ଔଚିତ ମହାତ୍ରେ ତାଙ୍କ ଶ୍ରେଣୀଗୃହରେ ଜଣେ ମାତ୍ର ଛାତ୍ର ଭାବେ ଅଭ୍ୟସ୍ତ ହୋଇଯାଇଥିଲେ । କିନ୍ତୁ ସମ୍ପୂର୍ଣ୍ଣ ସ୍କୁଲରେ ଶେଷ ଛାତ୍ର ହେବା ତାଙ୍କ ପାଇଁ ନିଶ୍ଚିତ ଭାବେ ନୂଆ ଥିଲା ।
ପ୍ରାୟ ୧୮ ମାସ ଧରି ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ରହିବା ପରେ ଗତ ବର୍ଷ ଅକ୍ଟୋବର ୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଯେତେବେଳେ ୧୨ ବର୍ଷର ଔଚିତ ଶ୍ରେଣୀଗୃହ ମଧ୍ୟକୁ ପ୍ରବେଶ କଲେ ସେତେବେଳେ ତାହା ହିଁ ଘଟିଲା । ସ୍କୁଲର ତିନିଟିଯାକ ଶ୍ରେଣୀଗୃହ ସମ୍ପୂର୍ଣ୍ଣ ଖାଲି ଥିଲା । ଏକ ଚେୟାର ଉପରେ ରଖାଯାଇଥିବା ମହାତ୍ମା ଗାନ୍ଧିଙ୍କର ଏକ ବନ୍ଧେଇ ଫଟୋଚିତ୍ର ପାଖରେ ତାଙ୍କ ଶିକ୍ଷକ କେବଳ ତାଙ୍କୁ ହିଁ ଅପେକ୍ଷା କରିଥିଲେ ।
୨୦୧୫ରେ ପ୍ରାୟ ୬ ବର୍ଷର ହୋଇଥିବାବେଳେ ଔଚିତ ଯେତେବେଳେ ପ୍ରଥମ ଶ୍ରେଣୀରେ ଯୋଗଦେଲେ ସେହି ସମୟରୁ ତାଙ୍କର କୌଣସି ସହପାଠୀ ନ ଥିଲେ । ‘‘ଫକ୍ତ ମିଚ ହୋତୋ [କେବଳ ମୁଁ ସେଠାରେ ଥିଲି],’’ ସେ କହିଲେ । ସେ ମଧ୍ୟ ତାଙ୍କ ସ୍କୁଲରେ ନାମ ଲେଖାଇଥିବା ଶେଷ ଛାତ୍ର ଥିଲେ – ଯେଉଁଠି ସେତେବେଳେ ପ୍ରାୟ ୨୫ ଜଣ ଅନ୍ୟ ଛାତ୍ରଛାତ୍ରୀ ଥିଲେ । ସେମାନେ ଘରପୁରୀ ଗାଁର ତିନିଟି ଛୋଟ ଗାଁ – ମୋରବନ୍ଦର, ରାଜବନ୍ଦର ଏବଂ ସେତବନ୍ଦରରୁ ଆସୁଥିଲେ – ଯେଉଁଠାରେ ପ୍ରାୟ ୧,୧୦୦ ଲୋକ ରହନ୍ତି । ଘରପୁରୀ ଦ୍ୱୀପ ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାର ଗୋଟିଏ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଯାହା ଏଲିଫାଣ୍ଟା ଗୁମ୍ଫା ପାଇଁ ପରିଚିତ । ଦକ୍ଷିଣ ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆରୁ ବୋଟ୍ ମାଧ୍ୟମରେ ଏଠାକୁ ପହଞ୍ଚିବାକୁ ଘଣ୍ଟାଏ ସମୟ ଲାଗେ ।
ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଥିବା ଔଚିତଙ୍କର ଜିଲ୍ଲା ପରିଷଦ(ଜେପି) ସ୍କୁଲରେ ୫୫-୬୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ବର୍ଷ ପରେ ବର୍ଷ ଏହି ସଂଖ୍ୟା କମି କମି ଚାଲିଲା, ଏବଂ ୨୦୧୯ ବେଳକୁ ମାତ୍ର ୧୩ ଜଣ ଛାତ୍ରଛାତ୍ରୀ ଥିଲେ । ୨୦୨୦ ମାର୍ଚ୍ଚ ବେଳକୁ ଏହି ସଂଖ୍ୟା ୭କୁ ଖସିଆସିଲା । ଏବଂ ୨୦୨୦-୨୧ ଶିକ୍ଷାବର୍ଷ ବେଳକୁ, ଯେତେବେଳେ ତିନିଜଣ ସପ୍ତମ ଶ୍ରେଣୀ ଶେଷ କଲେ, ଏବଂ ଦୁଇ ଜଣ ଛାତ୍ର ପଳାଇଗଲେ, ସେତେବେଳେ ସ୍କୁଲରେ ମାତ୍ର ଦୁଇ ଜଣ ଛାତ୍ରଛାତ୍ରୀ ରହିଲେ, ଷଷ୍ଠ ଶ୍ରେଣୀରେ ଔଚିତ, ଏବଂ ସପ୍ତମରେ ଗୌରୀ ମହାତ୍ରେ । ଗୌରୀ କହନ୍ତି, ‘‘ଏଠାରେ ଠିକ୍ ଭାବେ ପାଠ ପଢ଼ା ହେଉନଥିଲା, ସେଥିପାଇଁ ସମସ୍ତେ ଛାଡ଼ି ପଳାଇବା ଆରମ୍ଭ କଲେ ।’’


















