ଚନ୍ଦ୍ରପୁର ଉପକଣ୍ଠର ଘଞ୍ଚ ବୁଦୁବୁଦିକିଆ ଜଙ୍ଗଲ ଭିତରେ, ୨୯୨୦ ମେଗାୱାଟ୍ ସୁପର ଥର୍ମାଲ ପାୱାର ଷ୍ଟେସନ୍, ଧାଡ଼ିକି ଧାଡ଼ି କୋଇଲା ସଫେଇ କେନ୍ଦ୍ର, ପାଉଁଶ ବନ୍ଧ ଏବଂ ପାଉଁଶ ଗଦା ମଝିରେ ରହିଥିବା ଏକ ଗାଁର ବ୍ୟସ୍ତବହୁଳ ଛକରେ ଅଟକି ଯାଏ ରୂପାନ୍ତରିତ ମହିନ୍ଦ୍ରା ଗାଡ଼ିଟିଏ- ଏମ୍ଏଚ୍୩୪ଏବି୬୮୮୦।

ଗାଡ଼ିର ଦୁଇ ପଟେ ଲାଗିଥାଏ କେତେକ ସ୍ଲୋଗାନ୍ ଓ ଫଟୋଚିତ୍ରରେ ଭରା ରଙ୍ଗିନ ଓ ଆକର୍ଷଣୀୟ ପୋଷ୍ଟରଗୁଡ଼ିଏ। ୨୦୨୩ ଅକ୍ଟୋବର ମାସର ଏକ ଅଳସ ଅପରାହ୍ନରେ ଗାଁ ଲୋକଙ୍କୁ ତୁରନ୍ତ ଆକର୍ଷିତ କରେ ଏହି ଗାଡ଼ିଟି; କିଏ ଆସିଲେ ବୋଲି ଦେଖିବା ଲାଗି ଧାଇଁ ଯାଆନ୍ତି ଗାଁର ଛୋଟପିଲା, ପୁରୁଷ ଓ ମହିଳାମାନେ।

ଗାଡ଼ିରୁ ବାହାରକୁ ବାହାରନ୍ତି ବିଠଲ ବଦଖଲ- ତାଙ୍କ ପାଖରେ ଥାଆନ୍ତି ଜଣେ ଡ୍ରାଇଭର ଏବଂ ସହାୟକ। ବୟସର ସତୁରୀ ଦଶକରେ ଉପନୀତ ବିଠଲଙ୍କ ଡାହାଣ ହାତରେ ଥାଏ ଗୋଟିଏ ମାଇକ୍ରୋଫୋନ୍ ଏବଂ ବାମ ହାତରେ ବାଦାମୀ ରଙ୍ଗର ଗୋଟିଏ ଡାଏରୀ। ଧଳା ଧୋତି, ଧଳା କୁର୍ତ୍ତା ସାଙ୍ଗକୁ ଧଳା ରଙ୍ଗର ନେହରୁ ଟୋପି ପିନ୍ଧିଥିବା ଏହି ବ୍ୟକ୍ତି ଜଣକ ମାଇକରେ କହିବା ଆରମ୍ଭ କରନ୍ତି ଏବଂ ତାଙ୍କ ଗାଡ଼ି ଉପରେ ଲାଗିଥିବା ଲାଉଡସ୍ପିକର ଜରିଆରେ ସେଠାରେ ଏକତ୍ର ଲୋକଙ୍କ ପାଖରେ ପହଞ୍ଚେ ତାଙ୍କ କଥା।

ପ୍ରଥମେ ସେ ଏଠାକୁ ଆସିବାର କାରଣ ବୁଝାଇ ଦିଅନ୍ତି। ଗାଁର ଗଳିକନ୍ଦିରେ ଗୁଞ୍ଜରି ଉଠେ ତାଙ୍କ କଣ୍ଠସ୍ବର। ୫,୦୦୦ ଲୋକ ବସବାସ କରୁଥିବା ଏହି ଗାଁର ଅଧିକାଂଶ ଲୋକ ଚାଷୀ ଏବଂ କେତେକ ନିକଟବର୍ତ୍ତୀ କୋଇଲା କେନ୍ଦ୍ର ଓ କ୍ଷୁଦ୍ର ଶିଳ୍ପ ସଂସ୍ଥାରେ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କ ଭାଷଣ ପାଞ୍ଚ ମିନିଟ୍ ପାଇଁ ଚାଲେ ଏବଂ ଶେଷ ହେଲା ବେଳକୁ ଦୁଇ ଜଣ ପ୍ରମୁଖ ଗ୍ରାମବାସୀ ତାଙ୍କୁ ହସି ହସି ସ୍ୱାଗତ କରନ୍ତି।

ଆରେ ମାମା, ନମସ୍କାର, ୟା ବସା (ଆରେ ମାମୁ, ନମସ୍କାର! ଆସନ୍ତୁ, ବସନ୍ତୁ),” ଗାଁର ମୁଖ୍ୟ ଛକରେ ତେଜରାତି ଦୋକାନ ଚଳାଉଥିବା ୬୫ ବର୍ଷୀୟ ଚାଷୀ ହେମରାଜ ମହାଦେବ ଦିୱସେ କହନ୍ତି।

ନମସ୍କାର ଜୀ, ପ୍ରତ୍ୟୁତ୍ତରରେ ହାତଯୋଡ଼ି କହନ୍ତି ବଦଖଲ ମାମା

Vitthal Badkhal on a campaign trail in Chandrapur in October 2023. He is fondly known as ‘Dukkarwale mama ’ – ran-dukkar in Marathi means wild-boar. He has started a relentless crusade against the widespread menace on farms of wild animals, particularly wild boars. His mission is to make the government acknowledge the problem, compensate and resolve it.
PHOTO • Sudarshan Sakharkar
Hemraj Mahadev Diwase is a farmer who also runs a grocery shop in Tadali village. He says the menace of the wild animals on farms in the area is causing losses
PHOTO • Sudarshan Sakharkar

ବାମ: ୨୦୨୩ ଅକ୍ଟୋବରରେ ଚନ୍ଦ୍ରପୁରରେ ସଚେତନତା ଅଭିଯାନ ଅବସରରେ ବିଠଲ ବଦଖଲ। ଲୋକେ ତାଙ୍କୁ ଆଦରରେ ‘ଡୁକରୱାଲେ ମାମା’ ଡାକନ୍ତି ମରାଠୀରେ ରାନ-ଡୁକର ଅର୍ଥ ବଣୁଆ ବାରହା। କ୍ଷେତରେ ବନ୍ୟଜନ୍ତୁ, ଖାସ୍ କରି ବାରହା ପଶି ବ୍ୟାପକ ଫସଲ ନଷ୍ଟ କରିବା ସମସ୍ୟା ବିରୋଧରେ ସେ ଅବିରତ ସଂଗ୍ରାମ ଚଳାଇଛନ୍ତି।  ସରକାର ଏହି ସମସ୍ୟାକୁ ସ୍ବୀକାର କରିବା ସହିତ କ୍ଷତିପୂରଣ ପ୍ରଦାନ କରିବା ତାଙ୍କ ଅଭିଯାନର ମୂଳଲକ୍ଷ୍ୟ। ଡାହାଣ: ହେମରାଜ ମହାଦେବ ଦିୱସେ ଜଣେ ଚାଷୀ ଏବଂ ସେ ତଡ଼ାଲି ଗାଁରେ ଗୋଟିଏ ତେଜରାତି ଦୋକାନ ବି କରିଛନ୍ତି। ସେ କହନ୍ତି ଯେ, ଏ ଅଞ୍ଚଳରେ ବନ୍ୟଜନ୍ତୁ କ୍ଷେତରେ ପଶିବା ଫଳରେ ଚାଷୀମାନେ ବ୍ୟାପକ କ୍ଷତି ସହନ୍ତି

ଗାଁ ଲୋକଙ୍କ ଘେରରେ ରହି ସେ ଚାଲି ଚାଲି ତେଜରାତି ଦୋକାନ ଆଡ଼କୁ ଯାଆନ୍ତି ଏବଂ ସେଠାରେ ଛକ ଆଡ଼କୁ ମୁହଁ କରି ପ୍ଲାଷ୍ଟିକ୍ ଚଉକିରେ ବସି ପଡ଼ନ୍ତି। ତାଙ୍କ ପିଠି ଥାଏ ଦୋକାନ ଆଡ଼କୁ, ଯେଉଁଠି ତାଙ୍କୁ ନିମନ୍ତ୍ରଣ କରିଥିବା ଦିୱସେ, ମନରେ ଆଶା ବାନ୍ଧି ବସିଥାଆନ୍ତି।

ଛୋଟିଆ ଧଳା ସୂତା ତଉଲିଆରେ ମୁହଁରୁ ଝାଳ ପୋଛି ନିଅନ୍ତି ‘ ମାମା ’- ଏଠାକାର ଲୋକେ ତାଙ୍କୁ ଏହି ସମ୍ମାନସୂଚକ ସମ୍ବୋଧନ କରିଥାଆନ୍ତି। ତାଙ୍କ ଚାରିପଟେ ରୁଣ୍ଡ ହୋଇଥିବା ଲୋକେ ବସି କରି ହେଉ କି ଠିଆ ହୋଇ ହେଉ, ମନ ଦେଇ ତାଙ୍କ ନିବେଦନ ଶୁଣିବାକୁ ସେ ନିର୍ଦ୍ଦେଶ ଦିଅନ୍ତି – ପ୍ରକୃତରେ ଯାହା ୨୦ ମିନିଟର ଏକ କର୍ମଶାଳାରେ ପରିବର୍ତ୍ତିତ ହେବାର ଥାଏ।

ପରବର୍ତ୍ତୀ ସମୟରେ ସେ ଯାହା କହନ୍ତି, ତାହା ହେଉଛି, ଏ ଅଞ୍ଚଳରେ ଜଙ୍ଗଲି ପଶୁ କ୍ଷେତରେ ପଶି ଫସଲ ନଷ୍ଟ କରିବା ଯୋଗୁଁ ଚାଷୀମାନଙ୍କର ଫସଲ ନଷ୍ଟ ବାବଦ କ୍ଷତିପୂରଣ ସହିତ ଦିନକୁ ଦିନ ବଢୁଥିବା ସାପ କାମୁଡ଼ା ଏବଂ ବାଘ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟଣାରେ କ୍ଷତିପୂରଣ ପାଇବା ଲାଗି ଚାଷୀମାନଙ୍କୁ କ’ଣ କ’ଣ କରିବାକୁ ହେବ ସେ ସଂପର୍କିତ ଏକ ପର୍ଯ୍ୟାୟ ଭିତ୍ତିକ ମାର୍ଗଦର୍ଶନ। କ୍ଷତିପୂରଣ ପାଇବାର ଏହି କଷ୍ଟସାଧ୍ୟ ଓ ସମୟସାପେକ୍ଷ ପ୍ରକ୍ରିୟାକୁ ସେ ସରଳ ଭାବରେ ଅନଭିଜ୍ଞ ଗାଁ ଲୋକଙ୍କୁ ବୁଝାଇ ଦିଅନ୍ତି। ବର୍ଷାଦିନେ ଚାଷଜମିରେ କାମ କରିବା ସମୟରେ ବଜ୍ରାଘାତରୁ ରକ୍ଷା ପାଇବା ଲାଗି ରହିଥିବା ପ୍ରତିରୋଧମୂଳକ ପଦକ୍ଷେପ ସଂପର୍କରେ ବି ସେ ସେମାନଙ୍କୁ କହିଥାଆନ୍ତି।

ଆମ ପାଇଁ ସଂକଟ ସୃଷ୍ଟି କରୁଛନ୍ତି ବଣୁଆ ଜନ୍ତୁ, ବାଘ, ସାପ, ବଜ୍ରପାତ- ଆମେ କିଭଳି ସରକାରଙ୍କୁ ଆମ କଥା ଶୁଣାଇ ପାରିବା ?” ଖାଣ୍ଟି ମରାଠୀ ଭାଷାରେ କହି ଚାଲନ୍ତି ବଦଖଲ, ଏବଂ ଶ୍ରୋତାଙ୍କୁ ବାନ୍ଧି ରଖେ ତାଙ୍କ ବଳିଷ୍ଠ କଣ୍ଠସ୍ବର। ଆମେ ଯଦି ତାଙ୍କ ଦୁଆର ନ ବାଡ଼େଇବା, ତାହେଲେ ସରକାରଙ୍କ ନିଦ କେମିତି ଭାଙ୍ଗିବ ?”

ତାଙ୍କ ନିଜ ପ୍ରଶ୍ନର ଉତ୍ତର ଦେବା ଲାଗି ସେ ଚନ୍ଦ୍ରପୁରର ଗାଁକୁ ଗାଁ ଘୂରି ବୁଲନ୍ତି ଏବଂ କ୍ଷେତରେ ବନ୍ୟଜନ୍ତୁ ପଶିବା ଦ୍ବାରା ହେଉଥିବା ଫସଲହାନି ବାବଦ କ୍ଷତିପୂରଣ ବ୍ୟବସ୍ଥା ସଂପର୍କରେ ଚାଷୀମାନଙ୍କୁ ସଚେତନ କରାଇବା ସହିତ କେମିତି ଏହା ଦାବି କରିବାକୁ ହେବ ତାହା ମଧ୍ୟ ବୁଝାଇ ଦିଅନ୍ତି।

ଖୁବ୍ ଶୀଘ୍ର ଭଦ୍ରାବତୀରେ ଚାଷୀମାନଙ୍କର ଏକ ସମାବେଶ ଆୟୋଜିତ ହେବ ବୋଲି ସେ ସେମାନଙ୍କୁ ସୂଚାଇ ଦିଅନ୍ତି। ଆପଣମାନେ ସମସ୍ତେ ସେଠାକୁ ଆସିବେ, ସେ ଗାଁ ଲୋକଙ୍କୁ ଅନୁରୋଧ କରନ୍ତି ଏବଂ ତାଙ୍କ ଗାଡ଼ିରେ ବସି ପରବର୍ତ୍ତୀ ଗାଁ ଅଭିମୁଖେ ବାହାରି ପଡ଼ନ୍ତି।

*****

ଯୁବ ପିଢ଼ିର ଛାତ୍ରଛାତ୍ରୀମାନେ ତାଙ୍କୁ ଗୁରୁଜୀ ବୋଲି ଡାକନ୍ତି, ଅର୍ଥାତ୍ ଶିକ୍ଷକ। ତାଙ୍କ ସମର୍ଥକମାନେ ତାଙ୍କୁ ମାମା (ମାମୁ) ବୋଲି ଡାକନ୍ତି। ବିଠଲ ବଦଖଲଙ୍କୁ ତାଙ୍କ ନିଜ କୁଳର ଚାଷୀମାନେ ଶ୍ରଦ୍ଧାରେ ଡୁକରୱାଲେ ମାମା ବୋଲି ଡାକନ୍ତି। ମରାଠୀ ଭାଷାରେ ରନ-ଡୁକର ଅର୍ଥ ବଣୁଆ ବାରହା। ଚାଷଜମିରେ ବନ୍ୟଜନ୍ତୁ, ବିଶେଷତଃ ବାରହା ପଶି ଫସଲ ନଷ୍ଟ କରିବା ବିରୋଧରେ ତାଙ୍କର ଅବିଶ୍ରାନ୍ତ ଅଭିଯାନ ଯୋଗୁଁ ତାଙ୍କୁ ସେମାନେ ଏହି ନାଁରେ ଡାକନ୍ତି। ତାଙ୍କ ଅଭିଯାନର ମୂଳଲକ୍ଷ୍ୟ ହେଉଛି ଯେ ସରକାର ଏହି ସମସ୍ୟାକୁ ସ୍ବୀକାର କରନ୍ତୁ, କ୍ଷତିପୂରଣ ଦେବା ସହିତ ଏହାର ସମାଧାନ ପନ୍ଥା ବାହାର କରନ୍ତୁ।

Women farmers from Tadali village speak about their fear while working on farms which are frequented by wild animals including tigers.
PHOTO • Sudarshan Sakharkar
Vitthal Badkhal listens intently to farmers
PHOTO • Sudarshan Sakharkar

ବାମ: ବାଘ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ବାରମ୍ବାର ପଶୁଥିବା ଚାଷଜମିରେ କାମ କରିବା ସମୟରେ ସେମାନଙ୍କ ଭୟ ସଂପର୍କରେ କହନ୍ତି ତଡ଼ାଲି ଗାଁର ମହିଳାମାନେ। ଡାହାଣ: ମନ ଦେଇ ଚାଷୀମାନଙ୍କ କଥା ଶୁଣନ୍ତି ବିଠଲ ବଦଖଲ

ବଦଖଲ ଏକ ଜଣିକିଆ ସ୍ବେଚ୍ଛାକୃତ ଅଭିଯାନ, ଯେ କି ଫସଲହାନି ବାବଦ କ୍ଷତିପୂରଣ ପାଇବାକୁ ଚାଷୀମାନଙ୍କୁ ଅନୁପ୍ରେରିତ କରନ୍ତି ଏବଂ ସରଜମିନ ନିରୀକ୍ଷଣଠାରୁ ଆରମ୍ଭ କରି ବିଭିନ୍ନ ଫର୍ମ ଦାଖଲ ପର୍ଯ୍ୟନ୍ତ କ୍ଷତିପୂରଣ ପାଇବାର ଏହି ଲମ୍ବା ଓ କ୍ଲାନ୍ତିକର ପ୍ରକ୍ରିୟା ସଂପର୍କରେ ସେମାନଙ୍କୁ ସଚେତନ କରାଇ ଥାଆନ୍ତି।

ତାଙ୍କ କର୍ମକ୍ଷେତ୍ର : ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳକୁ ଘେରି ରହିଥିବା ଚନ୍ଦ୍ରପୁର ଜିଲ୍ଲାର ସମସ୍ତ ଗ୍ରାମ।

ଏହି ସମସ୍ୟା ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା କଥାର ଅନେକ ଦାବିଦାର ଅଛନ୍ତି। ହେଲେ, କେବଳ ଏହି ଜଣେ ବ୍ୟକ୍ତିଙ୍କ ଅଭିଯାନ ଯୋଗୁଁ ହିଁ ମହାରାଷ୍ଟ୍ର ସରକାର ଏହି ସମସ୍ୟାକୁ ସ୍ବୀକାର କଲେ ଏବଂ ୨୦୦୩ରେ ଏ ସଂପର୍କିତ ଏକ ପ୍ରସ୍ତାବ ଗୃହୀତ ହେଲା, ଯେଉଁଥିରେ, ବନ୍ୟପ୍ରାଣୀଙ୍କ ଦ୍ବାରା ଚାଷୀମାନଙ୍କର ଫସଲ ନଷ୍ଟକୁ ଲୋକେ ‘ଏକ ନୂଆ ପ୍ରକାରର ମରୁଡ଼ି’ ବୋଲି ଗ୍ରହଣ କରିଥିବାରୁ ଏ ବାବଦରେ ନଗଦ ଅର୍ଥରେ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରାଗଲା। ବଦଖଲ କହନ୍ତି ଯେ, ସେ ଲୋକଙ୍କୁ ଏ ସଂପର୍କରେ ଶିକ୍ଷିତ ଓ ସଚେତନ କରାଇ ଏକତ୍ର କରିବା ସହିତ ବାରମ୍ବାର ବିରୋଧ ପ୍ରଦର୍ଶନ କରିବାର ପାଞ୍ଚ-ଛଅ ବର୍ଷ ପରେ ଯାଇ ତାହା ସମ୍ଭବ ହେଲା।

୧୯୯୬ ମସିହାରେ ଭଦ୍ରାବତୀ ଆଖପାଖରେ କୋଇଲା ଓ ଲୁହାପଥର ଖଣି ସଂଖ୍ୟା ଓ ଖଣିକାମ ବଢ଼ିବାରେ ଲାଗିଲା ଏବଂ ଭାରତୀୟ କୋଇଲା ନିଗମର ଏକ ସହାୟକ ସଂସ୍ଥା ୱେଷ୍ଟର୍ଣ୍ଣ କୋଲଫିଲଡସ ଲିମିଟେଡ (ଡବ୍ଲୁସିଏଲ) ପକ୍ଷରୁ ଖୋଳାଯାଉଥିବା ଖୋଲା ମୁହଁ ଖଣି ପାଇଁ ସେ ତାଙ୍କର ସମସ୍ତ ଚାଷଜମି ହରାଇଲେ। ବଦଖଲଙ୍କ ନିଜ ଗାଁ, ତେଲୱାସା-ଧୋରୱାସା ନାମକ ଦ୍ବୈତ ଗାଁ ପରିସରର ସମସ୍ତ ଚାଷଜମି ଖଣି ପାଇଁ ଚାଲିଗଲା।

ସେତେବେଳକୁ ଚାଷଜମିରେ ବନ୍ୟଜନ୍ତୁଙ୍କ ଆକ୍ରମଣ ଘଟଣା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଥିଲା। ସେ କହନ୍ତି, ଦୁଇ କି ତିନି ଦଶନ୍ଧି ଧରି ଜଙ୍ଗଲର ଗୁଣାତ୍ମକ ସ୍ଥିତିରେ କ୍ରମାଗତ ପରିବର୍ତ୍ତନ, ଜିଲ୍ଲା ସାରା ନୂଆ ନୂଆ ଖଣିର ବିସ୍ଫୋରକ ବ୍ୟାପକତା ଏବଂ ତାପଜ ବିଦ୍ୟୁତ କେନ୍ଦ୍ରର ସଂପ୍ରସାରଣ ପ୍ରଭୃତି କାରଣରୁ ମଣିଷ ଓ ବଣୁଆ ପଶୁ ମଧ୍ୟରେ ମୁହାଁମୁହିଁ ସ୍ଥିତି ଘନେଇବାରେ ଲାଗିଲା।

୨୦୦୨ ପାଖାପାଖି ତାଙ୍କ ସ୍ତ୍ରୀ ମନ୍ଦାତାଇଙ୍କ ସହିତ ବଦଖଲ ଭଦ୍ରାବତୀକୁ ପଳାଇଲେ ଏବଂ ଜଣେ ପୂର୍ଣ୍ଣକାଳୀନ ସାମାଜିକ କର୍ମୀ ରୂପେ ଲୋକଙ୍କ କାମରେ ମଜି ଗଲେ। ସେ ମଧ୍ୟ ଜଣେ ନିଶା ବିରୋଧୀ ଏବଂ ଦୁର୍ନୀତି ବିରୋଧୀ ଯୋଦ୍ଧା। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ବିବାହ କରିସାରିଛନ୍ତି ଏବଂ ବାପାଙ୍କ ଲୋକପ୍ରିୟତାରୁ ଦୂରରେ ରହି ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଛନ୍ତି।

ତାଙ୍କ ନିଜ ଜୀବନଯାପନ ଲାଗି ମାମା ଙ୍କର ଛୋଟିଆ ଚାଷ ଉତ୍ପାଦ ପ୍ରକ୍ରିୟାକରଣ କେନ୍ଦ୍ରଟିଏ ରହିଛି ଏବଂ ସେଥିରେ ସେ ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଜୈବିକ ପଦ୍ଧତିରେ ଚାଷରୁ ଉତ୍ପାଦିତ ବା ଅର୍ଗାନିକ୍ ଗୁଡ଼ ଏବଂ ବିଭିନ୍ନ ମସଲା ବିକ୍ରି କରନ୍ତି।

Badkhal with farmers in the TATR. He says, gradual changes over two or three decades in the quality of forests, an explosion of new mining projects all over the district and expansion of thermal power plants have cumulatively led to the aggravation of the wild-animal and human conflict
PHOTO • Sudarshan Sakharkar

ଚାଷୀମାନଙ୍କ ସହିତ ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବଦଖଲ। ସେ କହନ୍ତି, ଦୁଇ-ତିନି ଦଶନ୍ଧି ହେଲା ଜଙ୍ଗଲର ଗୁଣାତ୍ମକ ସ୍ଥିତିରେ କ୍ରମାଗତ ପରିବର୍ତ୍ତନ, ଜିଲ୍ଲା ସାରା ନୂଆ ନୂଆ ଖଣିର ବିସ୍ଫୋରକ ବ୍ୟାପକତା ଏବଂ ତାପଜ ବିଦ୍ୟୁତ କେନ୍ଦ୍ରର ସଂପ୍ରସାରଣ କାରଣରୁ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଲଢ଼େଇ ଉତ୍କଟ ରୂପ ଧାରଣ କଲା

ତୃଣଭୋଜି ବନ୍ୟଜନ୍ତୁ ଏବଂ ଗୃହପାଳିତ ପଶୁଙ୍କ ଯୋଗୁଁ ଫସଲହାନି ଏବଂ ମାଂସାହାରୀ ବଣୁଆ ପଶୁଙ୍କ ଆକ୍ରମଣରେ ଜୀବନ ହାନି ଘଟଣା ବଢ଼ିବାରେ ଲାଗିଥିବା ବେଳେ ଏ କ୍ଷେତ୍ରରେ କ୍ଷତିପୂରଣ ବାବଦ ଅର୍ଥବରାଦ ବୃଦ୍ଧି ନିମନ୍ତେ ବଜେଟରେ ବ୍ୟବସ୍ଥା କରିବା ଦାବିରେ ଗତ କେଇ ବର୍ଷ ହେଲା ଚନ୍ଦ୍ରପୁର ଏବଂ ଆଖପାଖ ପଡ଼ୋଶୀ ଜିଲ୍ଲାର ଚାଷୀମାନଙ୍କୁ ଏକତ୍ର କରିବାରେ ଲାଗିଛନ୍ତି ଅଦମ୍ୟ ସାହସୀ ମାମା

ପ୍ରଥମ ଥର ପାଇଁ ୨୦୦୩ରେ ଏ ସଂପର୍କିତ ସରକାରୀ ନିଷ୍ପତ୍ତି ପ୍ରକାଶିତ ହେବା ସମୟରେ, କ୍ଷତିପୂରଣ ବାବଦରେ ମାତ୍ର କେଇ ଶହ ଟଙ୍କା ବ୍ୟବସ୍ଥା କରାଯାଇଥିଲା – ଏବେ ଗୋଟିଏ ପରିବାରକୁ ସର୍ବାଧିକ ୨ ହେକ୍ଟର ପାଇଁ ହେକ୍ଟର ପିଛା ୨୫,୦୦୦ ଟଙ୍କା ହିସାବରେ ବର୍ଷକରେ ଥରେ କ୍ଷତିପୂରଣ ଦେବାକୁ ସ୍ଥିର କରାଯାଇଛି। ବଦଖଲ ମାମା କହନ୍ତି ଯେ, ସରକାର କ୍ଷତିପୂରଣ ରାଶି ବଢ଼ାଇବାକୁ ସ୍ଥିର କରିବାର ଅର୍ଥ ସରକାର ଏହି ସମସ୍ୟାକୁ ସ୍ବୀକାର କରିଛନ୍ତି। “ସମସ୍ୟା ହେଉଛି ଯେ ସାରା ରାଜ୍ୟର ଅନେକ ଚାଷୀ କ୍ଷତିପୂରଣ ଦାବି କରୁନାହାନ୍ତି”, ସେ କହନ୍ତି। ଏବେ ସେ ଗୋଟିଏ ପରିବାରକୁ ହେକ୍ଟର ପିଛା ବର୍ଷକୁ ୭୦,୦୦୦ ଟଙ୍କା ହିସାବରେ କ୍ଷତିପୂରଣ ଦେବାକୁ ଦାବି କରୁଛନ୍ତି, କାରଣ, “ଏହି ରାଶି ହିଁ ପର୍ଯ୍ୟାପ୍ତ କ୍ଷତିପୂରଣ ହେବ।”

୨୦୨୨ ମାର୍ଚ୍ଚ ମାସରେ, ‘ପରୀ’ ସହିତ ଏକ ବିଶେଷ ବାର୍ତ୍ତାଳାପ ଅବସରରେ ତତ୍କାଳୀନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ ବିଭାଗର ମୁଖ୍ୟ) କହିଥିଲେ ଯେ, ମହାରାଷ୍ଟ୍ରରେ ଜଙ୍ଗଲର ବଡ଼ ବଡ଼ ମାଂସାଶୀ ପଶୁ ଆକ୍ରମଣରେ ଗୃହପାଳିତ ପଶୁଙ୍କ ମୃତ୍ୟୁ, ଫସଲହାନି ଏବଂ ମଣିଷଙ୍କ ମୃତ୍ୟୁ କ୍ଷେତ୍ରରେ କ୍ଷତିପୂରଣ ପ୍ରଦାନ ସକାଶେ ବନ ବିଭାଗ ବର୍ଷକୁ ୮୦ରୁ ୧୦୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରୁଛି।

“ତାହା ଅତି ସାମାନ୍ୟ,” ମାମା କହନ୍ତି। “କେବଳ ଭଦ୍ରାବତୀ (ତାଙ୍କ ନିଜ ତହସିଲ) ବର୍ଷକୁ ୨ କୋଟି ଟଙ୍କାର କ୍ଷତିପୂରଣ ପାଇଥାଏ, କାରଣ, ଏହି ତହସିଲର ଚାଷୀମାନେ ଏ ସଂପର୍କରେ ସଚେତନ ଏବଂ ଅନ୍ୟ ତହସିଲର ଚାଷୀମାନଙ୍କ ତୁଳନାରେ ଭଲ ଭାବରେ ପ୍ରଶିକ୍ଷିତ ହୋଇଥିବାରୁ ଅଧିକ ସଂଖ୍ୟକ ଚାଷୀ କ୍ଷତିପୂରଣ ଦାବି କରି ଆବେଦନ କରନ୍ତି.” ସେ କହନ୍ତି। ସେ ଆହୁରି କହନ୍ତି, ‘ଅନ୍ୟ କେତେକ ସ୍ଥାନରେ ଏ ସମସ୍ୟା ଉପସ୍ଥାପନକୁ ସମର୍ଥନ ମିଳେ ନାହିଁ।”

“ମୁଁ ୨୫ ବର୍ଷ ହେଲା ଏହା କରିଆସୁଛି,” ଚନ୍ଦ୍ରପୁର ଜିଲ୍ଲାରେ ଭଦ୍ରାବତୀ ସହରର ତାଙ୍କ ଘରେ, ଥଟ୍ଟାମଜାରେ ଏହା କହନ୍ତି ଏହି ଗାଉଁଲି ଅଭିଜ୍ଞ ବ୍ୟକ୍ତି ଜଣକ। “ମୋର ଅବଶିଷ୍ଟ ଜୀବନରେ ବି ମୁଁ ଏହା କରୁଥିବି।”

ଆଜି, ସାରା ମହାରାଷ୍ଟ୍ରର ଲୋକେ ବଦଖଲ ମାମା ଙ୍କୁ ଲୋଡୁଛନ୍ତି।

Badkhal mama is in demand all over Maharashtra. 'I’ve been doing it for 25 years... I will do it for the rest of my life,' says the crusader from Bhadravati town in Chandrapur district
PHOTO • Jaideep Hardikar

ଆଜି ସାରା ମହାରାଷ୍ଟ୍ର ବଦଖଲ ମାମାଙ୍କୁ ଲୋଡୁଛି ।  “ମୁଁ ୨୫ ବର୍ଷ ହେଲା ଏହା କରିଆସୁଛି... ମୋର ଅବଶିଷ୍ଟ ଜୀବନରେ ବି ମୁଁ ଏହା କରୁଥିବି,” ଚନ୍ଦ୍ରପୁର ଜିଲ୍ଲା ଭଦ୍ରାବତୀ ସହରର ଏହି ସଂଗ୍ରାମୀ କହନ୍ତି

ମହାରାଷ୍ଟ୍ର ସରକାର କ୍ଷତିପୂରଣ ରାଶି ପରିମାଣ ବୃଦ୍ଧି କରିଛନ୍ତି। ଏହା ହିଁ ସମସ୍ୟାର ସ୍ବୀକାର ବୋଲି କହନ୍ତି ବଦଖଲ। ହେଲେ ରାଜ୍ୟର ଅନେକ ଚାଷୀ କ୍ଷତିପୂରଣ ଦାବି କରି ଆବେଦନ ଦାଖଲ କରନ୍ତି ନାହିଁ। ସେ ଏହି କ୍ଷତିପୂରଣ ରାଶି ବଢ଼ାଇବାକୁ ଦାବି କରୁଛନ୍ତି

*****

୨୦୨୩ ଫେବ୍ରୁଆରୀରେ, ଶିରିଶିରି ପବନର ଏକ ଶୀତଳ ଦିନରେ, ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପଶ୍ଚିମରେ ଅବସ୍ଥିତ ଭଦ୍ରାବତୀ ତହସିଲର ବିଭିନ୍ନ ଗାଁକୁ ତାଙ୍କର ସ୍ବାଭାବିକ ଗସ୍ତ ଅବସରରେ ‘ପରୀ’ ତାଙ୍କ ସହିତ ଯୋଗ ଦେଇଥିଲା। ସେତେବେଳେ ଅଧିକାଂଶ ଚାଷୀ ରବି ଫସଲ ଅମଳ କରିବାରେ ଲାଗିଥିଲେ।

ଚାରି ପାଞ୍ଚଟି ଗାଁ ବୁଲିବା ପରେ ଆମେ ଜାଣିପାରିଲୁ ଯେ, ଭିନ୍ନ ଭିନ୍ନ ଜାତିର ଏବଂ ସେମାନଙ୍କ ମାଲିକାନାରେ ଥିବା ଜମିର ପରିମାଣ ଅସମାନ ହୋଇଥିଲେ ମଧ୍ୟ ସେଠାକାର ଅସହାୟ ଚାଷୀମାନଙ୍କୁ ସେହି ଗୋଟିଏ ଚିନ୍ତା ଘାରୁଥିଲା, କ୍ଷେତରେ ବନ୍ୟଜନ୍ତୁ ପଶି ଫସଲ ଉଜାଡ଼ି ଦେବାର ଚିନ୍ତା।

ଏହାକୁ ଦେଖନ୍ତୁ, ତାଙ୍କ ମଟର ଚଣା ଜମି ମଝିରେ ଠିଆ ହୋଇଥିବା ଜଣେ ଚାଷୀ କହିଲେ। ଆଉ ଏଥିରେ ମୋ ପାଇଁ କ ଣ ବାକି ରହିଛି ?” ପୂର୍ବ ରାତିରେ ଏହି ଜମିରେ ବାରହାମାନେ ପଶି ଫସଲ ନଷ୍ଟ କରି ଦେଇଛନ୍ତି। ବ୍ୟତିବ୍ୟସ୍ତ କଣ୍ଠରେ ଚାଷୀ ଜଣକ କହିଲେ ଯେ, ଗତକାଲି ରାତିରେ ସେମାନେ ଏହି ପଟେ ପଶି ସବୁ ଫସଲ ଖାଇ ଦେଇଛନ୍ତି। ଆଜି ରାତିରେ ସେମାନେ ପୁଣି ଆସିବେ ଏବଂ ଯାହା ବାକି ଅଛି ସବୁ ଶେଷ କରିଦେବେ। ମୁଁ ଆଉ କ ଣ କରିବି, ମାମା ?” ଚିନ୍ତିତ ଚାଷୀ ଜଣକ ପଚାରନ୍ତି।

ଜମିରେ ଫସଲ କ୍ଷତିର ପରିମାଣ ଆକଳନ କରନ୍ତି ବଦଖଲ, ବିଶ୍ବାସ କରି ନପାରି ମୁଣ୍ଡ ହଲାନ୍ତି ଏବଂ କହନ୍ତି : ମୁଁ କ୍ୟାମେରା ଦେଇ ଜଣେ ବ୍ୟକ୍ତିଙ୍କୁ ପଠାଇବି ; ସେ ଜମିର ଫଟୋ ଉଠାଇବେ ଏବଂ ଭିଡିଓ କରିବେ ଏବଂ ଏକ ଆବେଦନ ଫର୍ମ ପୂରଣ କରାଇ ତୁମର ଦସ୍ତଖତ ନେବେ ; କ୍ଷତିପୂରଣ ଦାବିରେ ଆମେ ଏଠାକାର ବନଖଣ୍ଡ ଅଧିକାରୀଙ୍କ ଅଫିସରେ ଆବେଦନ ଦାଖଲ କରିବା ଦରକାର।

Manjula helps farmers with the paperwork necessary to file claims. Through the year, and mostly during winters, she travels on her Scooty (gearless bike) from her village Gaurala covering about 150 villages to help farmers with documentation to apply for and claim compensation.
PHOTO • Jaideep Hardikar
Vitthal Badkhal visiting a farm
PHOTO • Jaideep Hardikar

ବାମ: କ୍ଷତିପୂରଣ ଦାବି କରିବା ଲାଗି ଦରକାରୀ କାଗଜପତ୍ର ପ୍ରସ୍ତୁତିରେ ମଞ୍ଜୁଲା ଚାଷୀମାନଙ୍କ ସହାୟତା କରୁଛନ୍ତି। କ୍ଷତିପୂରଣ ଆବେଦନ ଲାଗି ଚାଷୀମାନଙ୍କୁ କାଗଜପତ୍ର କାମରେ ସାହାଯ୍ୟ କରିବା ଲାଗି ସେ ବର୍ଷ ସାରା, ବିଶେଷତଃ ଶୀତଦିନେ, ନିଜ ସ୍କୁଟି (ଗିଅର ନଥିବା ବାଇକ୍)ରେ ତାଙ୍କ ଗାଁ ଗୌରାଲାରୁ ବାହାରି ସେ ଅଞ୍ଚଳର ପ୍ରାୟ ୧୫୦ ଗାଁ ଘୂରି ବୁଲନ୍ତି। ଡାହାଣ: ବିଠଲ ବଦଖଲ ଏକ ଚାଷଜମି ବୁଲି ଦେଖୁଛନ୍ତି

ଯେଉଁ ବ୍ୟକ୍ତି ଏହି କାମ କରିବାକୁ ଆସନ୍ତି, ସେ ହେଲେ ୩୫ ବର୍ଷୀୟା ମଞ୍ଜୁଲା ବଦଖଲ, ଗୌରାଲା ଗାଁର ଜଣେ ଭୂମିହୀନ ମହିଳା। ସେ ଏକ କ୍ଷୁଦ୍ର କପଡ଼ା ଉଦ୍ୟୋଗ ଚଳାଉଛନ୍ତି ଏବଂ ଚାଷୀମାନଙ୍କୁ ଏହି ପେସାଦାର ସେବା ମଧ୍ୟ ଯୋଗାଇ ଦିଅନ୍ତି।

ବର୍ଷ ସାରା, ବିଶେଷତଃ ଶୀତଦିନେ, ସେ ତାଙ୍କ ସ୍କୁଟିରେ (ଗିଅର ନଥିବା ବାଇକ୍) ଏ ଅଞ୍ଚଳର ପ୍ରାୟ ୧୫୦ଟି ଗାଁ ବୁଲି କ୍ଷତିପୂରଣ ଦାବିରେ ଆବେଦନ କରୁଥିବା ସେଠାକାର ଚାଷୀମାନଙ୍କୁ କାଗଜପତ୍ର ପ୍ରସ୍ତୁତିରେ ସହାୟତା କରନ୍ତି।

ମୁଁ ଫଟୋ ଉଠାଏ, ସେମାନଙ୍କ ଫର୍ମ ପୂରଣ କରିଦିଏ, ଦରକାର ହେଉଥିଲେ ସତ୍ୟପାଠ କରାଏ ଏବଂ ଚାଷଜମିରେ ଭାଗ ଥିବା ପରିବାର ସଦସ୍ୟଙ୍କ ସମ୍ମତି ନିଏ, ମଞ୍ଜୁଲା ପରୀ କୁ କହନ୍ତି।

ଏମିତି ବର୍ଷକୁ କେତେ ଜଣ ଚାଷୀଙ୍କର ହୁଏ?

“ଗୋଟିଏ ଗୋଟିଏ ଗାଁରୁ ୧୦ ଜଣ ଚାଷୀ ହିସାବ କଲେ,” ସେ କହନ୍ତି, “ତାହା ପ୍ରାୟ ୧,୫୦୦ ଚାଷୀଙ୍କର।” ସେ ତାଙ୍କ କାମ ପାଇଁ ପ୍ରତି ଚାଷୀ ପିଛା ୩୦୦ ଟଙ୍କା ନିଅନ୍ତି - ୨୦୦ ଟଙ୍କା ତାଙ୍କ ଯିବାଆସିବା, ଫଟୋକପି କରିବା ଏବଂ ଅନ୍ୟାନ୍ୟ ଛୋଟମୋଟ କାମ ବାବଦରେ ଖର୍ଚ୍ଚ ହୁଏ। ତାଙ୍କ ପରିଶ୍ରମ ବାବଦରେ ୧୦୦ ଟଙ୍କା। ସେ କହନ୍ତି, ଯେ କେହି ଚାଷୀ ଖୁବ୍ ଖୁସିରେ ଏହା ଦିଅନ୍ତି।

The 72-year-old activist resting at Gopal Bonde’s home in Chiprala, talking to him (left) and his family about filing claims
PHOTO • Jaideep Hardikar

ଏହି ୭୨ ବର୍ଷୀୟ ସାମାଜିକ କର୍ମୀ ଚିପ୍ରାଲାରେ ଗୋପାଲ ବୋଣ୍ଡେଙ୍କ ଘରେ ବିଶ୍ରାମ ନେବା ସମୟରେ ତାଙ୍କ (ବାମ) ସହିତ ଏବଂ ତାଙ୍କ ପରିବାର ଲୋକଙ୍କ ସହିତ  କ୍ଷତିପୂରଣ ଆବେଦନ ସଂପର୍କରେ କଥାବାର୍ତ୍ତା  କରୁଛନ୍ତି

ତେଣେ, ମାମା ଚାଷୀମାନଙ୍କୁ ପରାମର୍ଶ ଦେବା ଅବ୍ୟାହତ ରଖିଥାଆନ୍ତି : ଚାଷୀଙ୍କ ଦାବିର ସତ୍ୟତା ଯାଞ୍ଚ କରିବା ଲାଗି ସରକାରୀ ଅଧିକାରୀମାନଙ୍କର ଏକ ଦଳ ଆସି ପଞ୍ଚନାମା କିମ୍ବା ସରଜମିନ ନିରୀକ୍ଷଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଲାଗି ସେ ଚାଷୀମାନଙ୍କୁ କହନ୍ତି। ଜଣେ ତଲାଠୀ , ଜଣେ ବନରକ୍ଷୀ ଏବଂ ଜଣେ କୃଷି ସହାୟକ ଆସି ଜମି ନିରୀକ୍ଷଣ କରିବେ, ସେ କହନ୍ତି। ତଲାଠୀ ଜମିର ଆକାର ମାପିବେ, ପଶୁ ଖାଇଯାଇଥିବା ଫସଲ ସଂପର୍କରେ କୃଷି ସହାୟକ ଲେଖିକରି ନେବେ ; ଏବଂ କେଉଁ ବନ୍ୟ ପଶୁ ତୁମର ଫସଲ ନଷ୍ଟ କରିଛନ୍ତି ତାହା ବନରକ୍ଷୀ ଜଣକ ଜାଣିନେବେ, ସେ ବୁଝାଇ ଦିଅନ୍ତି। ଆଗକୁ ସେ କହନ୍ତି, ଏହା ହିଁ ନିୟମ।

ତୁମକୁ ତୁମର ପ୍ରାପ୍ୟ ମିଳିଯିବ ; ଯଦି ନ ମିଳେ, ତେବେ ଆମେ ଏଥିପାଇଁ ଲଢ଼ିବା, ଶାଣିତ ସ୍ବରରେ ବଦଖଲଙ୍କ ଏହି ଉକ୍ତି କେବଳ ଯେ ଚାଷୀଙ୍କୁ ସାହସ ଦିଏ ତାହା ନୁହେଁ, ତା ସହିତ ତାଙ୍କ ପାଇଁ ଜରୁରୀ ଆଶ୍ବାସନା ଏବଂ ନୈତିକ ସମର୍ଥନ ପ୍ରଦାନ କରେ।

ଯଦି ସରକାରୀ ଅଧିକାରୀମାନେ ସରଜମିନ ନିରୀକ୍ଷଣ ପାଇଁ ନ ଆସନ୍ତି? ଚାଷୀ ଜଣକ ଚିନ୍ତିତ ସ୍ବରରେ ପଚାରନ୍ତି।

ଧୈର୍ଯ୍ୟର ସହ ବୁଝାଇ ଦିଅନ୍ତି ବଦଖଲ: ନିଶ୍ଚିତ ଭାବରେ ଫସଲହାନିର ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ଦାବିରେ ଆବେଦନ ଦାଖଲ କରିବା କଥା, ତା’ପରେ ଅଭିଯୋଗ ଦାୟର କରିବାକୁ ହେବ ଏବଂ ସାତ ଦିନ ଭିତରେ ସରକାରୀ ଅଧିକାରୀମାନେ ତୁମ ଜମି ଦେଖିବାକୁ ଆସିବେ ଏବଂ ନିରୀକ୍ଷଣର ୧୦ ଦିନ ଭିତରେ ରିପୋର୍ଟ ଦେବେ। ଚାଷୀଙ୍କୁ ୩୦ ଦିନ ଭିତରେ ନିଶ୍ଚିତ ଭାବରେ କ୍ଷତିପୂରଣ ମିଳିବା କଥା, ସେ କହନ୍ତି।

“ଯଦି ସେମାନେ ତୁମ ଆବେଦନ କରିବାର ୩୦ ଦିନ ଭିତରେ ନ ଆସନ୍ତି, ତେବେ ନିୟମ ଅନୁସାରେ ଆମର ଘଟଣାସ୍ଥଳ ନିରୀକ୍ଷଣ ଏବଂ ଦେଇଥିବା ଫଟୋଗୁଡ଼ିକୁ ବନ ବିଭାଗ ପ୍ରମାଣ ଭାବରେ ଗ୍ରହଣ କରିବ,” ବଦଖଲ ତାଙ୍କୁ ବୁଝାଇ ଦିଅନ୍ତି।

ମାମା, ମାୟି ଭିସ୍ତ ତୁମଚ୍ୟାବର ହାୟ ( ମାମା ଦେଖନ୍ତୁ, ମୋ ଭାଗ୍ୟ ଆପଣଙ୍କ ହାତରେ),” ହାତଯୋଡ଼ି ବିନୀତ କଣ୍ଠରେ କହନ୍ତି ଚାଷୀ ଜଣକ। ମାମା ତାଙ୍କ କାନ୍ଧ ଥାପୁଡ଼େଇ ଆଶ୍ବାସନା ଦିଅନ୍ତି: “ତୁମେ ଆଦୌ ଚିନ୍ତା କରନାହିଁ।”

ସେ କହନ୍ତି ଯେ, ତାଙ୍କ ଟିମ୍ ଥରଟିଏ ଏହା କରିଦେବ ; ଆଗକୁ ସେ (ଚାଷୀ) ନିଜେ ନିଜେ ଏହା ଶିଖିନେବା ଦରକାର।

Vitthal Badkhal inspecting the farm of one of his close volunteers, Gopal Bonde in Chiprala village of Bhadravati tehsil , close to the buffer area of the TATR. The farm is set for rabi or winter crop, and already wild animals have announced their arrival on his farm
PHOTO • Jaideep Hardikar

ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳ ନିକଟବର୍ତ୍ତୀ ଭଦ୍ରାବତୀ ତହସିଲ ଅନ୍ତର୍ଗତ ଚିପ୍ରାଲା ଗାଁରେ ରହୁଥିବା ତାଙ୍କ ଟିମର ଜଣେ ସ୍ବେଚ୍ଛାସେବୀ ଗୋପାଲ ବୋଣ୍ଡେଙ୍କ ଚାଷଜମି ବୁଲି ଦେଖୁଛନ୍ତି ବିଠଲ ବଦଖଲ। ଏହି ଜମିରେ  ରବି ବା ଶୀତଦିନିଆ ଫସଲ କରାଯାଇଥିଲା ଏବଂ ବନ୍ୟଜନ୍ତୁମାନେ ଏଥିରେ ସେମାନଙ୍କ ଉପସ୍ଥିତି ଜାହିର କରିସାରିଛନ୍ତି

କ୍ଷତିଗ୍ରସ୍ତ ଜମିର ବ୍ୟକ୍ତିଗତ ନିରୀକ୍ଷଣ ବ୍ୟତିରେକେ, ମାମା ତାଙ୍କ ଅଭିଯାନ ସମୟରେ ତାତ୍କାଳିକ କର୍ମଶାଳା ଆୟୋଜନ କରନ୍ତି ; ଗାଁ ଲୋକଙ୍କୁ କ୍ଷତିପୂରଣ ଆବେଦନର ଫର୍ମର ପ୍ରତିଲିପି ବାଣ୍ଟନ୍ତି।

ମୋର ଏହି ପ୍ରଚାର ପୁସ୍ତିକାକୁ ମନ ଦେଇ ପଢ଼ନ୍ତୁ, ୨୦୨୩ ଅକ୍ଟୋବରରେ ତଡ଼ାଲି ଗାଁରେ ତାଙ୍କ ଅଭିଯାନ ଅବସରରେ ସେ ଗାଁ ଲୋକଙ୍କୁ ଏହା କହନ୍ତି ଏବଂ ସେଠାରେ ରୁଣ୍ଡ ହୋଇଥିବା ଗାଁ ଲୋକମାନଙ୍କୁ ସେହି ପ୍ରଚାର ପୁସ୍ତିକା ବାଣ୍ଟନ୍ତି।

ଯଦି କେଉଁଠି କିଛି ସନ୍ଦେହ ଥାଏ, ଏବେ ମୋତେ ପଚାରନ୍ତୁ, ମୁଁ ବୁଝାଇ ଦେବି। ମରାଠୀ ଭାଷାରେ ଛପା ତାଙ୍କ ଫର୍ମର ନମୁନା ପଢ଼ିବା ସହଜ। ଏଥିରେ ବ୍ୟକ୍ତିଗତ ବିବରଣୀ, ଜମିର ଆକାର, ଫସଲ କିସମ ଇତ୍ୟାଦି ଲାଗି ଅଲଗା ଅଲଗା ସ୍ତମ୍ଭ ରହିଥାଏ।

“ଏହି ଫର୍ମ ସହିତ, ଆପଣଙ୍କୁ ଆପଣଙ୍କର ୭/୧୨ର ଉଦ୍ଧୃତାଂଶ (ସାତ-ବାରା ଜମି ପଟ୍ଟା), ଆଧାର କାର୍ଡ, ବ୍ୟାଙ୍କ ବିବରଣୀ ଏବଂ ଜମିରେ ବନ୍ୟଜନ୍ତୁ ଖାଇ ନଷ୍ଟ କରିଦେଇଥିବା ଫସଲର ସ୍ପଷ୍ଟ ଚିତ୍ର ଥିବା ଫଟୋଗୁଡ଼ିକ ଦେବାକୁ ପଡ଼ିବ,” ବଦଖଲ କହନ୍ତି। “ଏହି ଅଭିଯୋଗ ତଥା କ୍ଷତିପୂରଣ ଦାବି ଆବେଦନକୁ ତ୍ରୁଟିହୀନ ଭାବରେ ଆପଣଙ୍କୁ ଦାଖଲ କରିବାକୁ ପଡ଼ିବ – ଆଉ ଗୋଟିଏ ଋତୁରେ ବାରମ୍ବାର ଦେବାକୁ ପଡ଼ିଲେ ବି ଆପଣଙ୍କୁ ଦେବାକୁ ପଡ଼ିବ,” ସେ ଜୋର ଦେଇ କହନ୍ତି। “କଷ୍ଟ ବିନା କୃଷ୍ଣ ମିଳିବେ ନାହିଁ,” ରୋକଠୋକ ଭାବରେ ସେ କହନ୍ତି।

ଆଇନ ଅନୁସାରେ ୩୦ ଦିନ ଭିତରେ କ୍ଷତିପୂରଣ ଜମା କରିବା କଥା ହୋଇଥିଲେ ହେଁ ସରକାର କ୍ଷତିପୂରଣ ବାବଦ ଅର୍ଥ ଦେବାକୁ ବର୍ଷେ ପର୍ଯ୍ୟନ୍ତ ଲାଗିଯାଉଛି। “ଆଗରୁ ବନ ବିଭାଗ ଅଧିକାରୀମାନେ ଏହି କାମ ପାଇଁ ଲାଞ୍ଚ ମାଗୁଥିଲେ,” ସେ କହନ୍ତି, “ଏବେ ଆମେ ସିଧାସଳଖ ବ୍ୟାଙ୍କରେ ଜମା କରିବା ଲାଗି ଅଡ଼ି ବସୁଛୁ।”

Badkhal at his home in Bhadravati tehsil of Chandrapur district
PHOTO • Jaideep Hardikar

ଚନ୍ଦ୍ରପୁର ଜିଲ୍ଲା ଭଦ୍ରାବତୀ ତହସିଲର ତାଙ୍କ ଘରେ ବଦଖଲ

କ୍ଷେତରେ ବନ୍ୟଜନ୍ତୁ ପଶି ଫସଲ ନଷ୍ଟ କରିବା ଘଟଣାକୁ ରୋକିବା ଦିଗରେ କୌଣସି ବଡ଼ ଧରଣର ପ୍ରତିଷେଧମୂଳକ ପଦକ୍ଷେପ ନେବା କାର୍ଯ୍ୟତଃ ସମ୍ଭବ ହୋଇ ନଥିବାରୁ, ଏ କ୍ଷେତ୍ରରେ କ୍ଷତିଭରଣା ନିମନ୍ତେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ହିଁ ଏକମାତ୍ର ଗ୍ରହଣୀୟ ପଦକ୍ଷେପ। ଏ କ୍ଷେତ୍ରରେ ପ୍ରଣୀତ ବିଧି ବ୍ୟବସ୍ଥା ଏବଂ ପ୍ରକ୍ରିୟା ସଂପର୍କିତ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଏକ ସମୟସାପେକ୍ଷ ଓ କଷ୍ଟକର ପ୍ରକ୍ରିୟା ଏବଂ ଅନେକ ଚାଷୀଙ୍କୁ ଏଥିରୁ ଦୂରେଇ ରଖିବା ଲାଗି ଉଦ୍ଦିଷ୍ଟ।

କିନ୍ତୁ ବଦଖଲ କହନ୍ତି, ଆମକୁ ଯଦି ଏହା କରିବାକୁ ପଡ଼ିବ, ତେବେ ଆମକୁ ଏହା କରିବାକୁ ହିଁ ପଡ଼ିବ। ଏବଂ ତାଙ୍କ ମତରେ, ଏଥିପାଇଁ ଅଜ୍ଞତାକୁ ଦୂରେଇ ଦେବା ସହିତ ଲୋକଙ୍କୁ ଜ୍ଞାନ ଓ ଆଇନର ଅସ୍ତ୍ର ପ୍ରଦାନ କରିବା ହିଁ ସର୍ବୋତ୍ତମ ଉପାୟ।

ମାମା ଙ୍କ ଫୋନର ଘଣ୍ଟି ବାଜିବା ବନ୍ଦ ହୁଏ ନାହିଁ। ବିଦର୍ଭ ଅଞ୍ଚଳର ସବୁ ସ୍ଥାନରୁ ଲୋକେ ତାଙ୍କ ସହାୟତା ଲୋଡୁଥାଆନ୍ତି। ସେ କହନ୍ତି, ବେଳେବେଳେ ସେ ମହାରାଷ୍ଟ୍ରର ଅନ୍ୟ ଭାଗରୁ, ଏମିତି କି ଅନ୍ୟ ରାଜ୍ୟରୁ ମଧ୍ୟ ଫୋନ୍ କଲ୍ ପାଆନ୍ତି।

ଫସଲହାନିର ପ୍ରକୃତ ପରିମାଣ ନିର୍ଦ୍ଧାରଣରେ ସମସ୍ୟା ରହିଥାଏ, କାରଣ, ବେଳେବେଳେ କ୍ଷେତ୍ର ନିରୀକ୍ଷଣରୁ ପ୍ରକୃତ ତଥ୍ୟ ସାମନାକୁ ଆସେ ନାହିଁ , ଜଙ୍ଗଲି ପଶୁମାନେ କପା ଗୁଳା ଓ ସୋୟାବିନ ଖାଇ ଦେଇ ଗଛକୁ ଅକ୍ଷତ ଅବସ୍ଥାରେ ଛାଡ଼ି ଦେଇଥିଲେ ଆପଣ କେମିତି କ୍ଷୟକ୍ଷତି ଆକଳନ କରିବେ ?” ବନ ବିଭାଗ ଅଧିକାରୀମାନେ ନିରୀକ୍ଷଣ ପାଇଁ ଆସନ୍ତି, ସବୁଜ ଗଛଗୁଡ଼ିକ ଠିଆ ହୋଇଥିବା ଦେଖନ୍ତି ଏବଂ ଅଫିସକୁ ଫେରି କୌଣସି କ୍ଷତି ହୋଇନାହିଁ ବୋଲି ରିପୋର୍ଟ ଦେଇଦିଅନ୍ତି, ଯେଉଁ ସମୟରେ କି ଚାଷୀ ଜଣକ ବାସ୍ତବରେ ପ୍ରଭୁତ କ୍ଷତି ସହିଥାଆନ୍ତି।

ଚାଷୀଙ୍କୁ ସୁହାଇଲା ଭଳି ଢଙ୍ଗରେ କ୍ଷତିପୂରଣ ସମ୍ବନ୍ଧୀୟ ନିୟମଗୁଡ଼ିକର ସଂଶୋଧନ ଦରକାର, ବଦଖଲ ଦାବି କରନ୍ତି।

*****

୨୦୨୨ ଫେବ୍ରୁଆରୀରୁ, ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସଂଲଗ୍ନ ଧୂଳିଧୂସରିତ ଅଞ୍ଚଳର କେନ୍ଦ୍ରସ୍ଥଳରେ ଅବସ୍ଥିତ ଅନେକ ଗାଁକୁ ବଦଖଲଙ୍କ ଗସ୍ତ ସମୟରେ ଏହି ରିପୋର୍ଟର ତାଙ୍କ ସହିତ ଯାଇଛନ୍ତି।

ଅନେକ ସହୃଦୟ ଦାତା, ଚାଷୀ ଏବଂ ତାଙ୍କ ଶୁଭେଚ୍ଛୁଙ୍କ ଅବଦାନରେ ଚାଲିଥିବା ତାଙ୍କର ଏହି ପ୍ରଚାର ଅଭିଯାନ ସମୟରେ ତାଙ୍କ ନିତିଦିନିଆ ଜୀବନର ଗୋଟିଏ ଦିନ ଆରମ୍ଭ ହୁଏ ସକାଳ ୭ଟାରୁ ଏବଂ ଶେଷ ହୁଏ ସନ୍ଧ୍ୟା ୭ଟାରେ ଏବଂ ଏହି ସମୟ ମଧ୍ୟରେ ସେ ପ୍ରତି ଦିନ ୫ରୁ ୧୦ଟି ଗାଁ ବୁଲି ଆସନ୍ତି।

Alongwith Badkhal on the campaign trail is a Mahindra vehicle in which he travels to the villages
PHOTO • Sudarshan Sakharkar

ବଦଖଲଙ୍କ ସହ ତାଙ୍କ ଅଭିଯାନରେ ସାମିଲ ହୁଏ ତାଙ୍କର ଏହି ମହିନ୍ଦ୍ରା ଗାଡ଼ି, ଯେଉଁଥିରେ ସେ ଗାଁକୁ ଗାଁ ବୁଲନ୍ତି

ପ୍ରତି ବର୍ଷ, ବଦଖଲ ମରାଠୀ ଭାଷାରେ ୫,୦୦୦ ସ୍ବତନ୍ତ୍ର କ୍ୟାଲେଣ୍ଡର ଛାପନ୍ତି, ଯାହାର ସବୁ ପୃଷ୍ଠା ପଛପାଖେ ସରକାରୀ ନିଷ୍ପତ୍ତି, ଯୋଜନା, ଫସଲହାନି ବାବଦ କ୍ଷତିପୂରଣ ପାଇବା ପ୍ରକ୍ରିୟା ଏବଂ ଚାଷୀମାନଙ୍କ ପାଇଁ ଉପଯୋଗୀ ଏବଂ ସହଜରେ ବ୍ୟବହାରଯୋଗ୍ୟ ଅନ୍ୟାନ୍ୟ ତଥ୍ୟ ଥାଏ ଏବଂ ଏହି କ୍ୟାଲେଣ୍ଡର ଛପେଇବା ବାବଦ ଖର୍ଚ୍ଚ ଚାନ୍ଦାରେ ମିଳିଥିବା ଅର୍ଥରୁ କରାଯାଏ। ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ପ୍ରଦାନ ଏବଂ ଭାବ ବିନିମୟ ସକାଶେ ସ୍ବେଚ୍ଛାସେବୀ ଚାଷୀମାନଙ୍କୁ ନେଇ ଗଠିତ ତାଙ୍କ ଟିମ୍ ସଦସ୍ୟମାନେ ସାମାଜିକ ଗଣମାଧ୍ୟମର ଉପଯୋଗ କରନ୍ତି।

ଚନ୍ଦ୍ରପୁର ଜିଲ୍ଲା ଏବଂ ଆଖପାଖ ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଚଳାଇବା ଲାଗି  ପ୍ରାୟ ଦଶ ବର୍ଷ ତଳେ ସେ ‘ଶେତକରୀ ସଂରକ୍ଷଣ ସମିତି’ (ଚାଷୀମାନଙ୍କ ସୁରକ୍ଷା ନିମନ୍ତେ କମିଟି) ସ୍ଥାପନ କରିଥିଲେ। ଏଥିରେ ଏବେ ଚାଷୀମାନଙ୍କ ମଧ୍ୟରୁ ମୋଟାମୋଟି ୧୦୦ ଜଣ ସ୍ବେଚ୍ଛାସେବୀ ଅଛନ୍ତି ଏବଂ ସେମାନେ ତାଙ୍କୁ ସାହାଯ୍ୟ କରନ୍ତି।

ଆପଣ ଏଠାରେ କ୍ଷତିପୂରଣ ଦାବି ନିମନ୍ତେ ଉଦ୍ଦିଷ୍ଟ ଫର୍ମର ନମୁନା ପାଇବେ। ଏକ ସ୍ଥିରୀକୃତ ଢଙ୍ଗରେ ପ୍ରସ୍ତୁତ ଏହି ଫର୍ମ ଓ ଅନ୍ୟାନ୍ୟ ବୈଧାନିକ କାଗଜପତ୍ରର ନମୁନା ପ୍ରତିଟି କୃଷି କେନ୍ଦ୍ର, କିମ୍ବା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କୃଷି ସାମଗ୍ରୀ ବିକ୍ରି କେନ୍ଦ୍ରରେ ରଖାଯାଇଛି। ପ୍ରତ୍ୟେକ ଚାଷୀ କୃଷି କେନ୍ଦ୍ରକୁ ଆସନ୍ତି ଏବଂ କୃଷି କେନ୍ଦ୍ରରେ ଚାଷୀଙ୍କୁ ଏ ସଂପର୍କରେ ଅବଗତ କରାଇ ଦିଆଯାଏ, ଏବଂ ଏହିଭଳି ଆଗକୁ ଜଣେ ଆଉ ଜଣଙ୍କୁ ମୌଖିକ ଭାବରେ ଜଣାଇ ଏହି ଅଭିଯାନକୁ ଚଳାଇବାରେ ସହାୟକ ହୁଅନ୍ତି, ଏବଂ ସେମାନେ ନିଜ ଇଚ୍ଛାରେ ଏହା କରି ଚାଲନ୍ତି।

ଦିନ ସାରା ବଦଖଲଙ୍କୁ ଅସୁବିଧାରେ ପଡ଼ିଥିବା ଚାଷୀଙ୍କ ଫୋନ୍ କଲ୍ ମିଳିଥାଏ। କେବେ କେବେ, ତୁରନ୍ତ ସହାୟତା ପାଇଁ କେହି ଜଣେ ଆକୁଳ ନିବେଦନ କରନ୍ତି। ଆଉ କେବେ କେହି ଜଣେ ରାଗରେ କିଛି କହିଥାଏ। ହେଲେ, ପ୍ରାୟତଃ ସମସ୍ତେ ତାଙ୍କ ପରାମର୍ଶ ଲୋଡ଼ିଥାଆନ୍ତି।

ଏଠାରେ ଚାଷୀମାନେ ଅଛନ୍ତି, ବନ୍ୟଜୀବନ ବି ଅଛି। ଚାଷୀଙ୍କ ନେତାମାନେ ଅଛନ୍ତି। ବନ୍ୟଜୀବନ ସଂରକ୍ଷଣରେ ଆଗ୍ରହୀ କର୍ମୀ ଅଛନ୍ତି। ଏବଂ ସରକାର ବି ରହିଛି – ବନ, କୃଷି ଓ ରାଜସ୍ବ ବିଭାଗ ଅଧିକାରୀମାନେ ଏହି ସମସ୍ୟାକୁ ସବୁଦିନ ଲାଗି ସ୍ଥଗିତ ରଖିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି, ବଦଖଲ କହି ଚାଲନ୍ତି। କାହାରି ପାଖରେ ସମାଧାନର ବାଟ ନାହିଁ।

Pamphlets and handbills that Badkhal prints for distribution among farmers.
PHOTO • Jaideep Hardikar
He is showing calendars that he prints to raise awareness and educate farmers about the procedure to claim compensation
PHOTO • Jaideep Hardikar

ବାମ: ଚାଷୀମାନଙ୍କ ମଧ୍ୟରେ ବଣ୍ଟନ ଲାଗି ବଦଖଲ ଛାପୁଥିବା ପ୍ରଚାର ପୁସ୍ତିକା ଓ ପ୍ରାଚୀରପତ୍ର। କ୍ଷତିପୂରଣ ହାସଲ ପ୍ରକ୍ରିୟା ସଂପର୍କରେ ଚାଷୀମାନଙ୍କୁ ସଚେତନ ଓ ଶିକ୍ଷିତ କରାଇବା ଲାଗି ସେ ଛାପୁଥିବା କ୍ୟାଲେଣ୍ଡର ଦେଖାଉଛନ୍ତି (ଡାହାଣ)

ଏକମାତ୍ର ଉପଲବଧ ଆଶ୍ବାସନା।

ଆଉ ତେଣୁ, ମାମା ତାଙ୍କ ଗାଡ଼ିରେ ହେଉ କି ବସରେ, କିମ୍ବା କାହାରି ବାଇକରେ, ଗାଁକୁ ଗାଁ ବୁଲନ୍ତି, ଚାଷୀମାନଙ୍କୁ ଭେଟନ୍ତି ଏବଂ ଏହି ସଂଘର୍ଷକୁ ଆଗେଇ ନେବା ଦିଗରେ ସେମାନଙ୍କ ବିଶ୍ବାସ ଜନ୍ମାଇବା ଲାଗି ଚେଷ୍ଟା କରନ୍ତି।

ଯେମିତି କିଛି ସମ୍ବଳ ମିଳିଯାଏ, ସେ କହନ୍ତି, ମୁଁ ମୋର ଗାଁ ପରିଦର୍ଶନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିନିଏ।”

୨୦୨୩ ଜୁଲାଇରୁ ଅକ୍ଟୋବର ଯାଏ ଏହି ଅଭିଯାନ ଚାଲିଥିଲା ଏବଂ କେବଳ ଚନ୍ଦ୍ରପୁର ଜିଲ୍ଲାର ପ୍ରାୟ ୧,୦୦୦ ଜିଲ୍ଲାରେ ଏହା ପହଞ୍ଚିଥିଲା।

ଗୋଟିଏ ଗୋଟିଏ ଗାଁରୁ ପାଞ୍ଚ ଜଣ ଲେଖାଏଁ ଚାଷୀ ଯଦି କ୍ଷତିପୂରଣ ଲାଗି ବନ ବିଭାଗ ପାଖରେ ଆବେଦନ କରନ୍ତି, ତେବେ ଏହି ଅଭିଯାନର ଲକ୍ଷ୍ୟ ପୂରଣ ହୋଇପାରିବ, ସେ କହନ୍ତି।

ବଦଖଲ କହନ୍ତି, ସେମାନଙ୍କ ନିଜ ଫାଇଦା ପାଇଁ ହେଉନା କାହିଁକି, ଚାଷୀମାନଙ୍କୁ ଏକାଠି କରିବା କଷ୍ଟକର କାମ। ଏଠି କାନ୍ଦିବା ଲୋକଙ୍କର ଅଭ୍ୟାସ, ଲଢ଼ିବା ନୁହେଁ। କାନ୍ଦିବା ସହଜ, ସେ କହନ୍ତି, ସରକାରଙ୍କୁ ଦୋଷ ଦେବା ବି। କିନ୍ତୁ ନିଜ ଅଧିକାର ପାଇଁ ଲଢ଼ିବା, ନ୍ୟାୟ ଦାବି କରିବା ଏବଂ ଏକ ସାଧାରଣ ଲକ୍ଷ୍ୟ ହାସଲ ଦିଗରେ ନିଜ ନିଜ ମଧ୍ୟରେ ରହିଥିବା ମତ ପାର୍ଥକ୍ୟକୁ ଏଡ଼ାଇ ଯିବା କଷ୍ଟକର।

'Even if five farmers in every village submit a compensation claim to the forest department, this campaign would have accomplished its objective,' he says
PHOTO • Jaideep Hardikar
'Even if five farmers in every village submit a compensation claim to the forest department, this campaign would have accomplished its objective,' he says
PHOTO • Jaideep Hardikar

ପ୍ରତି ଗାଁରୁ ପାଞ୍ଚ ଜଣ ଲେଖାଏଁ ଚାଷୀ ଯଦି କ୍ଷତିପୂରଣ ଲାଗି ବନ ବିଭାଗ ପାଖରେ ଆବେଦନ କରନ୍ତି, ତେବେ ଏହି ଅଭିଯାନର ଲକ୍ଷ୍ୟ ପୂରଣ ହୋଇପାରିବ, ସେ କହନ୍ତି

ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ଆଖପାଖ ଅଞ୍ଚଳରେ, ବନ୍ୟପ୍ରାଣୀଙ୍କ ସ୍ବାର୍ଥରକ୍ଷା ଦିଗରେ ଜଙ୍ଗଲ ସଂରକ୍ଷଣବାଦୀ, ବନ୍ୟପ୍ରାଣୀ ସୁରକ୍ଷା କର୍ମୀ, ବିଶେଷଜ୍ଞ ଏବଂ ବାଘପ୍ରେମୀମାନଙ୍କର ଏକ ଗୋଷ୍ଠୀ ନିଷ୍ଠାପର ଭାବରେ କାମ କରୁଛନ୍ତି ସତ, ହେଲେ ସେମାନେ ଏଠାରେ ବସବାସ କରୁଥିବା ଭିନ୍ନ ଭିନ୍ନ ସଂପ୍ରଦାୟର ବହୁବିଧ ସମସ୍ୟା ଓ ଉଦବେଗକୁ ଅଣଦେଖା କରୁଥିବାରୁ ଏହି ସବୁ ସମସ୍ୟା ଘନୀଭୂତ ହେବାରେ ଲାଗିଛି, କ୍ଷୋଭର ସହ କହନ୍ତି ବଦଖଲ।

ଏ ଦିଗରେ ତାଙ୍କର ଏହି ଅଭିଯାନ ହିଁ ଏକମାତ୍ର ପ୍ରତିରୋଧ ପ୍ରକ୍ରିୟା ଏବଂ ଦୁଇ ଦଶନ୍ଧି ଭିତରେ ସେ ଚାଷୀମାନଙ୍କ ସ୍ବର ସଂସ୍ଥାପନ ଲାଗି ଅବସର ସୃଷ୍ଟି କରିପାରିଛନ୍ତି।

ବଦଖଲ ଜୋର ଦେଇ କହନ୍ତି, ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ କାର୍ଯ୍ୟରତ ଲୋକେ ଆମ ଦୃଷ୍ଟିକୋଣକୁ ପସନ୍ଦ ନ କରି ପାରନ୍ତି, କିନ୍ତୁ, ସେମାନେ ଏହା ହୃଦୟଙ୍ଗମ କରିବା ଦରକାର ଯେ, ଏଠାକାର ଲୋକେ ଜୀବନ-ମରଣ ସମସ୍ୟାର ମୁକାବିଲା କରିଆସୁଛନ୍ତି।

ଏବଂ ସେମାନଙ୍କ ଚାଷଜମିରେ ପ୍ରତି ଦିନ, ପ୍ରତି ବର୍ଷ ସେମାନେ ଏହା କରିଆସୁଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Jaideep Hardikar

জয়দীপ হার্ডিকার নাগপুর নিবাসী সাংবাদিক এবং লেখক। তিনি পিপলস্‌ আর্কাইভ অফ রুরাল ইন্ডিয়ার কোর টিম-এর সদস্য।

Other stories by জয়দীপ হার্ডিকর
Photographs : Sudarshan Sakharkar

সুদর্শন সাখরকর নাগপুর-নিবাসী স্বাধীন চিত্র সাংবাদিক।

Other stories by Sudarshan Sakharkar
Photographs : Jaideep Hardikar

জয়দীপ হার্ডিকার নাগপুর নিবাসী সাংবাদিক এবং লেখক। তিনি পিপলস্‌ আর্কাইভ অফ রুরাল ইন্ডিয়ার কোর টিম-এর সদস্য।

Other stories by জয়দীপ হার্ডিকর
Editor : Priti David

প্রীতি ডেভিড পারি-র কার্যনির্বাহী সম্পাদক। তিনি জঙ্গল, আদিবাসী জীবন, এবং জীবিকাসন্ধান বিষয়ে লেখেন। প্রীতি পারি-র শিক্ষা বিভাগের পুরোভাগে আছেন, এবং নানা স্কুল-কলেজের সঙ্গে যৌথ উদ্যোগে শ্রেণিকক্ষ ও পাঠক্রমে গ্রামীণ জীবন ও সমস্যা তুলে আনার কাজ করেন।

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE