‘‘ଏହି ଆନ୍ଦୋଳନ ମୋତେ ଆଗକୁ ଆସି ନିଜର ହକ୍‌ ପାଇଁ ଲଢ଼ିବା ଶିଖାଇଲା। ଏହା ଆମକୁ ସମ୍ମାନ ଦେଲା।’’ ରାଜିନ୍ଦର କୌର ଏଠାରେ ‘ଆମ’ ଅର୍ଥାତ୍‌ ତାଙ୍କ ଭଳି ଅନେକ ମହିଳାମାନଙ୍କ ବିଷୟରେ କହୁଥିଲେ ଯେଉଁମାନେ ସେପ୍ଟେମ୍ବର ୨୦୨୦ରେ ଆସିଥିବା କୃଷି ଆଇନ ବିରୋଧୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ପଞ୍ଜାବ ପଟିଆଲା ଜିଲ୍ଲାର ୪୯ ବର୍ଷ ବୟସ୍କ ଚାଷୀ ରାଜିନ୍ଦର, ଅଧିକାଂଶ ସମୟରେ ଘରଠାରୁ ୨୨୦ କିଲୋମିଟର ଦୂର ସିଂଘୁକୁ ଆସି ଆନ୍ଦୋଳନ ସ୍ଥଳୀରେ ଭାଷଣ ଦେଉଥିଲେ ।

ତାଙ୍କ ଗାଁ ଦୌଁ କାଲାଁରେ ତାଙ୍କର ପଡ଼ୋଶୀ ହରଜିତ କୌର (୫୦) ଦିଲ୍ଲୀ-ହରିୟାଣା ସୀମା ସିଂଘୁ ଠାରେ ୨୦୫ ଦିନ ବିତାଇଥିଲେ। ସେ କୁହନ୍ତି, ‘‘ବାସ୍ତବରେ ମୁଁ କେବେଠାରୁ ଖାଦ୍ୟଶସ୍ୟ ଉତ୍ପାଦନ ଆରମ୍ଭ କଲି ତାହା ମୋର ମନେ ନାହିଁ। ପିଲାଟି ଦିନରୁ ଚାଷ କରି କରି ମୁଁ ବଡ଼ ହୋଇଛି । ‘‘କିନ୍ତୁ ପ୍ରଥମ ଥର ପାଇଁ ମୁଁ ଏଭଳି ଏକ ଆନ୍ଦୋଳନ ଦେଖିଲି ଏବଂ ସେଥିରେ ଅଂଶଗ୍ରହଣ କଲି ।’’ ୩୬ ବର୍ଷ ଧରି ହରଜିତ୍‌ ଚାଷ କରି ଆସୁଛନ୍ତି। ‘‘ଛୋଟ ଛୋଟ ପିଲା, ବୟସ୍କ ଓ ମହିଳାମାନେ ଆନ୍ଦୋଳନରେ ଭାଗ ନେଉଥିବାର ମୁଁ ଦେଖିଲି।’’

ଦେଶର ରାଜଧାନୀ ଉପକଣ୍ଠରେ ଲକ୍ଷ ଲକ୍ଷ ଚାଷୀ ଏକତ୍ରିତ ହୋଇଥିଲେ, କେନ୍ଦ୍ର ସରକାରଙ୍କ ବିବାଦୀୟ ଆଇନ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ନଭେମ୍ବର ୨୦୨୦ ପରଠାରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ଧରି ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଚାଷୀମାନେ ସେଠାରେ ଆନ୍ଦୋଳନ କରିଥିଲେ। ଚାଷୀ ଆନ୍ଦୋଳନ ଐତିହାସିକ ଥିଲା ଏବଂ ନିକଟ ଅତୀତରେ ଦେଶର ସବୁଠୁ ବଡ଼ ଗଣଆନ୍ଦୋଳନ ମଧ୍ୟରୁ ଅନ୍ୟତମ ଥିଲା।

ପଞ୍ଜାବର ବହୁସଂଖ୍ୟକ ମହିଳା ଏହି ଆନ୍ଦୋଳନର ଆଗ ଧାଡ଼ିରେ ରହି ସକ୍ରିୟ ଭୂମିକା ନେଇଥିଲେ । ସେମାନେ କୁହନ୍ତି, ସେତେବେଳେ ସେମାନଙ୍କୁ ମିଳିଥିବା ସମ୍ମାନ ଏବେ ମଧ୍ୟ ମିଳୁଛି ଏବଂ ଆନ୍ଦୋଳନରେ ସାମିଲ ହୋଇ ସେମାନେ ଯେଉଁ ସାହସ ଓ ସ୍ୱାଧୀନ ଅନୁଭବ ହାସଲ କରିଥିଲେ ତାହା ଏବେ ଅଧିକ ଦୃଢ଼ ହୋଇଛି । ‘‘ଆନ୍ଦୋଳନସ୍ଥଳୀରେ ଥିବା ସମୟରେ ଘର କଥା ମୋର କେବେ ବି ମନେ ପଡ଼ିନଥିଲା। ଏବେ ମୁଁ ଫେରିଆସିଛି, ଆନ୍ଦୋଳନ କଥା ମୋର ମନେ ପଡ଼ୁଛି’’, ମନସା ଜିଲ୍ଲା ନିବାସୀ ୫୮ ବର୍ଷୀୟା କୁଲଦୀପ କୌର କୁହନ୍ତି ।

ପୂର୍ବରୁ, ବୁଧଲାଦା ତହସିଲ ରାଲି ଗ୍ରାମରେ ଥିବା ଘରେ ତାଙ୍କୁ କେବଳ ଘରକରଣା କାମର ଚାପ ପଡ଼ୁଥିଲା (ତାଙ୍କ ମାନସିକତା ଉପରେ ପ୍ରଭାବ ପଡ଼ୁଥିଲା)। ‘‘ଏଠି ମୁଁ ବାଧ୍ୟ ହୋଇ ଗୋଟିଏ ପରେ ଆଉ ଗୋଟିଏ କାମ କରିଥାଏ, କିମ୍ବା ଅତିଥିଙ୍କ ଚର୍ଚ୍ଚା କରିଥାଏ ଯେଉଁମାନଙ୍କ ସହ ମୋତେ ଔପଚାରିକ ବ୍ୟବହାର କରିବାକୁ ପଡ଼େ। ସେଠାରେ ମୁଁ ମୁକ୍ତ ଥିଲି’’, କୁଲଦୀପ କୁହନ୍ତି । ସେ ଆନ୍ଦୋଳନସ୍ଥଳୀର ଗୋଷ୍ଠୀ ଭୋଜନାଳୟରେ ସ୍ଵେଚ୍ଛାକୃତ ଭାବେ ସେବା କରୁଥିଲେ। ସେ କୁହନ୍ତି, ଦରକାର ହୋଇଥିଲେ ସାରା ଜୀବନ ସେଠାରେ ସେ କାମ କରିପାରିଥାନ୍ତେ। ‘‘ମୁଁ ସେଠି ବୟସ୍କ ଲୋକମାନଙ୍କୁ ଦେଖୁଥିଲି ଏବଂ ଭାବୁଥିଲି ଯେ ମୁଁ ମୋ ମାତାପିତାଙ୍କ ପାଇଁ ରୋଷେଇ କରୁଛି।’’

Harjeet Kaur is farming
PHOTO • Amir Malik
Kuldip Kaur mug short
PHOTO • Amir Malik
Rajinder Kaur in her house
PHOTO • Amir Malik

ବାମରୁ : ହରଜିତ କୌର, କୁଲଦୀପ କୌର ଏବଂ ରାଜିନ୍ଦର କୌର, ଯେଉଁମାନେ ୨୦୨୦ରେ ଆଗତ କେନ୍ଦ୍ରର କୃଷି ଆଇନ ବିରୋଧୀ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ

ପ୍ରାରମ୍ଭରେ, ଯେତେବେଳେ ଚାଷୀମାନେ ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ, କୁଲଦୀପ କୌଣସି ଚାଷୀ ସଂଗଠନରେ ଯୋଗ ଦେଇନଥିଲେ। ସଂଯୁକ୍ତ କିସାନ ମୋର୍ଚ୍ଚ (ଏସକେଏମ) ଗଠନ ହେବା ପରେ, ସେ ଏକ ପୋଷ୍ଟର୍‌ ତିଆରି କଲେ । ଏହା ଉପରେ, ସେ ‘କିସାନ ମୋର୍ଚ୍ଚା ଜିନ୍ଦାବାଦ’ ସ୍ଲୋଗାନ୍‌ ଲେଖିଲେ, ଏବଂ ସେହି ପୋଷ୍ଟରକୁ ନେଇ ସିଂଘୁ ସୀମାକୁ ଗଲେ । ଆନ୍ଦୋଳନସ୍ଥଳୀରେ ପୂର୍ବରୁ ଉପସ୍ଥିତ ଥିବା କିଛି ମହିଳା କୁଲଦୀପଙ୍କୁ ସେଠାକୁ ଆସିବା ପାଇଁ ବାରଣ କଲେ, କାରଣ ଶିବିରରେ ଅନେକଗୁଡ଼ିଏ ସମସ୍ୟା ରହିଥିଲା, ମାତ୍ର ସେ ସଂକଳ୍ପ ବଦ୍ଧ ଥିଲେ । ‘‘ମୁଁ ସେମାନଙ୍କୁ କହିଲି ଯେ ମୋତେ ସେଠାକୁ ଯିବାକୁ ହେବ।’’

ସେ ଯେତେବେଳେ ସିଂଘୁଠାରେ ପହଞ୍ଚିଲେ, ମହିଳାମାନେ ବଡ଼ କାଠ ଚୁଲିରେ ରୁଟି ତିଆରି କରୁଥିବା ସେ ଦେଖିଲେ । ‘‘ସେମାନେ ମୋତେ ଦୂରରୁ ଥାଇ ଡାକିଲେ ଏବଂ କହିଲେ, ‘ଏ ଭଉଣୀ! ଆସ ଆମକୁ ରୁଟି ତିଆରି କରିବାରେ ସାହାଯ୍ୟ କର।’’ ଟିକରିଠାରେ ମଧ୍ୟ ସମାନ କଥା ଘଟିଥିଲା, ମନସାରୁ ତାଙ୍କୁ ଏକ ଟ୍ରାକ୍ଟର ଟ୍ରଲି ମିଳିଗଲା ଯେଉଁଥିରେ ବସି ସେ ସେଠାକୁ ଆସିଥିଲେ। ସେଠାରେ ଥକି ଯାଇଥିବା ଜଣେ ମହିଳା ଚୁଲି ପାଖରେ ବସି ତାଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ‘‘ମୁଁ ଏକ ଘଣ୍ଟାରୁ ଅଧିକ ସମୟ ଧରି ରୁଟି ତିଆରି କଲି’’, କୁଲଦୀପ ମନେ ପକାଇ କହିଥାନ୍ତି । ଟିକରିରୁ, ହରିୟାଣା-ରାଜସ୍ଥାନ ସୀମାରେ ଥିବା ଶାହାଜାହାଁପୁର ଶିବିରକୁ ସେ ଯାଇଥିଲେ । ‘‘ସେଠାରେ କାମ କରୁଥିବା ପୁରୁଷମାନେ ମୋତେ ଦେଖିବା କ୍ଷଣି, ସେମାନଙ୍କ ପାଇଁ ମଧ୍ୟ ମୋତେ ରୁଟି ତିଆରି କରିବା ଲାଗି କହିଲେ’’, ସେ କୁହନ୍ତି । କୁଲଦୀପ ହସି ହସି ଆହୁରି କହିଥାନ୍ତି ଯେ, ‘‘ମୁଁ ଯେଉଁ ସ୍ଥାନକୁ ଗଲି, ଲୋକମାନେ ମୋଠାରୁ ସେହି ଗୋଟିଏ ସହାୟତା ଚାହିଁଥିଲେ । ମୁଁ ଭାବେ, ରୁଟି ତିଆରି କରିବା ମୋ କପାଳରେ ଲେଖା ହୋଇଛି କି!’’

ଏପଟେ ଘରେ, କୁଲଦୀପଙ୍କ ବନ୍ଧୁ ଓ ପଡ଼ୋଶୀମାନେ ଚାଷୀ ଆନ୍ଦୋଳନ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରେରଣାଦାୟୀ ବୋଲି ମନେ କରୁଥିଲେ । ସେମାନେ ମଧ୍ୟ ତାଙ୍କ ସହ ତାଙ୍କୁ ଆନ୍ଦୋଳନସ୍ଥଳୀକୁ ଯିବା ପାଇଁ କହୁଥିଲେ। ‘‘ମୁଁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଫଟୋ ସେମାନେ ଦେଖୁଥିଲେ ଏବଂ ମୋତେ କହୁଥିଲେ ଯେ ଆର ଥରକୁ ସେମାନେ ମୋ ସହ ଯିବାକୁ ଚାହୁଁଛନ୍ତି ।’’ ଜଣେ ବନ୍ଧୁ କହିଥିଲେ ଯେ ଯଦି ସେ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିବେ ନାହିଁ ତା’ହେଲେ ତାଙ୍କର ନାତିନାତୁଣୀମାନେ କ’ଣ ଭାବିବେ ବୋଲି ତାଙ୍କ ମନରେ ଆଶଙ୍କା ରହିଛି !

କୁଲଦୀପ ପୂର୍ବରୁ କେବେ ବି ଟିଭି ସିରିଏଲ କିମ୍ବା ଫିଲ୍ମ ଦେଖିନଥିଲେ, ଆନ୍ଦୋଳନସ୍ଥଳୀରୁ ଘରକୁ ଫେରିବା ପରେ ସେ ଖବର ଜାଣିବା ପାଇଁ ସବୁବେଳେ ଟିଭି ସମାଚାର ଦେଖୁଥିଲେ। ସେ କୁହନ୍ତି, ‘‘ମୁଁ ସେଠାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲି କିମ୍ବା ଏ ସମ୍ପର୍କରେ ଟିଭିରେ ସମାଚାର ଦେଖୁଥିଲି।’’ ପରିସ୍ଥିତିକୁ ନେଇ ଲାଗି ରହିଥିବା ଅସ୍ଥିରତା ତାଙ୍କୁ ନିରାଶ କରିଥିଲା। ମାନସିକ ଅବସାଦ ଦୂର କରିବା ଲାଗି ସେ ଔଷଧ ସେବନ କରୁଥିଲେ। ସେ କୁହନ୍ତି, ‘‘ମୋର ମୁଣ୍ଡ ବୁଲାଉଥିଲା। ଡାକ୍ତର ମୋତେ ଟିଭି ସମାଚାର ଦେଖିବା ବନ୍ଦ କରିବାକୁ କହିଥିଲେ।’’

ଚାଷୀ ଆନ୍ଦୋଳନରେ ଅଂଶଗ୍ରହଣ କରିବା ଯୋଗୁଁ, କୁଲଦୀପ ନିଜ ଭିତରେ ଏକ ଅଦ୍ଭୂତ ସାହସ ଅନୁଭବ କରିଥିଲେ, ପୂର୍ବରୁ ଏପରି ବିଶ୍ୱାସ ତାଙ୍କ ଭିତରେ କେବେବି ସୃଷ୍ଟି ହୋଇନଥିଲା। ଶହ ଶହ କିଲୋମିଟର ଦୂର ଯାତ୍ରା କରି, ଏକାଧିକ ଥର କାର୍‌ କିମ୍ବା ଟ୍ରାକ୍ଟରରେ ଦିଲ୍ଲୀ ଯିବା ଫଳରେ ତାଙ୍କ ମନରେ ଥିବା ଭୟ ଦୂର ହୋଇଥିଲା। ସେ କୁହନ୍ତି, ‘‘ଦୁର୍ଘଟଣାରେ ବହୁସଂଖ୍ୟକ ଚାଷୀ ପ୍ରାଣ ହରାଉଥିଲେ। ମୋ ମନରେ ମଧ୍ୟ ନିଜ ଜୀବନ ଚାଲିଯିବାକୁ ନେଇ ଭୟ ରହିଥିଲା। ଏପରି ହେଲେ ମୁଁ ଆମ ବିଜୟ ଦେଖିପାରିବାକୁ ସକ୍ଷମ ହେବି ନାହିଁ ବୋଲି ଆଶାଙ୍କା କରୁଥିଲି।’’

Kuldip at the protest site in Shahjahanpur
PHOTO • Courtesy: Kuldip Kaur
Kuldip in a protest near home
PHOTO • Courtesy: Kuldip Kaur
Kuldip making rotis during protest march
PHOTO • Courtesy: Kuldip Kaur

ବାମ ଏବଂ ମଝି : ଶାହାଜାହନପୁର ଆନ୍ଦୋଳନସ୍ଥଳୀରେ କୁଲଦୀପ ; ଘର ପାଖରେ ଥିବା ଏକ ଆନ୍ଦୋଳନସ୍ଥଳୀରେ ( ମଝି ), ଯେଉଁଠି ଆଗରେ ଥିବା ଏକ ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ରହିଛି ଯିଏକି ସକାଳୁ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଡାହାଣ : କୁଲଦୀପ ( କ୍ୟାମେରା ସାମ୍ନାରେ ବସି ରହିଛନ୍ତି ) ଶାହଜାହାନପୁର ଗୋଷ୍ଠୀ ଭୋଜନାଳୟରେ ରୁଟି ତିଆରି କରୁଛନ୍ତି

ଘରକୁ ଫେରିବା ପରେ, କୁଲଦୀପ ନିଜ ଗୃହନଗରରେ ମଧ୍ୟ ଆନ୍ଦୋଳନରେ ଯୋଗ ଦେଉଥିଲେ। ଗୋଟିଏ ଜନସଭା କଥା ତାଙ୍କର ମନେ ଅଛି, ଯେଉଁଥିରେ ଜଣେ କିଶୋର ଭାଗ ନେଇଥିଲା। ସେ ନିୟମିତ ଭାବେ ଆନ୍ଦୋଳନରେ ସାମିଲ ହେଉଥିଲା। ସେଦିନର ଜନସଭାରେ ସେ ତାଙ୍କ ପାଖରେ ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଗାଡ଼ି ତା’କୁ ଧକ୍କା ଦେଲା। ଦୁର୍ଘଟଣାରେ ସେହି କିଶୋର ସହିତ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଥିଲେ । ଦୁର୍ଘଟଣାରେ ଆଉ ଜଣେ ବ୍ୟକ୍ତି ସାରା ଜୀବନ ଅକ୍ଷମ ହୋଇଯାଇଥିଲେ। ‘‘ମୁଁ ଓ ମୋର ସ୍ୱାମୀ ଅଳ୍ପକେ ଏହି ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲୁ। ସେହି ଦିନଠାରୁ, ଦୁର୍ଘଟଣାରେ ପ୍ରାଣ ହରାଇବାର ଭୟ ମୋ ମନରୁ ଦୂର ହୋଇଯାଇଥିଲା । ଯେଉଁଦିନ କୃଷି ଆଇନ ଉଚ୍ଛେଦ ହେଲା, ମୋର ସେହି ପିଲାଟିର କଥା ମନେ ପଡ଼ିଥିଲା, ଯିଏ ସେଦିନ ମୋ ପାଖରେ ଛିଡ଼ା ହୋଇଥିଲା। ତା’ କଥା ଭାବି ମୁଁ ବହୁତ କାନ୍ଦିଥିଲି’’, କୁଲଦୀପ କୁହନ୍ତି । ଆନ୍ଦୋଳନରେ ପ୍ରାଣବଳି ଦେଇଥିବା ୭୦୦ରୁ ଅଧିକ ଚାଷୀଙ୍କ ପାଇଁ ମଧ୍ୟ ସେ ଦୁଃଖ ପ୍ରକଟ କରିଥାନ୍ତି ।

ଚାଷୀ ଆନ୍ଦୋଳନରେ ପଞ୍ଜାବର ମହିଳାମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ଏହି ଆନ୍ଦୋଳନରେ ସେମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ ଥିଲା। ଫଳରେ କେନ୍ଦ୍ର ସରକାର ବିବାଦୀୟ ଆଇନଗୁଡ଼ିକୁ ଉଚ୍ଛେଦ କରିବାକୁ ବାଧ୍ୟ ହୋଇଥିଲେ। ଏହା ସତ୍ତ୍ୱେ ରାଜନୈତିକ ନିଷ୍ପତ୍ତି ପ୍ରକ୍ରିୟାରେ ସେମାନଙ୍କୁ ଅଣଦେଖା କରାଯାଉଥିବା ପଞ୍ଜାବର ମହିଳାମାନେ ଅନୁଭବ କରିଥାନ୍ତି । ଫେବୃଆରୀ ୨୦, ୨୦୨୨ରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଖୁବ୍‌ ଅଳ୍ପସଂଖ୍ୟକ ମହିଳାମାନଙ୍କୁ ପ୍ରାର୍ଥୀ ହେବାର ସୁଯୋଗ ଦେବା ଏହାର ଏକ ପ୍ରମାଣ।

ପଞ୍ଜାବର ମୋଟ ୨ କୋଟି ୧୪ ଲକ୍ଷ ମତଦାତା ମାନଙ୍କ ମଧ୍ୟରୁ ପ୍ରାୟ ଅଧା ଭୋଟର୍‌ ମହିଳା। ତଥାପି ରାଜ୍ୟର ୧୧୭ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧,୩୦୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୭.୧୩ ପ୍ରତିଶତ ଅର୍ଥାତ୍‌ ୯୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ପଞ୍ଜାବର ସର୍ବପୁରାତନ ଦଳ, ଶିରୋମଣି ଅକାଳି ଦଳ ମାତ୍ର ୫ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଭାରତୀୟ ଜାତୀୟ କଂଗ୍ରେସ ମାତ୍ର ୧୧ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଥିଲା। ଦଳ ଉତ୍ତର ପ୍ରଦେଶରେ ‘ ଲଡ଼କୀ ହୁଁ , ଲଢ଼ ସକ୍‌ତି ହୁଁ (ମୁଁ ଜଣେ ଝିଅ; ମୁଁ ଲଢ଼ିପାରିବି) ନାରା ଦେଇଥିଲା, ମାତ୍ର ପଞ୍ଜାବରେ ଏହା ଦିବାସ୍ଵପ୍ନ ପାଲଟିଥିଲା। ଆମ୍‌ ଆଦ୍‌ମୀ ପାର୍ଟି କଂଗ୍ରେସଠାରୁ ଗୋଟିଏ ପାଦ ଆଗରେ ରହି ମାତ୍ର ୧୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଅଂଶୀଦାର ଦଳ ଭାରତୀୟ ଜନତା ପାର୍ଟି, ଶିରୋମଣି ଅକାଳି ଦଳ (ସଂଯୁକ୍ତ) ଏବଂ ନୂତନ ଭାବେ ଗଠନ ହୋଇଥିବା ପଞ୍ଜାବ ଲୋକ କଂଗ୍ରେସ ମିଶି ୯ ଜଣ ମହିଳାଙ୍କୁ ଟିକେଟ ଦେଇଥିଲେ (ଏମାନଙ୍କ ମଧ୍ୟରେ ବିଜେପିର ୬ ଜଣ ଥିଲେ)।

*****

ଯେଉଁଦିନ ମୁଁ ରାଜିନ୍ଦର କୌରଙ୍କୁ ଭେଟିଥିଲି ତାହା ଏକ ଥଣ୍ଡା ଏବଂ ଆର୍ଦ୍ରତାପୂର୍ଣ୍ଣ ଶୀତ ଦିନ ଥିଲା। ସେ ଏକ ଚୌକିରେ ବସିଥିଲେ; ତାଙ୍କ ପଛପଟେ କାନ୍ଥରେ ଲାଗିଥିବା ବଲ୍‌ବ୍‌ରୁ ଅତି କ୍ଷୀଣ ଆଲୋକ ଆସୁଥିଲା, କିନ୍ତୁ ତାଙ୍କର ଉତ୍ସାହ ବେଶ୍‌ ଦୃଢ଼ ଥିଲା। ମୁଁ ମୋ ଡାଏରୀ ଖୋଲିଲି, ଏବଂ ସେ ତାଙ୍କର ହୃଦୟ ଖୋଲି ଦେଇଥିଲେ। ତାଙ୍କ ଆଖିରେ ଏକ ଅଦ୍ଭୂତ ଅଗ୍ନି ସ୍ଫୁଲିଙ୍ଗ ଥିଲା। ତାଙ୍କ ସ୍ଵରରେ ମହିଳାଙ୍କ ନେତୃତ୍ୱରେ ଏକ ଆନ୍ଦୋଳନ ଲଢ଼ିବାର ଆଶା ପ୍ରତିଫଳିତ ହୋଇଥିଲା। ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଥିଲା। ତାଙ୍କୁ ବିଶ୍ରାମ ଦରକାର ଥିଲା, କିନ୍ତୁ ରାଜିନ୍ଦର କହିଥିଲେ ଯେ ଚାଷୀ ଆନ୍ଦୋଳନ ତାଙ୍କ ଭିତରେ ଏକ ଅଦ୍ଭୂତ ଉତ୍ସାହ ଜାଗ୍ରତ କରିଛି। ସେ ସର୍ବସାଧାରଣରେ ନିଜର କଥା ରଖିପାରୁଛନ୍ତି ଏବଂ ନିଜ ପାଇଁ ସ୍ଵର ଉତ୍ତୋଳନ କରିପାରୁଛନ୍ତି ।

Rajinder in her farm
PHOTO • Amir Malik
Harjeet walking through the village fields
PHOTO • Amir Malik

ବାମ : ଦୌଁ କାଲାଁରେ ଥିବା ନିଜ ଘର ପାଖ ବଗିଚାରେ ରାଜିନ୍ଦର ଡାହାଣ : ହରଜିତ ଗାଁ କ୍ଷେତରେ ବୁଲୁଛନ୍ତି ତିନୋଟି ଆଇନ ଆମକୁ ଏକାଠି କରିଛି ,’ ସେ କୁହନ୍ତି

ରାଜିନ୍ଦର କହିଥିଲେ, ‘‘କାହାକୁ ଭୋଟ୍‌ ଦେବାକୁ ହେବ ଏବେ ମୁଁ ହିଁ ନିଷ୍ପତ୍ତି ନେବି’’ । ପୂର୍ବରୁ, ଏ ଦଳକୁ ଭୋଟ୍‌ ଦିଅ, ସେ ଦଳକୁ ଭୋଟ୍‌ ଦିଅ ବୋଲି ମୋ ସ୍ଵାମୀ ଓ ଶ୍ୱଶୁର ମୋତେ କହୁଥିଲେ। କିନ୍ତୁ ଏବେ ମୋତେ କହିବାକୁ କାହାର ସାହସ ନାହିଁ ।’’ ରାଜିନ୍ଦରଙ୍କ ବାପା ଶିରୋମଣି ଅକାଳି ଦଳର ସମର୍ଥକ ଥିଲେ, କିନ୍ତୁ ବାହା ହୋଇ ସେ ଦୌଁ କାଲାଁ ଗାଁକୁ ଆସିବା ପରେ ଶ୍ୱଶୁର ତାଙ୍କୁ କଂଗ୍ରେସ ଦଳକୁ ଭୋଟ୍‌ ଦେବା ଲାଗି କହିଥିଲେ। ‘‘ମୁଁ ହାତ ଚିହ୍ନରେ (ଦଳର ସଙ୍କେତ) ଭୋଟ ଦେଇଥିଲି, କିନ୍ତୁ କେହି ଜଣେ ମୋ ଛାତିରେ ଗୁଳି କରିବା ଭଳି ମନେ ହେଲା’’, ସେ କହିଥିଲେ। ଏବେ ତାଙ୍କ ସ୍ଵାମୀ ଯେତେବେଳେ ତାଙ୍କୁ କାହାକୁ ଭୋଟ୍‌ ଦେବାକୁ ହେବ କହିବାକୁ ଚେଷ୍ଟା କରନ୍ତି, ରାଜିନ୍ଦର ତାଙ୍କୁ ଚୁପ ରହିବାକୁ କୁହନ୍ତି । ‘‘ତୁମେ ଚୁପ୍‌ କର।’’

ସିଂଘୁରେ ଘଟିଥିବା ଏକ ମଜାଦାର ଘଟଣା ତାଙ୍କର ମନେ ପଡ଼ିଥାଏ। ମଞ୍ଚରେ ସେ ଭାଷଣ ଦେଇସାରିବା ପରେ ଏହି ଘଟଣା ଘଟିଥିଲା। ‘‘ମୁଁ ମୋ ଆଣ୍ଠୁକୁ ବିଶ୍ରାମ ଦେବା ଲାଗି ନିକଟସ୍ଥ ଏକ ଟେଣ୍ଟକୁ ଯାଇଥିଲି, ସେଠାରେ ରୋଷେଇ କରୁଥିବା ଜଣେ ବ୍ୟକ୍ତି ମୋତେ ପଚାରିଲେ, ‘କିଛି ସମୟ ପୂର୍ବରୁ ଭାଷଣ ଦେଉଥିବା ଜଣେ ମହିଳାଙ୍କୁ ଆପଣ ଶୁଣିଲେ କି?’ ଟେଣ୍ଟକୁ ଆସିଥିବା ଆଉ ଜଣେ ବ୍ୟକ୍ତି ମୋତେ ଚିହ୍ନି ପାରିଥିଲେ ଏବଂ କହିଲେ, ‘ଆରେ, ସେ ହିଁ ତ’ ଏବେ ଭାଷଣ ଦେଲେ’। ସେମାନେ ମୋ ବିଷୟରେ ହିଁ କହୁଥିଲେ!’’ ସେ କହିଥାନ୍ତି, ତାଙ୍କର ସେହି ଗର୍ବ ଓ ଆନନ୍ଦ ଏବେବି ଅମଳିନ ରହିଛି ।

ପାଖରେ ଛିଡ଼ା ହୋଇଥିବା ହରଜିତ କୁହନ୍ତି, ‘‘‘‘ତିନୋଟି ଆଇନ ଆମକୁ ଏକତ୍ରିତ କରିଥିଲା’’। କିନ୍ତୁ ଆନ୍ଦୋଳନର ପରିଣାମକୁ ନେଇ ସେ ନିରାଶା ପ୍ରକଟ କରିଥାନ୍ତି। ସେ କୁହନ୍ତି, ‘‘ଯଦିଓ ଏହି ଆନ୍ଦୋଳନ ପାଇଁ କୃଷି ଆଇନ ଉଚ୍ଛେଦ ହେଲା, ତଥାପି, ଆମ ସମସ୍ୟା ଅସମାହିତ ହୋଇ ରହିଲା। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଦାବି ପୂରଣ ବିନା ଏସକେଏମ ଆନ୍ଦୋଳନ ପ୍ରତ୍ୟାହାର କରିନେଲା। ଆହୁରି, ଲକ୍ଷ୍ମୀପୁର କ୍ଷେରୀରେ ପ୍ରାଣ ହରାଇଥିବା ଚାଷୀଙ୍କୁ ନ୍ୟାୟ ସୁନିଶ୍ଚିତ କରାଯିବାର ଥିଲା।’’

କୁଲଦୀପ ନିରାଶ ହୋଇ କୁହନ୍ତି, ‘‘ଆନ୍ଦୋଳନ ସମୟରେ ଏକତ୍ରିତ ହୋଇଥିବା ହୋଇଥିବା ଚାଷୀ ସଂଗଠନମାନେ ଏବେ ଭାଗ ଭାଗ ହୋଇଯାଇଛନ୍ତି ।’’

୨୦୨୨ ବିଧାନସଭା ନିର୍ବାଚନରେ, ଏହି ରିପୋର୍ଟର କଥା ହୋଇଥିବା ପଞ୍ଜାବର ଅଧିକାଂଶ ଲୋକ କୌଣସି ଦଳକୁ ସମର୍ଥନ କରିନଥିଲେ – ଏପରି ସଂଯୁକ୍ତ କିସାନ ମୋର୍ଚ୍ଚାର ଅଂଶବିଶେଷ ତଥା କିଛି ଚାଷୀ ସଂଗଠନଙ୍କ ଦ୍ୱାରା ଡିସେମ୍ବର ୨୦୨୧ରେ ଗଠନ କରାଯାଇଥିବା ସଂଯୁକ୍ତ ସମାଜ ମୋର୍ଚ୍ଚା (ଏସଏସଏମ)କୁ ମଧ୍ୟ ସମର୍ଥନ କରିନଥିଲେ। (ଦଳର ପ୍ରାର୍ଥୀମାନେ ସ୍ୱାଧୀନ ଭାବେ ଲଢ଼ିଥିଲେ-ଏମାନଙ୍କ ମଧ୍ୟରେ ଚାରି ଜଣ ମହିଳା ଥିଲେ)। ଯେମିତି ନିର୍ବାଚନ ପାଣିପାଗ ସରଗରମ ହେଲା, ମାତ୍ର କିଛି ମାସ ତଳେ ସରିଥିବା ଆନ୍ଦୋଳନରେ ସହିଦ ହୋଇଥିବା ଲୋକମାନଙ୍କ ପାଇଁ କୌଣସି ଦଳର ନେତା କିମ୍ବା କର୍ମୀ ମୁହଁ ଖୋଲି ନଥିଲେ।

Jeevan Jyot, from Benra, Sangrur, says political parties showed no concern for the villages.
PHOTO • Amir Malik
Three-year-old Gurpyar and her father, Satpal Singh
PHOTO • Amir Malik

ବାମ : ସଙ୍ଗରୁର ବେନରାର ଜୀବନ ଜ୍ୟୋତ କୁହନ୍ତି , ରାଜନୈତିକ ଦଳମାନେ ଗାଁ କଥା ଚିନ୍ତା କରନ୍ତି ନାହିଁ ଡାହାଣ ତିନି ବର୍ଷ ବୟସ୍କା ଗୁରପ୍ୟାର ଏବଂ ତାଙ୍କ ବାପା , ସତପାଲ ସିଂ

ସଙ୍ଗରୁର ଜିଲ୍ଲାର ବେନରା ଗ୍ରାମର ଜଣେ ଯୁବତୀ ଜୀବନ ଜ୍ୟୋତ କୁହନ୍ତି, ‘‘ଏସଏସଏମ ଏବଂ ଏପରିକି ଆମ୍‌ ଆଦମୀ ପାର୍ଟି ମଧ୍ୟ ସେମାନଙ୍କ ଗାଁର ସମସ୍ୟା ସମାଧାନ ପାଇଁ କେବେ କୌଣସି ଆଗ୍ରହ ପ୍ରକାଶ କରିନାହିଁ।’’ ନିରାଶ ହୋଇ ସେ କୁହନ୍ତି, ‘‘କିଏ ବଞ୍ଚିଛି ଓ କାହାର ମୃତ୍ୟୁ ଘଟିଛି ତାହା ରାଜନୈତିକ ଦଳର ନେତାମାନେ ଜାଣନ୍ତି ନାହିଁ’’।

୨୩ ବର୍ଷ ବୟସ୍କା ଜୀବନ ଜ୍ୟୋତ ଜଣେ ସ୍କୁଲ ଶିକ୍ଷୟିତ୍ରୀ, ଏବେ ସେ ନିଜ ଘରେ ପିଲାମାନଙ୍କୁ ଟ୍ୟୁସନ ପଢ଼ାଉଛନ୍ତି। ତାଙ୍କର ପଡ଼ୋଶୀ ପୂଜା ସନ୍ତାନ ପ୍ରସବ କରିବା ସମୟରେ ପ୍ରାଣ ହରାଇବା ପରେ ରାଜନୈତିକ ଦଳଗୁଡ଼ିକ ପ୍ରତି ତାଙ୍କ ମନରେ ଥିବା ଘୃଣା ବୃଦ୍ଧି ପାଇଥିଲା। ସେ କୁହନ୍ତି, ‘‘କୌଣସି ରାଜନୈତିକ ଦଳର ନେତା ଏବଂ ଏପରିକି ଗାଁ ସରପଞ୍ଚ ମଧ୍ୟ ପରିବାରକୁ ସୌଜନ୍ୟମୂଳକ ସାକ୍ଷାତ ସୁଦ୍ଧା କରିନଥିଲେ ଯାହାକି ମୋତେ ଭାରି ବାଧିଥିଲା’’। ଜୀବନ ଜ୍ୟୋତ ହିଁ ସେହି ନବଜାତ ଓ ତାଙ୍କର ତିନି ବର୍ଷୀୟା ଝିଅ ଗୁରପ୍ୟାର ହିଁ ସହାୟତା କରିବାକୁ ଆଗେଇ ଆସିଥିଲେ କାରଣ ସେମାନେ ତାଙ୍କ ବାପା ୩୨ ବର୍ଷୀୟ ସତପାଲ ସିଂଙ୍କ ଯତ୍ନରେ ରହୁଥିଲେ, ଯିଏକି ଜଣେ ଦିନ ମଜୁରିଆ ଥିଲେ ।

ମୁଁ ବନରା ଗାଁରେ ଯେତେବେଳେ ଜୀବନ ଜ୍ୟୋତଙ୍କୁ ଭେଟିଲି, ଗୁରୁପ୍ୟାର ତାଙ୍କ ପାଖରେ ବସିଥିଲା। ଜୀବନ କହିଥିଲେ, ‘‘ମୁଁ ଏବେ ତା’ର ମା’ ପାଲଟିଛି ବୋଲି ମୋର ଅନୁଭବ ହେଉଛି । ମୁଁ ତା’କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁଛି । ମୁଁ ନିଜେ ପିଲା ଜନ୍ମ କରିବାକୁ ଅକ୍ଷମ ବୋଲି ଏହା କରୁଛି, ଏହି ଗୁଜବକୁ ମୁଁ ଡରେ ନାହିଁ।’’

ଚାଷୀ ଆନ୍ଦୋଳନରେ ମହିଳାମାନଙ୍କର ସମ୍ପୃକ୍ତି ଜୀବନ ଜ୍ୟୋତଙ୍କ ଭଳି ସ୍ୱଳ୍ପବୟସ୍କା ମହିଳାମାନଙ୍କୁ ଅନେକ ଆଶା ଦେଇଛି । ସେ କୁହନ୍ତି, ପୁରୁଷପ୍ରଧାନ ଦୁନିଆ ମହିଳାମାନଙ୍କୁ ଭିନ୍ନ ଭିନ୍ନ ଲଢ଼େଇରେ ଛିଡ଼ା କରିଥାଏ ଏବଂ କୃଷି ଆଇନ ବିରୋଧୀ ଆନ୍ଦୋଳନ ସେମାନଙ୍କ ଭିତରେ ରହିଥିବା ‘‘ସେମାନଙ୍କର ସଂଘର୍ଷ ଭାବନା’’କୁ ଅଧିକ ଆଗେଇ ନେଇଥିଲା।

ଆନ୍ଦୋଳନ ପାଇଁ ଏକତ୍ରିତ ହୋଇଥିବା ମହିଳାମାନଙ୍କୁ ଏବେ ଅଣଦେଖା କରାଯାଉଥିବାରୁ ସେମାନେ ଏହାର ଦୃଢ଼ ପ୍ରତିବାଦ କରିଥାନ୍ତି। ହରଜିତ୍‌ କୁହନ୍ତି, ‘‘ଯୁଗ ଯୁଗ ଧରି ମହିଳାମାନଙ୍କୁ କେବଳ ଘର କୋଣରେ ପଡ଼ି ରହିବାକୁ ଛାଡ଼ି ଦିଆଯାଇଛି।’’ ଜନ ଭାଗିଦାରୀଠାରୁ ବାହାରେ ରହିବା ଏବଂ ପଛରେ ପଡ଼ିଯିବାର ଆଶଙ୍କାରେ ଥିବା ମହିଳାମାନଙ୍କ ଡର ହେଉଛି, ସେମାନେ ଯେଉଁ ସମ୍ମାନ ଅର୍ଜ୍ଜନ କରିଥିଲେ ତାହା କେବଳ ଇତିହାସର ପଦଚିହ୍ନ ହୋଇ ରହିଯିବ।

ଏ ଖବର ପ୍ରସ୍ତୁତ କରିବାରେ ସହାୟତା ଲାଗି ମୁଶାରଫ ଏବଂ ପର୍ଗତଙ୍କୁ ଲେଖକ ଧନ୍ୟବାଦ ଜଣାଇଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Amir Malik

आमिर मलिक एक स्वतंत्र पत्रकार हैं, और साल 2022 के पारी फेलो हैं.

की अन्य स्टोरी Amir Malik
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE