ସେପ୍ଟେମ୍ବର ମାସର ଆଦ୍ୟ ଭାଗରେ ଘୋଡ଼ାମାରା ଦ୍ୱୀପର ଫେରି ଘାଟ ବେଶ ଚଳଚଞ୍ଚଳ ଥିଲା। ପୁରୁଷ, ମହିଳା, ଶିଶୁ ଓ ଏପରିକି ଗୃହପାଳିତ ପଶୁମାନେ ମଧ୍ୟ ଡଙ୍ଗାରୁ ଓହ୍ଲାଇ ଦୈନନ୍ଦିନ କାର୍ଯ୍ୟକୁ ଯିବା ଲାଗି ବ୍ୟସ୍ତ ଥିଲେ। ସମୁଦ୍ରର ଉଚ୍ଚ ଜୁଆର ଆସିବା ସମୟରେ ଏମାନେ ଅନ୍ୟତ୍ର ଆଶ୍ରୟ ନେଇଥିଲେ। ପାଣି ଛାଡ଼ିବା ପରେ ଦ୍ୱୀପରେ ଥିବା ନିଜ ଘରକୁ ଫେରୁଥିଲେ। ଅଧିକାଂଶ ସମୟରେ ଏହି ଦ୍ୱୀପର ବାସିନ୍ଦାଙ୍କୁ ନିଜ ସମ୍ପର୍କୀୟମାନଙ୍କ ସହ ନିରାପଦ ଆଶ୍ରୟସ୍ଥଳରେ ରହିବାକୁ ପଡ଼ିଥାଏ। ମୂଳ ଭୂଖଣ୍ଡ କାକଦ୍ୱୀପରୁ ଡଙ୍ଗା ଯୋଗେ ସୁନ୍ଦରବନ ତ୍ରିକୋଣଭୂମିରେ ଥିବା ଏହି ଦ୍ୱୀପରେ ପହଞ୍ଚିବା ଲାଗି ୪୦  ମିନିଟ୍ ସମୟ ଲାଗିଥାଏ। ମାସକୁ ଦୁଇ ଥର ଲୋକମାନେ ଏହି ଫେରିଘାଟ ଦେଇ ଯିବା ଆସିବା କରିଥାନ୍ତି। ତେବେ ଏହି ନିତିଦିନିଆ କାମ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ଥିବା ଏହି ଛୋଟିଆ ଦ୍ୱୀପରେ ବଞ୍ଚି ରହିଥିବା ଗ୍ରାମବାସୀଙ୍କ ପାଇଁ ଲମ୍ବା ସଂଘର୍ଷର କାରଣ ପାଲଟିଥାଏ।

ଜଳବାୟୁ ପରିବର୍ତ୍ତନର କୁପରିଣାମ ଯୋଗୁ ବାରମ୍ବାର ବାତ୍ୟା, ସମୁଦ୍ର ଜଳସ୍ତର ବୃଦ୍ଧି ଏବଂ ପ୍ରବଳ ବର୍ଷା ଭଳି ପ୍ରାକୃତିକ ଦୁର୍ବିପାକ ଘୋଡ଼ାମାରାର ଲୋକମାନଙ୍କ ଜୀବନକୁ ସଂଘର୍ଷପୂର୍ଣ୍ଣ କରି ଦେଇଛି । ଦୀର୍ଘ ଦଶନ୍ଧି ଧରି ବନ୍ୟା ଓ ମୃତ୍ତିକା କ୍ଷୟ ଯୋଗୁଁ ହୁଗଲି ମୁହାଣରେ ଥିବା ସେମାନଙ୍କର ଏହି ପୃଥକ ବାସସ୍ଥାନ ଏକ ଭାସମାନ ଭୂଖଣ୍ଡ ପାଲଟିଯାଇଛି।

ଯେତେବେଳେ ମେ ମାସରେ ୟାସ ବାତ୍ୟା ସ୍ଥଳ ଭାଗରେ ମାଡ଼ ହୋଇଥିଲା, ସାଗର ବ୍ଲକ୍ ଅଧୀନରେ ଆସୁଥିବା ଘୋଡ଼ାମାରା ସୁନ୍ଦରବନ ଅଞ୍ଚଳରେ ସବୁଠୁ ପ୍ରଭାବିତ ଅଞ୍ଚଳ ଥିଲା। ମେ ୨୬ ତାରିଖରେ, ବାତ୍ୟା ସହ ଆସିଥିବା ସମୁଦ୍ରର ଉଚ୍ଚ ଜୁଆର ମାତ୍ର ୧୫-୨୦ ମିନିଟ ମଧ୍ୟରେ ତଟବନ୍ଧକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେବା ସହ ଏହି ଦ୍ୱୀପକୁ ଜଳପ୍ଳାବିତ କରି ଦେଇଥିଲା। ପୂର୍ବରୁ ବାତ୍ୟା ଅମ୍ଫନ (୨୦୨୦) ଏବଂ ବୁଲବୁଲ (୨୦୧୯) ର ପ୍ରଭାବକୁ ଦେଖିଥିବା ଏହି ଦ୍ୱୀପର ବାସିନ୍ଦା ପୁଣିଥରେ ଧ୍ୱଂସଲୀଳାର ସମ୍ମୁଖିନ ହୋଇଥିଲେ। ସେମାନଙ୍କ ଘରର ଚିହ୍ନବର୍ଣ୍ଣ ନଥିଲା, ଧାନ ଭଣ୍ଡାର, ପାନ ବରଜ ଓ ସୂର୍ଯ୍ୟମୁଖି କ୍ଷେତ ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା।

ବାତ୍ୟା ପରେ କାଶୀମାରା ଘାଟ ନିକଟରେ ଥିବା ଅବ୍ଦୁଲ ରୌଫଙ୍କ ଘର ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା। “ସେହି ତିନିଦିନ ଆମ ପାଖରେ କିଛି ଖାଇବାକୁ ନଥିଲା। ଆମେ ବର୍ଷା ପାଣି ପିଇ ବଞ୍ଚିଥିଲୁ। କେବଳ ଜରି ପାଲ ତଳେ ସୁରକ୍ଷିତ ରହିଥିଲୁ”, ଏଠାରୁ ୯୦ କିଲୋମିଟର ଦୂର କୋଲକାତାରେ ଜଣେ ଦରଜି ଭାବେ କାମ କରୁଥିବା ରୌଫ କହିଥାନ୍ତି। “ସୁରକ୍ଷିତ ସ୍ଥାନକୁ ବାହାରି ନପାରି ଆମେ ସେଠାରେ ପଡ଼ି ରହିଲୁ।” ତିନି ଦିନ ପରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ସୂଚନା ମିଳିଲା ଯେ ରୌଫ ଏବଂ ତାଙ୍କ ପତ୍ନୀଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି। “ଯେକୌଣସି ପରିସ୍ଥିତିରେ କାକଦ୍ୱୀପରେ ପହଞ୍ଚିବା ଲାଗି ବିଡିଓ ଆମକୁ କହିଲେ। ସେଠାରେ ସେ ଆମ ପାଇଁ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଇ ଦେଲେ। ଆମକୁ (ଚିକିତ୍ସା ପାଇଁ) ପ୍ରାୟ ୨୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା।” ସେହିଦିନ ଠାରୁ ରୌଫ ଏବଂ ତାଙ୍କ ପରିବାର ଦ୍ୱୀପରେ ଥିବା ଆଶ୍ରୟସ୍ଥଳୀରେ ରହି ଆସୁଛନ୍ତି।

ଆହୁରି ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିଲା ଓ ସେମାନେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିଲେ। ମନ୍ଦିରତାଲା ଗ୍ରାମର ବାସିନ୍ଦାମାନେ ଦ୍ୱୀପର ସର୍ବୋଚ୍ଚ ସ୍ଥାନ କୁହାଯାଉଥିବା ମନ୍ଦିରତାଲା ବଜାର ନିକଟବର୍ତ୍ତୀ ଟ୍ୟାଙ୍କ ଗ୍ରାଉଣ୍ଡ ନିକଟରେ ନିର୍ମିତ ଏକ ଆଶ୍ରୟସ୍ଥଳୀରେ ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ସେହି ପାଖରେ ଥିବା ଏକ ସଂକୀର୍ଣ୍ଣ ରାସ୍ତାରେ ଶିବିର ପକାଇଥିଲେ। ହାତଖୋଲା, ଚୁନପୁରୀ ଓ ଖାସିମାରା ଅଞ୍ଚଳର ୩୦ ପରିବାର ଘୋଡ଼ାମାରାର ଦକ୍ଷିଣରେ ଥିବା ସାଗର ଦ୍ୱୀପରେ ନିର୍ମିତ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିଲେ। ସେହି ସ୍ଥାନରେ ରହିବା ଲାଗି ସେମାନଙ୍କୁ ଏବେ ଜମି ଆବଣ୍ଟନ କରାଯାଇଛି।

PHOTO • Abhijit Chakraborty

ଖାସିମାରାରେ ଥିବା ରେଜାଉଲ ଖାନଙ୍କ ଘର ୟାସ ବାତ୍ୟାରେ ଭାଙ୍ଗିଯାଇଛି। ସେ ଓ ତାଙ୍କ ପରିବାର ସାଗର ଦ୍ୱୀପରେ ଥଇଥାନ ହୋଇଛନ୍ତି

ରେଜାଉଲ ଖାନଙ୍କ ପରିବାର ସେମାନଙ୍କ ମଧ୍ୟରୁ ଅନ୍ୟତମ। ଖାସିମାରାରେ ଥିବା ତାଙ୍କ ଘର ଏବେ ଧ୍ୱଂସାବଶେଷ ପାଲଟିଛି। “ମୋତେ ଏହି ଦ୍ୱୀପ ଛାଡ଼ିବାକୁ ପଡ଼ିବ, କିନ୍ତୁ ମୁଁ କାହିଁକି ଛାଡ଼ିବି?” ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏକ ମସଜିଦ ପାଖରେ ଏକ ଅଶାନ୍ତ ଦିନରେ ବସିଥିବା ବେଳେ ସେ ମୋତେ କହିଥିଲେ।  “ମୁଁ ମୋ ପିଲାଦିନର ସାଙ୍ଗ ଗଣେଶ ପାରୁଆକୁ କିଭଳି ଛାଡ଼ିପାରିବି? ତାଙ୍କ ବାଡ଼ିରେ ଫଳିଥିବା କଲରା ଗତକାଲି ଆମେ ରାତ୍ରୀ ଭୋଜନରେ ଖାଇଥିଲୁ”, ସେ କହିଥିଲେ।

ବାତ୍ୟାଜନିତ କ୍ଷତିରୁ ମୁକୁଳିବା ଲାଗି ଗାଁ ଲୋକଙ୍କୁ ସୁଯୋଗ ମିଳିନଥିଲା। କାରଣ ୟାସ ବାତ୍ୟା ପରେ ଜୁନ ମାସରେ ଆସିଥିବା ସମୁଦ୍ର ଜୁଆର ଘୋଡ଼ାମାରାକୁ ବନ୍ୟା ପ୍ଳାବିତ କରି ଦେଇଥିଲା, ଏହାପରେ ମୌସୁମୀ ବର୍ଷା ଆସି ସ୍ଥିତିକୁ ଆହୁରି ସଙ୍ଗୀନ୍ କରି ଦେଲା। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତିକୁ ନେଇ ବିବ୍ରତ ରାଜ୍ୟ ପ୍ରଶାସନ, ଜୀବନ ରକ୍ଷା କରିବା ଲକ୍ଷ୍ୟ ନେଇ ଏଠାକାର ବାସିନ୍ଦାମାନଙ୍କୁ ପୃଥକ ସ୍ଥାନରେ ଥଇଥାନ କରିବାକୁ ଆରମ୍ଭ କରିଛି

ମନ୍ଦିରତାଲାରେ ଏକ ତେଜରାତି ଦୋକାନର ମାଲିକ ଅମିତ ହାଲଦାର କୁହନ୍ତି, “ସେତେବେଳେ (ବାତ୍ୟା ପରେ) ମୋ ଦୋକାନରେ ଲୁଣ ଓ ତେଲ ଛଡ଼ା ଆଉ କିଛି ନଥିଲା। ସମୁଦ୍ର ଜୁଆର ଆସି ସବୁ କିଛି ବୁଡ଼ି ଯାଇଥିଲା। ଆମର ପୂର୍ବଜମାନେ ମଧ୍ୟ ଏପରି ବଡ଼ ବଡ଼ ସମୁଦ୍ର ଲହଡ଼ି କେବେ ଦେଖିନଥିଲେ। ସେଗୁଡ଼ିକ ଏତେ ଉଚ୍ଚ ଥିଲା ଯେ ଆମ ଭିତରୁ ଅଧିକାଂଶ ଲୋକଙ୍କୁ ବଞ୍ଚି ରହିବା ଲାଗି ବଡ଼ ବଡ଼ ଗଛ ଉପରକୁ ଚଢ଼ିବାକୁ ପଡ଼ିଥିଲା। କିଛି ମହିଳାମାନଙ୍କୁ ଦ୍ୱୀପର ଉଚ୍ଚସ୍ଥାନରେ ଥିବା ଗଛରେ ବାନ୍ଧି ଦିଆଯାଇଥିଲା, ଯାହାଫଳରେ ସେମାନେ ସମୁଦ୍ର ଢେଉରେ ଭାସିନଯିବେ। ସମୁଦ୍ର ପାଣି ସେମାନଙ୍କ ବେକ ଉଚ୍ଚ ପର୍ଯ୍ୟନ୍ତ ମାଡ଼ି ଯାଇଥିଲା। ଆମେ ଆମର ଅଧିକାଂଶ ଗୃହପାଳିତ ପଶୁମାନଙ୍କୁ ବଞ୍ଚାଇ ପାରିଲୁ ନାହିଁ।”

୨୦୧୪ର ଏକ ଅଧ୍ୟୟନ ଅନୁଯାୟୀ, ସୁନ୍ଦରବନରେ ଜଳବାୟୁ ପରିବର୍ତ୍ତନର ସଙ୍କଟ ଯୋଗୁଁ ସମୁଦ୍ର ପତନ ବୃଦ୍ଧି ପାଇବା ସହିତ ଜଟିଳ ଜଳପ୍ଳାବନ ସମସ୍ୟା ଦେଖାଦେଉଛି। ଯାହାଫଳରେ ଘୋଡ଼ମାରାରେ ସମୁଦ୍ର ତଟ କ୍ଷୟ ଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି। ଏହି ଦ୍ୱୀପର ମୋଟ ଭୂମି କ୍ଷେତ୍ରଫଳ ୧୯୭୫ରେ ୮.୫୧ ବର୍ଗମିଟର ଥିଲା ଯାହାକି ୨୦୧୨ରେ ହ୍ରାସ ପାଇ ମାତ୍ର ୪.୪୩ ବର୍ଗକିମି ରହିଯାଇଛି। ବାରମ୍ବାର ସ୍ଥାନାନ୍ତର ଏବଂ ଧୀରେ ଧୀରେ ପ୍ରାକୃତିକ ପରିବେଶ କ୍ଷୟ କାରଣରୁ ଏହି ଦ୍ୱୀପରେ ପ୍ରବାସ ହାର ଅଧିକ ଥିବା ଅଧ୍ୟୟନରେ ଦର୍ଶାଯାଇଥିଲା। ୨୦୦୧ରେ ଘୋଡ଼ାମାରାର ଜନସଂଖ୍ୟା ୫,୨୩୬ ଥିବା ବେଳେ ୨୦୧୧ରେ ଏହା ୫.୧୯୩କୁ ହ୍ରାସ ପାଇଥିଲା। ଏହା ପ୍ରବାସ କାରଣରୁ ହୋଇପାରେ ବୋଲି ଅଧ୍ୟୟନକାରୀମାନେ ମତବ୍ୟକ୍ତ କରିଥିଲେ।

ସେମାନଙ୍କର ଦୁର୍ଭାଗ୍ୟ ସତ୍ତ୍ୱେ, ଘୋଡ଼ାମାରା ବାସିନ୍ଦା ପରସ୍ପରକୁ ସହାୟତା କରିଥାନ୍ତି। ସେପ୍ଟେମ୍ବର ମାସର ସେହି ଦିନ, ହାତଖୋଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀର ସମସ୍ତ ଆଶ୍ରିତମାନେ ୬ ମାସର ଶିଶୁ ଅଭିକର ଅନ୍ନପ୍ରାଶନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ଏହି ସମାରୋହରେ ଛୋଟ ଶିଶୁକୁ ପ୍ରଥମ ଥର ପାଇଁ ଭାତ ଖାଇବାକୁ ଦିଆଯାଇଥାଏ। ସଙ୍କୁଚିତ ହେଉଥିବା ଭୂଖଣ୍ଡର ଏହିସବୁ ପରିବେଶ ଶରଣାର୍ଥୀମାନଙ୍କୁ ଅନିଶ୍ଚିତ ଜୀବନ ନେଇ ବଞ୍ଚିବା ଲାଗି ଅଭ୍ୟସ୍ତ କରି ଦେଇଛି- ତେଣୁ ସେମାନେ ନିଜର ଘର ପୁଣିଥରେ ତିଆରି କରୁଛନ୍ତି କିମ୍ବା ଏକ ନୂଆ ବାସସ୍ଥାନ ସନ୍ଧାନରେ ଚାଲି ଯାଉଛନ୍ତି।

PHOTO • Abhijit Chakraborty

ଜୁଆର ଛାଡ଼ିଯିବା ପରେ କାକଦ୍ଵୀପ ମୂଳ ଭୂଖଣ୍ଡରୁ ଫେରୀ ଡଙ୍ଗା ଯୋଗେ ଫେରୁଛନ୍ତି ଘୋଡ଼ାମାରା ବାସିନ୍ଦା


PHOTO • Abhijit Chakraborty

ଚଳିତ ବର୍ଷ ମେ ୨୬ ତାରିଖରେ ୟାସ ବାତ୍ୟା ତଟବନ୍ଧ ଭାଙ୍ଗି ଦେବା ସହ ସମ୍ପୂର୍ଣ୍ଣ ଦ୍ୱୀପକୁ ଜଳମଗ୍ନ କରି ଦେଇଥିଲା


PHOTO • Abhijit Chakraborty

ବନ୍ୟାପ୍ରବଣ ଦ୍ୱୀପର ବାସିନ୍ଦାମାନେ ସେମାନଙ୍କ ଜୀବନଜୀବିକା ପୁନଃନିର୍ମାଣ ଆଶା ନେଇ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି


PHOTO • Abhijit Chakraborty

ସାଗର ଦ୍ୱୀପର ଏକ ଭଲ ସ୍ଥାନକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଶେଖ ସାନୁଜ ଖାସିମାରାରେ ଥିବା ନିଜ ଘର କଥା ଭାବୁଛନ୍ତି


PHOTO • Abhijit Chakraborty

ଖାସିମାରା ଘାଟରେ ଲୋକମାନେ ଖାଦ୍ୟ ଅପେକ୍ଷାରେ ରହିଛନ୍ତି; ୟାସ ବାତ୍ୟାରେ ସେମାନଙ୍କର ଘର ଭାଙ୍ଗିଯିବା ପରେ ସେମାନେ ରିଲିଫକୁ ଭରସା କରି ବଞ୍ଚି ରହିଛନ୍ତି


PHOTO • Abhijit Chakraborty

ଖାସିମାରା ଘାଟଠାରେ ଖାଦ୍ୟଶସ୍ୟ ଓ ରାସନ ଡଙ୍ଗା ଯୋଗେ ଆସି ପହଞ୍ଚୁଛି


PHOTO • Abhijit Chakraborty

ପୁରୁଷ, ମହିଳା, ଶିଶୁ ଏବଂ ଗୃହପାଳିତ ପଶୁ ଫେରୀ ଡଙ୍ଗାରୁ ଓହ୍ଲାଉଛନ୍ତି, ସମସ୍ତେ ଘରକୁ ଫେରିବା ଲାଗି ବ୍ୟସ୍ତ ଅଛନ୍ତି


PHOTO • Abhijit Chakraborty

ଘୋଡ଼ାମାରାର ଉଚ୍ଚତମ ସ୍ଥାନ ମନ୍ଦିରତାଲା ବଜାରର ଟ୍ୟାଙ୍କ ଗ୍ରାଉଣ୍ଡ ନିକଟରେ ଅସ୍ଥାୟୀ ଆଶ୍ରୟସ୍ଥଳୀ। ଗାଁର ପ୍ରାୟ ଏକ ତୃତୀୟାଂଶ ଲୋକ ଏଠାରେ ଆଶ୍ରା ନେଇଛନ୍ତି


PHOTO • Abhijit Chakraborty

ଅମିତ ହାଲଦାର ନିଜ ଭଙ୍ଗା ଘର ପାଖରେ ଛିଡ଼ା ହୋଇଛନ୍ତି। ମନ୍ଦିରତାଲା ବଜାର ନିକଟରେ ଥିବା ନିଜର ତେଜରାତି ଦୋକାନରେ ରଖିଥିବା ସମସ୍ତ ସାମଗ୍ରୀ ସେ ହରାଇଛନ୍ତି


PHOTO • Abhijit Chakraborty

ଖାସିମାରା ଘାଟ ନିକଟରେ ଥିବା ଘରକୁ ରହିବା ଉପଯୋଗୀ କରିବା ଲାଗି ଓଦା ଚଟାଣରେ ମାଟି ଖେଳାଯାଉଛି


PHOTO • Abhijit Chakraborty

ହାତଖୋଲାରେ ଥିବା ଅସ୍ଥାୟୀ ଆଶ୍ରୟସ୍ଥଳ ନିକଟରେ ଠାକୁରଦାସୀ ଘୋରୁଇ ଜାଲ ବୁଣୁଛନ୍ତି। ସେ ତାଙ୍କ ପରିବାର ସରକାରଙ୍କ ଦ୍ୱାରା ସ୍ଥାନାନ୍ତରିତ ହୋଇଛନ୍ତି


PHOTO • Abhijit Chakraborty

ହାତଖୋଲା କ୍ୟାମ୍ପଠାରେ କାକଳୀ ମଣ୍ଡଳ (କମଳା ରଙ୍ଗ ଶାଢ଼ୀ)। ସାଗର ଦ୍ୱୀପକୁ ସ୍ଥାନାନ୍ତରିତ ହୋଇଥିବା ୩୦ ଟି ପରିବାର ମଧ୍ୟରୁ ତାଙ୍କ ପରିବାର ଅନ୍ୟତମ


PHOTO • Abhijit Chakraborty

ଖାସିମାରାର ଅବଦୁଲ ରୌଫ ସାଗର ଦ୍ୱୀପ ଠାରେ ତାଙ୍କୁ ମିଳିଥିବା ଜମିର ପଟ୍ଟା ଧରିଛନ୍ତି


PHOTO • Abhijit Chakraborty

ସେପ୍ଟେମ୍ବର ତାରିଖରେ ଅନ୍ନପ୍ରାଶନ ସମାରୋହ ପୂର୍ବରୁ ହଟ ଖୋଲା ଆଶ୍ରୟସ୍ଥଳୀରେ ଶିଶୁ ଅଭିକ ଏବଂ ତାଙ୍କର ମା’। ଶିବିରରେ ଅନ୍ୟମାନେ ତାଙ୍କୁ ରୋଷେଇରେ ସାହାଯ୍ୟ କରୁଛନ୍ତି


PHOTO • Abhijit Chakraborty

ମନ୍ଦିରତାଲା ବଜାର ନିକଟ ଟ୍ୟାଙ୍କ ଗ୍ରାଉଣ୍ଡ ଆଶ୍ରୟସ୍ଥଳୀ ନିକଟରେ ମଧ୍ୟାହ୍ନ ଭୋଜନ ଖାଇବା ଲାଗି ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି


PHOTO • Abhijit Chakraborty

ଖାସିମାରା ଘାଟ ନିକଟରେ ଏକ ରିଲିଫ ଡଙ୍ଗାରୁ ଖାଦ୍ୟ ପ୍ୟାକେଟ ନେବା ଲାଗି ଲୋକମାନେ ବର୍ଷାରେ ଏକତ୍ରିତ ହୋଇଛନ୍ତି


PHOTO • Abhijit Chakraborty

ଖାସିମାରା ଘାଟରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିତରଣ କରାଯାଉଥିବା ଶାଢ଼ୀ ସଂଗ୍ରହ କରିବା ଲାଗି ମହିଳାମାନେ ଅପେକ୍ଷା କରି ରହିଛନ୍ତି


PHOTO • Abhijit Chakraborty

ମନ୍ଦିରତାଲା ନିକଟରେ ଥିବା ଘୋଡ଼ାମାରାର ଏକ ମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସପ୍ତାହକୁ ଗୋଟିଏ ଥର କୋଲକାତାରୁ ଏକ ଡାକ୍ତରୀ ଦଳ ଆସିଥାନ୍ତି। ଅନ୍ୟ ସମୟରେ ଲୋକମାନେ ଚିକିତ୍ସା ସହାୟତା ପାଇଁ ଆଶା କର୍ମୀଙ୍କ ଉପରେ ନିର୍ଭର କରିଥାନ୍ତି


PHOTO • Abhijit Chakraborty

ସେପ୍ଟେମ୍ବର ତାରିଖରେ ଏହି ପିଏଚସିରେ କୋଭିଡ ଟିକାକରଣ ଜାରି ରହିଛି। ଏହା ଥିଲା ଘୋଡ଼ାମାରାରେ ଆୟୋଜିତ ୧୭ ତମ ଶିବିର


PHOTO • Abhijit Chakraborty

ଘୋଡ଼ାମାରାରେ ରହିଛି ମଡ ପଏଣ୍ଟ ଡାକ ଘର, ଇଂରେଜମାନେ ଡାକଘରର ଏପରି ନାମ ଦେଇଥିଲେ ଯାହା ସେବେଠାରୁ ରହି ଆସିଛି। ଏହି ଡାକ ଘରର ପୋଷ୍ଟ ମାଷ୍ଟର ବାରୁଇପୁରରୁ ୭୫ କିଲୋମିଟର ଦୂର ଯାତ୍ରା କରି ନିଜର କାର୍ଯ୍ୟସ୍ଥଳୀକୁ ଆସିଥାନ୍ତି। ଅଧିକ ଆର୍ଦ୍ରତା କାରଣରୁ ଏହି ଡାକ ଘରେ ଥିବା କାଗଜପତ୍ର ଏବଂ ଫାଇଲଗୁଡ଼ିକ ଓଦା ହୋଇଯାଇଥାଏ, ତେଣୁ ସେଗୁଡ଼ିକୁ ବାହାରେ ଶୁଖିବା ପାଇଁ ରଖାଯାଇଛି


PHOTO • Abhijit Chakraborty

ଅହଲ୍ୟା ଶିଶୁ ଶିକ୍ଷା କେନ୍ଦ୍ରର ଏକ ଶ୍ରେଣୀଗୃହରେ ଏବେ ଖଟ ଥୁଆ ହୋଇଛି ଏବଂ ଏହା ପନିପରିବା ସଂରକ୍ଷିତ କରି ରଖିବା ପାଇଁ ବ୍ୟବହୃତ ହେଉଛି। କୋଭିଡ-19 ପରଠାରୁ ମନ୍ଦିରତାଲାରେ ଥିବା ଏହି ବିଦ୍ୟାଳୟ ବନ୍ଦ ରହିଛି


PHOTO • Abhijit Chakraborty

ଖାସିମାରାରେ ରାସନ ଦୋକାନ ପଛପଟେ, ଲୁଣି ପାଣିରେ ନଷ୍ଟ ହୋଇଯାଇଥିବା ପାନ ବରଜ ଜମିରେ ଚାଉଳ ଓ ଗହମ ବସ୍ତା ଶୁଖିବା ପାଇଁ ରଖାଯାଇଛି। ପଚି ଯାଇଥିବା ଫସଲ ଗନ୍ଧ ଚାରି ଆଡ଼େ ଖେଳିଯାଇଛି


PHOTO • Abhijit Chakraborty

ଖାସିମାରା ଘାଟ ନିକଟରେ ଗ୍ରାମବାସୀ ବାତ୍ୟାରେ ଉପୁଡ଼ି ଯାଇଥିବା ଗଛର ଗଣ୍ଡି ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି


PHOTO • Abhijit Chakraborty

ଚୁନପୁରୀ ବାସିନ୍ଦାମାନେ ମାଛ ଧରିବା ଲାଗି ଜାଲ ପକାଉଛନ୍ତି। ଘୋଡ଼ାମାରାରେ ବଞ୍ଚିବା ପାଇଁ ସଂଘର୍ଷ ଜାରି ରହିଛି


ଅନୁବାଦ : ଓଡ଼ିଶାଲାଇଭ୍‍

Abhijit Chakraborty

ଅଭିଜିତ୍ ଚକ୍ରବର୍ତ୍ତୀ କୋଲକାତାର ଜଣେ ଫଟୋ ସାମ୍ବାଦିକ। ସେ ସୁନ୍ଦରବନ୍ ଉପରେ ଆଧାରିତ ଏକ ତ୍ରୟମାସିକ ବଙ୍ଗଳା ପତ୍ରିକା ‘ସୁଦ୍ଦୁ ସୁନ୍ଦରବନ୍ ଚର୍ଚା’ ସହିତ ଜଡିତ ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Abhijit Chakraborty
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE