ଟ୍ରେନ୍‌ରେ ବସିବାକୁ ଯାଉଛନ୍ତି କୋମଲ । ଆସାମର ରଙ୍ଗିୟା ଜଙ୍କସନ୍‌ରେ ତାଙ୍କ ଘରକୁ ଯାଉଛନ୍ତି ସେ ।

ଏହା ସେହି ସ୍ଥାନ, ଯେଉଁଠିକି ଆଦୌ ଫେରିବେ ନାହିଁ ବୋଲି ସେ ପ୍ରତିଜ୍ଞା କରିଥିଲେ । ଏମିତି କି ତାଙ୍କ ମାନସିକ ଅକ୍ଷମ ମାଆଙ୍କୁ ଦେଖିବା ପାଇଁ ବି ନୁହେଁ ।

ଯେଉଁ ଘରେ ସେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ, ସେଠାକୁ ଫେରିଯିବା ଅପେକ୍ଷା ଦିଲ୍ଲୀରେ, ଜି.ବି. ରୋଡ୍‌ର ବେଶ୍ୟାଳୟରେ, କାମ କରିବା ଭଲ । ସେ କହନ୍ତି, ଏବେ ତାଙ୍କୁ ଯେଉଁ ପରିବାର ପାଖକୁ ଫେରାଇ ଦିଆଯାଉଛି, ସେଥିରେ ତାଙ୍କର ୧୭ ବର୍ଷ ବୟସ୍କ ସଂପର୍କୀୟ ଭାଇ ବି ରହେ, ଯିଏ କି ତାଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିବା ବେଳରୁ, ଅନେକ ଥର ଧର୍ଷଣ କରିଥିବା ଅଭିଯୋଗ ହୋଇଥିଲା । “ମୁଁ ମୋ (ସଂପର୍କୀୟ) ଭାଇଙ୍କ ମୁଁହ ଦେଖିବାକୁ ଚାହୁଁନି । ମୁଁ ତାଙ୍କୁ ଘୃଣା କରେ,” କୋମଲ କହନ୍ତି । ସେ ତାଙ୍କୁ ଅନେକ ସମୟରେ ମାଡ଼ ମାରନ୍ତି ଏବଂ ତାଙ୍କ କାମକୁ ବିରୋଧ କଲେ ତାଙ୍କ ମାଆଙ୍କୁ ମାରି ଦେବାକୁ ଧମକ ଦିଅନ୍ତି । ଥରେ, ସେ ତାଙ୍କୁ କୌଣସି ଏକ ଧାରୁଆ ଉପକରଣରେ ମାରିଥିଲେ ଏବଂ ତାଙ୍କ କପାଳରେ ଏକ ଗଭୀର କ୍ଷତଚିହ୍ନ ରହିଯାଇଥିଲା ।

ହେକାରୋନେ ମୋର୍‌ ଘର୍‌ ଯାବୋ ମନ୍‌ ନାଇ । ମୟ କିମାନ୍‌ ବାର୍‌ କଇସୁ ହିହତକ୍‌ (ଏହି କାରଣରୁ ମୁଁ ଘରକୁ ଯିବାକୁ ଚାହୁଁନି । ମୁଁ ସେମାନଙ୍କୁ ବି ଅନେକ ଥର କହିଛି),” ପୋଲିସ ସହ ତାଙ୍କର କଥାବାର୍ତ୍ତା ସନ୍ଦର୍ଭରେ କୋମଲ କହନ୍ତି । ଏହା ସତ୍ତ୍ୱେ, ପୋଲିସ ତାଙ୍କୁ ୩୫ ଘଣ୍ଟାର ରେଳଯାତ୍ରା କରି ଆସାମ ଯିବା ଲାଗି ଟ୍ରେନ୍‌ରେ ବସାଇ ଦେଇଥିଲେ । ସେ ଯେ ଘରେ ସୁରକ୍ଷିତ ଭାବରେ ପହଞ୍ଚିବେ କିମ୍ବା ଘରେ ପହଞ୍ଚି ଗଲା ପରେ ଆଗକୁ କୌଣସି ହିଂସାର ଶିକାର ହେବେ ନାହିଁ, ସେ ଦିଗରେ କୌଣସି ବନ୍ଦୋବସ୍ତ କରି ନଥିଲେ, ଏମିତି କି ତାଙ୍କୁ ସିମ୍‌ କାର୍ଡଟିଏ ବି ଦେଇ ନଥିଲେ ।

ଚାଲାଣ କରାଯାଇଥିବା ଜଣେ ନାବାଳିକା କିମ୍ବା କମ୍‌ ବୟସର ପ୍ରାପ୍ତବୟସ୍କା ଯେଉଁ ସବୁ ନିର୍ଦ୍ଦିଷ୍ଟ ସହାୟତା ଆବଶ୍ୟକ କରନ୍ତି, ବାସ୍ତବରେ କୋମଲ ତାହା ହିଁ ଆବଶ୍ୟକ କରୁଥିଲେ ।

Komal trying to divert her mind by looking at her own reels on her Instagram profile which she created during her time in Delhi’s GB Road brothels. She enjoys the comments and likes received on the videos
PHOTO • Karan Dhiman

ଦିଲ୍ଲୀର ଜି.ବି. ରୋଡ୍‌ରେ ଥିବା ବେଶ୍ୟାଳୟରେ ରହୁଥିବା ବେଳେ କୋମଲ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପ୍ରୋଫାଇଲରେ କରିଥିବା ନିଜର ‘ରିଲ୍‌’ଗୁଡ଼ିକ ଦେଖି ମନ ଭୁଲାଇବାକୁ ଚେଷ୍ଟା କରୁଛନ୍ତି । ସେହି ସବୁ ଭିଡିଓରେ ଦିଆଯାଇଥିବା ‘କମେଣ୍ଟ’ ଓ ‘ଲାଇକ୍‌’ଗୁଡ଼ିକୁ ସେ ଭଲ ପାଆନ୍ତି

*****

କୋମଲ (ପରିବର୍ତ୍ତିତ ନାମ) ମନେ ପକାନ୍ତି ଯେ, ଏ ବର୍ଷ ଆରମ୍ଭରେ, ସେ ରହିଆସୁଥିବା ଦିଆସିଲି ଖୋଳ ଭଳି ୪x୬ ବର୍ଗଫୁଟ ଆକାରର ଘରୁ ବାହାରକୁ ଲମ୍ବିଥିବା ଧାତୁ ନିର୍ମିତ ସିଡ଼ିରୁ ଓହ୍ଲାଇ ଆସୁଥିବା ବେଳେ ସେ କାମ କରୁଥିବା ସେହି ବେଶ୍ୟାଳୟରେ ପୋଲିସ ଅଧିକାରୀମାନେ ପହଞ୍ଚିଥିଲେ । ପଥଚାରୀମାନଙ୍କୁ ଏହି କୋଠରିଗୁଡ଼ିକ ଦେଖାଯାଉ ନଥିଲା; କେବଳ ଧାତୁ ନିର୍ମିତ ସିଡିଗୁଡ଼ିକ ହିଁ ସୂଚାଇ ଦେଉଥିଲା ଯେ, ଲୋକମୁଖରେ ଜିବି ରୋଡ୍‌ ରୂପେ ପରିଚିତ ଦିଲ୍ଲୀର ଶ୍ରଦ୍ଧାନନ୍ଦ ମାର୍ଗସ୍ଥିତ ଏହି କୁଖ୍ୟାତ ରେଡ୍‌ ଲାଇଟ୍‌ ଅଞ୍ଚଳରେ ଯୌନ କାର୍ଯ୍ୟ ଚାଲୁ ରହିଥିଲା ।

ତାଙ୍କ ବୟସ ୨୨ ବର୍ଷ ବୋଲି ସେ ସେମାନଙ୍କୁ କହିଲେ । “ କମ୍‌ ଓ ହବୋ ପାରେ..ଭାଲ୍‌କେ ନାଜାନି ମୟ (ଆଉ କମ୍‌ ବି ହୋଇପାରେ । ମୁଁ ଭଲ ଭାବରେ ଜାଣିନି),” ତାଙ୍କ ମାତୃଭାଷା ଆସାମୀ ଭାଷାରେ କହନ୍ତି କୋମଲ । ସେ ୧୭ରୁ, ବୋଧହୁଏ ୧୮ରୁ ଅଧିକ ବୟସର ଭଳି ଦେଖା ଯାଆନ୍ତି ନାହିଁ । ସେ ଜଣେ ନାବାଳିକା ବୋଲି ହୃଦ୍‌ବୋଧ କରି ସେଦିନ ପୋଲିସ ତାଙ୍କୁ ସେହି ବେଶ୍ୟାଳୟରୁ ‘ଉଦ୍ଧାର’ କରିଥିଲା ।

କୋମଲଙ୍କ ପ୍ରକୃତ ବୟସ ସଂପର୍କରେ ନିଶ୍ଚିତ ଭାବରେ ଜାଣି ନଥିବାରୁ, ଦିଦି ମାନେ (ବେଶ୍ୟାଳୟ ମାଲିକାଣୀମାନେ) ମଧ୍ୟ ପୋଲିସ ଅଫିସରମାନଙ୍କୁ ଅଟକାଇ ନଥିଲେ । ତାଙ୍କ ବୟସ ୨୦ରୁ ଅଧିକ ବୋଲି କହିବାକୁ ଏବଂ ଯଦି ପଚରା ଯାଏ, ତେବେ ସେ “ ଅପ୍‌ନି ମର୍ଜି ସେ (ତାଙ୍କ ନିଜ ଇଚ୍ଛାରେ)” ଯୌନ କାମ କରୁଛନ୍ତି ବୋଲି କହିବାକୁ ସେମାନେ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କୋମଲଙ୍କ ମନ ଭିତରେ ସେହି ବିବୃତିର ସତ୍ୟତା ପ୍ରତିପାଦିତ ହୋଇଥିଲା । ସେ ଅନୁଭବ କରିଥିଲେ ଯେ, ସ୍ୱାବଲମ୍ବୀ ଭାବରେ ରହିବା ପାଇଁ ସେ ନିଜେ ଦିଲ୍ଲୀକୁ ଆସି ବ୍ୟାବସାୟିକ ଯୌନ କର୍ମ କରିବାକୁ ପସନ୍ଦ କରିଥିଲେ । କିନ୍ତୁ ତାଙ୍କର ସେହି ‘ପସନ୍ଦ’ ପୂର୍ବରୁ ରହିଥିଲା ଅନେକ ଦୁଃଖଦ ଅନୁଭୂତି । ଜଣେ ନାବାଳିକା ଭାବରେ ଧର୍ଷିତା ହେବା ଏବଂ ଚାଲାଣ କରାଯିବା ପରେ ପରିସ୍ଥିତି ସହିତ ଖାପ୍‌ ଖୁଆଇବା, ଦୁଃଖରୁ ମୁକୁଳିବା ଏବଂ ବିକଳ୍ପ ପନ୍ଥା ଖୋଜି ପାଇବାକୁ ତାଙ୍କ ପାଖରେ କୌଣସି ସହାୟତା ବ୍ୟବସ୍ଥା ଉପଲବ୍‌ଧ ହୋଇ ନଥିଲା ।

ସେ ନିଜ ଇଚ୍ଛାରେ ଏହି ବେଶ୍ୟାଳୟରେ ଅଛନ୍ତି ବୋଲି ଯେତେବେଳେ ପୋଲିସକୁ କହିଲେ, ପୋଲିସ ତାଙ୍କ କଥାକୁ ବିଶ୍ୱାସ କଲାନାହିଁ । ସେ ସେମାନଙ୍କୁ ତାଙ୍କ ଫୋନ୍‌ରେ ଥିବା ଜନ୍ମ ପ୍ରମାଣପତ୍ରର ଏକ ନକଲ ଦେଖାଇ ତାଙ୍କୁ ୨୨ ବର୍ଷ ହୋଇଥିବା କଥା ଯାଞ୍ଚ କରିନେବାକୁ ମଧ୍ୟ କହିଥିଲେ । କିନ୍ତୁ ସେମାନେ ତାଙ୍କ କଥା ଶୁଣି ନଥିଲେ । ପ୍ରମାଣ ବୋଲି ତାଙ୍କ ପାଖରେ ସେହି ଗୋଟିକ ଯାହା ଥିଲା ଏବଂ ତାହା ସେତେଟା କାମରେ ଲାଗି ନଥିଲା । କୋମଲଙ୍କୁ ‘ଉଦ୍ଧାର’ କରାଯାଇ ଗୋଟିଏ ଥାନାକୁ ନିଆଯାଇଥିଲା ଏବଂ ସେଠାରେ, ତାଙ୍କ ହିସାବରେ ତାଙ୍କୁ ଦୁଇ ଘଣ୍ଟା କାଳ କାଉନ୍‌ସେଲିଂ କରାଯାଇଥିଲା । ତା’ପରେ ତାଙ୍କୁ ଗୋଟିଏ ସରକାରୀ ଆଶ୍ରୟସ୍ଥଳୀକୁ ପଠାଇ ଦିଆଯାଇଥିଲା ଏବଂ ସେଠାରେ ସେ ୧୮ ଦିନ ରହିଲେ । ସେ ଜଣେ ନାବାଳିକା ବୋଲି ଧରି ନିଆଯାଇଥିଲା ଏବଂ ନିୟମାନୁଯାୟୀ ଉଚିତ ପ୍ରକ୍ରିୟା ଅନୁସରଣ ପୂର୍ବକ ତାଙ୍କୁ ତାଙ୍କ ପରିବାର ସହ ପୁଣି ଏକତ୍ର କରାଯିବ ବୋଲି କୁହାଯାଇଥିଲା ।

ସେହି ଆଶ୍ରୟସ୍ଥଳୀରେ ରହିବା ସମୟରେ ଦିନେ ପୋଲିସ ବେଶ୍ୟାଳୟରୁ ତାଙ୍କ ଜିନିଷପତ୍ର ଉଦ୍ଧାର କରିଥିଲା । ସେଥିରେ ଥିବା ତାଙ୍କ ଲୁଗାପଟା, ଦୁଇଟି ଫୋନ୍‌ ଏବଂ ସେ ରୋଜଗାର କରିଥିବା ୨୦,୦୦୦ ଟଙ୍କାକୁ ଦିଦି ମାନେ ତାଙ୍କୁ ହସ୍ତାନ୍ତର କରିଥିଲେ ।

ଯୌନ କାର୍ଯ୍ୟରେ କୋମଲଙ୍କ ପ୍ରବେଶ ପୂର୍ବରୁ ତାଙ୍କ ଜୀବନରେ ଆସିଥିଲା ଅନେକ ଦୁଃଖଦ ଅନୁଭୂତି । ଜଣେ ନାବାଳିକା ଭାବରେ ଧର୍ଷିତା ହେବା ପରେ ତାଙ୍କୁ ଚାଲାଣ କରି ଦିଆଯାଇଥିଲା ଏବଂ ପରିସ୍ଥିତି ସହିତ ଖାପ ଖୁଆଇବା କିମ୍ବା ଏଥିରୁ ଉଦ୍ଧାର ପାଇବା ଲାଗି ତାଙ୍କ ପାଖରେ କୌଣସି ସହାୟତା ବ୍ୟବସ୍ଥା ନ ଥିଲା

ଜଣେ ସଂପର୍କୀୟଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହେବା ପରେ କୋମଲଙ୍କ ଜୀବନ ସଂପର୍କରେ ତାଙ୍କ ମୁହଁର କଥା ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ

“ନାବାଳିକାମାନଙ୍କୁ ଯେମିତି ପୁଣି ଚାଲାଣ କରା ନଯାଏ, ତାହା କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ । ସେମାନେ ପୁଣି ପରିବାର ସହ ଯୋଗ ଦେବେ କିମ୍ବା ଆଶ୍ରୟସ୍ଥଳୀରେ ରହିବେ, ସେ କ୍ଷେତ୍ରରେ ନାବାଳିକା ପୀଡ଼ିତାମାନଙ୍କ ପସନ୍ଦକୁ ପ୍ରାଥମିକତା ଦିଆଯିବ । ପରିବାର ହେପାଜତରେ ହସ୍ତାନ୍ତର କରିବା ପୂର୍ବରୁ ପୀଡ଼ିତାମାନଙ୍କ ପରିବାର ଲୋକଙ୍କୁ ପର୍ଯ୍ୟାପ୍ତ କାଉନ୍‌ସେଲିଂ କରାଯିବାକୁ ନିଶ୍ଚିତ ପ୍ରାଥମିକତା ପ୍ରଦାନ କରାଯିବ,” ମାନବିକ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ଦିଲ୍ଲୀର ଜଣେ ଆଇନଜୀବୀ ଉତ୍କର୍ଷ ସିଂହ କହନ୍ତି । ତାଙ୍କ ମତରେ, କିଶୋର ନ୍ୟାୟ ଆଇନ, ୨୦୧୫ ବଳରେ ଗଠିତ ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ଏକ ସ୍ୱୟଂଶାସିତ ସଂସ୍ଥା ଏବଂ ଆଇନ ଅନୁସାରେ କୋମଲଙ୍କ ଭଳି ପୀଡ଼ିତାଙ୍କ ଥଇଥାନ ପ୍ରକ୍ରିୟା କରାଯାଇଛି ବୋଲି ଏହା ସୁନିଶ୍ଚିତ କରିବ ।

*****

କୋମଲଙ୍କ ଗାଁ ଆସାମର ବାକ୍‌ସା ଜିଲ୍ଲାରେ ଏବଂ ଏହି ଜିଲ୍ଲା ବୋଡ଼ୋଲ୍ୟାଣ୍ଡ କ୍ଷେତ୍ରୀୟ ଅଞ୍ଚଳରେ ଅବସ୍ଥିତ । ବିଟିଆର୍‌ ନାଁରେ ସୁପରିଚିତ ରାଜ୍ୟର ଏହି ପଶ୍ଚିମାଞ୍ଚଳ, ଭାରତୀୟ ସମ୍ବିଧାନର ୬ଷ୍ଠ ଅନୁଚ୍ଛେଦ ଅଧୀନରେ ପ୍ରସ୍ତାବିତ ଏକ ରାଜ୍ୟର ଗୋଟିଏ ସ୍ୱୟଂଶାସିତ ଭାଗ ।

ସଂପର୍କୀୟ ଭାଇ ଦ୍ୱାରା ରେକର୍ଡ କରାଯାଇ ପ୍ରସାରିତ ହୋଇଥିବା କୋମଲଙ୍କ ଧର୍ଷଣ ସଂପର୍କିତ କେତେକ ଭିଡିଓକୁ ତାଙ୍କ ଗାଁର ଅନେକ ଲୋକ ଦେଖିଛନ୍ତି । “ମୋ ମାମା (ମାମୁ ଏବଂ ସଂପର୍କୀୟ ଭାଇଙ୍କ ବାପା) ସବୁ କଥା ପାଇଁ ମୋତେ ଦୋଷ ଦିଅନ୍ତି । ସେ କହନ୍ତି ଯେ ମୁଁ ତାଙ୍କ ପୁଅକୁ ପ୍ରଲୋଭିତ କରିଥିଲି । ସେ ମୋ ମାଆଙ୍କ ଆଗରେ ମୋତେ ଏତେ ମାଡ଼ ମାରନ୍ତି ଯେ ମୁଁ କାନ୍ଦି କାନ୍ଦି ଆଉ ନ ମାରିବାକୁ ତାଙ୍କୁ ବିନତି କରେ,” ପୁରୁଣା କଥା ମନେ ପକାଇ କହନ୍ତି କୋମଲ । ଅତ୍ୟାଚାର ବନ୍ଦ ହେବା କିମ୍ବା ସାହାଯ୍ୟ ମିଳିବାର କୌଣସି ସମ୍ଭାବନା ନ ଦେଖି ୧୦ ବର୍ଷର କୋମଲ ନିଜକୁ ନିଜେ ଆଘାତ ଦିଅନ୍ତି । “ମୁଁ ଅନୁଭବ କରୁଥିବା ପ୍ରବଳ ରାଗ ଓ ଯନ୍ତ୍ରଣାରୁ ନିଜକୁ ମୁକ୍ତି ଦେବାକୁ ଯାଇ ମୁଁ ମୋ ହାତକୁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ଲେଡ୍‌ରେ କାଟି ଦେଉଥିଲି । ମୁଁ ମୋ ଜୀବନକୁ ଶେଷ କରିଦେବାକୁ ଚାହୁଁଥିଲି ।”

ଯେଉଁମାନେ ସେହି ଭିଡିଓକୁ ଦେଖିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ବିକାଶ ଭୈୟା (ଭାଇ), ତାଙ୍କ ସଂପର୍କୀୟ ଭାଇଙ୍କର ଜଣେ ସାଙ୍ଗ । ତାଙ୍କରି ଭାଷାରେ ଏହି ସଂକଟର ଏକ ‘ସମାଧାନ’ ପ୍ରସ୍ତାବ ନେଇ ସେ ତାଙ୍କ ପାଖକୁ ଆସିଥିଲେ ।

“ସେ ମୋତେ ତାଙ୍କ ସହିତ ସିଲିଗୁଡ଼ି (ନିକଟବର୍ତ୍ତୀ ଏକ ସହର) ଆସି ସେଠାରେ ବେଶ୍ୟାବୃତ୍ତିରେ ସାମିଲ ହେବାକୁ କହିଲେ । (ସେ କହିଲେ) ମୁଁ ଟଙ୍କା ରୋଜଗାର କରିପାରିବି ଏବଂ ମୋ ମାଆଙ୍କର ଯତ୍ନ ମଧ୍ୟ ନେଇପାରିବି । ସେ କହିଲେ, ଗାଁରେ ରହି ଧର୍ଷତା ହେବା ତୁଳନାରେ ଏହା ଭଲ ଏବଂ ଏଠାରେ ମୋର ନାଁ ବଦନାମ ହେବାରେ ଲାଗିଛି,” କୋମଲ କହନ୍ତି ।

ଅଳ୍ପ କେଇ ଦିନ ଭିତରେ ଏହି ଛୋଟ ଝିଅଟିକୁ ପ୍ରବର୍ତ୍ତାଇବାରେ ସଫଳ ହେଲେ ବିକାଶ ଏବଂ କୋମଲ ତାଙ୍କ ସହିତ ଘରୁ ଲୁଚି ପଳାଇଲେ । ଚାଲାଣ ହେବା ପରେ ପଶ୍ଚିମବଙ୍ଗ ସିଲିଗୁଡ଼ି ସହରର ଖାଲପାଡ଼ାରେ ଥିବା ବେଶ୍ୟାଳୟରେ ନିଜକୁ ଆବିଷ୍କାର କଲା ଏହି  ୧୦ ବର୍ଷୀୟା ଝିଅଟି । ଭାରତୀୟ ଦଣ୍ଡବିଧି ଆଇନ -୧୮୬୦ର ୩୭୦ ଧାରା ଅନୁସାରେ, ମାନବ ଚାଲାଣର ସଂଜ୍ଞା ହେଉଛି ଧମକ, ବଳପ୍ରୟୋଗ, ଜବରଦସ୍ତି, ଅପହରଣ, ଠକେଇ, ଛଳନା, କ୍ଷମତାର ଅପବ୍ୟବହାର, କିମ୍ବା ପ୍ରରୋଚନା ବଳରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଶୋଷଣ କରି ଅନ୍ୟାନ୍ୟ ଉଦ୍ଦେଶ୍ୟ ସହିତ ବେଶ୍ୟାବୃତ୍ତି, ଶିଶୁ ଶ୍ରମିକ, ଗୋତି ଶ୍ରମିକ, ବାଧ୍ୟତାମୂଳକ ଶ୍ରମିକ, ଏବଂ ଯୌନ ଶୋଷଣ ଉଦ୍ଦେଶ୍ୟରେ ବେଆଇନ କାମରେ ଲଗାଇବା । ଯେଉଁମାନେ ଅନ୍ୟ ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ ବେଶ୍ୟାବୃତ୍ତି ଲାଗି ନେଇ କାମରେ ଲଗାଇବେ, ପ୍ରରୋଚିତ କରିବେ ସେମାନଙ୍କୁ ଅନୈତିକ ମାନବ ଚାଲାଣ (ପ୍ରତିରୋଧ) ଆଇନ (ଆଇଟିପିଏ), ୧୯୫୬ ର ଧାରା ୫ ଅନୁସାରେ ଦଣ୍ଡିତ କରିବା ବ୍ୟବସ୍ଥା ରହିଛି । ‘ଜଣେ ବ୍ୟକ୍ତି ବା ଶିଶୁର ଇଚ୍ଛା ବିରୋଧରେ ସଂଘଟିତ ଅପରାଧ କ୍ଷେତ୍ରରେ ଚଉଦ ବର୍ଷ ବା ଆଜୀବନ କାରାବାସ ଦଣ୍ଡ ବ୍ୟବସ୍ଥା ରହିଛି ।” ଆଇଟିପିଏ ଅନୁସାରେ, “ଶିଶୁ”ର ଅର୍ଥ ହେଉଛି ୧୬ ବର୍ଷ ବୟସରେ ପହଞ୍ଚି ନଥିବା ଜଣେ ବ୍ୟକ୍ତି ।

କୋମଲଙ୍କୁ ଚାଲାଣ କରିବାରେ ବିକାଶର ସ୍ପଷ୍ଟ ଭୂମିକା ରହିଥିଲେ ମଧ୍ୟ, ତାଙ୍କ ବିରୋଧରେ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାୟର ହୋଇ ନଥିବାରୁ, ସେ ଏହି ସବୁ ଆଇନ ଅନୁସାରେ ପୂର୍ଣ୍ଣାଙ୍ଗ ପରିଣତିର ସମ୍ମୁଖୀନ ହେବା ସମ୍ଭାବନା ଆଦୌ ନାହିଁ ।

Komal's self harming herself was a way to cope with what was happening to her, she says
PHOTO • Karan Dhiman

ତାଙ୍କ ସହିତ ଯାହା ଘଟି ଯାଉଥିଲା ସେ ସବୁର ସମ୍ମୁଖୀନ ହୋଇ ନପାରି କୋମଲ ନିଜେ ନିଜର କ୍ଷତି କରିବା ଭଳି ବାଟକୁ ବାଛି ନେଇଥିଲେ, ସେ କହନ୍ତି

ସିଲିଗୁଡ଼ିକୁ ନିଆଯିବାର ପ୍ରାୟ ତିନି ବର୍ଷ ପରେ, ପୋଲିସ ଚଢ଼ାଉ ସମୟରେ କୋମଲଙ୍କୁ ଖାଲପାଡ଼ାରୁ ଉଦ୍ଧାର କରାଯାଇଥିଲା । ତାଙ୍କର ମନେ ଅଛି ଯେ ତାଙ୍କୁ ଗୋଟିଏ ଶିଶୁ କଲ୍ୟାଣ ସମିତିର ଅଦାଲତରେ ହାଜର କରାଯାଇଥିଲା ଏବଂ ପ୍ରାୟ ୧୫ ଦିନ କାଳ ତାଙ୍କୁ ନାବାଳକମାନଙ୍କ ପାଇଁ ଥିବା ଏକ ଆଶ୍ରୟସ୍ଥଳୀରେ ରହିବାକୁ ପଡ଼ିଥିଲା । ତା’ପରେ ତାଙ୍କୁ ଆସାମ ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ରେ ବସାଇ ଘରକୁ ପଠାଇ ଦିଆଯାଇଥିଲା । ସେତେବେଳେ ତାଙ୍କ ସାଙ୍ଗରେ କେହି ନଥିଲେ – ଠିକ୍‌ ଯେମିତି ୨୦୨୪ରେ ଆଉ ଥରେ ତାଙ୍କୁ ପଠାଇ ଦିଆଯିବାର ଥିଲା ।

ଦୁଇ ଥର ଯାକ, ୨୦୧୫ରେ ଏବଂ ୨୦୨୪ରେ, କୋମଲଙ୍କ ଭଳି ଚାଲାଣ କରାଯାଇଥିବା ଶିଶୁଙ୍କ କ୍ଷେତ୍ରରେ ଯେଉଁ ସବୁ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯିବା କଥା ତାହା କରାଯାଇ ନଥିଲା  ।

ବ୍ୟାବସାୟିକ ଯୌନ ଶୋଷଣ ’ ଏବଂ ‘ବଳପୂର୍ବକ ଶ୍ରମ’ ଭଳି ଅପରାଧ ତଦନ୍ତ କ୍ଷେତ୍ରରେ ତଦନ୍ତକାରୀ ଅଧିକାରୀ (ଆଇଓ)ଙ୍କ ପାଇଁ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସାଧାରଣ ପରିଚାଳନା ପ୍ରକ୍ରିୟା (ଏସ୍‌ଓପି)ରେ ପୀଡ଼ିତଙ୍କ ବୟସ ନିର୍ଦ୍ଧାରଣ କରିବା ପାଇଁ ଜନ୍ମ ପ୍ରମାଣପତ୍ର, ସ୍କୁଲ ପ୍ରମାଣପତ୍ର, ଖାଉଟି କାର୍ଡ କିମ୍ବା ଅନ୍ୟ କୌଣସି ସରକାରୀ ନଥି ପାଇବା ଦରକାର । ଯଦି ଏ ସବୁ ଉପଲବ୍‌ଧ ନ ହୁଏ କିମ୍ବା ସେଥିରୁ ବୟସ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରେନାହିଁ, ତେବେ “ଅଦାଲତଙ୍କ ଆଦେଶରେ ବୟସ ନିରୂପଣ ପରୀକ୍ଷା” ପାଇଁ ପୀଡ଼ିତଙ୍କୁ ପଠାଯାଇପାରେ । ଏହା ସହିତ, ଯୌନ ଅପରାଧରୁ ଶିଶୁମାନଙ୍କର ସୁରକ୍ଷା ଆଇନ (ପୋକ୍‌ସୋ), ୨୦୧୨ ,ର ଧାରା ୩୪(୨) ଅନୁସାରେ ସ୍ୱତନ୍ତ୍ର ଅଦାଲତ ଶିଶୁର ପ୍ରକୃତ ବୟସ ନିର୍ଦ୍ଧାରଣ କରିବା ଏବଂ “ଏଭଳି ନିର୍ଦ୍ଧାରଣର କାରଣ ସମୂହ ଲିଖିତ ଆକାରରେ ରେକର୍ଡ କରିବା” ଆବଶ୍ୟକ ।

ଦିଲ୍ଲୀରେ କୋମଲଙ୍କୁ ‘ଉଦ୍ଧାର’ କରିଥିବା ପୋଲିସ ଅଧିକାରୀମାନେ ତାଙ୍କ ଜନ୍ମ ପ୍ରମାଣପତ୍ରକୁ ଅଗ୍ରାହ୍ୟ କରିଦେଇଥିଲେ । ତାଙ୍କୁ ବୈଧାନିକ ଡାକ୍ତରୀ ପରୀକ୍ଷା ମେଡିକୋ-ଲିଗାଲ କେସ୍‌ (ଏମ୍‌ଏଲ୍‌ସି) ପାଇଁ ନିଆଯାଇ ନଥିଲା କି ଜିଲ୍ଲା ମାଜିଷ୍ଟ୍ରେଟ୍‌ କିମ୍ବା ସିଡବ୍ଲୁସି ଆଗରେ ହାଜର କରାଯାଇ ନଥିଲା । ତାଙ୍କର ପ୍ରକୃତ ବୟସ ଜାଣିବା ଲାଗି ହାଡ଼-ଗଣ୍ଠିରୁ ନିରୂପଣ ପରୀକ୍ଷଣ ବା ‘ବୋନ୍‌ ଅସିଫିକେସନ୍‌ ଟେଷ୍ଟ’ କରିବା ଦିଗରେ କୌଣସି ଉଦ୍ୟମ କରାଯାଇ ନଥିଲା ।

ପୀଡ଼ିତମାନଙ୍କୁ ପୁନର୍ବାସିତ କିମ୍ବା ପରିବାର ସହିତ ପୁନଃ ଏକୀକୃତ କରିବା ଲାଗି ଯଦି ବିଭିନ୍ନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମ୍ମତି ପ୍ରକାଶ ପାଏ, ତେବେ ଏହା ପୂର୍ବରୁ ସେମାନଙ୍କର “ଘର ସଂପର୍କରେ ଉପଯୁକ୍ତ ଯାଞ୍ଚ କରାଯାଇଛି” ବୋଲି ସୁନିଶ୍ଚିତ କରିବା ତଦନ୍ତକାରୀ ଅଧିକାରୀ (ଆଇଓ) କିମ୍ବା ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି)ର ଦାୟିତ୍ୱ । “ଯଦି ପୀଡ଼ିତାଙ୍କୁ ଘରକୁ ପଠାଇ ଦିଆଯାଏ, ତେବେ ସମାଜରେ ପୁନଃ ଏକୀକୃତ ହେବା ଲାଗି ତାଙ୍କର ସ୍ୱୀକୃତି ଓ ସୁଯୋଗକୁ ସଂପୃକ୍ତ ସମସ୍ତ କର୍ତ୍ତୃପକ୍ଷ ନିଶ୍ଚିତ ଭାବରେ ଚିହ୍ନଟ କରିବା ସହିତ ରେକର୍ଡ କରିବେ ।”

କୌଣସି ପରିସ୍ଥିତିରେ ବି ପୀଡ଼ିତାମାନେ ପୁଣି ସେହି ସମାନ କର୍ମକ୍ଷେତ୍ରକୁ ଫେରି ଯିବା କିମ୍ବା “ଆଗକୁ ଅଧିକ ବିପଦ ସମ୍ଭାବନା ଥିବା ସ୍ଥିତି”କୁ ଯିବା ଉଚିତ ନୁହେଁ । ଆସାମକୁ, ଯେଉଁ ସ୍ଥାନରେ ତାଙ୍କୁ ଧର୍ଷଣ କରାଯାଇଥିଲା ଏବଂ ପରେ ଚାଲାଣ କରାଯାଇଥିଲା, ସେହି ସ୍ଥାନକୁ, ଫେରିଯିବା ଲାଗି ତାଙ୍କୁ ପଠାଇ ଦିଆଯିବା ଏହାର ସ୍ପଷ୍ଟ ଉଲ୍ଲଂଘନ କରୁଛି । ତାଙ୍କ ଘର ସଂପର୍କରେ କୌଣସି ଯାଞ୍ଚ କରାଯାଇ ନଥିଲା; କୋମଲଙ୍କ ପରିବାର ସଂପର୍କରେ ଅଧିକ ଜାଣିବା କିମ୍ବା ଜଣେ ନାବାଳିକା ପୀଡ଼ିତାଙ୍କ ତଥାକଥିତ ଥଇଥାନରେ ସହାୟତା କରିବା ଲାଗି କୌଣସି ବେସରକାରୀ ସଂସ୍ଥା ସହ ଯୋଗାଯୋଗ କରିବା ଲାଗି କେହି ହେଲେ ଚେଷ୍ଟା କରି ନଥିଲେ ।

Komal says she enjoys creating reels on classic Hindi film songs and finds it therapeutic as well
PHOTO • Karan Dhiman

କୋମଲ କହନ୍ତି ଯେ ପୁରୁଣା ହିନ୍ଦୀ ସିନେମା ଗୀତରେ ‘ରିଲ୍‌’ କରିବାକୁ ସେ ଭଲ ପାଆନ୍ତି ଏବଂ ଏହା ତାଙ୍କ ମାନସିକ ସ୍ଥିତି ସୁଧାରିବାରେ ମଧ୍ୟ କାମ ଦିଏ

ଅଧିକନ୍ତୁ, ସରକାରଙ୍କ ଊଜ୍ଜୱାଲା ଯୋଜନା ଅନୁସାରେ, ମାନବ ଚାଲାଣ ଏବଂ ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାମାନଙ୍କୁ ନିଶ୍ଚିତ ଭାବରେ “ତୁରନ୍ତ ଏବଂ ଦୀର୍ଘକାଳୀନ ଥଇଥାନ ସେବା ଏବଂ ମୌଳିକ ସୁବିଧା/ଆବଶ୍ୟକତା” ସହିତ ପରାମର୍ଶ, ପଥପ୍ରଦର୍ଶନ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଯୌନ କାରବାର ଲାଗି ମାନବ ଚାଲାଣ ମାମଲା ପରିଚାଳନାରେ ଅଭିଜ୍ଞ ଶିଶୁ ପରାମର୍ଶଦାତା ଆନି ଥିଓଡୋର ମଧ୍ୟ ପୀଡ଼ିତାଙ୍କ ଜୀବନଯାପନରେ ମନସ୍ତାତ୍ତ୍ୱିକ ସହାୟତା ଉପରେ ଗୁରୁତ୍ୱାରୋପ କରନ୍ତି । ସେ କହନ୍ତି, “ପୀଡ଼ିତାମାନେ ସମାଜରେ ପୁନଃ ସମ୍ମିଳିତ ହେବା ପରେ, କିମ୍ବା ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବା ପରେ ସେମାନଙ୍କୁ ଉଚିତ ପରାମର୍ଶ ପ୍ରଦାନ ଅବ୍ୟାହତ ରଖିବା ସବୁଠାରୁ ବଡ଼ ଆହ୍ୱାନ ।”

ଦିଲ୍ଲୀର ବେଶ୍ୟାଳୟରୁ କୋମଲଙ୍କୁ ‘ଉଦ୍ଧାର’ କରାଯିବା ପରେ, ତରବରିଆ ଭାବରେ ତାଙ୍କ ଥଇଥାନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ, ତାଙ୍କୁ ଦୁଇ ଘଣ୍ଟା ପାଇଁ ପରାମର୍ଶ ଦିଆଯାଇଥିଲା । ପରାମର୍ଶଦାତା ଆନି ପଚାରନ୍ତି, “ବର୍ଷ ବର୍ଷ ଧରି ଦୁଃଖ ଓ ଯନ୍ତ୍ରଣା ଭୋଗିଥିବା କେହି ଜଣେ କିଭଳି ମାତ୍ର ଦୁଇ କି ତିନି ମାସର, କିମ୍ବା ନିର୍ଦ୍ଦିଷ୍ଟ କେତେକ କ୍ଷେତ୍ରରେ କେଇ ଦିନର ପରାମର୍ଶ ଅଧିବେଶନରେ ଯନ୍ତ୍ରଣାମୁକ୍ତ ହୋଇପାରିବେ?” ସେ ଆହୁରି କହନ୍ତି ଯେ, ପୀଡ଼ିତାମାନେ ଆରୋଗ୍ୟଲାଭ କରନ୍ତୁ, ଯନ୍ତ୍ରଣାମୁକ୍ତ ହୁଅନ୍ତୁ ଏବଂ ସେମାନଙ୍କ ଦୁଃଖଦ ଅନୁଭୂତି ସଂପର୍କରେ ପ୍ରକାଶ କରନ୍ତୁ ବୋଲି ଆଶା କରିବା ବ୍ୟବସ୍ଥାର ନିଷ୍ଠୁରତାକୁ ସୂଚାଏ ଏବଂ କେବଳ ସେମାନେ (ବିଭିନ୍ନ ସଂସ୍ଥା) ଏହା ଚାହୁଁଥିବା କାରଣରୁ ଏଭଳି ଘଟିଥାଏ ।

ଅନେକ ବିଶେଷଜ୍ଞଙ୍କ ମତରେ, ସରକାରୀ ସଂସ୍ଥାଗୁଡ଼ିକ ପୀଡ଼ିତାମାନଙ୍କ ଭଗ୍ନ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇ ସେମାନଙ୍କୁ ପୁଣି ମାନବ ଚାଲାଣର ଶିକାର ହେବାକୁ କିମ୍ବା ବାଣିଜ୍ୟିକ ଯୌନ କାର୍ଯ୍ୟକ୍ଷେତ୍ରକୁ ଫେରିଯିବାକୁ ବାଧ୍ୟ କରନ୍ତି । “ଅବ୍ୟବହିତ ଭାବରେ ପ୍ରଶ୍ନ କରିବା ଏବଂ ଉଦାସୀନ ମନୋଭାବ ପ୍ରଦର୍ଶନ ଯୋଗୁଁ ପୀଡ଼ିତାମାନେ ପୁଣି ସେହି ଦୁଃଖଦ ପରିସ୍ଥିତିକୁ ଫେରିଯାଇଥିବା ଭଳି ଅନୁଭବ କରନ୍ତି । ପୂର୍ବରୁ, ମାନବ ଚାଲାଣକାରୀ, ବେଶ୍ୟାଳୟ ମାଲିକ, ଦଲାଲ ଓ ଅନ୍ୟ ଅପରାଧୀମାନେ ସେମାନଙ୍କର ଉତ୍ପୀଡ଼ନ କରୁଥିଲେ, କିନ୍ତୁ ଏବେ ସରକାରୀ ସଂସ୍ଥାଗୁଡ଼ିକ ଠିକ୍‌ ତାହା ହିଁ କରୁଛନ୍ତି,” କଥା ଶେଷ କରି କହନ୍ତି ଆନି ।

*****

ପ୍ରଥମ ଥର ଉଦ୍ଧାର କରାଯିବା ସମୟରେ କୋମଲଙ୍କ ବୟସ ୧୩ ବର୍ଷରୁ ଅଧିକ ହୋଇ ନଥିବ । ଦ୍ୱିତୀୟ ଥର, ହୁଏତ ତାଙ୍କୁ ୨୨ ବର୍ଷ ହୋଇଥିବ; ସେତେବେଳେ ତାଙ୍କୁ ‘ଉଦ୍ଧାର’ କରାଯାଇଥିଲା ଏବଂ ତାଙ୍କ ଇଚ୍ଛା ବିରୋଧରେ ଦିଲ୍ଲୀ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା । ୨୦୨୪ ମେ ମାସରେ ସେ ଆସାମ ଯାଉଥିବା ଟ୍ରେନ୍‌ରେ ବସିଥିଲେ- କିନ୍ତୁ ସେ କ’ଣ ନିରାପଦରେ ପହଞ୍ଚିଥିଲେ? ସେ କ’ଣ ତାଙ୍କ ମାଆଙ୍କ ସହିତ ରହିବେ, କିମ୍ବା ସେ ପୁଣି ଥରେ ଭିନ୍ନ ଏକ ରେଡ୍‌-ଲାଇଟ୍‌ ଅଞ୍ଚଳରେ ନିଜକୁ ଆବିଷ୍କାର କରିବେ?

ଏହି ଆଲେଖ୍ୟ ଭାରତରେ ଯୌନ ଏବଂ ଲିଙ୍ଗ ଭିତ୍ତିକ ହିଂସା (ଏସ୍‌ଜିବିଭି) ପୀଡ଼ିତମାନଙ୍କର ଯତ୍ନ କ୍ଷେତ୍ରରେ ବିଦ୍ୟମାନ ସାମାଜିକ, ଆନୁଷ୍ଠାନିକ ଏବଂ ଗଠନାତ୍ମକ ପ୍ରତିବନ୍ଧକ ସଂପର୍କିତ ଏକ ଦେଶବ୍ୟାପୀ ପ୍ରକଳ୍ପର ଅଂଶବିଶେଷ । ଏହା ‘ଡକ୍‌ଟର୍‌ସ ଉଇଦାଉଟ୍‌ ବର୍ଡରସ୍‌ ଇଣ୍ଡିଆ’ ସହଯୋଗରେ ପରିଚାଳିତ ଏକ ଅଭିଯାନର ଅଂଶବିଶେଷ ।

ସେମାନଙ୍କ ପରିଚୟ ସୁରକ୍ଷିତ ରଖିବା ପାଇଁ ପୀଡ଼ିତ ଓ ପରିବାର ସଦସ୍ୟଙ୍କ ନାମ ପରିବର୍ତ୍ତନ କରାଯାଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Pari Saikia

পরি সইকিয়া একজন স্বাধীন সাংবাদিক, দক্ষিণ-পূর্ব এশিয়া ও ইউরোপে মানব পাচার নিয়ে কাজ করছেন। তিনি ২০২৩, ২০২২ ও ২০২১ সালের জার্নালিজমফান্ড ইউরোপ ফেলো।

Other stories by Pari Saikia
Illustration : Priyanka Borar

নিউ-মিডিয়া শিল্পী প্রিয়াঙ্কা বোরার নতুন প্রযুক্তির সাহায্যে ভাব এবং অভিব্যক্তিকে নতুন রূপে আবিষ্কার করার কাজে নিয়োজিত আছেন । তিনি শেখা তথা খেলার জন্য নতুন নতুন অভিজ্ঞতা তৈরি করছেন; ইন্টারেক্টিভ মিডিয়ায় তাঁর সমান বিচরণ এবং সেই সঙ্গে কলম আর কাগজের চিরাচরিত মাধ্যমেও তিনি একই রকম দক্ষ ।

Other stories by Priyanka Borar
Editor : Anubha Bhonsle

২০১৫ সালের পারি ফেলো এবং আইসিএফজে নাইট ফেলো অনুভা ভোসলে একজন স্বতন্ত্র সাংবাদিক। তাঁর লেখা “মাদার, হোয়্যারস মাই কান্ট্রি?” বইটি একাধারে মণিপুরের সামাজিক অস্থিরতা তথা আর্মড ফোর্সেস স্পেশাল পাওয়ারস অ্যাক্ট এর প্রভাব বিষয়ক এক গুরুত্বপূর্ণ দলিল।

Other stories by Anubha Bhonsle
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE