“ଏ ହେଉଛି ସେହି ସ୍କୁଲ,” ମହାରାଷ୍ଟ୍ରର ଗୁଣ୍ଡେଗାଓଁ ଗାଁର ଏକ ଖାଲି ପଡ଼ିଆ ମଝିରେ ଠିଆ ହୋଇ ଗୋଟିଏ ଦୁଇ ବଖୁରିଆ କଂକ୍ରିଟ ଘର ଆଡ଼କୁ ଏକନିଷ୍ଠ ଭାବରେ ନିଜର ଆଙ୍ଗୁଠି ଦେଖାନ୍ତି ଅତୁଲ ଭୋସଲେ । ଗାଁକୁ ଯିବା ରାସ୍ତାରେ, ଯେମିତି ହେଲେ ଏହା ଉପରେ ଆପଣଙ୍କ ନଜର ପଡ଼ିବ, ଏବଂ ଏହି ରାସ୍ତା ଦେଇ ଆଗକୁ ଗଲେ ଶେଷରେ ଆପଣ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଅବସ୍ଥିତ ଏକ ପାର୍ଦ୍ଧି ବସତିରେ ପହଞ୍ଚିବେ ।
ସ୍କୁଲ କହିଲେ ଯାହା ଆପଣଙ୍କ ନଜରରେ ପଡ଼ିବ ତାହା ହେଲା, ଫିକା ହଳଦିଆ ରଙ୍ଗର କଂକ୍ରିଟ୍ ଢାଞ୍ଚାରେ ନୀଳ ରଙ୍ଗର ଝରକା, କେତେକ ରଙ୍ଗବେରଙ୍ଗ କାର୍ଟୁନ ଏବଂ କେତେଜଣ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ମୁହଁର ଧାଡ଼ିଏ ରଙ୍ଗିନ ଚିତ୍ରରେ ସଜ୍ଜିତ କାନ୍ଥ । ଏଠାକାର ୨୦ଟି ପାର୍ଦ୍ଧି ପରିବାରର ଘର ବୋଲି କୁହାଯାଉଥିବା କେତେକ ଅସ୍ଥାୟୀ କୁଡ଼ିଆ ଏବଂ କେରପାଲ ଛାତ ତଳର ମାଟିଘର ତୁଳନାରେ ଅଧିକ ସ୍ପଷ୍ଟ ଭାବରେ ବାରି ହୋଇପଡ଼େ ଏହି ସ୍କୁଲ ଘର।
“ଆତା ଆମଚ୍ୟାକଡ଼େ ବିକାଶ ମାଞ୍ଜେ ନି ଶାଳାଚ ଆହେ, ବିକାଶଚି ନିଶାନି (ଏଠାରେ ଆମ ପାଇଁ ବିକାଶ ନାଁରେ କେବଳ ଏହି ସ୍କୁଲଟି ଯାହା ରହିଛି),” ଅହମଦନଗର ଜିଲ୍ଲାର ନଗର ତାଲୁକା ଅନ୍ତର୍ଗତ ପୌଟକାବସ୍ତି ନାଁରେ ପରିଚିତ ଏହି ପଲ୍ଲୀ ସଂପର୍କରେ କହନ୍ତି ୪୬ ବର୍ଷୀୟ ଅତୁଲ ଭୋସଲେ।
“ଦୁସରା କାୟ ନୈ, ବସ୍ତିତ ୟାଲା ରାସ୍ତା ନାୟ, ପାନି ନାୟ, ଲାଇଟ ନାୟ କାୟ, ପକ୍କି ଘର ନାୟ (ଏଠି କିଛି ନାହିଁ, ରାସ୍ତା ନାହିଁ, ପାଣି ନାହିଁ, ଆଲୁଅ ନାହିଁ, ପକ୍କା ଘର ନାହିଁ) । ପାଖରେ ସ୍କୁଲଟିଏ ଅଛି ତ ଆମ ପିଲାମାନେ ଅତି କମ୍ରେ ଲେଖିପଢ଼ି ଶିଖିପାରୁଛନ୍ତି,” ସେ କହନ୍ତି । ଶିକ୍ଷାଲାଭର ଏହି କ୍ଷୁଦ୍ର ସ୍ଥାନଟିକୁ ନେଇ ଗର୍ବ କରନ୍ତି ଅତୁଲ । ଏହା ସେହି ସ୍ଥାନ, ଯେଉଁଠି, ଅନ୍ୟ ୧୬ ଜଣ ପିଲା- ସାତ ଜଣ ଝିଅ ଓ ନଅ ଜଣ ପୁଅଙ୍କ ସହିତ ପାଠ ପଢ଼ନ୍ତି ତାଙ୍କର ଦୁଇ ପୁଅଝିଅ ସାହିଲ ଓ ଶବନମ।
ଏହା ହେଉଛି ସେହି ସ୍କୁଲ, ଯାହାକୁ ଅନ୍ୟତ୍ର ଉଠାଇ ନେଇ ଅନ୍ୟ କୌଣସି ସ୍କୁଲ ସହିତ ମିଶାଇ ଦେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏବଂ ଏହା ହିଁ ଏଠାକାର, ଦାରିଦ୍ର୍ୟ ସୀମାରେଖାର ବହୁ ତଳେ ରହିଥିବା ଏହି ସଂପ୍ରଦାୟ ପାଇଁ ଖୁବ୍ ଯନ୍ତ୍ରଣାଦାୟକ । ଯାଯାବର ଭଳି ଜୀବନଯାପନ କରୁଥିବା ଏବଂ ବିମୁକ୍ତ ଜନଜାତି ରୂପେ ଘୋଷିତ ପାର୍ଦ୍ଧିମାନେ ମହାରାଷ୍ଟ୍ରରେ ଏକ ଅନୁସୂଚିତ ଜନଜାତି ରୂପେ ତାଲିକାଭୁକ୍ତ ।
ଦେଢ଼ ଶତାବ୍ଦୀ ଧରି ଅତ୍ୟଧିକ ଭେଦଭାବ ଓ ଅବହେଳାର ଶିକାର ହୋଇ ଆସିଛନ୍ତି ଏହି ଜନଜାତି ସଂପ୍ରଦାୟ । ୧୮୭୧ ମସିହାରେ ବ୍ରିଟିଶ ରାଜ୍ ଏକ ‘ଅପରାଧୀ ଜନଜାତି ଆଇନ’ (ସିଟିଏ) ପ୍ରଚଳନ କରିଥିଲେ । ପ୍ରାୟ ୨୦୦ ଅଦିବାସୀ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ବର୍ଗଙ୍କୁ ଅବଦମିତ କରି ରଖିବା ଉଦ୍ଦେଶ୍ୟରେ ଏହି ଆଇନ କାର୍ଯ୍ୟକାରୀ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୋଷ୍ଠୀ ବ୍ରିଟିଶ ଏକାଧିପତ୍ୟକୁ ସ୍ୱୀକାର କରିବାକୁ ଅନିଚ୍ଛୁକ ଥିଲେ । ପାର୍ଦ୍ଧିମାନଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଇଥିଲା। ଯେଉଁ ମୂଳ ଧାରଣା ଭିତ୍ତିରେ ଏହି ଆଇନ ତିଆରି ହୋଇଥିଲା ତାହା ହେଲା ଯେ, ଏହି ତାଲିକାରେ ଥିବା ଯେ କୌଣସି ଗୋଷ୍ଠୀରେ ଜନ୍ମିତ ଯେ କୌଣସି ବ୍ୟକ୍ତି ଜନ୍ମଗତ ଭାବରେ ଜଣେ ଅପରାଧୀ । ସ୍ୱାଧୀନ ଭାରତରେ, ୧୯୫୨ ମସିହାରେ ଏହି ଅପରାଧୀ ଜନଜାତି ଆଇନକୁ ଉଚ୍ଛେଦ କରାଯିବା ସହିତ ପୀଡ଼ିତ ସଂପ୍ରଦାୟମାନଙ୍କୁ ବିମୁକ୍ତ ଘୋଷଣା କରାଯାଇଥିଲା । କିନ୍ତୁ ଏହି ଆଇନରୁ ଉତ୍ପନ୍ନ ସାମାଜିକ କଳଙ୍କର ଅନ୍ତ ଘଟି ନଥିଲା । ପାର୍ଦ୍ଧିମାନଙ୍କ ପାଇଁ ସ୍ଥାୟୀ ଚାକିରିଟିଏ ପାଇବା ପ୍ରାୟତଃ ଅସମ୍ଭବ କଥା । ନିୟମିତ ସ୍କୁଲ ଯିବାକୁ ଉଦ୍ୟମ କରୁଥିବା ସେମାନଙ୍କ ପିଲାମାନଙ୍କୁ ଧମକଚମକ ଦିଆଯିବା ସହିତ ଅନେକ ସମୟରେ ମାଡ଼ ମରାଯାଏ ।
















