ପଙ୍ଖେ ୱାଲେ (ପବନକଳ), ବ୍ଲେଡ୍‌ ୱାଲେ (ସୌରଶକ୍ତି କେନ୍ଦ୍ର) ଆମ ଓରଣ ଗୁଡ଼ିକୁ ଅକ୍ତିଆର କରି ନେଉଛନ୍ତି,” ବୋଲି କହନ୍ତି ସୌଁଟା ଗାଁ ବାସିନ୍ଦା ସୁମେର ସିଂହ ଭାଟି। ସେ ଜଣେ ଚାଷୀ ଓ ପଶୁପାଳକ ଏବଂ ଜୟସାଲମେର ଜିଲ୍ଲାର ଦେଗରାୟ ଓରଣ ନିକଟରେ ତାଙ୍କ ଘର।

ଓରଣ ହେଉଛି ପବିତ୍ର ଉପବନ, ଏବଂ ସର୍ବସାଧାରଣ ସଂପତ୍ତିର ଉତ୍ସ ରୂପେ ବିବେଚିତ। ସେଠାକୁ ସମସ୍ତେ ଯାଇପାରିବେ। ପ୍ରତିଟି ଓରଣ ରେ ଜଣେ ଦେବୀ କି ଦେବତା ଅଧିଷ୍ଠିତ। ଆଖପାଖ ଗାଁର ଲୋକେ ତାଙ୍କୁ ପୂଜା କରନ୍ତି ଏବଂ ତତ୍‌ସଂଲଗ୍ନ ଭୂମିକୁ ସେମାନଙ୍କ ସଂପ୍ରଦାୟ ଅଖଣ୍ଡ ସ୍ଥିତିରେ ରଖନ୍ତି – ଯେମିତି କି ଗଛ କଟାଯାଇ ପାରିବ ନାହିଁ, କେବଳ ତଳେ ପଡ଼ିଥିବା ଗଛ କାଠକୁ ଜାଳେଣି କାଠ ରୂପରେ ବ୍ୟବହାର କରାଯାଇପାରିବ ଏବଂ ସେଠାରେ କୌଣସି ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ, ଏବଂ ସେଠାକାର ଜଳାଶୟଗୁଡ଼ିକ ପବିତ୍ର।

କିନ୍ତୁ, ସୁମେର ସିଂହ କହନ୍ତି “ସେମାନେ (ଅକ୍ଷୟ ଶକ୍ତି କମ୍ପାନୀଗୁଡ଼ିକ) ଶହ ଶହ ବର୍ଷ ପୁରୁଣା ଗଛକୁ କାଟି ପକାଇଲେଣି ଏବଂ ଘାସ ଓ ଗୁଳ୍ମକୁ ଓପାଡ଼ି ଦେଲେଣି। ଲାଗୁଛି, କେହି ହେଲେ ସେମାନଙ୍କୁ ଅଟକାଇ ପାରିବେନି।”

ସୁମେର ସିଂହଙ୍କ ଏହି କ୍ରୋଧଭରା ବକ୍ତବ୍ୟ ସହିତ ଏକମତ ହୁଅନ୍ତି ଜୟସାଲମେରର ଶହ ଶହ ଗାଁର ବାସିନ୍ଦା, ଯେଉଁମାନଙ୍କ ଓରଣ ଗୁଡ଼ିକ ଏବେ ବିଭିନ୍ନ ଅକ୍ଷୟ ଶକ୍ତି କମ୍ପାନୀ ଅକ୍ତିଆର କରିବାରେ ଲାଗିଛନ୍ତି। ସେମାନଙ୍କ କହିବା ଅନୁସାରେ ଗତ ୧୫ ବର୍ଷ ହେଲା ଏହି ଜିଲ୍ଲାର ହଜାର ହଜାର ହେକ୍‌ଟର ଜମି ପବନକଳ ଏବଂ ତାରବାଡ଼ ଘେରା ସୌରଶକ୍ତି ସଂସ୍ଥାକୁ ଦିଆଯାଇ ସାରିଲାଣି। ଏହା ସହିତ ଜିଲ୍ଲା ବାହାରକୁ ବିଦ୍ୟୁତ୍‌ ଶକ୍ତି ନେବା ପାଇଁ ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ ତାର ଟଣାଯାଇଛି ଏବଂ ଅନେକ ମାଇକ୍ରୋ ଗ୍ରୀଡ୍‌ ସ୍ଥାପିତ ହୋଇଛି। ଏଭଳି କାର୍ଯ୍ୟକଳାପ ଯୋଗୁଁ ସେଠାକାର ପରିବେଶଗତ ବ୍ୟବସ୍ଥା ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି ଏବଂ ଏହି ସବୁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ନିର୍ବାହର ଧାରା ନଷ୍ଟ ହେବାରେ ଲାଗିଛି।

ପଶୁପାଳକ ଜୋରା ରାମ କହନ୍ତି, “ପଶୁ ଚରିବା ପାଇଁ କେଉଁଠି ହେଲେ ଜାଗା ନାହିଁ। ଘାସ କେଉଁ କାଳରୁ (ମାର୍ଚ୍ଚ ମାସରୁ) ସରିଗଲାଣି ଏବଂ ଆମ ଗୃହପାଳିତ ପଶୁଙ୍କ ଖାଇବା ପାଇଁ ଏବେ କେବଳ କେର୍‌ ଏବଂ କେଜରି ଗଛର ପତ୍ର ଯାହା ରହିଛି। ସେମାନେ ପର୍ଯ୍ୟାପ୍ତ ଖାଇବାକୁ ପାଉନାହାନ୍ତି ଏବଂ ତେଣୁ ଅଳ୍ପ କ୍ଷୀର ଦେଉଛନ୍ତି। ଦିନକୁ ୫ ଲିଟରରୁ କମି କମି ୨ ଲିଟରରେ ପହଞ୍ଚିଲାଣି।”

ଏହି ଅର୍ଦ୍ଧ ଶୁଷ୍କ ଘାସ ପଡ଼ିଆରେ ଭରପୂର ଓରଣ ଗୁଡ଼ିକ ସଂପ୍ରଦାୟର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ- ଆଖପାଖରେ ବସବାସ କରୁଥିବା ହଜାର ହଜାର ଲୋକଙ୍କୁ ସେଥିରୁ ପଶୁଖାଦ୍ୟ, ଚରିବା ପାଇଁ ଘାସ, ପାଣି, ଖାଦ୍ୟ ଏବଂ ଜାଳେଣି କାଠ ମିଳିଥାଏ।

Left-Camels grazing in the Degray oran in Jaisalmer district.
PHOTO • Urja
Right: Jora Ram (red turban) and his brother Masingha Ram bring their camels here to graze. Accompanying them are Dina Ram (white shirt) and Jagdish Ram, young boys also from the Raika community
PHOTO • Urja

ବାମ:ଜୟସାଲମେର ଜିଲ୍ଲାର ଦେଗରାୟ ଓରଣରେ ଓଟମାନେ ଚରୁଛନ୍ତି। ଡାହାଣ: ଜୋରା ରାମ (ଲାଲ ପଗଡ଼ିରେ) ଏବଂ ତାଙ୍କ ଭାଇ ମାସିଂଘା ରାମ ସେମାନଙ୍କ ଓଟଙ୍କୁ ଏଠାରେ ଚରାଇବାକୁ ଆଣନ୍ତି। ସେମାନଙ୍କ ସହିତ ଅଛନ୍ତି ଦିନା ରାମ (ଧଳା ଶାର୍ଟ) ଏବଂ ଜଗଦୀଶ ରାମ, ରାଇକା ସଂପ୍ରଦାୟର କେତେକ ବାଳକ

Left: Sumer Singh Bhati near the Degray oran where he cultivates different dryland crops.
PHOTO • Urja
Right: A pillar at the the Dungar Pir ji oran in Mokla panchayat is said to date back around 800 years, and is a marker of cultural and religious beliefs
PHOTO • Urja

ବାମ:ଦେଗରାୟ ଓରଣ ନିକଟରେ ସୁମେର ସିଂହ ଭାଟି। ସେଠାରେ ସେ ବିଭିନ୍ନ ଶୁଷ୍କଭୂମି ଫସଲ କରନ୍ତି। ଡାହାଣ: ମୋକଲା ପଞ୍ଚାୟତର ଡୁଙ୍ଗର ପୀର ଜୀ ଓରଣରେ ଏକ ସ୍ତମ୍ଭ- ଲୋକେ କହନ୍ତି ଏହା ପ୍ରାୟ ୮୦୦ ବର୍ଷ ପୁରୁଣା ଏବଂ ସେ ଅଞ୍ଚଳର ସାଂସ୍କୃତିକ ଓ ଧାର୍ମିକ ବିଶ୍ୱାସର ଏକ ପ୍ରତୀକ

ଜୋରା ରାମ କହନ୍ତି ଯେ, ଏଇ କିଛି ବର୍ଷ ହେଲା ତାଙ୍କ ଓଟମାନେ ପତଳା ଓ ଦୁର୍ବଳ ଦେଖାଯାଉଛନ୍ତି। ସେ କହନ୍ତି, “ଆଗରୁ ଆମ ଓଟମାନେ ଦିନକୁ ଭିନ୍ନ ଭିନ୍ନ ୫୦ ପ୍ରକାର ଘାସ ଓ ପତ୍ର ଖାଉଥିଲେ।” ଯଦିଓ ଭୂମିଠାରୁ ୩୦ ମିଟର ଉଚ୍ଚରେ ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ ତାର ଟଣାଯାଇଛି, ତଥାପି ତା ତଳେ ଥିବା ଗଛଗୁଡ଼ିକ ୭୫୦ ମେଗାୱାଟ୍‌ ବିଦ୍ୟୁତ୍‌ ପ୍ରଭାବରେ ଥରି ଉଠୁଛନ୍ତି ଏବଂ ଏଥିରୁ କରେଣ୍ଟ୍‌ର ଆଘାତ ଲାଗୁଛି। ସ୍ଥିତି ବୁଝାଇବାକୁ ଯାଇ ଜୋରା ରାମ କହନ୍ତି, “ଭାବନ୍ତୁ ତ, ଯଦି ଗୋଟିଏ ଅଳ୍ପ ବୟସର ଓଟ ପୂରା ପାଟି ମେଲାଇ ଗଛଟିଏ ଖାଇଦିଏ ତେବେ କ’ଣ ହେବ।” ମୁଣ୍ଡ ହଲାନ୍ତି ସେ।

ରାସଲା ପଞ୍ଚାୟତ ବାସିନ୍ଦା ଜୋରା ରାମ ଓ ତାଙ୍କ ଭାଇ ମାସିଂଘା ରାମଙ୍କର ୭୦ଟି ଓଟ ଅଛି। ଚାରଣ ଭୂମି ସନ୍ଧାନରେ ଏହି ଓଟ ପଲ ଜୟସାଲମେର ଜିଲ୍ଲାରେ ଦିନକୁ ୨୦ କିଲୋମିଟରରୁ ଅଧିକ ଯାତ୍ରା କରିଥାଆନ୍ତି।

ମାସିଂଘା ରାମ କହନ୍ତି, “କାନ୍ଥ ଉଠିଯାଇଛି, ଆମ ପଶୁମାନଙ୍କର ଚରିବା ସ୍ଥାନରେ (ଉଚ୍ଚ କ୍ଷମତାସଂପନ୍ନ) ତାର ଟଣା ଓ ଖମ୍ବ (ପବନ ଶକ୍ତି ପାଇଁ) ବସି ଯାଇଥିବାରୁ ଆମ ଓଟମାନଙ୍କ ପାଇଁ ତାହା ନିଷିଦ୍ଧାଞ୍ଚଳରେ ପରିଣତ ହୋଇଛି। ସେମାନେ ଗାତରେ (ଖମ୍ବ ବସାଇବା ପାଇଁ ଖୋଳା ଯାଇଥିବା) ପଡ଼ି ଯାଆନ୍ତି ଏବଂ କ୍ଷତ ସ୍ଥାନରେ ଘା’ ହୋଇ ସଂକ୍ରାମକ ହୋଇଯାଏ। ଏହି ସୌରଶକ୍ତି ପ୍ଲେଟ୍‌ ଆମର କୋଉ କାମରେ ଲାଗୁନାହିଁ।”

ରାଇକା ପଶୁପାଳକ ସଂପ୍ରଦାୟର ଏହି ଦୁଇ ଭାଇ ଏବଂ ତାଙ୍କର ପୂର୍ବ ପିଢ଼ିମାନେ ବି ଓଟପାଳକ ଥିଲେ। ହେଲେ ଏବେ,  “ଆମେ ନିଜ ପେଟ ପୋଷିବା ପାଇଁ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛୁ,” କାରଣ ବିକ୍ରି କରିବାକୁ ଯଥେଷ୍ଟ ପରିମାଣର କ୍ଷୀର ନାହିଁ। ଅନ୍ୟ କାମ ବି ସହଜରେ ମିଳୁନାହିଁ, ଏବଂ ସେମାନେ କହନ୍ତି, “ଅତି ବେଶୀରେ ପରିବାରର ଜଣେ ଲୋକକୁ ବାହାର ଅଞ୍ଚଳରେ କାମ ମିଳେ।” ଅନ୍ୟମାନେ ପଶୁ ଚରାଇବା କାମ ହିଁ କରିବେ।

କେବଳ ଓଟପାଳକ ନୁହଁନ୍ତି, ଅନ୍ୟ ସମସ୍ତ ପଶୁପାଳକ ବି ସେହି ଏକା ସମସ୍ୟାର ସମ୍ମୁଖୀନ ହୁଅନ୍ତି।

Shepherd Najammudin brings his goats and sheep to graze in the Ganga Ram ki Dhani oran , among the last few places he says where open grazing is possible
PHOTO • Urja
Shepherd Najammudin brings his goats and sheep to graze in the Ganga Ram ki Dhani oran , among the last few places he says where open grazing is possible
PHOTO • Urja

ପଶୁପାଳକ ନଜମୁଦ୍ଦୀନ ଗଙ୍ଗା ରାମ କୀ ଧନୀ ଓରଣରେ ତାଙ୍କ ଛେଳି ଓ ମେଣ୍ଢା ଚରାଇବାକୁ ଆଣନ୍ତି। ଖୋଲା ପଡ଼ିଆରେ ପଶୁ ଚରାଇବା ଲାଗି ବାକି ରହିଥିବା କେତେକ ସ୍ଥାନ ଭିତରୁ ଏହା ଗୋଟିଏ

Left: High tension wires act as a wind barrier for birds. The ground beneath them is also pulsing with current.
PHOTO • Urja
Right: Solar panels are rasing the ambient temperatures in the area
PHOTO • Radheshyam Bishnoi

ବାମ:ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ ତାର ପକ୍ଷୀମାନଙ୍କ ଉଡ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରେ। ସେଗୁଡ଼ିକର ତଳେ ଥିବା ମାଟି ମଧ୍ୟ କରେଣ୍ଟରେ ଥରୁଥାଏ। ଡାହାଣ: ସୌରଶକ୍ତି ପ୍ୟାନେଲ ଯୋଗୁଁ ସେ ଅଞ୍ଚଳରେ ବାତାବରଣର ତାପମାତ୍ରା ବଢ଼ିବାରେ ଲାଗିଛି

ଆକାଶ ପଥରେ ସିଧାସଳଖ ଭାବେ ପ୍ରାୟ ୫୦ କିଲୋମିଟର ବା କିଛି କମ୍‌ ଦୂରରେ ଦିନ ପ୍ରାୟ ୧୦ଟା ବେଳକୁ ପଶୁପାଳକ ନଜମୁଦ୍ଦୀନ ଜୟସାଲମେର ଜିଲ୍ଲାର ଗଙ୍ଗା ରାମ କୀ ଧନୀ ଓରଣ ରେ ପହଞ୍ଚନ୍ତି। ତାଙ୍କର ୨୦୦ ମେଣ୍ଢା ଓ ଛେଳି ଖାଇବାକୁ ଘାସ ଟିକିଏ ଖୋଜି ଖୋଜି ଏଣେତେଣେ ଦୌଡ଼ା ଦୌଡ଼ି କରନ୍ତି।

ନାଟି ଗାଁର ଏହି ୫୫ ବର୍ଷୀୟ ପଶୁପାଳକ ଜଣକ ଚାରିଆଡ଼କୁ ନଜର ପକାନ୍ତି ଏବଂ କହନ୍ତି. “ଏହା ହିଁ ଏଠାରେ ବାକି ରହିଥିବା ଏକମାତ୍ର ଓରଣ । ଏଣିକି ଆଉ ପଶୁ ଚରାଇବା ଲାଗି ଖୋଲା ସ୍ଥାନ ସହଜରେ ମିଳୁନାହିଁ।” ତାଙ୍କ ହିସାବରେ ପ୍ରତି ବର୍ଷ ପଶୁଖାଦ୍ୟ କିଣିବାକୁ ସେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି।

୨୦୧୯ ମସିହାରେ ରାଜସ୍ଥାନରେ ଗୃହପାଳିତ ପଶୁସଂଖ୍ୟା ଥିଲା ୧୪ କୋଟି ସେଥିରୁ ଛେଳି ସଂଖ୍ୟା (୨ କୋଟି ୮୦ ଲକ୍ଷ) ଥିଲା ସବୁଠାରୁ ଅଧିକ, ୭୦ ଲକ୍ଷ ମେଣ୍ଢା ଏବଂ ୨୦ ଲକ୍ଷ ଓଟ ଥିଲେ। ଏହି ସର୍ବସାଧାରଣ ସମ୍ବଳ ଉତ୍ସ ବନ୍ଦ ହୋଇଯିବାର ପ୍ରତିକୂଳ ପ୍ରଭାବ ସେମାନଙ୍କ ଉପରେ ପଡ଼ିଛି।

ଏବଂ ଦିନକୁ ଦିନ ସ୍ଥିତି ଆହୁରି ଖରାପ ହେବାକୁ ଯାଉଛି।

‘ଇଣ୍ଟ୍ରା ଷ୍ଟେଟ୍‌ ଟ୍ରାନ୍‌ସମିସନ ସିଷ୍ଟମ ଗ୍ରୀନ୍‌ ଏନର୍ଜୀ କରିଡର ସ୍କିମ୍‌’ ଶୀର୍ଷକ ଅନ୍ତଃ ରାଜ୍ୟ ସବୁଜ ଶକ୍ତି ସଂଚାରଣ ପଦ୍ଧତି କରିଡର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୧୦,୭୫୦ ସର୍କିଟ୍‌ କିଲୋମିଟର (ସିକେଏମ୍‌) ବିଦ୍ୟୁତ ସରବରାହ ଲାଇନ୍‌ ସ୍ଥାପିତ ହେବ ବୋଲି ଆକଳନ କରାଯାଇଛି। ୨୦୨୨ ମସିହା ଜାନୁଆରୀ ୬ ତାରିଖରେ ଅର୍ଥନୈତିକ ବ୍ୟାପାର ସଂପର୍କିତ କ୍ୟାବିନେଟ୍‌ କମିଟି (ସିସିଇଏ) ଦ୍ୱାରା ଏହା ଅନୁମୋଦିତ ହୋଇଛି ଏବଂ ରାଜସ୍ଥାନ ସମେତ ସାତଟି ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରାଳୟ (ଏମ୍‌ଏନ୍‌ଆରଏଫ୍‌)ର ୨୦୨୧-୨୦୨୨ ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି।

ଏହା କେବଳ ଚାରଣଭୂମି ହରାଇବାର କଥା ନୁହେଁ। ସ୍ଥନୀୟ ଜଣେ ପରିବେଶ କର୍ମୀ ପାର୍ଥ ଜଗାନି କହନ୍ତି, “ଅକ୍ଷୟ ଶକ୍ତି କମ୍ପାନୀ ଆସିଲେ ସେମାନେ ପ୍ରଥମେ ଏଠାକାର ସବୁ ଗଛ କାଟି ପକାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ସବୁ ପ୍ରଜାତିର କୀଟ, ପକ୍ଷୀ ଓ ପ୍ରଜାପତି, ମଥ୍‌ ପ୍ରଭୃତି ମରିଯାଆନ୍ତି ଏବଂ ପରିବେଶଗତ ଜୀବନ ଚକ୍ର ବାଧାପ୍ରାପ୍ତ ହୁଏ, ପକ୍ଷୀ ଓ କୀଟପତଙ୍ଗମାନଙ୍କର ପ୍ରଜନନ ସ୍ଥଳୀଗୁଡ଼ିକ ବି ନଷ୍ଟ ହୋଇଯାଏ।”

ଏବଂ ଶହ ଶହ କିଲୋମିଟର ଯାଏ ଟଣାଯାଇଥିବା ବିଦ୍ୟୁତ୍‌ ଶକ୍ତି ତାରରେ ଲାଗିଥିବା ପବନ ଅବରୋଧକ ବାଜିବା କାରଣରୁ ରାଜସ୍ଥାନର ରାଜ୍ୟ ପକ୍ଷୀ ‘ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ’ ସମେତ ହଜାର ହଜାର ପକ୍ଷୀ ପ୍ରାଣ ହରାଉଛନ୍ତି। ପଢ଼ନ୍ତୁ: ବିଦ୍ୟୁତ୍‌ ଶକ୍ତି ପାଇଁ ବଳି ପଡ଼ିଲା: ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ

ସୌରଶକ୍ତି ଉତ୍ପନ୍ନ ନିମନ୍ତେ ଉଦ୍ଦିଷ୍ଟ ପ୍ଲେଟ୍‌ଗୁଡ଼ିକ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ଆକ୍ଷରିକ ଅର୍ଥରେ ବଢ଼ିବାରେ ଲାଗିଛି। ଭାରତର ବିଭିନ୍ନ ସ୍ଥାନରେ ଅତ୍ୟଧିକ ତାପ ଲହର ଅନୁଭୂତ ହେଉଛି। ରାଜସ୍ଥାନର ମରୁଭୂମି ଅଞ୍ଚଳର ଜଳବାୟୁରେ ତାପମାତ୍ରା ବର୍ଷକୁ ବର୍ଷ ବଢ଼ି ୫୦ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ହୋଇଛି। ବିଶ୍ୱ ତାପନ ସଂପର୍କିତ ନ୍ୟୁୟର୍କ୍‌ ଟାଇମ୍‌ସ ର ଏକ ପୋର୍ଟାଲରେ ପ୍ରଦତ୍ତ ତଥ୍ୟ ଅନୁସାରେ ଆଗାମୀ ୫୦ ବର୍ଷ ପରେ ଜୟସାଲମେରର କ୍ୟାଲେଣ୍ଡରରେ ‘ଅତ୍ୟଧିକ ଗରମ ଦିନ’ ଥିବା ଆଉ ଏକ ମାସ ଯୋଡ଼ି ହୋଇଯିବ- ଗରମ ଦିନ ସଂଖ୍ୟା ୨୫୩ରୁ ୨୮୩କୁ ବୃଦ୍ଧି ପାଇବ।

ଡକ୍ଟର ସୁମିତ ଡୁକିଆ କହନ୍ତି ଯେ ଅକ୍ଷୟ ଶକ୍ତି ସଂସ୍ଥା ସ୍ଥାପନ ନିମନ୍ତେ ଗଛ କଟାଯିବା କାରଣରୁ ଗରମ ବଢ଼ିଥିବା ବେଳେ ସୌରଶକ୍ତି ପ୍ୟାନେଲ ଯୋଗୁଁ ଏଠାକାର ତାପମାତ୍ରା ବହୁଗୁଣିତ ହେଉଛି। ସେ ଜଣେ ସଂରକ୍ଷଣ ଜୀବ ବିଜ୍ଞାନୀ ଏବଂ ଓରଣ ରେ ସଂଘଟିତ ପରିବର୍ତ୍ତନକୁ ବହୁ ଦଶନ୍ଧି ହେଲା ଅଧ୍ୟୟନ କରିଆସୁଛନ୍ତି। “କାଚ ପ୍ଲେଟ୍‌ଗୁଡ଼ିକରୁ ପ୍ରତିଫଳନ କାରଣରୁ ସ୍ଥାନୀୟ ପରିବେଶର ତାପମାତ୍ରା ଉପରମୁହାଁ ହେଉଛି।” ସେ କହନ୍ତି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ଆଗାମୀ ୫୦ ବର୍ଷ ମଧ୍ୟରେ ସ୍ୱାଭାବିକ ଭାବେ ତାପମାତ୍ରା ୧-୨ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି। “ଏବେ ଏହି ତାପମାତ୍ରା ବୃଦ୍ଧିର ହାର ଦ୍ରୁତ ବେଗରେ ବଢୁଛି ଏବଂ ଅସାଧାରଣ ଭାବରେ ତାପମାତ୍ରା ବୃଦ୍ଧି କାରଣରୁ ଏଠାକାର କୀଟପତଙ୍ଗ, ବିଶେଷତଃ ପରାଗ ସଙ୍ଗମରେ ସହାୟକ କୀଟପତଙ୍ଗ, ଏ ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।

Left: Windmills and solar farms stretch for miles here in Jaisalmer district.
PHOTO • Urja
Right: Conservation biologist, Dr. Sumit Dookia says the heat from solar panels is compounded by the loss of trees chopped to make way for renewable energy
PHOTO • Urja

ବାମ: ଜୟସାଲମେର ଜିଲ୍ଲାରେ ମାଇଲ ମାଇଲ ଧରି ସ୍ଥାପିତ ହୋଇଛି ପବନକଳ ଏବଂ ସୌରଶକ୍ତି ସଂସ୍ଥା। ଡାହାଣ: ସଂରକ୍ଷଣ ଜୀବବିଜ୍ଞାନୀ ଡକ୍‌ଟର ସୁମିତ ଡୁକିଆ କହନ୍ତି ଯେ, ଅକ୍ଷୟ ଶକ୍ତି ସଂସ୍ଥା ସ୍ଥାପନ ନିମନ୍ତେ ଗଛ କଟାଯିବା କାରଣରୁ ଗରମ ବଢ଼ିଥିବା ବେଳେ ସୌରଶକ୍ତି ପ୍ୟାନେଲ ଯୋଗୁଁ ତାପମାତ୍ରା ବହୁଗୁଣିତ ହେଉଛି

A water body in the Badariya oran supports animals and birds
PHOTO • Urja

ବଦାରିୟା ଓରଣର ଏହି ଜଳାଶୟ ପଶୁପକ୍ଷୀଙ୍କ ସାହାରା

ରାଜସ୍ଥାନରେ ଆଉ ଛଅଟି ସୌରଶକ୍ତି ପାର୍କ ସ୍ଥାପନ ପ୍ରସ୍ତାବକୁ ୨୦୨୧ ମସିହା ଡିସେମ୍ବରରେ ଅନୁମୋଦନ ପ୍ରଦାନ କରାଗଲା। ବିଶ୍ୱ ମହାମାରୀ ସମୟରେ, ରାଜସ୍ଥାନର ଅକ୍ଷୟ ଶକ୍ତି କ୍ଷମତା ସର୍ବାଧିକ ବୃଦ୍ଧି ପାଇଥିଲା – ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଏହି ବୃଦ୍ଧି ପରିମାଣ ୨୦୨୧ ମସିହାର ୯ ମାସ (ମାର୍ଚ୍ଚରୁ ଡିସେମ୍ବର) ଭିତରେ ୪,୨୪୭ ମେଗାୱାଟ୍‌ ଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ଥିଲା ଏକ ଗୋପନ ଅଭିଯାନ: ଏଠାକାର ପରିବେଶ କର୍ମୀ ପାର୍ଥ କହନ୍ତି, “ଲକ୍‌ଡାଉନ୍‌ ସମୟରେ ପୃଥିବୀ ସାରା ବନ୍ଦ ରହିଥିବା ବେଳେ ଏଠାରେ କାମ ଅବ୍ୟାହତ ରହିଥିଲା।” ଦୂର ଦିଗ୍‌ବଳୟ ଯାଏଁ ଲମ୍ବିଥିବା ପବନକଳଗୁଡ଼ିକୁ ଦେଖାଇ ସେ କହନ୍ତି, “ଲକ୍‌ଡାଉନ୍‌ ପୂର୍ବରୁ, ଦେବୀକୋଟରୁ ଦେଗରାଏ ମନ୍ଦିର ପର୍ଯ୍ୟନ୍ତି ଏହି ୧୫ କିଲୋମିଟର ରାସ୍ତା ଦୁଇ କଡ଼ରେ କୌଣସି ନିର୍ମାଣ ହୋଇ ନଥିଲା।”

କେମିତି ଏ ସବୁ ଘଟିଲା ବୋଲି ବୁଝାଇବାକୁ ଯାଇ ନାରାୟଣ ରାମ କହନ୍ତି, “ସେମାନେ ପୋଲିସର ଲାଠି ଧରି ଆସନ୍ତି, ଆମକୁ ଘଉଡ଼ାଇ ଦିଅନ୍ତି ଏବଂ ଜବରଦସ୍ତି ଯାହା ଇଚ୍ଛା ତାହା କରନ୍ତି, ଗଛ କାଟନ୍ତି, ଜମି ସମତୁଲ କରନ୍ତି।” ସେ ରାସଲା ପଞ୍ଚାୟତରେ ରହନ୍ତି ଏବଂ ଅନ୍ୟ ବୟସ୍କ ବ୍ୟକ୍ତିମାନଙ୍କ ସହ ଦେଗରାୟ ମାତା ମନ୍ଦିରରେ ବସିଛନ୍ତି। ଏହି ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ଓରଣ ର ଦେଖାରଖା କରନ୍ତି।

ସେ କହନ୍ତି, “ଆମେ ମନ୍ଦିରକୁ ଯେଉଁଭଳି ଭକ୍ତିର ସହ ଦେଖୁ, ଓରଣ କୁ ବି ସେମିତି ଦେଖୁ। ଏହା ଆମର ବିଶ୍ୱାସ। ଏହା ଗୃହପାଳିତ ପଶୁଙ୍କ ଚାରଣ ସ୍ଥାନ, ବନ୍ୟପ୍ରାଣୀ ଏବଂ ପକ୍ଷୀଙ୍କ ବାସସ୍ଥଳୀ, ଜଳାଶୟ ବି ରହିଛି, ତେଣୁ ଏହା ଆମର ଦେବୀଙ୍କ ଭଳି; ଓଟ, ଛେଳି, ମେଣ୍ଢା, ସମସ୍ତଙ୍କ କାମରେ ଲାଗେ।”

ଜୟସାଲମେର ଜିଲ୍ଲାପାଳଙ୍କ ମତାମତ ନେବା ପାଇଁ ଏହି ରିପୋର୍ଟର ବାରମ୍ବାର ତାଙ୍କ ସହିତ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ ହେଁ ସାକ୍ଷାତ୍‌ର ସୁଯୋଗ ଦିଆଯାଇ ନଥିଲା। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ସୌର ଶକ୍ତି ସଂସ୍ଥା ସହ ଯୋଗାଯୋଗ ଲାଗି କୌଣସି ବିବରଣୀ ନାହିଁ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟକୁ ପଠାଯାଇଥିବା ଇ-ମେଲ୍‌ର ଉତ୍ତର ଏହି ଲେଖା ପ୍ରକାଶନର ସମୟ ସୁଦ୍ଧା ମିଳିନାହିଁ।

ଏ ସଂପର୍କରେ କହିବା ତାଙ୍କ ଅଧିକାର ପରିସର ବାହାରେ ବୋଲି ଦର୍ଶାଇଥିବା ରାଜ୍ୟ ବିଦ୍ୟୁତ ନିଗମର ଜଣେ ସ୍ଥାନୀୟ ଅଧିକାରୀ କହିଲେ ଯେ ଭୂତଳ ବିଦ୍ୟୁତ ଗ୍ରୀଡ୍‌ ସ୍ଥାପନ ସଂପର୍କରେ କୌଣସି ନିର୍ଦ୍ଦେଶାବଳୀ ତାଙ୍କୁ ମିଳିନାହିଁ କି କୌଣସି ପ୍ରକଳ୍ପର କାମ ଧିମେଇ ଯାଇନାହିଁ।

*****

ଭିଡିଓ ଦେଖନ୍ତୁ: ଓରଣ ସୁରକ୍ଷା ଲାଗି ଲଢ଼େଇ

ଯେଉଁଭଳି ସହଜ ଢଙ୍ଗରେ ଅକ୍ଷୟ ଶକ୍ତି କମ୍ପାନୀଗୁଡ଼ିକ ରାଜସ୍ଥାନରେ ପଶି ଜମି ଅକ୍ତିଆର କରି ନେବାରେ ଲାଗିଛନ୍ତି ତାହାକୁ ଔପନିବେଶିକ ଯୁଗର ଶବ୍ଦାବଳୀ ସହିତ ହିଁ ସଂଯୋଗ କରାଯାଇପାରେ, ଯେଉଁ ଯୁଗରେ ସମସ୍ତ ଅଣ-ରାଜସ୍ୱ ଜମିକୁ ‘ପତିତ ଜମି’ ରୂପେ ଚିହ୍ନିତ କରାଯାଇ ଏକତ୍ର କରାଯାଉଥିଲା। ଏଥିରେ ଅର୍ଦ୍ଧ ଶୁଷ୍କ ଘାସ ପଡ଼ିଆ ଏବଂ ତୃଣଭୂମି ବି ସାମିଲ ଥିଲା।

ଏଭଳି ଭୁଲ ବର୍ଗୀକରଣକୁ ବରିଷ୍ଠ ବିଜ୍ଞାନୀ ଏବଂ ସଂରକ୍ଷଣବାଦୀମାନେ ଖୋଲାଖୋଲି ବିରୋଧ କରିଆସୁଥିଲେ ହେଁ ଭାରତ ସରକାର ୨୦୦୫ ମସିହାରୁ ଏକ ‘ୱେଷ୍ଟଲ୍ୟାଣ୍ଡ ଆଟ୍‌ଲାସ୍‌’ ପ୍ରକାଶନ ଅବ୍ୟାହତ ରଖିଛନ୍ତି। ୨୦୧୯ରେ ପ୍ରକାଶିତ ଏହାର ପଞ୍ଚମ ସଂସ୍କରଣକୁ ସଂପୂର୍ଣ୍ଣ ଭାବରେ ଡାଉନ୍‌ଲୋଡ୍‌ କରିହେଉନାହିଁ।

୨୦୧୫-୧୬ର ୱେଷ୍ଟଲ୍ୟାଣ୍ଡ ଆଟ୍‌ଲାସ୍‌ ରେ ଭାରତର ୧୭ ପ୍ରତିଶତ ଭୂମିକୁ ତୃଣଭୂମି ଶ୍ରେଣୀଭୁକ୍ତ କରାଯାଇଛି। ସରକାରୀ ନୀତି ଅନୁସାରେ ତୃଣଭୂମି, ଗୁଳ୍ମ ଓ କଣ୍ଟାଜାତୀୟ ଉଦ୍ଭିଦ ବଣ ସମୂହ ଆନୁଷ୍ଠାନିକ ଭାବେ ‘ପତିତ’ ବା ‘ଅନାବାଦୀ ଜମି’ ରୂପେ ଘୋଷିତ ହୋଇଛି।

ତୃଣଭୂମିର ଏହି ତ୍ରୁଟିପୂର୍ଣ୍ଣ ବର୍ଗୀକରଣ ବିରୋଧରେ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଲଢ଼େଇ କରିଆସୁଥିବା ସଂରକ୍ଷଣ ବିଜ୍ଞାନୀ ଡକ୍‌ଟର ଅବି ଟି. ବନକ କହନ୍ତି, “ଜୀବିକା ଏବଂ ଜୈବ ବିବିଧତା କ୍ଷେତ୍ରରେ ଶୁଷ୍କଭୂମି ପରିବେଶଗତ ପ୍ରଣାଳୀର ଉପଯୋଗିତା ଏବଂ ସଂରକ୍ଷଣ ମୂଲ୍ୟ ରହିଛି ବୋଲି ଭାରତ ସ୍ୱୀକାର କରେ ନାହିଁ। ବର୍ଗ ପରିବର୍ତ୍ତନ ଏବଂ ପରିବେଶର ଅପୂରଣୀୟ କ୍ଷତି ଘଟାଇବା କ୍ଷେତ୍ରରେ ଏହି ସବୁ ଭୂମି ସହଜ ମାଧ୍ୟମ ହୋଇଥାଏ।”

ସେ ପ୍ରଶ୍ନ କରନ୍ତି, “ସୌରଶକ୍ତି ସଂସ୍ଥା ସ୍ଥାପନ ଯୋଗୁଁ ଆଗରୁ ନଥିବା ସ୍ଥାନରେ ପତିତ ଜମି ସୃଷ୍ଟି ହୁଏ। ଆପଣ ଏକ ଜୀବନ୍ତ ପରିବେଶଗତ ପ୍ରଣାଳୀ ବଦଳରେ ଏକ ସୌରଶକ୍ତି ସଂସ୍ଥା ସ୍ଥାପନ କରନ୍ତି। ଏହା ଶକ୍ତି ଉତ୍ପାଦନ କରେ ସତ, ହେଲେ ଏହା ସବୁଜ ଶକ୍ତି କି ?” ସେ କହନ୍ତି ଯେ ରାଜସ୍ଥାନର ୩୩ ପ୍ରତିଶତ ମୁକ୍ତ ପ୍ରାକୃତିକ ପରିବେଶଗତ ପ୍ରଣାଳୀ (ଓଏନ୍‌ଇ) ଏବଂ ଏହା ପତିତ ନୁହେଁ, ଯେମିତି କି ଏହାର ବର୍ଗୀକରଣ କରାଯାଇଛି।

ନେଚର କନ୍‌ଜର୍‌ଭେସନ୍‌ ଫାଉଣ୍ଡେସନର ପରିବେଶ ବିଜ୍ଞାନୀ ଏମ୍‌.ଡି. ମଧୁସୂଦନଙ୍କ ସହିତ ସହ ଲେଖକ ଭାବେ ସେ ଲେଖିଥିବା ଏକ ଗବେଷଣାମୂଳକ ନିବନ୍ଧରେ ଉଲ୍ଲେଖ କରାଯାଇଛି, “ଭାରତର ୧୦ ପ୍ରତିଶତ ଭୂମି ମୁକ୍ତ ପ୍ରାକୃତିକ ପରିବେଶଗତ ପ୍ରଣାଳୀ ପରିସରଭୁକ୍ତ ହୋଇଥିବା ବେଳେ ମାତ୍ର ୫ ପ୍ରତିଶତ ସୁରକ୍ଷିତ ଅଞ୍ଚଳ ବା ‘ପ୍ରୋଟେକ୍ଟେଡ଼ ଏରିଆ’ (ପିଏ) ରୂପେ ଚିହ୍ନିତ ହୋଇଛି। ଏହି ନିବନ୍ଧର ଶୀର୍ଷକ ହେଲା ଭାରତର ଅର୍ଦ୍ଧ ଶୁଷ୍କ ଉନ୍ମୁକ୍ତ ପ୍ରାକୃତିକ ପରିବେଶଗତ ପ୍ରଣାଳୀର ବ୍ୟାପ୍ତି ଏବଂ ବିତରଣର ଅନୁଶୀଳନ

A map (left) showing the overlap of open natural ecosystems (ONEs) and ‘wasteland’; much of Rajasthan is ONE
A map (left) showing the overlap of open natural ecosystems (ONEs) and ‘wasteland’; much of Rajasthan is ONE
PHOTO • Urja

(ବାମ) ମୁକ୍ତ ପ୍ରାକୃତିକ ପରିବେଶଗତ ପ୍ରଣାଳୀ (ଓଏନ୍‌ଇ) ଏବଂ ‘ପତିତ ଜମି’ର ପାରସ୍ପରିକ ବ୍ୟାପ୍ତି ଦର୍ଶାଉଥିବା ଏକ ମାନଚିତ୍ର;ଯେଉଁଥିରେ ରାଜସ୍ଥାନର ଅଧିକାଂଶ ଅଞ୍ଚଳ ‘ଓଏନ୍‌ଇ’ ରୂପେ ଚିହ୍ନିତ

ପଶୁପାଳକ ଜୋରା ରାମ ଯେତେବେଳେ କହନ୍ତି କି “ସରକାର ଆମ ଭବିଷ୍ୟତକୁ ଅନ୍ୟ ହାତରେ ଟେକି ଦେଉଛନ୍ତି। ଆମ ସଂପ୍ରଦାୟର ସୁରକ୍ଷା ଲାଗି ଆମକୁ ଓଟକୁ ସୁରକ୍ଷିତ ରଖିବାକୁ ହେବ,” ସେତେବେଳେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଚାରଣ ଭୂମି କଥା ହିଁ କହନ୍ତି।

ବିଡମ୍ବନାର ବିଷୟ ଯେ, ୧୯୯୯ରେ ପୂର୍ବତନ ପତିତ ଭୂମି ବିକାଶ ବିଭାଗର ନାମ ପରିବର୍ତ୍ତନ କରାଯାଇ ଭୂସଂପଦ ବିଭାଗ ରୂପରେ ନାମିତ କରାଯିବା ପରେ ସ୍ଥିତି ଆହୁରି ବିଗିଡ଼ିଲା।

ସରକାରଙ୍କ ଆଭିମୁଖ୍ୟ ସଂପର୍କିତ ବନକଙ୍କ ମତରେ “ଭୂସ୍ଥିତି ଏବଂ ପରିବେଶ ବିଜ୍ଞାନର ବୋଧଗମ୍ୟତା ବୈଷୟିକ ଜ୍ଞାନ-କୈନ୍ଦ୍ରିକ ଏବଂ ସରକାର ଯାନ୍ତ୍ରିକ ପଦ୍ଧତିରେ ସବୁ ପ୍ରସଙ୍ଗକୁ ଗୋଟିଏ ରୂପରେ ଦେଖିବାକୁ ଚେଷ୍ଟା କରୁଛନ୍ତି।” ‘ଅଶୋକା ଟ୍ରଷ୍ଟ ଫର୍‌ ରିସର୍ଚ୍ଚ ଇନ୍‌ ଇକୋଲୋଜି ଆଣ୍ଡ ଦ ଏନଭାଇରନ୍‌ମେଣ୍ଟ (ଏଟିଆର୍‌ଇଇ)’ର ଜଣେ ଅଧ୍ୟାପକ ବନକ କହନ୍ତି ଯେ, “ସ୍ଥାନୀୟ ପରିବେଶ ତନ୍ତ୍ର ପ୍ରତି ଧ୍ୟାନ ଦିଆଯାଉନାହିଁ, ଏବଂ ଆମେ ଭୂମି ସହିତ ଲୋକଙ୍କ ଜୀବନର ସମ୍ବନ୍ଧକୁ ଅଣଦେଖା କରୁଛୁ।”

ସୌଁଟା ଗାଁର କମଲ କୁଓଁର କହନ୍ତି, “ଏବେ ତ ଓରଣ ରୁ କେର୍‌ ସାଙ୍ଗଡ଼ି ଆଣିବା ବି ଆଉ ସମ୍ଭବ ହେଉନି।” ଏହି ୩୦ ବର୍ଷୀୟା ଯୁବତୀଙ୍କ ରାଗ ଏଥିପାଇଁ ଯେ ସେ ଆଉ ସେଠାରୁ ଛୋଟ ଛୋଟ କୋଳି ଓ ଏଠାକାର କେର୍‌ ଗଛର ଛୁଇଁ ପାଉନାହାନ୍ତି। ଏହି ଛୁଇଁକୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ରନ୍ଧାଯାଏ ଏବଂ ଏହାକୁ ଭଲ ଭାବେ ରାନ୍ଧୁଥିବାରୁ ସେ ଖୁବ୍‌ ପ୍ରଶଂସିତ ହୁଅନ୍ତି।

ଭୂସଂପଦ ବିଭାଗ ବା ଡିଓଏଲ୍‌ଆର୍‌ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ‘ଗ୍ରାମୀଣ ଅଞ୍ଚଳରେ ଜୀବିକା ଅର୍ଜନର ସୁଯୋଗ ବୃଦ୍ଧି’କୁ ସାମିଲ କରାଯାଇଛି। କିନ୍ତୁ ବିଭିନ୍ନ ଅକ୍ଷୟ ଶକ୍ତି କମ୍ପାନୀକୁ ଜମି ଦେଇଦେବା, ବଡ଼ ବଡ଼ ଚାରଣ ଭୂମିକୁ ବାଡ଼ ଦେଇ ସେଠାରେ ପଶୁ ଚରିବା ବନ୍ଦ କରିଦେବା, ଏବଂ ଅଣ-ଜଙ୍ଗଲ କାଠ ଉତ୍ପାଦ ଉପରେ ପ୍ରତିବନ୍ଧ ଲଗାଇ ଏହାକୁ ଦୁଷ୍ପ୍ରାପ୍ୟ କରିଦେବା ଫଳରେ ଏହି ଅଭିଯାନର ଲକ୍ଷ୍ୟ ହାସଲ ବଦଳରେ ଏହାର ବିପରୀତ ଫଳାଫଳ ହିଁ ସମ୍ଭବ ହେଉଛି।

ଜୟସାଲମେର ଜିଲ୍ଲାର ମୋକଲା ଗାଁର କୁନ୍ଦନ ସିଂହ ଜଣେ ପଶୁଚରାଳି। ଏହି ୨୫ ବର୍ଷୀୟ ଯୁବକ କହନ୍ତି ଯେ ତାଙ୍କ ଗାଁରେ ପ୍ରାୟ ୩୦ଟି କୃଷକ-ପଶୁପାଳକ ପରିବାର ରହୁଛନ୍ତି ଏବଂ ପଶୁ ଚରାଇବା ଏବେ କାଠିକର ପାଠ ହେଲାଣି। “ସେମାନେ (ଅକ୍ଷୟ ଶକ୍ତି କମ୍ପାନୀ) ଚାରିପଟେ ଗୋଟିଏ ପାଚେରି ତିଆରି କରି ଦେଉଛନ୍ତି ଏବଂ ଆମେ ପଶୁ ଚରାଇବା ପାଇଁ ତା ଭିତରକୁ ପଶି ପାରୁନାହୁଁ।”

Left- Young Raika boys Jagdish Ram (left) and Dina Ram who come to help with grazing
PHOTO • Urja
Right: Jora Ram with his camels in Degray oran
PHOTO • Urja

ବାମ: ରାଇକା ସଂପ୍ରଦାୟର ଯୁବକ ଜଗଦୀଶ ରାମ (ବାମ) ଏବଂ ଦୀନା ରାମ ଗୃହପାଳିତ ପଶୁ ଚରାଇବାରେ ସାହାଯ୍ୟ କରିବାକୁ ଆସନ୍ତି। ଡାହାଣ: ଦେଗରାୟ ଓରଣରେ ତାଙ୍କ ଓଟମାନଙ୍କ ସହିତ ଜୋରା ରାମ

Kamal Kunwar (left) and Sumer Singh Bhati (right) who live in Sanwata village rue the loss of access to trees and more
PHOTO • Priti David
Kamal Kunwar (left) and Sumer Singh Bhati (right) who live in Sanwata village rue the loss of access to trees and more
PHOTO • Urja

ସୌଁଟା ଗାଁରେ ରହୁଥିବା କମଲ କୁଓଁର (ବାମ) ଏବଂ ସୁମେର ସିଂହ ଭାଟି (ଡାହାଣ)ଙ୍କର ଦୁଃଖ ଯେ ସେମାନେ ଆଉ ଗଛ ଏବଂ ଅନ୍ୟାନ୍ୟ ଜିନିଷ ପାଖରେ ପହଞ୍ଚି ପାରୁନାହାନ୍ତି

ଜୟସାଲମେର ଜିଲ୍ଲାର ୮୭ ପ୍ରତିଶତ ଗ୍ରାମାଞ୍ଚଳ ଏବଂ ୬୦ ପ୍ରତିଶତରୁ ଅଧିକ ଲୋକ ଚାଷବାସ ଏବଂ ଗୃହପାଳିତ ପଶୁ ପାଳନ କରନ୍ତି। ସୁମେର ସିଂହ କହନ୍ତି, “ଏ ଅଞ୍ଚଳରେ ସମସ୍ତଙ୍କ ଘରେ ଗୃହପାଳିତ ପଶୁ ରହିଛି। ମୁଁ ମୋ ପଶୁମାନଙ୍କୁ ପର୍ଯ୍ୟାପ୍ତ ଖାଇବାକୁ ଦେଇପାରୁ ନାହିଁ।”

୨୦୧୪ ଜୁନ୍‌ ମାସରେ ପ୍ରକାଶିତ ଭିନ୍ନ ଭିନ୍ନ ଉଦ୍ଭିଦ ପ୍ରଜାତିରେ ବିବିଧତାର ଢାଞ୍ଚା ଶୀର୍ଷକ ଗବେଷଣା ନିବନ୍ଧରେ ଦର୍ଶାଯାଇଛି ଯେ ଏହି ଗୃହପାଳିତ ପଶୁମାନେ ଘାସ ଖାଆନ୍ତି ଏବଂ ରାଜସ୍ଥାନରେ ୩୭୫ ପ୍ରଜାତିର ଘାସ ଦେଖାଯାଏ। ଏଠାରେ ସ୍ୱଳ୍ପ ବୃଷ୍ଟିପାତ ସତ୍ତ୍ୱେ ସେମାନେ ଖୁବ୍‌ ଭଲ ଭାବରେ ବଢ଼ିପାରନ୍ତି।

କିନ୍ତୁ ଯେତେବେଳେ ଅକ୍ଷୟ ଶକ୍ତି କମ୍ପାନୀଗୁଡ଼ିକ ଏହି ଜମିକୁ ଅକ୍ତିଆର କରିନିଅନ୍ତି, “ଏଠାକାର ମାଟିରେ ଅସନ୍ତୁଳିତ ହୋଇଗଲା। ଏଠାରେ ଥିବା ପ୍ରତିଟି ସ୍ଥାନୀୟ ପ୍ରଜାତିର ବୁଦାମୂଳ ବହୁ ଦଶନ୍ଧି ହେଲା ରହିଆସିଛି ଏବଂ ଏଠାକାର ପରିବେଶ ପ୍ରଣାଳୀ ଶହ ଶହ ବର୍ଷ ପୁରୁଣା। ଆପଣ ସେଗୁଡ଼ିକୁ ବଦଳାଇ ପାରିବେନି। ସେଗୁଡ଼ିକୁ ବାଦ୍‌ ଦେଲେ ଏହା ମରୁ ଅଞ୍ଚଳରେ ପରିଣତ ହେବ,” ବୋଲି କହନ୍ତି ବନକ।

ଭାରତର ଜଙ୍ଗଲ ସ୍ଥିତି ରିପୋର୍ଟ-୨୦୨୧ , ଅନୁସାରେ ରାଜସ୍ଥାନରେ ୩ କୋଟି ୪୦ ଲକ୍ଷ ହେକ୍ଟର ଜମି ରହିଛି, କିନ୍ତୁ ମାତ୍ର ୮ ପ୍ରତିଶତ ଜଙ୍ଗଲ ଭାବରେ ବର୍ଗୀକୃତ ହୋଇଛି। କାରଣ, ତଥ୍ୟ ସଂଗ୍ରହ ନିମନ୍ତେ ଉପଗ୍ରହର ଉପଯୋଗ କରାଯାଇଥିବା ସମୟରେ ତାହା କେବଳ ଗଛରେ ଢାଙ୍କି ହୋଇଥିବା ଅଞ୍ଚଳକୁ ‘ଜଙ୍ଗଲ’ ଭାବରେ ଚିହ୍ନଟ କରିଛି।

କିନ୍ତୁ ଏହି ରାଜ୍ୟର ବନାଞ୍ଚଳରେ ତୃଣଭୂମିରେ ବସବାସ କରୁଥିବା ଅଂସଖ୍ୟ ପ୍ରଜାତିର ପଶୁପକ୍ଷୀ ରହିଛନ୍ତି ଏବଂ ସେଥିରୁ ଅନେକ ପ୍ରଜାତି ଏବେ ବିଲୁପ୍ତପ୍ରାୟ କିମ୍ବା ଲୋପ ପାଇଯିବାର ଆଶଙ୍କା ରହିଛି। ସେଥିରେ ରହିଛି: ଲେସର୍‌ ଫ୍ଲୋରିକାନ୍‌ ପ୍ରଜାତି (ଏକ ବଡ଼ ପକ୍ଷୀ) ଏବଂ ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ (ବଷ୍ଟାର୍ଡ ପକ୍ଷୀ), ଇଣ୍ଡିଆନ୍‌ ଗ୍ରେ ଉଲ୍‌ଫ (ଗଧିଆ), ଗୋଲ୍‌ଡେନ୍‌ ଜ୍ୟାକଲ (ସୁନେଲି ବିଲୁଆ), ଇଣ୍ଡିଆନ୍‌ ଫକ୍‌ସ, (କୋକିଶିଆଳି) ଇଣ୍ଡିଆନ୍ ଗେଜେଲ (ଚିଙ୍କାରା), ବ୍ଲାକ୍‌ବକ୍‌ (କୃଷ୍ଣସାର ମୃଗ), ଷ୍ଟ୍ରାଇପ୍‌ଡ ହାଏନା (ଗାରଗାରିଆ ହେଟାବାଘ), କାରାକାଲ (ବଣୁଆ ବିଲେଇ), ଡେଜର୍ଟ କ୍ୟାଟ୍‌ (ମରୁଭୂମିର ବିଲେଇ) ଏବଂ ଇଣ୍ଡିଆନ୍‌ ହେଜ୍‌ହଗ୍ (ଝିଙ୍କ) ଏବଂ ଆହୁରି ଅନେକ। ସେହିଭଳି ଡେଜର୍ଟ ମନିଟର୍‌ ଲିଜାର୍ଡ (ମରୁଭୂମିର ଗୋଧି) ଏବଂ ସ୍ପିନି ଟେଲ୍‌ଡ ଲିଜାର୍ଡ (କଣ୍ଟାଳିଆ ଲାଞ୍ଜ ବିଶିଷ୍ଟ ଏଣ୍ଡୁଅ) ପ୍ରଜାତିର ମଧ୍ୟ ତୁରନ୍ତ ସଂରକ୍ଷଣ ଆବଶ୍ୟକ।

ମିଳିତ ଜାତିସଂଘ ପକ୍ଷରୁ ୨୦୨୧-୨୦୩୦ ଦଶନ୍ଧିକୁ ମିଳିତ ଜାତିସଂଘର ପରିବେଶଗତ ପ୍ରଣାଳୀ ପୁନରୁଦ୍ଧାର ସଂପର୍କିତ ଦଶନ୍ଧି ଘୋଷଣା କରାଯାଇଛି। “ପରିବେଶଗତ ପ୍ରଣାଳୀର ପୁନରୁଦ୍ଧାର ଅର୍ଥ ଅବକ୍ଷୟାଭିମୁଖୀ କିମ୍ବା ନଷ୍ଟ ହୋଇଯାଇଥିବା ପରିବେଶଗତ ପ୍ରଣାଳୀର ପୁନରୁଦ୍ଧାର ଏବଂ ଅଦ୍ୟାବଧି ଅକ୍ଷତ ସ୍ଥିତିରେ ଥିବା ପରିବେଶଗତ ପ୍ରଣାଳୀର ସଂରକ୍ଷଣ।” ଅଧିକନ୍ତୁ, ଆଇୟୁସିଏନ୍‌ (ପ୍ରକୃତିର ସଂରକ୍ଷଣ ଲାଗି ଅନ୍ତର୍ଜାତୀୟ ସଂଗଠନ)ର ନେଚର୍‌-୨୦୨୩ କାର୍ଯ୍ୟକ୍ରମରେ ‘ପରିବେଶଗତ ପ୍ରଣାଳୀର’ ପୁନରୁଦ୍ଧାରକୁ ଏକ ନମ୍ବର ପ୍ରାଥମିକତା ଭାବେ ତାଲିକାଭୁକ୍ତ କରାଯାଇଛି।

Jaisalmer lies in the critical Central Asian Flyway – the annual route taken by birds migrating from the Arctic to Indian Ocean, via central Europe and Asia
PHOTO • Radheshyam Bishnoi
Jaisalmer lies in the critical Central Asian Flyway – the annual route taken by birds migrating from the Arctic to Indian Ocean, via central Europe and Asia
PHOTO • Radheshyam Bishnoi

ଜୟସାଲମେର ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଏସୀୟ ଆକାଶମାର୍ଗରେ ରହିଛି – ପ୍ରବାସୀ ପକ୍ଷୀମାନେ ଏହି ଆକାଶପଥରେ କେନ୍ଦ୍ରୀୟ ୟୁରୋପ ଏବଂ ଏସିଆ ବାଟ ଦେଇ ଆର୍କଟିକ୍‌ ମହାସାଗରରୁ ଭାରତ ମହାସାଗରକୁ ଆସିଥାଆନ୍ତି

Orans are natural eco systems that support unique plant and animal species. Categorising them as ‘wasteland’ has opened them to takeovers by renewable energy companies
PHOTO • Radheshyam Bishnoi
Orans are natural eco systems that support unique plant and animal species. Categorising them as ‘wasteland’ has opened them to takeovers by renewable energy companies
PHOTO • Radheshyam Bishnoi

ଓରଣଗୁଡ଼ିକ ପ୍ରାକୃତିକ ପରିବେଶଗତ ପ୍ରଣାଳୀ, ଯାହାକି ସ୍ୱତନ୍ତ୍ର ବୃକ୍ଷଲତା ଓ ପଶୁପକ୍ଷୀ ପ୍ରଜାତିର ଜୀବନଧାରଣରେ ସହାୟକ ହୋଇଥାଏ। ‘ପତିତ ଜମି’ ରୂପେ ଶ୍ରେଣୀଭୁକ୍ତ କରାଯିବା ଫଳରେ ବିଭିନ୍ନ ଅକ୍ଷୟ ଶକ୍ତି କମ୍ପାନୀ ସେଗୁଡ଼ିକୁ ଅକ୍ତିଆର କରିବା ପାଇଁ ବାଟ ଖୋଲିଯାଏ

‘ତୃଣଭୂମି ସଂରକ୍ଷଣ’ ଏବଂ ‘ମୁକ୍ତ ଜଙ୍ଗଲ ପରିବେଶ ପ୍ରଣାଳୀ’ ନିମନ୍ତେ ଭାରତ ସରକାର ଚିତାବାଘ ଆମଦାନୀ କରୁଛନ୍ତି କିମ୍ବା ସେହିଭଳି କିଛି କଥା ୨୦୨୨ ଜାନୁଆରୀରେ ଘୋଷିତ ୨୨୪ କୋଟି ଟଙ୍କାର ଚିତାବାଘ ପୁନଃପ୍ରବେଶ ଯୋଜନା ରେ କୁହାଯାଇଛି। ହେଲେ ଏହି ଚିତାବାଘଗୁଡ଼ିକ ନିଜକୁ ବଞ୍ଚାଇ ରଖିବାରେ ସେତେଟା ସମର୍ଥ ହୋଇପାରିନାହାନ୍ତି – ଆମଦାନୀ କରାଯାଇଥିବା ୨୦ଟି ଚିତାବାଘରୁ ପାଞ୍ଚଟି ମରିଗଲେଣି ଏବଂ ତିନିଟି ଛୁଆ ଏଠାରେ ଜନ୍ମ ହୋଇଛନ୍ତି।

*****

ଓରଣ ସଂକ୍ରାନ୍ତ ଏକ ମାମଲାରେ ୨୦୧୮ ରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଶୁଣି ଏଠାକାର ଲୋକେ ଖୁସି ହୋଇଥିଲେ। ନିର୍ଦ୍ଦେଶରେ କୁହାଯାଇଥିଲା “...ଖୁବ୍‌ କମ୍‌ ଗଛଲତା, ତୃଣଭୂମି କିମ୍ବା ପରିବେଶ ପ୍ରଣାଳୀ ସମ୍ବଳିତ ଶୁଷ୍କ ଅଞ୍ଚଳ... ଜଙ୍ଗଲ ଜମି ଭାବରେ ମାନ୍ୟତା ପାଇବା ଦରକାର।”

କିନ୍ତୁ ବାସ୍ତବ କ୍ଷେତ୍ରରେ କୌଣସି ପରିବର୍ତ୍ତନ ହେଲା ନାହିଁ ଏବଂ ଅକ୍ଷୟ ଶକ୍ତି କମ୍ପାନୀ ସହିତ ଚୁକ୍ତିନାମା ସଂପାଦନ ଅବ୍ୟାହତ ରହିଲା। ଏହି ସମସ୍ତ ଜଙ୍ଗଲକୁ ବୈଧ ଜଙ୍ଗଲର ମାନ୍ୟତା ଦେବା ଦିଗରେ କାର୍ଯ୍ୟରତ ସ୍ଥାନୀୟ ସାମାଜିକ କର୍ମୀ ଅମନ ସିଂହ ଏ ସଂକ୍ରାନ୍ତରେ ସୁପ୍ରିମ କୋର୍ଟରେ ଏକ ଆବେଦନ ଦାଖଲ କରି କୋର୍ଟଙ୍କ “ନିର୍ଦ୍ଦେଶ ଏବଂ ହସ୍ତକ୍ଷେପ” ଲୋଡ଼ିଲେ। ୨୦୨୩ ମସିହା ଫେବ୍ରୁଆରୀ ୧୩ରେ ସୁପ୍ରିମ କୋର୍ଟ ରାଜସ୍ଥାନ ସରକାରଙ୍କୁ ନୋଟିସ୍‌ ପଠାଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ।

ସାଧାରଣ ଲୋକଙ୍କ ଭୂମି, ବିଶେଷତଃ ଓରଣ ଗୁଡ଼ିକର ପୁନଃ ସଂସ୍ଥାପନ ଦିଗରେ କାର୍ଯ୍ୟରତ ଏକ ସଂଗଠନ ‘କୃଷି ଆବାମ ପରିସ୍ଥିତିକି ବିକାଶ ସଂସ୍ଥାନ’ (କେଆର୍‌ଏପିଏଭିଆଇଏସ୍‌)ର ପ୍ରତିଷ୍ଠାତା ସିଂହ କହନ୍ତି, “ସରକାରଙ୍କ ପାଖର ଓରଣ ସଂପର୍କିତ ପର୍ଯ୍ୟାପ୍ତ ତଥ୍ୟ ନାହିଁ। ରାଜସ୍ୱ ବିଭାଗର ନଥିପତ୍ରରେ ସର୍ବଶେଷ ତଥ୍ୟ ନାହିଁ ଏବଂ ଅନେକ ଓରଣ ର ନଥିଭୁକ୍ତ କରାଯାଇନାହିଁ ଏବଂ/କିମ୍ବା ସେଗୁଡ଼ିକ ଜବରଦଖଲରେ ରହିଛନ୍ତି।”

ସେ କହନ୍ତି ଯେ ଓରଣ ଗୁଡ଼ିକୁ ‘ବିବେଚିତ ଜଙ୍ଗଲ’ର ମାନ୍ୟତା ପ୍ରଦାନ କରାଯାଇ ଅଧିକ ସୁରକ୍ଷିତ ରଖାଯାଇପାରିବ ଏବଂ  ଏଥିରେ ଖଣିକାମ, ସୌରଶକ୍ତି ଏବଂ ପବନ କଳ କମ୍ପାନୀ, ସହରୀକରଣ ଏବଂ ଅନ୍ୟ ସମ୍ଭାବିତ ବିପଦକୁ ଆଇନଗତ ଭାବେ ରୋକାଯାଇ ପାରିବ। ସେ ଆହୁରି କହନ୍ତି, “ସେଗୁଡ଼ିକ ପତିତ ଜମି ଭାବରେ ରାଜସ୍ୱ ବର୍ଗରେ ରହିଲେ ସେଗୁଡ଼ିକୁ ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ପ୍ରଦାନ କରାଯିବାର ଆଶଙ୍କା ଲାଗି ରହିଥିବ।”

ରାଜସ୍ଥାନ ସୌରଶକ୍ତି ନୀତି-୨୦୧୯ ର ବିବରଣୀରେ ସୌରଶକ୍ତି କେନ୍ଦ୍ର ସ୍ଥାପନ ନିମନ୍ତେ ସଂପୃକ୍ତ ସଂସ୍ଥାଗୁଡ଼ିକ ସିଲିଂ ବହିର୍ଭୂତ ଚାଷଜମିକୁ ଅଧିଗ୍ରହଣ କରିପାରିବେ ଏବଂ ଜମିର କିସମ ପରିବର୍ତ୍ତନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ଉଲ୍ଲେଖ କରାଯାଇଥିବାରୁ ଏହା ଓରଣ ଗୁଡ଼ିକର ସ୍ଥିତି ବଜାୟ ରଖିବା କଷ୍ଟକର ହୋଇପଡ଼ିବ।

When pristine orans (right) are taken over for renewable energy, a large amount of non-biodegradable waste is generated, polluting the environment
PHOTO • Urja
When pristine orans (right) are taken over for renewable energy, a large amount of non-biodegradable waste is generated, polluting the environment
PHOTO • Urja

ଅକ୍ଷୟ ଶକ୍ତି ନିମନ୍ତେ ପ୍ରାଚୀନ ଓରଣଗୁଡ଼ିକୁ (ଡାହାଣ) ଅକ୍ତିଆର କରାଯାଇଥିବାରୁ ଅଧିକ ମାତ୍ରାରେ ଜୈବିକ ଉପାୟରେ ନଷ୍ଟ ହୋଇ ନପାରିବା ଭଳି ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି ଏବଂ ପରିବେଶ ପ୍ରଦୂଷିତ ହେଉଛି

Parth Jagani (left) and Radheshyam Bishnoi are local environmental activists .
PHOTO • Urja
Right: Bishnoi near the remains of a GIB that died after colliding with powerlines
PHOTO • Urja

ପାର୍ଥ ଜୋଗାନି (ବାମ) ଏବଂ ରାଧେଶ୍ୟାମ ବିଷ୍ନୋଇ ଦୁହେଁ ସ୍ଥାନୀୟ ପରିବେଶ କର୍ମୀ। ଡାହାଣ: ବିଦ୍ୟୁତ୍‌ ତାରରେ ଲାଗି ପ୍ରାଣ ହରାଇଥିବା ଗୋଟିଏ ‘ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ’ ପକ୍ଷୀର ଦେହାବଶେଷ ପାଖରେ ବିଷ୍ନୋଇ ଠିଆ ହୋଇଛନ୍ତି

ନୂଆ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ତଥା ବନ୍ୟଜୀବନ ଜୀବ ବିଜ୍ଞାନୀ ଡକ୍ଟର ସୁମିତ ଡୁକିଆ କହନ୍ତି, “ଭାରତର ପରିବେଶ ସଂକ୍ରାନ୍ତ ଆଇନ ସବୁଜ ଶକ୍ତିର ଯାଞ୍ଚ କରେ ନାହିଁ। କିନ୍ତୁ ଅକ୍ଷୟ ଶକ୍ତିକୁ ଆଇନର ସମର୍ଥନ ମିଳୁଥିବାରୁ ସରକାର ବି କିଛି କରିପାରିବେ ନାହିଁ।”

ବିଭିନ୍ନ ଅକ୍ଷୟ ଶକ୍ତି ସଂସ୍ଥା ଦ୍ୱାରା ସୃଷ୍ଟି କରାଯାଉଥିବା ଜୈବିକ ଉପାୟରେ ନଷ୍ଟ ହୋଇ ନପାରିବା ଭଳି ବର୍ଜ୍ୟବସ୍ତୁର ବିପୁଳ ପରିମାଣକୁ ନେଇ ଡୁକିଆ ଓ ପାର୍ଥ ଚିନ୍ତା ପ୍ରକଟ କରନ୍ତି। “୩୦ ବର୍ଷ ପାଇଁ ଅକ୍ଷୟ ଶକ୍ତି ସଂସ୍ଥାକୁ ଲିଜ୍‌ ଦିଆଯାଉଛି। କିନ୍ତୁ ପବନ କଳ ଏବଂ ସୌରଶକ୍ତି ପ୍ୟାନେଲଗୁଡ଼ିକ ୨୫ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବେ। କିଏ ଏହାକୁ ନଷ୍ଟ କରିବ ଏବଂ କେଉଁଠି,” ବୋଲି ପଚାରନ୍ତି ଡୁକିଆ।

*****

ଶିର୍‌, ସାନ୍ତେ ରୋକ ରହେ ତୋ ଭି ଶସ୍ତା ଜାନ୍‌ (ଯଦି ଗୋଟିଏ ମଣିଷ ଜୀବନ ବଦଳରେ ଗଛଟିଏ ରକ୍ଷା କରାଯାଇପାରିବ ତଥାପି ଏହା ଭଲକଥା ହେବ)।” “ଆମ ଗଛ ସହିତ ଆମର ସମ୍ବନ୍ଧ ବର୍ଣ୍ଣନା” କରୁଥିବା ସ୍ଥାନୀୟ ଅଞ୍ଚଳରେ ପ୍ରଚଳିତ ଏକ ଲୋକକଥାରୁ ଧାଡ଼ିଟିଏ ଆବୃତ୍ତି କରନ୍ତି ରାଧେଶ୍ୟାମ ବିଷ୍ନୋଇ। ଧୋଲିୟା ଗାଁ ବାସିନ୍ଦା ରାଧେଶ୍ୟାମ ବଦରିୟା ଓରଣ ନିକଟରେ ରହନ୍ତି ଏବଂ ସ୍ଥାନୀୟ ଅଞ୍ଚଳରେ ଗୋଡ଼ାବନ ନାମରେ ପରିଚିତ ‘ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ’ ପକ୍ଷୀର ସୁରକ୍ଷା ପାଇଁ ସର୍ବପ୍ରଥମେ ସ୍ୱର ଉତ୍ତୋଳନ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ସେ ଅନ୍ୟତମ।

“୩୦୦ରୁ ଅଧିକ ବର୍ଷ ତଳେ ଯୋଧପୁରର ରାଜା ଗୋଟିଏ ଦୁର୍ଗ ନିର୍ମାଣ କରିବାକୁ ସ୍ଥିର କଲେ ଏବଂ ନିକଟବର୍ତ୍ତୀ ଖେତୋଲାଇ ଗାଁରୁ କାଠ ଆଣିବା ପାଇଁ ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଲେ। ମନ୍ତ୍ରୀ ଏହି କାମ ପାଇଁ ସୈନ୍ୟବାହିନୀକୁ ପଠାଇଲେ ଏବଂ ସେମାନେ ଯେତେବେଳେ ସେଠାରେ ପହଞ୍ଚିଲେ, ବିଷ୍ନୋଇ ଜାତିର ଲୋକେ ସେମାନଙ୍କୁ ଗଛ କାଟିବାକୁ ଛାଡ଼ିଲେ ନାହିଁ। ତେଣୁ ମନ୍ତ୍ରୀ ଘୋଷଣା କଲେ, “ଗଛ ଓ ତା ସହ ଲାଗି ରହିଥିବା ଲୋକଙ୍କୁ କାଟି ଦିଅ।”

ସ୍ଥାନୀୟ ଲୋକକଥା ଅନୁସାରେ ଅମୃତା ଦେବୀଙ୍କ ନେତୃତ୍ୱରେ ପ୍ରତିଟି ଗ୍ରାମବାସୀ ଗୋଟିଏ ଲେଖାଏଁ ଗଛକୁ ପୋଷ୍ୟ ଭାବେ ଗ୍ରହଣ କଲେ। କିନ୍ତୁ ସୈନ୍ୟମାନେ ସେମାନଙ୍କୁ ଆଡ଼କୁ ମାଡ଼ି ଚାଲିଲେ ଏବଂ ୩୬୩ ଜଣଙ୍କୁ ହତ୍ୟା କରିବା ପରେ ହିଁ ସେମାନଙ୍କ ଆକ୍ରମଣ ବନ୍ଦ ହୋଇଥିଲା।

ସେ କହନ୍ତି, “ପରିବେଶ ପାଇଁ ନିଜ ପ୍ରାଣବଳି ଦେବାର ସେହି ଭାବନା ଆଜି ବି ଆମ ଭିତରେ ରହିଛି। ଏହା ଏବେ ବି ଉଜ୍ଜୀବିତ।

Left: Inside the Dungar Pir ji temple in Mokla oran .
PHOTO • Urja
Right: The Great Indian Bustard’s population is dangerously low. It’s only home is in Jaisalmer district, and already three have died after colliding with wires here
PHOTO • Radheshyam Bishnoi

ବାମ: ମୋକଲା ଓରଣର ଡୁଙ୍ଗର ପୀର ଜୀ ମନ୍ଦିର ଭିତରେ। ଡାହାଣ: ‘ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ’ ପକ୍ଷୀ ସଂଖ୍ୟା ବିପଜ୍ଜନକ ଭାବେ କମିବାରେ ଲାଗିଛି। ଏହି ପକ୍ଷୀମାନେ କେବଳ ଜୟସାଲମେର ଜିଲ୍ଲାରେ ହିଁ ବାସ କରନ୍ତି ଏବଂ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏ ପର୍ଯ୍ୟନ୍ତ ତିନିଟି ପକ୍ଷୀ ପ୍ରାଣ ହରାଇ ସାରିଲେଣି

ସୁମେର ସିଂହ କହନ୍ତି ଯେ ଦେଗରାୟରେ ଥିବା ଓରଣ ର ୬୦,୦୦୦ ବିଘା ଜମିରୁ ୨୪,୦୦୦ ବିଘା ଗୋଟିଏ ମନ୍ଦିର ଟ୍ରଷ୍ଟର ମାଲିକାନାରେ ରହିଛି। ଅବଶିଷ୍ଟ ୩୬,୦୦୦ ବିଘା ଓରଣ ର ଅଂଶବିଶେଷ ହୋଇଥିଲେ ହେଁ ସରକାର ଏହାକୁ ଟ୍ରଷ୍ଟକୁ ହସ୍ତାନ୍ତର କରିନାହାନ୍ତି ଏବଂ “୨୦୦୪ରେ ସରକାର ଏହାକୁ ଏକ ପବନକଳ ଶକ୍ତି କମ୍ପାନୀକୁ ଦେଇଦେଲେ। କିନ୍ତୁ ଆମେ ଲଢ଼େଇ କରିଛୁ ଏବଂ ଆଜି ବି ଅଡ଼ି ବସିଛୁ।”

ସେ କହନ୍ତି, ଜୟସାଲମେରର ଅନ୍ୟ କେତେକ ସ୍ଥାନରେ ଛୋଟ ଛୋଟ ଓରଣ ଗୁଡ଼ିକ ବର୍ତ୍ତିଯିବାର ଆଶା ନାହିଁ। କାରଣ ସେଗୁଡ଼ିକ ‘ପତିତ ଭୂମି’ ଭାବରେ ବର୍ଗୀକୃତ ହୋଇଛନ୍ତି ଏବଂ ଏବେ ଅକ୍ଷୟ ଶକ୍ତି କମ୍ପାନୀଗୁଡ଼ିକର କବ୍‌ଜାକୁ ଚାଲିଯାଉଛନ୍ତି।

“ଏହି ଜମି ପଥୁରିଆ ଦିଶୁଛି,” ସୌଁଟାର ନିଜ କ୍ଷେତର ଚାରିଆଡ଼େ ନଜର ପକାଇ ସେ କହନ୍ତି, “କିନ୍ତୁ ଆମେ ଏଥିରେ ବାଜରା ଚାଷ କରୁ, ତାହା ବି ସବୁଠାରୁ ପୁଷ୍ଟିକାରକ କିସମର।” ମୋକଲା ଗାଁ ନିକଟ ଡୋଙ୍ଗର ପୀର ଜୀ ଓରଣ ର ଏଣେତେଣେ ଭରି ହୋଇ ରହିଛି କେଜରୀ , କେର , ଜାଲ୍‌ ଏବଂ ବେର ଗଛ। ଏଠାକାର ଲୋକ ଓ ଜୀବଜନ୍ତୁଙ୍କ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ଖାଦ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ସୁସ୍ୱାଦୁ ବ୍ୟଞ୍ଜନ ମଧ୍ୟ।

ବଞ୍ଜ ର ଭୂମି (ଅନାବାଦୀ ଜମି)!” ଏଭଳି ବର୍ଗୀକରଣକୁ ସହଜରେ ବିଶ୍ୱାସ କରିପାରନ୍ତି ନାହିଁ ସୁମେର ସିଂହ। “ଆମ ଏଠାକାର ଭୂମିହୀନମାନଙ୍କୁ, ଯେଉଁମାନଙ୍କ ପାଖରେ ରୋଜଗାରର କୌଣସି ସୁବିଧା ନାହିଁ, ସେମାନଙ୍କୁ ଏହି ଜମି ଦେଇ ଦିଅନ୍ତୁ, ସେମାନେ ଏଥିରେ ମାଣ୍ଡିଆ, ବାଜରା ଚାଷ କରିପାରିବେ ଏବଂ ସମସ୍ତଙ୍କୁ ଖାଦ୍ୟ ଦେଇପାରିବେ।”

ଜୟସାଲମେର ଏବଂ ଖେତଲୋଇ ମଧ୍ୟ ଦେଇ ଯାଇଥିବା ରାଜପଥ କଡ଼ରେ ଛୋଟିଆ ଦୋକାନଟିଏ କରିଛନ୍ତି ମାଙ୍ଗି ଲାଲ। ସେ କହନ୍ତି, “ଆମେ ଗରିବ ଲୋକ। ଆମ ଜମି ବଦଳରେ ଆମକୁ ଟଙ୍କା ଯଚାଗଲେ ଆମେ କେମିତି ବା ମନା କରିବୁ ?”

ଏହି ଲେଖା ପ୍ରସ୍ତୁତିରେ ସହାୟତା ପାଇଁ ବାୟୋଡାଇଭର୍ସିଟି କୋଲାବୋରେଟିଭ୍‌ ର ସଦସ୍ୟ ଡକ୍‌ଟର ରବି ଚେଲ୍ଲାମଙ୍କୁ ଏହି ରିପୋର୍ଟର ଧନ୍ୟବାଦ ଦେଉଛନ୍ତି

ଅନୁବାଦ : ଓଡ଼ିଶାଲାଇଭ୍‍

Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Photos and Video : Urja

Urja is Senior Assistant Editor - Video at the People’s Archive of Rural India. A documentary filmmaker, she is interested in covering crafts, livelihoods and the environment. Urja also works with PARI's social media team.

Other stories by Urja

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE