ଟ୍ରେନ୍ରେ ବସିବାକୁ ଯାଉଛନ୍ତି କୋମଲ । ଆସାମର ରଙ୍ଗିୟା ଜଙ୍କସନ୍ରେ ତାଙ୍କ ଘରକୁ ଯାଉଛନ୍ତି ସେ ।
ଏହା ସେହି ସ୍ଥାନ, ଯେଉଁଠିକି ଆଦୌ ଫେରିବେ ନାହିଁ ବୋଲି ସେ ପ୍ରତିଜ୍ଞା କରିଥିଲେ । ଏମିତି କି ତାଙ୍କ ମାନସିକ ଅକ୍ଷମ ମାଆଙ୍କୁ ଦେଖିବା ପାଇଁ ବି ନୁହେଁ ।
ଯେଉଁ ଘରେ ସେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ, ସେଠାକୁ ଫେରିଯିବା ଅପେକ୍ଷା ଦିଲ୍ଲୀରେ, ଜି.ବି. ରୋଡ୍ର ବେଶ୍ୟାଳୟରେ, କାମ କରିବା ଭଲ । ସେ କହନ୍ତି, ଏବେ ତାଙ୍କୁ ଯେଉଁ ପରିବାର ପାଖକୁ ଫେରାଇ ଦିଆଯାଉଛି, ସେଥିରେ ତାଙ୍କର ୧୭ ବର୍ଷ ବୟସ୍କ ସଂପର୍କୀୟ ଭାଇ ବି ରହେ, ଯିଏ କି ତାଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିବା ବେଳରୁ, ଅନେକ ଥର ଧର୍ଷଣ କରିଥିବା ଅଭିଯୋଗ ହୋଇଥିଲା । “ମୁଁ ମୋ (ସଂପର୍କୀୟ) ଭାଇଙ୍କ ମୁଁହ ଦେଖିବାକୁ ଚାହୁଁନି । ମୁଁ ତାଙ୍କୁ ଘୃଣା କରେ,” କୋମଲ କହନ୍ତି । ସେ ତାଙ୍କୁ ଅନେକ ସମୟରେ ମାଡ଼ ମାରନ୍ତି ଏବଂ ତାଙ୍କ କାମକୁ ବିରୋଧ କଲେ ତାଙ୍କ ମାଆଙ୍କୁ ମାରି ଦେବାକୁ ଧମକ ଦିଅନ୍ତି । ଥରେ, ସେ ତାଙ୍କୁ କୌଣସି ଏକ ଧାରୁଆ ଉପକରଣରେ ମାରିଥିଲେ ଏବଂ ତାଙ୍କ କପାଳରେ ଏକ ଗଭୀର କ୍ଷତଚିହ୍ନ ରହିଯାଇଥିଲା ।
“ହେକାରୋନେ ମୋର୍ ଘର୍ ଯାବୋ ମନ୍ ନାଇ । ମୟ କିମାନ୍ ବାର୍ କଇସୁ ହିହତକ୍ (ଏହି କାରଣରୁ ମୁଁ ଘରକୁ ଯିବାକୁ ଚାହୁଁନି । ମୁଁ ସେମାନଙ୍କୁ ବି ଅନେକ ଥର କହିଛି),” ପୋଲିସ ସହ ତାଙ୍କର କଥାବାର୍ତ୍ତା ସନ୍ଦର୍ଭରେ କୋମଲ କହନ୍ତି । ଏହା ସତ୍ତ୍ୱେ, ପୋଲିସ ତାଙ୍କୁ ୩୫ ଘଣ୍ଟାର ରେଳଯାତ୍ରା କରି ଆସାମ ଯିବା ଲାଗି ଟ୍ରେନ୍ରେ ବସାଇ ଦେଇଥିଲେ । ସେ ଯେ ଘରେ ସୁରକ୍ଷିତ ଭାବରେ ପହଞ୍ଚିବେ କିମ୍ବା ଘରେ ପହଞ୍ଚି ଗଲା ପରେ ଆଗକୁ କୌଣସି ହିଂସାର ଶିକାର ହେବେ ନାହିଁ, ସେ ଦିଗରେ କୌଣସି ବନ୍ଦୋବସ୍ତ କରି ନଥିଲେ, ଏମିତି କି ତାଙ୍କୁ ସିମ୍ କାର୍ଡଟିଏ ବି ଦେଇ ନଥିଲେ ।
ଚାଲାଣ କରାଯାଇଥିବା ଜଣେ ନାବାଳିକା କିମ୍ବା କମ୍ ବୟସର ପ୍ରାପ୍ତବୟସ୍କା ଯେଉଁ ସବୁ ନିର୍ଦ୍ଦିଷ୍ଟ ସହାୟତା ଆବଶ୍ୟକ କରନ୍ତି, ବାସ୍ତବରେ କୋମଲ ତାହା ହିଁ ଆବଶ୍ୟକ କରୁଥିଲେ ।





