‘‘ଏହି ଆନ୍ଦୋଳନ ମୋତେ ଆଗକୁ ଆସି ନିଜର ହକ୍ ପାଇଁ ଲଢ଼ିବା ଶିଖାଇଲା। ଏହା ଆମକୁ ସମ୍ମାନ ଦେଲା।’’ ରାଜିନ୍ଦର କୌର ଏଠାରେ ‘ଆମ’ ଅର୍ଥାତ୍ ତାଙ୍କ ଭଳି ଅନେକ ମହିଳାମାନଙ୍କ ବିଷୟରେ କହୁଥିଲେ ଯେଉଁମାନେ ସେପ୍ଟେମ୍ବର ୨୦୨୦ରେ ଆସିଥିବା କୃଷି ଆଇନ ବିରୋଧୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ପଞ୍ଜାବ ପଟିଆଲା ଜିଲ୍ଲାର ୪୯ ବର୍ଷ ବୟସ୍କ ଚାଷୀ ରାଜିନ୍ଦର, ଅଧିକାଂଶ ସମୟରେ ଘରଠାରୁ ୨୨୦ କିଲୋମିଟର ଦୂର ସିଂଘୁକୁ ଆସି ଆନ୍ଦୋଳନ ସ୍ଥଳୀରେ ଭାଷଣ ଦେଉଥିଲେ ।
ତାଙ୍କ ଗାଁ ଦୌଁ କାଲାଁରେ ତାଙ୍କର ପଡ଼ୋଶୀ ହରଜିତ କୌର (୫୦) ଦିଲ୍ଲୀ-ହରିୟାଣା ସୀମା ସିଂଘୁ ଠାରେ ୨୦୫ ଦିନ ବିତାଇଥିଲେ। ସେ କୁହନ୍ତି, ‘‘ବାସ୍ତବରେ ମୁଁ କେବେଠାରୁ ଖାଦ୍ୟଶସ୍ୟ ଉତ୍ପାଦନ ଆରମ୍ଭ କଲି ତାହା ମୋର ମନେ ନାହିଁ। ପିଲାଟି ଦିନରୁ ଚାଷ କରି କରି ମୁଁ ବଡ଼ ହୋଇଛି । ‘‘କିନ୍ତୁ ପ୍ରଥମ ଥର ପାଇଁ ମୁଁ ଏଭଳି ଏକ ଆନ୍ଦୋଳନ ଦେଖିଲି ଏବଂ ସେଥିରେ ଅଂଶଗ୍ରହଣ କଲି ।’’ ୩୬ ବର୍ଷ ଧରି ହରଜିତ୍ ଚାଷ କରି ଆସୁଛନ୍ତି। ‘‘ଛୋଟ ଛୋଟ ପିଲା, ବୟସ୍କ ଓ ମହିଳାମାନେ ଆନ୍ଦୋଳନରେ ଭାଗ ନେଉଥିବାର ମୁଁ ଦେଖିଲି।’’
ଦେଶର ରାଜଧାନୀ ଉପକଣ୍ଠରେ ଲକ୍ଷ ଲକ୍ଷ ଚାଷୀ ଏକତ୍ରିତ ହୋଇଥିଲେ, କେନ୍ଦ୍ର ସରକାରଙ୍କ ବିବାଦୀୟ ଆଇନ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ନଭେମ୍ବର ୨୦୨୦ ପରଠାରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ଧରି ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଚାଷୀମାନେ ସେଠାରେ ଆନ୍ଦୋଳନ କରିଥିଲେ। ଚାଷୀ ଆନ୍ଦୋଳନ ଐତିହାସିକ ଥିଲା ଏବଂ ନିକଟ ଅତୀତରେ ଦେଶର ସବୁଠୁ ବଡ଼ ଗଣଆନ୍ଦୋଳନ ମଧ୍ୟରୁ ଅନ୍ୟତମ ଥିଲା।
ପଞ୍ଜାବର ବହୁସଂଖ୍ୟକ ମହିଳା ଏହି ଆନ୍ଦୋଳନର ଆଗ ଧାଡ଼ିରେ ରହି ସକ୍ରିୟ ଭୂମିକା ନେଇଥିଲେ । ସେମାନେ କୁହନ୍ତି, ସେତେବେଳେ ସେମାନଙ୍କୁ ମିଳିଥିବା ସମ୍ମାନ ଏବେ ମଧ୍ୟ ମିଳୁଛି ଏବଂ ଆନ୍ଦୋଳନରେ ସାମିଲ ହୋଇ ସେମାନେ ଯେଉଁ ସାହସ ଓ ସ୍ୱାଧୀନ ଅନୁଭବ ହାସଲ କରିଥିଲେ ତାହା ଏବେ ଅଧିକ ଦୃଢ଼ ହୋଇଛି । ‘‘ଆନ୍ଦୋଳନସ୍ଥଳୀରେ ଥିବା ସମୟରେ ଘର କଥା ମୋର କେବେ ବି ମନେ ପଡ଼ିନଥିଲା। ଏବେ ମୁଁ ଫେରିଆସିଛି, ଆନ୍ଦୋଳନ କଥା ମୋର ମନେ ପଡ଼ୁଛି’’, ମନସା ଜିଲ୍ଲା ନିବାସୀ ୫୮ ବର୍ଷୀୟା କୁଲଦୀପ କୌର କୁହନ୍ତି ।
ପୂର୍ବରୁ, ବୁଧଲାଦା ତହସିଲ ରାଲି ଗ୍ରାମରେ ଥିବା ଘରେ ତାଙ୍କୁ କେବଳ ଘରକରଣା କାମର ଚାପ ପଡ଼ୁଥିଲା (ତାଙ୍କ ମାନସିକତା ଉପରେ ପ୍ରଭାବ ପଡ଼ୁଥିଲା)। ‘‘ଏଠି ମୁଁ ବାଧ୍ୟ ହୋଇ ଗୋଟିଏ ପରେ ଆଉ ଗୋଟିଏ କାମ କରିଥାଏ, କିମ୍ବା ଅତିଥିଙ୍କ ଚର୍ଚ୍ଚା କରିଥାଏ ଯେଉଁମାନଙ୍କ ସହ ମୋତେ ଔପଚାରିକ ବ୍ୟବହାର କରିବାକୁ ପଡ଼େ। ସେଠାରେ ମୁଁ ମୁକ୍ତ ଥିଲି’’, କୁଲଦୀପ କୁହନ୍ତି । ସେ ଆନ୍ଦୋଳନସ୍ଥଳୀର ଗୋଷ୍ଠୀ ଭୋଜନାଳୟରେ ସ୍ଵେଚ୍ଛାକୃତ ଭାବେ ସେବା କରୁଥିଲେ। ସେ କୁହନ୍ତି, ଦରକାର ହୋଇଥିଲେ ସାରା ଜୀବନ ସେଠାରେ ସେ କାମ କରିପାରିଥାନ୍ତେ। ‘‘ମୁଁ ସେଠି ବୟସ୍କ ଲୋକମାନଙ୍କୁ ଦେଖୁଥିଲି ଏବଂ ଭାବୁଥିଲି ଯେ ମୁଁ ମୋ ମାତାପିତାଙ୍କ ପାଇଁ ରୋଷେଇ କରୁଛି।’’












