ଛୋଟ ଛୋଟ ଘାସ ଉପରେ ବିଚ୍ଛୁରିତ ହୋଇ ପଡ଼ିରହିଥିଲା ମଝିରେ ମଝିରେ ଧଳା ଧଳା ଚିହ୍ନ ଥିବା ବାଦାମୀ ରଙ୍ଗର ଅନେକ ପକ୍ଷୀ ପର।

ନିଷ୍ପ୍ରଭ ଆଲୋକରେ ସେହି ଅଞ୍ଚଳକୁ ବୃତ୍ତାକାରରେ ଚିହ୍ନିତ କରି ତନ୍ନ ତନ୍ନ କରି ଖୋଜି ଚାଲିଥିଲେ ରାଧେଶ୍ୟାମ ବିଷ୍ନୋଇ। ତାଙ୍କ ଅନୁମାନ ଭୁଲ ହେଉ ବୋଲି ଆଶା କରୁଥିଲେ। ବଡ଼ ପାଟିରେ ସେ କହିଉଠିଲେ,“ଏହି ପରଗୁଡ଼ିକ ଛିଣ୍ଡା ହୋଇଥିବା ଭଳି ଲାଗୁନାହିଁ”। ତା’ପରେ ସେ ଫୋନ୍‌ରେ କଲ୍‌ କରନ୍ତି, “ତମେ ଆସୁଛ କି ? ମୁଁ ଭାବୁଛି, ମୁଁ ପୂରା ନିଶ୍ଚିତ..,” ଆରପଟରେ ଥିବା ବ୍ୟକ୍ତିଙ୍କୁ ସେ କହନ୍ତି।

ଆମ ଉପରେ, ଆକାଶରେ ଦୁଷ୍ଟଗ୍ରହଟିଏ ଭଳି ଲମ୍ବି ଯାଇଥିବା ୨୨୦ କିଲୋଭୋଲ୍‌ଟର ଉଚ୍ଚ କ୍ଷମତାସଂପନ୍ନ (HT) ତାରଗୁଡ଼ିକରୁ ଗୁଞ୍ଜରଣ ସୃଷ୍ଟି ହୁଏ, କର୍କଶ ଶବ୍ଦ ଭାସିଆସେ- ସନ୍ଧ୍ୟା ଆକାଶରେ ଅନ୍ଧାର ଘନେଇ ଆସୁଥିବା ବେଳେ ତାରଗୁଡ଼ିକର ଛାୟାକୃତି କଳା କଳା ସୁଦୀର୍ଘ ରେଖାର ରୂପ ନିଏ।

ଜଣେ ଡାଟା ବା ତଥ୍ୟ ସଂଗ୍ରହକାରୀ ରୂପେ ନିଜ କର୍ତ୍ତବ୍ୟକୁ ମନେ ପକାଇ ୨୭ ବର୍ଷର ଏହି ଯୁବକ ଜଣକ ନିଜ କ୍ୟାମେରା ବାହାର କରନ୍ତି ଏବଂ ଗୋଟିଏ ପରେ ଗୋଟିଏ କରି ଅପରାଧ ସ୍ଥଳୀର କ୍ଲୋଜ୍‌-ଅପ୍‌ ଓ ମିଡ୍‌-ସଟ୍‌ ନେବାରେ ଲାଗି ପଡ଼ନ୍ତି।

ତା ପରଦିନ, ବଡ଼ି ଭୋର୍‌ରୁ ଆମେ ସେଠାରେ ପହଞ୍ଚି ଯାଇଥିଲୁ– ଜୟସାଲମେର ଜିଲ୍ଲାର ଖେତୋଲାଏ ନିକଟ ଗଙ୍ଗାରାମ କୀ ଧାନୀ ନାମକ ପଲ୍ଲୀଠାରୁ ଏକ କିଲୋମିଟର ଦୂରରେ।

ଏଥର ସେଥିରେ କିଛି ହେଲେ ସନ୍ଦେହ ନଥିଲା। ପରଗୁଡ଼ିକ ଥିଲା ‘ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ’(GIB) ନାମକ ଏକ ଡାହୁକ ଭଳି ପକ୍ଷୀର, ଯାହାକୁ ସ୍ଥାନୀୟ ଭାଷାରେ ଗୋଡ଼ାବନ ବୋଲି କୁହାଯାଉଥିଲା।

Left: WII researcher, M.U. Mohibuddin and local naturalist, Radheshyam Bishnoi at the site on March 23, 2023 documenting the death of a Great Indian Bustard (GIB) after it collided with high tension power lines.
PHOTO • Urja
Right: Radheshyam (standing) and local Mangilal watch Dr. S. S. Rathode, WII veterinarian (wearing a cap) examine the feathers
PHOTO • Priti David

ବାମ : ୨୦୨୩ ମାର୍ଚ୍ଚ ୨୩ ତାରିଖ ଦିନ ଘଟଣାସ୍ଥଳରେ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାର ଗବେଷକ ଏମ୍‌.ୟୁ, ମୋହିବୁଦ୍ଦିନ୍‌ ଏବଂ ସ୍ଥାନୀୟ ପ୍ରକୃତି ବିଜ୍ଞାନୀ ରାଧେଶ୍ୟାମ ବିଷ୍ନୋଇ- ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଗୋଟିଏ ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ ’ (GIB ) ପକ୍ଷୀ ସଂପର୍କିତ ତଥ୍ୟ ସଂଗ୍ରହ କରୁଛନ୍ତି। ଡାହାଣ : ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାର ପ୍ରାଣୀ ବିଶେଷଜ୍ଞ ଡକ୍ଟର ଏସ୍‌.ଏସ୍‌. ରାଠୋଡ଼ (ଟୋପି ପିନ୍ଧିଛନ୍ତି) ପକ୍ଷୀ ପରଗୁଡ଼ିକ ପରୀକ୍ଷା କରୁଥିବା ବେଳେ ରାଧେଶ୍ୟାମ (ଠିଆ ହୋଇଛନ୍ତି) ଏବଂ ସ୍ଥାନୀୟ ବାସିନ୍ଦା ମଙ୍ଗିଲାଲ ଦେଖୁଛନ୍ତି

୨୦୨୩ ମାର୍ଚ୍ଚ ମାସ ୨୩ ତାରିଖ ସକାଳେ ଘଟଣାସ୍ଥଳରେ ପହଞ୍ଚି ଉପଲବ୍‌ଧ ପ୍ରମାଣଗୁଡ଼ିକୁ ପରୀକ୍ଷା କରି ଦେଖିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ଶ୍ରବଣ ସିଂହ ରାଠୋଡ୍‌। ସେ କହନ୍ତି, “ଏଥିରେ ସନ୍ଦେହ ନାହିଁ ଯେ ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ଘଟିଛି। ମନେ ହେଉଛି, ଆଜିକୁ ତିନି ଦିନ ତଳେ ଏହା ଘଟିଛି ଅର୍ଥାତ୍‌ ୨୦୨୩ ମାର୍ଚ୍ଚ ୨୦ ତାରିଖରେ।”

ଡକ୍ଟର ରାଠୋର ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା (WII)ରେ କାର୍ଯ୍ୟରତ ଏବଂ ଏହା ହେଉଛି ୨୦୨୦ ମସିହାରୁ ସେ ପରୀକ୍ଷା କରିଥିବା ଚତୁର୍ଥ ବଷ୍ଟାର୍ଡ ପକ୍ଷୀର ମୃତଦେହ। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (MoEFCC) ଏବଂ ବିଭିନ୍ନ ରାଜ୍ୟର ବନ୍ୟପ୍ରାଣୀ ବିଭାଗର ବୈଷୟିକ ଶାଖା ରୂପେ କାର୍ଯ୍ୟ କରିଥାଏ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା। ସେ କହନ୍ତି, “ସବୁ ମୃତଦେହ ଉଚ୍ଚ କ୍ଷମତାସଂପନ୍ନ ତାର ତଳୁ ହିଁ ମିଳିଛି। ତାର ସହିତ ଏହି ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ଘଟଣାର ସଂପର୍କ ସ୍ପଷ୍ଟ ପ୍ରତିପାଦିତ ହେଉଛି।”

ଏହି ମୃତ ପକ୍ଷୀଟି ହେଉଛି ଉଦ୍‌ବେଗଜନକ ଭାବେ ବିଲୁପ୍ତପ୍ରାୟ ‘ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ’ ( Ardeotisnigriceps )। ଏବଂ ମାତ୍ର ପାଞ୍ଚ ମାସ ଭିତରେ ଏହା ଦ୍ୱିତୀୟ ଘଟଣା ଯେଉଁଠି ଉଚ୍ଚ କ୍ଷମତାସଂପନ୍ନ ତାରରେ ଲାଗି ପକ୍ଷୀ ମୃତ୍ୟୁମୁଖରେ ପଡ଼ିଛି। ଜୟସାଲମେର ଜିଲ୍ଲାର ସାଂକ୍ରା ବ୍ଲକ୍‌ ଅନ୍ତର୍ଗତ ନିକଟବର୍ତ୍ତୀ ଧୋଲିୟା ଗାଁର ଜଣେ ଚାଷୀ ରାଧେଶ୍ୟାମ କହନ୍ତି, “୨୦୧୭ ମସିହା (ଏହି ବର୍ଷରୁ ସେ ପକ୍ଷୀମାନଙ୍କ ସଂପର୍କରେ ତଥ୍ୟ ରଖିବା ଆରମ୍ଭ କଲେ) ପରଠାରୁ ଏହା ଏଭଳି ନବମ ଘଟଣା।” ଜଣେ ଆଗ୍ରହୀ ପ୍ରକୃତି ବିଜ୍ଞାନୀ ଭାବରେ ସେ ଏହି ବିଶାଳ ପକ୍ଷୀ ଉପରେ ନଜର ରଖିଥାଆନ୍ତି। ସେ ମଧ୍ୟ କହନ୍ତି, “ଠିକ୍‌ ଏହି ଉଚ୍ଚ କ୍ଷମତାସଂପନ୍ନ ତାର ତଳେ ହିଁ ଅଧିକାଂଶ ଗୋଡ଼ାବନ ପକ୍ଷୀଙ୍କର ମୃତ୍ୟୁ ହୋଇଛି।”

ବନ୍ୟପ୍ରାଣୀ ସଂରକ୍ଷଣ ଆଇନ- ୧୯୭୨ ର ପରିଚ୍ଛେଦ-୧ରେ ଏହି ବଷ୍ଟାର୍ଡ ପକ୍ଷୀ (GIB) ତାଲିକାଭୁକ୍ତ ହୋଇଛି। ଏକଦା ପାକିସ୍ତାନ ଓ ଭାରତର ବିସ୍ତୃତ ତୃଣଭୂମିରେ ଦେଖିବାକୁ ମିଳୁଥିବା ଏହି ପକ୍ଷୀମାନଙ୍କର ମୋଟ ସଂଖ୍ୟା ଏବେ ସାରା ବିଶ୍ୱର ବନ୍ୟଜଗତରେ ମାତ୍ର ୧୨୦ରୁ ୧୫୦ ଭିତରେ ରହିଛି ଏବଂ ଏହି ମୋଟ ପକ୍ଷୀ ସଂଖ୍ୟା ଅଳ୍ପ ଅଳ୍ପ କରି ପାଞ୍ଚଟି ରାଜ୍ୟରେ ରହିଛି। କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲଙ୍ଗାନାର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରାୟ ୮ରୁ ୧୦ଟି ପକ୍ଷୀ ଦେଖାଯାଇଥିବା ବେଳେ ଗୁଜରାଟରେ ଚାରିଟି ମାଈ ପକ୍ଷୀ ଦେଖାଯାଇଛନ୍ତି।

ସବୁଠାରୁ ଅଧିକ ସଂଖ୍ୟକ ପକ୍ଷୀ ଏଠାରେ, ଜୟସାଲମେର ଜିଲ୍ଲାରେ, ଅଛନ୍ତି। ପଶ୍ଚିମ ରାଜସ୍ଥାନର ତୃଣଭୂମିରେ ଏହି ପକ୍ଷୀମାନଙ୍କର ବାସସ୍ଥଳୀ ଉପରେ ନଜର ରଖି ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିବା ବନ୍ୟପ୍ରାଣୀ ଜୀବ ବିଜ୍ଞାନୀ ଡକ୍ଟର ସୁମିତ ଦୁକିଆ କହନ୍ତି,“ସେମାନଙ୍କ ସଂଖ୍ୟା ଦୁଇଟି ସ୍ଥାନରେ ରହିଛି- ଗୋଟିଏ ପୋକରାନ୍ ପାଖରେ ଏବଂ ଅନ୍ୟଟି ଏଠାରୁ ମୋଟାମୋଟି ୧୦୦ କିଲୋମିଟର ଦୂର ଡେଜର୍ଟ ଜାତୀୟ ଉଦ୍ୟାନରେ।”

Today there are totally only around 120-150 Great Indian Bustards in the world and most live in Jaisalmer district
PHOTO • Radheshyam Bishnoi

ଏବେ ସାରା ବିଶ୍ୱରେ ସର୍ବମୋଟ ମାତ୍ର୧୨୦ରୁ ୧୫୦ଟି ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ ପକ୍ଷୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ରହନ୍ତି ଜୟସାଲମେର ଜିଲ୍ଲାରେ

'We have lost GIB in almost all areas. There has not been any significant habitat restoration and conservation initiative by the government,' says Dr. Sumit Dookia
PHOTO • Radheshyam Bishnoi

ଡକ୍ଟର ସୁମିତ ଦୁକିଆ କହନ୍ତି, 'ପ୍ରାୟ ସବୁ ଅଞ୍ଚଳରେ ଆମେ ବଷ୍ଟାର୍ଡ ପକ୍ଷୀଙ୍କୁ ହରାଇଛୁ। ପକ୍ଷୀମାନଙ୍କ ବାସସ୍ଥଳୀର ପୁନରୁଦ୍ଧାର ଏବଂ ସେମାନଙ୍କ ସଂରକ୍ଷଣ ଦିଗରେ ସରକାର କୌଣସି ଉଲ୍ଲେଖଯୋଗ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିନାହାନ୍ତି'

ସ୍ପଷ୍ଟ ଭାବରେ ସେ କହନ୍ତି, “ପ୍ରାୟ ସବୁ ଅଞ୍ଚଳରେ ଆମେ ବଷ୍ଟାର୍ଡ ପକ୍ଷୀଙ୍କୁ ହରାଇଛୁ। ପକ୍ଷୀମାନଙ୍କ ବାସସ୍ଥଳୀର ପୁନରୁଦ୍ଧାର ଏବଂ ସେମାନଙ୍କ ସଂରକ୍ଷଣ ଦିଗରେ ସରକାର କୌଣସି ଉଲ୍ଲେଖଯୋଗ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିନାହାନ୍ତି।” ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡର ସୁରକ୍ଷା ଦିଗରେ ସାମାଜିକ ସହଭାଗିତା ଗଠନ ଦିଗରେ ୨୦୧୫ରୁ ସେହି ଅଞ୍ଚଳରେ କାର୍ଯ୍ୟରତ ଏକ ସଂଗଠନ- ‘ଇକୋଲୋଜି, ରୁରାଲ ଡେଭଲପ୍‌ମେଣ୍ଟ ଆଣ୍ଡ ସଷ୍ଟେନେବିଲିଟି(ERDS) ଫାଉଣ୍ଡେସନ୍‌’ର ଅବୈତନିକ ବୈଜ୍ଞାନିକ ପରାମର୍ଶଦାତା ରୂପେ ଦୁକିଆ କାର୍ଯ୍ୟରତ।

ସୁମେର ସିଂହ ଭାଟି କହନ୍ତି, “ମୋ ଜୀବନ କାଳରେ ମୁଁ ଏହି ପକ୍ଷୀମାନଙ୍କୁ ଦଳଦଳ ହୋଇ ଆକାଶରେ ଉଡୁଥିବା ଦେଖିଛି। ଏବେ କେବେ କେମିତି ଗୋଟିକିଆ ପକ୍ଷୀଟିଏ ଉଡୁଥିବା ଦେଖିବାକୁ ମିଳୁଛି।” ବୟସର ଚାଳିଶ ଦଶକରେ ପହଞ୍ଚିଥିବା ସୁମେର ସିଂହ ଜଣେ ସ୍ଥାନୀୟ ପରିବେଶବିତ୍‌ ଏବଂ ଜୟସାଲମେର ଜିଲ୍ଲାର ବିଭିନ୍ନ ପବିତ୍ର ଉପବନରେ ବସବାସ କରୁଥିବା ବଷ୍ଟାର୍ଡ ଓ ଅନ୍ୟାନ୍ୟ ପକ୍ଷୀମାନଙ୍କ ସୁରକ୍ଷା କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି।

ସେ ସେଠାରୁ ଘଣ୍ଟାକର ବାଟ ଦୂରରେ ଥିବା ସମ୍‌ ବ୍ଲକ୍‌ର ସଂଟା ଗାଁରେ ରହନ୍ତି। ହେଲେ ଏହି ଗୋଡ଼ାବ ନ ଚଢ଼େଇର ମୃତ୍ୟୁ ଖବର ଶୁଣି ସେ ଓ ଅନ୍ୟ କେତେକ ଚିନ୍ତାଶୀଳ ସ୍ଥାନୀୟ ବାସିନ୍ଦା ଏବଂ ବିଜ୍ଞାନୀ ଘଟଣାସ୍ଥଳକୁ ଧାଇଁ ଆସିଛନ୍ତି।

*****

ରାସଲା ଗାଁ ପାଖ ଦେଗ୍ରାଏ ମାତା ମନ୍ଦିରଠାରୁ ପ୍ରାୟ ୧୦୦ ମିଟର ଦୂରରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ନିର୍ମିତ ଗୋଡ଼ାବ ପକ୍ଷୀର ଗୋଟିଏ ପୂର୍ଣ୍ଣାବୟବ ପ୍ରତିକୃତି ରହିଛି। ଦଉଡ଼ି ଘେର ଭିତରେ ଥିବା ଗୋଟିଏ ମଞ୍ଚ ଉପରେ ଏକା ଏକା ଦଣ୍ଡାୟମାନ ଏହି ପକ୍ଷୀକୁ ଜାତୀୟ ରାଜପଥରୁ ଦେଖିହେବ।

ଏହାକୁ ପ୍ରତିବାଦର ସନ୍ତକ ରୂପରେ ସ୍ଥାପନ କରିଛନ୍ତି ସ୍ଥାନୀୟ ଲୋକେ। ସେମାନେ ଆମକୁ କହନ୍ତି, “ଏଠାରେ ପ୍ରାଣ ହରାଇଥିବା ପ୍ରଥମ ବଷ୍ଟାର୍ଡ ପକ୍ଷୀର ପ୍ରଥମ ମୃତ୍ୟୁବାର୍ଷିକୀ ଦିନ ଏହାକୁ ସ୍ଥାପନ କରାଯାଇଥିଲା।” ଫଳକରେ ହିନ୍ଦିରେ ଲିଖିତ ଉକ୍ତିର ଅନୁବାଦ ‘ଏହିପରି:୨୦୨୦ ମସିହା ସେପ୍‌ଟେମ୍ବର ୧୬ ତାରିଖ ଦିନ ଦେଗ୍ରାଏ ମାତା ମନ୍ଦିର ନିକଟରେ ଗୋଟିଏ ମାଈ ଗୋଡ଼ାବ ନ ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ତାହାରି ସ୍ମୃତିରେ ଏହି ସ୍ମାରକ ଗଢ଼ା ଯାଇଛି।’

Left: Radheshyam pointing at the high tension wires near Dholiya that caused the death of a GIB in 2019.
PHOTO • Urja
Right: Sumer Singh Bhati in his village Sanwata in Jaisalmer district
PHOTO • Urja

ବାମ: ୨୦୧୯ରେ ଧୋଲିୟା ନିକଟ ଯେଉଁ ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ ତାର ଲାଗି ଗୋଟିଏ ବଷ୍ଟାର୍ଡ ପକ୍ଷୀର ମୃତ୍ୟୁ ହୋଇଥିଲା ତାହାକୁ ଦେଖାଇ ଦେଉଛନ୍ତି ରାଧେଶ୍ୟାମ। ଡାହାଣ: ଜୟସାଲମେର ଜିଲ୍ଲାରେ ତାଙ୍କ ଗାଁସଂଟାରେ ସୁମେର ସିଂହ ଭାଟି

Left: Posters of the godawan (bustard) are pasted alongwith those of gods in a Bishnoi home.
PHOTO • Urja
Right: The statue of a godawan installed by people of Degray
PHOTO • Urja

ବାମ: ଗୋଟିଏ ବିଷ୍ନୋଇ ପରିବାର ଘରେ ଭଗବାନଙ୍କ ପ୍ରତିଚ୍ଛବି ସହିତ ଗୋଡ଼ାବନ (ବଷ୍ଟାର୍ଡ) ପକ୍ଷୀର ଛବି ଲଗାଯାଇଛି। ଡାହାଣ: ଦେଗ୍ରାଏ ଗାଁର ଲୋକଙ୍କ ଦ୍ୱାରା ସ୍ଥାପିତ ଗୋଟିଏ ଗୋଡ଼ାବନ ମୂର୍ତ୍ତି

ସୁମେର ସିଂହ, ରାଧେଶ୍ୟାମ ଏବଂ ଜୟସାଲମେରର ଅନ୍ୟାନ୍ୟ ସ୍ଥାନୀୟ ବାସିନ୍ଦାଙ୍କ ମତରେ ଗୋଡ଼ାବନ ମାନଙ୍କ ମୃତ୍ୟୁ ଏବଂ ସେମାନଙ୍କ ବାସସ୍ଥଳୀ ଲୋପ ପାଇବା କଥାରୁ ଏହି ସଂକେତ ମିଳୁଛି ଯେ, ସେମାନଙ୍କ ଆଖପାଖ ଅଞ୍ଚଳର ପରିବେଶ ଉପରେ ଚାରଣ ଗୋଷ୍ଠୀର ପତିଆରା ପୂର୍ବଭଳି ନାହିଁ ଏବଂ ଚାରଣଭୂମି ଉପରେ ନିର୍ଭରଶୀଳ ଜୀବନ ଓ ଜୀବିକା ଧୀରେ ଧୀରେ ହଜିଯିବାକୁ ବସିଛି।

ସୁମେର ସିଂହ କହନ୍ତି, “ଆମେ ‘ବିକାଶ’ ନାଁରେ ଅନେକ କିଛି ହରାଇବାରେ ଲାଗିଛୁ। ହେଲେ କେଉଁମାନଙ୍କ ପାଇଁ ଏ ବିକାଶ ହେଉଛି ?” ତାଙ୍କ କଥାର ଯଥାର୍ଥତା ଅଛି- ସେଠାରୁ ୧୦୦ ମିଟର ଦୂରରେ ଗୋଟିଏ ସୌରଶକ୍ତି ସଂସ୍ଥା ଅଛି। ସୌରଶକ୍ତି ସଂଚାଳନ ଲାଗି ତାରଗୁଡ଼ିକ ଉପରେ ଟଣା ହୋଇଛି ସତ, ହେଲେ ତାଙ୍କ ଗାଁକୁ ବିଦ୍ୟୁତ ଶକ୍ତି ଯୋଗାଣରେ ଅନିୟମିତତା, ଅସ୍ଥିରତାଲାଗି ରହିଛି ଏବଂ ଏଥିରେ ଲୋକଙ୍କର ଭରସା ନାହିଁ।

ଗତ ସାଢ଼େ ୭ ବର୍ଷ ଭିତରେ ଭାରତର ଅକ୍ଷୟ ଶକ୍ତି କ୍ଷମତା୨୮୬ ପ୍ରତିଶତ ବୃଦ୍ଧି ପାଇଛି ବୋଲି କେନ୍ଦ୍ରୀୟ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଘୋଷଣା କରିଛି। ଏବଂ ଗତ ଦଶନ୍ଧିରେ ତଥା ଖାସ୍‌ କରି ଗତ ୩-୪ ବର୍ଷ ଭିତରେ ଏହି ରାଜ୍ୟରେ ହଜାର ହଜାର- ଉଭୟ ସୌରଶକ୍ତି ଏବଂ ପବନଚାଳିତ- ଅକ୍ଷୟ ଶକ୍ତି କେନ୍ଦ୍ର ସ୍ଥାପିତ ହୋଇଛି। ଅନ୍ୟାନ୍ୟ ସଂସ୍ଥା ସହିତ ‘ଆଦାନୀ ରିନ୍ୟୁଏବଲ ଏନର୍ଜି ପାର୍କ ରାଜସ୍ଥାନ ଲିମିଟେଡ୍‌’(AREPRL) ଯୋଧପୁରର ଭାଦଲାରେ ଗୋଟିଏ ୫୦୦ ମେଗାୱାଟ କ୍ଷମତା ବିଶିଷ୍ଟ ସୌରଶକ୍ତି ପାର୍କ ଏବଂ ଜୟସାଲମେରର ଫତେଗଡ଼ରେ ଗୋଟିଏ ୧,୫୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ସୌରଶକ୍ତି ପାର୍କ ସ୍ଥାପନ କରୁଛି। ଭୂମିତଳେ ସେମାନେ କୌଣସି ତାର ବିଛାଉଛନ୍ତି କି ବୋଲି ଏହି ସଂସ୍ଥାର ୱେବ୍‌ସାଇଟ୍‌ ଜରିଆରେ ପଚରା ଯାଇଥିବା ପ୍ରଶ୍ନର କୌଣସି ଉତ୍ତର ଏହି ରିପୋର୍ଟ ପ୍ରକାଶିତ ହେବା ସମୟ ସୁଦ୍ଧା ମିଳିନାହିଁ।

ରାଜ୍ୟରେ ସୌରଶକ୍ତି ଏବଂ ପବନଚାଳିତ ଶକ୍ତି କେନ୍ଦ୍ର ଦ୍ୱାରା ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତି ବ୍ୟାପକ କ୍ଷେତ୍ରରେ ଟଣାଯାଇଥିବା ବିଦ୍ୟୁତ ତାର ମାଧ୍ୟମରେ ନ୍ୟାସନାଲ ଗ୍ରୀଡ୍‌କୁ ପଠାଯାଇଥାଏ ଏବଂ ଏହି ବିଦ୍ୟୁତ ତାରର ଏହି ବିଶାଳ ନେଟ୍‌ୱର୍କ ବଷ୍ଟାର୍ଡ, ଚିଲ, ଶାଗୁଣା ଏବଂ ଏହିଭଳି ଅନ୍ୟାନ୍ୟ ପ୍ରଜାତିର ପକ୍ଷୀମାନଙ୍କର ଉନ୍ମୁକ୍ତ ବିଚରଣ କ୍ଷେତ୍ରରେ ବାଧକ ସାଜିଥାଏ। ଏହି ଅକ୍ଷୟ ଶକ୍ତି ପ୍ରକଳ୍ପ ଅନ୍ତର୍ଗତ କାର୍ଯ୍ୟକ୍ରମରେ ପୋଖରାନ ଏବଂ ରାମଗଡ଼-ଜୟସାଲମେର ଅଞ୍ଚଳର ବଷ୍ଟାର୍ଡ ପକ୍ଷୀମାନଙ୍କ ବାସସ୍ଥଳୀ ଦେଇ ଏକ ‘ଗ୍ରୀନ୍‌ କରିଡର’ ସୃଷ୍ଟି କରାଯିବ।

Solar and wind energy  projects are taking up grasslands and commons here in Jaisalmer district of Rajasthan. For the local people, there is anger and despair at the lack of agency over their surroundings and the subsequent loss of pastoral lives and livelihoods
PHOTO • Radheshyam Bishnoi

ରାଜସ୍ଥାନର ଜୟସାଲମେର ଜିଲ୍ଲାରେ ସୌର ଓ ପବନଚାଳିତ ଶକ୍ତି ପ୍ରକଳ୍ପ ଯୋଗୁଁ ତୃଣଭୂମି ସହିତ ସାଧାରଣ ସାମାଜିକ ଏବଂ ସାଂସ୍କୃତିକ ସଂପଦ ଉତ୍ସ ନଷ୍ଟ ହେବାରେ ଲାଗିଛି। ଆଖପାଖ ପରିବେଶ ଉପରେ ସେମାନଙ୍କ ପତିଆରା ହ୍ରାସ ପାଇବା ସହିତ ଚାରଣଭୂମି ଉପରେ ନିର୍ଭରଶୀଳ ଜୀବନ ଓ ଜୀବିକା ନଷ୍ଟ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ରୋଧ ଓ ଅଶାନ୍ତି ବଢୁଛି

କେନ୍ଦ୍ରୀୟ ଏସିଆର ପକ୍ଷୀମାନଙ୍କ ଉଡ଼ିବା ରାସ୍ତା ବା ସେଣ୍ଟ୍ରାଲ ଏସିଆନ୍‌ ଫ୍ଲାଇୱେ (CAF)ରେ ଜୟସାଲମେର ଅବସ୍ଥିତ। ପ୍ରତି ବର୍ଷ ଏହି ଆକାଶ ପଥରେ କେନ୍ଦ୍ରୀୟ ୟୁରୋପ ଏବଂ ଏସିଆ ବାଟ ଦେଇ ପକ୍ଷୀମାନେ ଉତ୍ତର ମହାସାଗରରୁ ଭାରତ ମହାସାଗର ଅଞ୍ଚଳକୁ ଯାତ୍ରା କରିଥାଆନ୍ତି। ପ୍ରବାସୀ ବନ୍ୟପ୍ରାଣୀ ପ୍ରଜାତିର ସଂରକ୍ଷଣ ସଂପର୍କିତ ସମ୍ମିଳନୀ କହିବା ଅନୁସାରେ ଆକଳନ କରାଯାଇଥିବା ମୋଟ ୨୭୯ଟି ଜଳରେ ବସବାସ କରୁଥିବା ପକ୍ଷୀ ପ୍ରଜାତିରୁ ପ୍ରାୟ୧୮୨ଟି ପ୍ରଜାତି ଏହି ପଥ ଦେଇ ଯିବାଆସିବା କରନ୍ତି। ଏଥିରେ ରହିଥିବା ଅନ୍ୟ କେତେକ ପକ୍ଷୀ ହେଲେ ବିଲୁପ୍ତପ୍ରାୟ ପିଠିରେ ଧଳାରଙ୍ଗ ଥିବା ଏସୀୟ ଶାଗୁଣା ବା ‘ଓରିଏଣ୍ଟାଲ ହ୍ବାଇଟ୍‌ ବ୍ୟାକ୍‌ଡ ଭଲ୍‌ଚର୍‌’ ( Gyps bengalensis ), ଲମ୍ବା ଥଣ୍ଟଯୁକ୍ତ ଶାଗୁଣା ବା ‘ଲଙ୍ଗ ବିଲ୍‌ଡ’ ( Gyps indicus ) , ଧଳା ଚିହ୍ନଯୁକ୍ତ ଚଟିଆ ବା ‘ଷ୍ଟୋଲିଜ୍‌କା’ସ ବୁଶଚାଟ୍‌’ ( Saxicola macrorhyncha ) , ଲାଲ ଥଣ୍ଟ ଥିବା ଚଟିଆ ଭଳି ପକ୍ଷୀ ବା ‘ଗ୍ରୀନ୍‌ ମୁନିଆ’ ( Amandavaformosa ) ଏବଂ ମ୍ୟାକ୍‌କୁଇନ୍‌ସ୍‌ ବା ହୋଉବୁରା ବଷ୍ଟାର୍ଡ ନାମକ ଅନ୍ୟ ଏକ ପ୍ରଜାତିର ବଷ୍ଟାର୍ଡ ପକ୍ଷୀ ( Chlamydotismaqueeni)

ରାଧେଶ୍ୟାମ ଜଣେ ସୁଦକ୍ଷ ଫଟୋଗ୍ରାଫର ଏବଂ ସେ ତାଙ୍କ ଲଙ୍ଗ୍‌ ଫୋକସ୍‌ କ୍ୟାମେରା ଲେନ୍‌ସ ଅନେକ ଉଦ୍‌ବେଗଜନକ ଚିତ୍ର ଉତ୍ତୋଳନ କରିଛନ୍ତି। “ରାତିରେ ପେଲିକାନ୍‌ ପକ୍ଷୀମାନେ ଉଡ଼ି ଉଡ଼ି ଆସି ସୌରଶକ୍ତି ପ୍ୟାନେଲଗୁଡ଼ିକ ଉପରେ ବସିଥିବା ମୁଁ ଦେଖିଛି। ସେମାନେ ଏହାକୁ ଏକ ହ୍ରଦ ବୋଲି ଧରି ନିଅନ୍ତି। ଏହା ଉପରେ ବସିବା ପରେ କାଚ ପ୍ୟାନେଲରେ ଅସହାୟ ପକ୍ଷୀମାନେ ତଳକୁ ଖସିଯାଆନ୍ତି ଏବଂ ସେମାନଙ୍କ ସରୁ ସରୁ ଗୋଡ଼ରେ ଭୀଷଣ ଆଘାତ ଲାଗେ।”

ବିଦ୍ୟୁତ୍‌ ଶକ୍ତି ପାଇଁ ଟଣା ଯାଇଥିବା ତାରରେ ଲାଗି କେବଳ ଯେ ବଷ୍ଟାର୍ଡ ପକ୍ଷୀ ମରୁଛନ୍ତି, ତାହା ନୁହେଁ, ୨୦୧୮ରେ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା ତରଫରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଜୟସାଲମେରର ଡେଜର୍ଟ ନ୍ୟାସନାଲ ପାର୍କ ଏବଂ ଏହାର ଆଖପାଖର ୪,୨୦୦ ବର୍ଗ କିଲୋମିଟର ଅଞ୍ଚଳରେ ବର୍ଷକ ଭିତରେ ୮୪,୦୦୦ପକ୍ଷୀ ପ୍ରାଣ ହରାଇଥିବା ଆକଳନ କରାଯାଇଛି। “ଏଭଳି ସଂଖ୍ୟାରେ (ବଷ୍ଟାର୍ଡ) ପକ୍ଷୀମାନଙ୍କର ମୃତ୍ୟୁ ଯୋଗୁଁ ଏହି ପ୍ରଜାତିକୁ ବଞ୍ଚାଇ ରଖିବା ଅସମ୍ଭବ ଏବଂ ଏହା ଫଳରେ ଏମାନେ ନିଶ୍ଚିତ ରୂପରେ ଦିନେ ସଂପୂର୍ଣ୍ଣ ଲୋପ ପାଇଯିବେ।”

କେବଳ ଯେ ଆକାଶରେ ପକ୍ଷୀମାନଙ୍କ ପ୍ରତି ବିପଦ ରହିଛି ତାହା ନୁହେଁ, ସ୍ଥଳଭାଗରେ ମଧ୍ୟ ହେକ୍ଟର ହେକ୍ଟର ଜମିରେ ସୌରଶକ୍ତି କେନ୍ଦ୍ର ସ୍ଥାପନ ସହିତ ପ୍ରତି ୫୦୦ ମିଟର ବ୍ୟବଧାନରେ ୨୦୦ ମିଟର ଉଚ୍ଚ ପବନଚାଳିତ କଳ ସ୍ଥାପିତ ହେବା ଯୋଗୁଁ ଏଠାକାର ବ୍ୟାପକ ତୃଣଭୂମି, ଗୋଚର ଏବଂ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଚିହ୍ନିତ ସାମୂହିକ ଜମି ଏବଂ ସ୍ଥାନୀୟ ଭାଷାରେ ଓରାନ୍‌ ବୋଲି କୁହାଯାଉଥିବା ପବିତ୍ର ଉପବନ ସବୁ ଲୋପ ପାଇବାରେ ଲାଗିଛି। ଏକଦା ଯେଉଁ ପବିତ୍ର ଉପବନରୁ ଡାଳଟିଏ କି ପତ୍ରଟିଏ ଛିଣ୍ଡାଇବା ଅନୁଚିତ ଥିଲେ ଏବେ ସେହି ଉପବନରେ ଅକ୍ଷୟ ଶକ୍ତିର ଅନୁପ୍ରବେଶ ଯୋଗୁଁ ସେଗୁଡ଼ିକରେ ସାପ-ସିଡ଼ି ଖେଳ ହେଲା ଭଳି ଲାଗୁଛି। ଗାଈଚରାଳିମାନେ ଆଉ ସିଧାସଳଖ ରାସ୍ତାରେ ସେହି ସବୁ ଉପବନ ଭିତରକୁ ଯାଇପାରିବେ ନାହିଁ ବରଂ, ତାରବାଡ଼ କଡ଼େ କଡ଼େ ବଡ଼ ବଡ଼ ପବନଚାଳିତ ପଙ୍ଖା ଏବଂ ସେଗୁଡ଼ିକର ସଂଚାଳନ ପାଇଁ ଥିବା ମାଇକ୍ରୋଗ୍ରୀଡ୍‌ ବାଟ ଦେଇ ଯିବାକୁ ବାଧ୍ୟ ହେଉଛନ୍ତି।

Left: The remains of a dead griffon vulture in Bhadariya near a microgrid and windmill.
PHOTO • Urja
Left: The remains of a dead griffon vulture in Bhadariya near a microgrid and windmill.
PHOTO • Vikram Darji

ବାମ : ଭଦରିୟାରେ ଥିବା ଏକ ମାଇକ୍ରୋଗ୍ରୀଡ୍‌ ଏବଂ ପବନଚାଳିତ କଳ ନିକଟରେ ଗୋଟିଏ ମୃତ ଗ୍ରୀଫନ୍‌ ଶାଗୁଣାର ଦେହାବଶେଷ। ଡାହାଣ : ଗୋଡ଼ାବନମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ଗତିବିଧି ଉପରେ ନଜର ରଖନ୍ତି ରାଧେଶ୍ୟାମ

ଧନୀ (ସେ କେବଳ ଏହି ନାଁ ହିଁ ବ୍ୟବହାର କରନ୍ତି) କହନ୍ତି, “ଯଦି ମୁଁ ସକାଳେ ଘରୁ ବାହାରେ ସନ୍ଧ୍ୟା ସୁଦ୍ଧା ଫେରିଆସେ।” ନିଜର ଚାରିଟି ଗାଈ ଏବଂ ପାଞ୍ଚଟି ଛେଳି ପାଇଁ ଘାସ ଆଣିବାକୁ ପ୍ରତିଦିନ ନିଶ୍ଚିତ ଭାବରେ ଜଙ୍ଗଲକୁ ଯାଆନ୍ତି ଏହି ୨୫ ବର୍ଷୀୟା ଯୁବତୀ ଜଣକ। “ମୋ ଛେଳି ଓ ଗାଈମାନଙ୍କୁ ଜଙ୍ଗଲ ନେବା ବାଟରେ ବେଳେବେଳେ ମୋତେ ତାରରୁ କରେଣ୍ଟ ଲାଗିଥାଏ।” ଧନୀଙ୍କ ସ୍ୱାମୀ ବାଡ଼ମେର ସହରରେ ପଢ଼ନ୍ତି ଏବଂ ସେ ସେମାନଙ୍କର ଛଅ ବିଘା (ମୋଟାମୋଟି ୧ ଏକର) ଜମିର ଦେଖାରଖା କରନ୍ତି ଏବଂ  ୮, ୫ ଓ ୪ ବର୍ଷ ବୟସର ତିନି ପୁଅଙ୍କର ଯତ୍ନ ନିଅନ୍ତି।

ଜୟସାଲମେରର ସାମ୍‌ ବ୍ଲକ୍‌ ଅନ୍ତର୍ଗତ ରାସଲା ଗାଁରେ ଦେଗ୍ରାଏର ଗ୍ରାମ ପ୍ରଧାନ ମୁରିଦ ଖାନ୍‌ କହନ୍ତି, “ଆମେ ଏ ସଂପର୍କରେ ଆମ ବିଧାୟକ ଏବଂ ଜିଲ୍ଲା କମିଶନର (DC)ଙ୍କ ଜରିଆରେ ପ୍ରଶ୍ନ ଉଠାଇବାକୁ ଚେଷ୍ଟା କରିଛୁ, ହେଲେ ଏ ପର୍ଯ୍ୟନ୍ତ କିଛି ହେଲେ ହୋଇନାହିଁ।”

ସେ ଆହୁରି କହନ୍ତି ଯେ,“ଆମ ପଞ୍ଚାୟତରେ ଛଅରୁ ସାତଟି ଉଚ୍ଚ କ୍ଷମତାସଂପନ୍ନ ତାର ସ୍ଥାପିତ ହୋଇଛି। ଏହା ଆମର ଓରାନ୍‌ (ପବିତ୍ର ଉପବନ)। ଆମେ ଯେତେବେଳେ ସେମାନଙ୍କୁ ପଚାରୁ ଯେ ‘ଭାଇ, ଆପଣଙ୍କୁ କିଏ ଅନୁମତି ଦେଇଛି’, ସେମାନେ କହନ୍ତି, ‘ଆମର କାହାରି ଅନୁମତି ନେବା ଦରକାର ନାହିଁ’।’’

୨୦୨୩ ମାର୍ଚ୍ଚ ୨୭ ତାରିଖ ଦିନ, ଏହି ଘଟଣା ଘଟିବାର କିଛି ଦିନ ପରେ, ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ କହିଥିଲେ ଯେ ବଷ୍ଟାାର୍ଡ (GIB)ପକ୍ଷୀମାନେ ରହୁଥିବା ଗୁରୁତ୍ୱପୂର୍ଣ୍ଣ ବାସସ୍ଥଳୀଗୁଡ଼ିକୁ ଜାତୀୟ ଉଦ୍ୟାନ (NP)ର ମାନ୍ୟତା ଦିଆଯିବ।

ବଷ୍ଟାର୍ଡ ପକ୍ଷୀମାନଙ୍କର ଦୁଇଟି ବାସସ୍ଥଳୀ ମଧ୍ୟରୁ ଗୋଟିକୁ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କାମ ସରିଛି ଏବଂ ଅନ୍ୟଟି ପ୍ରତିରକ୍ଷା ବିଭାଗର ଜମି। ତଥାପି, ସେମାନେ ସୁରକ୍ଷିତ ନୁହନ୍ତି।

*****

ଗୋଟିଏ ରିଟ୍‌ ଆବେଦନର ଉତ୍ତରରେ ସୁପ୍ରିମ କୋର୍ଟ ୨୦୨୧ ମସିହା ଏପ୍ରିଲ ୧୯ ତାରିଖ ଦିନ ରାୟ ଦେଲେ ଯେ, “ଅଗ୍ରାଧିକାର ଏବଂ ସମ୍ଭାବନା ଭିତ୍ତିରେ ଯେଉଁସବୁ ଅଞ୍ଚଳ ବଷ୍ଟାର୍ଡ ପକ୍ଷୀମାନଙ୍କର ବାସସ୍ଥଳୀ ରୂପେ ପରିଗଣିତ ହେଉଥିବ ସେଠାରେ ସମ୍ଭବ ହେଲେ ଖୁଣ୍ଟିରେ ତାର ଟଣାଯାଇଥିବା ବିଦ୍ୟୁତ ତାରକୁ ଭୂମିତଳେ ବିଛାଯିବ ଏବଂ ଏହି କାମ ଗୋଟିଏ ବର୍ଷ ଭିତରେ ଆରମ୍ଭ ହୋଇ ସଂପୂର୍ଣ୍ଣ ହେବ ଏବଂ କାମ ଶେଷ ହେବା ପର୍ଯ୍ୟନ୍ତ ବର୍ତ୍ତମାନ ଥିବା ବିଦ୍ୟୁତ ତାରରେ ପକ୍ଷୀମାନଙ୍କ ଧ୍ୟାନ ହଟାଇବା ଭଳି ବ୍ୟବସ୍ଥା (ପକ୍ଷୀମାନଙ୍କୁ ସତର୍କ କରାଇ ଦେବା ଲାଗି ଆଲୋକ ପ୍ରତିଫଳିତ ହେଉଥିବା ପ୍ଲାଷ୍ଟିକ୍‌ ଡିସ୍କ୍‌ ଲଗାଇବା) କରାଯିବ।”

ସୁପ୍ରିମ କୋର୍ଟଙ୍କ ଏହି ରାୟରେ ରାଜସ୍ଥାନର ୧୦୪ କିଲୋମିଟର ଲମ୍ବା ତାର ଭୂମିତଳେ ନିଆଯିବା ପାଇଁ ଏବଂ ୧,୨୩୮ କିଲୋମିଟର ଲମ୍ବା ତାରରେ ଧ୍ୟାନ ହଟାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

'Why is the government allowing such big-sized renewable energy parks in GIB habitat when transmission lines are killing birds,' asks wildlife biologist, Sumit Dookia
PHOTO • Urja
'Why is the government allowing such big-sized renewable energy parks in GIB habitat when transmission lines are killing birds,' asks wildlife biologist, Sumit Dookia
PHOTO • Urja

ବନ୍ୟପ୍ରାଣୀ ଜୀବବିଜ୍ଞାନୀ ସୁମିତ ଦୁକିଆ ପଚାରନ୍ତି, ବିଦ୍ୟୁତ ଶକ୍ତି ସଂଚାରଣ ପାଇଁ ଲାଗିଥିବା ତାର ସଂସ୍ପର୍ଶରେ ବଷ୍ଟାର୍ଡ଼ ପକ୍ଷୀମାନେ ପ୍ରାଣ ହରାଉଥିବା ବେଳେ ସେମାନଙ୍କ ବାସସ୍ଥଳୀରେ ସରକାର ଏଭଳି ବଡ଼ ବଡ଼ ଅକ୍ଷୟ ଶକ୍ତି କେନ୍ଦ୍ର କାହିଁକି ସ୍ଥାପନ କରୁଛନ୍ତି

ଦୁଇ ବର୍ଷ ପରେ, ଏପ୍ରିଲ ୨୦୨୩ରେ ଭୂମିତଳେ ତାର ନେବା ଲାଗି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି ଏବଂ ପ୍ଲାଷ୍ଟିକ୍‌ ଡାଇଭର୍ଟର ବା ପକ୍ଷୀଙ୍କ ଧ୍ୟାନ ହଟାଇବା ଲାଗି ଲାଗୁଥିବା ଡିସ୍କଗୁଡ଼ିକୁ ଅଳ୍ପ କେତେକ କିଲୋମିଟର ତାରରେ ଲଗାଯାଇଛି। ତାହା ବି ସାଧାରଣ ଲୋକ ଓ ଗଣମାଧ୍ୟମର ନଜର ପଡ଼ିବା ଭଳି ସ୍ଥାନରେ- ମୁଖ୍ୟ ରାସ୍ତା କଡ଼ରେ ଥିବା ତାରରେ ଲାଗିଛି। ବନ୍ୟପ୍ରାଣୀ ଜୀବବିଜ୍ଞାନୀ ଦୁକିଆ କହନ୍ତି, “ଉପଲବ୍‌ଧ ଗବେଷଣା ଭିତ୍ତିକ ତଥ୍ୟରୁ ଜଣାଯାଏ ଯେ ପକ୍ଷୀମାନଙ୍କର ଧ୍ୟାନ ହଟାଇବା ଲାଗି ଲାଗୁଥିବା ଡାଇଭର୍‌ଟର ଯୋଗୁଁ ସେମାନେ ତାର ସଂସ୍ପର୍ଶରେ ଆସିବା ସମ୍ଭାବନା ବହୁ ପରିମାଣରେ କମ୍‌ ହୋଇଥାଏ। ସୁତରାଂ, ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏଭଳି ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିଥାଆନ୍ତା।”

ସାରା ବିଶ୍ୱରେ ସେମାନଙ୍କର ଏକମାତ୍ର ବାସସ୍ଥଳୀରେ ଏବେ ଏଠାକାର ବଷ୍ଟାର୍ଡ ପକ୍ଷୀମାନଙ୍କର ଜୀବନ ବିପନ୍ନ ହୋଇପଡ଼ିଛି। ଇତ୍ୟବସରରେ, ଆମେ ଆଫ୍ରିକୀୟ ଚିତାବାଘ ଆଣି ଭାରତରେ ରଖିବା ଲାଗି, ଅର୍ଥାତ୍‌ ଏକ ବିଦେଶୀ ପ୍ରଜାତିର ଜୀବକୁ ଆଣି ରଖିବା ଲାଗି ପାଞ୍ଚ ବର୍ଷରେ ୨୨୪ କୋଟି ଟଙ୍କା ଖର୍ଚ୍ଚ କରିବାର ମହାର୍ଘ ଯୋଜନା ହାତକୁ ନେଇଛୁ। ଏହି ଯୋଜନାର ରୂପରେଖରେ, ଚିତାବାଘକୁ ସ୍ୱତନ୍ତ୍ର ବିମାନରେ ଅଣାଯିବା, ସେମାନଙ୍କ ପାଇଁ ସୁରକ୍ଷିତ ଖୁଆଡ଼ ତିଆରି କରିବା, ଉଚ୍ଚ ଗୁଣମାନର କ୍ୟାମେରା ଲାଗିବା ଏବଂ ସେମାନଙ୍କୁ ନିରୀକ୍ଷଣ କରିବା ଲାଗି ୱାଚ୍ଟାୱାର ସ୍ଥାପନ କରିବା ଭଳି କାର୍ଯ୍ୟକ୍ରମ ରହିଛି। ସେପଟେ ଭାରତରେ ବାଘ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ୨୦୨୨ ମସିହାରେ ବାଘ ବାବଦରେ ବଜେଟ୍‌ରେ ୩୦୦ କୋଟି ଟଙ୍କାର ସଦୟ ବ୍ୟୟବରାଦ ବି ମଞ୍ଜୁର ହୋଇଛି।

*****

ପକ୍ଷୀ ଜଗତର ଏକ ପ୍ରଭାବଶାଳୀ ସଦସ୍ୟ ‘ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ’ର ଉଚ୍ଚତା ଏକ ମିଟର ଏବଂ ଏହାର ଓଜନ ପ୍ରାୟ ୫ରୁ ୧୦ କିଲୋଗ୍ରାମ ହୋଇଥାଏ। ଏମାନେ ବର୍ଷକୁ ଥରେ, ଖୋଲା ଜାଗାରେ ଅଣ୍ଡା ଦିଅନ୍ତି। ଏ ଅଞ୍ଚଳରେ ବଣୁଆ କୁକୁରଙ୍କ ବଢୁଥିବା ସଂଖ୍ୟା ବଷ୍ଟାର୍ଡ ପକ୍ଷୀଙ୍କ ଅଣ୍ଡା ପ୍ରତି ବିପଦ ସୃଷ୍ଟି କରିଛି। ‘‘ପରିସ୍ଥିତି ଭୟଙ୍କର। ଏହି ଅଞ୍ଚଳରେ ଏକ ପ୍ରକଳ୍ପର ପରିଚାଳନା କରୁଥିବା ‘ବମ୍ବେ ନ୍ୟାଚୁରାଲ ହିଷ୍ଟୋରୀ ସୋସାଇଟି’(BNHS)ର କାର୍ଯ୍ୟକ୍ରମ ଅଧିକାରୀ ନୀଳକଣ୍ଡ ବୋଧା କହନ୍ତି, “ପରିସ୍ଥିତି ଉଦ୍‌ବେଗଜନକ। ଆମକୁ ଏହି ପକ୍ଷୀମାନଙ୍କ ସଂଖ୍ୟାକୁ ସ୍ଥିର ରଖିବା ପାଇଁ ଉପାୟ ଖୋଜିବାକୁ ହେବ ଏବଂ ସେମାନଙ୍କ ପାଇଁ କେତେକ (ଅନୁପ୍ରବେଶ ରହିତ) ଅଞ୍ଚଳ ଛାଡ଼ି ଦେବାକୁ ହେବ।”

ଏହା ଏକ ସ୍ଥଳଚର ପ୍ରଜାତିର ପକ୍ଷୀ ଏବଂ ଭୂମିରେ ଚାଲିବାକୁ ବେଶୀ ପସନ୍ଦ କରେ। ହେଲେ ଉଡ଼ିବା ସମୟରେ ଏହା ଏକ ରାଜକୀୟ ଦୃଶ୍ୟପଟ୍ଟର ଅବତାରଣା କରେ- ପ୍ରାୟ ୪.୫ ଫୁଟ୍‌ ଯାଏ ପ୍ରସାରିତ ଏହାର ଡେଣାରେ ଓଜନିଆ ଶରୀରକୁ ନେଇ ମରୁଭୂମି ଆକାଶରେ ଆଗକୁ ବଢ଼ିଥାଏ।

'The godawan doesn’t harm anyone. In fact, it eats small snakes, scorpions, small lizards and is beneficial for farmers,”' says Radheshyam
PHOTO • Radheshyam Bishnoi

ରାଧେଶ୍ୟାମ କହନ୍ତି, “ଗୋଡ଼ାବନ କାହାରି କ୍ଷତି କରେ ନାହିଁ। ବାସ୍ତବରେ ଏହା ଛୋଟ ଛୋଟ ସାପ, କଙ୍କଡ଼ା ବିଛା, ଛୋଟ ଛୋଟ ଏଣ୍ଡୁଅ ଖାଇ ଦେଉଥିବାରୁ ଏହା ଚାଷୀଙ୍କ ପାଇଁ ସହାୟକ ସାବ୍ୟସ୍ତ ହୋଇଥାଏ’

Not only is the Great Indian Bustard at risk, but so are the scores of other birds that come through Jaisalmer which lies on the critical Central Asian Flyway (CAF) – the annual route taken by birds migrating from the Arctic to Indian Ocean
PHOTO • Radheshyam Bishnoi

କେବଳ ଯେ ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ ପକ୍ଷୀମାନଙ୍କର ଜୀବନ ବିପନ୍ନ ତାହା ନୁହେଁ, ବରଂ ଉତ୍ତର ମହାସାଗରରୁ ଭାରତ ମହାସାଗରକୁ ପ୍ରତି ବର୍ଷ ଆସୁଥିବା ଅନ୍ୟାନ୍ୟ ବହୁ ପ୍ରଜାତିର ପକ୍ଷୀ ଯେଉଁ କେନ୍ଦ୍ରୀୟ ଏସୀୟ ଆକାଶପଥ (CAF) ଦେଇ ଆସନ୍ତି, ତାହା ଜୟସାଲମେର ଦେଇ ଯାଇଥିବାରୁ ସେହି ପକ୍ଷୀମାନଙ୍କ ପ୍ରତି ବି ବିପଦ ଆଶଙ୍କା ରହିଛି

ଏହି ଶକ୍ତିଶାଳୀ ବଷ୍ଟାର୍ଡ ପକ୍ଷୀର ଆଖି ଦୁଇଟି ଏହାର ମୁଣ୍ଡ ଦୁଇପଟେ ରହିଛି ଏବଂ ତେଣୁ ଏହା ପୂରା ସିଧାସଳଖ ଦେଖିପାରେ ନାହିଁ। ତେଣୁ ହୁଏତ ଏହା ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ ତାର ସହିତ ସିଧାସଳଖ ପିଟି ହୁଏ କିମ୍ବା ଶେଷ ମୂହୂର୍ତ୍ତରେ ଶରୀରକୁ ବୁଲାଇ ଗତିପଥ ବଦଳାଇବାକୁ ଚେଷ୍ଟା କରେ। ହେଲେ ଯେମିତି କି ଟ୍ରେଲର ବା ଡାଲା ଲାଗିଥିବା ଟ୍ରକ୍‌ଟିଏ ବୁଲାଣି ରାସ୍ତାରେ ମୋଡ଼ ବଦଳାଇ ପାରେ ନାହିଁ, ଠିକ୍‌ ସେହିଭଳି ବଷ୍ଟାର୍ଡ ପକ୍ଷୀ ମଧ୍ୟ ନିଜ ଗତିର ଦିଗ ବଦଳାଇବାକୁ ଯିବା ବେଳକୁ ବିଳମ୍ବ ହୋଇସାରିଥାଏ ଏବଂ ଏହାର ଡେଣା କିମ୍ବା ମୁଣ୍ଡର କିଛି ଅଂଶ ୩୦ ମିଟର କିମ୍ବା ତା’ଠାରୁ ବେଶୀ ଉଚ୍ଚରେ ଟଣାଯାଇଥିବା ତାରରେ ଲାଗିଯାଏ। ରାଧେଶ୍ୟାମ କହନ୍ତି, “ତାରରେ ପିଟି ହେବା ଯୋଗୁଁ ବିଦ୍ୟୁତ୍‌ କରେଣ୍ଟରେ ଏହାର ମୃତ୍ୟୁ ନ ଘଟିଲେ ବି ତଳେ ପଡ଼ିଯାଇ ଏହା ପ୍ରାଣ ହରାଇଥାଏ।”

୨୦୨୨ ମସିହାରେ, ଯେତେବେଳେ ରାଜସ୍ଥାନ ବାଟ ଦେଇ ଭାରତରେ ପଙ୍ଗପାଳ ଦଳ ପ୍ରବେଶ କଲେ, “ ଗୋଡ଼ାବନ ମାନଙ୍କ ଉପସ୍ଥିତି ଯୋଗୁଁ ହିଁ କେତେକ ଚାଷଜମି ରକ୍ଷା ପାଇଗଲା, ସେମାନେ ହଜାର ହଜାର ପଙ୍ଗପାଳଙ୍କୁ ଖାଇଦେଲେ” ବୋଲି ମନେ ପକାଇ କହନ୍ତି ରାଧେଶ୍ୟାମ। ସେ ଆହୁରି କହନ୍ତି, “ ଗୋଡ଼ାବନ କାହାରି କ୍ଷତି କରେ ନାହିଁ। ବାସ୍ତବରେ ସେମାନେ ଛୋଟ ଛୋଟ ସାପ, କଙ୍କଡ଼ା ବିଛା, ଛୋଟ ଛୋଟ ଏଣ୍ଡୁଅ ଖାଇ ଦେଉଥିବାରୁ ଏହା ଚାଷୀଙ୍କ ପାଇଁ ସହାୟକ ସାବ୍ୟସ୍ତ ହୋଇଥାଏ।”

ସେ ଓ ତାଙ୍କ ପରିବାର ପାଖରେ ୮୦ ବିଘା (ମୋଟାମୋଟି ୮ ଏକର) ଜମି ରହିଛି ଏବଂ ଏଥିରେ ସେମାନେ ଗୁଆଁର ଓ ବାଜରା ଚାଷ କରିବା ସହିତ ବେଳେବେଳେ, ଶୀତଦିନେ ବର୍ଷା  ହେଲେ ତୃତୀୟ ଫସଲଟିଏ ମଧ୍ୟ କରନ୍ତି। ସେ କହନ୍ତି, “ମନେ କରନ୍ତୁ ଯେ, ଏଠାରେ ୧୫୦ଟି ନୁହେଁ, ହଜାର ହଜାର ସଂଖ୍ୟାରେ ବଷ୍ଟାର୍ଡ ପକ୍ଷୀ ଥାଆନ୍ତେ ତ ପଙ୍ଗପାଳ ଭଳି ଏକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଖୁବ୍‌ କମି ଯାଇଥାଆନ୍ତା।”

ବଷ୍ଟାର୍ଡ ପକ୍ଷୀ (GIB)ର ସୁରକ୍ଷା ପାଇଁ ଏବଂ ଏହାର ବାସସ୍ଥଳୀରେ କୌଣସି ପ୍ରକାର ବାଧାବିଘ୍ନ ସୃଷ୍ଟି ନ କରିବା ପାଇଁ ଅପେକ୍ଷାକୃତ ଏକ ଛୋଟ ଅଞ୍ଚଳ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ରାଠୋଡ଼ କହନ୍ତି, “ଆମେ ସେ ଦିଗରେ ଉଦ୍ୟମ କରିପାରିବୁ। ଏଇଟା ଗୋଟେ ବଡ଼କଥା ନୁହେଁ। ଏବଂ ବିଦ୍ୟୁତ ତାରକୁ ଭୂମିତଳେ ବିଛାଇବା ଲାଗି ଏବଂ ଆଉ ଅଧିକ ତାର ନ ଟାଣିବା ଲାଗି ଅଦାଲତଙ୍କ ନିର୍ଦ୍ଦେଶ ବି ରହିଛି। ସବୁ କିଛି ଶେଷ ହୋଇଯିବା ଆଗରୁ ସରକାର ବାସ୍ତବ ଅର୍ଥରେ ଟିକେ ଅଟକି ଯାଇ ଏ ବିଷୟରେ ଚିନ୍ତା କରିବା ଉଚିତ।”


ଏହି ରିପୋର୍ଟ ପ୍ରସ୍ତୁତିରେ ସଦୟ ସହାୟତା ନିମନ୍ତେ ଏହାର ରିପୋର୍ଟର ବାୟୋଡାଇଭର୍ସିଟି କୋଲାବୋରେଟିଭ୍‌ର ସଦସ୍ୟ ଡକ୍ଟର ରବି ଚେଲ୍ଲାମଙ୍କୁ ଧନ୍ୟବାଦ ଦେବାକୁ ଚାହାନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Photographs : Urja

Urja is Senior Assistant Editor - Video at the People’s Archive of Rural India. A documentary filmmaker, she is interested in covering crafts, livelihoods and the environment. Urja also works with PARI's social media team.

Other stories by Urja
Photographs : Radheshyam Bishnoi

Radheshyam Bishnoi is a wildlife photographer and naturalist based in Dholiya, Pokaran tehsil of Rajasthan. He is involved in conservation efforts around tracking and anti-poaching for the Great Indian Bustard and other birds and animals found in the region.

Other stories by Radheshyam Bishnoi

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE