ଦଶ ବର୍ଷୀୟା ନୂତନ ବ୍ରାହ୍ମଣେ ଏହା ଜାଣିବା ଲାଗି ଉତ୍ସୁକ ଥିଲେ ଯେ ତାଙ୍କର ଜେଜେମା ଆନ୍ଦୋଳନ ଶୋଭାଯାତ୍ରା ସହିତ ମୁମ୍ବାଇ କାହିଁକି ଯାଉଛନ୍ତି। ସେଥିପାଇଁ ଜୀଜାବାଇ ବ୍ରାହ୍ମଣେ ତାଙ୍କୁ ନିଜ ସହିତ ନେବା ଲାଗି ନିଷ୍ପତ୍ତି ନେଲେ। “ମୁଁ ଏହାକୁ ସାଥୀରେ ନେଇ ଆସିଛି ଯାହାଫଳରେ ସେ ଆଦିବାସୀଙ୍କ ଦୁଃଖ ଓ ସମସ୍ୟାଗୁଡ଼ିକୁ ବୁଝିପାରିବ”, ୨୬ ଜାନୁଆରୀରେ ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଟାଣ ଖରାରେ ବସିଥିବା ଜୀଜାବାଇ କହିଥିଲେ।
“ଆମେ ଏଠାକୁ ଦିଲ୍ଲୀରେ (ତିନୋଟି କୃଷି ଆଇନ ବିରୋଧରେ) ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରିବା ଲାଗି ଆସିଛୁ। କିନ୍ତୁ ଆମେ କିଛି ସ୍ଥାନୀୟ ଦାବି ସମ୍ପର୍କରେ ଧ୍ୟାନ ଆକର୍ଷଣ କରିବା ଲାଗି ଚାହୁଁଛୁ”, ୬୫ ବର୍ଷୀୟା ଜୀଜାବାଇ କହିଥିଲେ, ଯିଏକି ୨୫-୨୬ ଜାନୁଆରୀରେ ନୂତନଙ୍କ ସହିତ ଆଜାଦ୍ ମୈଦାନରେ ଥିଲେ।
ସେମାନେ ୨୩ ଜାନୁଆରୀରେ ନାସିକରୁ ଯାତ୍ରା କରିଥିବା ଚାଷୀମାନଙ୍କର ଦଳ ସହିତ ନାସିକ ଜିଲ୍ଲାର ଅମ୍ବେଭାନି ଗ୍ରାମରୁ ଏଠାକୁ ଆସିଥିଲେ।
ବହୁ ଦଶନ୍ଧି ଧରି, ଜୀଜାବାଇ ଓ ତାଙ୍କର ସ୍ୱାମୀ ୭୦ ବର୍ଷୀୟ ଶ୍ରବଣ-ଏମାନେ କୋଲି ମହାଦେବ ଆଦିବାସୀ ସମ୍ପ୍ରଦାୟର-ଡିଣ୍ଡୋରୀ ତାଲୁକାରେ ଥିବା ନିଜ ଗ୍ରାମରେ ପାଞ୍ଚ ଏକର ଜଙ୍ଗଲ ଜମିରେ ଚାଷ କରି ଆସୁଛନ୍ତି। ସେମାନଙ୍କୁ ୨୦୦୬ରେ ଜଙ୍ଗଲ ଅଧିକାର ଆଇନ ପାରିତ ହେବା ପରେ ଜମି ମାଲିକ ଅଧିକାର ମିଳିବାର ଥିଲା। “କିନ୍ତୁ ଆମକୁ ନିଜ ନାମରେ ଗୋଟିଏ ଏକରରୁ ମଧ୍ୟ କମ୍ ଜମି ମିଳିଲା, ଯେଉଁଥିରେ ଆମେ ଧାନ, ଗହମ, ବିରି ଓ ହରଡ଼ ଚାଷ କରିଥାଉ”, ସେ କହିଥିଲେ। “ବାକି (ଜମି) ବନ ବିଭାଗ ଅଧୀନରେ ରହିଛି ଏବଂ ଯଦି ଆମେ ସେହି ଭୂଖଣ୍ଡ ନିକଟକୁ ଯାଇଥାଉ ତା’ହେଲେ ଅଧିକାରୀମାନେ ଆମକୁ ସମସ୍ୟାରେ ପକାଇଥାନ୍ତି।”
ମୁମ୍ବାଇରେ ଗଣତନ୍ତ୍ର ଦିବସରେ ଆନ୍ଦୋଳନ କରିବା ଲାଗି ନୂତନଙ୍କ ପିତା, ଜୀଜାବାଇଙ୍କ ପୁଅ, ସଞ୍ଜୟ ଖୁବ ସହଜରେ ନିଜ ଝିଅକୁ ତା’ର ଜେଜେମା’ଙ୍କ ସହିତ ପଠାଇବା ଲାଗି ରାଜି ହୋଇଯାଇଥିଲେ। “ସେ ୨୦୧୮ରେ ‘କୃଷକମାନଙ୍କର ଲମ୍ବା ପଦଯାତ୍ରା’ରେ ଆସିବାକୁ ଚାହୁଁଥିଲେ, ଯେଉଁଥିରେ ଆମେ ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଲୁ। କିନ୍ତୁ ସେତେବେଳେ ସେ ଖୁବ ଛୋଟ ଥିଲେ। ମୁଁ ନିଶ୍ଚିତ ନଥିଲି ଯେ ସେ ଏତିକି ଦୂର ପାଦରେ ଚାଲିପାରିବ ବୋଲି। ଆଜି ସେ ବେଶ ବଡ଼ ହୋଇସାରିଛି ଏବଂ ଅଧିକ ବାଟ ଚାଲିବାକୁ ମଧ୍ୟ ପଡ଼ିବ ନାହିଁ”, ଜୀଜାବାଇ କହିଥିଲେ।






