ବେମୁରୀ ସୁଜାତା କହିଲେ, ‘‘ମୁଁ ଦିନକୁ ୧୫୦ ଟଙ୍କା ରୋଜଗାର କରୁଥିଲି, ସପ୍ତାହକୁ ୬ ଦିନ। ଏବେ ମହିଳାଙ୍କ ପାଇଁ କାମ ନାହିଁ।’’ ୩୮ ବର୍ଷୀୟ ବେମୁରୀ ସୁଜାତାଙ୍କ ଘର ଥୁଲୁର ମଣ୍ଡଳର ଉଦଣ୍ଡରାଇନୁପାଲେମ ଗାଁରେ। ଦଳିତ ମାଲା ସଂପ୍ରଦାୟର ସେ ଜଣେ ବିଧବା, ଭୂମିହୀନ। ୨୦୧୫ ଜାନୁଆରୀ ପର୍ଯ୍ୟନ୍ତ ଜଣେ କୃଷି ଶ୍ରମିକ ଭାବେ କାମ କରୁଥିଲେ।
କିନ୍ତୁ ତା ପରେ ଗୁଣ୍ଟୁର ଜିଲ୍ଲାରେ ଆଉ ସହଜରେ କୃଷିକାମ ମିଳିଲାନି। ‘ବିଶ୍ୱ-ସ୍ତରୀୟ’ ରାଜଧାନୀ, ଅମରାବତୀ ନିର୍ମାଣ ପାଇଁ ଆନ୍ଧ୍ର ପ୍ରଦେଶ ସରକାର ଜମି ଅଧିଗ୍ରହଣ ଆରମ୍ଭ କଲା ପରେ ଏମିତି ପରିସ୍ଥିତି ସୃଷ୍ଟି ହେଲା। ୨୦୧୪ରେ ବିଭାଜିତ ହୋଇ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଅଲଗା ହେବା ପରେ ହାଇଦ୍ରାବାଦ ଉଭୟ ରାଜ୍ୟର ରାଜଧାନୀ ହୋଇ ରହିଛି। ଏକ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ଯୁଗ୍ମ ରାଜଧାନୀ ହୋଇ ରହିବ, ଯେ ପର୍ଯ୍ୟନ୍ତ ଅମରାବତୀ ପ୍ରସ୍ତୁତ ହୋଇ ନାହିଁ।
୨୦୦୮ରେ ସୁଜାତାଙ୍କ ସ୍ୱାମୀଙ୍କ ମୃତ୍ୟୁପରେ ସେ ତାଙ୍କ ଦୁଇ ପୁଅଙ୍କୁ ଜମିରେ ମୂଲ କରି ବଡ଼ କରିଛନ୍ତି। ଏବେ ସେମାନେ ମଧ୍ୟ ରୋଜଗାର ପାଇଁ କଠିନ ପରିଶ୍ରମ କରୁଛନ୍ତି। ତାଙ୍କ ବଡ଼ ପୂଅ ବେମୁରୀ ପ୍ରସାଦଙ୍କୁ ଏବେ ୧୯ ବର୍ଷ। ୨୦୧୫ରେ ଦଶମ ପାସ୍ କରିବା ପରେ ତାଙ୍କ ପାଠ ପଢା ବନ୍ଦ ହେଲା। ସେ ଥୁଲୁର ଜିଲ୍ଲା ପରିଷଦ ସ୍କୁଲରେ ପଢୁଥିଲେ। ଏହାର ଗୋଟିଏ ବର୍ଷ ପରେ ତାଙ୍କ ସାନ ଭାଇ ବେମୁରୀ ରାଜା ସେହି ସ୍କୁଲରୁ ପାଠ ଛାଡିଲେ। ତାଙ୍କୁ ଏବେ ୧୭ ବର୍ଷ। ଉଭୟ ଏବେ କୃଷ୍ଣା ନଦୀ କୂଳରେ ଏକ ବାଲି ଖାଦାନରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ତାଙ୍କର ଦୈନିକ ରୋଜଗାର ୨୦୦ ରୁ ୨୫୦ ଟଙ୍କା। କାମ କମ୍ ଥିବାରୁ ସପ୍ତାହରେ ତିନି ଦିନ କାମ ମିଳୁଛି।
ରାଜା କହନ୍ତି, ‘‘ଅଣ୍ଟା ଭାଙ୍ଗିଯିବା ଭଳି ଖଟଣି କାମ। ଆମେ ପ୍ରତିଦିନ ସକାଳ ୬ଟାରେ ଯାଉ ଆଉ ସଂଧ୍ୟା ୬ଟାରେ ଫେରୁ।’’ ଯେହେତୁ ବାଲି ଖାଦାନରେ ମହିଳାଙ୍କ ପାଇଁ କାମ କରିବାର ସୁଯୋଗ ନାହିଁ କି ବିଲବାଡ଼ିରେ କାମ ମିଳୁନି, ସେଥିପାଇଁ ସୁଜାତାଙ୍କ ଭଳି ଅନେକ ମହିଳା ଘରେ ବସିଛନ୍ତି।










