ଅବିରତ ଭାବେ ପ୍ରାୟ ୧୨ଘଣ୍ଟା ପର୍ଯ୍ୟନ୍ତ ମଲ୍ଲକୁସ୍ତିର ବିବରଣୀ ପ୍ରଦାନ କରି ସେ ‘ଧାରାବିବରଣୀ’କୁ ଏକ ନୂଆ ଅର୍ଥ ପ୍ରଦାନ କରିଛନ୍ତି । ତାହା ମଧ୍ୟ ଟେଲିଭିଜନ୍ ବା ରେଡିଓ ନୁହେଁ ବରଂ ଜନସାଧାରଣଙ୍କୁ ସମ୍ବୋଧନ କରିବା ପ୍ରଣାଳୀ ମାଧ୍ୟମରେ । ବର୍ତ୍ତମାନ କୁସ୍ତିର ବିବରଣୀ ଯେଉଁ ଶୈଳୀରେ ପ୍ରଦାନ କରାଯାଉଛି ତାହା ବାସ୍ତବରେ ଶଙ୍କରରାଓ ପୂଜାରୀ ଆବିଷ୍କାର କରିଛନ୍ତି । ମହାରାଷ୍ଟ୍ରରେ ଟୁର୍ଣ୍ଣାମେଣ୍ଟ ଆୟୋଜକମାନେ ବେଳେବେଳେ ତାଙ୍କ କାର୍ଯ୍ୟସୂଚୀ ସହିତ ଖାପଖାଇବା ଭଳି ତାରିଖଟିଏ ପାଇବା ପାଇଁ ପୂର୍ବନିର୍ଦ୍ଧାରିତ ତାରିଖ ପରିବର୍ତ୍ତନ କରିଦିଅନ୍ତି । ସେ କେବଳ ଭିଡ଼ ସହିତ କଥା ହୁଅନ୍ତି ତାହା ନୁହେଁ- ସେ ସେମାନଙ୍କୁ ଏହା ପ୍ରତି ଆକର୍ଷିତ କରିବାରେ ମଧ୍ୟ ସହାୟକ ହୋଇଥାନ୍ତି।
“ମଲ୍ଲକୁସ୍ତି ଖରାପ ସମୟ ଦେଇ ଗତି କରୁଥିବାବେଳ ଶଙ୍କରରାଓ ପୂଜାରୀଙ୍କ ଶୈଳୀ ଏହାକୁ ପୁନର୍ଜୀବିତ କରିବାରେ ସହାୟକ ହୋଇଛି’’ ବୋଲି ସାଙ୍ଗଲିର ବେଣାପୁରରେ ପୂର୍ବତନ ଶୀର୍ଷ ସ୍ଥାନୀୟ ଖେଳାଳି ରାଜେନ୍ଦ୍ର ସିନ୍ଧେ କହନ୍ତି । ତାଙ୍କର ବାଖ୍ୟାତ୍ମକ ଓ ଶିକ୍ଷଣୀୟ ଶୈଳୀ ଦ୍ୱାରା ଆକର୍ଷିତ ହୋଇ ବହୁତ ଲୋକ ସେଠାକୁ ଆସିଲେ । “ଏହାପରେ ଅନ୍ୟ ଉପାୟରେ ମଧ୍ୟ ଏହାକୁ ପୁନର୍ଜୀବିତ କରିବା ପାଇଁ ଚେଷ୍ଟା ଆରମ୍ଭ କରାଗଲା । ଲୋକମାନେ ଜନ୍ମଦିନ ଉତ୍ସବମାନଙ୍କରେ ପ୍ରତିଯୋଗିତା ଆୟୋଜନ କରିବାକୁ ଆରମ୍ଭ କଲେ, ଅଧିକ କାର୍ଯ୍ୟକ୍ରମ ଅର୍ଥାତ୍ ଅଧିକ ମଲ୍ଲଯୋଦ୍ଧା ।
ମୁଖ୍ୟତଃ, ଏହି ବବରଣ ପ୍ରତିଯୋଗିତା ଆୟୋଜିତ ହୋଇଥିବା ସ୍ଥାନରେ ଉପସ୍ଥିତ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ । ଏହାର ଅର୍ଥ ହେଉଛି ଏକ ବିଶାଳ ପଡିଆରେ ପିଏ ସିଷ୍ଟମରେ ଏକାଧିକ ବକ୍ତାଙ୍କ ସମାଗମ ହେବା । କିନ୍ତୁ ରେଡିଓ ଜରିଆରେ କାହିଁକି ନୁହେଁ? “ସେପରି କରିବା କଷ୍ଟକର ହେବ” ବୋଲି କୋହ୍ଲାପୁରର କୋଥାଳିରେ ଥିବା ତାଙ୍କ ଘରେ ପୂଜାରୀ କହନ୍ତି । “ଆମର ବ୍ୟବସ୍ଥା ଓ ଶୈଳୀ ଏଥିପାଇଁ ତିଆରି ହୋଇନି, ବିଶେଷ କରି ଗ୍ରାମ୍ୟସ୍ତରରେ । ଆମେ ବିବରଣୀ ପ୍ରଦାନ କରିବା ସମୟରେ ସ୍ଥାନୀୟ ଅଞ୍ଚଳର କୌଣସି ସମ୍ମାନିତ ବ୍ୟକ୍ତି ଆସି ପହଞ୍ଚିଲେ ଆମେ ତାହା ଘୋଷଣା କରିବା ପାଇଁ ବାରମ୍ବାର ରହିଥାଉ ।’’ ସେମାନେ କୁସ୍ତିର ପୂର୍ବତନ ଦକ୍ଷ ଖେଳାଳି ହୋଇ ପାରନ୍ତି ବା ସେହି ସ୍ଥାନର ଏମ୍ଏଲ୍ଏ ହୋଇପାରନ୍ତି । “ଏପରି ବହୁତ ସମୟ ପର୍ଯ୍ୟନ୍ତ ଚାଲିଥାଏ।’’
ସେ ୱରଣାନଗରରେ ବିଶାଳ ଜନସମାଗମକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଆୟତ୍ତ କରି ରଖିବାରେ ସହାୟକ ହୋଇପାରିଥିବାରୁ ସେ ଗର୍ବ ଅନୁଭବ କରନ୍ତି । ପାକିସ୍ତାନରୁ ଆସିବାକୁ ଥିବା ପ୍ରତିଯୋଗୀମାନେ ପହଞ୍ଚିବାରେ ବିଳମ୍ବ ହେବା ଯୋଗୁଁ ପରିସ୍ଥିତିକୁ ସମ୍ଭାଳିବା ନେଇ ଚ୍ୟାଲେଞ୍ଜ ସୃଷ୍ଟି ହେଲା । ପୂଜାରୀ ଏହି ସଂକଟମୟ ପରିସ୍ଥିତିରେ ଦାୟିତ୍ୱ ଗ୍ରହଣ କଲେ । ତାଙ୍କ ପାଖରେ ମଲ୍ଲକୁସ୍ତିର ଇତିହାସ ଓ ସଂସ୍କୃତି ସମ୍ବନ୍ଧୀୟ ଅନେକ ତଥ୍ୟ, ବିଶ୍ଳେଷଣ ରହିଛି ଓ ସେ ଏହାର ଜ୍ଞାନକୋଷ ମଧ୍ୟ । ପୂଜାରୀ ନିଜେ ଜଣେ ମଲ୍ଲ ଥିଲେ ଓ ସେ ଏହାର ବିଭିନ୍ନ କୌଶଳର ବିଶେଷଜ୍ଞ ମଧ୍ୟ। “ମୁଁ ୮ବର୍ଷ ବୟସରେ କୁସ୍ତି ଆରମ୍ଭ କଲି ଓ ୧୯୭୨ର ମହାଦୁର୍ଭିକ୍ଷ ସମୟରେ ଯେତେବେଳେ ଚାଷକାମ ଘୋର ସଂକଟମୟ ସ୍ଥିତିରେ ଥିଲା, ସେତେବେଳେ ଏହାକୁ ଛାଡ଼ିଦେଲି । ଯଦି ଚାଷକାମ ସଂକଟ ଘେରରେ ରହିବ, ତେବେ କୁସ୍ତି ମଧ୍ୟ ସଂକଟକୁ ଚାଲିଯିବ’’।


