ସଂପ୍ରତି ଗାଜାରେ ଚାଲିଥିବା ନରସଂହାର କ୍ରମରେ, ୨୦୨୩ ଡିସେମ୍ବର ୭ ତାରିଖ ଦିନ, ଆକ୍ରମଣ ଲକ୍ଷ୍ୟରେ ସଂଘଟିତ ଏକ ବୋମାମାଡ଼ରେ ଆମର ସାଥୀ ଅନୁବାଦକ, କବି, ଲେଖକ, ଶିକ୍ଷାବିତ୍, ସ୍ତମ୍ଭକାର ଏବଂ ସାମାଜିକ କର୍ମୀ, ପାଲେଷ୍ଟାଇନର ରେଫାତ ଆଲାରୀରଙ୍କୁ ହତ୍ୟା କରାଗଲା । କିନ୍ତୁ, ଯେଉଁଦିନ ତାଙ୍କ ସ୍ୱରକୁ ନିରବ କରିଦିଆଗଲା, ସେହିଦିନ ହିଁ ସେ ଲେଖିଥିବା ଏକ କବିତା ଡଜନରୁ ଅଧିକ ଭାଷାରେ ପୃଥିବୀ ସାରା ପ୍ରତିଧ୍ୱନିତ ହେଲା।
ଏହା ସେହି ପୃଥିବୀ ଏବଂ ଠିକ୍ ଏହି ସମୟରେ ହିଁ ଆମେ, ‘ପରୀ’ର ଭାଷା ସଂସାରରେ ଆମ କାର୍ଯ୍ୟ ସଂପାଦନ ଉପରେ ନଜର ପକାଇବାକୁ ଯାଉଛୁ ! ଏବଂ ଏହି କ୍ରମରେ ପ୍ରଥମେ ରେଫାତଙ୍କ ଶବ୍ଦାବଳୀକୁ ମନରେ ରଖି ଆମେ ଆରମ୍ଭ କରୁଛୁ:
ଭାଷା ଆଉ କିଛି ନୁହେଁ, କେବଳ ଆମ ସଂଘର୍ଷ ଏବଂ ପ୍ରତିବାଦକୁ ସ୍ୱର ପ୍ରଦାନର ପ୍ରୟାସ । ଶବ୍ଦଗୁଡ଼ିକ ଆମର ଅତି ମୂଲ୍ୟବାନ ସଂପଦ, ଯାହାକୁ ଉପଯୋଗ କରି ଆମେ ନିଜକୁ ଏବଂ ଅନ୍ୟମାନଙ୍କୁ ଶିକ୍ଷିତ କରାଇବା ଉଚିତ । ଏବଂ ଏହି ଶବ୍ଦଗୁଡ଼ିକୁ, ଯେତେ ସମ୍ଭବ ସେତେ ଅଧିକ ଭାଷାରେ, ସମସ୍ତଙ୍କ ପାଖରେ ପହଞ୍ଚାଇ ଦେବା ଉଚିତ । ମୁଁ ସେହି ଭାଷାରେ ବିଶ୍ୱାସ କରେ ଯାହା ଅଧିକରୁ ଅଧିକ ଲୋକଙ୍କ ମନ ଓ ହୃଦୟକୁ ଛୁଇଁପାରେ... ମାନବ ଜାତି ପାଇଁ ସର୍ବୋତ୍ତମ ସଂଘଟନ ହେଉଛି ଅନୁବାଦ । ଅନୁବାଦ ବାଧାବନ୍ଧନରୁ ମୁକ୍ତି ଦିଏ ଏବଂ ସଂପର୍କର ସେତୁ ଗଠନ ସହିତ ବୋଧଗମ୍ୟତା ସୃଷ୍ଟି କରେ । ହେଲେ, ‘ଖରାପ’ ଅନୁବାଦରୁ ଭୁଲ ବୁଝାମଣା ବି ସୃଷ୍ଟି ହୋଇପାରେ ।
ଲୋକଙ୍କୁ ଏକତ୍ର କରିବାରେ, ନୂତନ ବୋଧଶକ୍ତି ସୃଷ୍ଟି କରିବାରେ, ଅନୁବାଦର ସାମର୍ଥ୍ୟ ସଂପର୍କିତ ଏହି ବିଶ୍ୱାସବୋଧରେ ହିଁ ‘ପରୀ’ ଭାଷାରେ ଆମ କାର୍ଯ୍ୟର ମୂଳମନ୍ତ୍ର ନିହିତ:
ଏବଂ ୨୦୨୩ ଆମ ପାଇଁ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଷ ।
ଏ ବର୍ଷ ଆମେ ଦୁଇଟି ନୂଆ ଭାଷାକୁ ସାମିଲ କରିଛୁ – ଛତିଶଗଢ଼ି ଏବଂ ଭୋଜପୁରୀ- ଏବଂ ଏହା ଫଳରେ ‘ପରୀ’ ପ୍ରକାଶ ପାଉଥିବା ଭାରତୀୟ ଭାଷା ସଂଖ୍ୟା ୧୪ରେ ପହଞ୍ଚିଛି ।
ଏ ବର୍ଷ ଏଥିପାଇଁ ବି ବିଶେଷ ଯେ, ଏହି ସମୟରେ ଆମେ ଆମର ନାଁ ‘ପରୀ’ଭାଷା ପାଇଛୁ, ଯଦ୍ୱାରା କି ‘ପରୀ’ର ଭୂମିକା କେବଳ ଇଂରାଜୀ କଥାବସ୍ତୁର ଅନୁବାଦରେ ସୀମିତ ହୋଇ ରହିନାହିଁ, ବରଂ ବାସ୍ତବରେ ଗ୍ରାମୀଣ ସାମ୍ବାଦିକତା କ୍ଷେତ୍ରରେ ଏକ ବହୁଭାଷୀ ମଞ୍ଚ ନିମନ୍ତେ ଯାହା ସବୁ ଦରକାର, ଆମେ ସେହି ସବୁ କାମ କରି ଚାଲିଛୁ ।
ଆମ ଦେଶର ଲୋକଙ୍କ ନିତିଦିନିଆ ଜୀବନରେ କଥିତ ଓ ଲିଖିତ ଭାଷାର ଭୂମିକା ଅନୁଧ୍ୟାନ ଦିଗରେ ଆମ ଅଭିଯାନ ଅବ୍ୟାହତ ରହିଛି । ଅନୁବାଦ ଓ ଭାଷାକୁ କେନ୍ଦ୍ର କରି ପ୍ରସ୍ତୁତ ଆମ ରିପୋର୍ଟ ଏବଂ ବାର୍ତ୍ତାଳାପ ମାଧ୍ୟମରେ ଆମେ ‘ପରୀ’ର ବିଭିନ୍ନ କାର୍ଯ୍ୟକୁ ସ୍ଥାନିତ କରିଛୁ ।




