ବେମୁରୀ ସୁଜାତା କହିଲେ, ‘‘ମୁଁ ଦିନକୁ ୧୫୦ ଟଙ୍କା ରୋଜଗାର କରୁଥିଲି, ସପ୍ତାହକୁ ୬ ଦିନ। ଏବେ ମହିଳାଙ୍କ ପାଇଁ କାମ ନାହିଁ।’’ ୩୮ ବର୍ଷୀୟ ବେମୁରୀ ସୁଜାତାଙ୍କ ଘର ଥୁଲୁର ମଣ୍ଡଳର ଉଦଣ୍ଡରାଇନୁପାଲେମ ଗାଁରେ। ଦଳିତ ମାଲା ସଂପ୍ରଦାୟର ସେ ଜଣେ ବିଧବା, ଭୂମିହୀନ। ୨୦୧୫ ଜାନୁଆରୀ ପର୍ଯ୍ୟନ୍ତ ଜଣେ କୃଷି ଶ୍ରମିକ ଭାବେ କାମ କରୁଥିଲେ।

କିନ୍ତୁ ତା ପରେ ଗୁଣ୍ଟୁର ଜିଲ୍ଲାରେ ଆଉ ସହଜରେ କୃଷିକାମ ମିଳିଲାନି। ‘ବିଶ୍ୱ-ସ୍ତରୀୟ’ ରାଜଧାନୀ, ଅମରାବତୀ ନିର୍ମାଣ ପାଇଁ ଆନ୍ଧ୍ର ପ୍ରଦେଶ ସରକାର ଜମି ଅଧିଗ୍ରହଣ ଆରମ୍ଭ କଲା ପରେ ଏମିତି ପରିସ୍ଥିତି ସୃଷ୍ଟି ହେଲା। ୨୦୧୪ରେ ବିଭାଜିତ ହୋଇ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଅଲଗା ହେବା ପରେ ହାଇଦ୍ରାବାଦ ଉଭୟ ରାଜ୍ୟର ରାଜଧାନୀ ହୋଇ ରହିଛି। ଏକ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ଯୁଗ୍ମ ରାଜଧାନୀ ହୋଇ ରହିବ, ଯେ ପର୍ଯ୍ୟନ୍ତ ଅମରାବତୀ ପ୍ରସ୍ତୁତ ହୋଇ ନାହିଁ।

୨୦୦୮ରେ ସୁଜାତାଙ୍କ ସ୍ୱାମୀଙ୍କ ମୃତ୍ୟୁପରେ ସେ ତାଙ୍କ ଦୁଇ ପୁଅଙ୍କୁ ଜମିରେ ମୂଲ କରି ବଡ଼ କରିଛନ୍ତି। ଏବେ ସେମାନେ ମଧ୍ୟ ରୋଜଗାର ପାଇଁ କଠିନ ପରିଶ୍ରମ କରୁଛନ୍ତି। ତାଙ୍କ ବଡ଼ ପୂଅ ବେମୁରୀ ପ୍ରସାଦଙ୍କୁ ଏବେ ୧୯ ବର୍ଷ। ୨୦୧୫ରେ ଦଶମ ପାସ୍ କରିବା ପରେ ତାଙ୍କ ପାଠ ପଢା ବନ୍ଦ ହେଲା। ସେ ଥୁଲୁର ଜିଲ୍ଲା ପରିଷଦ ସ୍କୁଲରେ ପଢୁଥିଲେ। ଏହାର ଗୋଟିଏ ବର୍ଷ ପରେ ତାଙ୍କ ସାନ ଭାଇ ବେମୁରୀ ରାଜା ସେହି ସ୍କୁଲରୁ ପାଠ ଛାଡିଲେ। ତାଙ୍କୁ ଏବେ ୧୭ ବର୍ଷ। ଉଭୟ ଏବେ କୃଷ୍ଣା ନଦୀ କୂଳରେ ଏକ ବାଲି ଖାଦାନରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ତାଙ୍କର ଦୈନିକ ରୋଜଗାର ୨୦୦ ରୁ ୨୫୦ ଟଙ୍କା। କାମ କମ୍ ଥିବାରୁ ସପ୍ତାହରେ ତିନି ଦିନ କାମ ମିଳୁଛି।

ରାଜା କହନ୍ତି, ‘‘ଅଣ୍ଟା ଭାଙ୍ଗିଯିବା ଭଳି ଖଟଣି କାମ। ଆମେ ପ୍ରତିଦିନ ସକାଳ ୬ଟାରେ ଯାଉ ଆଉ ସଂଧ୍ୟା ୬ଟାରେ ଫେରୁ।’’ ଯେହେତୁ ବାଲି ଖାଦାନରେ ମହିଳାଙ୍କ ପାଇଁ କାମ କରିବାର ସୁଯୋଗ ନାହିଁ କି ବିଲବାଡ଼ିରେ କାମ ମିଳୁନି, ସେଥିପାଇଁ ସୁଜାତାଙ୍କ ଭଳି ଅନେକ ମହିଳା ଘରେ ବସିଛନ୍ତି।

sand getting loaded into trucks
man standing on a truck loaded with sand.

ଦଳିତ ବିଧବା ବେମୁରୀ ସୁଜାତା, କୃଷି ଶ୍ରମିକ ଭାବେ ତାଙ୍କ ପାଇଁ ଆଉ କାମ ନାହିଁ। ତାଙ୍କ ପୁଅ ବେମୁରୀ ରାଜା (ଉପର) ଓ ବେମୁରୀ ପ୍ରସାଦ ଏବେ ବାଲି ଖାଦାନରେ କାମ କରୁଛନ୍ତି। କାମ କମ୍ ଥିବାରୁ ଦିନେ ଛାଡ଼ି ଦିନେ ତାଙ୍କୁ କାମ ମିଳୁଛି।

ରିଷ୍ଣା ନଦୀର ଉତ୍ତର ଅବବାହିକାରେ ଥିବା ୨୯ଟି ଗାଁ ଭିତରୁ ଉଦଣ୍ଡରାୟନୁପଲେମ ଗୋଟିଏ। ଏହି ସ୍ଥାନରେ ଅମରାବତୀ ନିର୍ମାଣ ପାଇଁ ରାଜ୍ୟ ଜମି ଅଧିଗ୍ରହଣ କରୁଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୩୩,୦୦୦ ଏକର ଜମି ଅଧିଗ୍ରହଣ କରିବ ରାଜ୍ୟ (ଏବଂ ୨୦୫୦ ଭିତରେ ତୃତୀୟ ପର୍ଯ୍ୟାୟରେ ୧୦୦,୦୦୦ ଏକର)। ଲ୍ୟାଣ୍ଡ ପୋଲିଂ ସ୍କିମ୍ (ଏଲପିଏସ) ଅଧିନରେ, ଅମରାବତୀ ସଷ୍ଟେନେବଲ କ୍ୟାପିଟାଲ ସିଟି ଡେଭେଲପମେଣ୍ଟ ସ୍କିମ୍ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଜମିର ମାଲିକମାନେ ‘‘ସ୍ୱଇଛାରେ’’ ସେମାନଙ୍କ ଜମି ଛାଡିପାରିବେ ଏବଂ ଆର୍ଥିକ କ୍ଷତିପୂରଣ ସହ ସହର ନିର୍ମାଣ ପରେ ପରେ ‘‘ବିକଶିତ’’ ହୋଇଥିବା ଗୋଟିଏ ପ୍ଲଟ୍ ପାଇପାରିବେ। ବାକି ଜାଗାରେ ରାସ୍ତା ନିର୍ମାଣ, ସରକାରୀ କୋଠା, ଶିଳ୍ପ ଏବଂ ନାଗରିକଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣରେ ବ୍ୟବହାର କରିବେ ପୋଲିଂ କର୍ତ୍ତୃପକ୍ଷ ଓ ଆନ୍ଧ୍ରପ୍ରଦେଶ କ୍ୟାପିଟାଲ ରିଜିଅନ ଡେଭଲପମେଣ୍ଟ କର୍ତ୍ତୃପକ୍ଷ (ଏପିସିଆରଡିଏ)। କିନ୍ତୁ ଏଲପିଏସ କେବଳ ଜମି ମାଲିକଙ୍କୁ ବିଚାରକୁ ନେଉଥିବା ବେଳେ କୃଷି ଶ୍ରମିକଙ୍କ ଭଳି ଯେଉଁମାନେ ଏହି ଜମି ଉପରେ ନିର୍ଭର କରୁଥିଲେ, ସେମାନଙ୍କୁ ଏଥିରୁ ବାଦ ଦିଆଯାଉଛି।

୧,୫୦୩ ଜଣ ବସବାସ କରୁଥିବା ଉଦଣ୍ଡରାଇନୁପଲେମ ତିନିଟି ବସତିରେ ବିଭକ୍ତ ହୋଇଛି: ମୁଖ୍ୟ ଗାଁ, ଏହା ପାଖକୁ ଲାଗି ଅନୁସୂଚିତ ଜାତି (ଏସ୍ସି) ବସତି, ଏବଂ ନଦୀ କୂଳରେ ଲଙ୍କା ଅନୁସୂଚିତ ଜାତି ବସତି। ହିସାବ  ଅନୁସାରେ ଏସସି ବସତିରେ ପ୍ରାୟ ୧୫୦ଟି ଦଳିତ ପରିବାର ରହନ୍ତି ଏବଂ ୭୫ଟି ଦଳିତ ପରିବାର ଲଙ୍କା ଏସ୍ସି ବସତିରେ ରହନ୍ତି।

ମୁଖ୍ୟ ଗାଁରେ ରହନ୍ତି ପ୍ରଭାବଶାଳୀ କାମ୍ମା ଜମି ମାଲିକ ଏବଂ କ୍ଷୁଦ୍ରଚାଷୀ। ଦଳିତଙ୍କ ମଧ୍ୟରୁ ଅଧିକାଂଶ ଭାଗଚାଷୀ ଏବଂ କୃଷି ଶ୍ରମିକ। ଏମାନେ କାମ ପାଇଁ ଜମି ମାଲିକଙ୍କ ଉପରେ ନିର୍ଭର କରନ୍ତି। ୨୦୧୧ ଜନଗଣନା ଅନୁସାରେ ଉଦ୍ଦଣ୍ଡରାଇନୁପଲେମ ଗାଁରେ ୧୬୯ ଜଣ ଚାଷୀ ଏବଂ ୫୫୬ ଜଣ କୃଷି ଶ୍ରମିକ ବସବାସ କରନ୍ତି। ଆନ୍ଧ୍ରପ୍ରଦେଶ ଲ୍ୟାଣ୍ଡ ରିଫର୍ମସ୍ (Ceilings on Agricultural holdings) (କୃଷି ଉପଯୋଗୀ ଜମି ଉପରେ ଛାତ) ଆଇନ୍,୧୯୭୩ ଅଧିନରେ ଭୂମିହୀନଙ୍କୁ ଜମି ବଣ୍ଟନ ପୂର୍ବରୁ ଖୁବ୍ କମ୍ ଦଳିତଙ୍କ ପାଖରେ ଜମି ଥିଲା।

୭୦ ବର୍ଷୀୟ ମଣ୍ଡଳ ସୁବା ରାଓ କହିଲେ, ‘‘ଯେତେବେଳେ ଜମିମାଲିକମାନେ ସେମାନଙ୍କର ଜମି ହସ୍ତାନ୍ତର କଲେ ଆଉ ଚାଷବାସ ବନ୍ଦ କରିଦେଲେ, ସେତେବେଳେ କୃଷି ଶ୍ରମିକମାନେ ଆଉ କାମ ପାଇଲେନି।’’ ଏହି ସମୟରେ କ୍ରିଷ୍ଣା ନଦୀ କୂଳରେ ଥିବା ଉଦଣ୍ଡରାଇନୁପଲେମ, ବୋରୁପାଲେମ, ଲିଙ୍ଗାୟାପାଲେମ ଏବଂ ଭେଙ୍କଟପାଲେମ ଆଦି ଗାଁରେ ବାଲି ଖାଦାନ ସଂଖ୍ୟା ବଢିଲା। ରାଜଧାନୀ ନିର୍ମାଣ ପାଇଁ ଏହି ବାଲି ଖାଦାନ ସବୁ ବ୍ୟବହାର ହେଉଛି।

overcast sky over field

ମଣ୍ଡଲା ସୁବା ରାଓ କହନ୍ତି, ‘ଜମି ମାଲିକମାନେ ପୋଲିଂ ପାଇଁ ଜମି ଦେଇଦେବା ପରେ ଚାଷବାସ ବନ୍ଦ କରିଦେଲେ। ଫଳରେ କୃଷି ଶ୍ରମିକମାନେ କାମ ହରାଇଲେ।’ ଦକ୍ଷିଣ: ଉଦଣ୍ଡରାଇନୁପାଲେମ ଗାଁର ଯୁବ ଶ୍ରମିକମାନେ ବାଲି ଖାଦାନରେ ବସି କାମ ପାଇଁ ଅପେକ୍ଷା କରିଛନ୍ତି

ଏସବୁ ଗାଁର ଯୁବକମାନେ ଏବେ ବାଲି ଖାଦାନ ଉପରେ ନିର୍ଭର କରୁଛନ୍ତି, କିନ୍ତୁ ବୟସ୍କମାନଙ୍କ ପାଖରେ କାମ ନାହିଁ। ସୁବା ରାଓ କହିଲେ, ‘‘କିଛି ଦିନ ଖାଦାନରେ କାମ କରିବାକୁ ଚେଷ୍ଟା କଲି, କିନ୍ତୁ ବହୁତ କଷ୍ଟ ହେଲା। ବୟସ ଦୃଷ୍ଟିରୁ ଏଭଳି କଠିନ କାମ ମୁଁ କରିପାରିନି।’’ ସୁବା ରାଓ ତାଙ୍କ ସ୍ତ୍ରୀ ଭେଙ୍କାୟାମ୍ମା ମଣ୍ଡଲାଙ୍କ ସହ ରହନ୍ତି। ଭେଙ୍କାୟାମ୍ମାଙ୍କୁ ୬୦ ବର୍ଷ। ତାଙ୍କର ଏକମାତ୍ର ଆୟ ହେଉଛି ମାସକୁ ୨,୫୦୦ ଟଙ୍କାର ଭତ୍ତା। ଲ୍ୟାଣ୍ଡ ପୁଲିଂ ଯୋଜନାର ଏକ ଅଂଶ ଭାବେ ଭୂମିହୀନ ପରିବାରଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ଭତ୍ତା ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏଠାରେ ଥିବା ଭୂମିହୀନ ପରିବାରଙ୍କ ମାସିକ ଆୟ ହାରାହାରି ୮୪୭୬ ଟଙ୍କା ବୋଲି ୨୦୧୭ ସେପ୍ଟେମ୍ବର ମାସରେ ବଶ୍ୱ ବ୍ୟାଙ୍କ ଅନୁଧ୍ୟାନ ପ୍ୟାନେଲ ରିପୋର୍ଟ ଦେଇଥିଲା। ସରକାର ଦେଉଥିବା ଭତ୍ତା ଏହାଠାରୁ ଯଥେଷ୍ଟ କମ୍।

ଭେଙ୍କେୟାମ୍ମା କହନ୍ତି, ‘‘ପୁରୁଷମାନେ ଦିନକୁ ୫୦୦ ଟଙ୍କା, ମହିଳାମାନେ ୧୫୦-୨୦୦ ଟଙ୍କା ରୋଜଗାର କରୁଥିଲେ। ବର୍ଷର ୩୬୫ ଦିନ କାମ ମିଳୁଥିଲା। ଯଦି ସ୍ୱାମୀ ସ୍ତ୍ରୀ ଉଭୟ କାମ କରନ୍ତି ତାହାଲେ ଗୋଟିଏ ଭୂମିହୀନ ପରିବାରର ମାସିକ ଆୟ ୧୫,୦୦୦ ରୁ ୨୦,୦୦୦ ପର୍ଯ୍ୟନ୍ତ ହେଉଥିଲା।'' "୨,୫୦୦ ଟଙ୍କାରେ ଆମେ କେମିତି ଚଳିପାରିବୁ? ମାସେ ଖାଇବା ପାଇଁ ଆବଶ୍ୟକ ୨୫ କିଲୋ ଚାଉଳ ପ୍ୟାକେଟ୍ର ଦାମ୍ ୧,୫୦୦ ଟଙ୍କା।’’ ସୁବା ରାଓ କଥା ଯୋଡ଼ିଲେ,’’ "[ନୂଆ] ରାଜଧାନୀରେ ରୋଜଗାର କମିଥିବା ବେଳେ ପରିବହନ [କାମ ପାଇଁ ଲୋକଙ୍କ ସହ ବାହାରକୁ ଯିବା] ଓ ସ୍ୱାସ୍ଥ୍ୟ ଖର୍ଚ୍ଚ ବଢିଛି।’’

ଏସସି କଲେନୀର ୪୨ ବର୍ଷୀୟା ଦଳିତ ବିଧବା କମ୍ଭାମପତି ଭୂଲକ୍ଷ୍ମୀ କହନ୍ତି, ‘‘ପ୍ରଥମେ ସରକାର ଆମକୁ କିଛି ଦେଲେନି। ସବୁ ପ୍ୟାକେଜ କେବଳ ଜମି ମାଲିକଙ୍କ ପାଇଁ ଥିଲା। ଆମେ ଆନ୍ଦୋଳନ କରିବା ପରେ ସରକାର ଏଇ ଚିନାବାଦାମ [୨୫୦୦ ଟଙ୍କା] ଦେଇଛନ୍ତି। ଅତି କମ୍ରେ ପରିବାର ପିଛା ମାସିକ ୧୦,୦୦୦ ଟଙ୍କା ଦେବାକୁ ଆମେ ଦାବି କରୁଛୁ।'' "ନିୟମିତ ଭାବରେ ମଧ୍ୟ ଭତ୍ତା ଟଙ୍କା ଦେଉ ନାହାନ୍ତି। ଆମେ ଦୁଇ ମାସରେ ଥରେ ପଇସା ପାଉଛୁ। ସେଥିପାଇଁ ମଣ୍ଡାଡମ୍ [ଏଠାରୁ ଚାରି କିଲୋମିଟର ଦୂର] ଏସବିଆଇ ବ୍ୟାଙ୍କକୁ ମାସକୁ ଦୁଇ ତିନି ଥର ଯିବାକୁ ପଡିଲା। ଯିବା ଆସିବା ପାଇଁ ୪୦ ଟଙ୍କା ଖର୍ଚ୍ଚ [ବସ୍ ନଥିବାରୁ ଅଟୋରିକ୍ସାରେ ଯିବାକୁ ପଡ଼ିଲା]।’’

୨୯ଟି ଗାଁରେ ୩୬୫ ଦିନ ଏମଜିଏନଆରଇଜିଏ କାମ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନି। ଭୂଲକ୍ଷ୍ମୀ କହିଲେ, ‘‘୩୬୫ ଦିନ କଥା ଭୁଲିଯାଅ, ଅମରାବତୀ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବାଠାରୁ [୨୦୧୫ରେ] ଗତ ଚାରି ବର୍ଷ ଭିତରେ ଦିନକର କାମ ବି ମିଳିନି।’’

ବାମ: ଏବେ ୧୮ ବର୍ଷୀୟ ଇରିମିଆଙ୍କ ରୋଜଗାରରେ ତାଙ୍କ ମା ଭୂଲକ୍ଷ୍ମୀ ଏବଂ ପୂରା ପରିବାର ଚଳୁଛି। ଦକ୍ଷିଣ: ଉଦଣ୍ଡରାଇନୁପଲେମ ଗାଁରେ ଥିବା ତାଙ୍କ ଘର ଆଗରେ ବସିଛନ୍ତି ବେମୁରି ସୁଜାତା ଓ ତାଙ୍କ ପୁଅ ବେମୁରି ରାଜା

ତାଙ୍କ ୧୮-ବର୍ଷର ପୁଅ ଇରିମିଆଙ୍କ ରୋଜଗାରରେ ତାଙ୍କ ପାଞ୍ଚ ଜଣିଆ ପରିବାର ଚଳୁଛି। ଏଥିରେ ତାଙ୍କ ଝିଅ ଓ ତାର ଦୁଇ ପିଲା ଅଛନ୍ତି। ସେ ୨୦୧୫ରେ ଦଶମ ଶ୍ରେଣୀରୁ ପାଠ ଛାଡିଛନ୍ତି। ତାଙ୍କର ଦିନକୁ ମଜୁରୀ ୨୦୦ ରୁ ୨୫୦ ଟଙ୍କା, ସପ୍ତାହରେ ତିନି ଦନ କାମ। ଇରିମିଆ କହନ୍ତି, ‘‘ଯେହେତୁ କମ୍ କାମ ଆଉ ଅଧିକ ଲୋକ ଅଛନ୍ତି ତେଣୁ ଆମ ଭିତରେ କାମ ବାଣ୍ଟୁଛୁ। ଦିନେ ଏସସି କଲୋନୀର ଲୋକ ଏବଂ ପରଦିନ ଲଙ୍କା ଏସ୍ସି କଲୋନୀ ଲୋକ କାମ ପାଇଁ ଯାଉଛନ୍ତି।’’

ଦିନେ ମେଘୁଆ ଅପରାହ୍ଣରେ ବାଲି ଖାଦାନରେ କାମ କରୁଥିବା କିଛି ଦଳିତ ଯୁବକ (ଏପରିକି ତାଙ୍କ ଭିତରେ କିଛି ଏମବିଏ ଡିଗ୍ରୀଧାରୀ ଅଛନ୍ତି) ତାସ ଖେଳରେ ମଜି ଯାଇଥିଲେ। ସେମାନେ ହାଇଦ୍ରାବାଦ ଏବଂ ଅନ୍ୟ ସହରରେ କାମ ତଲାସ କରି ବିଶେଷ ସଫଳ ହୋଇ ନାହାନ୍ତି। ଘରକୁ ଫେରିଲେ ଚାଷ କାମ ବି ନାହିଁ। ଏଲୁରୁରେ ଏକ ଅନୁଷ୍ଠାନରେ ଏମବିଏ ଡିଗ୍ରୀ କରିଥିବା ଅଙ୍କଲା ମଦନ କହିଲେ, ‘‘ବର୍ଷକୁ ବର୍ଷ ବାଲି ଖାଦାନ କାମ ବି କମି କମି ଯାଉଛି। ନଦୀପଠାରୁ ବାଲି ବି ସରିଯିବାକୁ ବସିଲାଣି।’’

ଡ୍ରେଜ୍ ଏବଂ ଯନ୍ତ୍ରପାତି ଖଞ୍ଜା ଯାଇଥିବା ଡଙ୍ଗା ସାହାଯ୍ୟରେ ନଦୀ ଶଯ୍ୟାରୁ ବାଲି ଖୋଳାଯାଇ କୂଳକୁ ଅଣାଯାଉଛି। ଗୁଣ୍ଟୁରରେ ଏମବିଏ କରିଥିବା ୨୪ ବର୍ଷୀୟ ପୁଲି ସୁଧୀର ବାଲି ଖାଦାନରେ କାମ କରନ୍ତି। ସେ କହନ୍ତି, ‘‘ଆମେ ଏମବିଏ କଲୁ କିନ୍ତୁ ଶେଷରେ ଏଇ କାମ କରିବାକୁ ପଡ଼ିଲା।’’ ସୁଧୀରଙ୍କ ସଂପର୍କୀୟ ଭାଇ ୨୫ ବର୍ଷୀୟ ଭରତ କୁମାର ମଧ୍ୟ ଏମବିଏ କରିଛନ୍ତି। ସେ ରାଗିଯାଇ କହିଲେ: ‘‘ପ୍ରତି ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଚନ୍ଦ୍ରବାବୁ ନାଇଡୁ ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ଆମେ ତାଙ୍କୁ ଭୋଟ ଦେଇଥିଲୁ। କିନ୍ତୁ ଆମେ ଜାଣି ନଥିଲୁ ଯେ, କେବଳ ତାଙ୍କ ପରିବାର ପାଇଁ ଅଫର ସୀମିତ ଥିଲା।’’ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାରା ଲୋକେଶଙ୍କୁ ସେ ଇଙ୍ଗିତ କଲେ, ଯିଏ ୨୦୧୭ରେ ରାଜ୍ୟ କ୍ୟାବିନେଟ୍ରେ ମନ୍ତ୍ରୀ ଥିଲେ।

ଯନ୍ତ୍ର ସାହାଯ୍ୟରେ ବାଲି ଖନନ ନକରିବାକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲ ଏକାଧିକ ଥର ରାୟ ଦେଇଛନ୍ତି। କିନ୍ତୁ ସରକାର ଏହାକୁ ଅବମାନନା କରିଛନ୍ତି। ବାଲି ଖାଦାନରେ କାମ କରୁଥିବା ଜଣେ ଏମବିଏ ଡିଗ୍ରୀଧାରୀ ଦଳିତ ଯୁବକ ନିଜର ନାଁ ପ୍ରକାଶ ନକରିବାକୁ ଅନୁରୋଧ କରି କହିଲେ, ‘‘ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଲୋକମାନେ ବାଲିଖାଦାନ କରିଛନ୍ତି। ଏମାନଙ୍କ ଭିତରେ ବିଧାୟକ, ସାଂସଦ ଏବଂ ଦୁଇ ଜଣ ମନ୍ତ୍ରୀ ସାମିଲ ଅଛନ୍ତି। ଆମ ପେଟରେ ଭୋକ ଥିବା ବେଳେ ଏହି ଟଙ୍କାକୁ [ଖଣିରୁ ମିଳୁଥିବା ଟଙ୍କା] ସେମାନେ ଆସନ୍ତା ବର୍ଷ ନିର୍ବାଚନ ଜିତିବା ପାଇଁ ଖର୍ଚ୍ଚ କରିବେ।’’

‘ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସରକାର ଆମକୁ କାମ ଦିଅନ୍ତୁ ଆଉ ନଦୀକୁ ବଞ୍ଚାଇବା ପାଇଁ ବାଲି ଖୋଳିବା ବନ୍ଦ କରନ୍ତୁ’

୨୦୧୭ ମାର୍ଚ୍ଚରେ ଉଦଣ୍ଡରାଇନୁପାଲେମ ଗାଁର ତିନିଟି ଦଳିତ ପରିବାର ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଋଣ ଆଣିଥିଲେ। ନିଜେ ଖଣି ଖୋଳିବା ପାଇଁ ଗୋଟେ ଡ୍ରେଜର କିଣିଲେ। କିନ୍ତୁ ପ୍ରଭାବଶାଳୀ କମ୍ମା ଜାତିର ସରପଞ୍ଚ ତଥା ଟିଡିପି ସଦସ୍ୟ ତାଙ୍କୁ ବାଲି ଖୋଳିବା ପାଇଁ ଅନୁମତି ଦେଲେନି। ଏଇଥିପାଇଁ ଯେ, ସେମାନେ ଆଉ ଜଣେ କମ୍ମା ଠିକାଦାରଙ୍କ ପାଖରେ କାମ କରିବେ। ସେ ମଧ୍ୟ ଟିଡିପି ସଦସ୍ୟ। ଜଣେ ଯୁବ ଦଳିତ କହିଲେ, ‘‘ଆମେ ନିଜେ ଖଣି ଖୋଳିଲେ ବେଆଇନ୍ ଆଉ ସେଇ ଖଣିରେ କ୍ଷମତାସୀନ ଦଳରେ ଥିବା ଲୋକଙ୍କ ପାଇଁ କାମ କଲେ ସେଇଟା ଆଇନ .....ଏହି ବିଚାର ଧାରାରେ ଆମକୁ ଜୀବିକା ମିଳୁଛି।’’

କ୍ରିଷ୍ଣା ନଦୀର ପଠା ଓ ନଦୀ ଶଯ୍ୟାରୁ ଅତ୍ୟଧିକ ଖନନ ଫଳରେ ପର୍ଯ୍ୟାବରଣ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେଲାଣି। ଦିଲ୍ଲୀ ଜୱାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ବିକ୍ରମ ସୋନି ଏହା ଉପରେ ଗଭୀର ଅନୁଧ୍ୟାନ କରିଛନ୍ତି। ସେ କହନ୍ତି, ‘‘ନଦୀର ଜଳଧାରଣ ପାଇଁ ବାଲିର ଆବଶ୍ୟକତା ରହିଛି। ପର୍ଯ୍ୟାବରଣ ସନ୍ତୁଳନ ପାଇଁ ନଦୀ ଶଯ୍ୟାରେ ଅଧିକ ବାଲି ରହିବା ଗୁରୁତ୍ୱପୂର୍ଣ୍ଣ। ନଦୀ ଶଯ୍ୟାରୁ ନଦୀ ପଠା ପର୍ଯ୍ୟନ୍ତ [କ୍ରିଷ୍ଣା ନଦୀର] ବାଲିର ଗଭୀରତା କେଉଁଠି ୩୦ ମିଟର ଓ କେଉଁଠି ୫ ମିଟର। ଏହା ହିଁ ଅସମାନତା। ନିୟୁତ ନିୟୁତ ବର୍ଷର ନଦୀର ପ୍ରାକୃତିକ ବ୍ୟବସ୍ଥାକୁ ଟଙ୍କା ପାଇଁ ରାଜନେତାମାନେ ଧ୍ୱଂସ କରି ଦେଇଛନ୍ତି।’’

ଏମବିଏ ପଢିଥିବା ଯୁବକମାନେ ହୁଅନ୍ତୁ ବା ରାଜା, ପ୍ରସାଦ ଓ ଇରିମିଆ ଏବଂ ବାଲି ଖାଦାନରେ କାମ କରୁଥିବା ଶ୍ରମିକଙ୍କ ପିଲା ଜାଣି ନାହାନ୍ତି ସେମାନଙ୍କ ଗତି କୁଆଡ଼େ। ମଦନ କହନ୍ତି, ‘‘ସରକାର ତାଙ୍କ ପ୍ରତିଶ୍ରୁତି ଅନୁସାରେ କାମ ଦିଅନ୍ତୁ ଆଉ ବାଲି ଖୋଳିବା ବନ୍ଦ କରି ନଦୀକୁ ବଞ୍ଚାନ୍ତୁ।’’

ରାଜା କହିଲେ, ‘‘ଆମେ ଜାଣିନୁ ଆମେ କଣ କରିବୁ'', "ଥରେ ବାଲି ସରିଗଲା ପରେ ଆମ କେମିତି ବଞ୍ଚିବୁ।’’

ଏହି ସିରିଜ୍ର ଅନ୍ୟ ଲେଖା:

'ଏହା ଲୋକଙ୍କ ରାଜଧାନୀ ନୁହେଁ'

ନୂଆ ରାଜଧାନୀ ସହର, ବିଭାଜନର ପୁରୁଣା ବ୍ୟବସ୍ଥା

ଜମିର ଦାମ୍ ଉଡୁଛି, କୃଷିର ଭାଗ୍ୟ ଡୁବୁଛି

କୃଷି ହରାଇଥିବା ଏକ ଅଦରକାରୀ ଜମି

ମେଗା ରାଜଧାନୀ ସହର, ଅଳ୍ପ ମଜୁରୀ ବାହାର ଶ୍ରମିକ

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Rahul Maganti

Rahul Maganti is an independent journalist and 2017 PARI Fellow based in Vijayawada, Andhra Pradesh.

Other stories by Rahul Maganti