ପାଖାପାଖି ୩,୦୦୦ ବର୍ଷ ଧରି ରକ୍ତକ୍ଷରଣ ଏକ ସାଧାରଣ ଡାକ୍ତରୀ ଚିକିତ୍ସା ରୂପରେ ରହିଥିଲା ।
ହିପୋକ୍ରେଟ୍ସଙ୍କ ଦ୍ଵାରା ପ୍ରବର୍ତ୍ତିତ ଏବଂ ପରବର୍ତ୍ତୀ ସମୟରେ ମଧ୍ୟଯୁଗୀୟ ୟୁରୋପରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ଏକ ଧାରଣାରୁ ଯାହା ଗଢ଼ି ଉଠିଥିଲା, ତାହା ହେଉଛି, ମଣିଷ ଶରୀରରେ ଥିବା ରକ୍ତ, କଫ, କଳା ପିତ୍ତ ଏବଂ ହଳଦିଆ ପିତ୍ତନାମକ ଚାରିଟି ରସରେ ଅସନ୍ତୁଳନ ସୃଷ୍ଟି କାରଣରୁ ରୋଗ ହୋଇଥାଏ । ହିପୋକ୍ରେଟ୍ସଙ୍କ ପ୍ରାୟ ୫୦୦ ବର୍ଷ ପରେ ଗାଲେନ୍ ଘୋଷଣା କଲେ ଯେ ରକ୍ତ ହିଁ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ରସ । ଏହା ଏବଂ ଅନ୍ୟ କେତେକ ଧାରଣା ସହିତ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ପରୀକ୍ଷଣ ଯୋଗୁଁ ଏବଂ ସାଧାରଣତଃ, ଅନ୍ଧବିଶ୍ଵାସ କାରଣରୁ, ମଣିଷ ଶରୀରରୁ ରକ୍ତସ୍ରାବ କରାଇ, ଦୂଷିତ ରକ୍ତକୁ ବାହାର କରିବାର ଚିକିତ୍ସା ପଦ୍ଧତି ସୃଷ୍ଟି ହେଲା । ଆପଣ ଚାହିଁଲେ କହିପାରନ୍ତି ଯେ, ଏହା ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା ।
ଶରୀରରୁ ରକ୍ତକ୍ଷରଣ କରାଇବାରେ ଏକପ୍ରକାର ଔଷଧୀୟ ଜୋକ ହିରୋଡୋମେଡିସିନାଲିସ୍ ସମେତ ବିଭିନ୍ନ ଜୋକ ବ୍ୟବହାର କରାଯାଉଥିଲା । ଆମେ ଏକଥା କେବେ ବି ଜାଣିପାରିବା ନାହିଁ ଯେ, ଏଭଳି ଚିକିତ୍ସା ଯୋଗୁଁ ୩,୦୦୦ ବର୍ଷ ଭିତରେ କେତେ ଜଣ ଲୋକ ସେମାନଙ୍କ ଜୀବନ ହରାଇଲେ, କେତେ ଜଣ ମାନବ ମୃତଦେହରେ ପରିଣତ ହେଲେ, ଚିକିତ୍ସକମାନଙ୍କର ଚିକିତ୍ସା ପଦ୍ଧତି ସଂପର୍କିତ ବିଚାରଧାରାର ମାୟାଜାଲରେ ପଡ଼ିଥିବା କେତେ ଜଣଙ୍କ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଲା । ହେଲେ ଆମେ ଜାଣିଛୁ ଯେ ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଶରୀରରୁ ପ୍ରାୟ ୨୪ ଆଉନ୍ସ ରକ୍ତ କାଢ଼ି ନିଆଯାଇଥିଲା । ଗଳା ସଂକ୍ରମଣର ଚିକିତ୍ସା କରିବା ନିମନ୍ତେ (ତାଙ୍କ ଅନୁରୋଧକ୍ରମେ) ଜର୍ଜ ୱାଂଶିଟନଙ୍କର ତିନି ଜଣ ଡାକ୍ତର ତାଙ୍କ ଶରୀରରୁ ପ୍ରଚୁର ରକ୍ତ ନିଃସରଣ କରାଇଥିଲେ-ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ନୂତନ ଉଦାରବାଦ, ବାସ୍ତବ ଅର୍ଥରେ କହିଲେ, ସେହି ପୁଞ୍ଜିବାଦର ହିଁ ପୁଙ୍ଖାନୁପୁଙ୍ଖ ବ୍ୟବଚ୍ଛେଦ ଲାଗି କୋଭିଡ୍-୧୯ ଆମକୁ ଏକ ଚମତ୍କାର ସୁଯୋଗ ପ୍ରଦାନ କରିଛି । ଟେବୁଲ ଉପରେ, ସ୍ପଷ୍ଟ ଆଲୋକରେ ଶବ ପଡ଼ି ରହିଛି । ତା’ର ସବୁ ଶିରାପ୍ରଶିରା, ଧମନୀ, ଅଙ୍ଗପ୍ରତ୍ୟଙ୍ଗ ଏବଂ ହାଡ଼ ଆମ ମୁହଁକୁ ଚାହିଁ ରହିଛନ୍ତି । ଆପଣ ସେଇ ସବୁ ଜୋକମାନଙ୍କୁ ଏବେ ଦେଖିପାରିବେ- ଘରୋଇକରଣ, କମ୍ପାନି ସମୂହର ଜଗତୀକରଣ, ଉଗ୍ର ଭାବରେ ଏକୀକୃତ ଧନସଂପତ୍ତି, ଜୀବନ ଧାରଣର ସ୍ମୃତିପଟରେ ପୂର୍ବରୁ କେବେହେଲେ ଦେଖାଯାଇ ନଥିବା ଅସମାନତାର ସ୍ତର । ସାମାଜିକ ଏବଂ ଅର୍ଥନୈତିକ ଅସୁସ୍ଥତାର ଚିକିତ୍ସା ଦିଗରେ ରକ୍ତକ୍ଷରଣ କରାଇବାର ସେହି ଦୃଷ୍ଟିଭଙ୍ଗୀ, ଯାହାକି ସମାଜରେ କର୍ମଜୀବୀମାନଙ୍କର ଶାଳୀନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ମାନବୀୟ ସ୍ଥିତିର ମୌଳିକତାକୁ ଶୋଷି ନେଇଥିବା ଦେଖାଯାଇଛି ।
ଊନବିଂଶ ଶତାବ୍ଦୀର ୟୁରୋପରେ ଏହି ୩,୦୦୦ ବର୍ଷ ପୁରୁଣା ଚିକିତ୍ସା ପଦ୍ଧତି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା ।୧୯ଶ ଶତାବ୍ଦୀର ଶେଷ ଭାଗ ଏବଂ ୨୦ଶ ଶତାବ୍ଦୀରେ ଏହାକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ ହେଲା । କିନ୍ତୁ ସାଂପ୍ରତିକ ସମାଜର ଅର୍ଥଶାସ୍ତ୍ର, ଦର୍ଶନଶାସ୍ତ୍ର ଏବଂ ବ୍ୟବସାୟ କ୍ଷେତ୍ରରେ ଏହି ପଦ୍ଧତି ଏବଂ ଏହାର ପ୍ରୟୋଗ ଏବେ ବି ଆଧିପତ୍ୟ ବିସ୍ତାର କରିଛି ।


















