“ପଙ୍ଖେ ୱାଲେ (ପବନକଳ), ବ୍ଲେଡ୍ ୱାଲେ (ସୌରଶକ୍ତି କେନ୍ଦ୍ର) ଆମ ଓରଣଗୁଡ଼ିକୁ ଅକ୍ତିଆର କରି ନେଉଛନ୍ତି,” ବୋଲି କହନ୍ତି ସୌଁଟା ଗାଁ ବାସିନ୍ଦା ସୁମେର ସିଂହ ଭାଟି। ସେ ଜଣେ ଚାଷୀ ଓ ପଶୁପାଳକ ଏବଂ ଜୟସାଲମେର ଜିଲ୍ଲାର ଦେଗରାୟ ଓରଣ ନିକଟରେ ତାଙ୍କ ଘର।
ଓରଣ ହେଉଛି ପବିତ୍ର ଉପବନ, ଏବଂ ସର୍ବସାଧାରଣ ସଂପତ୍ତିର ଉତ୍ସ ରୂପେ ବିବେଚିତ। ସେଠାକୁ ସମସ୍ତେ ଯାଇପାରିବେ। ପ୍ରତିଟି ଓରଣରେ ଜଣେ ଦେବୀ କି ଦେବତା ଅଧିଷ୍ଠିତ। ଆଖପାଖ ଗାଁର ଲୋକେ ତାଙ୍କୁ ପୂଜା କରନ୍ତି ଏବଂ ତତ୍ସଂଲଗ୍ନ ଭୂମିକୁ ସେମାନଙ୍କ ସଂପ୍ରଦାୟ ଅଖଣ୍ଡ ସ୍ଥିତିରେ ରଖନ୍ତି – ଯେମିତି କି ଗଛ କଟାଯାଇ ପାରିବ ନାହିଁ, କେବଳ ତଳେ ପଡ଼ିଥିବା ଗଛ କାଠକୁ ଜାଳେଣି କାଠ ରୂପରେ ବ୍ୟବହାର କରାଯାଇପାରିବ ଏବଂ ସେଠାରେ କୌଣସି ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ, ଏବଂ ସେଠାକାର ଜଳାଶୟଗୁଡ଼ିକ ପବିତ୍ର।
କିନ୍ତୁ, ସୁମେର ସିଂହ କହନ୍ତି “ସେମାନେ (ଅକ୍ଷୟ ଶକ୍ତି କମ୍ପାନୀଗୁଡ଼ିକ) ଶହ ଶହ ବର୍ଷ ପୁରୁଣା ଗଛକୁ କାଟି ପକାଇଲେଣି ଏବଂ ଘାସ ଓ ଗୁଳ୍ମକୁ ଓପାଡ଼ି ଦେଲେଣି। ଲାଗୁଛି, କେହି ହେଲେ ସେମାନଙ୍କୁ ଅଟକାଇ ପାରିବେନି।”
ସୁମେର ସିଂହଙ୍କ ଏହି କ୍ରୋଧଭରା ବକ୍ତବ୍ୟ ସହିତ ଏକମତ ହୁଅନ୍ତି ଜୟସାଲମେରର ଶହ ଶହ ଗାଁର ବାସିନ୍ଦା, ଯେଉଁମାନଙ୍କ ଓରଣଗୁଡ଼ିକ ଏବେ ବିଭିନ୍ନ ଅକ୍ଷୟ ଶକ୍ତି କମ୍ପାନୀ ଅକ୍ତିଆର କରିବାରେ ଲାଗିଛନ୍ତି। ସେମାନଙ୍କ କହିବା ଅନୁସାରେ ଗତ ୧୫ ବର୍ଷ ହେଲା ଏହି ଜିଲ୍ଲାର ହଜାର ହଜାର ହେକ୍ଟର ଜମି ପବନକଳ ଏବଂ ତାରବାଡ଼ ଘେରା ସୌରଶକ୍ତି ସଂସ୍ଥାକୁ ଦିଆଯାଇ ସାରିଲାଣି। ଏହା ସହିତ ଜିଲ୍ଲା ବାହାରକୁ ବିଦ୍ୟୁତ୍ ଶକ୍ତି ନେବା ପାଇଁ ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ ତାର ଟଣାଯାଇଛି ଏବଂ ଅନେକ ମାଇକ୍ରୋ ଗ୍ରୀଡ୍ ସ୍ଥାପିତ ହୋଇଛି। ଏଭଳି କାର୍ଯ୍ୟକଳାପ ଯୋଗୁଁ ସେଠାକାର ପରିବେଶଗତ ବ୍ୟବସ୍ଥା ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି ଏବଂ ଏହି ସବୁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ନିର୍ବାହର ଧାରା ନଷ୍ଟ ହେବାରେ ଲାଗିଛି।
ପଶୁପାଳକ ଜୋରା ରାମ କହନ୍ତି, “ପଶୁ ଚରିବା ପାଇଁ କେଉଁଠି ହେଲେ ଜାଗା ନାହିଁ। ଘାସ କେଉଁ କାଳରୁ (ମାର୍ଚ୍ଚ ମାସରୁ) ସରିଗଲାଣି ଏବଂ ଆମ ଗୃହପାଳିତ ପଶୁଙ୍କ ଖାଇବା ପାଇଁ ଏବେ କେବଳ କେର୍ ଏବଂ କେଜରି ଗଛର ପତ୍ର ଯାହା ରହିଛି। ସେମାନେ ପର୍ଯ୍ୟାପ୍ତ ଖାଇବାକୁ ପାଉନାହାନ୍ତି ଏବଂ ତେଣୁ ଅଳ୍ପ କ୍ଷୀର ଦେଉଛନ୍ତି। ଦିନକୁ ୫ ଲିଟରରୁ କମି କମି ୨ ଲିଟରରେ ପହଞ୍ଚିଲାଣି।”
ଏହି ଅର୍ଦ୍ଧ ଶୁଷ୍କ ଘାସ ପଡ଼ିଆରେ ଭରପୂର ଓରଣଗୁଡ଼ିକ ସଂପ୍ରଦାୟର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ- ଆଖପାଖରେ ବସବାସ କରୁଥିବା ହଜାର ହଜାର ଲୋକଙ୍କୁ ସେଥିରୁ ପଶୁଖାଦ୍ୟ, ଚରିବା ପାଇଁ ଘାସ, ପାଣି, ଖାଦ୍ୟ ଏବଂ ଜାଳେଣି କାଠ ମିଳିଥାଏ।





























