ଲେନିନଦାସନ ୩୦ ପ୍ରକାରର ଚାଉଳ ଚାଷ କରନ୍ତି । ସାଥୀ ଚାଷୀମାନଙ୍କ ଦ୍ୱାରା ଅମଳ କରାଯାଇଥିବା ଅନ୍ୟ ୧୫ କିସମର ଚାଉଳ ସେ ବିକ୍ରି କରନ୍ତି । ଏବଂ ସେ ସଂରକ୍ଷଣ କରନ୍ତି ୮୦ ପ୍ରକାରର ଧାନ ବିହନ । ତାମିଲନାଡୁର ତିରୁବନମଲାଇ ଜିଲ୍ଲାରେ ଥିବା ତାଙ୍କ ପରିବାରର ଛଅ ଏକର ଚାଷ ଜମିରେ ସେ ଏ ସବୁ କରନ୍ତି ।

କେବଳ ଏ ସବୁ ସଂଖ୍ୟା ଯେ ଅସାଧାରଣ, ତାହା ନୁହେଁ । ବରଂ ଏ ଅଞ୍ଚଳର କ୍ଷୁଦ୍ର ଏବଂ ନାମମାତ୍ର ଚାଷଜମି ଲାଗି, ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ଥିବା ଏହି ସବୁ ପାରମ୍ପରିକ କିସମର ଚାଉଳ ଅଧିକ ଉପଯୁକ୍ତ । ଲେନିନ ନାଁରେ ପରିଚିତ ଏହି ଚାଷୀ ଏବଂ ତାଙ୍କ ସାଥୀମାନେ ଆଧୁନିକ କିସମର ଧାନ ବଦଳରେ ପାରମ୍ପରିକ କିସମର ଧାନ ଚାଷ କରିବା ସହିତ ବର୍ଷ ସାରା ମାତ୍ର ଗୋଟିଏ କିସମର ଚାଷ ଧାରାର ପ୍ରତିରୋଧ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି । ସେମାନଙ୍କର ଲକ୍ଷ୍ୟ, ଚାଷବାସରେ ହଜି ହଜି ଯାଉଥିବା ବିବିଧତାକୁ ଫେରାଇ ଆଣିବା । ଏବଂ ଧାନଚାଷ କ୍ଷେତ୍ରରେ ଏକ ନୂତନ ବିପ୍ଳବର ଅଙ୍କୁରୋଦ୍‌ଗମ କରାଇବା ।

ଏହା ଏକ ଭିନ୍ନ ଧରଣର ବିପ୍ଳବ, ଯାହାର ନେତୃତ୍ୱ ନେଉଛନ୍ତି ଅନ୍ୟ ଜଣେ ଲେନିନ ।

ପୋଲୁର ତାଲୁକା ଅନ୍ତର୍ଗତ ସେନଗୁନାମ ଗାଁରେ, ତାଙ୍କ ଚାଷଜମିକୁ ଲାଗି ରହିଥିବା ଯେଉଁ ଗୋଦାମରେ ସେ ତାଙ୍କର ଶହ ଶହ ବସ୍ତା ଧାନ ରଖନ୍ତି, ତାହା ପ୍ରକୃତରେ ଏକ ଛେଳି ଗୁହାଳର ଉନ୍ନତ ରୂପ ।

ବାହାରୁ ଦେଖିଲେ ସେହି ଛୋଟ ଘରଟିର କିଛି ବୈଶିଷ୍ଟ୍ୟ ଥିଲା ଭଳି ଲାଗେନି । ହେଲେ ଯେମିତି ଆମେ ଭିତରେ ପଶିଲୁ, ଆମର ଏ ଧାରଣା ତୁରନ୍ତ ବଦଳି ଯାଏ । “ଏଇଟା କାରୁପ୍ପୁ କାବୁନି , ସେଇଟା ସୀରଗା ସାମ୍ବା ”, ଗୋଟିଏ ଡାମ୍ଫଣରେ ବସ୍ତା କଣା କରି ଚାଉଳ ବାହାର କରିବା ସହିତ ଲେନିନ କହନ୍ତି । ହାତ ପାପୁଲିରେ ସେ ଏହି ଦୁଇଟି ପାରମ୍ପରିକ କିସମର ଚାଉଳ ରଖନ୍ତି । ପ୍ରଥମଟି କିଛିଟା କଳା ଏବଂ ଚକଚକିଆ, ଦ୍ୱିତୀୟଟି ସରୁ ଏବଂ ବାସ୍ନାଯୁକ୍ତ । ଗୋଟିଏ କୋଣରୁ ସେ ଲୁହାରେ ତିଆରି ପୁରୁଣା ମାପ ପାତ୍ର ବାହାର କରି ଆଣନ୍ତି: ଯାହାକୁ କୁହାଯାଏ ପଡ଼ି, ମାରାକ୍କା , ଏବଂ ଏଥିରେ ଭିନ୍ନ ଭିନ୍ନ ପରିମାଣର ଧାନ ଧରେ ।

ସେତେଟା ପାଟିତୁଣ୍ଡ ନାହିଁ କି ଭୁଲଭଟକାର ପ୍ରଶ୍ନ ଉଠୁନାହିଁ - ଏହି ଘର ଭିତରେ ହିଁ ଲେନିନ ଚାଉଳ ଓଜନ କରି ବସ୍ତାରେ ପୂରାନ୍ତି ଏବଂ ସେଗୁଡ଼ିକୁ ଦକ୍ଷିଣରେ ସୁଦୂର ବେଙ୍ଗାଳୁରୁ ଏବଂ ଉତ୍ତରରେ ନାଗରକୋଏଲ ପର୍ଯ୍ୟନ୍ତ ପଠାନ୍ତି । ତାଙ୍କ କାମ ଦେଖିଲେ ଲାଗେ ଯେମିତି କି ସେ କାହିଁ କେତେ ବର୍ଷ ହେଲା ଧାନ ଚାଷ କରି ବିକ୍ରି କରି ଆସୁଛନ୍ତି । କିନ୍ତୁ ପ୍ରକୃତରେ ସେ ମାତ୍ର ଛଅ ବର୍ଷ ହେଲା ଏହା କରିଆସୁଛନ୍ତି ।Bottom of Form

PHOTO • M. Palani Kumar
PHOTO • M. Palani Kumar

ବାମ: ଲେନିନଙ୍କ ଧାନକ୍ଷେତ । ଡାହାଣ: ଆମକୁ ସଦ୍ୟ ଅଲଗା କରାଯାଇଥିବା ଧାନ ବିହନ ଦେଖାନ୍ତି

PHOTO • M. Palani Kumar
PHOTO • M. Palani Kumar

ବାମ: ତାଙ୍କ ଗୋଦାମ ଭିତରେ କାର୍ଯ୍ୟରତ ଲେନିନ । ଡାହାଣ: କାରୁପ୍ପୁ କାବୁନି, ଏକ ପାରମ୍ପରିକ ଦେଶୀ ଚାଉଳ

“ଧାନ କେବେ ବି ଆମ ଦୁନିଆରେ ନଥିଲା,” ଅଳ୍ପ ହସି କହନ୍ତି ୩୪ ବର୍ଷୀୟ ଲେନିନ । ବର୍ଷାପାଣି ଉପରେ ନିର୍ଭରଶୀଳ ଏହି ଜିଲ୍ଲାର ଜମିରେ ବହୁ ବର୍ଷ ହେଲା କେବଳ ମଞ୍ଜିଜାତୀୟ ଏବଂ ତୈଳବୀଜ ଏବଂ ବାଜରା ଜାତୀୟ ଶସ୍ୟ ଚାଷ କରାଯାଉଥିଲା । “ଆମ ପରମ୍ପରାଇ (ପୂର୍ବ ପୁରୁଷ)ରେ କେହି ଧାନ ଚାଷ କରୁ ନଥିଲେ ।” ତାଙ୍କ ମାଆ, ୬୮ ବର୍ଷୀୟା ସାବିତ୍ରୀ, କେବଳ କାରାମଣି (ଝୁଡ଼ଙ୍ଗ ମଞ୍ଜି ଭଳି କଳା ଚିହ୍ନ ଥିବା ମଞ୍ଜି) ଚାଷ କରି ବିକ୍ରି କରୁଥିଲେ । ମାପ ପାତ୍ରରେ ମାପି ବିକିଲା ସମୟରେ ପ୍ରତି ଚାରି ଡବା ମଞ୍ଜି ସହିତ ସେ ଦୁଇ ଆଞ୍ଜୁଳା ମାଗଣାରେ ଦେଇ ଦେଉଥିଲେ । “ସେତେବେଳେ ମାଆ ଯେତିକି ମଞ୍ଜି ମାଗଣାରେ ଦେଇ ଦେଇଥିଲେ, ସେ ସବୁକୁ ଯଦି ମିଶାଇ ହିସାବ କରିବା, ତେବେ ତାହା ଏବେ ବହୁତ ଟଙ୍କା ହେବ !” ତାଙ୍କ ପରିବାରର ମୁଖ୍ୟ ଚାଷ ଥିଲା କାଲାକ୍କା ( ଏଠାରେ ଚିନାବାଦାମକୁ କହନ୍ତି) । ତାଙ୍କ ବାପା, ୭୩ ବର୍ଷୀୟ ଏଲୁମଲାଇ ଏହା ଚାଷ କରି ବିକ୍ରି କରୁଥିଲେ । “ କାଲାକ୍କା ବିକି ଯେଉଁ ଟଙ୍କା ମିଳେ ତାହାକୁ ଆପ୍ପା ରଖନ୍ତି । ଆଉ କାରାମଣି ଚାଷରୁ ଯେଉଁ ଆୟ ହୁଏ ତାହାକୁ ଆମ୍ମା ନିଅନ୍ତି ।”

ଲେନିନଙ୍କ ‘ମୁଁ ଚାଷୀ ହେବା ପୂର୍ବରୁ’ ଶୀର୍ଷକ କାହାଣୀର ଅୟମାରମ୍ଭ ହୁଏ ଚେନ୍ନାଇରୁ । ସେଠାରେ ସେ ମଧ୍ୟ ଗୋଟିଏ କମ୍ପାନୀରେ ଚାକିରି କରୁଥିଲେ । ଦୁଇ ଦୁଇଟି ଡିଗ୍ରୀ (ଏବଂ ଅଧାରୁ ଛାଡ଼ି ଦେଇଥିବା ଏକ ସ୍ନାତକୋତ୍ତର ଡିଗ୍ରୀ) ହାସଲ କରିଥିବା ଲେନିନ ଭଲ ଦରମା ପାଉଥିଲେ । ହେଲେ ଥରେ ସେ ଜଣେ କୃଷକଙ୍କ ସଂପର୍କରେ ଏକ ମର୍ମସ୍ପର୍ଶୀ ସିନେମା ଦେଖିଲେ: ଓନ୍‌ପାଥୁ ରୁପାଇ ନୋଟୁ (ନଅ ଟଙ୍କିଆ ନୋଟ୍‌) । ଏହାକୁ ଦେଖିବା ପରେ ବାପାମାଆଙ୍କ ସହିତ ରହିବା ଲାଗି ତାଙ୍କର ପ୍ରବଳ ଇଚ୍ଛା ଜାତ ହେଲା । ୨୦୧୫ରେ ଲେନିନ ଘରକୁ ଫେରିଆସିଲେ ।

“ସେତେବେଳେ ମୋର ବୟସ ଥିଲା ୨୫ ବର୍ଷ ଏବଂ ମୋ ପାଖରେ କୌଣସି ଭବିଷ୍ୟତ ଯୋଜନା କି କାର୍ଯ୍ୟକ୍ରମ ନଥିଲା । ମୁଁ କେବଳ ପନିପରିବା ଏବଂ ଛୁଇଁ ଚାଷ କରିବାରେ ଲାଗିଲି ।” ତିନି ବର୍ଷ ପରେ, ଅନ୍ୟାନ୍ୟ ଅନେକ କାରଣରୁ, ସେ ଧାନ ଓ ଆଖୁ ଚାଷ ପ୍ରତି ମନ ବଳାଇଲେ । ଯନ୍ତ୍ରପାତି, ବଜାର ଏବଂ ଅନ୍ୟ ଅନେକ କଥା, ଏମିତି କି ମାଙ୍କଡ଼, ତାଙ୍କୁ ଏହି ନିଷ୍ପତ୍ତି ନେବା ଲାଗି ପ୍ରଭାବିତ କରିଥିଲେ ।

ଏବଂ ବର୍ଷା, ସେ ଆହୁରି କହନ୍ତି, “ଚାଷୀମାନେ ହୁଏତ ‘ଜଳବାୟୁ ପରିବର୍ତ୍ତନ’ ବୋଲି ଏହି ନିର୍ଦ୍ଦିଷ୍ଟ ଶବ୍ଦ ଦୁଇଟିକୁ ବ୍ୟବହାର କରି ନପାରନ୍ତି, କିନ୍ତୁ ସେମାନେ ଆପଣଙ୍କୁ ଏ ସଂପର୍କରେ ବହୁତ କିଛି କହିବେ ।” ଲେନିନଙ୍କ କହିବା ଅନୁସାରେ ଅଦିନିଆ ବର୍ଷା ସେହି ଅତିଥିଙ୍କ ଭଳି, ଯାହାଙ୍କ ପାଇଁ ରନ୍ଧାବଢ଼ା କରି ଅପେକ୍ଷା କରିଥିବେ, କିନ୍ତୁ ସେ ଆସିବେ ନାହିଁ । “ଆପଣ ଭୋକରେ ଆଉଟୁପାଉଟୁ ହୋଇ ମରିଗଲା ପରେ, ସେମାନେ ଆସି ମରଶରୀର ଉପରେ ଫୁଲହାର ଦେବେ... ।”

ଗୋଟିଏ ନିମ୍ବ ଗଛ ତଳେ ପଡ଼ିଥିବା ଗ୍ରାନାଇଟ୍‌ ପଥରର ବେଞ୍ଚ ଉପରେ ବସି ରସାଳ ଆମ୍ବ ଖାଉ ଖାଉ ଲେନିନ ତିନି ଘଣ୍ଟା କାଳ କହି ଚାଲିଥାଆନ୍ତି । କଥା ମଝିରେ ମଝିରେ ସେ ପ୍ରାଚୀନ ତାମିଲ କବି ତିରୁଭାଲୁବର, ତାମିଲନାଡୁରେ ଜୈବିକ ଚାଷ ପଦ୍ଧତିର ଜନକ ରୂପେ ପରିଚିତ ନାମ୍ମାଲବର ଏବଂ ବିଶିଷ୍ଟ ଚାଉଳ ସଂରକ୍ଷକ ଦେବାଲ ଦେବଙ୍କ କେତେକ ପଂକ୍ତି ଓ ଉକ୍ତି ଉଦ୍ଧାର କରନ୍ତି । ଲେନିନ କହନ୍ତି ଯେ, ପାରମ୍ପରିକ କିସମର ଧାନଚାଷ ଏବଂ ଜୈବିକ ଚାଷ ପଦ୍ଧତିକୁ ଆପଣେଇ ନେବା ଆବଶ୍ୟକ ଓ ଅପରିହାର୍ଯ୍ୟ ମଧ୍ୟ ।

ଚାରି ବର୍ଷ ଭିତରେ ତାଙ୍କ ସହ ତିନି ଥର ସାକ୍ଷାତ ଅବସରରେ ସେ ମୋତେ କୃଷି, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଏବଂ ବଜାର ସଂପର୍କରେ ଅନେକ ଶିକ୍ଷା ଦେଇଛନ୍ତି ।

ଏ କାହାଣୀ ଲେନିନଙ୍କର । ଏବଂ ସେହି ଧାନର, ଯାହାକୁ ସେ ଏବେ ତାଙ୍କ ବର୍ଷାଜଳ ଉପରେ ନିର୍ଭରଶୀଳ ଜମିରେ ଏବଂ ଏକଦା ଶୁଖିଲା ପଡ଼ିଥିବା ଜମିରେ, ଗଭୀରରୁ ଅତି ଗଭୀର କୂପ ଜଳ ଉପଯୋଗ କରି ଚାଷ କରନ୍ତି ଏବଂ ମୂଳ ଅକ୍ଷର ଏବଂ ସଂଖ୍ୟା ବ୍ୟବହାର କରି ତାଙ୍କ ଧାନ ବିହନର ନାମକରଣ କରନ୍ତି ।

PHOTO • M. Palani Kumar
PHOTO • M. Palani Kumar

ଲେନିନଙ୍କ ମାଆ ସାବିତ୍ରୀ ଚାଉଳ ମାପିବା ଲାଗି ବ୍ୟବହୃତ ଲୁହା ପାତ୍ର ପଡି଼ ଓ ମାରାକ୍କା ଦେଖାଉଛନ୍ତି (ବାମ)। ସେ ପଡ଼ିରେ ପାରମ୍ପରିକ କିସମର ଥୁୟାମାଲ୍ଲୀ ଧାନ (ଡାହାଣ) ଭର୍ତ୍ତି କରୁଛନ୍ତି

*****

ହେ ଚାଷୀ, ଯାହାର ରହିଛି ଅନେକ ମଇଁଷି
ଏବଂ ପର୍ବତ ଉଚ୍ଚର ଅନେକ ଶସ୍ୟ ଭଣ୍ଡାର !

ତୁମେ ଭୋର ହେଲା ମାତ୍ରେ ଉଠିପଡ଼
ଅଧିକ ଶୋଇ ପାରନି, ତୁମ ଦୁଇ ହାତରେ ଇଚ୍ଛାମତେ ଖାଅ
ଭରାଲ ମାଛର ବଡ଼ ବଡ଼ ଖଣ୍ଡ, ତା ସାଙ୍ଗକୁ ସରୁ ଚାଉଳର ଭାତ ।

ନାଟ୍ରିନାଇ ୬୦, ମରିତାଇ ତିନାଇ

ତାମିଲ ଜୀବନଧାରାର କେନ୍ଦ୍ରସ୍ଥଳରେ ରହିଛି ଧାନ ।  ଜଣେ ଚାଷୀ, ତାଙ୍କ ସବୁଜ କ୍ଷେତ, ଏବଂ ତାଙ୍କ ଭୋଜନର ଅବତାରଣା କରୁଥିବା ଏହି ସୁନ୍ଦର କବିତାଟି ପ୍ରାୟ ୨,୦୦୦ ବର୍ଷ ତଳର ସଙ୍ଗମ ଯୁଗରେ ଲିଖିତ । ପାଖାପାଖି ୮ ସହସ୍ରାବ୍ଦ ଧରି ଏହି ଉପ ମହାଦେଶରେ ଧାନ ଚାଷ କରାଯାଇଆସୁଛି ।

ସାଇଣ୍ଟିଫିକ୍‌ ଆମେରିକାନ’ ଶୀର୍ଷକ ସନ୍ଦର୍ଭରେ ଦେବାଲ ଦେବ ଲେଖିଛନ୍ତି, “ପ୍ରତ୍ନତାତ୍ତ୍ୱିକ ଏବଂ ବଂଶବିଜ୍ଞାନ ଭିତ୍ତିକ ପ୍ରମାଣରୁ ଜଣାଯାଏ ଯେ, ପ୍ରାୟ ୭,୦୦୦ରୁ ୯,୦୦୦ ବର୍ଷ ତଳେ ଇଣ୍ଡିକା ଉପନାମଧାରୀ ଏସୀୟ ଧାନ (ଏ ପ୍ରକାର ପ୍ରାୟ ସବୁ ଧାନ ଭାରତୀୟ ଉପମହାଦେଶରେ ଚାଷ କରାଯାଉଥିବା ଧାନ କିସମ ସମୂହ ଅନ୍ତର୍ଗତ) ପୂର୍ବ ହିମାଳୟ ପର୍ବତମାଳାର ପାଦଦେଶରେ ଚାଷ କରାଯାଉଥିଲା । ପରବର୍ତ୍ତୀ କେତେକ ସହସ୍ରାବ୍ଦରେ ଯେତେବେଳେ ଘରେ ଘରେ ଚାଷବାସକୁ ଆଦରି ନିଆଗଲା, ପାରମ୍ପରିକ କୃଷକମାନେ ଏଭଳି ରତ୍ନଗର୍ଭା ଜମିର ପ୍ରଜାତି ସୃଷ୍ଟି କଲେ ଯାହା କି ଭିନ୍ନ ଭିନ୍ନ ମୃତ୍ତିକା, ଭୂଖଣ୍ଡ ଏବଂ ସୀମିତ ଜଳବାୟୁ ମଣ୍ଡଳରେ ଏଭଳି ନିର୍ଦ୍ଦିଷ୍ଟ ଧରଣର ସାଂସ୍କୃତିକ, ପୁଷ୍ଟିକାରକ ଏବଂ ଔଷଧୀୟ ଆବଶ୍ୟକତା ପୂରଣ କରୁଥିବା ଫସଲ ଚାଷ ନିମନ୍ତେ ସଂପୂର୍ଣ୍ଣ ଉପଯୁକ୍ତ ହୋଇପାରିବ ।” ୧୯୭୦ ଦଶକ ପର୍ଯ୍ୟନ୍ତ, ଭିନ୍ନ ଭିନ୍ନ ଭାରତୀୟ ଚାଷଜମିରେ “ପ୍ରାୟ ୧୧୦,୦୦୦ ସ୍ୱତନ୍ତ୍ର କିସମର” ଧାନ ଚାଷ କରାଯାଉଥିଲା ।

ହେଲେ ବର୍ଷ ବର୍ଷ ଧରି, ବିଶେଷତଃ ସବୁଜ ବିପ୍ଳବ ପରେ ପରେ, ଏହି ବିବିଧତାର ଅଧିକାଂଶ ଭାଗ ଲୋପ ପାଇଗଲା । ୬୦ ଦଶକର ମଧ୍ୟଭାଗରେ ଭାରତର ତତ୍କାଳୀନ ଖାଦ୍ୟ ଓ କୃଷି ମନ୍ତ୍ରୀ ସି. ସୁବ୍ରମଣ୍ୟମ, ‘ଦି ଗ୍ରୀନ ରିଭୋଲ୍ୟୁସନ’ ଶୀର୍ଷକ ତାଙ୍କ ସ୍ମୃତିକଥାର ଦ୍ୱିତୀୟ ଭାଗରେ, “ଦେଶରେ ଗୁରୁତର ଏବଂ ବ୍ୟାପକ ମରୁଡ଼ି ପରିସ୍ଥିତି ଯୋଗୁଁ ୧୯୬୫-୬୭ ମସିହାରେ ଖାଦ୍ୟଶସ୍ୟର ଘୋର ଅଭାବ ଦେଖାଯାଇଥିବା” ସଂପର୍କରେ ଏବଂ “ପିଏଲ୍‌-୪୮୦’ ବୁଝାମଣା ଅନୁସାରେ ଆମେରିକାରୁ ଖାଦ୍ୟଶସ୍ୟ ଆମଦାନୀ ଅବ୍ୟାହତ ରଖିବା ଉପରେ ନିର୍ଭର କରୁଥିବାରୁ” ଏହା “ଆମର ଆତ୍ମସମ୍ମାନ କ୍ଷୁର୍ଣ୍ଣ କରିବା ସହିତ ଆମ ଦେଶର ଅର୍ଥନୀତି ପ୍ରତି କ୍ଷତିକାରକ’ ବୋଲି ସେ ସମୟରେ ଲୋକସଭାରେ ଗୃହୀତ ଏକ ପ୍ରସ୍ତାବ ସଂପର୍କରେ ଉଲ୍ଲେଖ କରିଛନ୍ତି ।

PHOTO • M. Palani Kumar
PHOTO • M. Palani Kumar

ଥୁୟାମାଲ୍ଲି (ବାମ) ଏବଂ ମୁଲ୍ଲାନକାଇମା (ଡାହାଣ) କିସମର ଧାନ ଚାଷ କରନ୍ତି ଏବଂ ସଂରକ୍ଷଣ କରନ୍ତି ଲେନିନ

ସେତେବେଳେ ରାଷ୍ଟ୍ର ଓ ନେତାମାନଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା- ଜମି ପୁନର୍ବଣ୍ଟନ, ଯାହା କି ଏକ ରାଜନୈତିକ (ଏବଂ ସମ୍ଭବତଃ ଭୟାବହ) ସମାଧାନ, ଏବଂ ଅନ୍ୟଟି ବିଜ୍ଞାନ ସମ୍ମତ ଏବଂ ପ୍ରଯୁକ୍ତି ବିଦ୍ୟା ଅନୁମୋଦିତ  (ଯାହା ହୁଏତ ସବୁ ଚାଷୀଙ୍କ ପାଇଁ ସମରୂପରେ ଲାଭଜନକ ହୋଇ ନପାରେ) । ସେମାନେ ଅଧିକ ଅମଳକ୍ଷମ ଧାନ ଓ ଗହମ କିସମ ଚାଷ ପ୍ରଚଳନକୁ ବାଛି ନେଲେ ।

ପାଞ୍ଚ ଦଶନ୍ଧି ପରେ, ଚାଉଳ ଓ ଗହମ ଉତ୍ପାଦନରେ ଭାରତ ଏକ ବଳକା ଦେଶ ରୂପେ ପରିଗଣିତ ଏବଂ ଅନ୍ୟ ଅନେକ ଫସଲର ରପ୍ତାନୀକାରୀ ତାଲିକାରେ ରହିଛି । ତଥାପି, ଦେଶର କୃଷି କ୍ଷେତ୍ର ନାନା ସମସ୍ୟାରେ ବୁଡ଼ି ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ, ଗତ ତିନି ଦଶନ୍ଧି ମଧ୍ୟରେ ଚାରି ଲକ୍ଷରୁ ଅଧିକ ଚାଷୀ ନିଜେ ନିଜର ଜୀବନ ନେଇ ସାରିଛନ୍ତି। ସୁଲଭ ମୂଲ୍ୟ ଏବଂ ଉପଯୁକ୍ତ କୃଷି ନୀତି ପ୍ରଣୟନ ଦାବିରେ ଅନେକ ଥର ବୃହତ୍‌ ଚାଷୀ ଆନ୍ଦୋଳନ ସଂଘଟିତ ହୋଇଛି। ଏବଂ ଆପଣ ଏ ପ୍ରବନ୍ଧ ପଢ଼ିଲା ବେଳକୁ ଆଉ ଡଜନେ ଚାଷୀ ଚାଷକାମ ଛାଡ଼ି ସାରିଥିବେ ।

ତେଣୁ, ଆମେ ପୁଣି ଲେନିନ ଓ ତାଙ୍କ ବିପ୍ଳବ ପ୍ରସଙ୍ଗକୁ ଫେରିବା । କୃଷି କ୍ଷେତ୍ରରେ ଏବଂ ନିର୍ଦ୍ଦିଷ୍ଟ ଗୋଟିଏ ଫସଲରେ ବିବିଧତା  ଆଣିବା କାହିଁକି ଗୁରୁତ୍ୱପୂର୍ଣ୍ଣ ? କାରଣ, ଠିକ୍‌ ଯେମିତି ଗୃହପାଳିତ ପ୍ରାଣୀ, କପା ଓ କଦଳୀ ଚାଷ କ୍ଷେତ୍ରରେ ଘଟୁଛି, ଏବଂ ସାରା ପୃଥିବୀରେ, କମ୍‌ ଗାଈରୁ ଅଧିକ କ୍ଷୀର, କମ୍‌ ଗଛରୁ ଅଧିକ ସୂତା ଓ ଫଳ ଉତ୍ପାଦନ ଉପରେ ଜୋର ଦିଆଯାଉଛି । କିନ୍ତୁ “କେବଳ ଗୋଟିଏ କିସମର ଫସଲ ସଂପ୍ରସାରିତ” ହେଲେ “କେତେକ କୀଟପତଙ୍ଗଙ୍କୁ ଏହା ସୁହାଇବ” ବୋଲି ଦେବ ଚେତାଇ ଦିଅନ୍ତି ।

ଭାରତରେ ସବୁଜ ବିପ୍ଳବର ଜନକ ରୂପେ ପରିଚିତ ବିଶିଷ୍ଟ କୃଷି ବିଜ୍ଞାନୀ ଡକ୍‌ଟର ଏମ୍‌.ଏସ୍‌. ସ୍ୱାମୀନାଥନ ୧୯୬୮ ମସିହାରେ ତାଙ୍କ ଦୂରଦର୍ଶିତାପୂର୍ଣ୍ଣ ତଥ୍ୟ ସହିତ ସତର୍କ କରାଇ ଦେଇଥିଲେ “ଯଦି ସ୍ଥାନୀୟ ଅଞ୍ଚଳର ସବୁ କିସମର ଧାନ ବଦଳରେ କେବଳ ଗୋଟିଏ କି ଦୁଇଟି ଅଧିକ ଅମଳକ୍ଷମ ଧାନ ଚାଷ କରାଯାଏ, ତେବେ ଏହା ଫଳରେ ଏଭଳି ଗୁରୁତର ରୋଗ ବ୍ୟାପିବାର ଆଶଙ୍କା ରହିଛି ଯାହା କି ସମଗ୍ର ଫସଲକୁ ନଷ୍ଟ କରିଦେଇପାରେ ।”

ହେଲେ, ସାରା ପୃଥିବୀରେ ଏବେ ଆଦୃତ ହୋଇଛି ନୂଆ ନୂଆ ଧାନର କିସମ । ୧୯୬୬ ମସିହା ନଭେମ୍ବର ୨୮ ତାରିଖ ଦିନ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ “ଆଇଆର୮ ଭଳି ଏକ ସାଧାରଣ ନାଁ”ରେ ପ୍ରଥମ ନୂତନ କିସମର ଧାନ ପ୍ରଚଳନ ଆରମ୍ଭ କରାଯାଇଥିଲା । ଅତି ଶୀଘ୍ର ଏହି ଅଧା-ଗେଡ଼ା କିସମକୁ “ଚମତ୍କାରୀ ଧାନ” ରୂପରେ ଅଭିହିତ କରାଯାଇଥିଲା ଏବଂ ଏସିଆ ଏବଂ ଅନ୍ୟ ମହାଦେଶରେ ବି ଏହା ବିରାଟ ଏକ ପରିବର୍ତ୍ତନ ଆଣିଥିଲା ବୋଲି “ରାଇସ୍‌ ଟୁଡେ” ପତ୍ରିକାରେ ପ୍ରକାଶିତ ଏକ ଲେଖାରେ କରାଯାଇଥିଲା ।

ମାଡ୍ରାସ୍‌ (ସେତେବେଳେ ଚେନ୍ନାଇର ଏହି ନାଁ ଥିଲା) ବାହାରେ ରହୁଥିବା ଜଣେ ଧନୀ କୃଷକ ତାଙ୍କ ଅତିଥିମାନଙ୍କୁ ସକାଳ ଜଳଖିଆରେ  “ଆଇଆର- ୮ ଇଡଲି” ପରଶି ଦେଉଥିବା ସଂପର୍କରେ ‘ହଙ୍ଗ୍ରି ନେସନ୍‌’ ଶୀର୍ଷକ ବହିରେ ବେଞ୍ଜାମିନ ରବର୍ଟ ସିଜେଲ ଲେଖିଛନ୍ତି । ତାଙ୍କ ଅତିଥିମାନଙ୍କ ମଧ୍ୟରେ ଅନ୍ୟ କେତେକ କୃଷକ ଏବଂ ସାମ୍ବାଦିକ ଥିଲେ । ସେମାନଙ୍କୁ କୁହାଯାଇଥିଲା ଯେ, “ଏହି “ଆଇଆର- ୮ ଚାଉଳ ଫିଲିପାଇନ୍‌ସରୁ ଭାରତକୁ ଆସିଛି ଏବଂ ଏହି ଫୁଲି ଫୁଲି ରହିଥିବା ଚାଉଳର ଦାନାଗୁଡ଼ିକ ଖୁବ୍‌ ସୁସ୍ୱାଦୁ ଏବଂ ପ୍ରଚୁର ମାତ୍ରାରେ ଉପଲବ୍‌ଧ ।”

PHOTO • M. Palani Kumar
PHOTO • M. Palani Kumar

ସବୁଜିମାରେ ଭରା ଧାନ କ୍ଷେତ (ବାମ) ଏବଂ ଗଛରୁ ଅଲଗା ହେବା ପରେ ଧାନ (ଡାହାଣ)

‘ଷ୍ଟଫ୍‌ଡ ଆଣ୍ଡ ଷ୍ଟାର୍ଭଡ’ ପୁସ୍ତକରେ ଲେଖକ ରାଜ ପଟେଲ କହନ୍ତି, ନୂତନ ବିହନ ଚାଷ କରିବା ଲାଗି ସେମାନେ “ବିଜ୍ଞାନାଗାର ଅନୁରୂପ ଉପଯୁକ୍ତ ଚାଷ ବାତାବରଣ ଆବଶ୍ୟକ କରୁଥିଲେ ଏବଂ ଏଥିପାଇଁ ଜଳସେଚନ, ସାର ଓ କୀଟନାଶକ” ଦରକାର ହେଉଥିଲା । ସେ ଏହା ମଧ୍ୟ ସ୍ୱୀକାର କରନ୍ତି ଯେ, “ଆଂଶିକ ରୂପରେ ସବୁଜ ବିପ୍ଳବ ଜ୍ଞାନକୌଶଳ ପ୍ରୟୋଗ କାରଣରୁ କେତେକ ସ୍ଥାନରେ, ବ୍ୟାପକ ଅନାହାର ସମସ୍ୟାକୁ ନିୟନ୍ତ୍ରିତ କରାଯାଇ ପାରିଥିଲା । କିନ୍ତୁ, ସାମାଜିକ ଓ ପରିବେଶଗତ ଦୃଷ୍ଟିରୁ ଏ ବାବଦ ଖର୍ଚ୍ଚ ଅତି ଅଧିକ ଥିଲା ।”

୨୦୨୦ ମସିହାରେ ପ୍ରକାଶିତ ‘ଭାରତର ଗ୍ରାମୀଣ ଓକୃଷି କ୍ଷେତ୍ରର ସ୍ଥିତି ସଂପର୍କିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, “କେବଳ ଗହମ, ଧାନ ଓ ଆଖୁ ଚାଷ କ୍ଷେତ୍ରରେ ସରକାରୀ ସହାୟତା ପ୍ରଦାନ କାରଣରୁ ସାମୂହିକ ଭାବେ ବହୁସଂଖ୍ୟକ ଚାଷୀ ଏହି ଫସଲ ପ୍ରତି ଆକୃଷ୍ଟ ହେଲେ । ଶୁଷ୍କ ଅଞ୍ଚଳରେ ଜଳସେଚନ ଆବଶ୍ୟକତା କରୁଥିବା ଫସଲକୁ ପ୍ରୋତ୍ସାହିତ କରାଯିବା ଫଳରେ ଫସଲର ବାର୍ଷିକ ରୂପରେଖ ବିଗିଡ଼ିବାରେ ଲାଗିଲା ଏବଂ ଲୋକଙ୍କ ଥାଳିରେ ଭିନ୍ନ ଭିନ୍ନ ଖାଦ୍ୟ ବଦଳରେ କେବଳ ଚକ୍‌ଚକ୍‌ କରୁଥିବା ଚାଉଳ, ଗହମ ଏବଂ କ୍ୟାଲୋରି ବିହୀନ ରିଫାଇନ୍‌ ଚିନିରୁ ପ୍ରସ୍ତୁତ ଗୋଟିଏ ପ୍ରକାର ଖାଦ୍ୟ ରହିବା କାରଣରୁ ଏହାର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଲା ।

ଏ ପର୍ଯ୍ୟନ୍ତ ତିରୁବନମଲାଇ ଜିଲ୍ଲାର ଲୋକଙ୍କ ମନରେ ଏହାର ସ୍ମୃତି ଉଜ୍ଜୀବିତ ରହିଛି ବୋଲି ଲେନିନ କହନ୍ତି । “ମୋ ଆପ୍ପା ଙ୍କ ସମୟରେ କେବଳ ମାନାବାରି (ବର୍ଷା ଉପରେ ନିର୍ଭରଶୀଳ) ଫସଲ ଚାଷ କରାଯାଉଥିଲା ଏବଂ ବ୍ୟାପକ ଭାବରେ ମଞ୍ଜିଜାତୀୟ ଫସଲ କରାଯାଉଥିଲା । ଏଠାକାର ହ୍ରଦ ନିକଟରେ, ଥରଟିଏ ସାମ୍ବା (ଧାନ) ଅମଳ କରାଯାଉଥିଲା । ଏବେ ଏଠାରେ ବହୁ ପରିମାଣର ଜଳସେଚିତ ଜମି ରହିଛି । ବୋର୍‌ୱେଲ ବସାଇବା ଲାଗି ଆପ୍ପାଙ୍କୁ କୋଡ଼ିଏ ବର୍ଷ ତଳେ ବ୍ୟାଙ୍କରୁ ଋଣ ମିଳିଥିଲା । ସେ ସମୟରେ ଆପଣ ହୁଏତ ଆଜିକାଲି ଭଳି ଚାରିଆଡ଼େ ପାଣି ଜମି ରହିଥିବା ଧାନ କ୍ଷେତ ଦେଖି ନଥାଆନ୍ତେ,” ତାଙ୍କ ପଛରେ ଥିବା ସବୁଜ ଧାନକ୍ଷେତ ଆଡ଼କୁ ଆଙ୍ଗୁଠି ଦେଖାଇ ସେ କହନ୍ତି । ସବୁଜ ଧାନ ଜମିରେ ବାଦାମୀ ରଙ୍ଗର କାଦୁଅମିଶା ପାଣିରେ ଗଛ, ଆକାଶ ଓ ସୂର୍ଯ୍ୟ ପ୍ରତିଫଳିତ ହେଉଥିଲେ ।

ଲେନିନ କହନ୍ତି, “ପୁରୁଖା ଚାଷୀମାନଙ୍କୁ ପଚାରନ୍ତୁ, କେମିତି ‘ଆଇଆର ୮’ କିସମ ଧାନ ସେମାନଙ୍କ ପେଟ ପୋଷିଲା, ସେକଥା ସେମାନେ ଆପଣଙ୍କୁ କହିବେ । ସେମାନେ ଆହୁରି କହିବେ ଯେ କେମିତି ଗୋରୁଗାଈଙ୍କ ପାଇଁ ନଡ଼ା ପରିମାଣ କମି ଆସିଥିଲା ।” କଲସପକ୍କମରେ ଅନୁଷ୍ଠିତ ଏକ କୃଷକ ସମ୍ମିଳନୀରେ ଅନେକ ଚାଷୀ ଏହି କଥାକୁ ପରିହାସ କରିଥିଲେ । ସେମାନେ କହିଲେ, “ଆପଣ ଜାଣନ୍ତି, କେତେକ ଚାଷୀ ପରିବାରରେ ଗେଡ଼ା ଲୋକମାନଙ୍କୁ ଏବେ ବି ଆଇରେଟ୍ଟୁ (ତାମିଲ ଭାଷାରେ ଆଇଆର୮) ବୋଲି ଡକାଯାଉଛି,” ଏବଂ ସମସ୍ତେ ଖୁବ୍‌ ଜୋରରେ ହସି ଉଠିଲେ ।

କିନ୍ତୁ ଜୈବ ବିବିଧତା କଥା ଉଠିବା ବେଳକୁ ହସ ସଂପୂର୍ଣ୍ଣ ଥମି ଯାଇଥିଲା ।

PHOTO • M. Palani Kumar
PHOTO • M. Palani Kumar

ବାମ: ଗୋଦାମରୁ ତାଙ୍କ କ୍ଷେତକୁ ଯାଆନ୍ତି ଲେନିନ । ଡାହାଣ : ଯେଉଁ ଜମିରେ ସେ ପାରମ୍ପରିକ କିସମର ଧାନ ଚାଷ କରନ୍ତି ଏବଂ ସଂରକ୍ଷଣ କରନ୍ତି

*****

୨୦୨୧ରେ ମୁଁ ପ୍ରଥମେ ଲେନିନଙ୍କୁ ଭେଟିବା ସମୟରେ ସେ ଚାଷୀମାନଙ୍କର ଏକ ବଡ଼ ଗୋଷ୍ଠୀକୁ ଜଳବାୟୁ ପରିବର୍ତ୍ତନ ଓ କୃଷି ସଂପର୍କରେ କହୁଥିଲେ । ଏହା ଥିଲା ତିରୁବନମଲାଇ ଜିଲ୍ଲାର କଲାସପକ୍କମ ସହରରେ ବସିଥିବା ପରମ୍ପରିୟା ବିଧାଇଗଲ ମୈୟମ (ପାରମ୍ପରିକ ବିହନ ସାମ୍ମୁଖ୍ୟ)ର ମାସିକ ବୈଠକ । ଚାଷୀମାନଙ୍କର ଏହି ଗୋଷ୍ଠୀ ପ୍ରତି ମାସର ପାଞ୍ଚ ତାରିଖରେ ବୈଠକ କରନ୍ତି ଏବଂ ସେଦିନ, ସେପ୍‌ଟେମ୍ବରର ସେହି ସକାଳେ, ଖରା ତାତି ବି ଖୁବ୍‌ ଅଧିକ ଥିଲା । ହେଲେ, ସେଠାକାର ମନ୍ଦିର ପଛ ପଟ ନିମ୍ବ ଗଛର ମେଞ୍ଚା ମେଞ୍ଚା ଛାଇରେ, ପରିବେଶ ସାମାନ୍ୟ ଶୀତଳ ଥିଲା । ସେଇଠି ଆମେ ବସିଥିଲୁ, କଥା ଶୁଣୁଥିଲୁ, ହସୁଥିଲୁ ଏବଂ ଶିଖୁଥିଲୁ ।

“ଆମେ ନିଜକୁ ଜୈବିକ ଚାଷୀ କହିବା ମାତ୍ରକେ ହିଁ ଲୋକେ ହୁଏତ ଆମ ପାଦ ଛୁଅଁନ୍ତି, ନ ହେଲେ ଆମକୁ ନିର୍ବୋଧ ବୋଲି କହନ୍ତି,” ଲେନିନ କହନ୍ତି । “ହେଲେ ଆଜିର ଯୁବ ଚାଷୀ ଜୈବିକ ଚାଷ ସଂପର୍କରେ କ’ଣ ବା ଜାଣିଛନ୍ତି”, ପଚାରନ୍ତି ୬୮ ବର୍ଷୀୟ ପି.ଟି. ରାଜେନ୍ଦ୍ରନ- ଏହି ସାମ୍ମୁଖ୍ୟର ସହ ପ୍ରତିଷ୍ଠାତା । “ସେମାନେ ହୁଏତ ପଞ୍ଚକାବ୍ୟାମ (ଗୋମୂତ୍ର, ଗୋବର ଓ ଅନ୍ୟ କେତେକ ଉପାଦାନରୁ ପ୍ରସ୍ତୁତ, ଯାହା କି ଶରୀର ବୃଦ୍ଧିରେ ସହାୟକ ହୁଏ ଏବଂ ରୋଗ ପ୍ରତିରୋଧ ଶକ୍ତି ପ୍ରଦାନ କରେ) ସଂପର୍କରେ ଶୁଣିଥିବେ । କିନ୍ତୁ ଏହା ତା’ଠାରୁ ଆହୁରି ଅଧିକ ।

ବେଳେବେଳେ, କୃଷକମାନଙ୍କ କ୍ଷେତ୍ରରେ ଜୈବିକ ପରିବର୍ତ୍ତନ ହୋଇଥାଏ । ଲେନିନଙ୍କ ବାପା ଏଲୁମଲାଇ, ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ବନ୍ଦ କରିଦେଲେ । କାରଣ ଏଗୁଡ଼ିକରେ ଖର୍ଚ୍ଚ ଅଧିକ । “ଥରଟିଏ କୀଟନାଶକ ଛିଞ୍ଚିବା ପାଇଁ ଆମକୁ କେଇ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା,” ଲେନିନ କହନ୍ତି । “ ପାସୁମାଇ ବିକତାନ (ଏକ କୃଷି ପତ୍ରିକା) ପଢ଼ି ଆପ୍ପା ପ୍ରାକୃତିକ ତଥା ଚାଷ କ୍ଷେତରୁ ଉପଲବ୍‌ଧ ଉପାଦାନକୁ ନେଇ ପରୀକ୍ଷାନିରୀକ୍ଷା କଲେ ଏବଂ ଏହାକୁ ସ୍ପ୍ରେ କରିବା ପାଇଁ ମୋତେ ଦେଲେ। ମୁଁ ଏହା କଲି ।” ଏଇଟା କାମ ଦେଲା।

ପ୍ରତି ମାସରେ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଚାଷୀମାନେ ଆଲୋଚନା କରନ୍ତି । କେତେକ ଚାଷୀ କିଛି କନ୍ଦମୂଳ, ଡାଲି ଓ ଘଣାରେ ପେଡ଼ା ତେଲ ବିକିବାକୁ ନେଇ ଆସିଥାଆନ୍ତି । କେହି ଜଣେ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରନ୍ତି, ଅନ୍ୟ କେହି ଡାଲି ଓ ପରିବା ନେଇ ଆସିଥାଆନ୍ତି । ଖୋଲା ପଡ଼ିଆରେ, କାଠ ଚୁଲିରେ କୌଣସି ଏକ ପାରମ୍ପରିକ କିସମର ଚାଉଳରୁ ଭାତ ରନ୍ଧା ହୁଏ ଏବଂ କଦଳୀ ପତ୍ରରେ ଗରମ ଗରମ ଭାତ ସହିତ ପରିବା ତରକାରୀ ଓ ସ୍ୱାଦିଷ୍ଟ ସମ୍ବର ପରଶି ଦିଆଯାଏ । ବୈଠକରେ ଯୋଗ ଦେଇଥିବା ୧୦୦ରୁ ଅଧିକ ଚାଷୀଙ୍କ ଖାଦ୍ୟ ବାବଦରେ ପାଖାପାଖି ୩,୦୦୦ ଟଙ୍କା ଖର୍ଚ୍ଚ ହୁଏ ।

ରନ୍ଧାରନ୍ଧି ବେଳେ ଜଳବାୟୁ ପରିବର୍ତ୍ତନ ସଂପର୍କରେ ଚାଷୀମାନଙ୍କ ବିତର୍କ ବି ଚାଲିଥାଏ । ସେମାନେ କହନ୍ତି, ଏହାର ପ୍ରତିରୋଧ ନିମନ୍ତେ ଜୈବିକ ଚାଷ, ପାରମ୍ପରିକ କିସମର ବିହନ ଏବଂ ବିବିଧତା ହିଁ କେତେକ ସର୍ବୋତ୍କୃଷ୍ଟ ଉପାୟ।

“କଳା ବାଦଲ ଘନେଇ ଆସେ । ବର୍ଷା ହେବ ବୋଲି ଚାଷୀମାନେ ଆଶା କରନ୍ତି। କିନ୍ତୁ ତା’ପରେ... କିଛି ହୁଏନି! ଏବଂ ଜାନୁଆରୀରେ, ଧାନ କଟା ହେବା ସମୟରେ ବର୍ଷା ଅଜାଡ଼ି ଦିଏ ଏବଂ ଫସଲ ନଷ୍ଟ ହୋଇଯାଏ । ଆମେ କ’ଣ ବା କରିପାରିବୁ? ମୋ ମତରେ, ଗୋଟିଏ ଫସଲରେ ସବୁ ସମ୍ବଳ ଲଗାଇ ଦିଅନ୍ତୁ ନାହିଁ,” ପରାମର୍ଶ ଦିଅନ୍ତି ରାଜେନ୍ଦ୍ରନ । “କ୍ଷେତ ଧାରରେ ଆଗାଥି (ମହୁଖିଆ ପକ୍ଷୀଙ୍କ ଗଛ ବା ଅଗସ୍ତି ଫୁଲ ଗଛ) ଏବଂ ଶୁଷ୍କ ଅଞ୍ଚଳରେ ତାଳଗଛ ଲଗାନ୍ତୁ । କେବଳ ଚୀନାବାଦାମ ଆଉ ଧାନ ଚାଷ କରି ବସି ପଡ଼ନ୍ତୁ ନାହିଁ ।”

PHOTO • M. Palani Kumar
PHOTO • M. Palani Kumar

କଲସପକ୍କମ ଜୈବିକ ଚାଷ ସାମ୍ମୁଖ୍ୟରେ ବକ୍ତବ୍ୟ ଦେବା ଅବସରରେ ପି.ଟି ରାଜେନ୍ଦ୍ରନ (ବାମ) ଏବଂ ଲେନିନ (ଡାହାଣ)

PHOTO • M. Palani Kumar
PHOTO • M. Palani Kumar

ବାମ: ବୈଠକସ୍ଥଳରେ ଭିନ୍ନ ଭିନ୍ନ ପ୍ରକାରର ମଞ୍ଜିଜାତୀୟ ଶସ୍ୟ, ଡାଲି ଓ ଚାଉଳ ବିକ୍ରି ହେଉଛି । ଡାହାଣ: ଅଂଶଗ୍ରହଣକାରୀମାନଙ୍କୁ ରନ୍ଧାଖାଦ୍ୟ ପରଶା ଯାଉଛି

ଆଉ କେଉଁଠି ହେଉ କି ନହେଉ, ଅନ୍ତତଃ ତିରୁବନମଲାଇ ଜିଲ୍ଲାରେ, ଜୈବିକ ଚାଷୀମାନଙ୍କ ଆନ୍ଦୋଳନ ଅବସରରେ ସେମାନେ ଏଣିକି କୃଷକମାନଙ୍କୁ ଶିକ୍ଷା ଦେବା ଛାଡ଼ି ଉପଭୋକ୍ତାମାନଙ୍କୁ ଶିକ୍ଷିତ କରାଇବାରେ ଲାଗିଛନ୍ତି। “ସବୁବେଳେ ସେହି ଏକା ଧରଣର ଚାଉଳ ମିଳିବ ବୋଲି ଆଶା କରନ୍ତୁ ନାହିଁ।” ସମବେତ କଣ୍ଠରେ ସେମାନେ କହନ୍ତି। “ଗ୍ରାହକମାନେ ପାଞ୍ଚ କିଲୋ ବିଶିଷ୍ଟ ବସ୍ତାରେ ଚାଉଳ ଚାହାଁନ୍ତି। ସେମାନଙ୍କ କହିବା କଥା ଯେ ଅଧିକ ପରିମାଣର ଚାଉଳ ସାଇତି ରଖିବା ଲାଗି ଜାଗା ନାହିଁ।” ପରିହାସ ଛଳରେ ଜଣେ ବୟସ୍କ ଚାଷୀ କହନ୍ତି: “ଆପଣ ଯେତେବେଳେ ଘରଟିଏ କିଣନ୍ତି, କାର୍‌ କି ବାଇକ୍‌ ରଖିବାକୁ ଜାଗା ରଖିଥାଆନ୍ତି, ତେବେ, ଚାଉଳ ରଖିବାକୁ କାହିଁକି ଜାଗା ରଖିବେନି?”

ଅଳ୍ପ ପରିମାଣକୁ ନେଇ ବେଶି ମୁଣ୍ଡ ବିନ୍ଧା ବୋଲି ଚାଷୀମାନେ ଯୁକ୍ତି ବାଢ଼ନ୍ତି । ବଡ଼ ବସ୍ତାରେ ଚାଉଳ ବିକିବା ତୁଳନାରେ ଏଥିରେ ଅଧିକ ସମୟ, ପରିଶ୍ରମ ଓ ଖର୍ଚ୍ଚ ହୋଇଥାଏ । “ଆଜିକାଲି ହାଇବ୍ରିଡ୍‌ ଚାଉଳ ସିପ୍ପମ୍‌ (୨୬ କିଲୋ ବସ୍ତା)ରେ ବିକ୍ରି ହେଉଛି। ଏଥିରେ ଚାଉଳ ପ୍ୟାକିଂ କରିବାରେ ଦଶ ଟଙ୍କାରୁ କମ୍‌ ଖର୍ଚ୍ଚ ହୁଏ । ଅନ୍ୟପକ୍ଷରେ ସେହି ଏକା ପରିମାଣର ଚାଉଳକୁ ପାଞ୍ଚ କିଲୋ ଓଜନ ବ୍ୟାଗରେ ବିକିଲେ ଆମକୁ ୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ,” ଲେନିନ ବୁଝାଇ ଦିଅନ୍ତି । “ ନାକୁ ତାଲ୍ଲୁଦୁ ,” ଦୀର୍ଘଶ୍ୱାସ ଛାଡ଼ି ସେ କହନ୍ତି। ଖଟି ଖଟି ଜିଭ ବାହାରକୁ ବାହାରି ପଡ଼ିଲାଣି- ତାମିଲ ଭାଷାରୁ ଅନୁବାଦ କଲେ ଏହା ମୋଟାମୋଟି ଏହି କଥାକୁ ବୁଝାଏ। “ଗାଁରେ କ’ଣ କେମିତି ହୁଏ, ସେ କଥା ସହରର ଲୋକେ ସବୁବେଳେ ବୁଝି ପାରନ୍ତିନି।”

ଲେନିନଙ୍କ ପାଇଁ କାମ କରିବାର ପରିଭାଷା ବେଶ୍‌ ସରଳ । ଏବଂ ତାଙ୍କ କାର୍ଯ୍ୟ ସମୟ ମଧ୍ୟ । “ମୁଁ ଶୋଇ ନଥିଲେ କି ବାଇକ୍‌ ଚଳାଉ ନଥିଲେ, ତା’ର ଅର୍ଥ କାମ ହିଁ କରୁଛି ।” ହେଲେ ପ୍ରକୃତରେ ସେ ବାଇକ୍‌ ଚଲାଉ ଥିବା ବେଳେ ବି କାମ କରୁଥାଆନ୍ତି । ତାଙ୍କ ବାଇକ୍‌ରେ ବସ୍ତା ବସ୍ତା ଚାଉଳ ବାନ୍ଧି ସେ ଏଣେତେଣେ ଘୂରି ବୁଲୁଥାଆନ୍ତି, ଗ୍ରାହକମାନଙ୍କ ଘରେ ଚାଉଳ ପହଞ୍ଚାଉ ଥାଆନ୍ତି । ତାଙ୍କ ଫୋନ୍‌ ବି ସବୁବେଳେ କାମରେ ଲାଗିଥାଏ । ଭୋର୍‌ ପାଞ୍ଚଟାରୁ ଏହା ବାଜିବା ଆରମ୍ଭ ହୁଏ ଏବଂ ରାତି ଦଶଟା ପର୍ଯ୍ୟନ୍ତ ବାଜିବାରେ ଲାଗିଥାଏ । କେବେ କେମିତି ଅଳ୍ପ ସମୟ ମିଳିଲେ ସେ ତାଙ୍କ ‘ହ୍ୱାଟ୍‌ସଆପ୍‌’ ମେସେଜ୍‌ର ଉତ୍ତର ଦିଅନ୍ତି । ଲେଖିବା ପାଇଁ ତାଙ୍କୁ ସମୟ ବାହାର କରିବାକୁ ପଡ଼େ ।

“ତିରୁବନମଲାଇ ଜିଲ୍ଲାରେ ଆମେ ସବୁ ପ୍ରକାର ପାରମ୍ପରିକ ଧାନ କିସମ ସଂପର୍କିତ ତଥ୍ୟ ସମ୍ବଳିତ ଏକ କ୍ଷୁଦ୍ର ପୁସ୍ତିକା ବାହାର କରିଥିଲୁ ।” ଏହି ପୁସ୍ତିକାଟି ଲୋକପ୍ରିୟ ହେଲା ଏବଂ ଏହାର ଆଦୃତି ଚାରିଆଡ଼କୁ ବ୍ୟାପିଗଲା । “ମୋ ମାମା ପୋନ୍ନୁ (ମାମୁଙ୍କ ଝିଅ) ହ୍ୱାଟ୍‌ସଆପ୍‌ରେ ମୋ ପାଖକୁ ଏହା ପଠାଇ ଥିଲା,” କହି ଲେନିନ ହସନ୍ତି । “ସେ ମୋତେ କହିଲା, “ଦେଖ କେହି ଜଣେ କେତେ ଭଲ ଭାବରେ ଏହା କରିଛନ୍ତି ।” ମୁଁ ତାକୁ କହିଲି ଯେ ଶେଷ ପୃଷ୍ଠାକୁ ଦେଖ । ସେଥିରେ ସେ ମୋ ନାଁ ଦେଖିଲା: ଲେନିନଦାସମ୍ ।”

ଜଣେ ଆତ୍ମବିଶ୍ୱାସୀ ଏବଂ ମୃଦୁଭାଷୀ କୃଷକ ଲେନିନ, ତାମିଲ ଓ ଇଂରାଜୀ କହିବାରେ ପାରଙ୍ଗମ । ଏବଂ ସହଜରେ ଗୋଟିଏ ଭାଷାରୁ ଅନ୍ୟଟିକୁ ଯାଇ ପାରନ୍ତି । ତାଙ୍କ ବାପା ଏଲୁମଲାଇ ଥିଲେ ଜଣେ କମ୍ୟୁନିଷ୍ଟ (ତାଙ୍କ ନାଁରୁ ଏହା ବେଶ୍ ବୁଝିହୁଏ, ଲେନିନ ହସି ଉଠନ୍ତି) । ଯୁବାବସ୍ଥାରେ ଲେନିନ ତାଙ୍କ କ୍ଷେତରେ ଘଣ୍ଟା ଘଣ୍ଟା ବିତାଇଥିଲେ। ହେଲେ ଜଣେ ପୂର୍ଣ୍ଣକାଳୀନ ଜୈବ ଚାଷୀ ଏବଂ ଧାନ ସଂରକ୍ଷକ ହେବା ଲାଗି ତାଙ୍କର କୌଣସି ଯୋଜନା ନଥିଲା ।

PHOTO • M. Palani Kumar

ଅନେକ ପାରମ୍ପରିକ କିସମର ଧାନ ଦେଖାଉଛନ୍ତି ଲେନିନ

“ମୋର ଡବଲ ଗ୍ରାଜୁଏସନ ପରେ, ମୁଁ, ଚେନ୍ନାଇର ଏଗ୍‌ମୋରରେ ଚାକିରି କରି ସେଠାରେ ରହିବାରେ ଲାଗିଲି । ୨୦୧୫ରେ ବଜାର ଗବେଷଣା କରି ମୁଁ ମାସକୁ ୨୫,୦୦୦ ଟଙ୍କା ରୋଜଗାର କରୁଥିଲି । ସେତେବେଳେ ତାହା ଭଲ ରୋଜଗାର ଥିଲା... ।”

ସେଙ୍ଗୁନାମକୁ ଫେରିଆସିବା ପରେ, ରାସାୟନିକ ଦ୍ରବ୍ୟ ପ୍ରୟୋଗ କରି ସେ ଚାଷକାମ ଆରମ୍ଭ କଲେ । ଆମ ପାଖ ଦେଇ ଯାଇଥିବା ରାସ୍ତା ଆଡ଼କୁ ଆଙ୍ଗୁଠି ଦେଖାଇ ସେ କହନ୍ତି, “ମୁଁ ଏଠି ଲାଉ, ବାଇଗଣ ଓ ଟମାଟୋ ଚାଷ କରି ବିକ୍ରି କରୁଥିଲି ।” ଲେନିନ ମଧ୍ୟ ପ୍ରତି ସପ୍ତାହରେ ଉଝାବାର ସାନ୍ଧାଇ (ଚାଷୀମାନଙ୍କ ବସ୍ତି)କୁ ଯାଉଥିଲେ । ସେହି ସମୟରେ ହିଁ ତାଙ୍କର ତିନି ଭଉଣୀଙ୍କର ବିବାହ ହୋଇଥିଲା ।

“ହଳଦୀ ଫସଲ ଅମଳରୁ ମୋ ମଝିଆ ଭଉଣୀର ବିବାହ ବାବଦ ଖର୍ଚ୍ଚ ଭରଣା ହୋଇଥିଲା । ହେଲେ, ଆପଣ ଜାଣନ୍ତି କ’ଣ ହୋଇଥିଲା? ଆମର ସାରା ପରିବାର ହଳଦୀ ସିଝାଇବାରେ ଲାଗି ପଡ଼ିଥିଲା,” ସେ କହନ୍ତି ।

ବିବାହ କରି ଭଉଣୀମାନେ ଶାଶୂଘରକୁ ଚାଲିଯିବା ପରେ ଉଭୟ ଘର ଓ କ୍ଷେତର କାମ କରି ନୟାନ୍ତ ହୋଇପଡ଼ିଲେ ଲେନିନ । ବର୍ଷା ଉପରେ ନିର୍ଭର କରୁଥିବା ଭିନ୍ନ ଭିନ୍ନ ଫସଲର ଚାଷ ସେ ଏକୁଟିଆ କରିପାରିଲେ ନାହିଁ କି ସବୁଦିନ ତୋଳିବା ଓ ବିକିବା କାମ ତୁଲାଇ ପାରିଲେ ନାହିଁ । ଋତୁଭିତ୍ତିକ ଚାଷ କରିବା ବି ସହଜ ନଥିଲା- ଠିକ୍‌ ସମୟରେ ଅମଳ ଏବଂ କୀଟପତଙ୍ଗ, ଶୁଆ ଓ ଜଙ୍ଗଲି ପଶୁମାନଙ୍କ ଦୌରାତ୍ମ୍ୟରୁ ଫସଲ ରକ୍ଷା କରିବାରେ ସବୁ ସମ୍ବଳ ଲାଗି ଯାଉଥିଲା । “ମକା, ଚୀନାବାଦାମ, ବରୁଗୁଡ଼ି ଚାଷକୁ ଜଗିବା ଓ ତୋଳି ଏକାଠି କରିବା ଲାଗି ବହୁ ଲୋକ ଦରକାର ହୁଅନ୍ତି । ବୟସାଧିକ୍ୟ କାରଣରୁ ବାପାମାଆଙ୍କର ସ୍ୱଳ୍ପ ସହାୟତା ମିଳୁଥିବା ବେଳେ ମୁଁ, ମୋର ଦୁଇ ହାତ ଓ ଦୁଇ ଗୋଡ଼ରେ ସବୁ କାମ କେମିତି କରିଥାଆନ୍ତି ?”

ଠିକ୍‌ ସେହି ସମୟରେ, ମାଙ୍କଡ଼ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଥିଲା । “ଆପଣ ସେହି ନଡ଼ିଆ ଗଛକୁ ଦେଖିପାରୁଛନ୍ତି ? ସେହିଠାରୁ ଏ ପର୍ଯ୍ୟନ୍ତ,” ସେ ତାଙ୍କ ମୁଣ୍ଡ ଉପରକୁ ଆଙ୍ଗୁଠି ଦେଖାଇ କହନ୍ତି, “ମାଙ୍କଡ଼ମାନେ ଗଛ ଉପର ଦେଇ ଆସି ପାରନ୍ତି । ସେମାନେ ସେହି ସବୁ ବରଗଛ ଉପରେ ଶୋଇ ପଡ଼ନ୍ତି । ଚାଳିଶରୁ ଷାଠିଏ ଯାଏଁ ମାଙ୍କଡ଼ ଆମ କ୍ଷେତରେ ପଶି ଯାଆନ୍ତି । ସେମାନେ ମୋତେ ଟିକେ ଡରନ୍ତି । ଅନେକ ସମୟରେ ମୁଁ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଘଉଡ଼ାଇ ଦିଏ । ହେଲେ ସେମାନେ ଖୁବ୍‌ ଚାଲାକ । ଏବଂ ମୋ ବାପାମାଆଙ୍କ କ୍ଷେତ୍ରରେ ମନସ୍ତାତ୍ତ୍ୱିକ କୌଶଳ ପ୍ରୟୋଗ କରନ୍ତି । ଗୋଟିଏ ମାଙ୍କଡ଼ ଏଠା ପର୍ଯ୍ୟନ୍ତ ତଳକୁ ଚାଲିଆସିବ । ମୋ ବାପାମାଆ ତାକୁ ଘଉଡ଼ାଇବାକୁ ଯିବା ବେଳେ ସେପଟ ଗଛରୁ ଆଉ ଗୋଟିଏ ଆସି ଫସଲ ମାଡ଼ି ବସିବ । ଗପବହିରେ ଆମେ ଯାହା ପଢୁ ସେ ସବୁ ଭୁଲ କଥା ନୁହେଁ, ମାଙ୍କଡ଼ମାନେ ଖୁବ୍‌ ଚତୁର !”

ପ୍ରାୟ ଚାରି ବର୍ଷ କାଳ ଏହି ମାଙ୍କଡ଼ ଉପଦ୍ରବ ଲାଗି ରହିଲା ଏବଂ ଏଠାକାର ତିନି କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ରହୁଥିବା ଚାଷୀମାନେ ଏଭଳି ଫସଲ କରିବାରେ ଲାଗିଲେ ଯାହାକୁ ମାଙ୍କଡ଼ ଖାଇବେ ନାହିଁ । ଲେନିନ ଓ ତାଙ୍କ ପରିବାର ବି ଧାନ ଓ ଆଖୁ ଚାଷ ଆରମ୍ଭ କଲେ ।

PHOTO • M. Palani Kumar
PHOTO • Sabari Girisan

ବାଇକ୍‌ରେ ଚାଉଳ ବସ୍ତା ରଖୁଛନ୍ତି ଲେନିନ (ବାମ) ଓ ତାଙ୍କ ବନ୍ଧୁ ଏସ୍‌.ବିଘ୍ନେଶ (ଡାହାଣ), ସେ ବି ଜଣେ କୃଷକ ଓ ଶସ୍ୟ ବିତରକ

*****

“ଧାନ ହିଁ ଆମର ଗୌରବ”, ଲେନିନ କହନ୍ତି । “ଏଠାରେ ଏହା ଏକ ସମ୍ମାନଜନକ ଫସଲ । ଅନ୍ୟ କେଉଁ କ୍ଷେତରେ ସେମାନଙ୍କ ଗାଈ ଓ ଛେଳି ପଶି ଗଲେ ପଶୁ ଚରାଳିମାନେ ହୁଏତ ଦେହକୁ କଥା ନେବେନି । କିନ୍ତୁ ଧାନ କ୍ଷେତରେ ପଶିଲେ ସେମାନେ ଆସି କ୍ଷମା ମାଗି ନିଅନ୍ତି । ଏମିତି କି ଭୁଲରେ ହୋଇଥିଲେ ବି । ଏବଂ ସେମାନେ ଏଥିପାଇଁ କ୍ଷତିପୂରଣ ଦେବାକୁ ବି ପ୍ରସ୍ତାବ ଦିଅନ୍ତି । ଧାନ ଚାଷକୁ ଏ ଅଞ୍ଚଳରେ ଏତେ ବେଶି ସମ୍ମାନ ଦିଆଯାଏ ।”

ଧାନ ଫସଲ ସହିତ ଉନ୍ନତ ଜ୍ଞାନକୌଶଳର ଉପଯୋଗ, ଯନ୍ତ୍ରପାତି ବ୍ୟବହାର ସୁବିଧା ଏବଂ ବଜାର ଉପଲବ୍‌ଧତା ମଧ୍ୟ ଯୋଡ଼ି ହୋଇଗଲାଣି । ଲେନିନ ଏହାକୁ କହନ୍ତି ସୌରିୟମ (ଆରାମଦାୟକ) । “ଦେଖନ୍ତୁ, ଚାଷୀମାନେ ଏକ ସାମାଜିକ ସମାଧାନ ନୁହେଁ, ବରଂ ଜ୍ଞାନକୌଶଳ ଭିତ୍ତିକ ସମାଧାନ ଖୋଜୁଛନ୍ତି । ଏବଂ ସେହି ଉପାୟ ଖୋଜୁଛନ୍ତି, ଯାହା ଏକକ ଫସଲ ଦିଗରେ ସେମାନଙ୍କୁ ଆଗେଇ ନେବ ।”

ପରମ୍ପରାଗତ ଭାବେ ଏ ଅଞ୍ଚଳର ଚାଷଜମି ଦୁଇ ଭାଗରେ ବିଭକ୍ତ: ପୁନ୍‌ସେଇ ନିଲମ (ଶୁଷ୍କ ଏବଂ ବୃଷ୍ଟିପାତ ଉପରେ ନିର୍ଭରଶୀଳ ଜମି) ଏବଂ ନାନ୍‌ସେଇ ନିଲମ (ଆର୍ଦ୍ର କିମ୍ବା ଜଳସେଚିତ ଜମି) । “ଯେଉଁ ଜମିରେ ଆପଣ ଭିନ୍ନ ଭିନ୍ନ ପ୍ରକାର ଫସଲ କରିପାରିବେ ତାହା ପୁନ୍‌ସେଇ ,” ଲେନିନ ବୁଝାଇ ଦିଅନ୍ତି । “ମୂଳତଃ, ଆପଣ ଘର ପାଇଁ ଯାହା ସବୁ ଆବଶ୍ୟକ କରନ୍ତି । ଏଠାରେ ଚାଷୀମାନଙ୍କୁ ଯେତେବେଳେ ସମୟ ମିଳେ ସେମାନେ ପୁଝୁଡ଼ି – ଶୁଷ୍କ, ଧୂଳିମିଶା ଜମିରେ- ହଳ କରୁଥିଲେ । ଏହା ସମୟ ଓ ପରିଶ୍ରମ ‘ସଞ୍ଚୟ’ କରି ରଖିବା ଭଳି କଥା, ଠିକ୍‌ ଯେମିତି ଜମିର ଏକ ‘ବ୍ୟାଙ୍କ’ରେ ରଖାଯାଉଛି । କିନ୍ତୁ ଯାନ୍ତ୍ରିକୀକରଣ ସହିତ ସେ ସବୁ କଥା ବଦଳିଗଲାଣି । ଆଜିକାଲି ରାତିକ ଭିତରେ ଆପଣ ୨୦ ଏକର ଚାଷ କରିଦେଇପାରିବେ ।”

ପୁନ୍‌ସେଇ ଚାଷରେ ଚାଷୀମାନେ ଗୋଟିଏ ଅମଳ ଋତୁରେ ଭିନ୍ନ ଭିନ୍ନ ଦେଶୀ କିସମର ଧାନ ଚାଷ କରୁଥିଲେ । “ସେମାନେ ପୁନକର କିମ୍ବା କୁଲ୍ଲଙ୍କର କିସମର ଧାନ ଚାଷ  କରୁଥିଲେ ଏବଂ ଏହି ଦୁଇ କିସମର ଧାନ ଏକା ଭଳି ଦିଶେ” ଲେନିନ କହନ୍ତି । “ଏଥିରେ ପ୍ରଭେଦ ଥାଏ ଫସଲ ଚକ୍ରର ଅବଧିରେ । ଯଦି ପାଣି ସରିଯିବ ବୋଲି ଆପଣ ଚିନ୍ତିତ, ତେବେ ଆପଣ ପୁନ୍‌କର ଧାନ ଲଗାଇବା ଭଲ, ଯାହା କି ୭୫ ଦିନରେ ଅମଳ ପାଇଁ ପ୍ରସ୍ତୁତ ହୋଇଯିବ, ଅନ୍ୟ ଧାନକୁ ଏଥିପାଇଁ ୯୦ ଦିନ ଲାଗିବ ।”

ଲେନିନଙ୍କ କହନ୍ତି ଯେ, ଚାଷର ଯାନ୍ତ୍ରିକୀକରଣ ଯୋଗୁଁ ଛୋଟ ଛୋଟ ଜମିରେ ବି ଧାନ ଚାଷ ସମ୍ଭବ ହେଉଛି । କ୍ଷେତରେ ସେତେ ବେଶି ପାଣି ନ ରହୁଥିଲେ ବି ଚାଷ ହୋଇପାରୁଛି । “ଏ ଅଞ୍ଚଳରେ ୧୦ କି ୧୫ ବର୍ଷ ହେଲା ବଳଦକୁ ଚାଷକାମରେ ଲଗାଯାଇ ନାହିଁ । ଭଡ଼ାରେ ମିଳୁଥିବା (ଏମିତି କି ବିକ୍ରି ପାଇଁ ଥିବା ) ନୂଆ ନୂଆ ଯନ୍ତ୍ରପାତି ସହାୟତାରେ ଗୋଟିଏ କି ଅଧା ଏକର ଜମିରେ ହଳ କରାଯାଇପାରିବ ଏବଂ ଏହା ଯୋଗୁଁ ଅଧିକରୁ ଅଧିକ ଲୋକ ଧାନଚାଷ କରିପାରୁଛନ୍ତି ।” ଅନ୍ୟ କେତେକ ଯନ୍ତ୍ର ବିଷୟରେ ସେ ଅନର୍ଗଳ କହି ଚାଲନ୍ତି, ଯାହା ଦ୍ୱାରା ତଳିପକା, ଚାରାରୋପଣ, ଅନାବନା ଗଛ ସଫା, ଅମଳ ଏବଂ ନଡ଼ାରୁ ଧାନକୁ ଅଲଗା କରିବା କାମ ହୋଇପାରିବ । “ବିହନରୁ ପୁଣି ବିହନ ହେବା ପର୍ଯ୍ୟନ୍ତ – ମେସିନ୍‌ ଆପଣଙ୍କ ପାଇଁ ସବୁ କିଛି କରିପାରିବ । କେବଳ ଏତିକି ଯେ, ଆପଣ ଧାନଚାଷ କରୁଥିବେ ।

ବେଳେବେଳେ ଏହା କେବଳ ଯନ୍ତ୍ର ଓ ମଣିଷ ଭିତରେ ବଳ କଷାକଷିରେ ସୀମିତ ରହେ ନାହିଁ । ରାଶି ଭଳି ବୃଷ୍ଟିଜଳ ଉପରେ ନିର୍ଭରଶୀଳ ଫସଲକୁ ସାଇତି ରଖିବା, ଶୁଖାଇବା ଏବଂ ଗଛରୁ ଶସ୍ୟ ଅଲଗା କରିବା ପାଇଁ ବହୁ ଅଧିକ ଜାଗା ଦରକାର ହୁଏ । “ଚାଷ କରିବା ପାଇଁ ସେତେ ବେଶି ଉଦ୍ୟମ ଦରକାର ନାହିଁ । ଥରେ ବିହନ ବୁଣିଦେଲେ, ଆପଣ ନିଶ୍ଚିନ୍ତରେ ଘରେ ବସି ପାରିବେ,” ବିହନ ବୁଣିବା ଢଙ୍ଗରେ ନିଜ ହାତକୁ ଅର୍ଦ୍ଧବୃତ୍ତାକାରରେ ଘୁରାଇ ଲେନିନ ବୁଝାଇ ଦିଅନ୍ତି । କିନ୍ତୁ ଭଲ ଅମଳ ହେଉଥିବାରୁ ଏହା ବଦଳରେ ଲୋକେ ଧାନଚାଷକୁ ଆଦରି ନେଲେଣି । “ଆପଣ ଯଦି ୨.୫ ଏକର ଜମିରେ ରାଶି ଚାଷ କରନ୍ତି, ତେବେ କେବଳ ଦଶ ବସ୍ତା ଫସଲ ପାଇବେ । ଏହାକୁ ଆପଣ ଭାଗୁଆଳି ଅଟୋ ଭଡ଼ା କରି ବଜାରକୁ ନେଇପାରିବେ । କିନ୍ତୁ ଧାନ ? ଏତେ ଧାନ ଅମଳ ଏତେ ହେବ ଯେ ଗୋଟିଏ ଟିପର ଭର୍ତ୍ତି କରି ନେବାକୁ ହେବ!”

PHOTO • M. Palani Kumar

ପୁନ୍‌କର କିସମର ଧାନ କ୍ଷେତ

PHOTO • M. Palani Kumar
PHOTO • M. Palani Kumar

ବାମ : ଧାନ ଅଲଗା କରିବା ସ୍ଥାନ। ଡାହାଣ : ଗୋଦାମରେ ଲେନିନ

ଏହା ବ୍ୟତୀତ ଅନ୍ୟ ଏକ ଦିଗ ହେଉଛି, ଚାଉଳ ପାଇଁ ଉଦ୍ଦିଷ୍ଟ ନିୟନ୍ତ୍ରିତ କୃଷି ବଜାର । ଏବଂ ସମଗ୍ର ଯୋଗାଣ ଶୃଙ୍ଖଳରେ ଉନ୍ନତ ମାନର ଚାଉଳକୁ ପ୍ରାଥମିକତା ଦିଆଯାଏ । ସବୁଜ ବିପ୍ଳବ ପରେ ସ୍ଥାପିତ ଆଧୁନିକ ଧାନ ମିଲ୍‌ଗୁଡ଼ିକରେ ନିର୍ଦ୍ଧାରିତ ମାନକ ବିଶିଷ୍ଟ ଯନ୍ତ୍ରପାତି ରହିଛି । ଏମିତି କି ଚାଲୁଣିର ବି ମାନ ନିର୍ଦ୍ଧାରିତ ହୋଇଛି । ଏ ସବୁ ଭିନ୍ନ ଭିନ୍ନ ଆକାର ଓ ଆକୃତିର ଦେଶୀ କିସମ ଧାନ ପାଇଁ ଅନୁପଯୁକ୍ତ । ଏହା ବ୍ୟତୀତ, ଆଧୁନିକ ମିଲ୍‌ରେ ରଙ୍ଗିନ ଧାନ ବି ପେଷା ଯାଇପାରିବନି । “ହୁଏତ ଧାନ ମିଲ୍‌ ମାଲିକମାନେ ସବୁଜ ବିପ୍ଳବର ବଡ଼ ପ୍ରଶଂସକ ହୋଇ ନପାରନ୍ତି, ଏମିତି କି ସେ ସଂପର୍କରେ କୌଣସି ମତପୋଷଣ ବି କରି ନପାରନ୍ତି । କିନ୍ତୁ ସେମାନେ ଜାଣନ୍ତି ଯେ ଲୋକେ ସରୁ, ଚକଚକିଆ, ଧଳା ଚାଉଳ ଦରକାର କରନ୍ତି- ସାଧାରଣତଃ ହାଇବ୍ରିଡ୍‌ ଚାଉଳ । ଏବଂ ଏହି ଧରଣର ଧାନ ପେଷିବା ଲାଗି ସେମାନେ ନିଜ ନିଜର ମିଲକୁ ପ୍ରସ୍ତୁତ କରିଥାଆନ୍ତି ।

ସୁତରାଂ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଗତାନୁଗତିକତାରୁ ଦୂରେଇ ଯାଇ ବିବିଧତାର ମୋହରେ ପଡ଼ି ପାରମ୍ପରିକ ଧାନ ଚାଷ କରୁଥିବା ଚାଷୀମାନେ ନିଜ ନିଜର ଜ୍ଞାନ ଉପରେ, ଛୋଟ ଛୋଟ ଧାନକଳ (ଯେଉଁଗୁଡ଼ିକର ସଂଖ୍ୟା ଉଦ୍‌ବେଗଜନକ ଭାବେ କମିବାରେ ଲାଗିଛି) ଏବଂ ଅପ୍ରତ୍ୟାଶିତ ସାମାଜିକ ସହାୟତା ଉପରେ ନିର୍ଭର କରନ୍ତି ବୋଲି ଲେନିନ ବୁଝାଇ ଦିଅନ୍ତି । “ଅନ୍ୟପକ୍ଷରେ ଅଧିକ ଅମଳକ୍ଷମ, ଆଧୁନିକ ଧାନ କିସମ ଲାଗି ଏ ସବୁ ସହଜରେ ଉପଲବ୍‌ଧ ହୋଇଥାଏ ।”

*****

ଚେନ୍ନାଇରୁ ପ୍ରାୟ ୧୯୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ଅବସ୍ଥିତ ତିରୁବନମଲାଇ ଏକ ସ୍ଥଳଭାଗ ଘେରା ଜିଲ୍ଲା । ଅତି କମ୍‌ରେ ଏଠାରେ ବସବାସ କରୁଥିବା ପ୍ରତି ଦୁଇ ଜଣରୁ ଜଣେ ବ୍ୟକ୍ତି “ଚାଷବାସ ସମ୍ବନ୍ଧିତ କାର୍ଯ୍ୟ” ଉପରେ ନିର୍ଭର କରି ଚଳନ୍ତି । ଚିନି କଳ ବ୍ୟତୀତ ଏଠାରେ ଅଗଣିତ ଧାନ ମିଲ୍‌ ରହିଛି ।

୨୦୨୦-୨୧ରେ ଏହା ତାମିଲନାଡୁର ତୃତୀୟ ବୃହତ୍ତମ ଧାନଚାଷ ଜମି ବିଶିଷ୍ଟ ଅଞ୍ଚଳ ରୂପେ ପରିଗଣିତ ହେଉଥିଲା । ହେଲେ ଉତ୍ପାଦନରେ ଏହା ପ୍ରଥମ ସ୍ଥାନରେ ରହିଥିଲା । ସାରା ରାଜ୍ୟର ୧୦ ପ୍ରତିଶତରୁ କିଛି ଅଧିକ ଧାନ ଏହି ଜିଲ୍ଲାରୁ ଉତ୍ପାଦିତ ହୁଏ । ଏମ୍‌.ଏସ୍, ସ୍ୱାମୀନାଥନ ଗବେଷଣା ସଂସ୍ଥାର ଇକୋଟେକ୍ନୋଲୋଜି ବିଭାଗର ପ୍ରଧାନ ବିଜ୍ଞାନୀ ଡକ୍‌ଟର ଆର. ଗୋପୀନାଥ କହନ୍ତି, “ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ତିରୁବନମଲାଇର ଧାନ ଉତ୍ପାଦନ ହାର ଅଧିକ । ଏଠାରେ ହେକ୍‌ଟର ପିଛା ହାରାହାରି ୩,୯୦୭ କିଲୋଗ୍ରାମ ଧାନ ଅମଳ ହେଉଥିବା ବେଳେ ଅନ୍ୟାନ୍ୟ ଜିଲ୍ଲାରେ ଏହା ୩,୫୦୦ କିଲୋଗ୍ରାମ ରହିଛି ।”

ତିରୁବନମଲାଇ ଜିଲ୍ଲାରେ ଧାନଚାଷ ବ୍ୟାପକ ହୋଇଛି ବୋଲି ‘ଏମ୍‌ଏସଏସଆରଏଫ୍’ର ଇକୋଟେକ୍ନୋଲୋଜି ବିଭାଗ ନିର୍ଦ୍ଦେଶକ ଡକ୍‌ଟର ଆର୍‌.ରେଙ୍ଗାଲକ୍ଷ୍ମୀ କହନ୍ତି । “ଏହାର ଅନେକ କାରଣ ରହିଛି । ପ୍ରଥମ, ବର୍ଷା ହେଲା ସମୟରେ ଚାଷୀମାନେ କୌଣସି କଥା ଚିନ୍ତା ନ କରି ଉପଲବ୍‌ଧ ପାଣିର ଯଥାସମ୍ଭବ ସଦୁପଯୋଗ କରିବା ଉଦ୍ଦେଶ୍ୟରେ ଧାନଚାଷ କରନ୍ତି । ଏଥିରୁ ସେମାନଙ୍କର ଭଲ ଅମଳ ହୁଏ ଏବଂ ଭଲ ଲାଭ ବି ମିଳେ । ଦ୍ୱିତୀୟରେ, ଯେଉଁ ଅଞ୍ଚଳରେ ଏହାକୁ ଖାଦ୍ୟ ରୂପେ ବ୍ୟବହାର ନିମନ୍ତେ ଚାଷ କରାଯାଏ, ଅର୍ଥାତ୍‌ ପରିବାରର ଖାଦ୍ୟ ସୁରକ୍ଷା ନିମନ୍ତେ, ସେଠାରେ ଚାଷୀମାନେ ଏହାକୁ ନିଶ୍ଚିତ ରୂପେ ଚାଷ କରିବେ । ଏବଂ ଶେଷରେ, ଭୂତଳ ଜଳସେଚନ ପରିମାଣ ବୃଦ୍ଧି ହେବା ସହିତ, ଏକାଧିକ ଅମଳ ଋତୁରେ ଅଧିକରୁ ଅଧିକ ଧାନ ଚାଷ କରାଯାଉଛି । ତେଣୁ, ଭୂପୃଷ୍ଠ ଜଳ ଉପରେ ନିର୍ଭରଶୀଳ ଧାନର ଚାଷଜମି ପରିମାଣ ବଢ଼ି ନଥିଲେ ହେଁ, ଉତ୍ପାଦନ ବଢ଼ିଛି ।”

ଧାନ ଏକ ତୃଷାର୍ତ୍ତ ଫସଲ । ଡକ୍‌ଟର ଗୋପୀନାଥ କହନ୍ତି, “ଜାତୀୟ କୃଷି ଓ ଗ୍ରାମାଞ୍ଚଳ ଉନ୍ନୟନ ବ୍ୟାଙ୍କ ବା ‘ନାବାର୍ଡ’ ପକ୍ଷରୁ ପ୍ରକାଶିତ ‘ୱାଟର ପ୍ରଡକ୍‌ଟିଭିଟି ମ୍ୟାପିଂ ଅଫ୍‌ ମେଜର ଇଣ୍ଡିଆନ କ୍ରପ୍‌ସ (୨୦୧୮) ଅନୁସାରେ, ଗୋଟିଏ କିଲୋ ଚାଉଳ ଉତ୍ପାଦନ ଲାଗି ୩,୦୦୦  ଲିଟର ପାଣି ଦରକାର ହୋଇଥାଏ । ପଞ୍ଜାବ ଓ ହରିଆଣା ଅଞ୍ଚଳରେ ଏହି ଆବଶ୍ୟକତା ୫,୦୦୦ ଲିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ।”

PHOTO • M. Palani Kumar

ଲେନିନଙ୍କ କ୍ଷେତରେ ସଦ୍ୟ ରୋପଣ କରାଯାଇଥିବା ଧାନ ତଳି

ଲେନିନଙ୍କ କ୍ଷେତ ନିର୍ଭର କରେ ୧୦୦ ଫୁଟ ଗଭୀର ଏକ ଖୋଳା କୂଅ ଉପରେ । “ଏହା ଆମ ଫସଲ ପାଇଁ ଯଥେଷ୍ଟ । ଆମେ ଗୋଟିଏ ତିନି ଇଞ୍ଚର ପାଇପ୍‌ ଲାଗିଥିବା ମୋଟରକୁ ଥରକରେ ଦୁଇ ଘଣ୍ଟା ପାଇଁ ଚଲାଉ । ଅତି ବେଶୀରେ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ । କିନ୍ତୁ, ମୁଁ ଏହାକୁ ଚଲାଇ ଦେଇ ଛାଡ଼ି ଦେଇ ପାରିବିନି କି ବୁଲି ଯାଇ ପାରିବିନି... ।”

୨୦୦୦ରୁ ୨୦୧୦ ମସିହା ଭିତରେ ଜଳସେଚନ କ୍ଷମତା ବୃଦ୍ଧି ପାଇଛି ବୋଲି ଡକ୍‌ଟର ରେଙ୍ଗାଲକ୍ଷ୍ମୀ ସୂଚାଇ ଦିଅନ୍ତି । “ପ୍ରାୟ ସେହି ସମୟରେ ଅଧିକ ଅଶ୍ୱଶକ୍ତି କ୍ଷମତାସଂପନ୍ନ ବୋର୍‌ୱେଲ ମୋଟର ବି ଉପଲବ୍‌ଧ ହେବାରେ ଲାଗିଲା । ତା ସହିତ ଡ୍ରିଲିଂ ମେସିନ୍‌ର ଉପଯୋଗ ବି ସାଧାରଣ ହୋଇଗଲା । ତାମିଲନାଡୁର ତିରୁଚେଙ୍ଗୋଡ଼େ ବୋର୍‌ୱେଲ ଯନ୍ତ୍ରପାତି ବିକ୍ରିର କେନ୍ଦ୍ର ସ୍ଥଳ । ବେଳେବେଳେ କୃଷକମାନେ ପ୍ରତି ତିନିରୁ ଚାରି ବର୍ଷରେ ନୂଆ ବୋର୍‌ୱେଲ ସ୍ଥାପନ କରନ୍ତି । ଯଦି ସେମାନେ କେବଳ ବର୍ଷା ଉପରେ ନିର୍ଭର କରୁଥାଆନ୍ତି, ତେବେ ସେମାନେ ତିନିରୁ ପାଞ୍ଚ ମାସ ପର୍ଯ୍ୟନ୍ତ କାମ କରିବେ । ଜଳସେଚନ ସୁବିଧା ଯୋଗୁଁ ସେମାନେ ବର୍ଷ ସାରା କାର୍ଯ୍ୟ କରିବାରେ ଲାଗିଲେ ଏବଂ ଉତ୍ପାଦନକ୍ଷମତା ମଧ୍ୟ ପ୍ରଭାବିତ ହେଲା ନାହିଁ । ସୁତରାଂ, ଏହା ଧାନଚାଷରେ ଏକ ନୂଆ ମୋଡ଼ ଥିଲା । ୧୯୭୦ ଦଶକ ପର୍ଯ୍ୟନ୍ତ ପ୍ରାୟତଃ ଏହା ଏକ ଉତ୍ସବ ସମୟର ଖାଦ୍ୟ ଥିଲା । ଏବେ ଏହା ସବୁଦିନ ରନ୍ଧା ଯାଉଛି । ସଂଯୋଗବଶତଃ ଚାଉଳର ବର୍ଦ୍ଧିତ ବ୍ୟବହାର ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ଏହା ପ୍ରଚୁର ପରିମାଣରେ ଉପଲବ୍‌ଧ ହେଉଛି ।”

ଏବେ ତାମିଲନାଡୁର ମୋଟ ଚାଷଜମି ମଧ୍ୟରୁ ୩୫ ପ୍ରତିଶତ ଜମିରେ ଧାନଚାଷ କରାଯାଉଛି । ହେଲେ କେତେ ଜଣ ବା ଦେଶୀ କିସମର ଧାନ ଚାଷ କରୁଛନ୍ତି, ତାହା ବି ଜୈବିକ ପଦ୍ଧତିରେ?

ଏହା ଏକ ଭଲ ପ୍ରଶ୍ନ, ଅଳ୍ପ ହସି ଲେନିନ କହନ୍ତି । “ଆପଣ ଯଦି ଏହି ହିସାବକୁ ଏକ ଏକ୍‌ସେଲ୍‌ ଶିଟ୍‌ରେ ଉତାରିବେ, ତା’ହେଲେ ଦେଖିବେ ଯେ ମାତ୍ର ୧ କି ୨ ପ୍ରତିଶତ ଜଳସେଚିତ ଧାନକ୍ଷେତରେ ପାରମ୍ପରିକ କିସମର ଧାନ ଚାଷ କରାଯାଉଛି । ହେଲେ ଏଥିରେ ବଡ଼କଥା ହେଲା ଯେ ଏହି ସବୁ ଜମି ସାରା ରାଜ୍ୟରେ ଖେଳାଇ ହୋଇ ରହିଛି ।”

କିନ୍ତୁ, ଲେନିନ ପଚାରନ୍ତି, ଆଧୁନିକ କିସମର ଧାନଚାଷ କରୁଥିବା ଚାଷୀମାନେ କେଉଁ ପ୍ରକାରର ପ୍ରଶିକ୍ଷଣ ପାଆନ୍ତି? “ଏସବୁ କେବଳ ଉତ୍ପାଦନ ବଢ଼ାଇବା କଥା । ଏବଂ ଆୟ ବଢ଼ାଇବା କଥା । ସବୁ ନିର୍ଦ୍ଦେଶ ‘ଉପର ମୁଣ୍ଡରୁ ତଳକୁ’, ଚେନ୍ନାଇ କିମ୍ବା କୋଏମ୍ବାଟୁରରୁ ବିଭିନ୍ନ ବ୍ଲକ୍ ଏବଂ ଚାଷୀମାନଙ୍କ ପାଖକୁ ଆସେ । ଏଇଟା କ’ଣ ସେମାନଙ୍କ (ଚିନ୍ତାଧାରାକୁ) ପ୍ରତିରୋଧ କରିବାର ବାଟ ନୁହେଁ?” ଲେନିନ ବିସ୍ମୟ ପ୍ରକାଶ କରନ୍ତି ।

ସେ କହନ୍ତି, ମାନ ବୃଦ୍ଧି କଥା କହିବା ସମୟରେ ହିଁ କେବଳ ଥରଟିଏ ସେମାନେ ‘ତଳୁ ଉପରକୁ’ ବଢ଼ିବାର ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ କରନ୍ତି । “ଆମକୁ ଚାଉଳ ପ୍ରକ୍ରିୟାକରଣ, ପ୍ୟାକିଂ ଭଳି ବିଭିନ୍ନ ବିଷୟରେ ନିର୍ଦ୍ଦେଶ ଦିଆଯାଏ ।” କେବଳ ଉତ୍ପାଦନ ଓ ଲାଭ ଉପରେ ଗୁରୁତ୍ବାରୋପ କରାଯାଉଥିବାରୁ ଚାଷୀଙ୍କ ଆଖି ଖୋସି ହୋଇଯାଏ । ଏବଂ କେବଳ ଅଧିକରୁ ଅଧିକ ଫସଲ ଅମଳ ପଛରେ ଧାଇଁବାକୁ ସେ ବାଧ୍ୟ ହୁଏ ।

PHOTO • M. Palani Kumar

ଲେନିନ ଓ ତାଙ୍କ ବନ୍ଧୁମାନେ ଭିନ୍ନ ଭିନ୍ନ କିସମର ଧାନ ଦେଖାଉଛନ୍ତି

ଲେନିନଙ୍କ କହିବା କଥା ଯେ, ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀମାନେ ବିବିଧତା, ସ୍ଥାୟିତ୍ୱ ଏବଂ ଅନ୍ୟ ସେହି ସବୁ ପ୍ରସଙ୍ଗ ପ୍ରତି ଆଗ୍ରହ ପ୍ରକାଶ କରନ୍ତି, ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼େ । “ସବୁ ଅଂଶଗ୍ରହଣକାରୀଙ୍କୁ ସମାନ ବୋଲି ବିଚାର କରି, ସମସ୍ତେ ଏକାଠି ବସି, ଧାନ ଉପରେ କିମ୍ବା ଧାନଚାଷ ଉପରେ, କୌଣସି ଆଲୋଚନା ହେବା ଠିକ୍‌ ନୁହେଁ କି? ଏଥିରେ ଗଭୀର ଅଭିଜ୍ଞତା ଥିବା ଚାଷୀମାନଙ୍କୁ ଏଥିରୁ ବାଦ୍‌ ଦିଆଯାଏ କାହିଁକି?” ସେ ପଚାରନ୍ତି ।

ତିରୁବନମଲାଇରେ, “ବିଶେଷତଃ ଯୁବ ଚାଷୀଙ୍କ ମଧ୍ୟରେ, ଜୈବିକ ପଦ୍ଧତିରେ ଚାଷ ଖୁବ୍‌ ଲୋକପ୍ରିୟ, ।  ଅନ୍ତତଃ ୨୫ରୁ ୩୦ ବର୍ଷ ବୟସ ବର୍ଗର ଅଧା ଯୁବ ଚାଷୀ ରାସାୟନିକ ଦ୍ରବ୍ୟ ମୁକ୍ତ ଚାଷ କରନ୍ତି,” ଲେନିନ କହନ୍ତି । ତେଣୁ ଏଠାକାର ବାସ୍ତବ କ୍ଷେତ୍ରରେ କାର୍ଯ୍ୟଧାରା ବେଶ୍‌ ସୁଦୃଢ଼ । ଏହି ଜିଲ୍ଲାରେ ଅନେକ ପରାମର୍ଶଦାତା ଅଛନ୍ତି । “ଜମି ମାଲିକଙ୍କଠାରୁ ଆରମ୍ଭ କରି ଗୋଟିଏ ସେଣ୍ଟ ପରିମାଣର ଜମି ନଥିବା ଲୋକଙ୍କ ପର୍ଯ୍ୟନ୍ତ, ସମସ୍ତେ ତୁଲାଇ ଆସିଛନ୍ତି ଜଣେ ଜଣେ ଶିକ୍ଷାଦାତାଙ୍କ ଦାୟିତ୍ୱ !” କଲସପକ୍କମ ସାମ୍ମୁଖ୍ୟର ପ୍ରତିଷ୍ଠାତା ଭେଙ୍କଟଚଲମ ଆଇୟା, ତାମିଲନାଡୁରେ ଜୈବିକ ଚାଷର ଜନକ ରୂପେ ଅଭିହିତ ନାମ୍ମଲବାର, ଦାର୍ଶନିକ ଓ ଜୈବ ଚାଷୀ ପାମାୟନ, ଜୈବଚାଷୀ ମୀନାକ୍ଷୀ ସୁନ୍ଦରମ, ଏବଂ କୃଷି ବିଜ୍ଞାନୀ ଡକ୍‌ଟର ଭି. ଆରିବୁଦାଇ ନାମ୍ବିଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରି ସେ କହନ୍ତି ଯେ, ଏମାନେ ସମସ୍ତେ ଏ ଜିଲ୍ଲାର ଯୁବ ପିଢ଼ିକୁ ବ୍ୟକ୍ତିଗତ ପ୍ରେରଣା ଯୋଗାଇ ଆସିଛନ୍ତି । “ଏତେ ସବୁ ବିଶିଷ୍ଟ ବ୍ୟକ୍ତିଙ୍କ ପାଖରୁ ଆମେ ଶିକ୍ଷାଲାଭ କରିଛୁ ।”

କେତେକ ଚାଷୀଙ୍କର (ଅଣ-କୃଷି କ୍ଷେତ୍ରରୁ) ଅତିରିକ୍ତ ଆୟ ପନ୍ଥା ରହିଛି । “ସେମାନେ ଜାଣନ୍ତି ଯେ, ଚାଷବାସରୁ ମିଳୁଥିବା ଅର୍ଥ ପର୍ଯ୍ୟାପ୍ତ ହେବ ନାହିଁ ।” ଅନ୍ୟ ସୂତ୍ରରୁ ହେଉଥିବାରୋଜଗାରରେ କିଛି ମାତ୍ରାରେ ଘରଖର୍ଚ୍ଚ ତୁଲାଇ ହୁଏ ।

ତୃତୀୟ ଥର ପାଇଁ ୨୦୨୪ ମସିହା ମାର୍ଚ୍ଚରେ ଲେନିନଙ୍କ ସହ ଦେଖା ହେବା ସମୟରେ ସେ କହନ୍ତି ଯେ, ଜଣେ ଚାଷୀ କେବେହେଲେ ଶିଖିବା ବନ୍ଦ କରେ ନାହିଁ । “ଅନୁଭୂତି ହିଁ ମୋତେ ଫସଲ ସଂପର୍କରେ ଶିକ୍ଷା ଦିଏ: କେଉଁ କିସମରେ ବଡ଼ ବଡ଼ ଗଛ ହେବ ଏବଂ ଭଲ ଅମଳ ହେବ । ଆଉ କେଉଁ କିସମ ବର୍ଷାରେ ବି ନଷ୍ଟ ହେବ ନାହିଁ, ଏମିତି ଅନେକ କିଛି । ମୁଁ ମଧ୍ୟ ସେହି ୪ସି ତତ୍ତ୍ବ ଉପରେ ନିର୍ଭର କରେ: କନ୍‌ଜରଭେସନ (ସଂରକ୍ଷଣ), କଲ୍‌ଟିଭେସନ (ଚାଷ), କନ୍‌ଜମ୍ପସନ୍‌ (ବ୍ୟବହାର) ଏବଂ କମର୍ସ (ବାଣିଜ୍ୟ) ।”

ଚାଳିଆରୁ ବାହାରି ଚାଲି ଚାଲି ଆମେ ତାଙ୍କ କ୍ଷେତ ଆଡ଼କୁ ଯାଉ । ବିରି କ୍ଷେତ, ଆଖୁ କିଆରି କଡ଼େ କଡ଼େ, ସମତଳ ଛାତ ବିଶିଷ୍ଟ କେତେକ ଛୋଟ ଛୋଟ ଘର ଗଢ଼ି ଉଠିଥିବା ଜମି ‘ପ୍ଲଟ୍‌’ ଭିତର ଦେଇ ଗଲେ ଏହାର ଦୂରତା ଖୁବ୍‌ କମ୍‌ । “ଏଠାକାର ଜମି ଏବେ ବର୍ଗଫୁଟ ହିସାବରେ ବିକ୍ରି ହେଉଛି,” ଦୀର୍ଘଶ୍ୱାସ ଛାଡ଼ି ଲେନିନ କହନ୍ତି । “ଏମିତି କି ସମାଜବାଦୀ ଚିନ୍ତାଧାରାର ଲୋକେ ବି ପୁଞ୍ଜିବାଦର ମୋହରେ ପଡ଼ି ଯାଇଛନ୍ତି ।”

ସେ ତାଙ୍କର ୨୫ ସେଣ୍ଟ (ଏକରର ଏକ ଚତୁର୍ଥାଂଶ) ଜମିରେ ପୁନ୍‌କର ଚାଷ କରନ୍ତି । “ଆଉ ଜଣେ ଚାଷୀଙ୍କୁ ମୁଁ ପୁନ୍‌କର ବିହନ ଦେଇଥିଲି । ଅମଳ ପରେ ସେ ମୋତେ ତାହା ଫେରାଇ ଦେଇଥିଲେ ।” ବିନା ଖର୍ଚ୍ଚରେ ଏଭଳି ଅଦଳବଦଳ ହେଉଥିବାରୁ ବିହନର ପ୍ରଚଳନ ବଢ଼ି ଚାଲେ ।

ଅନ୍ୟ ଖଣ୍ଡେ ଜମିରେ ସେ ଆସକୁ ଭାରାଇପୁ ସାମ୍ବା ନାଁରେ ପରିଚିତ କିସମ ଦେଖାଇ ଦିଅନ୍ତି । “ଅନ୍ୟ ଜଣେ ବିହନ ସଂରକ୍ଷକ କାର୍ତି ଆନ୍ନା , ମୋତେ ଏହି ବିହନ ଦେଇଥିଲେ ।” କେତେକ ପାଚିଲା ଧାନ କେଣ୍ଡାକୁ ଏକାଠି କରି ହାତରେ ବିଡ଼ା ବାନ୍ଧୁ ବାନ୍ଧୁ ଲେନିନ କହନ୍ତି, “ଆମକୁ ଏହି କିସମର ଧାନ ଚାଷ କରିବାକୁ ପଡ଼ିବ।” ଗଛରୁ କମନୀୟ ଭାବରେ, ଭାରାଇପୁ (କଦଳୀ ଫୁଲ) ଭଳି ଲମ୍ବି ଆସିଥିଲା ଧାନ କେଣ୍ଡାଗୁଡ଼ିକ, ସତେ ଯେମିତି କେହି ଜଣେ ନିଖୁଣ ସ୍ୱର୍ଣ୍ଣକାରଙ୍କ ହାତଗଢ଼ା ଗହଣାର ସମ୍ଭାର।

PHOTO • M. Palani Kumar
PHOTO • M. Palani Kumar

ଲେନିନ ଆମକୁ ଭାରାଇପୁ ସାମ୍ବା କିସମର ପାରମ୍ପରିକ ଧାନ ଦେଖାନ୍ତି

ବିଭିନ୍ନ ସ୍ଥାନରେ କୃଷି ବିବିଧତା ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରି ସରକାର ମଧ୍ୟ ଜୈବିକ ପଦ୍ଧତିରେ ଓ ଦେଶୀ କିସମର ଧାନ ଚାଷକୁ ଲୋକପ୍ରିୟ କରାଇବା ଦିଗରେ ଉଦ୍ୟମ କରୁଛନ୍ତି ବୋଲି ସ୍ୱୀକାର କରନ୍ତି ଲେନିନ। “ରାତିକ ଭିତରେ ସବୁ କିଛି ବଦଳାଇ ଦେବା ସମ୍ଭବ ନୁହେଁ। ସେମାନେ କ’ଣ ସବୁ ସାର କାରଖାନା ଓ ବିହନ ଦୋକାନକୁ ବନ୍ଦ କରିଦେଇପାରିବେ, ପାରିବେ କି ? ପରିବର୍ତ୍ତନ ଧୀରେ ଧୀରେ ହେବ,” ସେ କହନ୍ତି।

୨୦୨୪ର କୃଷି ବଜେଟ୍‌ ଉପସ୍ଥାପନ ଅବସରରେ ସେ ଦେଇଥିବା ଅଭିଭାଷଣରେ ତାମିଲନାଡୁର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏମ୍‌.ଆର.କେ. ପନ୍ନିରସେଲ୍‌ଭମ କହିଥିଲେ ଯେ, ପାରମ୍ପରିକ କିସମର ଧାନ ସଂରକ୍ଷଣ ନିମନ୍ତେ ପ୍ରଣୀତ ନେଲ ଜୟରାମନ ଅଭିଯାନରେ “୨୦୨୩-୨୦୨୪ରେ ୧,୨୪୦୦ ଏକର ଚାଷଜମିରେ ପାରମ୍ପରିକ କିସମର ଧାନଚାଷ କରି ୨୦,୯୭୯ କୃଷକ ଲାଭବାନ ହୋଇଛନ୍ତି ।”

ଏହି ଅଭିଯାନ, ତାମିଲନାଡୁରେ ‘ଆମ ଧାନ ବଞ୍ଚାଅ ଅଭିଯାନ’ର ଏକ ଅଂଶ ରୂପେ ୨୦୦୭ରେ ଆୟୋଜିତ ନେଲ ତିରୁବିରା ଶୀର୍ଷକ ପାରମ୍ପରିକ ଧାନ ବିହନ ବିନିମୟ ଉତ୍ସବର ମୁଖ୍ୟ ଆୟୋଜକ (ସ୍ୱର୍ଗତ) ନେଲ ଜୟରାମନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି। “୧୨ ବର୍ଷ ଭିତରେ ସେ ଓ ତାଙ୍କ ଅନୁଗାମୀ, ଉତ୍ସାହୀ ଜୈବ ଚାଷୀ ଏବଂ ବିହନ ସଂରକ୍ଷକମାନେ ମିଶି  ପ୍ରାୟ ୧୭୪ ପ୍ରକାରର ବିହନ ସଂଗ୍ରହ କରିଥିଲେ, ଯେଉଁଥିରୁ ଅଧିକାଂଶ ବିଲୁପ୍ତ ହେବା ସ୍ଥିତିରେ ରହିଥିଲା ।”

କିଭଳି ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ପାରମ୍ପରିକ ଚାଉଳକୁ ଲୋକପ୍ରିୟ କରାଇବାକୁ ହେବ ସେ କଥା ଲେନିନ ଭଲ ଭାବେ ଜାଣନ୍ତି। “ସଂରକ୍ଷଣ ହେଉଛି ମୂଳ କ୍ଷେତ୍ର, ଯେଉଁଠାରେ କି ଛୋଟ ଛୋଟ ଜମିରେ ଧାନଚାରା ଲଗାଯାଏ। ଆନୁବଂଶିକ ଶୁଦ୍ଧତା ଏବଂ ବିହନ କିସମର ସୁରକ୍ଷା ଉପରେ ଏଥିରେ ଗୁରୁତ୍ୱ ପ୍ରଦାନ କରାଯାଏ। ଏହି ଚାଷ କରିବାକୁ ହେଲେ ଏ ସଂପର୍କରେ ଲୋକେ ଜାଣିବା ହିଁ ବଡ଼କଥା । ଯାହା ଫଳରେ କି ଆପଣ ସମାଜରୁ ସହଯୋଗ ପାଇପାରିବେ । ଶେଷ ଦୁଇଟି ‘ସି’ – କନ୍‌ଜମ୍ପସନ୍‌ ଏବଂ କମର୍ସ (ବ୍ୟବହାର ଏବଂ ବାଣିଜ୍ୟ) ପରସ୍ପରର ପରିପୂରକ। ଆପଣ ଏଥିପାଇଁ ବଜାର ସୃଷ୍ଟି କରି ଏହାକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବେ। ଉଦାହରଣ ସ୍ୱରୂପ, ସୀରାଗା ସାମ୍ବା ରୁ ଆମେ ଆଭଲ (ଚୁଡ଼ା) କରିବାକୁ ଚେଷ୍ଟା କଲୁ। ଏହା ଖୁବ୍ ଆଦୃତି ଲାଭ କଲା,” ଖୁସିରେ ସେ କହନ୍ତି। “ଏବେ ଆମେ ବିଭିନ୍ନ ପୁରୁଣା ପଦ୍ଧତିର ପୁନଃ ପ୍ରଚଳନ ସହିତ ସେଗୁଡ଼ିକୁ ଲୋକପ୍ରିୟ କରାଇବାକୁ ଚିନ୍ତା କରିଛୁ!”

ତାମିଲନାଡୁରେ ସୀରାଗା ସାମ୍ବା ର ଏକ  ‘ଚମତ୍କାର ବଜାର’ ରହିଛି ବୋଲି ଲେନିନ କହନ୍ତି । “ବିରିୟାନି ପାଇଁ ସେମାନେ ବାସମତୀ ତୁଳନାରେ ଏହାକୁ ଅଧିକ ପସନ୍ଦ କରନ୍ତି । ସେହି କାରଣରୁ ହିଁ ଏଠାକାର କୌଣସି ସ୍ଥାନରେ ବାସମତୀ ପ୍ରକ୍ରିୟାକରଣ କେନ୍ଦ୍ର ନାହିଁ ।” ଦୁରରୁ କେତେକ ଗାଡ଼ି ହର୍ଣ୍ଣର ସମ୍ମିଳିତ ସ୍ୱର ଶୁଭେ, ସତେ ଯେମିତି ସେମାନେ ବି ସୀରାଗା ସାମ୍ବା ର ଜୟଜୟକାର କରୁଛନ୍ତି । ସେହିଭଳି, କାରୁପ୍ପୁ କାବୁନି କୁ ଧୋନିଙ୍କ ଛକ୍କା ସହିତ ତୁଳନା କରନ୍ତି ଚାଷୀମାନେ । ଏଥିରେ କେବଳ ଗୋଟିଏ କଥାକୁ ଲକ୍ଷ୍ୟରେ ରଖିବାକୁ ହେବ। “ମନେ କରନ୍ତୁ ବହୁତ ବଡ଼ ଜମିର ଜଣେ ମାଲିକ ଏ ଦିଗରେ ମନ ବଳାଇଲେ ଏବଂ କାରୁପ୍ପୁ କାବୁନି ଚାଉଳ ଚାଷ କଲେ ଏବଂ ଧରନ୍ତୁ, ସେ ୨,୦୦୦ ବସ୍ତା ଅମଳ କଲେ । ଏହା ଯୋଗୁଁ ହିଁ ଦର ଅଚାନକ ଖସିଯିବ ଏବଂ ସବୁ କାରବାର ଗଡ଼ବଡ଼ ହୋଇଯିବ।” ଛୋଟ ଛୋଟ ଚାଷଜମିରୁ ଉପଲବ୍‌ଧ ସୁବିଧା- ସେଗୁଡ଼ିକରୁ ହେଉଥିବା ଫସଲର ବିବିଧତା ଏବଂ ସ୍ୱଳ୍ପ ପରିମାଣ- ଅତି ଶୀଘ୍ର ଏକ ଗୁରୁତର ସମସ୍ୟା ରୂପେ ଉଭା ହେବ।

PHOTO • M. Palani Kumar
PHOTO • M. Palani Kumar

ବାମ: ଲେନିନ ଚାଷ କରିଥିବା କାରୁପ୍ପୁ କାବୁନି କିସମର ଧାନ । ଡାହାଣ: ବୈଠକସ୍ଥଳରେ ବିକ୍ରି କରାଯାଉଥିବା  ଇଲ୍ଲାପାଇପୁ ସାମ୍ବା ନାମକ ଏକ ପାଲିସ୍‌ କରାଯାଇ ନଥିବା ଧାନ

*****

ଚାଷୀମାନଙ୍କ ପାଇଁ ସବୁଠାରୁ ବଡ଼ ପ୍ରୋତ୍ସାହନ, ଏବଂ ଯାହା ଅତି ସହଜରେ ବୁଝିହୁଏ, ତାହା ହେଲା ଅର୍ଥନୈତିକ ପ୍ରୋତ୍ସାହନ । ଜୈବିକ ପଦ୍ଧତିରେ ପାରମ୍ପରିକ କିସମର ଧାନଚାଷ ଲାଭଦାୟକ ହେବ କି ନାହିଁ? “ହଁ, ହେବ,” ନରମ ଅଥଚ ଦୃଢ଼ ସ୍ୱରରେ ଲେନିନ କହନ୍ତି ।

ଲେନିନଙ୍କ ହିସାବ ଅନୁସାରେ ଗୋଟିଏ ଏକରରୁ ୧୦,୦୦୦ ଟଙ୍କା ଲାଭ ହେବ। “ଗୋଟିଏ ଏକର ଜମିରେ ଜୈବିକ ପଦ୍ଧତିରେ ପାରମ୍ପରିକ ଧାନଚାଷ କଲେ ୨୦,୦୦୦ ଟଙ୍କା ବିନିଯୋଗ କରିବାକୁ ହେବ। ସାର ପ୍ରୟୋଗ କଲେ ଏହା ୩୦,୦୦୦ରୁ ୩୫,୦୦୦ ଟଙ୍କା ଭିତରେ ରହିବ। ସେହି ଅନୁପାତରେ ଅମଳ ମଧ୍ୟ ହେବ। ପାରମ୍ପରିକ ଧାନଚାଷରେ ହାରାହାରି ଗୋଟିଏ ବସ୍ତାରେ ୭୫ କିଲୋଗ୍ରାମ ହିସାବରେ ୧୫ରୁ ୨୨ ବସ୍ତା ଚାଉଳ ବାହାରିବ। ଆଧୁନିକ କିସମ ଧାନ ଚାଷରେ ଏହା ପ୍ରାୟ ୩୦  ବସ୍ତା ହେବ ।”

ଲେନିନ ନିଜେ ଅଧିକ ପରିଶ୍ରମ କରି ଚାଷ ବାବଦ ଖର୍ଚ୍ଚ କମ୍ କରିଥାନ୍ତି । ଅମଳ ପରେ ସେ ନିଜେ ବିଡ଼ା ବାନ୍ଧନ୍ତି, ଧାନ ମଡ଼ାନ୍ତି ଏବଂ ଗଛରୁ ଧାନ ଅଲଗା କରି ବସ୍ତାରେ ପୂରାଇ ରଖନ୍ତି । ଏଥିରୁ ତାଙ୍କର ଏକର ପିଛା ପ୍ରାୟ ୧୨,୦୦୦ ଟଙ୍କା ଖର୍ଚ୍ଚ ବଞ୍ଚିଯାଏ । କିନ୍ତୁ ଏଥିରେ ନିୟୋଜିତ ଶ୍ରମର ଉଚିତ ମୂଲ୍ୟାୟନ କିମ୍ବା ଏହାକୁ ଭାବପ୍ରବଣ ଭାବରେ ଗ୍ରହଣ ନ କରିବା ଦିଗରେ ସେ ସତର୍କ ଥାଆନ୍ତି । “ମୁଁ ଭାବୁଛି, ଏ ସଂପର୍କରେ ଆମର ଆହୁରି ଅଧିକ ସ୍ଥାନୀୟ ତଥ୍ୟ ଆବଶ୍ୟକ । ମନେ କରନ୍ତୁ, ୩୦ ସେଣ୍ଟ ଜମିରେ ମାପିଲ୍ଲାଇ ସାମ୍ବା ଭଳି ପାରମ୍ପରିକ ଧାନଚାଷ କ୍ଷେତ୍ରରେ ହାତରେ ଚାଷ କଲେ କେତେ ଖର୍ଚ୍ଚ ହେବ ଏବଂ ମେସିନ୍‌ ଲଗାଇ ଚାଷ କଲେ କେତେ ଖର୍ଚ୍ଚ ହେବ ତାହା ହିସାବ କରି ଦେଖିବା ଏବଂ ଏହାକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ।” ସେ ଖୁବ୍‌ ବ୍ୟାବହାରିକ ଏବଂ ବାସ୍ତବବାଦୀ ଚିନ୍ତାଧାରାର ମଣିଷ ଏବଂ ତାଙ୍କର ସ୍ପଷ୍ଟ ମତ ଯେ, ଚାଷକାମରେ ଯନ୍ତ୍ରପାତିର ଉପଯୋଗ ଯୋଗୁଁ ପରିଶ୍ରମ କମିବ ସିନା, ଖର୍ଚ୍ଚ କମିବ ନାହିଁ । “ଏଥିରେ ଖର୍ଚ୍ଚ କମ୍‌ ହେଲେ ବି ଏଥିରେ ଚାଷୀର କିଛି ଲାଭ ନାହିଁ । ଏହା ଏମିତି ପବନରେ ମିଳାଇ ଯାଏ ।”

ଦେବାଲ ଦେବଙ୍କ ବକ୍ତବ୍ୟ ଉଦ୍ଧାର କରି ଲେନିନ କହନ୍ତି ଯେ, ଲାଭକୁ ଭିନ୍ନ ଭାବରେ ବୁଝିବାକୁ ପଡ଼ିବ । “ଯଦି ଏଥିରେ, ନଡ଼ା, କୁଣ୍ଡା, ଚୁଡ଼ା, ବିହନ ଧାନ ଏବଂ ଚାଉଳ, ସବୁ କିଛି ମିଶାଇ ଦେବା, ତେବେ ଏହା ଲାଭଜନକ ହେବ । ଚାଷଜମିରେ ମାଟିର କି ଉପକାର ହେଲା, ସେ ବାବଦ ସଞ୍ଚୟ କଥା ଲୁଚି ରହିଯିବ । କେବଳ ମଣ୍ଡିରେ ଧାନ ବିକିବା ନୁହେଁ, ତା’ଠାରୁ ଆଗକୁ ଦେଖିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।”

ପାରମ୍ପରିକ କିସମର ଧାନ ଲାଗି ଅତି ଅଳ୍ପ ପ୍ରକ୍ରିୟାକରଣ ହିଁ ଯଥେଷ୍ଟ । “ଜୈବିକ ଉତ୍ପାଦରୁ ଲୋକେ ସବୁ ଦୃଷ୍ଟିରୁ ଉତ୍କର୍ଷତାର ଆଶା ରଖନ୍ତିନି ।” ସବୁ ଜାଗାରେ ଚାଷୀମାନେ ଏହାକୁ ଏମିତି ବୁଝାଇ ଦିଅନ୍ତି- ଯେ ସେଓର ଆକାର ଅସ୍ୱାଭାବିକ ହୋଇଥିବ, ଗାଜରର କେଉଁ ଅଂଶ ଫୁଲି ଯାଇଥିବ ତ କେଉଁଠି ଥୁଣ୍ଟା ବାହାରିଥିବ, ଏବଂ ଚାଉଳ ବି ସେମିତି ସମାନ ଆକାରର କିମ୍ବା ସମାନ ରଙ୍ଗର ହୋଇ ନପାରେ । କିନ୍ତୁ ସେଗୁଡ଼ିକ ପରିପୂର୍ଣ୍ଣ, ଏବଂ ସୌନ୍ଦର୍ଯ୍ୟ ଅଭାବ କାରଣରୁ ଏହାକୁ ଖାରଜ କରିଦିଆଯାଇ ପାରେନା ।

କିନ୍ତୁ ଅର୍ଥନୈତିକ ଦୃଷ୍ଟିରୁ ବିଚାର କଲେ, ବିକ୍ରି ଓ ଯୋଗାଣ ଶୃଙ୍ଖଳର ଯତ୍ନ ନେବା ଚାଷୀ ଗୋଷ୍ଠୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକ ମଧ୍ୟ। ଏବଂ ଏ କ୍ଷେତ୍ରରେ ଲେନିନ ଏକ ପ୍ରମୁଖ ଭୂମିକା ନିର୍ବାହ କରନ୍ତି। ଆଜିକୁ ଦୁଇ ବର୍ଷ ହେଲା, ଏଠାକାର ଅନେକ ଚାଷୀ ଅମଳ କରୁଥିବା ଦେଶୀ ଚାଉଳକୁ ସେ ତାଙ୍କ ନିଜ ଗୋଦାମରେ ରଖି ଏ ଅଞ୍ଚଳରେ ବିତରଣ କରିଆସୁଛନ୍ତି। ଗତ ୬ ମାସ ଭିତରେ, ତାଙ୍କର ଏହି ୧୦x୧୧ ଫୁଟ୍‌ ଆକାରର ଗୋଦାମରୁ, ମୋଟ ୬୦ ଟନ୍‌ ଚାଉଳ ବିକ୍ରିରେ ସେ ସହାୟତା କରିଛନ୍ତି। ତାଙ୍କ ଗ୍ରାହକମାନେ ତାଙ୍କ ଉପରେ ଭରସା ରଖନ୍ତି ଏବଂ ତାଙ୍କୁ ଭଲ ଭାବରେ ଜାଣନ୍ତି। “ମୁଁ ବିଭିନ୍ନ ବୈଠକରେ କହିବା ବେଳେ ସେମାନେ ଶୁଣିଛନ୍ତି, ସେମାନେ ମୋ ଘର ଏବଂ ମୋ କାମ ଜାଣିଛନ୍ତି। ତେଣୁ ସେମାନେ କେବଳ ସେମାନଙ୍କର ଅମଳ ଏଠାକୁ ନେଇ ଆସନ୍ତି ଏବଂ ଯେତେବେଳେ ବି ବିକ୍ରି ହେବ ସେତେବେଳେ ପଇସା ଦେବ ବୋଲି ମୋତେ କହନ୍ତି।”

PHOTO • M. Palani Kumar

ଅମଳ ପରେ ବାଡ଼ିଆ ହେବା ଅପେକ୍ଷାରେ ଧାନଗଦା

PHOTO • M. Palani Kumar
PHOTO • Aparna Karthikeyan

ବାମ : ଲେନିନ ମାରାକ୍କା ରେ ଚାଉଳ ମାପି ଓଜନ କରି ରଖନ୍ତି । ଡାହାଣ : ଗ୍ରାହକଙ୍କ ଘରେ ପହଞ୍ଚାଇବା ଲାଗି ବିଘ୍ନେଷଙ୍କ ବାଇକ୍‌ରେ ଚାଉଳ ବସ୍ତା ରଖୁଛନ୍ତି ଲେନିନ

ଦିନ ସାରା ତାଙ୍କ ପାଖକୁ ଗ୍ରାହକମାନଙ୍କର ଫୋନ୍‌ କଲ୍‌ ଓ ମେସେଜ୍‌ ଆସୁଥାଏ। ଏହା ଏକ କଷ୍ଟକର କାମ, ଏବଂ ସେ ଦିନ ସାରା ଓଜନ ଓ ପ୍ୟାକିଂ କରିବାରେ ବ୍ୟସ୍ତ ରହନ୍ତି ଏବଂ ବେଳେବେଳେ ତିରୁବନମଲାଇ, ଆରାନି ଏବଂ କନ୍ନାମଙ୍ଗଳମ୍‌ ଭଳି ପାଖ ସହରରେ ଗ୍ରାହକଙ୍କ ପାଖରେ ଚାଉଳ ବସ୍ତା ପହଞ୍ଚାନ୍ତି।

ଲେନିନଙ୍କର କେତେକ ଅପ୍ରତ୍ୟାଶିତ ଗ୍ରାହକ ବି ଅଛନ୍ତି। “ଯେଉଁମାନେ ସାର ବିକ୍ରି କରନ୍ତି, ହାଇବ୍ରିଡ୍‌ ବିହନର ପ୍ରଚାର କରନ୍ତି, ସେମାନେ ସମସ୍ତେ ମୋ ପାଖରୁ ଚାଉଳ କିଣନ୍ତି,” ହସି ହସି ପରିହାସ ଛଳରେ କହନ୍ତି ଲେନିନ। “ନାଁ ଛପା ହୋଇ ନଥିବା ବସ୍ତାରେ ଚାଉଳ ରଖିଦେଇ ଚାଲି ଯିବାକୁ କୃଷି ଉପକରଣ କମ୍ପାନୀ ମାଲିକମାନେ ମୋତେ କହନ୍ତି। ଏବଂ ସେମାନେ ମୋତେ ଜି-ପେ ଜରିଆରେ ପଇସା ପଠାଇ ଦିଅନ୍ତି। ସେମାନେ ଚାହାଁନ୍ତି, ଚୁପ୍‌ଚାପ ଏହି କାମ କରାଯାଉ।”

ଚାଉଳ ବିତରଣରେ ପ୍ରତି ମାସରେ ଚାରିରୁ ଆଠ ଲକ୍ଷ ଟଙ୍କାର କାରବାର ହୁଏ ।  ଲାଭ ହୁଏ ୪,୦୦୦ରୁ  ୮,୦୦୦ ଟଙ୍କା । ତେବେ, ଲେନିନ ଏଥିରେ ଖୁସି । “ସହରରେ ଚାଉଳ ରଖିବାକୁ ମୁଁ ଯେତେବେଳେ କୋଠରିଟିଏ ଭଡ଼ାରେ ନେଇଥିଲି, ସେ ବାବଦ ଖର୍ଚ୍ଚ ବହୁତ ବାଧୁଥିଲା । ଭଡ଼ା ଅଧିକ ଥିଲା, କ୍ଷେତରୁ ଦୂରେଇ ରହିବା ବି କଷ୍ଟକର ଥିଲା, ଏବଂ ଜଣେ ସହକାରୀଙ୍କୁ ଦରମା ଦେଇ ରଖିବା ଅର୍ଥ ପଇସା ପାଣିରେ ବୁହାଇବା ଭଳି ମନେ ହେଉଥିଲା । ସେ ସମୟରେ, ମୁଁ ପାଖରେ ଥିବା ଗୋଟିଏ ବଡ଼ ଧାନ ମିଲ୍‌କୁ ଦେଖି ଚକିତ ହୋଇଯାଉଥିଲି ।  ସେମାନଙ୍କର ଅନେକ ଜାଗାରେ ଶାଖା ଥିଲା ଏବଂ ନୂଆ ଓ ଚକଚକିଆ ଯନ୍ତ୍ରପାତି ଥିଲା । ମୁଁ ସେ ମିଲ ଭିତରକୁ ପଶିବାକୁ ବି ଦ୍ୱିଧାବୋଧ କରୁଥିଲି । ପରେ ମୁଁ ଜାଣିଲି ଯେ ସେମାନେ କୋଟି କୋଟି ଟଙ୍କାର ଋଣ କରିଛନ୍ତି ।”

ପାରମ୍ପରିକ ଚାଉଳର ପ୍ରଚାର ଓ ପ୍ରସାର କରି ପୂର୍ବ ପିଢ଼ି କିଛି ଲାଭ ପାଇ ନଥିଲେ, ଲେନିନ କହନ୍ତି। “ମୁଁ ତ କିଛିଟା ଲାଭ କରୁଛି, ପ୍ରକୃତି ସହିତ ରହୁଛି, ପରିବେଶ ନଷ୍ଟକୁ ଯଥାସମ୍ଭବ କମ୍‌ କରୁଛି ଏବଂ ହଜି ଯାଇଥିବା ଧାନ କିସମର ପୁନରୁଦ୍ଧାର କରୁଛି।” ଏଥିରେ ଭଲ ନ ପାଇବା ଭଳି କିଛି ଅଛି କି ବୋଲି ତାଙ୍କର ହସହସ ମୁହଁ ପ୍ରଶ୍ନ କରିବା ଭଳି ଲାଗେ।

ଲେନିନ ସବୁବେଳେ ଏମିତି ମନଖୋଲି ହସନ୍ତି ଏବଂ ତାଙ୍କ ହସ ଆଖି ଯାଏଁ ଲମ୍ବି ଯାଏ । ସେ ତାଙ୍କର ଭବିଷ୍ୟତ ଯୋଜନା ସଂପର୍କରେ କହିବା ବେଳେ ତାଙ୍କ ଆଖିରେ ଚମକ ଫୁଟି ଉଠେ । ପାଞ୍ଚଟି କ୍ଷେତ୍ରରେ ସେ ପରିବର୍ତ୍ତନ ଆଣିବାକୁ ଚାହାଁନ୍ତି: ବିହନ, ବାଣିଜ୍ୟ, ବହି, ହସ୍ତଶିଳ୍ପ ଏବଂ ସଂରକ୍ଷଣ ।

ତାଙ୍କ ଚାଷଜମି ପାଖରେ ରହିଥିବା ଦୁଇଟି କୁକୁର ଆମ କଥାବାର୍ତ୍ତା ଶୁଣୁଥାନ୍ତି । ମୁଁ ଗୋଟିଏ ଫଟୋ ଉଠାଇବା ବେଳେ ଲେନିନ ଅଳ୍ପ ହସି କହନ୍ତି “ଚାଷୀଙ୍କ ପାଇଁ ବିଲେଇ ବେଶୀ ଉପକାରୀ । ବିଶେଷତଃ ଯଦି ସେମାନେ ମୂଷା ଧରିବାରେ ଧୁରନ୍ଧର ।” ଛୋଟ କୁକୁରଟି ଆମ ଆଡ଼କୁ ଚାହିଁ ଜିଭ ବାହାର କରେ ।

*****

୨୦୨୪ ମାର୍ଚ୍ଚରେ ଅନୁଷ୍ଠିତ ମାସିକ ବୈଠକ ଅବସରରେ, କଲାସପକ୍କମ ଜୈବ ଚାଷୀମାନେ, ତିନି ଦିନ ଆଗରୁ, ୫ ତାରିଖ ଦିନ ହିଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲେ । ପୁରୁଷମାନେ, ଆକ୍ଷରିକ ଅର୍ଥରେ ପଛେଇ ଯାଇଥିଲେ । ମହିଳାମାନେ କହିଥିଲେ । ଚାଷୀ ସୁମତୀ ପୁରୁଷମାନଙ୍କୁ ପଚାରିଲେ: “ଯଦି ଆପଣମାନଙ୍କର ଘରର ସବୁ ମହିଳାଙ୍କ ନାଁରେ- ଆପଣଙ୍କ ଭଉଣୀ, ସ୍ତ୍ରୀ- ସମସ୍ତଙ୍କ ନାଁରେ ନିଜର ଜମି ଥାଆନ୍ତା ତେବେ ଏଠାରେ ମହିଳାଙ୍କ ସଂଖ୍ୟା ଅଧିକ ହୋଇଥାଆନ୍ତା, ନୁହେଁ କି ?” ତାଙ୍କର ଏ ପ୍ରଶ୍ନକୁ ସମସ୍ତେ ତାଳି ମାରି ପ୍ରଶଂସା କରିଥିଲେ ।

PHOTO • M. Palani Kumar
PHOTO • M. Palani Kumar

୨୦୨୪ ମାର୍ଚ୍ଚ ତାରିଖ ଦିନ କଲସପକ୍କମ ଜୈବ ଚାଷୀ ସାମ୍ମୁଖ୍ୟର ବୈଠକ, ସେହିଦିନ ସେମାନେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲେ

PHOTO • Sabari Girisan
PHOTO • Aparna Karthikeyan

୨୦୨୩ ଜୁଲାଇରେ କଲସପକ୍କମର ଶୁକ୍ରବାର ବଜାର, ଏଠାରେ ବସି ଚାଷୀମାନେ ନିଜ ନିଜର ଉତ୍ପାଦ ସିଧାସଳଖ ଗ୍ରାହକଙ୍କୁ  ବିକ୍ରି କରନ୍ତି

“ପ୍ରତି ବର୍ଷ ଆମେ ମହିଳା ଦିବସ ପାଳନ କରିବାକୁ ଯାଉଛୁ,” ରାଜେନ୍ଦ୍ରନ ଘୋଷଣା କରନ୍ତି। ସମସ୍ତେ ତାଳି ମାରନ୍ତି। ତାଙ୍କର ଅନ୍ୟାନ୍ୟ ଯୋଜନା ବି ରହିଛି । ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ସାପ୍ତାହିକ ଶୁକ୍ରବାର ବଜାର ସଫଳତା ହୋଇଛି। ଆଖପାଖ ଗାଁର ପ୍ରାୟ ଦଶ ଜଣ ଚାଷୀ ନିଜ ନିଜର ଉତ୍ପାଦ ଧରି ଆସନ୍ତି ଏବଂ କଲସପକ୍କମର ଏକ ସ୍କୁଲ ଘର ସାମନାରେ, ତେନ୍ତୁଳି ଗଛ ଛାଇରେ ବସି ବିକ୍ରି କରନ୍ତି । ବିଭିନ୍ନ ବାର୍ଷିକ ଉତ୍ସବ ଲାଗି ତାରିଖ ସ୍ଥିର ହୋଇସାରିଛି। ବୁଣାବୁଣି ଋତୁ ପୂର୍ବରୁ ତାମିଲ ଆଦି ମାସ (ଜୁଲାଇ ମଧ୍ୟଭାଗରୁ -ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ)ରେ ବାର୍ଷିକ ବିହନ ଉତ୍ସବ ଆୟୋଜିତ ହୁଏ। ଜାନୁଆରୀରେ ଖାଦ୍ୟ ଉତ୍ସବ ପାଳିତ ହୁଏ । “ଏଣିକି ଆମେ ମେ ମାସରେ ମହା ପଞ୍ଚାୟତ କରିବା,” ରାଜେନ୍ଦ୍ରନ କହନ୍ତି। “ଆମେ ଆଉ ଅଧିକ କଥାବାର୍ତ୍ତା, ଆଉ ଅଧିକ କାମ କରିବା ଦରକାର ।”

ହେଲେ, ଏମିତି କେତେକ ପ୍ରସଙ୍ଗ ରହିଛି ଯାହା ସଂପର୍କରେ ଖୋଲାଖୋଲି ଆଲୋଚନା କରାଯାଏ ନାହିଁ । ଧାନ ଚାଷ ଚାଷୀଙ୍କ ପାଇଁ ସମ୍ମାନର କଥା ହୋଇପାରେ, କିନ୍ତୁ ଚାଷୀମାନେ ସମାଜରେ ନାହାନ୍ତି, କଥା ବଢ଼ାଇ ଲେନିନ କହନ୍ତି । “ସିନେମାରେ ଦେଖନ୍ତୁ ତ, ସବୁବେଳେ ହୀରୋମାନେ ଡାକ୍ତର, ଇଞ୍ଜିନିୟର ଏବଂ ଓକିଲ ହୋଇଥିଲେ । ଚାଷୀଙ୍କ ସ୍ଥାନ କେଉଁଠି?” ରାଜେନ୍ଦ୍ରନ ପଚାରନ୍ତି । “ବିବାହ ବଜାରରେ ଉପନୀତ ଚାଷୀଙ୍କ ଉପରେ ଏ ସବୁର ଓଲଟା ପ୍ରଭାବ ପଡ଼େ,” ଲେନିନ ସୂଚାଇ ଦିଅନ୍ତି ।

“ଯଦିବା ଆମର ନିଜର ଜମି ଅଛି, ଗୋଟିଏ (କେତେକ କ୍ଷେତ୍ରରେ ଦୁଇଟି) ଡିଗ୍ରି ଅଛି ଏବଂ ଭଲ ରୋଜଗାର ବି ଅଛି, ତଥାପି ଆମକୁ ପ୍ରତ୍ୟାଖ୍ୟାନ କରିଦିଆଯାଏ, କାରଣ ଆମେ ଚାଷୀ,” ଲେନିନ କହନ୍ତି । “ଚାଷବାସ ଏମିତି ବିପଜ୍ଜନକ କାମ ହୋଇଗଲାଣି ଯେ, ବିବାହ ପାଇଁ ବିଜ୍ଞାପନରେ ଚାଷୀଙ୍କୁ ବିବାହ କରିବାକୁ କେହି ଚାହୁଁଥିବା କଥା ଆପଣଙ୍କ ନଜରରେ ପଡ଼େ ନାହିଁ, ନୁହେଁ କି?”

ଜଣେ ବିବେକପୂର୍ଣ୍ଣ ଚାଷୀ ଓ ଚାଉଳ ବିତରକ ଭାବରେ ବିବିଧତାରେ ଅନେକ ସାମାଜିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଲେନିନ ମନେ କରନ୍ତି । “ଜୀବନ ଭଳି ଜୀବିକାରେ ବି ଆପଣ ସଫଳତାର ସମ୍ଭାବନା ବଢ଼ାଇ ପାରିବେ, ଯଦି ଆପଣ ନିଜର ସମ୍ବଳ ସ୍ରୋତ ବଢ଼ାଇ ପାରନ୍ତି ।”

ଆପଣ ଯଦି ଅଧିକ କିସମର ଧାନ ଚାଷ କରିବେ ଏବଂ ବିକ୍ରି କରିବେ, ତେବେ କ୍ଷତି ଆଶଙ୍କା କମିଯିବ। “ଆଉ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଲାଗି ଏହା ହିଁ ଏକମାତ୍ର ପନ୍ଥା,” ସେ କହନ୍ତି । କୃଷି କ୍ଷେତ୍ରରେ ଅଭିବୃଦ୍ଧିର ନିର୍ଦ୍ଦିଷ୍ଟ କାଳ ଏବଂ ଉଦାହରଣ ସହିତ ସେ ଏହାର ରୂପରେଖ ଉପସ୍ଥାପନ କରନ୍ତି । “ଗୋଟିଏ ଭୁଲ ଧାରଣା ରହିଛି ଯେ ଆଧୁନିକ କିସମର ଧାନ ଖୁବ୍‌ ଶୀଘ୍ର ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ ଏବଂ ଦେଶୀ ଧାନ ଅମଳରେ ଅଧିକ ସମୟ ଲାଗେ । ତାହା ସଂପୂର୍ଣ୍ଣ ଭୁଲକଥା,” ସେ କହନ୍ତି । “ପାରମ୍ପରିକ ବିହନରେ ଉଭୟ ସ୍ୱଳ୍ପ ଓ ଦୀର୍ଘ ଅବଧିର ଅମଳ ଚକ୍ର ରହିଛି। ଅନ୍ୟପକ୍ଷରେ ହାଇବ୍ରିଡ୍‌ କ୍ଷେତ୍ରରେ ଏହା ମଧ୍ୟମ ଅବଧିର । ଅମଳ ଲାଗି ସେମାନଙ୍କର ମାତ୍ର ଗୋଟିଏ କି ଦୁଇଟି ଅବସର ରହିଛି ।”

ପାରମ୍ପରିକ ଧାନ ଚାଷରେ ଆହୁରି ଅନେକ ବିକଳ୍ପ ରହିଛି । “କେତେକ ଉତ୍ସବ ପାଳନ ଲାଗି ତ ଆଉ କେତେକ ଔଷଧ ଲାଗି ଚାଷ କରାଯାଏ । ସେଗୁଡ଼ିକ ଅଧିକ ସହନଶୀଳ, କୀଟ, ମରୁଡ଼ି ପ୍ରତିରୋଧକ ଏବଂ ଲୁଣାମାଟିରେ ବି ବଢ଼ିପାରେ ।”

PHOTO • M. Palani Kumar
PHOTO • M. Palani Kumar

ଲେନିନ ଚାଷ କରିଥିବା  କୁତିରାଇ ଭାଲ ସାମ୍ବା (ବାମ) ଏବଂ ରଥସାଲି (ଡାହାଣ) ଦେଶୀ ଧାନର କିସମ

ଯେଉଁଠି ଜଳବାୟୁର ଚାପ ଅଧିକ, ସେଠାରେ ବିବିଧତା ବି ଅଧିକ, କହନ୍ତି ଡକ୍‌ଟର ରେଙ୍ଗାଲକ୍ଷ୍ମୀ। “ଉପକୂଳବର୍ତ୍ତୀ ତାମିଲନାଡୁ, ବିଶେଷତଃ କୁଡ୍ଡାଲୁରରୁ ରାମାଥପୁରମ ଜିଲ୍ଲା ଯାଏଁ ବ୍ୟାପିଥିବା ଅଞ୍ଚଳ କଥା ଦେଖନ୍ତୁ। ଯେଉଁଠିକାର ଲୁଣା ଜଳବାୟୁ ଏବଂ ମୃତ୍ତିକା ବିନ୍ୟାସ କାରଣରୁ ବିଭିନ୍ନ ପାରମ୍ପରିକ ତଥା ସ୍ୱତନ୍ତ୍ର କିସମର ଧାନଚାଷ କରାଗଲା। ଏହି ଧାନଗୁଡ଼ିକ ଭିନ୍ନ ଭିନ୍ନ ଅବଧିରେ ପାଚି ଥାଆନ୍ତି । ଉଦାହରଣ ସ୍ୱରୂପ, ନାଗପଟ୍ଟିନମ ଏବଂ ବେଦାରନ୍ୟମ ମଧ୍ୟବର୍ତ୍ତୀ ଅଞ୍ଚଳରେ କୁରିଭେଦିଚାନ ନାମରେ ପରିଚିତ ଏକ ଧାନ ଏବଂ ଏଭଳି ଆଉ ୨୦ଟିରୁ ଅଧିକ ପ୍ରକାରର ଧାନ ଚାଷ କରାଯାଉଥିଲା।

“ନାଗପଟ୍ଟିନମ ଏବଂ ପୁମ୍ପୁହାର ମଧ୍ୟବର୍ତ୍ତୀ ଅଞ୍ଚଳରେ କାଲୁରୁନ୍ଦାଇ ନାମକ ଆଉ ଏକ ପ୍ରକାର ଧାନ ଏବଂ ଏମିତି ଅନେକ ସ୍ଥାନୀୟ ଅଞ୍ଚଳ ଲାଗି ଉପଯୁକ୍ତ କିସମର ଧାନ ଚାଷ କରାଯାଏ । ଅତୀତର କ୍ଷୁଦ୍ର କୃଷି- ବ୍ୟବସ୍ଥାର ପରିଚାଳନା ଲାଗି ଏସବୁ କିସମର ଧାନ ଚାଷ କରାଯାଉଥିଲା । ଏହି ସବୁ ବିହନକୁ ପାରମ୍ପରିକ ବୋଲି ବିବେଚନା କରାଯାଇ ପରବର୍ତ୍ତୀ ଫସଲ ଋତୁ ଯାଏଁ ସଂରକ୍ଷଣ କରାଯାଉଥିଲା । କିନ୍ତୁ ଏବେ ବିହନ ବାହାରୁ ଆସୁଥିବାରୁ ବିହନ ସଂରକ୍ଷଣ ଅଭ୍ୟାସ ଆଉ ନାହିଁ ।” ତେଣୁ, ଯେତେବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାତ୍ରାଧିକ ଚାପ ସୃଷ୍ଟି ହେବା ବେଳକୁ, “ବିହନ କିସମ ସଂପର୍କିତ ଜ୍ଞାନ ଲୁପ୍ତ ହୋଇଗଲାଣି,” ଡକ୍ଟର ରେଙ୍ଗାଲକ୍ଷ୍ମୀ ବୁଝାଇ ଦିଅନ୍ତି ।

ଲେନିନ କହନ୍ତି ଯେ, କ୍ଷୁଦ୍ର ଚାଷଜମି ହିଁ ବିବିଧତାକୁ ବଞ୍ଚାଇ ରଖେ ଏବଂ ବହୁବିଧ ଫସଲ ଉପୁଜାଏ । “ଯାନ୍ତ୍ରିକ ପ୍ରକ୍ରିୟା ଏବଂ ବଡ଼ ବଡ଼ ବଜାର ଦ୍ୱାରା ଏବେ ଏହା ଅବହେଳିତ । ଏବେ ବି ଏମିତି କେତେକ ଫସଲ ଅଛି ଯାହାକୁ ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳରେ ଚାଷ କରିହେବ ଏବଂ ଯାହା ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିପାରିବ । ମାଣ୍ଡିଆ, ରାଶି, ମୁଗ, ଶିମ୍ବ ମଞ୍ଜି, ଯଅ, ବାଜରା.. ଏ ସବୁ ଚମତ୍କାର ଫସଲ । କିନ୍ତୁ ଯେଉଁ ସମୟରେ ଚାଷୀମାନେ କୃଷିଭିତ୍ତିକ ଶିଳ୍ପ ପଛରେ ଧାଇଁଛନ୍ତି, ଏବଂ କୃଷିଭିତ୍ତିକ ସମାଜର ସୂକ୍ଷ୍ମ ଧାରା ବଦଳରେ ଯାନ୍ତ୍ରିକ କାର୍ଯ୍ୟକଳାପର ଏକ ଶୃଙ୍ଖଳ ସ୍ଥାପିତ ହେବାରେ ଲାଗିଛି, ସେ ସମୟରେ ଜ୍ଞାନକ୍ଷୟର ହାର ତୀବ୍ର ରୂପ ନେଇଛି,” ଲେନିନ କହନ୍ତି ।

ଦକ୍ଷତା ହରାଇବା ହିଁ ସବୁଠାରୁ ବଡ଼ କ୍ଷତି । ଏହି କାରଣରୁ ନୁହେଁ ଯେ ଏ ସଂପର୍କିତ ଜ୍ଞାନକୌଶଳ ଅଦରକାରୀ, ବରଂ ଏହି ଜ୍ଞାନ- ଏବଂ କୌଶଳ- ପୁରୁଣାକାଳିଆ ବୋଲି ବିବେଚିତ ହେଉଛି । “ଏବଂ ଜଣେ ବୁଦ୍ଧିମାନ ଲୋକ ଏହାକୁ ଆପଣେଇ ନେବ ନାହିଁ । ଏଭଳି ଧ୍ୱଂସମୁଖୀ ବିଶ୍ୱାସ କାରଣରୁ ହିଁ ଅନେକ ଅଭିଜ୍ଞ ଚାଷୀ ସମାଜର ଦୃଷ୍ଟି ଅନ୍ତରାଳରେ ରହିବାକୁ ବାଧ୍ୟ ହୋଇଛନ୍ତି,” ଲେନିନ ଯୁକ୍ତି ବାଢ଼ନ୍ତି ।

ଏହାର ସମାଧାନ ପନ୍ଥା ରହିଛି ବୋଲି ଲେନିନ ବିଶ୍ୱାସ କରନ୍ତି । “ଆମକୁ ସେହି ସବୁ କିସମ ଚିହ୍ନଟ କରିବାକୁ ପଡ଼ିବ ଯେଉଁଗୁଡ଼ିକ ମୂଳତଃ ଏହି ଅଞ୍ଚଳର, ଏବଂ ସେଗୁଡ଼ିକୁ ସଂରକ୍ଷଣ ଓ ଚାଷ କରି ପୁଣି ଖାଇବା ଥାଳିକୁ ଆଣିବାକୁ ପଡ଼ିବ । ହେଲେ କେବଳ ତିରୁବନମଲାଇର ବଜାର ରାକ୍ଷସକୁ ନିୟନ୍ତ୍ରଣ କରିବା ଲାଗି ଆପଣ ହୁଏତ ଏକ ଶହ ଉଦ୍ୟୋଗୀ ଦରକାର କରିବେ,” ଲେନିନ କହନ୍ତି ।

“ମୁଁ ଆଶା କରେ, ପାଞ୍ଚ ବର୍ଷ ଭିତରେ, ଆମେ ସମସ୍ତେ ଏକ ସମବାୟ ଗୋଷ୍ଠୀର ଅଂଶ ପାଲଟି ସାମୂହିକ ଚାଷବାସ କରୁଥିବା । ଆପଣ ଜାଣନ୍ତି, ଗତ ବର୍ଷ ଅନେକ ଦିନ ଧରି ବର୍ଷା ହୋଇଥିଲା ଏବଂ ପ୍ରାୟ ଚାଳିଶ ଦିନ କାଳ ପର୍ଯ୍ୟାପ୍ତ ଖରା ପଡ଼ି ନଥିଲା । ଏଥିରେ ଆପଣ ଧାନ କେମିତି ଶୁଖାଇବେ? ଆମ ପାଇଁ ଏଠାରେ ଏକ ଧାନ ଶୁଖାଇବା କେନ୍ଦ୍ର  ସ୍ଥାପନ ଦରକାର । ସାମୂହିକ ଭାବେ ଆମକୁ ସେହି ଶକ୍ତି ମିଳିଯିବ ।”

ସେ ନିଶ୍ଚିତ ଯେ ପରିବର୍ତ୍ତନ ଆସିବ । ତାଙ୍କ ବ୍ୟକ୍ତିଗତ ଜୀବନରେ ଏହା ଆସି ସାରିଛି: ଆସନ୍ତା ଜୁନରେ ସେ ବିବାହ କରିବାକୁ ଯାଉଛନ୍ତି । “ରାଜନୈତିକ ମଞ୍ଚରେ ହେଉ କି ନୀତି ପ୍ରଣୟନ ସ୍ତରରେ ହେଉ, ପରିବର୍ତ୍ତନ ଧୀରେ ଧୀରେ ହେବ । ଅତି ଶୀଘ୍ର, ଅତି ବେଶୀ ଆଶା କଲେ, ଫଳ ଓଲଟା ହୋଇପାରେ ।”

ଏହି କାରଣରୁ, ତାଙ୍କ ସାଥୀମାନଙ୍କ ସହିତ ଲେନିନଙ୍କ ଧୀର, ଅଥଚ ନିରବ ବିପ୍ଳବ, ସଫଳତା ଆଡ଼କୁ ଆଗେଇବାରେ ଲାଗିଛି...

ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଫଣ୍ଡିଂ ପ୍ରୋଗ୍ରାମ-୨୦୨୦ ଅଧୀନରେ ଏହି ଗବେଷଣାମୂଳକ ଅନୁଶୀଳନକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଟିପ୍ପର ଅର୍ଥାତ୍‌ ଏକ ଟ୍ରକ୍‌ ଯାହାର ପଛରେ ଲାଗିଥିବା ଡାଲାକୁ ଆଗ ପଟେ ଉଠାଇ ହେବ ଏବଂ ଏଥିରେ ବୋଝେଇ ହୋଇଥିବା ସାମଗ୍ରୀ ବାହାର କରିହେବ

ପ୍ରଚ୍ଛଦ ଚିତ୍ର: ଚାଉଳର କିସମ – କୁଲ୍ଲାନକର, କାରୁଡ଼ାନ ସାମ୍ବା ଏବଂ କରୁନସୀରାକା ସାମ୍ବା । ଫଟୋ: ଏମ୍‌. ପଲାନି କୁମାର

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

Aparna Karthikeyan is an independent journalist, author and Senior Fellow, PARI. Her non-fiction book 'Nine Rupees an Hour' documents the disappearing livelihoods of Tamil Nadu. She has written five books for children. Aparna lives in Chennai with her family and dogs.

Other stories by Aparna Karthikeyan
Photographs : M. Palani Kumar

M. Palani Kumar is Staff Photographer at People's Archive of Rural India. He is interested in documenting the lives of working-class women and marginalised people. Palani has received the Amplify grant in 2021, and Samyak Drishti and Photo South Asia Grant in 2020. He received the first Dayanita Singh-PARI Documentary Photography Award in 2022. Palani was also the cinematographer of ‘Kakoos' (Toilet), a Tamil-language documentary exposing the practice of manual scavenging in Tamil Nadu.

Other stories by M. Palani Kumar

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE