ସେପ୍ଟେମ୍ବର ମାସର ଆଦ୍ୟ ଭାଗରେ ଘୋଡ଼ାମାରା ଦ୍ୱୀପର ଫେରି ଘାଟ ବେଶ ଚଳଚଞ୍ଚଳ ଥିଲା। ପୁରୁଷ, ମହିଳା, ଶିଶୁ ଓ ଏପରିକି ଗୃହପାଳିତ ପଶୁମାନେ ମଧ୍ୟ ଡଙ୍ଗାରୁ ଓହ୍ଲାଇ ଦୈନନ୍ଦିନ କାର୍ଯ୍ୟକୁ ଯିବା ଲାଗି ବ୍ୟସ୍ତ ଥିଲେ। ସମୁଦ୍ରର ଉଚ୍ଚ ଜୁଆର ଆସିବା ସମୟରେ ଏମାନେ ଅନ୍ୟତ୍ର ଆଶ୍ରୟ ନେଇଥିଲେ। ପାଣି ଛାଡ଼ିବା ପରେ ଦ୍ୱୀପରେ ଥିବା ନିଜ ଘରକୁ ଫେରୁଥିଲେ। ଅଧିକାଂଶ ସମୟରେ ଏହି ଦ୍ୱୀପର ବାସିନ୍ଦାଙ୍କୁ ନିଜ ସମ୍ପର୍କୀୟମାନଙ୍କ ସହ ନିରାପଦ ଆଶ୍ରୟସ୍ଥଳରେ ରହିବାକୁ ପଡ଼ିଥାଏ। ମୂଳ ଭୂଖଣ୍ଡ କାକଦ୍ୱୀପରୁ ଡଙ୍ଗା ଯୋଗେ ସୁନ୍ଦରବନ ତ୍ରିକୋଣଭୂମିରେ ଥିବା ଏହି ଦ୍ୱୀପରେ ପହଞ୍ଚିବା ଲାଗି ୪୦ ମିନିଟ୍ ସମୟ ଲାଗିଥାଏ। ମାସକୁ ଦୁଇ ଥର ଲୋକମାନେ ଏହି ଫେରିଘାଟ ଦେଇ ଯିବା ଆସିବା କରିଥାନ୍ତି। ତେବେ ଏହି ନିତିଦିନିଆ କାମ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ଥିବା ଏହି ଛୋଟିଆ ଦ୍ୱୀପରେ ବଞ୍ଚି ରହିଥିବା ଗ୍ରାମବାସୀଙ୍କ ପାଇଁ ଲମ୍ବା ସଂଘର୍ଷର କାରଣ ପାଲଟିଥାଏ।
ଜଳବାୟୁ ପରିବର୍ତ୍ତନର କୁପରିଣାମ ଯୋଗୁ ବାରମ୍ବାର ବାତ୍ୟା, ସମୁଦ୍ର ଜଳସ୍ତର ବୃଦ୍ଧି ଏବଂ ପ୍ରବଳ ବର୍ଷା ଭଳି ପ୍ରାକୃତିକ ଦୁର୍ବିପାକ ଘୋଡ଼ାମାରାର ଲୋକମାନଙ୍କ ଜୀବନକୁ ସଂଘର୍ଷପୂର୍ଣ୍ଣ କରି ଦେଇଛି। ଦୀର୍ଘ ଦଶନ୍ଧି ଧରି ବନ୍ୟା ଓ ମୃତ୍ତିକା କ୍ଷୟ ଯୋଗୁଁ ହୁଗଲି ମୁହାଣରେ ଥିବା ସେମାନଙ୍କର ଏହି ପୃଥକ ବାସସ୍ଥାନ ଏକ ଭାସମାନ ଭୂଖଣ୍ଡ ପାଲଟିଯାଇଛି।
ଯେତେବେଳେ ମେ ମାସରେ ୟାସ ବାତ୍ୟା ସ୍ଥଳ ଭାଗରେ ମାଡ଼ ହୋଇଥିଲା, ସାଗର ବ୍ଲକ୍ ଅଧୀନରେ ଆସୁଥିବା ଘୋଡ଼ାମାରା ସୁନ୍ଦରବନ ଅଞ୍ଚଳରେ ସବୁଠୁ ପ୍ରଭାବିତ ଅଞ୍ଚଳ ଥିଲା। ମେ ୨୬ ତାରିଖରେ, ବାତ୍ୟା ସହ ଆସିଥିବା ସମୁଦ୍ରର ଉଚ୍ଚ ଜୁଆର ମାତ୍ର ୧୫-୨୦ ମିନିଟ ମଧ୍ୟରେ ତଟବନ୍ଧକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେବା ସହ ଏହି ଦ୍ୱୀପକୁ ଜଳପ୍ଳାବିତ କରି ଦେଇଥିଲା। ପୂର୍ବରୁ ବାତ୍ୟା ଅମ୍ଫନ (୨୦୨୦) ଏବଂ ବୁଲବୁଲ (୨୦୧୯) ର ପ୍ରଭାବକୁ ଦେଖିଥିବା ଏହି ଦ୍ୱୀପର ବାସିନ୍ଦା ପୁଣିଥରେ ଧ୍ୱଂସଲୀଳାର ସମ୍ମୁଖିନ ହୋଇଥିଲେ। ସେମାନଙ୍କ ଘରର ଚିହ୍ନବର୍ଣ୍ଣ ନଥିଲା, ଧାନ ଭଣ୍ଡାର, ପାନ ବରଜ ଓ ସୂର୍ଯ୍ୟମୁଖି କ୍ଷେତ ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା।
ବାତ୍ୟା ପରେ କାଶୀମାରା ଘାଟ ନିକଟରେ ଥିବା ଅବ୍ଦୁଲ ରୌଫଙ୍କ ଘର ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା। “ସେହି ତିନିଦିନ ଆମ ପାଖରେ କିଛି ଖାଇବାକୁ ନଥିଲା। ଆମେ ବର୍ଷା ପାଣି ପିଇ ବଞ୍ଚିଥିଲୁ। କେବଳ ଜରି ପାଲ ତଳେ ସୁରକ୍ଷିତ ରହିଥିଲୁ”, ଏଠାରୁ ୯୦ କିଲୋମିଟର ଦୂର କୋଲକାତାରେ ଜଣେ ଦରଜି ଭାବେ କାମ କରୁଥିବା ରୌଫ କହିଥାନ୍ତି। “ସୁରକ୍ଷିତ ସ୍ଥାନକୁ ବାହାରି ନପାରି ଆମେ ସେଠାରେ ପଡ଼ି ରହିଲୁ।” ତିନି ଦିନ ପରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ସୂଚନା ମିଳିଲା ଯେ ରୌଫ ଏବଂ ତାଙ୍କ ପତ୍ନୀଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି। “ଯେକୌଣସି ପରିସ୍ଥିତିରେ କାକଦ୍ୱୀପରେ ପହଞ୍ଚିବା ଲାଗି ବିଡିଓ ଆମକୁ କହିଲେ। ସେଠାରେ ସେ ଆମ ପାଇଁ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଇ ଦେଲେ। ଆମକୁ (ଚିକିତ୍ସା ପାଇଁ) ପ୍ରାୟ ୨୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା।” ସେହିଦିନ ଠାରୁ ରୌଫ ଏବଂ ତାଙ୍କ ପରିବାର ଦ୍ୱୀପରେ ଥିବା ଆଶ୍ରୟସ୍ଥଳୀରେ ରହି ଆସୁଛନ୍ତି।
ଆହୁରି ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିଲା ଓ ସେମାନେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିଲେ। ମନ୍ଦିରତାଲା ଗ୍ରାମର ବାସିନ୍ଦାମାନେ ଦ୍ୱୀପର ସର୍ବୋଚ୍ଚ ସ୍ଥାନ କୁହାଯାଉଥିବା ମନ୍ଦିରତାଲା ବଜାର ନିକଟବର୍ତ୍ତୀ ଟ୍ୟାଙ୍କ ଗ୍ରାଉଣ୍ଡ ନିକଟରେ ନିର୍ମିତ ଏକ ଆଶ୍ରୟସ୍ଥଳୀରେ ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ସେହି ପାଖରେ ଥିବା ଏକ ସଂକୀର୍ଣ୍ଣ ରାସ୍ତାରେ ଶିବିର ପକାଇଥିଲେ। ହାତଖୋଲା, ଚୁନପୁରୀ ଓ ଖାସିମାରା ଅଞ୍ଚଳର ୩୦ ପରିବାର ଘୋଡ଼ାମାରାର ଦକ୍ଷିଣରେ ଥିବା ସାଗର ଦ୍ୱୀପରେ ନିର୍ମିତ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିଲେ। ସେହି ସ୍ଥାନରେ ରହିବା ଲାଗି ସେମାନଙ୍କୁ ଏବେ ଜମି ଆବଣ୍ଟନ କରାଯାଇଛି।



























