ଆଉ ଏତଦ୍ୱାରା ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ ଆଜି, ଡିସେମ୍ବର ୨୦ରେ ସାତ ବର୍ଷର ହେଲା । ଆମେ କେବଳ ମହାମାରୀ ଏବଂ ତଦ୍ଜନିତ ଲକ୍ଡାଉନ୍ରେ ତିଷ୍ଠି ରହିଲୁ ତାହା ନୁହେଁ-ଆମେ ଆମର ସର୍ବକାଳୀନ ଶ୍ରେଷ୍ଠ କାମର ପ୍ରଦର୍ଶନ ବି କଲୁ ।
ଗତବର୍ଷ ଲକ୍ଡାଉନ୍ର ପ୍ରଥମ ଦିନରେ ହିଁ, ଭାରତ ସରକାର ଉଭୟ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମକୁ ଏକ ଜରୁରୀକାଳୀନ ସେବା ଭାବେ ଘୋଷଣା କଲେ । ତାହା ଭଲ ଥିଲା । ଭାରତୀୟ ଜନସାଧାରଣଙ୍କୁ ସାମ୍ବାଦିକତା ଏବଂ ସାମ୍ବାଦିକମାନଙ୍କର ଅଧିକ ଆବଶ୍ୟକତା ନଥିଲା । ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ନିର୍ଭର କରୁଥିବା କାହାଣୀଗୁଡ଼ିକ କହିବାକୁ ଥିଲା । ଏହି ଦେଶର ବଡ଼ ଗଣମାଧ୍ୟମ ସଂସ୍ଥାଗୁଡ଼ିକ କେମିତି ପ୍ରତିକ୍ରିୟା କଲେ ? ୨,୦୦୦ରୁ ୨,୫୦୦ ସାମ୍ବାଦିକ ଏବଂ ୧୦,୦୦୦ରୁ ଅଧିକ ଅଣ ସାମ୍ବାଦିକ ଗଣମାଧ୍ୟମ କର୍ମୀଙ୍କୁ ବରଖାସ୍ତ କରି ।
ତେବେ ସେମାନେ ବଡ଼ କାହାଣୀ କିପରି କହିବାକୁ ଯାଉଥିଲେ ? ସେମାନଙ୍କର କିଛି ସର୍ବଶ୍ରେଷ୍ଠ ସାମ୍ବାଦିକଙ୍କଠାରୁ ମୁକ୍ତି ପାଇ? ହଜାର ହଜାର ଅନ୍ୟ ଗଣମାଧ୍ୟମ କର୍ମଚାରୀ - ଯେଉଁମାନେ ଛଟେଇ ହୋଇ ନ ଥିଲେ – ସେମାନଙ୍କର ଦରମା ୪୦ରୁ ୬୦ ପ୍ରତିଶତ ମଧ୍ୟରେ କଟାଯାଇଥିଲା । ସାମ୍ବାଦିକମାନଙ୍କର ଯାତ୍ରା ଉପରେ କଡ଼ା ପ୍ରତିବନ୍ଧକ ଲଗାଯାଇଥିଲା, ଏମିତି ପଦକ୍ଷେପ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନୁହେଁ ବରଂ ଖର୍ଚ୍ଚ କାଟିବା ପାଇଁ ନିଆଯାଇଥିଲା । ଆଉ ସେହି ସମୟରେ, ଖାସ୍ କରି ୨୦୨୦ ମାର୍ଚ୍ଚ ୨୫ ପରେ ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଯେଉଁ ଖବର କରାଯାଉଥିଲା, ସେସବୁ ଅଧିକାଂଶ ନଗର ବା ବଡ଼ ସହର ଭିତ୍ତିକ ଥିଲା ।
୨୦୨୦ ଏପ୍ରିଲ ପରଠାରୁ ପରୀ ଏହାର କର୍ମଚାରୀଙ୍କ ମଧ୍ୟରେ ୧୧ ଜଣ ବ୍ୟକ୍ତିଙ୍କୁ ଯୋଗ କରିଛି, କାହାରି ଉପରେ ଗୋଟିଏ ପଇସାର ପାଉଣା କାଟ ଲାଗୁ କରାଯାଇନାହିଁ – ଏବଂ ୨୦୨୦ ଅଗଷ୍ଟରେ ଆମର ପ୍ରାୟ ସମସ୍ତ କର୍ମଚାରୀଙ୍କୁ ପଦୋନ୍ନତି ଏବଂ ବେତନ ବୃଦ୍ଧି ପ୍ରଦାନ କରାଯାଇଥିଲା ।
ଆମର ଅନ୍ୟାନ୍ୟ ରିପୋର୍ଟିଂ ବ୍ୟତୀତ, ମହାମାରୀ ଆରମ୍ଭ ହେବା ଦିନଠାରୁ ପରୀ ପକ୍ଷରୁ ୨୭୦ରୁ ଅଧିକ (ମୁଖ୍ୟତଃ ମଲ୍ଟିମିଡିଆ) କାହାଣୀ ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ରିପୋର୍ଟ, ଲକଡାଉନ୍ ଅନ୍ତର୍ଗତ ଜୀବିକାର ଏକକ ଥିମ୍ ଉପରେ ପ୍ରକାଶିତ ହୋଇଛି । ଏହି କାହାଣୀଗୁଡ଼ିକୁ ଆମେ ୨୩ଟି ରାଜ୍ୟରୁ, ଦେଶର ପ୍ରତ୍ୟେକ ପ୍ରମୁଖ ଅଞ୍ଚଳରୁ ଆମେ ସଂଗ୍ରହ କରିଛୁ, ସେହି ଗାଁଗୁଡ଼ିକରୁ ଯେଉଁଠାରୁ ଦାଦନ ଶ୍ରମିକମାନେ ଫେରୁଥିଲେ। ଏଥିପାଇଁ ରିପୋର୍ଟରମାନେ ଲକ୍ଡାଉନ୍ ସମୟରେ ଯାହା ବି ପରିବହନ ବ୍ୟବସ୍ଥା ମିଳୁଥିଲା ସେଥିରେ ଶହ ଶହ କିଲୋମିଟର ଯାତ୍ରା କରୁଥିଲେ । ଏହି କାହାଣୀଗୁଡ଼ିକରେ ଆପଣ ୬୫ ଜଣ ଭିନ୍ନ ଭିନ୍ନ ରିପୋର୍ଟରଙ୍କ ନାମ ଦେଖିବାକୁ ପାଇବେ । ମହମାରୀ ପୂର୍ବରୁ ଦୀର୍ଘ ବର୍ଷ ଧରି ପରୀ ଦାଦନ ଶ୍ରମିକଙ୍କ ଜୀବନ ଉପରେ କାହାଣୀ ପ୍ରକାଶ କରିଆସୁଥିଲା ଏବଂ ସେମାନଙ୍କୁ ୨୦୨୦ ମାର୍ଚ୍ଚରେ ଆବିଷ୍କାର କରିବାର ନ ଥିଲା ।
ଯେମିତିକି ଆମର ପାଠକମାନେ ଜାଣିଛନ୍ତି, ଏବଂ ଅନ୍ୟମାନେ ଯେଉଁମାନେ ଜାଣିନାହାନ୍ତି, ପରୀ ଗୋଟିଏ ଉଭୟ ସାମ୍ବାଦିକତା ପ୍ଲାଟଫର୍ମ ଏବଂ ଏକ ଜୀବନ୍ତ, ଶାସକ୍ରିୟା କରୁଥିବା ଆର୍କାଇଭ୍ । ଆମେ ଗ୍ରାମୀଣ ଭାରତ ଉପରେ ପ୍ରବନ୍ଧ, ରିପୋର୍ଟ, ଲୋକ ସଂଗୀତ, ଗୀତ, ଫଟୋ ଏବଂ ଚଳଚ୍ଚିତ୍ରର ସର୍ବବୃହତ୍ ଅନ୍ଲାଇନ୍ ଭଣ୍ଡାର ଏବଂ ଗ୍ରାମାଞ୍ଚଳର ସବୁଠାରୁ ବଡ଼ ସଂଗ୍ରହାଳୟ ମଧ୍ୟରୁ ଗୋଟିଏ । ପରୀର ସାମ୍ବାଦିକତା ଦୈନନ୍ଦିନ ଲୋକଙ୍କ ଦୈନନ୍ଦିନ ଜୀବନକୁ ରିପୋର୍ଟ କରିବା ଉପରେ ଏବଂ ୮୩୩ ନିୟୁତ ଗ୍ରାମୀଣ ଭାରତୀୟଙ୍କ କାହାଣୀ ସେମାନଙ୍କ ସ୍ୱର ଏବଂ ଜୀବନ୍ତ ଅଭିଜ୍ଞତା ମାଧ୍ୟମରେ କହିବା ଉପରେ ଆଧାରିତ ।










