ଲେନିନଦାସନ ୩୦ ପ୍ରକାରର ଚାଉଳ ଚାଷ କରନ୍ତି । ସାଥୀ ଚାଷୀମାନଙ୍କ ଦ୍ୱାରା ଅମଳ କରାଯାଇଥିବା ଅନ୍ୟ ୧୫ କିସମର ଚାଉଳ ସେ ବିକ୍ରି କରନ୍ତି । ଏବଂ ସେ ସଂରକ୍ଷଣ କରନ୍ତି ୮୦ ପ୍ରକାରର ଧାନ ବିହନ । ତାମିଲନାଡୁର ତିରୁବନମଲାଇ ଜିଲ୍ଲାରେ ଥିବା ତାଙ୍କ ପରିବାରର ଛଅ ଏକର ଚାଷ ଜମିରେ ସେ ଏ ସବୁ କରନ୍ତି ।
କେବଳ ଏ ସବୁ ସଂଖ୍ୟା ଯେ ଅସାଧାରଣ, ତାହା ନୁହେଁ । ବରଂ ଏ ଅଞ୍ଚଳର କ୍ଷୁଦ୍ର ଏବଂ ନାମମାତ୍ର ଚାଷଜମି ଲାଗି, ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ଥିବା ଏହି ସବୁ ପାରମ୍ପରିକ କିସମର ଚାଉଳ ଅଧିକ ଉପଯୁକ୍ତ । ଲେନିନ ନାଁରେ ପରିଚିତ ଏହି ଚାଷୀ ଏବଂ ତାଙ୍କ ସାଥୀମାନେ ଆଧୁନିକ କିସମର ଧାନ ବଦଳରେ ପାରମ୍ପରିକ କିସମର ଧାନ ଚାଷ କରିବା ସହିତ ବର୍ଷ ସାରା ମାତ୍ର ଗୋଟିଏ କିସମର ଚାଷ ଧାରାର ପ୍ରତିରୋଧ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି । ସେମାନଙ୍କର ଲକ୍ଷ୍ୟ, ଚାଷବାସରେ ହଜି ହଜି ଯାଉଥିବା ବିବିଧତାକୁ ଫେରାଇ ଆଣିବା । ଏବଂ ଧାନଚାଷ କ୍ଷେତ୍ରରେ ଏକ ନୂତନ ବିପ୍ଳବର ଅଙ୍କୁରୋଦ୍ଗମ କରାଇବା ।
ଏହା ଏକ ଭିନ୍ନ ଧରଣର ବିପ୍ଳବ, ଯାହାର ନେତୃତ୍ୱ ନେଉଛନ୍ତି ଅନ୍ୟ ଜଣେ ଲେନିନ ।
ପୋଲୁର ତାଲୁକା ଅନ୍ତର୍ଗତ ସେନଗୁନାମ ଗାଁରେ, ତାଙ୍କ ଚାଷଜମିକୁ ଲାଗି ରହିଥିବା ଯେଉଁ ଗୋଦାମରେ ସେ ତାଙ୍କର ଶହ ଶହ ବସ୍ତା ଧାନ ରଖନ୍ତି, ତାହା ପ୍ରକୃତରେ ଏକ ଛେଳି ଗୁହାଳର ଉନ୍ନତ ରୂପ ।
ବାହାରୁ ଦେଖିଲେ ସେହି ଛୋଟ ଘରଟିର କିଛି ବୈଶିଷ୍ଟ୍ୟ ଥିଲା ଭଳି ଲାଗେନି । ହେଲେ ଯେମିତି ଆମେ ଭିତରେ ପଶିଲୁ, ଆମର ଏ ଧାରଣା ତୁରନ୍ତ ବଦଳି ଯାଏ । “ଏଇଟା କାରୁପ୍ପୁ କାବୁନି, ସେଇଟା ସୀରଗା ସାମ୍ବା”, ଗୋଟିଏ ଡାମ୍ଫଣରେ ବସ୍ତା କଣା କରି ଚାଉଳ ବାହାର କରିବା ସହିତ ଲେନିନ କହନ୍ତି । ହାତ ପାପୁଲିରେ ସେ ଏହି ଦୁଇଟି ପାରମ୍ପରିକ କିସମର ଚାଉଳ ରଖନ୍ତି । ପ୍ରଥମଟି କିଛିଟା କଳା ଏବଂ ଚକଚକିଆ, ଦ୍ୱିତୀୟଟି ସରୁ ଏବଂ ବାସ୍ନାଯୁକ୍ତ । ଗୋଟିଏ କୋଣରୁ ସେ ଲୁହାରେ ତିଆରି ପୁରୁଣା ମାପ ପାତ୍ର ବାହାର କରି ଆଣନ୍ତି: ଯାହାକୁ କୁହାଯାଏ ପଡ଼ି, ମାରାକ୍କା , ଏବଂ ଏଥିରେ ଭିନ୍ନ ଭିନ୍ନ ପରିମାଣର ଧାନ ଧରେ ।
ସେତେଟା ପାଟିତୁଣ୍ଡ ନାହିଁ କି ଭୁଲଭଟକାର ପ୍ରଶ୍ନ ଉଠୁନାହିଁ - ଏହି ଘର ଭିତରେ ହିଁ ଲେନିନ ଚାଉଳ ଓଜନ କରି ବସ୍ତାରେ ପୂରାନ୍ତି ଏବଂ ସେଗୁଡ଼ିକୁ ଦକ୍ଷିଣରେ ସୁଦୂର ବେଙ୍ଗାଳୁରୁ ଏବଂ ଉତ୍ତରରେ ନାଗରକୋଏଲ ପର୍ଯ୍ୟନ୍ତ ପଠାନ୍ତି । ତାଙ୍କ କାମ ଦେଖିଲେ ଲାଗେ ଯେମିତି କି ସେ କାହିଁ କେତେ ବର୍ଷ ହେଲା ଧାନ ଚାଷ କରି ବିକ୍ରି କରି ଆସୁଛନ୍ତି । କିନ୍ତୁ ପ୍ରକୃତରେ ସେ ମାତ୍ର ଛଅ ବର୍ଷ ହେଲା ଏହା କରିଆସୁଛନ୍ତି ।Bottom of Form







































