ଯେତେବେଳେ ପହିଲମାନ ରବି ଦହିୟା ଅଗଷ୍ଟ ୫ରେ ତାଙ୍କର ଅଲିମ୍ପିକ ରୌପ୍ୟ ପଦକ ଗ୍ରହଣ କରିବା ପାଇଁ ପୋଡିୟମ୍ ଉପରେ ଛିଡ଼ା ହୋଇଥିଲେ, ଋଷିକେଶ ଘାଡ୍ଗେ ଖୁବ୍ ଭାବପ୍ରବଣ ହୋଇଯାଇଥିଲେ । ସେ ଏହି ଚରମ ଆନନ୍ଦ ଅନୁଭବ କରିବା ଅଳ୍ପ କିଛି ଦିନ ତଳର କଥା ।
ମହାରାଷ୍ଟ୍ରର ଲାଟୁର୍ ଜିଲ୍ଲାରୁ ଆସିଥିବା ଋଷିକେଶ, ୨୦ ହେଉଛନ୍ତି ଜଣେ ଆଶାୟୀ ପହିଲମାନ । ମାର୍ଚ୍ଚ ୨୦୨୦ରେ କୋଭିଡ୍ – ୧୯ ବ୍ୟାପିବା ପରଠାରୁ ୧୮ ମାସ ସମୟ ତାଙ୍କ ପାଇଁ ଖୁବ୍ ହତାଶାଜନକ ଥିଲା ଏବଂ ଏହି ପରିସ୍ଥିତି ଆଗାମୀ ନିକଟ ଭବିଷ୍ୟତରେ ବଦଳିବା ପରି ମନେ ହେଉନାହିଁ । ସେ କୁହନ୍ତି, ‘‘ଏହା ହତୋତ୍ସାହଜନକ । ମୋତେ ଲାଗୁଛି ଯେମିତି ମୋ ହାତରୁ ସମୟ ଖସି ଯାଉଛି ।’’
ଏକ ଉଦାଶା ହସ ହସି ସେ ଅପ୍ରିୟ ସମସ୍ୟାଟିକୁ ଦର୍ଶାନ୍ତି: ‘‘ଆପଣ କେମିତି କୁସ୍ତି ଏବଂ ଶାରୀରିକ ଦୂରତା ଏକା ସମୟରେ ରକ୍ଷା କରିପାରିବେ ?’’
ନିଜକୁ ଖୁସି କରିବା ପାଇଁ ଋଷିକେଶ ତାଙ୍କ ସାଙ୍ଗମାନଙ୍କ ସହ ଓସମାନାବାଦ ସହର ବାହାରେ ଥିବା ଏକ କୁସ୍ତି ଏକାଡେମୀ ହଟଲାଇ କୁସ୍ତି ସଙ୍କୁଳରେ ଆଗ୍ରହର ସହ ଟୋକିଓ ୨୦୨୦ ଅଲିମ୍ପିକ୍ ଦେଖୁଥିଲେ । ଯେତେବେଳେ ଅଗଷ୍ଟ ୮ରେ ଏହି କ୍ରୀଡ଼ା ଶେଷ ହେଲା, ଭାରତ ଏହାର ସର୍ବକାଳୀନ ସର୍ବୋତ୍ତମ ଅଲିମ୍ପିକ୍ ଉପଲବ୍ଧି ସାତୋଟି ପଦକ ଜିତିଥିଲା – ସେଗୁଡ଼ିକ ମଧ୍ୟରୁ ଦୁଇଟି ଥିଲା କୁସ୍ତିରେ ।
ପୁରୁଷ ୫୭ କେଜି ଏବଂ ୬୫ କେଜି ଫ୍ରିଷ୍ଟାଇଲ୍ କୁସ୍ତିରେ ଯଥାକ୍ରମେ ଦହିୟାଙ୍କ ରୌପ୍ୟ ପଦକ ଏବଂ ବଜରଙ୍ଗ ପୁନିଆଙ୍କ ବ୍ରୋଞ୍ଜ୍ ଋଷିକେଶଙ୍କ ପରି ପହିଲମାନମାନଙ୍କୁ ପ୍ରେରଣା ଦେଇଛି ଯେଉଁମାନେ ସାଧାରଣ ପରିବାରରୁ ଆସିଛନ୍ତି । ଦହିୟା, ୨୩ ତାଙ୍କ ବିଜୟ ପରେ ଟୋକିଓରେ ପ୍ରେସ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ ସହ ଆଲୋଚନା ସମୟରେ କହିଥିଲେ ଯେ ସେ ସଫଳ ହୁଅନ୍ତୁ ଏହା ଦେଖିବା ପାଇଁ ତାଙ୍କ ପରିବାର ଅନେକ ତ୍ୟାଗ କରିଛି । ସେ ହରିୟାନାର ନାହାରି ଗ୍ରାମର ଜଣେ ଭାଗଚାଷୀଙ୍କ ପୁଅ । କିନ୍ତୁ ତାଙ୍କ ଗ୍ରାମ ଯାହାକି ତିନି ଜଣ ଅଲିମ୍ପିକ୍ ଖେଳାଳି ସୃଷ୍ଟି କରିଛି, ସେଠାରେ ମୌଳିକ ସୁବିଧାର ଅଭାବ ରହିଛି । ସେ କହିଥିଲେ, ‘‘ଏହା ସବୁକିଛି ଆବଶ୍ୟକ କରେ.. ଭଲ ବିଦ୍ୟାଳୟ ଏଥିସହିତ କ୍ରୀଡ଼ା ପାଇଁ ଭଲ ସୁବିଧା ।’’












