୪୮ ବର୍ଷ ବୟସ୍କ ଅନୁସୟା କୁମାରେ କହିଲେ, ‘‘ସେମାନେ ମଝି ରାତିରେ ଆମ ଗାଁକୁ ପ୍ରବେଶ କଲେ ଏବଂ ଆମ ଫସଲଗୁଡ଼ିକ ନଷ୍ଟ କରିଦେଲେ । ରାତାରାତି ସେମାନେ ଆମଠାରୁ ଆମ ଜମି ନେଇଗଲେ ଏବଂ ଏହା ଉପରେ ସେଡ୍ ତିଆରି କରିଦେଲେ ।’’ ଫେବୃଆରୀ ୨୦୨୦ରେ ତାଙ୍କ ପରିବାର କେମିତି ମହାରାଷ୍ଟ୍ରର ନାନ୍ଦେଦ୍ ଜିଲ୍ଲାର ସରଖାନୀ ଗ୍ରାମରେ ଥିବା ସେମାନଙ୍କର ଆଠ ଏକର ଜମିର ଏକ ମୁଖ୍ୟ ଭାଗ ହରାଇଥିଲେ ତାହା ବର୍ଣ୍ଣନା କରିଥିଲେ ।
ଗୋଣ୍ଡ ଆଦିବାସୀ ସମୂହର ଅଂଶ ହୋଇଥିବା ଅନୁସୟା ବିଶ୍ୱାସ କରନ୍ତି ଯେ, କେତେକ ସ୍ଥାନୀୟ ଅଣଆଦିବାସୀ ବ୍ୟବସାୟୀ ସେମାନଙ୍କ ପରିବାରର ଜମି ଚୋରାଇନେବା ପାଇଁ ଗୁଣ୍ଡାମାନଙ୍କୁ ପଇସା ଦେଇଥିଲେ । ‘‘ଏହି ଲୋକମାନେ ନକଲି ଦସ୍ତାବିଜ୍ ତିଆରି କରିଥିଲେ ଏବଂ ଆମ ଜମି ଅଣଆଦିବାସୀ ଲୋକଙ୍କୁ ବିକ୍ରି କରିଦେଲେ । ସାତ ବାରା [7/12; ଜମି ସ୍ୱତ୍ତ୍ୱାଧିକାର ରେକର୍ଡ] ଏବେବି ଆମ ନାମରେ ଅଛି ।’’ ତାଙ୍କ ପରିବାର କପା, ମୁଗ, ହରଡ଼ ଏବଂ ଗହମ ଏହି ଜମିରେ ଚାଷ କରନ୍ତି ।
ଅନୁସୟା କୁହନ୍ତି, ‘‘କୋଭିଡ୍ [ଲକ୍ଡାଉନ୍] ସମୟରେ ଆମର ଯେଉଁ ଅଳ୍ପ କିଛି ଜମି ବାକି ଅଛି ସେଥିରେ ଯେଉଁ ଫସଲ କରିଥିଲୁ ସେଥିରେ ବଞ୍ଚିଗଲୁ । ଗତ ମାସ [ଡିସେମ୍ବର ୨୦୨୦]ରେ ସେମାନେ ତାହା ମଧ୍ୟ ନେଇଗଲେ’’ । ସରଖାନୀରେ ଜମି ହରାଇଥିବା ବ୍ୟକ୍ତି କେବଳ ଅନୁସୟା ନୁହଁନ୍ତି । ୩୨୫୦ ଜନସଂଖ୍ୟା ବିଶିଷ୍ଟ (୨୦୧୧ ଜଣନଗଣନା) ଏହି ଗାଁର ୯୦୦ ଜଣ ଆଦିବାସୀଙ୍କ ଭିତରୁ ପ୍ରାୟ ୨୦୦ ଜଣ ସେମାନଙ୍କର ଜମି ହରାଇଛନ୍ତି । ସେମାନେ ଜାନୁଆରୀ ମାସ ଆରମ୍ଭରୁ ପ୍ରତିଦିନ ସ୍ଥାନୀୟ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ବାହାରେ ଧାରଣାରେ ବସି ଆସୁଛନ୍ତି ।
ନିଜର ପାଦକୁ ତାଙ୍କ ଦୁଇ ହାତରେ ଘଷି ଅନୁସୟା କହିଥିଲେ, ‘‘ଆମେ ଗୋଟିଏ ମାସ ହେବ ପଞ୍ଚାୟତ କାର୍ଯ୍ୟାଳୟଠାରେ ବିକ୍ଷୋଭ କରୁଛୁ । ଆମ ଗୋଡ଼ କାଟୁଛି ।’’ ଜାନୁଆରୀ ୨୩ର ରାତି ପ୍ରାୟ ୯ଟା ହୋଇଥିଲା ଏବଂ ସେ ବାଜରା ରୁଟି ଏବଂ ରସୁଣ ଚଟଣୀ ରାତ୍ର ଭୋଜନ ଭାବରେ ଖାଇସାରିଥିଲେ । ସେ ଏବଂ ଅନ୍ୟ କେତେ ଜଣ ମହିଳା ଇଗତପୁରୀର ଘଣ୍ଟାଦେବୀ ମନ୍ଦିର ଭିତରେ ରାତି ପାଇଁ ମୋଟା କମ୍ବଳ ବିଛାଇ ସାରିଥିଲେ ।
ଏହି ମହିଳାମାନେ ତିନି ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ କରିବା ପାଇଁ ନାସିକ୍ରୁ ମୁମ୍ବାଇ ଯାଉଥିବା ଏକ ଗାଡ଼ି ଜଥା (ଶୋଭାଯାତ୍ରା)ର ଅଂଶ ଥିଲେ । ସେମାନେ ସେମାନଙ୍କର ଅନେକ ସଂଘର୍ଷ ଉପରେ ଆଲୋକପାତ କରିବା ପାଇଁ ଯାଉଥିଲେ ।





