ନିକଟରେ ନୂତନ ସଂସଦ ଭବନରେ ପରିଲକ୍ଷିତ କାର୍ଯ୍ୟଧାରାକୁ ହୁଏତ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଡକ୍ଟର ବି.ଆର୍. ଆମ୍ବେଦକର, ସନ୍ଦେହ ଦୃଷ୍ଟିରେ ଦେଖିଥାଆନ୍ତେ। ସର୍ବୋପରି, ସେ ଥିଲେ ସେହି ବ୍ୟକ୍ତି, ଯେ କହିଥିଲେ, “ସମ୍ବିଧାନର ଅପବ୍ୟବହାର ଦେଖିଲେ, ପ୍ରଥମେ ମୁଁ ଏହାକୁ ପୋଡ଼ି ଦେବି ।”
୨୦୨୩ରେ ସଂସଦରେ ଗୃହୀତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍, ଯେଉଁଥିରେ ନାଗରିକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେବା ଆଶଙ୍କା ବିଜଡ଼ିତ, ତାହା ଉପରେ ‘ପରୀ’ ଲାଇବ୍ରେରୀର ଏକ ତୀକ୍ଷ୍ଣ ଦୃଷ୍ଟିପାତ ।
ପ୍ରଥମେ ବନ (ସଂରକ୍ଷଣ) ସଂଶୋଧନ ଆଇନ- ୨୦୨୩ କଥା ନିଆଯାଉ । ଭାରତର ସୀମା ନିକଟରେ ଅବସ୍ଥିତ ଜଙ୍ଗଲଗୁଡ଼ିକ ଆଉ ଅଲଂଘ୍ୟ ହୋଇ ରହିନାହିଁ । ଉଦାହରଣ ରୂପରେ, ଅନ୍ୟ କେତେକ ଦେଶର ସୀମାକୁ ଲାଗି ରହିଥିବା ଉତ୍ତର ପୂର୍ବ ଭାରତର କଥା ବିଚାର କରାଯାଉ। ଉତ୍ତର-ପୂର୍ବ ଭାରତର ମୋଟ ନଥିଭୁକ୍ତ ବନାଞ୍ଚଳର ୫୦ ପ୍ରତିଶତ ‘ଅବର୍ଗୀକୃତ ଜଙ୍ଗଲ’ ଏବଂ ଏବେ ଆଇନରେ ସଂଶୋଧନ କରାଯିବା ପରେ, ଏଣିକି ଏହି ଜଙ୍ଗଲ ଅଞ୍ଚଳକୁ ସାମରିକ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ।
ଡିଜିଟାଲ ଗୋପନୀୟତା କ୍ଷେତ୍ରରେ, ପ୍ରଣୀତ ଏକ ନୂତନ ଆଇନ – ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ଆଇନ- ବଳରେ, କୌଣସି ମାମଲାର ତଦନ୍ତ ସମୟରେ, ବିଭିନ୍ନ ତଦନ୍ତକାରୀ ସଂସ୍ଥା ପକ୍ଷରେ ଫୋନ୍ ଓ ଲାପ୍ଟପ୍ ଭଳି ଉପକରଣ ଜବତ କରିବା ସହଜ ହୋଇଯାଇଛି ଏବଂ ଏହା ବ୍ୟକ୍ତିଗତ ଗୋପନୀୟତା ଭଳି ନାଗରିକମାନଙ୍କ ଏକାନ୍ତ ମୌଳିକ ଅଧିକାରକୁ ବିପନ୍ନ କରିବା ସମ୍ଭାବନା ସୃଷ୍ଟି ହୋଇଛି । ସେହିଭଳି ନୂତନ ଦୂରସଞ୍ଚାର ଆଇନରେ, ଦୂରସଞ୍ଚାର ସେବାର ଅଧିକାରପ୍ରାପ୍ତ ଏକ ସଂସ୍ଥା ଯାଞ୍ଚ କରାଯାଇପାରୁଥିବା ଶାରୀରିକ ତଥ୍ୟ ବା ବାୟୋମେଟ୍ରିକ୍ ଭିତ୍ତିକ ଚିହ୍ନଟ ସମ୍ବନ୍ଧୀୟ ତଥ୍ୟାବଳୀର ଉପଯୋଗ କରିପାରିବେ। ଏଭଳି ବାୟୋମେଟ୍ରିକ୍ ବା ଶାରୀରିକ ତଥ୍ୟ ଆହରଣ ଏବଂ ସାଇତି ରଖିବା, ବ୍ୟକ୍ତିଗତ ଗୋପନୀୟତା ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରୁଛି।







