ଗୁଠିଗୁଡ଼ିକର ନଖ କଳା ପଡିଯାଇଛି, ଶୁଖି ସଙ୍କୁଚିତ ହୋଇଯାଇଛି; ହାତଗୁଡିକ ବଧିରା ପଡ଼ିଯାଇଛି; ଓ ଗୋଡରେ ଅନେକ ଦାଗ, ଛୋଟ ଛୋଟ କ୍ଷତ ସୃଷ୍ଟି ହୋଇଛି, ଯାହା କେବେ ମଧ୍ୟ ଶୁଖୁନି, ପ୍ରତ୍ୟେକଥର ସେମାନେ ଲବଣାକ୍ତ ପାଣି ମଧ୍ୟକୁ ଓହ୍ଲାଇବା ସହିତ ତାହା ଦ୍ରୁତ ଗତିରେ ସ୍ପନ୍ଦିତ ହୋଇ ଉଠୁଛି ।

ସେହି ପଦାର୍ଥ ଯାହା ଆମର ଖାଦ୍ୟକୁ ସୁସ୍ୱାଦୁ କରିଥାଏ, ତାହା ସେମାନଙ୍କର ମାଂସ ଖାଇଦିଏ ।

ଏହି ତାଲିକା ଆହୁରି ଲମ୍ବିଛି । ହିଷ୍ଟେରେକ୍ଟୋମି, କିଡ୍‌ନୀ ଷ୍ଟୋନ୍, ହାର୍ନିଆ ଆଦି । ରାଣୀଙ୍କ ପୁଅ କୁମାରଙ୍କ ବୟସ ହେଉଛି ୨୯ ବର୍ଷ, ଗେଡ଼ା, ମୋଟା ଓ ବଳଶାଳୀ । ହେଲେ, କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଓଜନର ବୋଝ ଉଠାଇବା ଯୋଗୁଁ ସେ ହାର୍ନିଆର ଶିକାର ହେଲେ । ତାଙ୍କର ସର୍ଜରୀ ହୋଇଥିଲା, ସେ ତିନିମାସ ପର୍ଯ୍ୟନ୍ତ ବିଶ୍ରାମ କଲେ । ବର୍ତ୍ତମାନ ସେ କ’ଣ କରୁଛନ୍ତି? “ମୁଁ ଏବେ ମଧ୍ୟ ଭାରି ବୋଝ ଉଠାଉଛି,” ବୋଲି ସେ କୁହନ୍ତି । ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଟାଉନ୍‌ ଆଖପାଖ ଅଞ୍ଚଳରେ ମଧ୍ୟ ଅନ୍ୟ କିଛି କରିବା ପାଇଁ ପ୍ରାୟତଃ କୌଣସି ସୁବିଧା ନାହିଁ ।

ଆଖପାଖରେ ରହୁଥିବା କିଛି ଯୁବକ ଯୁବତୀ ଚିଙ୍ଗୁଡ଼ି ୟୁନିଟ୍‌ ବା ଫୁଲ କାରଖାନାରେ କାମ ପାଇଛନ୍ତି । ହେଲେ, ଲୁଣ କିଆରି ଶ୍ରମିକମାନଙ୍କ ବୟସ ପ୍ରାୟତଃ ୩୦ ବର୍ଷରୁ ଅଧିକ ଓ ସେମାନେ ସେମାନଙ୍କ କାର୍ଯ୍ୟରେ ପ୍ରାୟ ଦଶନ୍ଧି ଦଶନ୍ଧି ଧରି କାମ କରି ଆସୁଛନ୍ତି । କୁମାର ଅବଶ୍ୟ ବେତନ ନେଇ ଅସନ୍ତୁଷ୍ଟ ଅଛନ୍ତି । “ପ୍ୟାକର୍‌ମାନେ ହେଉଛନ୍ତି ଠିକା ଶ୍ରମିକଙ୍କ ଭଳି ଓ ଆମକୁ କୌଣସି ବୋନସ୍‌ ମଧ୍ୟ ମିଳେନି । ୨୫ଟି ପ୍ୟାକେଟ୍‌ ମଧ୍ୟରୁ ପ୍ରତ୍ୟେକରେ ଏକ କେଜି ହିସାବରେ ଲୁଣ ଭର୍ତ୍ତି କରିବାକୁ ଜଣେ ମହିଳାକୁ ୧୭୦ଟଙ୍କା ମିଳିଥାଏ । [ପ୍ୟାକେଟ୍‌ ପ୍ରତି ୭ ପଇସାରୁ କମ୍‌] । ସେହି ସମସ୍ତ ୨୫ଟି ପ୍ୟାକେଟ୍‌କୁ ସିଲ୍‌ କରିବା ପାଇଁ ଅନ୍ୟ ଜଣେ ମହିଳାକୁ ୧.୭୦ ଟଙ୍କା ଦିଆଯାଇଥାଏ । ଅଥଚ, ଅନ୍ୟ ଜଣେ ଶ୍ରମିକ, ସାଧାରଣତଃ ଜଣେ ପୁରୁଷକୁ ୨୫ଟି ଯାକ ପ୍ୟାକେଟ୍‌କୁ ଗୋଟିଏ ଅଖାରେ ସାଇଜ୍‌ରେ ଭର୍ତ୍ତି କରି ହାତରେ ସିଲେଇ କରିବାକୁ ଓ ଏହାକୁ ଏକ ସୁସ୍ପଷ୍ଟଭାବେ ଥାକମାରି ରଖିବାକୁ ୨ଟଙ୍କା ଦିଆଯାଇଥାଏ । ଥାକ ଯେତିକି ଉଚ୍ଚ ହେବ, ଶ୍ରମିକର ଶରୀର ଉପରେ ସେତିକି ଅଧିକ ଚାପ ପଡିବ । ହେଲେ, ଏଥିପାଇଁ ଦିଆଯାଉଥିବା ଅର୍ଥର ପରିମାଣ କିନ୍ତୁ ସମାନ ରହିଥାଏ: ୨ଟଙ୍କା’’ ।

The women speak of hardly ever getting a break, never enough drinking water, the brutal heat, the brine that ruins their skin. As well as hysterectomies, kidney stones, hernias. Rani’s son Kumar (right) is stocky and strong. But the heavy lifting he did at work gave him a hernia that needed surgery
PHOTO • M. Palani Kumar
The women speak of hardly ever getting a break, never enough drinking water, the brutal heat, the brine that ruins their skin. As well as hysterectomies, kidney stones, hernias. Rani’s son Kumar (right) is stocky and strong. But the heavy lifting he did at work gave him a hernia that needed surgery
PHOTO • M. Palani Kumar

କେବେକେମିତି ସେମାନଙ୍କୁ କାର୍ଯ୍ୟ ବିରତି ମିଳୁଥିବା , କେବେ ମଧ୍ୟ ପର୍ଯ୍ୟାପ୍ତ ପାନୀୟ ଜଳ ମିଳୁନଥିବା , ମରଣାନ୍ତକ ତାତି , ଲୁଣିପାଣି ଯାହା ସେମାନଙ୍କର ତ୍ୱଚାକୁ ନଷ୍ଟ କରିଦେଉଛି , ଆଦି ବିଷୟରେ ମହିଳାମାନେ କହିଲେ । ଏହାସହିତ ହିଷ୍ଟେରୋକ୍ଟେମି, କିଡ୍‌ନୀ ପଥର, ହାର୍ନିଆ ଆଦି ବିଷୟରେ ମଧ୍ୟ କହିଲେ । ରାଣୀଙ୍କ ପୁଅ କୁମାର (ଡାହାଣ) ଗେଡା, ମୋଟା ଓ ବଳଶାଳୀ । ହେଲେ, କାର୍ଯ୍ୟ ସମୟରେ ଅଧିକ ଓଜନ ଉଠାଇବା କାରଣରୁ ତାଙ୍କୁ ହାର୍ନିଆ ହୋଇଗଲା ଯେଉଁଥିପାଇଁ ସର୍ଜରୀ କରିବା ଅତ୍ୟାବଶ୍ୟକ ହୋଇଗଲା

ଡ. ଅମଲୋରପବନାଥନ୍‌ ଜୋସେଫ୍‌, ଭାସ୍କୁଲାର୍‌ ସର୍ଜନ୍‌ ଓ ତାମିଲନାଡୁ ରାଜ୍ୟ ଯୋଜନା କମିଶନର ସଦସ୍ୟ, କୁହନ୍ତି ଯେ “ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସେମାନେ ଯେଉଁ ପ୍ରକାରର ଜୋତା ତିଆରି କରନ୍ତୁ ଓ ବ୍ୟବହାର କରନ୍ତୁ, ତାହା କେବେମଧ୍ୟ ଲିକ୍‌-ପ୍ରୁଫ୍‌ ବା ଟକ୍ସିନ୍‌-ପ୍ରୁଫ୍‌ ହୋଇ ପାରିବନାହିଁ । ଗୋଟିଏ କିମ୍ବା ଦୁଇ ଦିନ କାମ କରିବାରେ କୌଣସି ଅସୁବିଧା ନାହିଁ । ହେଲେ, ଯଦି ଏହା ଆପଣଙ୍କ ଆଜୀବନ ଜୀବିକା ହେବାକୁ ଯାଉଛି, ତାହାହେଲେ ଆପଣ ପାଇଁ  ବୈଜ୍ଞାନିକ ପ୍ରଣାଳୀରେ ଡିଜାଇନ୍‌ ହୋଇଥିବା ବୁଟ୍‌ର ଆବଶ୍ୟକତା ରହିଛି ଯାହାକୁ ନିୟମିତ ବ୍ୟବଧାନରେ ବାରମ୍ବାର ବଦଳାଇବାକୁ ହେବ। ଯଦି ଏହା ସୁନିଶ୍ଚିତ କରାଯାଇ ପାରିବନି, ତାହାହେଲେ ଆପଣଙ୍କ ପାଦର ସ୍ୱାସ୍ଥ୍ୟର କୌଣସି ଗ୍ୟାରେଣ୍ଟି ମଧ୍ୟ ଦିଆଯାଇ ପାରିବନାହିଁ ।

ଅନ୍ଧ କରିଦେଉଥିବା ଧଳା ଆଲୋକ ଯାହା ଲୁଣରୁ ପ୍ରତିଫଳିତ ହୋଇଥାଏ, ତାହା ବ୍ୟତୀତ, ସେ ବିଶ୍ୱାସ କରନ୍ତି ଯେ “ଏପରି ଏକ ପରିବେଶରେ ଗଗଲ୍‌ସ ନପିନ୍ଧି କାମ କରିବା ଦ୍ୱାରା ଆଖିରେ ଆହୁରି ଅନେକ ପ୍ରକାର ସମସ୍ୟା ଦେଖାଦେଇପାରେ”। ସେ ନିୟମିତ ମେଡିକାଲ୍‌ କ୍ୟାମ୍ପର ଆୟୋଜନ କରାଯିବା ଓ ଶ୍ରମିକମାନଙ୍କର ରକ୍ତ ଚାପ ବାରମ୍ବାର ଯାଞ୍ଚ କରାଯିବା ପାଇଁ ଉପଦେଶ ଦିଅନ୍ତି । “ଯଦି ଏପରି କେହି ଅଛି ଯାହାର ରିଡିଂ ୧୩୦/ ୯୦ରୁ ଅଧିକ ଅଟେ, ତାହାହେଲେ ମୁଁ ତାଙ୍କୁ ଲୁଣ କିଆରିରେ କାମ କରିବାକୁ ଅନୁମତି ପ୍ରଦାନ କରିବିନି” । ଏହା ସମ୍ଭବ ଯେ ଶ୍ରମିକମାନେ ସେହି ପରିବେଶରେ ଝାଳବୁହା ପରିଶ୍ରମ କରିବାବେଳେ କିଛି ପରିମାଣର ଲୁଣ ଶୋଷଣ କରିଥାଇପାରନ୍ତି, ବୋଲି ସେ କୁହନ୍ତି । ଆଉ, ପ୍ରତିଦିନ ସେହି ପରିମାଣର ଲୁଣ ବୋଝ ଉଠାଇବାକୁ ପାଞ୍ଚ ରୁ ଛଅ ପ୍ରକାରର ଶାରିରୀକ ଶକ୍ତି ଆବଶ୍ୟକ କରୁଥିବା କୌଶଳ ଆବଶ୍ୟକ ହୋଇଥାଏ । “ଯଦି ଆପଣ ଖର୍ଚ୍ଚ ହେଉଥିବା ଶକ୍ତିର ହିସାବ କରିବେ, ଏହା ଅତି ଅଭୂତପୂର୍ବ ହେବ” ।

ଏହି ଶ୍ରମିକମାନେ ଗତ ଚାରି ବା ପାଞ୍ଚ ଦଶନ୍ଧି ଧରି ଏହି ଲାଇନ୍‌ରେ କାମ କରି ଆସୁଛନ୍ତି । ହେଲେ, କୌଣସି ସାମାଜିକ ନିରାପତ୍ତା ବିନା, ସବେତନ ଛୁଟି ବିନା, ଶିଶୁଯତ୍ନ ବା ଗର୍ଭଧାରଣ ସମୟରେ ମିଳୁଥିବା ଲାଭ ବିନା, ଲୁଣ କିଆରିର ଏହି ଶ୍ରମିକମାନଙ୍କ ଅବସ୍ଥା ‘କୁଲିମାନଙ୍କ’ ( ଅଳ୍ପ ମଜୁରି ପାଉଥିବା ଶ୍ରମିକ) ତୁଳନାରେ କୌଣସି ଦୃଷ୍ଟିରୁ ଉନ୍ନତ ନୁହେଁ, ବୋଲି ସେମାନେ ସୂଚିତ କରନ୍ତି ।

*****

“ ଲୁଣକୁ ୧୫,୦୦୦ରୁ ଅଧିକ ପ୍ରକାରେ ବ୍ୟବହାର କରିହେବ,”
– ଏମ୍‌. କୃଷ୍ଣମୂର୍ତ୍ତି, ଜିଲ୍ଲା ସମନ୍ୱୟକାରୀ, ଥୁଥୁକୁଡ଼ି, ଅଣସଂଗଠିତ ଶ୍ରମିକ ସଂଘ

“ୟୁଏସ୍‌ଏ ଓ ଚୀନ ପରେ, ଭାରତ ହେଉଛି ତୃତୀୟ ବୃହତ୍‌ ଉତ୍ପାଦକ,” ବୋଲି କୃଷ୍ଣମୂର୍ତ୍ତି କୁହନ୍ତି । “ଲୁଣ ବିନା ବଞ୍ଚିବା ଅସମ୍ଭବ ଅଟେ, ଅଥଚ ଏହି ଶ୍ରମିକମାନଙ୍କ ଜୀବନ ସେମାନଙ୍କ ଫସଲ ପରି ଲୁଣିଆ ଅଟେ!”

ଥୁଥୁକୁଡ଼ି ଜିଲ୍ଲାରେ ୫୦,୦୦୦ରୁ ଅଧିକ ଲୁଣ ଶ୍ରମିକ ଅଛନ୍ତି, ବୋଲି କୃଷ୍ଣମୂର୍ତ୍ତି ଆକଳନ କରନ୍ତି । ଅର୍ଥାତ୍‌, ଏହି ଜିଲ୍ଲାର ମୋଟ ୭.୪୮ ଲକ୍ଷ ଶ୍ରମିକଙ୍କ ମଧ୍ୟରୁ, ପ୍ରତ୍ୟେକ ୧୫ଜଣରେ ଜଣେ ଏହି କ୍ଷେତ୍ରରେ କାମ କରନ୍ତି । ଅଛନ୍ତି । ସେମାନଙ୍କ ପାଖରେ କେବଳ ବର୍ଷର ଉତ୍ତପ୍ତ ଋତୁରେ ଅର୍ଥାତ୍‌ ଫେବୃଆରୀ ଓ ସେପ୍ଟେମ୍ବର ମଝିରେ, ପାଖାପାଖି ୬-୭ ମାସ ପର୍ଯ୍ୟନ୍ତ କାମ ଥାଏ । କେନ୍ଦ୍ର ସରକାରଙ୍କ ହିସାବ ମୁତାବକ ସେମାନଙ୍କ ସଂଖ୍ୟା ଅତି ଅଳ୍ପ ଅଟେ, ମାତ୍ର ୨୧,୫୨୮  ସଂଖ୍ୟକ ଲୁଣ ଶ୍ରମିକ – ଓ ତାହା ମଧ୍ୟ ସମଗ୍ର ତାମିଲନାଡୁରେ । ହେଲେ, ସେଠାରୁ ହିଁ କୃଷ୍ଣମୂର୍ତ୍ତିଙ୍କ ଅଣସଂଗଠିତ ଶ୍ରମିକ ସଂଘର କାମ ଆରମ୍ଭ ହେଉଛି । ସେମାନେ ଏପରି ବହୁ ସଂଖ୍ୟକ ଶ୍ରମିକଙ୍କୁ ରେକର୍ଡ କରିଛନ୍ତି ଯେଉଁମାନେ ଔପଚାରିକ ହିସାବରୁ ବାଦ୍‌ ପଡ଼ିଥିବା ସେମାନେ ଲକ୍ଷ୍ୟ କରିଛନ୍ତି ।

Rani’s drawstring pouch with her Amrutanjan and inhaler.
PHOTO • M. Palani Kumar
A few women wear black socks with a rudimentary refurbished base
PHOTO • M. Palani Kumar

ବାମ : ଅମୃତାଞ୍ଜନ ଓ ଇନହେଲର୍‌ ସହିତ ରାଣୀଙ୍କର ସୂତାକୁ ଟାଣିଲେ ବନ୍ଦ ହେଉଥିବା ଥଳି । ଡାହାଣ: ଅଳ୍ପ କେତେଜଣ ମହିଳା ଅସମ୍ପୂର୍ଣ୍ଣଭାବେ ପୁଣି ସଜଡା ହୋଇଥିବା ବେସ୍‌ ସହିତ କଳା ମୋଜା ପିନ୍ଧିଛନ୍ତି

ଏଠାରେ କାର୍ଯ୍ୟରତ ପ୍ରତ୍ୟେକ ଲୁଣ ଶ୍ରମିକ – କ୍ରିଷ୍ଟାଲାଇଜର୍‌କୁ ରାମ୍ପିବା କାମ କରନ୍ତୁ ବା ଲୁଣ ପ୍ରସ୍ତୁତି ଓ ବୋହିବା କାମ କରନ୍ତୁ – ଗୋଟିଏ ଦିନରେ ପ୍ରାୟ ୫ ରୁ ୭ ଟନ୍‌ ଲୁଣ ଅନ୍ୟତ୍ର ବୋହି ନେଇଥାନ୍ତି । ଏହି ଲୁଣର ମୂଲ୍ୟର – ବର୍ତ୍ତମାନର ମୂଲ୍ୟ ଅନୁସାରେ ଟନ୍‌ ପିଛା ୧୬୦୦ଟଙ୍କା ହିସାବରେ- ୮ ,୦୦୦ଟଙ୍କାରୁ ଅଧିକ ଅଟେ । ହେଲେ, ଅଣଋତୁରେ ଗୋଟିଏ ଥର ବର୍ଷା ହୋଇଗଲେ, ସେମାନେ ଦୃଢୋକ୍ତି ସହିତ ପ୍ରକାଶ କରନ୍ତି ଯେ, ସପ୍ତାହେ ବା ୧୦ଦିନ ପର୍ଯ୍ୟନ୍ତ କାର୍ଯ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି ।

ଅଥଚ, ଯାହା ସେମାନଙ୍କୁ ସବୁଠାରୁ ଅଧିକ ମାନସିକ ଯନ୍ତ୍ରଣା ପହଞ୍ଚାଇଛି ତାହା ହେଉଛି ଚଳିତ ବର୍ଷଗୁଡ଼ିକରେ ଉଗ୍ର ରୂପ ଧାରଣ କରିଥିବା ୧୯୯୧ ପରର ଉଦାରବାଦୀ ନୀତିମାନ – ଯେତେବେଳେ “ବୃହତ୍‌, ଘରୋଇ ବ୍ୟବସାୟୀମାନଙ୍କୁ ବଜାରରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଗଲା,” ବୋଲି କୃଷ୍ଣମୂର୍ତ୍ତି କୁହନ୍ତି । ପିଢି ପରେ ପିଢି, ସେ କୁହନ୍ତି ଯେ, ‘‘ମୁଖ୍ୟତଃ ଦଳିତ ଓ ମହିଳାମାନେ ଏହି କର୍କଶ ଭୂମିରେ ଲୁଣ ଆଦାୟ କରିବା କାମ କରି ଆସୁଛନ୍ତି । ପ୍ରାୟ ୭୦- ୮୦ ପ୍ରତିଶତ ଶ୍ରମିକ ହେଉଛନ୍ତି ଆର୍ଥିକ ଅନଗ୍ରସର ଶ୍ରେଣୀର । ଲୁଣ କିଆରିଗୁଡ଼ିକୁ କାହିଁକି ସିଧାସଳଖ ସେମାନଙ୍କୁ ଲିଜ୍‌ରେ ଦିଆଯାଉନାହିଁ? ଏକ ମୁକ୍ତ ନିଲାମି ବେଳେ ସେମାନେ କିଭଳି ବଡ଼ ବଡ଼ କର୍ପୋରେଟ୍‌ଗୁଡ଼ିକ ସହିତ ଏହି ଜମି ପାଇଁ ମୁକାବିଲା କରିପାରିବେ?”

ଯେତେବେଳେ କର୍ପୋରେସନ୍‌ଗୁଡ଼ିକ ସିନ୍ ଭିତରକୁ ପ୍ରବେଶ କରନ୍ତି ଓ ହୋଲ୍‌ଡିଙ୍ଗଗୁଡ଼ିକର ଆକାର ବୃଦ୍ଧି ପାଏ – ଦଶ ଏକରରୁ ହଜାରେ ଏକରରେ ପରିଣତ ହୋଇଯାଏ – କୃଷ୍ଣମୂର୍ତ୍ତି ନିଶ୍ଚିତତା ସହିତ କୁହନ୍ତି ଯେ ଅପରେସନ୍‌ଗୁଡ଼ିକର ଯାନ୍ତ୍ରିକୀକରଣ କରାଯିବ। “ତା’ପରେ ୫୦,୦୦୦ ଲୁଣ ଶ୍ରମିକମାନଙ୍କର କ’ଣ ହେବ?”

ପ୍ରତିବର୍ଷ ଅକ୍ଟୋବର ୧୫ରୁ – ଯେତେବେଳେ ଉତ୍ତରପୂର୍ବ ମୌସୁମୀ ସାଧାରଣତଃ ଆରମ୍ଭ ହୁଏ – ଜାନୁଆରୀ ୧୫ ପର୍ଯ୍ୟନ୍ତ କୌଣସି କାମଧନ୍ଦା ମିଳେନାହିଁ । ଏହି ତିନିମାସ ଅତ୍ୟନ୍ତ କଠୋର ଅଟେ ଓ ଏହି ସମୟରେ ପରିବାରଗୁଡ଼ିକ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ଧାରକରଜ କରି ଚଳନ୍ତି। ଏମ୍‌.ଭେଲୁସାମୀ, ୫୭, ଲୁଣ କିଆରିରେ କାମ କରୁଥିବା ଜଣେ ଶ୍ରମିକ, ଲୁଣ ପ୍ରସ୍ତୁତି ପ୍ରକ୍ରିୟାର ବଦଳୁଥିବା ରୂପରେଖ ବିଷୟରେ କୁହନ୍ତି । “ମୋର ବାପାମା’ଙ୍କ ସମୟରେ, କ୍ଷୁଦ୍ର ଉତ୍ପାଦକମାନେ ଲୁଣ ଆଦାୟ କରିପାରୁଥିଲେ ଓ ବିକ୍ରି କରୁଥିଲେ ।

ଦୁଇଟି ନୀତିଗତ ପରିବର୍ତ୍ତନ ସେ ସବୁକୁ ସମାପ୍ତ କରିଦେଲା । ୨୦୧୧ରେ କେନ୍ଦ୍ର ସରକାର ଘୋଷଣା କଲେ ଯେ ମନୁଷ୍ୟମାନଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଲୁଣ ଆୟୋଡାଇଜ୍‌ଡ ହୋଇଥିବା ଆବଶ୍ୟକ। ଅଳ୍ପ କିଛି ସମୟ ବ୍ୟବଧାନରେ ଏହା ସମସ୍ତ ଲୁଣ କିଆରି ପାଇଁ ରହିଥିବା ଲିଜ୍‌ ଚୁକ୍ତିନାମାରେ ପରିବର୍ତ୍ତନ କଲା । ଏପରି କରିବାପାଇଁ ଏହା ପାଖରେ କ୍ଷମତା ରହିଥିଲା, ଯେହେତୁ ସମ୍ବିଧାନରେ ଲୁଣ କେନ୍ଦ୍ର ତାଲିକାଭୁକ୍ତ ଅଟେ ।

The sale pan workers may have been in this line for four or five decades, but still have no social security, no paid leave, no childcare or pregnancy benefits
PHOTO • M. Palani Kumar
The sale pan workers may have been in this line for four or five decades, but still have no social security, no paid leave, no childcare or pregnancy benefits
PHOTO • M. Palani Kumar

ଲୁଣ କିଆରିରେ କାମ କରୁଥିବା ଶ୍ରମିକମାନେ ଚାରି କିମ୍ବା ପାଞ୍ଚ ଦଶନ୍ଧି ହେବ ଏଠାରେ କାମ କରୁଥାଇପାରନ୍ତି, ହେଲେ ଏବେ ମଧ୍ୟ ସେମାନଙ୍କର କୌଣସି  ସାମାଜିକ ନିରାପତ୍ତା ନାହିଁ, କୌଣସି ସବେତନ ଛୁଟି ନାହିଁ, ପିଲାଙ୍କ ଯତ୍ନ ବା ଗର୍ଭବତୀକାଳୀନ ସୁବିଧା ନାହିଁ

୨୦୧୧ରେ ଭାରତ ସରକାରଙ୍କ ନିୟାମକରେ କୁହାଯାଇଛି ଯେ “କୌଣସି ବ୍ୟକ୍ତି ସିଧାସଳଖ ମନୁଷ୍ୟ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଲୁଣକୁ ବିକ୍ରି ବା ବିକ୍ରି କରିବା ପାଇଁ ଯୋଗାଇବା ବା ପ୍ରଦର୍ଶିତ କରିବା ବା ବିକ୍ରି ଉଦ୍ଦେଶ୍ୟରେ ନିଜ ଗୃହ କିମ୍ବା ତତ୍‌ସଂଲଗ୍ନ ଭୂମିରେ ରଖିପାରିବେ ନାହିଁ, ଯଦି ତାହା ଆୟୋଡାଇଜ୍‌ଡ ନୁହେଁ” । ଏହାର ଅର୍ଥ ହେଉଛି ସାଧାରଣ ଲୁଣ କେବଳ ଏକ ଶିଳ୍ପ ଉତ୍ପାଦ ହେବା ପାଇଁ ଯୋଗ୍ୟ ଅଟେ । (ସୈନ୍ଧବ ଲୁଣ, କଳା ଲୁଣ ଓ ହିମାଳୟନ୍‌ ପିଙ୍କ୍‌ ଭଳି କେତେକ ବର୍ଗକୁ ଦାୟମୁକ୍ତ ରଖାଯାଇଛି) । ଏହାର ଅର୍ଥ ଏହା ମଧ୍ୟ ଯେ ପାରମ୍ପରିକ ଲୁଣ ଆଦାୟକାରୀମାନଙ୍କୁ ସେମାନଙ୍କ ଏଜେନ୍ସି ହରାଇବାକୁ ପଡ଼ିଲା । ଆଇନ୍‌ ଅନୁସାରେ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା ଓ ସର୍ବୋଚ୍ଚ ନ୍ୟାୟଳୟ ପ୍ରକୃତରେ ଏହି ପ୍ରାବଧାନର ତୀବ୍ର ସମାଲୋଚନା କରିଥିଲେ – ହେଲେ କଟକଣା ଏବେ ମଧ୍ୟ ବଳବତ୍ତର ରହିଛି । ସାଧାରଣ ଲୁଣ ଯାହା ଖାଦ୍ୟରେ ବ୍ୟବହାର କରାଯାଏ, ତାହା ଆୟୋଡାଇଜ୍‌ଡ ହୋଇନଥିଲେ ବିକ୍ରି କରାଯାଇ ପାରିବନାହିଁ ।

ଏଥିରେ ଦ୍ୱିତୀୟ ପରିବର୍ତ୍ତନ ୨୦୧୩ରେ ହୋଇଥିଲା । ଏକ କେନ୍ଦ୍ରୀୟ ବିଜ୍ଞପ୍ତି ଜାରି କରି କୁହାଗଲା ଯେ, ଅନ୍ୟ ବିଷୟଗୁଡ଼ିକ ମଧ୍ୟରେ, : ଲୁଣ ତିଆରି କରିବା ପାଇଁ କେନ୍ଦ୍ର ସରକାରଙ୍କ ଭୂମି ଲିଜ୍‌ରେ ଦିଆଯିବ ଯେଉଁଥିପାଇଁ ଟେଣ୍ଡର ଆମନ୍ତ୍ରଣ କରାଯିବ”। ଅଧିକନ୍ତୁ, କୌଣସି ବିଦ୍ୟମାନ ଲିଜ୍‌ର ନବୀକରଣ କରାଯିବ ନାହିଁ । ନୂଆ ଟେଣ୍ଡର ଡକାଯିବ ଆଉ ଯଦି ଲିଜ୍‌ର ଅବଧି ଶେଷ ହୋଇଯାଇଥାଏ, ତାହାହେଲେ ବର୍ତ୍ତମାନର ଲିଜ୍‌ଧାରକ “ଜଣେ ନୂଆ ଉଚ୍ଚାକାଂକ୍ଷୀ ବ୍ୟକ୍ତିଙ୍କ ସହିତ ଅଂଶଗ୍ରହଣ କରିପାରିବେ” । ଏହା ସ୍ପଷ୍ଟଭାବେ କେବଳ ବଡ଼ ଉତ୍ପାଦନକାରୀମାନଙ୍କୁ ସୁହାଇବ, ବୋଲି କୃଷ୍ଣମୂର୍ତ୍ତି କୁହନ୍ତି ।

ଚାରି ଦଶନ୍ଧି ପୂର୍ବେ, ଝାନ୍‌ସି ମନେପକାନ୍ତି ଯେ, ତାଙ୍କର ବାପାମା କିଛି ଭୂମି ସବ୍‌-ଲିଜ୍‌ରେ ନେଇଥିଲେ, ଏକ କୂଅରୁ ହସ୍ତଚାଳିତ ଏକ କପିକଳ ସାହାଯ୍ୟରେ ପାଣି ବାହାର କରୁଥିଲେ (ଓ ଏକ ତାଳପତ୍ର ବାସ୍କେଟ୍‌କୁ ବାଲ୍‌ଟି ଭାବେ ବ୍ୟବହାର କରୁଥିଲେ) ୧୦ଟି କ୍ଷୁଦ୍ର ପ୍ଲଟ୍‌ରେ ଲୁଣ ଆଦାୟ କରୁଥିଲେ । ତାଙ୍କ ମା’ ପ୍ରତିଦିନ ୪୦କେଜି ଲୁଣ ନିଜ ମୁଣ୍ଡରେ ବୋଝେଇ ବୋହୁଥିଲେ (ପୁଣି ସେହି ତାଳ ପତ୍ର ବାସ୍କେଟ୍‌ରେ) ଓ ଏହାକୁ ବିକ୍ରି କରିବା ପାଇଁ ସହରକୁ ଚାଲିଚାଲି ଯାଉଥିଲେ । “ବରଫ କମ୍ପାନିଗୁଡ଼ିକ ତାଙ୍କର ସମ୍ପୂର୍ଣ୍ଣ ବୋଝକୁ ୨୫ ରୁ ୩୦ ଟଙ୍କା ବିନିମୟରେ କିଣିଦେଉଥିଲେ,” ବୋଲି ସେ କୁହନ୍ତି । ଆଉ, ଯେତେବେଳେ ତାଙ୍କର ମା’ ଯାଇପାରୁନଥିଲେ, ସେତେବେଳେ ସେ ଏକ ଛୋଟ ବାସ୍କେଟ୍‌ ସହିତ ଝାନ୍‌ସିଙ୍କୁ ପଠାଉଥିଲେ । ସେ ୧୦ ପଇସାରେ କିଛି ନିର୍ଦ୍ଦିଷ୍ଟ ପରିମାଣର ଲୁଣ ବିକ୍ରି କରୁଥିବା କଥା ମଧ୍ୟ ମନେପକାନ୍ତି । “ଯେଉଁ ଭୂମିରେ ଏକଦା ଆମର କିଆରି ଥିଲା, ସେଠାରେ ଏବେ ଏକ କୋଠା ଠିଆ ହୋଇଛି – ଆବାସିକ କ୍ୱାର୍ଟର୍‌,” ବୋଲି ଝାନ୍‌ସି କୁହନ୍ତି । “ଆମ ହାତରୁ ଏହି ଭୂମି କିଭଳି ଚାଲିଗଲା, ସେ ବିଷୟରେ ମୁଁ କିଛି ଜାଣେନି,” ବୋଲି ସେ ବିଷର୍ଣ୍ଣତା ସହିତ ପ୍ରକାଶ କଲେ, ତାଙ୍କର ସ୍ୱରରେ ତାଙ୍କ ଦୁଃଖ ସ୍ପଷ୍ଟ ବାରି ହୋଇପଡୁଥିଲା, ବାତାବରଣ ଲୁଣରେ ଭାରାକ୍ରାନ୍ତ ହୋଇଯାଇଥିଲା ।

ଏଠାରେ ଜୀବନ ସବୁବେଳେ କଷ୍ଟକର ଥିଲା ବୋଲି ଲୁଣ ଶ୍ରମିକମାନେ କୁହନ୍ତି । ଦଶନ୍ଧି ଦଶନ୍ଧି ଧରି, ସେମାନେ ମୁଖ୍ୟତଃ ପାଳୁଅ ଓ ମାଣ୍ଡିଆ (ବେଳେବେଳେ ଚାଉଳ)ରୁ ପ୍ରସ୍ତୁତ ଖାଦ୍ୟ ଖାଉଥିଲେ, ଏହା ସହିତ ମାଛକୁ ସିଝାଇ ପ୍ରସ୍ତୁତ ହୋଇଥିବା କୋଳମ୍ବୂ (ଝୋଳ) ଖାଉଥିଲେ । ଆଉ ଇଡ୍‌ଲି – ଯାହା ବର୍ତ୍ତମାନ ଏକ ସର୍ବବ୍ୟାପୀ ଖାଦ୍ୟରେ ପରିଣତ ହୋଇଛି – ବର୍ଷରେ ଥରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଥିଲା, ଯାହା ଦିପାବଳୀ ସମୟରେ ପ୍ରସ୍ତୁତ ହେଉଥିଲା । ପର୍ବ ଦିନ ସକାଳବେଳା ଇଡ୍‌ଲି ଖାଇବାକୁ ମିଳିବ ବୋଲି ଖୁସିରେ ଝାନ୍‌ସୀ ଦିପାବଳୀ ପୂର୍ବ ରାତିରେ କିଭଳି ଉତ୍ସାହିତ ହୋଇ ଶୀଘ୍ର ଶୋଇ ପଡୁଥିଲେ, ସେ କଥା ସେ ମନେପକାନ୍ତି ।

ଦୀପାବଳି ଓ ପୋଙ୍ଗଲ ହେଉଛି ଦୁଇଟି ବଡ଼ ପର୍ବ ଯେଉଁ ଅବସରରେ ସେମାନେ ନୂଆ ପୋଷାକ ପାଇଥାନ୍ତି । ସେ ପର୍ଯ୍ୟନ୍ତ ସେମାନେ ପୁରୁଣା-ଚିରା ପୋଷାକ ପିନ୍ଧନ୍ତି, ବିଶେଷକରି ପୁଅମାନେ, ଯେଉଁମାନଙ୍କର “ଟ୍ରାଉଜର୍‌ରେ ୧୬ଟି କଣା ହୋଇଯାଇଥାଏ, ଆଉ ସେଗୁଡ଼ିକୁ ଛୁଞ୍ଚି ଓ ସୂତା ସହାୟତାରେ ମରାମତି କରାଯାଇଥାଏ,” ବୋଲି ଝାନ୍‌ସି କୁହନ୍ତି, ତାଙ୍କର ହାତଗୁଡ଼ିକ ନିପୁଣଭାବେ ସିଲେଇରେ ବ୍ୟସ୍ତ ଥିଲା । ସେମାନଙ୍କ ପାଦରେ, ସେମାନେ ତାଳ ପତ୍ରର ଚଟକା ଜୋତା ପିନ୍ଧୁଥିଲେ,, ସେମାନଙ୍କ ବାପାମା’ଙ୍କ ଦ୍ୱାରା ପ୍ରସ୍ତୁତ, ଯାହାକୁ ଝୋଟର ଏକ ଦଉଡି ସାହାଯ୍ୟରେ ସଠିକ୍‌ଭାବେ ଧାରଣ କରୁଥିଲେ । । ଏହା ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିଥାଏ, ଯେହେତୁ ଆଜି ତୁଳନାରେ ସେ ସମୟରେ କିଆରିର ଲବଣତା ହାର ସେତେ ଅଧିକ ନଥିଲା – ଏବେ ତ ଲୁଣ ହେଉଛି ଏକ ଶିଳ୍ପଭିତ୍ତିକ ଦ୍ରବ୍ୟ ଓ ଏହାର ଘରୋଇ ବ୍ୟବହାର ମଧ୍ୟ ସମୁଦାୟ ବ୍ୟବହାରର ଏକ ଛୋଟ ଅଂଶ ମାତ୍ର ।

Life has always been hard, the salt workers say. They only get a brief break between work, to sip some tea, in their shadeless workplace
PHOTO • M. Palani Kumar
Life has always been hard, the salt workers say. They only get a brief break between work, to sip some tea, in their shadeless workplace
PHOTO • M. Palani Kumar

ଜୀବନ ସବୁବେଳେ ଯନ୍ତ୍ରଣାଦାୟକ ମନେ ହୁଏ, ବୋଲି ଲୁଣ ଶ୍ରମିକମାନେ କୁହନ୍ତି ।  ସେମାନେ କାମ ମଝିରେ ମାତ୍ର କିଛି ମୁହୂର୍ତ୍ତର ବିରତି ପାଆନ୍ତି, ସେମାନଙ୍କର ଆଶ୍ରୟସ୍ଥଳି ବିହୀନ କାର୍ଯ୍ୟସ୍ଥଳରେ, ଟିକେ ଚା’ପିଇବାକୁ

ମୁଁ ମୋର ନିଜ ନାମ ଲେଖିପାରିବ , ବସ୍‌ ମାର୍ଗଗୁଡିକ ପଢ଼ିପାରିବି ଓ ଏମ୍‌ଜିଆର୍‌ ଗୀତ ଗାଇପାରିବି ।"
– ଏସ୍‌. ରାଣୀ, ଲୁଣ କିଆରି ଶ୍ରମିକ ଓ ନେତା

ସନ୍ଧ୍ୟାବେଳେ, କାମ ସରିବାପରେ, ରାଣୀ ଆମମାନଙ୍କୁ ତାଙ୍କ ଘରକୁ ଆମନ୍ତ୍ରଣ କଲେ – ଏକ ଛୋଟ ଟାଣୁଆ ବଖରା ଯେଉଁଥିରେ ଏକ ସୋଫା ଓ ବାଇସାଇକେଲ୍‌ ଥିଲା ଓ କିଛି ପୋଷାକ ଥିଲା ଯାହା ଏକ ଦଉଡ଼ି ଉପରେ ଝୁଲୁଥିଲା । ଗୋଟିଏ କପ୍‌ ଗରମ ଚା’ ପିଉପିଉ, ସେ ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ହୋଇଥିବା ତାଙ୍କର ବିବାହ ବିଷୟରେ କହିବାକୁ ଲାଗିଲେ, ସେତେବେଳେ ତାଙ୍କୁ ୨୯ବର୍ଷ ହୋଇଥିଲା, ଯାହା ସେହି ସମୟ ଦୃଷ୍ଟିରୁ ଦେଖିଲେ ଜଣେ ଗ୍ରାମୀଣ ମହିଳା ପାଇଁ ବହୁତ ବିଳମ୍ବ ହୋଇଯାଇଥିଲା ।  ସେହି ବିଳମ୍ବ ପାଇଁ ତାଙ୍କ ପରିବାରର ଦାରିଦ୍ରତା ପାଇଁ ମୁଖ୍ୟତଃ ଦାୟୀ ଅଟେ । ରାଣୀଙ୍କର ତିନୋଟି ଝିଅ – ଥଙ୍ଗାମ୍ମଲ୍‌, ସଙ୍ଗୀତା ଓ କମଳା – ଗୋଟିଏ ପୁଅ, କୁମାର, ଯିଏ ତାଙ୍କ ସହିତ ରୁହନ୍ତି ।

ଏପରିକି, ଯେତେବେଳେ ସେ ବିବାହ କରିଥିଲେ, ସେତେବେଳେ “ଆମ ପାଖରେ ଉତ୍ସବ ପାଳନ ପାଇଁ କିଛି ବି ଅର୍ଥ ନଥିଲା,” ବୋଲି ସେ କୁହନ୍ତି । ତାପରେ ସେ ଆମକୁ ତାଙ୍କର ଫଟୋ ଆଲ୍‌ବମ୍‌ ଦେଖାଇଲେ – ତାଙ୍କ ଝିଅ ରଜୋବତୀ ହେବା ଉତ୍ସବ, ଅନ୍ୟ ଜଣଙ୍କର ବିବାହ, ପରିବାରର ସମସ୍ତେ ଯେତେବେଳେ ଭଲ ପୋଷାକ ପିନ୍ଧିଥିଲେ, ତାଙ୍କ ପୁଅ ନାଚୁଥିବା, ଗାଉଥିବା ବେଳର.... ଏସବୁ କିଛି ଲୁଣ ଟାଣିବା ଯୋଗୁଁ ସମ୍ଭବ ହୋଇପାରିଛି ।

ଆମେ ମନେମନେ ହସିବା ଓ ମନ୍ତବ୍ୟ ପ୍ରଦାନ କରିବାବେଳେ, ରାଣୀ ତାଙ୍କର ହସ୍ତ ନିର୍ମିତ ସବୁଜ ତାରର ବାସ୍କେଟ କାମ ସମ୍ପୂର୍ଣ୍ଣ କରିବାକୁ ଯାଇ ଏହାର ଧାରଗୁଡ଼ିକୁ ଭିତରଆଡ଼କୁ ଖୋଷିଲେ, ଏହାର ହ୍ୟାଣ୍ଡେଲ୍‌କୁ ଟାଇଟ୍‌ କଲେ । ଏହି କାର୍ଯ୍ୟ ପଛରେ କୁମାରଙ୍କ ହାତ ଥିଲା, ଯିଏ ଏକ ୟୁଟ୍ୟୁବ୍‌ ଭିଡିଓରୁ ଗୁଜ୍‌ବେରୀ ପ୍ୟାଟର୍ଣ୍ଣ ବିଷୟରେ ଜାଣିବାକୁ ପାଇଥିଲେ ଓ ଏହାକୁ କରିବା ଆରମ୍ଭ କରିଥିଲେ । ଅନେକ ଦିନରେ, ଏପରି କାମ କରିବାକୁ ତାଙ୍କୁ ଜମା ସମୟ ମିଳେନି । ସେ ଅନ୍ୟ ଲୁଣ କିଆରିରେ ଦ୍ୱିତୀୟ ସିଫ୍ଟରେ କାମ କରିବାକୁ ଯାଆନ୍ତି, ଆଉ କିଛି ଅଧିକ ଉପାର୍ଜନ କରିବାକୁ । ମହିଳାମାନଙ୍କୁ ସବୁବେଳେ ଘରେ ଦ୍ୱିତୀୟ ସିଫ୍ଟର କାମ କରିବାକୁ ହୋଇଥାଏ, ବୋଲି ସେ ସୂଚିତ କରନ୍ତି, “ସେମାନଙ୍କୁ ପ୍ରାୟତଃ ବିଶ୍ରାମ ମିଳେନି”।

ରାଣୀ କେବେ ମଧ୍ୟ ପାଇନାହାନ୍ତି, ଏପରିକି ଯେତେବେଳେ ସେ ବହୁତ ଛୋଟ ଥିଲେ, ସେତେବଳେ ମଧ୍ୟ । ସେ ମାତ୍ର ତିନ ବର୍ଷର ହୋଇଥିଲେ, ଯେତେବେଳେ ତାଙ୍କୁ ତାଙ୍କ ମା’ ଓ ଭଉଣୀଙ୍କ ସହିତ ତାଙ୍କୁ ସର୍କସ୍‌କୁ ପଠାଇ ଦିଆଗଲା । । “ଏହାକୁ ତୁଟିକୋରିନ୍‌ ସୋଲୋମନ୍‌ ସର୍କସ୍‌ ବୋଲି କୁହାଯାଉଥିଲା ଓ ମୋର ମା ସୁଦକ୍ଷ ଭାବେ ‘ହାଇ-ହ୍ୱିଲ୍‌’ (ଏକ-ଚକ) ସାଇକେଲ୍‌ ଚଲାଇ ପାରୁଥିଲେ” । ରାଣୀ ବାର୍‌ରେ କୌଶଳ ପ୍ରଦର୍ଶନ କରିବାରେ ଦକ୍ଷ ଥିଲେ, ତାଙ୍କ ଭଉଣୀ ଜଗ୍‌ଲିଂରେ । “ମୋର ଭଉଣୀ ମଜ୍‌ବୁତ୍‌ କରି ବନ୍ଧା ହୋଇଥିବା ଦଉଡ଼ିରେ ମଧ୍ୟ ଚାଲି ପାରୁଥିଲେ । ମୁଁ ପଛ ଆଡ଼କୁ ଝୁଙ୍କି ପାରୁଥିଲି ଓ ମୋର ମୁଁହ ସହାୟତାରେ କପ୍‌ ଉଠାଇ ପାରୁଥିଲି । “ସର୍କସ୍‌ ଦଳ ସହିତ ସେ ମଦୁରାଇ, ମନାପ୍ପରାଇ, ନାଗେର୍‌କୋଏଲ୍‌, ପୋଲ୍ଲାଚି ଆଦି ସ୍ଥାନ ଯାତ୍ରା କରିଛନ୍ତି ।

ତାଙ୍କୁ ଯେବେ ଆଠ ବର୍ଷ ହୋଇଥିଲା, ଯେତେବେଳେ ମଧ୍ୟ ସର୍କସ୍‌ ନିଜ ସ୍ଥାନ ତୁଟିକୋରିନ୍‌କୁ ଫେରି ଆସୁଥିଲା, ସେତେବେଳେ ରାଣୀଙ୍କୁ ଲୁଣ କିଆରିରେ କାମ କରିବାକୁ ପଠାଯାଉଥିଲା । ସେବେଠାରୁ, ଲୁଣ କିଆରି ରାଣୀଙ୍କର ଦୁନିଆ ପାଲଟିଗଲା । ସେହି ସମୟରେ ହିଁ ରାଣୀ ଶେଷଥର ପାଇଁ ବିଦ୍ୟାଳୟକୁ ଯାଇଥିଲେ । “ମୁଁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି । ମୁଁ ମୋର ନାମ ଲେଖିପାରିବି, ବସ୍‌ ମାର୍ଗଗୁଡ଼ିକ ପଢ଼ିପାରିବି ଓ ଏମ୍‌ଜିଆର୍‌ ଗୀତ ମଧ୍ୟ ଗାଇ ପାରିବି” । ସକାଳବେଳା, ସେ ରେଡ଼ିଓରେ ବାଜୁଥିବା ଏକ ପୁରୁଣା ଏମ୍‌ଜିଆର୍‌ ଗୀତ ସହିତ ସମତାଳରେ ଗୀତ ଗାଉଥିଲେ, ଯେଉଁଥିରୁ ସେ ଭଲ ଗାଉଥିବା କଥା ଜଣାପଡ଼େ।

Rani and Jhansi with their heavy tools: just another day of backbreaking labour
PHOTO • M. Palani Kumar
Rani and Jhansi with their heavy tools: just another day of backbreaking labour
PHOTO • M. Palani Kumar

ରାଣୀ ଓ ଝାନ୍‌ସି ସେମାନଙ୍କର ଭାରି  ଉପକରଣ ସହ : ହାଡ଼ଭଙ୍ଗା ପରିଶ୍ରମଭରା ଆଉ ଏକ ଦିନ

ସେ ମଧ୍ୟ ଜଣେ ଅତି ଉତ୍ତମ ନର୍ତ୍ତକୀ, ତାଙ୍କର ସହକର୍ମୀମାନେ ତାଙ୍କୁ ଚିଡ଼ାନ୍ତି । ସେମାନେ ଯେତେବେଳେ ଥୁଥୁକୁଡ଼ିର  ଲୋକସଭା ସଦସ୍ୟ କାନିମୋଝି କରୁଣାନିଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଣୀଙ୍କ ସଦ୍ୟତମ କରଗାଟ୍ଟମ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରନ୍ତି, ସେତେବେଳେ ସେ ଲାଜେଇ ଯାଆନ୍ତି । ରାଣୀ ମଞ୍ଚ ଉପରେ କହିବା ପ୍ରଣାଳୀ ଶିଖୁଛନ୍ତି. ଓ ଜଣେ ନେତା ଭାବେ – ତାଙ୍କ କୁଝୁର, ଉଭୟ ମହିଳା ଓ ଲୁଣ ଶ୍ରମିକମାନଙ୍କର ଏକ ସ୍ୱୟଂ ସହାୟକ ଗୋଷ୍ଠୀର – ସେ ସରକାରଙ୍କ ପାଖରେ ନିବେଦନ କରିବାକୁ ବିଭିନ୍ନ ସମୟରେ ଯାତ୍ରା  କରିଥାନ୍ତି । ତାଙ୍କର ସହକର୍ମୀମାନେ ଯେତେବେଳେ କୁହନ୍ତି ଯେ “ସେ ହେଉଛନ୍ତି ଲୁଣ କିଆରିର ରାଣୀ”, ତାହା ଶୁଣି ସେ ହସି ଦିଅନ୍ତି ।

ଏହିପରି ଏକ ଟ୍ରିପ୍‌ରେ ଯୋଗଦେବା ପାଇଁ – ୨୦୧୭ରେ କୃଷ୍ଣମୂର୍ତ୍ତିଙ୍କ ଦ୍ୱାରା ସଂଗଠିତ ଏକ ସଭା – ସେ ଚେନ୍ନାଇ ଯାତ୍ରା କରିଥିଲେ । “ଆମ ଭିତରୁ ଅନେକ ସେଠାକୁ ତିନିଦିନ ପାଇଁ ଯାଇଥିଲୁ, ଏହା ପ୍ରକୃତରେ ଏକ ଆମୋଦଦାୟକ ଯାତ୍ରା ଥିଲା। ଆମେମାନେ ଏକ ହୋଟେଲ୍‌ ରୁମ୍‌ରେ ରହିଲୁ, ଏମ୍‌ଜିଆର୍‌ ସମାଧି, ଆନ୍ନା ସମାଧି ସ୍ଥଳକୁ ଯାଇଥିଲୁ । ଆମେ ନୁଡଲ୍‌ସ ଓ ଚିକେନ୍‌, ଇଡ୍‌ଲି ଓ ପୋଙ୍ଗଲ ଖାଇଲୁ । ଆମେମାନେ ମରିନା ବିଚ୍‌ରେ ପହଞ୍ଚିବାବେଳକୁ ରାତି ହୋଇଯାଇଥିଲା, ହେଲେ ଏହା ବହୁତ ଭଲ ଥିଲା !

ଘରେ, ସେ ସାଦାସିଧା ଭୋଜନ କରନ୍ତି । ସେ ଭାତ ଓ କୋଳମ୍ବୁ(ଝୋଳ) – ସାଧାରଣତଃ ମାଛ କିମ୍ବା ପିଆଜ ବା ବିନ୍‌ସରେ - ରାନ୍ଧନ୍ତି । ପାର୍ଶ୍ୱ ବ୍ୟଞ୍ଜନ ଭାବେ, କରୁବାଡୁ (ଶୁଖୁଆ) ସହିତ କିଛି ପରିବା, ସାଧାରଣତଃ ପତ୍ରକୋବି ବା ବିଟ୍‌ ଥାଏ । “ଯେତେବେଳେ ଆମେ ଆର୍ଥିକ ସଙ୍କଟ ଦେଇ ଗତି କରୁ, ଆମେ କେବଳ କଳା କଫି ପିଇଥାଉ । “ହେଲେ, ସେ କେବେ ଚୋରି କରନ୍ତିନି । ଜଣେ ଖ୍ରୀଷ୍ଟିଆନ୍‌ ଭାବେ ସେ ଚର୍ଚ୍ଚ ଯାଆନ୍ତି ଓ ଇଶ୍ୱରଙ୍କ ସ୍ତୁତି ଗାନ କରନ୍ତି । ତାଙ୍କର ସ୍ୱାମୀ ସେସୁଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହେବାପରେ, ତାଙ୍କର ପିଲାମାନେ – ସେ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ପୁଅର କଥା ଉଲ୍ଲେଖ କରିଛନ୍ତି- ତାଙ୍କର ସୁଖଦୁଃଖ ବୁଝୁଛନ୍ତି  । “ଓନ୍ନୁ କୁରେ ସୋଲ୍ଲା ମୁଡିୟାଦୁ,” ମୋ ପାଖରେ ଅଭିଯୋଗ କରିବାକୁ କିଛି ନାହିଁ । “ପ୍ରଭୁ ମୋତେ ଉତ୍ତମ ସନ୍ତାନ ପ୍ରଦାନ କରିଛନ୍ତି’’।

ସେ ଯେତେବେଳେ ଗର୍ଭବତୀ ହେଉଥିଲେ,  ପ୍ରସବ କରିବା ଦିନ ପର୍ଯ୍ୟନ୍ତ ସେ ତାଙ୍କର କାମ ଜାରି ରଖୁଥିଲେ- ସେ ସିଧାସଳଖ ଲୁଣ କିଆରିରୁ ଡାକ୍ତରଖାନାକୁ ପାଦରେ ଚାଲିଚାଲି ଯାଉଥିଲେ । “ମୋର ପେଟ ଏହା ଉପରେ ବିଶ୍ରାମ ନେଉଥିଲା, ବୋଲି ସେ ତାଙ୍କର ଆଣ୍ଠୁ ପାଖରେ ଜଙ୍ଘକୁ ଥାପୁଡାଇ କୁହନ୍ତି । ତାପରେ, ପ୍ରସବର ୧୩ଦିନ ପରେ ସେ ପୁଣି କିଆରିକୁ ଫେରି କାମରେ ଯୋଗ ଦେଉଥିଲେ । ଆଉ, ପିଲାମାନେ ଭୋକରେ ବିକଳ ହୋଇ ଯେପରି ନ କାନ୍ଦିବେ, ସେଥିପାଇଁ ସେ ପାଳୁଅ ଚୂନାରେ ପତଳା ଜାଉ ପ୍ରସ୍ତୁତ କରୁଥିଲେ । ସେହି ଚୂନାରୁ ଦୁଇ ଚାମୁଚ୍‌ ନେଇ ତାକୁ ଏକ କପଡ଼ାରେ ବାନ୍ଧି ଦେଉଥିଲେ, ତାପରେ ତାକୁ ପାଣିରେ ବୁଡ଼ାଇ ସିଝାଉଥିଲେ ଓ ତାହାକୁ ଏକ ରବର୍‌ ଚୁଚୁମା ସଂଯୁକ୍ତ ହୋଇଥିବା ଏକ ଗ୍ରାଇପ୍‌ ୱାଟର୍‌ ବୋତଲରେ ଭର୍ତ୍ତି କରିଦେଉଥିଲେ – ଆଉ ସେ ପୁଣିଥରେ ସ୍ତନପାନ କରାଇବାକୁ  ଆସିବା ପର୍ଯ୍ୟନ୍ତ କେହି ମଧ୍ୟ ପିଲାକୁ ଏହା ପିଆଇ ଦେଉଥିଲେ ।

ପିରିୟଡ୍‌ର ସମୟ ମଧ୍ୟ ସମଭାବେ କଷ୍ଟଦାୟକ ଥିଲା, ଚର୍ମ ଘଷି ହୋଇ କ୍ଷତ ହେଇଯାଉଥିଲା ଓ ଭୀଷଣ ପୋଡ଼ାଜଳା ହେଉଥିଲା । “ରାତିରେ, ଉଷୁମ ପାଣିରେ ସ୍ନାନ କରିବା ପରେ, ମୁଁ ମୋର ଜଙ୍ଘରେ ନଡିଆ ତେଲ ଘଷୁଥିଲି, ଯାହାଦ୍ୱାରା ପରଦିନ ମୁଁ କାମକୁ ଯାଇପାରିବି...”।

ବର୍ଷ ବର୍ଷର ଅନୁଭବରୁ, ରାଣୀ କେବଳ ଲୁଣକୁ ଦେଖି ଓ ସ୍ପର୍ଶକରି ତାହା ଖାଦ୍ୟୋପଯୋଗୀ ଲୁଣ କି ନୁହେଁ, କହିଦେଇ ପାରିବେ । ଭଲ ସୈନ୍ଧବ ଲୁଣରେ ସମ ଆକାରର ଦାନା ରହିଥାଏ ଓ ଏହା ଅଠାଳିଆ ଲାଗେନି । “ଯଦି ଏହା ପିସୁ – ପିସୁ (ଓଦାଳିଆ) ଲାଗୁଛି, ତାହାହେଲେ ଏହା ସୁସ୍ୱାଦୁ ନୁହେଁ” । ଲୁଣ ଯାହା ବାଉମେ ଥର୍ମୋମିଟର ସହିତ ଓ ବିସ୍ତୃତ ଜଳସେଚନ ପଥରେ ବୈଜ୍ଞାନିକ ପ୍ରଣାଳୀରେ ପ୍ରସ୍ତୁତ କରାଯାଏ, ସେପରି କରିବା ପଛରେ କେବଳ ଗୋଟିଏ ଲକ୍ଷ୍ୟ ରହିଛି – ବହୁଳ ପରିମାଣରେ ଏହି ସାମଗ୍ରୀ ଆଦାୟ କରିବା । ବୈଧାନିକ ଆଦେଶ ପୂରଣ ହେଉଥାଇପାରେ, ହେଲେ, ସେହି ଲୁଣର ଏକ ବଡ ଅଂଶ କେବଳ ଶିଳ୍ପଭିତ୍ତିକ ଉଦ୍ଦେଶ୍ୟ ସାଧନ ପାଇଁ ଉପଯୁକ୍ତ ଅଟେ ବୋଲି ସେ ମୋତେ କହିଲେ ।

Rani at home, and with her son Kumar (right). During each pregnancy, she worked till the day of delivery – then walked to the hospital directly from the salt pans
PHOTO • M. Palani Kumar
During each pregnancy, she worked till the day of delivery – then walked to the hospital directly from the salt pans
PHOTO • M. Palani Kumar

ରାଣୀ ଘରେ ଥିବାବେଳେ ଏବଂ ତାଙ୍କ ପୁଅ କୁମାରଙ୍କ ସହିତ (ଡାହାଣ) । ପ୍ରତ୍ୟେକ ଥର ଗର୍ଭାବସ୍ଥାରେ, ସେ ପ୍ରସବ ପର୍ଯ୍ୟନ୍ତ କାମ କରୁଥିଲେ – ତାପରେ ଲୁଣ କିଆରିରୁ ସିଧାସଳଖ ଚାଲିଚାଲି ଡାକ୍ତରଖାନାକୁ ଯାଉଥିଲେ

*****

ଲୁଣ କିଆରିକୁ କୃଷି ବୋଲି ବିଚାର କରାଯିବା ଉଚିତ , ଶିଳ୍ୱ ଭାବେ ନୁହେଁ "
– ଜି. ଗ୍ରହଦୁରାଇ, ସଭାପତି, ଥୁଥୁକୁଡ଼ି କ୍ଷୁଦ୍ରାୟତନ ଲୁଣ ନିର୍ମାତା ସଂଘ

ଥୁଥୁକୁଡ଼ିର ନିଉ କଲୋନିସ୍ଥିତ ନିଜ ଶୀତତାପ ନିୟନ୍ତ୍ରିତ କାର୍ଯ୍ୟାଳୟରେ – ବେଶୀ ଦୂରରେ ନୁହେଁ, ରୌଦ୍ର ତାପରେ ଲୁଣ କିଆରିରୁ କାଉ ଉଡ଼ିଯାଇଥିବା ଦୂରତାରେ – ଜି.ଗ୍ରହଦୁରାଇ ଜିଲ୍ଲାର ଲୁଣ ଶିଳ୍ପ ସମ୍ବନ୍ଧିତ ଏକ ବଡ଼ ଚିତ୍ର ଦେଖାଇଲେ । ଏହି ସଂଘରେ ଅନ୍ୟୂନ ୧୭୫ ସଦସ୍ୟ ଅଛନ୍ତି ଓ ପ୍ରତ୍ୟେକଙ୍କ ପାଖରେ ପ୍ରାୟ ୧୦ଏକର ଲେଖା ଜମି ଅଛି। ସମଗ୍ର ଜିଲ୍ଲାରେ ଥିବା ୨୫,୦୦୦ଏକର କିଆରିରେ ବାର୍ଷିକ ୨୫ଲକ୍ଷ ଟନ୍‌ ଲୁଣ ଉତ୍ପାଦନ ହୋଇଥାଏ ।

ପ୍ରତ୍ୟେକ ଏକରରେ ବର୍ଷକୁ ହାରାହାରି ୧୦୦ଟନ୍‌ ଲୁଣ ପ୍ରସ୍ତୁତ ହୋଇଥାଏ। ମାତ୍ରାଧିକ ବର୍ଷା ଯୋଗୁଁ ପ୍ରତିକୂଳ ବର୍ଷରେ ଏହାର ପରିମାଣ ୬୦କୁ ଖସିଯାଏ । “ଉପମୃତ୍ତିକାର ଲବଣାକ୍ତ ଜଳ ବ୍ୟତୀତ ଆମକୁ ବିଦ୍ୟୁତ୍‌ ମଧ୍ୟ ଦରକାର ହୋଇଥାଏ – ପାଣି ପମ୍ପ କରିବାକୁ – ଆଉ ଲୁଣ ତିଆରି କରିବାକୁ, ଶାରୀରିକ ଶ୍ରମ” ବୋଲି ଗ୍ରହଦୁରାଇ ଦ୍ରୁତଗତିରେ ବୃଦ୍ଧି ପାଉଥିବା ପାରିଶ୍ରମିକ ଉଦ୍ଦେଶ୍ୟରେ କୁହନ୍ତି । ‘‘ଏହା ଦିନକୁ ଦିନ ଅଧିକରୁ ଅଧିକ ହେବାରେ ଲାଗିଛି । ଏହାସହିତ କାର୍ଯ୍ୟ ଅବଧି କମ୍‌ ହେବାରେ ଲାଗିଛି, ପୂର୍ବେ ଆଠ ଘଣ୍ଟା କାମ ହେଉଥିବା ବେଳେ ବର୍ତ୍ତମାନ ଏହା ମାତ୍ର ଚାରି ଘଣ୍ଟାକୁ ଖସି ଯାଇଛି । ସେମାନେ ପୂର୍ବାହ୍ନ ୫ଟାରେ ଆସନ୍ତି ଓ ପୂର୍ବାହ୍ନ ୯ଟା ସୁଦ୍ଧା ଚାଲି ଯାଆନ୍ତି । ଏପରିକି, ଯଦି ମାଲିକ ମଧ୍ୟ ସେଠାକୁ ଯାଆନ୍ତି, ତାହାହେଲେ ମଧ୍ୟ ଆମେ କୌଣସି ଶ୍ରମିକକୁ ଦେଖିବା ସମ୍ଭବ ହୁଏନାହିଁ” । ସେ ଯେପରି କାର୍ଯ୍ୟ ଅବଧି ହିସାବ କରନ୍ତି, ତା’ଠାରୁ ଭିନ୍ନ ଭାବେ ହିସାବ କରିଥାନ୍ତି ଶ୍ରମିକମାନେ।

ଲୁଣ କିଆରି ଶ୍ରମିକମାନେ ଯେଉଁ ପରିସ୍ଥିତିରେ କାମ କରନ୍ତି, ତାହା ଅତ୍ୟନ୍ତ କଷ୍ଟଦାୟକ ବୋଲି ଗ୍ରହଦୁରାଇ ଏକମତ ହୁଅନ୍ତି। “ଜଳ ଓ ଶୌଚାଳୟ ଯୋଗାଇବାକୁ ହେବ, ହେଲେ ପରିଚାଳନାଗତ ଦୃଷ୍ଟିରୁ ବିଚାର କଲେ ଏପରି କରିବା ସହଜ ହେବନି, ଯେହେତୁ କିଆରିଗୁଡ଼ିକ ୧୦୦କିଲୋମିଟର ବ୍ୟାପି ଅଞ୍ଚଳରେ ରହିଛି ।

ଥୁଥୁକୁଡ଼ି ଲୁଣ ପାଇଁ ବଜାର ମଧ୍ୟ କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି ବୋଲି ଗ୍ରହଦୁରାଇ କୁହନ୍ତି । “ପୂର୍ବେ, ଏହା ଯେକୌଣସି ସ୍ଥାନରେ ସର୍ବୋତ୍ତମ ଖାଦ୍ୟପଯୋଗୀ ଲୁଣର ପରିଚୟ ଲାଭ କରୁଥିଲା । ହେଲେ, ବର୍ତ୍ତମାନ କିନ୍ତୁ ଏହା କେବଳ ଦକ୍ଷିଣର ଚାରିଟି ରାଜ୍ୟକୁ ଯାଉଛି । ଆଉ, ଅଳ୍ପ କିଛି ସିଙ୍ଗାପୁର ଓ ମାଲେସିଆକୁ ରପ୍ତାନି ହେଉଛି । ଏହାର ଅଧିକାଂଶ ଭାଗ ଶିଳ୍ୱକ୍ଷେତ୍ରରେ ବ୍ୟବହାର ହେଉଛି । ହଁ, ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ, ଲୁଣ କିଆରିକୁ କୋରି ଯେଉଁ ଜିପ୍‌ସମ୍‌ ବାହାର କରାଯାଏ, ସେ ବାବଦକୁ ସ୍ୱଳ୍ପ ରାଜସ୍ୱ ପ୍ରାପ୍ତି ହୋଇଥାଏ । ହେଲେ, ଲୁଣ ଉତ୍ପାଦନ ମଧ୍ୟ ଜଳବାୟୁ ପରିବର୍ତ୍ତନ – ଏପ୍ରିଲ୍‌ ଓ ମେ ମାସରେ ବର୍ଷା -  ଦ୍ୱାରା ଅଧିକରୁ ଅଧିକ ପ୍ରଭାବିତ ହେବାରେ ଲାଗିଛି ।

ଗୁଜୁରାଟ ଥୁଥୁକୁଡ଼ି ତୁଳନାରେ ଅଧିକ ଉତ୍ତପ୍ତ ଓ ଶୁଷ୍କ ହୋଇଥିବାରୁ ଓ ସମଗ୍ର ଦେଶର ଉତ୍ପାଦନର ୭୬ ପ୍ରତିଶତ ବର୍ତ୍ତମାନ ସେହି ପଶ୍ଚିମ ରାଜ୍ୟରୁ ଆସୁଥିବାରୁ, ଗୁଜୁରାଟ ସହିତ ଉଗ୍ର ମୁକାବିଲାର ସମ୍ମୁଖୀନ ହେବାକୁ ପଡୁଛି । ସେମାନଙ୍କର ଜୋତର ଆକାର ଖୁବ୍‌ ବଡ଼, ନିର୍ମାଣ ପ୍ରକ୍ରିୟା ଆଂଶିକଭାବେ ଯନ୍ତ୍ର ଦ୍ୱାରା ପରିଚାଳିତ ଓ କିଛି ଭାଗ ବିହାରରୁ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କ (ନିମ୍ନ-ମଜୁରିରେ) ଦ୍ୱାରା କରାଯାଇଥାଏ । ସେମାନଙ୍କର କିଆରିରେ ଜୁଆର ପାଣି ମାଡ଼ିଥାଏ, ଏଣୁ ବିଦ୍ୟୁତ୍‌ ବାବଦକୁ ହେଉଥିବା ବ୍ୟୟ ମଧ୍ୟ କମ୍‌ ହୋଇଯାଏ’’।

PHOTO • M. Palani Kumar

ଛୋଟ ବିଜୟଗୁଡ଼ିକ – ଅଳ୍ପ ମଜୁରି ବୃଦ୍ଧି ଓ ବୋନସ – ଏସବୁ କିଛି ଲୁଣ କିଆରି ଶ୍ରମିକମାନେ ସେମାନଙ୍କ ଅଧିକାର ପାଇଁ ଲଢିବା ଯୋଗୁଁ ସମ୍ଭବ ହୋଇପାରିଛି

ଥୁଥୁକୁଡ଼ିରେ ଏକ ଟନ୍‌ ଲୁଣ ଉତ୍ପାଦନ କରିବାକୁ ୬୦୦ ରୁ ୭୦୦ଟଙ୍କା ବ୍ୟୟ ହୋଇଥାଏ । “ଯେତେବେଳେକି ଗୁଜୁରାଟରେ ଏଥିପାଇଁ ମାତ୍ର ୩୦୦ଟଙ୍କା ବ୍ୟୟ କରିବାକୁ ପଡ଼ିଥାଏ ବୋଲି ସେ ଦାବି କରନ୍ତି । “ଆମେ କିଭଳି ମୁକାବିଲା କରିପାରିବୁ, ବିଶେଷକରି ଯେତେବେଳେ ଏକ ଟନ୍‌ର ମୂଲ୍ୟ ହଠାତ୍‌ ୬୦୦କୁ ଖସି ଆସେ, ଯେପରି ୨୦୧୯ରେ ହୋଇଥିଲା ।  ଏହି କ୍ଷତିପୂରଣ ପାଇଁ ଗ୍ରହଦୁରାଇ ଓ ଅନ୍ୟମାନେ ଲୁଣ ବିନିର୍ମାଣକୁ “ ଶିଳ୍ପ ନୁହେଁ ବରଂ କୃଷି ବୋଲି ବିବେଚନା କରାଯାଉ ବୋଲି ଚାହୁଁଛନ୍ତି” ।  [ଏଣୁକରି ଲୁଣକୁ ଏକ ‘ଫସଲ’ ଭାବେ ଗ୍ରହଣ କରିବାର ଧାରଣା ଜାତ ହୋଇଛି] । କ୍ଷୁଦ୍ର ଲୁଣ ବିନିର୍ମାଣକାରୀଙ୍କୁ ସୁଲଭ ସୁଧରେ ଋଣ, ସବ୍‌ସିଡିରେ ବିଦ୍ୟୁତ୍‌ ଓ ଫ୍ୟାକ୍ଟ୍ରିଜ୍‌ ଏଣ୍ଡ ଲେବର୍‌ ଆକ୍ଟରୁ ଛାଡ଼ ଦିଆଯିବା ଆବଶ୍ୟକ।

“ଚଳିତ ବର୍ଷ, ଗୁଜୁରାଟରୁ ଜାହାଜ ଆସି ସାରିଛି ଓ ଥୁଥୁକୁଡ଼ିରେ ଲୁଣ ବିକ୍ରି କରିଛି”।

*****

ସେମାନେ ସେତେବେଳେ ଆମ ବିଷୟରେ ଲେଖନ୍ତି ଯେତେବେଳେ କିଛି ଭୟଙ୍କର ଘଟଣା ଘଟେ
– ମହିଳା ଲୁଣ କିଆରି ଶ୍ରମିକମାନେ

ଲୁଣ କିଆରି ଶ୍ରମିକମାନଙ୍କ ଜୀବନ ନିର୍ବାହ ପନ୍ଥାକୁ ସୁଦୃଢ଼ କରିବାକୁ, ଅଣସଂଗଠିତ ଶ୍ରମିକ ସଂଘର କୃଷ୍ଣମୂର୍ତ୍ତି ଅନେକ ଦାବି ଉପସ୍ଥାପନ କରିଛନ୍ତି । ଆହୁରି ମଧ୍ୟ ସେ ମୌଳିକ ସୁବିଧାଗୁଡ଼ିକ - ଯେପରିକି ଜଳ, ଶୌଚ ବ୍ୟବସ୍ଥା, ବିଶ୍ରାମ ପାଇଁ ସ୍ଥାନ – ସହିତ ଅମୀଂମାସିତ ଭାବେ ରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଶ୍ରମିକ, ନିଯୁକ୍ତିଦାତା ଓ ସରକାରଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ କହିଛନ୍ତି ।

“ପିଲାମାନଙ୍କ ଯତ୍ନ ପାଇଁ ବିଭିନ୍ନ ବ୍ୟବସ୍ଥା ଆମ ପାଇଁ ଅତ୍ୟାବଶ୍ୟକ ହୋଇପଡ଼ିଛି । ବର୍ତ୍ତମାନ, ଅଙ୍ଗନୱାଡିଗୁଡ଼ିକ କେବଳ କାର୍ଯ୍ୟାଳୟ ଅବଧି ସମୟରେ (୯ ରୁ ୫) କାର୍ଯ୍ୟକ୍ଷମ ରୁହନ୍ତି, ଯେତେବେଳେକି ଲୁଣ ଶ୍ରମିକମାନେ ପୂର୍ବାହ୍ନ ୫ଟାରେ ସେମାନଙ୍କ ଘର ଛାଡ଼ନ୍ତି ଓ ଆଉ କେତେକ ଅଞ୍ଚଳରେ ଏହା ପୂର୍ବରୁ ମଧ୍ୟ । ସବୁଠାରୁ ବଡ଼ ପିଲା – ବିଶେଷକରି ଯଦି ସେ ଏକ ଝିଅ ଅଟେ – ତାହାହେଲେ ସେ ମା’ର ସ୍ଥାନ ନିଏ ଓ ତା’ର ଶିକ୍ଷା ବାଧାପ୍ରାପ୍ତ ହୋଇଥାଏ । ଏହି ପିଲାମାନଙ୍କର ଯତ୍ନ ନେବାପାଇଁ କ’ଣ ଅଙ୍ଗନୱାଡିଗୁଡିକ ପୂର୍ବାହ୍ନ  ୫ ରୁ ୧୦ଘଣ୍ଟା ପର୍ଯ୍ୟନ୍ତ କାର୍ଯକ୍ଷମ ରହିବା ଉଚିତ୍‌ ହେବନି କି?”

କୃଷ୍ଣମୂର୍ତ୍ତି ବୁଝାଇ କୁହନ୍ତି ଯେ ସେମାନଙ୍କର ଏହି ଛୋଟ ବିଜୟ – ମଜୁରିରେ ଅଳ୍ପ ବୃଦ୍ଧି ଓ ବୋନସ୍‌ – ନିଶ୍ଚିତଭାବେ ଶ୍ରମିକମାନେ ଏକ୍‌ଜୁଟ୍‌ ହେବା ଓ ସେମାନଙ୍କ ଅଧିକାର ପାଇଁ ଲଢ଼ିବା କାରଣରୁ ସମ୍ଭବ ହୋଇପାରିଛି । ନୂଆ ଡିଏମ୍‌କେ ସରକାରଙ୍କ ୨୦୨୧ର ତାମିଲନାଡୁ ବଜେଟରେ ବହୁଦିନର ଏକ ଦାବି ପୂରଣ ହୋଇଛି ; ମୌସୁମୀ ସମୟରେ ରିଲିଫ୍‌ ଭାବେ ୫,୦୦୦ଟଙ୍କା ପ୍ରଦାନ । କୃଷ୍ଣମୂର୍ତ୍ତି ଓ ସାମାଜିକ କର୍ମୀ ଉମା ମହେଶ୍ୱରୀ ଏହା ସ୍ୱୀକାର କରିଛନ୍ତି ଯେ ଏକ ଅଣସଂଗଠିତ କ୍ଷେତ୍ର ଏତେ ସହଜରେ ଏକ ସଂଗଠିତ କ୍ଷେତ୍ରରେ ପରିଣତ ହୋଇପାରିବନାହିଁ । ସ୍ୱାସ୍ଥ୍ୟଗତ ସମସ୍ୟାଗୁଡ଼ିକ ହେଉଛି ବୃତ୍ତି ସମ୍ବନ୍ଧିତ ବିପଦ । ହେଲେ ଏହା ନିଶ୍ଚିତ ଯେ, ‘‘କେତେକ ମୌଳିକ ସମାଜିକ ନିରାପତ୍ତା ଉପାୟ ଉପଲବ୍ଧ କରାଯାଇ ପାରିବ” ବୋଲି ସେମାନେ କହୁଛନ୍ତି ।

ଶେଷରେ, ମହିଳା ଶ୍ରମିକମାନେ ସୂଚିତ କଲେ ଯେ, ନିଯୁକ୍ତିଦାତାମାନେ ସବୁବେଳେ ଲାଭରେ ରହୁଛନ୍ତି । ଝାନ୍‌ସି ଲୁଣ କିଆରିକୁ ତାଳ ଗଛ ସହିତ ତୁଳନା କରି କୁହନ୍ତି ଯେ – ଉଭୟ କଷ୍ଟସହିଷ୍ଣୁ, ଅସହ୍ୟ ସୂର୍ଯ୍ୟତାପରେ ବଞ୍ଚି ରହିବାକୁ ସମର୍ଥ  ଓ ସବୁବେଳେ ଉପଯୋଗୀ । ‘ଦୁଦ୍ଦୁ’, ପଇସା ପାଇଁ ବ୍ୟବହାର ହେଉଥିବା ଅପଭାଷାକୁ ବ୍ୟବହାର କରି, ଏହାକୁ ଏକାଧିକ ଥର ପୁନରାବୃତ୍ତି କରି ସେ କୁହନ୍ତି – ଲୁଣ କିଆରିଗୁଡ଼ିକ ସବୁବେଳେ ମାଲିକମାନଙ୍କୁ ପଇସା ଦେଇ ଆସୁଛନ୍ତି ।

“ହେଲେ ଆମକୁ ନୁହେଁ । କେହି ମଧ୍ୟ ଆମର ଜୀବନ ବିଷୟରେ ଜାଣନ୍ତିନି,” ବୋଲି ମହିଳାମାନେ କାମ ପରେ ଏକ ଛୋଟ କାଗଜ କପ୍‌ରେ ଚା’ ପିଉ ପିଉ ମୋତେ କହିଲେ । “ସବୁଆଡେ ଆପଣ କୃଷକମାନଙ୍କ ବିଷୟରେ ପଢ଼ନ୍ତି, ହେଲେ, ଗଣମାଧ୍ୟମ ଆମ ସହିତ କେବଳ ସେତେବେଳେ କଥା ହୁଅନ୍ତି ଯଦି ଆମେ କୌଣସି ପ୍ରତିବାଦ କରୁ’’ । ଆଉ, ସେମାନେ ଯୁକ୍ତି କରନ୍ତି, ସେମାନଙ୍କ ସ୍ୱର ତୀବ୍ର, ବିରକ୍ତି ଭରା : ‘‘ସେମାନେ ଆମ ବିଷୟରେ ସେତେବେଳେ ଲେଖନ୍ତି, ଯେତେବେଳେ କିଛି ଭୟଙ୍କର ଘଟଣା ଘଟେ । ମୋତେ କୁହନ୍ତୁ, କ’ଣ ସମସ୍ତେ ଲୁଣ ବ୍ୟବହାର କରନ୍ତିନି?”

ଏହି ଗବେଷଣାତ୍ମକ ଅଧ୍ୟୟନ ପାଇଁ ବେଙ୍ଗାଲୁରୁସ୍ଥିତ ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ଦ୍ୱାରା ସେମାନଙ୍କର ରିସର୍ଚ୍ଚ ଫଣ୍ଡିଂ କାର୍ଯ୍ୟକ୍ରମ ୨୦୨୦ ଅନ୍ତର୍ଗତ ବିତ୍ତ ଯୋଗାଯାଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Reporting : Aparna Karthikeyan

Aparna Karthikeyan is an independent journalist, author and Senior Fellow, PARI. Her non-fiction book 'Nine Rupees an Hour' documents the disappearing livelihoods of Tamil Nadu. She has written five books for children. Aparna lives in Chennai with her family and dogs.

Other stories by Aparna Karthikeyan
Photos and Video : M. Palani Kumar

M. Palani Kumar is Staff Photographer at People's Archive of Rural India. He is interested in documenting the lives of working-class women and marginalised people. Palani has received the Amplify grant in 2021, and Samyak Drishti and Photo South Asia Grant in 2020. He received the first Dayanita Singh-PARI Documentary Photography Award in 2022. Palani was also the cinematographer of ‘Kakoos' (Toilet), a Tamil-language documentary exposing the practice of manual scavenging in Tamil Nadu.

Other stories by M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE