ଯେତେବେଳେ ସେମାନଙ୍କର ସମସ୍ତ ବିକଳ୍ପ ସମାପ୍ତ ହୋଇଗଲା, ବିଜୟ କୋରେତି ଏବଂ ତାଙ୍କର ସାଙ୍ଗମାନେ ଘରକୁ ଚାଲିକରି ଯିବା ପାଇଁ ସ୍ଥିର କଲେ।
ଏହା ଏପ୍ରିଲର ମଧ୍ୟଭାଗ ଥିଲା। କୋଭିଡ-୧୯ କାରଣରୁ ସାରା ଭାରତରେ କଠୋର ତାଲାବନ୍ଦ ନିୟମ ଲାଗୁ କରାଯାଇଥିଲା। ଏବଂ ସେମାନେ ବିଚଳିତ ହୋଇଯାଇଥିଲେ ଯେ କେତେଦିନ ଧରି ସେମାନେ ଏହି ସୁଦୂର ମାଟିରେ ଥିବା ତାଙ୍କର ଛୋଟିଆ କୁଡିଆରେ ବନ୍ଦୀ ହୋଇ ରହିବେ।
କୋରେତି ମନେପକାଇ କୁହନ୍ତି,"ଯେତେବେଳେ ଆମ ସାଙ୍ଗମାନେ ସେହି ସ୍ଥାନ ପରିତ୍ୟାଗ କରିବା ପାଇଁ ଚେଷ୍ଟା କଲେ, ପୋଲିସ୍ ସେମାନଙ୍କୁ ଦୁଇଥର ଅଧା ବାଟରେ ଅଟକାଇଲେ ଏବଂ ପୁନର୍ବାର ସେହି ସ୍ଥାନକୁ ଫେରାଇ ଦେଇଥିଲେ।" "କିନ୍ତୁ ଜଣ ଜଣ ହୋଇ ସମସ୍ତେ ଚାଲିକରି ଘରେ ପହଚିଁବା ପାଇଁ କୌଣସି ଉପାୟରେ ସେହି ସ୍ଥାନ ପରିତ୍ୟାଗ କଲେ।"
ବନ୍ଧୁମାନଙ୍କର ଏହି ଦଳ ଯେଉଁମାନଙ୍କ ପାଖରେ ଗୋଟିଏ ହେଲେ ବି ଜିପିଏସ୍ ଥିବା ସ୍ମାର୍ଟଫୋନ ନଥିଲା, ଏକ ଅନୁମାନିକ ରାସ୍ତାରେ ଚାଲିଥିଲେ:
ତେଲେଙ୍ଗାନାର କୋମାରମଭିମ ଜିଲ୍ଲାର ସିରପୁର-କାଗଜନଗର ଥିବା ଏକ କର୍ଟନ ଗିନିଂ ଏବଂ ପ୍ରେସିଂ ମିଲ୍ରେ ସେମାନେ କାମ କରୁଥିଲେ, ତାହା ହାଇଦ୍ରାବାଦ-ନାଗପୁର ରେଲୱେ ସେକସନ ଅଧିନରେ ଆସେ।
ଯଦି ସେମାନେ ଟ୍ରାକରେ ଚାଲନ୍ତି ତେବେ ଜସିନଗରଠାରୁ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାର ଅର୍ଜୁନି ମୋର୍ଗୋନ୍ ତହସିଲରେ ଥିବା ସେମାନଙ୍କ ଗାଁର ଦୂରତା ୭୦୦-୮୦୦ କିଲୋମିଟର ହେବ। ହଁ, ଏହା କଷ୍ଟଦାୟକ, କିନ୍ତୁ ଚେଷ୍ଟା କରିବା ଦରକାର। ଏବଂ ଯଦି ସେମାନେ ରେଲୱେ ଲାଇନ ଦେଇ ଯାଆନ୍ତି, ତେବେ ପୋଲିସ ସେମାନଙ୍କୁ ଅଟକାଇବାର ସମ୍ଭାବନା କମ୍ ରହିବ।
ଏବଂ ଏହିପରି, ସମଗ୍ର ଦେଶରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ପରି ଏକ ଏକର ଜମିର ଗୋଣ୍ଡ ଆଦିବାସୀ କୃଷକ ୩୯ ବର୍ଷୀୟ କୋରେତି - ଏବଂ ଜସିନଗରର ଅନ୍ୟମାନେ - କାଗଜନଗରରୁ ସେମାନଙ୍କ ଘରେ ପହଁଚିବା ପାଇଁ ୧୩ ରାତି ୧୪ ଦିନର ସେହି କଷ୍ଟଦାୟକ ଯାତ୍ରା ଆରମ୍ଭ କରିଥିଲେ।
ଏହି ଦୂରତା ଟ୍ରେନ୍ କିମ୍ବା ବସରେ ଅଧା ଦିନ ମଧ୍ୟରେ ଅତିକ୍ରମ କରାଯାଇପାରିବ। କିନ୍ତୁ ସେମାନେ ଚାଲିକରି ଏହି ଦୂରତା ଅତିକ୍ରମ କରୁଥିଲେ।
ସେମାନେ ନିଜକୁ ଦୁଇଟି ବ୍ୟାଚରେ ବିଭକ୍ତ କଲେ। ସେମାନଙ୍କ ମଧ୍ୟରୁ ସତରଜଣ, ୪୪ ବର୍ଷୀୟ ହୁମରାଜ ଭୋୟାରଙ୍କ ନେତୃତ୍ୱରେ, କୋରେତି ଏବଂ ଅନ୍ୟ ଦୁଇଜଣ- ୩୦ ବର୍ଷୀୟ ଧନରାଜ ଶାହାରେ, ୫୯ ବର୍ଷୀୟ ହୋଡିକର ଯିବାର ଏକ ସପ୍ତାହ ପୂର୍ବରୁ ଏପ୍ରିଲ ୧୩ ତାରିଖରେ ଜସିନଗର ଅଭିମୁଖେ ଯାତ୍ରା କରିଥିଲେ।
ସେହି ସମସ୍ତ ରାତି ଓ ଦିନରେ, କୋରେତି ତାଙ୍କର ସାତ ବର୍ଷର ଝିଅ ବେଦାନ୍ତୀ ସହ ଦେଖାକରିବାର ଅଭିଳାଷ ରଖିଥିଲେ। ଏହା ତାଙ୍କୁ ଆଗେଇ ନେଇଥିଲା। ସେ ତାଙ୍କୁ ଅପେକ୍ଷା କରିଥିବ, ସେ ନିଜକୁ ନିଜେ ଏହା କହୁଥିଲେ ଏବଂ ଜ୍ୱଳନ୍ତ ସୂର୍ଯ୍ୟକିରଣରେ ପାଦରେ ଯନ୍ତ୍ରଣା ସତ୍ୱେ ଚାଲିବା ଜାରି ରଖିଥିଲେ। କମ୍ ଉଚ୍ଚତା ବିଶିଷ୍ଟ କିନ୍ତୁ ହୃଷ୍ଟପୃଷ୍ଟ କୋରେତି ହସି ହସି କୁହନ୍ତି, “ଆମହଲେ ଫକ୍ତଘରିପୋହଚାୟଚେହୋତେ [ଆମେ କେବଳ ଘରେ ପହଞ୍ଚିବାକୁ ଚାହୁଁଥିଲୁ]।" ନାଭେଗାଓଁ ବନ୍ୟପ୍ରାଣୀ ଅଭୟାରଣ୍ୟର ସୀମାନ୍ତରେ ଥିବା ଜସିନଗରରେ ଏକ ଉତ୍ତପ୍ତ ଏବଂ ଗୁଳୁଗୁଳିଆ ଦିନରେ ଆମେ ତାଙ୍କୁ ଏବଂ ତାଙ୍କର କିଛି ବନ୍ଧୁଙ୍କୁ ସେମାନଙ୍କର ଦୀର୍ଘ ପଦଯାତ୍ରାର ମାସକ ପରେ ଭେଟିଲୁ। ବାହାର ଲୋକ ଗ୍ରାମ ମଧ୍ୟରେ ପ୍ରବେଶ ନକରିବା ପାଇଁ ନିର୍ମାଣ କରିଥିବା ବ୍ୟାରିକେଡକୁ ଗ୍ରାମବାସୀ ଉଠାଇ ଦେଇଛନ୍ତି। କିନ୍ତୁ ମହାମାରୀର ଆଶଂକା ଏବଂ ଭୟ ଚାରିପାଖର ବାତାବରଣରେ ଏବେବି ରହିଛି।
***
କୋରେତି ନବମ ଶ୍ରେଣୀ ପରେ ହାଇସ୍କୁଲ ଛାଡ଼ିଥିଲେ ଏବଂ ୨୦୧୯ ମସିହା ପୂର୍ବରୁ କାମ କରିବା ପାଇଁ ନିଜ ଗାଁରୁ କେବେବି ବାହାରକୁ ଯାଇନଥିଲେ। ସେ ତାଙ୍କର ଏକ ଏକର ଜମିରେ ଚାଷ କରୁଥିଲେ, ପାଖ ଅଞ୍ଚଳରୁ ଛୋଟମୋଟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ, ପରେ କୃଷି ଶ୍ରମିକ ଭାବରେ କାମ କରୁଥିଲେ କିମ୍ବା ଜରୁରୀ ସମୟରେ ନିକଟସ୍ଥ ଛୋଟ ସହରକୁ ଘରୋଇ ସହାୟକ ଭାବରେ କାମ କରିବା ପାଇଁ ଯାଉଥିଲେ। ସେ ନିଜ ଗାଁର ଅନ୍ୟମାନଙ୍କ ପରି କାମ ପାଇଁ ଦୂର ସ୍ଥାନକୁ ଦାଦନ ଖଟିବାକୁ ଯାଉନଥିଲେ।
କିନ୍ତୁ ୨୦୧୬ ମସିହାର ବିମୁଦ୍ରୀକରଣ ପରେ, କାମ ମିଳିବା କମିଯାଇଥିଲା ଏବଂ କିଛି ମାସର କୃଷି ଶ୍ରମିକ ବ୍ୟତୀତ ସେ ତାଙ୍କ ଗାଁରେ କିମ୍ବା ଆଖପାଖରେ ଅନ୍ୟ କୌଣସି କାମ ପାଇଲେ ନାହିଁ। ତାଙ୍କର ଆର୍ଥିକ ସ୍ଥିତି ବିଗିଡ଼ିବାକୁ ଲାଗିଲା।
ତାଙ୍କର ପିଲାଦିନର ବନ୍ଧୁ, ୪୦ ବର୍ଷୀୟ ଲକ୍ଷ୍ମଣ ଶାହରେ, ଜଣେ ଭୂମିହୀନ ଦଳିତ ଏବଂ ପୋଖତ ଦାଦନ ଶ୍ରମିକ, ଯିଏ ତାଙ୍କୁ କାଗଜନଗର ଯିବାକୁ ୨୦୧୯ ମସିହାରେ ପ୍ରବର୍ତ୍ତାଇଥିଲେ।
ଶାହରେ ୧୮ ବର୍ଷ ବୟସରୁ ନିଜ ଗାଁରୁ ପ୍ରତିବର୍ଷ ଦାଦନ ଖଟିବାକୁ ଯାଆନ୍ତି (ଭିଡିଓ ଦେଖନ୍ତୁ)। ଯେତେବେଳେ ମହାମାରୀ ଆରମ୍ଭ ହେଲା ସେତେବେଳେ ସେ କାଗଜନଗରରେ ଜଣେ ବ୍ୟବସାୟୀଙ୍କ ପାଇଁ ସୁପରଭାଇଜର ଭାବରେ କାର୍ଯ୍ୟ କରୁଥିଲେ, ସେଠାରେ ତିନୋଟି କର୍ଟନ ଗିନିଂ ଏବଂ ପ୍ରେସିଂ ୟୁନିଟ୍ ରେ ପ୍ରାୟ ୫୦୦ ଶ୍ରମିକଙ୍କୁ ପରିଚାଳନା କରୁଥିଲେ ଅଧିକାଂଶ ପୁରୁଷ ଶ୍ରମିକ ତାଙ୍କ ନିଜ ଗ୍ରାମ ଏବଂ ଆଖପାଖ ତଥା ଛତିଶଗଡ ଭଳି ଅନ୍ୟ ରାଜ୍ୟରୁ ସ୍ଥାନାନ୍ତର ହୋଇଥିଲେ।
ଶାହରେ ଘରକୁ ଚାଲିକି ଯାଇ ନଥିଲେ କିନ୍ତୁ ଜୁନ୍ ମାସ ଆରମ୍ଭରେ ଏକ ଗାଡିରେ ଆସିଥିଲେ। ଅବଶ୍ୟ, ସେ ଦେଖିଲେ ଯେ ତାଙ୍କ ଲୋକମାନେ ଦୀର୍ଘ ପଦଯାତ୍ରା କରିବାକୁ ଯାଉଥିଲେ - ସେମାନଙ୍କ ମଧ୍ୟରେ, ତାଙ୍କ ସାନଭାଇ ଧନରାଜ, ଯିଏ କି କୋରେତିଙ୍କ ଦଳରେ ଥିଲେ। ସେ ନିଜେ ସେହି ସମୟରେ ମିଲ୍ଗୁଡ଼ିକ ମଧ୍ୟରେ ମଜୁରୀ ଦେବା, ରାସନ ପ୍ୟାକ୍ କରିବା ଏବଂ “ସେମାନେ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ଯଥା ସମ୍ଭବ ଦେବାକୁ ମୁଁ ଚେଷ୍ଟା କରୁଥିଲି।”
କୋରେତି କାଗଜନଗର ଯିବାପାଇଁ ୨୦୧୯ ମସିହା ନଭେମ୍ବର ମାସରେ ବାହାରିଥିଲେ ଏବଂ ୨୦୨୦ ମସିହା ଜୁନ୍ ମାସରେ ଖରିଫ ବୁଣିବା ସମୟରେ ତାଙ୍କର ଫେରିବାର ଥିଲା। ଗିନିଂ ଫ୍ୟାକ୍ଟ୍ରିରେ ଯେତେ ଘଣ୍ଟା ସେ କାମ କରିଥିବେ ସେହି ଅନୁସାରେ ସେ ସପ୍ତାହକୁ ୩,୦୦୦ ରୁ ୫,୦୦୦ ମଧ୍ୟରେ ରୋଜଗାର କରିବାକୁ ସକ୍ଷମ ହେଉଥିଲେ। ୨୦୨୦ ମସିହା ଏପ୍ରିଲ୍ ମାସରେ ଯେତେବେଳେ ସେ ଘରକୁ ଫେରିଲେ ଫ୍ୟାକ୍ଟ୍ରିରେ ପାଞ୍ଚ ମାସ କାମ କରି ପ୍ରାୟ ୪୦,୦୦୦ ଟଙ୍କା ସଞ୍ଚୟ କରିଥିଲେ।
ତାଙ୍କ କହିବା ଅନୁସାରେ ଗୋଟିଏ ବର୍ଷରେ ନିଜ ଗ୍ରାମରେ କରୁଥିବା ରୋଜଗାରଠାରୁ ଏହା ଅଧିକ ଥିଲା।
୨୧ ଦିନର ତାଲାବନ୍ଦ ହଟିବା ଏବଂ ପରିବହନ ସେବା ଆରମ୍ଭ ହେବାକୁ ସେମାନେ ଧେର୍ଯ୍ୟର ସହିତ କାଗଜନଗରରେ ଅପେକ୍ଷା କରିଥିଲେ। ଏହା ପରିବର୍ତ୍ତେ ତାଲାବନ୍ଦର ଅବଧି ଆହୁରି ବଢିଯାଇଥିଲା।
ମିଲ୍ର ମାଲିକ ସେମାନଙ୍କୁ ରାସନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ, କିନ୍ତୁ କାମ ବନ୍ଦ ହୋଇଯାଇଥିଲା। କୋରେତି କୁହନ୍ତି, "ତାଲାବନ୍ଦ ସମୟରେ, ଆମେ ଭିନ୍ନ ଏକ ଦେଶରେ ଥିଲୁ।" "ଆମର କୁଡିଆରେ ବିଭ୍ରାଟ ସୃଷ୍ଟି ହୋଇଥିଲା; ଆମର ସୁରକ୍ଷା ବିଷୟରେ ସମସ୍ତେ ଚିନ୍ତିତ ଥିଲେ; କୋଭିଡ-୧୯ର ଭୟ [ଆମର ଚାରିପାଖରେ] ଘୁରିବୁଲୁଥିଲା। ଆମେ ସେହି ସ୍ଥାନ ଛାଡିବୁକି ନାହିଁ ବୋଲି ଅନିଶ୍ଚିତତାରେ ରହିଥିଲୁ। ମୋର ଚିନ୍ତିତ ସ୍ତ୍ରୀ ମୋତେ ଫେରିଆସିବାକୁ ଉତ୍ସାହିତ କରିଥିଲେ।" ଏହି ନିଷ୍ପତି ନେବାପାଇଁ ଫ୍ୟାକ୍ଟ୍ରି ପରିସରରେ ଥିବା ସେମାନଙ୍କର କୁଡ଼ିଆରେ ଏକ ଝଡ଼ର ବାତାବରଣ ସୃଷ୍ଟି ହୋଇଥିଲା।
କୋରେତି ନିଜେ ତିଆରି କରିଥିବା ନିଜର ସୁନ୍ଦର ମାଟିଘରେ ବସି କୁହନ୍ତି, "ମୁଁ ଭାବୁଛି, ଆମେ ଏପ୍ରିଲ୍ ୨୦ ତାରିଖରେ ଯାତ୍ରା ଆରମ୍ଭ କରିଥିଲୁ।"
ସେମାନେ ନାଗପୁର-ହାଇଦ୍ରାବାଦ ସେକ୍ସନର ଉତ୍ତର-ଦକ୍ଷିଣ ରେଲୱେ ରୁଟରେ ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କଲେ। ମହାରାଷ୍ଟ୍ର ପାର ହୋଇ ସେମାନେ ଚନ୍ଦ୍ରପୁର ଜିଲ୍ଲାରେ ପହଞ୍ଚିଲେ ଏବଂ ପରେ ଗୋଣ୍ଡିଆରେ ଥିବା ନିଜ ଗାଁକୁ ଯିବା ପାଇଁ ନୂତନ ବ୍ରଡ-ଗେଜ୍ ଟ୍ରାକ ଦେଇ ପୂର୍ବ ଦିଗକୁ ଗଲେ ଏବଂ ମଝିରେ ଥିବା ଘଞ୍ଚ ଜଙ୍ଗଲ ଦେଇ ଯାଇଥିଲେ।
ବାଟରେ ସେମାନେ ୱାର୍ଦ୍ଦା ଏବଂ ଅନେକ ଛୋଟ ନଦୀ ପାର ହୋଇଥିଲେ। କୋରେତି କୁହନ୍ତି, ଯେଉଁଠାରୁ ସେମାନେ ଚାଲିବା ଆରମ୍ଭ କଲେ, ସେଠାରୁ ସେମାନଙ୍କ ଗାଁ ବହୁତ ଦୂରରେ ଅଛି ବୋଲି ଲାଗୁଥିଲା।
ସେମାନେ ଏହାକୁ ଗୋଟିଏ ପରେ ଗୋଟିଏ କରି ପାର କରିଥିଲେ।
ଜସିନଗର ଗ୍ରାମ ପଞ୍ଚାୟତ ରେକର୍ଡରୁ ଜଣାପଡ଼ିଛି ଯେ ୧୭ ଜଣଙ୍କର ଏକ ବ୍ୟାଚ୍ ଦୁଇଟି ଦଳରେ ଗାଁରେ ପହଞ୍ଚିଥିଲେ, ପ୍ରଥମଟି ଏପ୍ରିଲ୍ ମାସ ୨୮ ତାରିଖରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଯେଉଁମାନ ଅନ୍ୟ ୧୨ ଜଣଙ୍କଠାରୁ ଅଲଗା ହୋଇଯାଇଥିଲେ ତିନି ଦିନ ପରେ, ମଇ ମାସ ୧ ତାରିଖରେ ପହଞ୍ଚିଥିଲେ, ଯେହେତୁ ସେମାନେ ଯାତ୍ରାଜନିତ କ୍ଳାନ୍ତି ହ୍ରାସ କରିବା ପାଇଁ ବାଟରେ ଅଟକିଗଲେ।
କୋରେତି ଏବଂ ତାଙ୍କର ଦୁଇ ବନ୍ଧୁ ମଇ ମାସ ୩ ତାରିଖରେ ପହଞ୍ଚିଥିଲେ, ସେମାନଙ୍କର ଗୋଡ଼ ଫୁଲି ଯାଇଥିଲା ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା।
ସେମାନେ ଜସିନଗରରେ ପହଞ୍ଚିବା ପରେ ସେମାନଙ୍କର ଚପଲ ନଷ୍ଟ ହୋଇଯାଇଥିଲା। ସେମାନଙ୍କର ମୋବାଇଲ୍ ଫୋନ୍ ବହୁ ପୂର୍ବରୁ ବନ୍ଦ ହୋଇଯାଇଥିଲା; ପରିବାର, କିମ୍ବା ସାଙ୍ଗମାନଙ୍କ ସହିତ ସେମାନଙ୍କର କୌଣସି ପ୍ରକାରର ଯୋଗାଯୋଗ ନଥିଲା। ସେମାନେ କୁହନ୍ତି ଯେ ବାଟରେ ସେମାନେ ମାନବିକତାର ଭଲ ଏବଂ ଖରାପ ରୂପ ଦେଖିଥିଲେ - ସେମାନେ ରେଳ ଅଧିକାରୀ, ଏପରିକି ଗ୍ରାମବାସୀଙ୍କୁ ଭେଟିଥିଲେ ଯେଉଁମାନେ ସେମାନଙ୍କୁ ଖାଦ୍ୟ, ଜଳ ଏବଂ ଆଶ୍ରୟ ଦେଇଥିଲେ। କିନ୍ତୁ ସେଠାରେ ଏପରି ମଧ୍ୟ କିଛି ଲୋକ ଥିଲେ ଯେଉଁମାନେ ଗାଁରେ ପ୍ରବେଶ କରିବାକୁ ବାରଣ କରିଥିଲେ। ଅନେକ, ଅଧିକାଂଶ ସମୟରେ, ଖାଲି ପାଦରେ ଚାଲିଆସୁଥିଲେ, ଯେକୌଣସି ପ୍ରକାରେ ସେମାନଙ୍କର ଚପଲ ନଷ୍ଟ ହୋଇଯାଇଥିଲା। ଗ୍ରୀଷ୍ମ ଋତୁ ଥିବାରୁ ସେମାନେ ସନ୍ଧ୍ୟା ପରେ ଚାଲୁଥିଲେ ଏବଂ ପ୍ରତ୍ୟେକ ଦିନର ଖରା ସମୟରେ ବିଶ୍ରାମ କରୁଥିଲେ।
ଏବେ ଦ୍ୱିଧାରେ, କୋରେତି ଅନୁଭବ କରନ୍ତି ଯେ ତାଙ୍କୁ ଏବଂ ତାଙ୍କର ସାଥୀମାନଙ୍କୁ ଏହିଭଳି ପରିସ୍ଥିତି ଦେଇ ଗତିକରିବାକୁ ପଡ଼ିନଥାନ୍ତା ଯଦି ଲକଡାଉନର ନୋଟିସ୍ ସେମାନଙ୍କୁ ଚାରିଘଣ୍ଟା ପରିବର୍ତ୍ତେ ୪୮ଘଣ୍ଟା ପୂର୍ବରୁ ଦିଆଯାଇଥାନ୍ତା।
ସେ କୁହନ୍ତି,"ଦୋନ୍ଦିଭାସାଚା ଟାଇମ୍ ଭେଲତାସ୍ତା ତାର୍ ଆମ୍ହି ଚୁପଚାପ ଘରିପୋହୋଚଲୋ ଆସ୍ତୋ[ଆମକୁ ଯଦି ଦୁଇଦିନ ସମୟ ଦିଆଯାଇଥାନ୍ତା, ଆମେମାନେ ସହଜରେ ଓ ନିରାପଦରେ ଘରେ ପହଚିଁପାରିଥାନ୍ତୁ]।"
***
୨୦୨୦ ମସିହା ମାର୍ଚ୍ଚ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟରାତ୍ରିରୁ ଚାରି ଘଣ୍ଟାର ନୋଟିସ୍ ଦେଇ ଦେଶରେ ତାଲାବନ୍ଦ ଘୋଷଣା କରିଦେଇଥିଲେ। ଯଦିଓ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଏହାକୁ ସୁରକ୍ଷା ପଦକ୍ଷେପ ଭାବରେ ନିଆଯାଇଥିଲା, ଏତେ କମ୍ ସମୟର ନୋଟିସ୍ ଏବଂ ଏହାର ଆକସ୍ମିକତା ଆତଙ୍କ ଏବଂ ବିଶୃଙ୍ଖଳା ସୃଷ୍ଟି କରିଥିଲା।
ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବିପଦପୂର୍ଣ୍ଣ ଯାତ୍ରା କରି ଭାରତର ବିଭିନ୍ନ ଗ୍ରାମରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲେ - ହଜାର ହଜାର ଲୋକ ଚାଲିଚାଲି ଯାଇଥିଲେ, ଶହ ଶହ ଲୋକ ବିପଦପୂର୍ଣ୍ଣ ଭାବରେ ଗାଡ଼ିରେ ଯାତ୍ରା କରିଥିଲେ, ସାଇକେଲରେ କିମ୍ବା ମାଲ ବୁହା ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନରେ ସେମାନଙ୍କ ଘରେ ପହଂଚିଥିଲେ - ସାଧାରଣ ପରିବହନର ସମସ୍ତ ମାଧ୍ୟମ ଠପ୍ ହୋଇଯାଇଥିଲା।
ମହାମାରୀରୁ ରକ୍ଷା ପାଇବା ପାଇଁ ଅନ୍ୟ ସମସ୍ତେ ଘରେ ରହିଥିଲେ।
ରାସ୍ତାରେ ଚାଲୁଥିବା ସେହି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ଏକ ଦୁଃସ୍ୱପ୍ନ ଥିଲା। ସୋସିଆଲ ମିଡିଆରେ ଅନେକ ଦୁଃଖଦ କାହାଣୀ ପ୍ରକାଶ ପାଇଥିଲା ଏବଂ କିଛି ସାମ୍ବାଦିକ ସେମାନଙ୍କ ବୃତ୍ତିଗତ ଜୀବନରେ ବୋଧହୁଏ ପ୍ରଥମ ଥର ପାଇଁ ପ୍ରବାସୀମାନଙ୍କ ସଂଘର୍ଷକୁ ଚିତ୍ରଣ କରିବାକୁ ଯାଇଥିଲେ।
ଅଳ୍ପ କିଛି ସମୀକ୍ଷକ ଉଭା ହୋଇଥିବା ଏହି ସଙ୍କଟକୁ ଓଲଟା ସ୍ଥାନାନ୍ତରଣ ବୋଲି ବର୍ଣ୍ଣନା କରିଥିଲେ। ୧୯୪୭ ମସିହାରେ ରକ୍ତାକ୍ତ ବିଭାଜନ ସମୟରେ ଭାରତରେ ଯେଉଁ ସ୍ଥାନାନ୍ତରଣ ହୋଇଥିଲା ତାହାଠାରୁ ଏହା ବଡ଼ ବୋଲି ସମସ୍ତେ ସହମତ ହୋଇଥିଲେ।
ଏହି ତାଲାବନ୍ଦ ଘୋଷଣା ହେବା ସମୟରେ ସେଠାରେ ପ୍ରାୟ ୫୦୦ଜଣ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିଲେ। ଏପରି ଅନେକ ଜିଲ୍ଲା ଏବଂ ଅଞ୍ଚଳ ରହିଥିଲା ଯେଉଁଠାରୁ ଗୋଟିଏ ବି ମାମଲା ରିପୋର୍ଟ କରାଯାଇନଥିଲା। ଏପରିକି କୋଭିଡ୍ -୧୯ ପରୀକ୍ଷଣ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିଲା, ଏହା ସହିତ ବହୁତ ମୂଲ୍ୟବାନ ସମୟ ନଷ୍ଟ କରିସାରି, କେନ୍ଦ୍ର ସରକାର ଟେଷ୍ଟିଂ କିଟ୍ ଯୋଗାଡ କରିବା ପାଇଁ ଟେଣ୍ଡର ଓ କଣ୍ଟ୍ରାକ୍ଟ ପ୍ରକ୍ରିୟା କରିବା ସହ ନିୟମାବଳି ପ୍ରଣୟନ କରିବା ପାଇଁ ଅନେକ ସଂଘର୍ଷ କରିଥିଲେ।
ଏପ୍ରିଲ୍ ଶେଷ ସୁଦ୍ଧା, କୋଭିଡ୍ -୧୯ ମାମଲା ହଜାର ହଜାରେ ବୃଦ୍ଧି ପାଇ ଜୁନ୍ ଶେଷ ସୁଦ୍ଧା ଏକ ମିଲିୟନ୍ ଛୁଇଁଥିଲା। ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ଯାଇଥିଲା। ସେହି ସପ୍ତାହ ଶେଷ ସୁଦ୍ଧା, ଭାରତରେ ପ୍ରାୟ ୧୧ ନିୟୁତ କୋଭିଡ -୧୯ ମାମଲା ଏବଂ ୧୫୦,୦୦୦ ରୁ ଅଧିକ ମୃତ୍ୟୁ ରେକର୍ଡ ହୋଇଥିଲା। ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଛି - ଗରିବମାନଙ୍କୁ ଏହା ଏକ ଶକ୍ତ ଧକ୍କା, ବିଶେଷକରି କାର୍ଯ୍ୟ ଅନ୍ୱେଷଣରେ ଦାଦନ ଖଟିବାକୁ ଯାଉଥିବା ପ୍ରବାସୀମାନେ, ପ୍ରକୃତରେ ଯେଉଁମାନେ କି ମହାମାରୀ ପୂର୍ବରୁ ଏବଂ ସମୟରେ ଅତ୍ୟନ୍ତ ଦୁର୍ବଳ ଗୋଷ୍ଠୀ ଥିଲେ।
***
କୋରେତି କାଗଜନଗର ପ୍ରାୟ ଅପରାହ୍ନ ୪ ଟାରେ ଛାଡ଼ିବା କଥା ଓ ପ୍ରଥମ ଦିନ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବା କଥା ମନେ ରଖିଛନ୍ତି। ସେମାନଙ୍କ ଲଗେଜରେ ଏକ ହଳ ପୋଷାକ, କିଛି କିଲୋଗ୍ରାମ ଚାଉଳ ଏବଂ ମସୁର, ଲୁଣ, ଚିନି, ମସଲା, କିଛି ବିସ୍କୁଟ ପ୍ୟାକେଟ, କିଛି ବାସନ ଏବଂ ପାଣି ବୋତଲ ଥିଲା।
ବର୍ତ୍ତମାନ ସେ ସବୁ କିଛି ମନେ ରଖି ନାହାନ୍ତି - ସେହି ସମୟ, ତାରିଖ କିମ୍ବା ସ୍ଥାନଗୁଡ଼ିକ। ସେ କେବଳ କଷ୍ଟରେ ଚାଲିବା କଥା ମନେ ରଖିଛନ୍ତି।
ରାସ୍ତାରେ, ତିନିଜଣ ପରସ୍ପର ସହ କ୍ୱଚିତ୍ କଥା ହେଉଥିଲେ। କେତେବେଳେ କୋରେତି ଆଗରେ, କେତେବେଳେ ଅନ୍ୟ ଦୁଇଜଣଙ୍କ ପଛରେ ଚାଲୁଥିଲେ। ସେମାନେ ରାସ୍ତାରେ ବ୍ୟବହାର ପାଇଁ ସେମାନଙ୍କର ଜିନିଷ ଏବଂ ରାସନକୁ ମୁଣ୍ଡରେ ଓ ପିଠିରେ ବୋହି ନେଉଥିଲେ। ଯେଉଁଠାରେ ସେମାନେ ଏକ କୂଅ କିମ୍ବା ନଳକୂପ ଦେଖୁଥିଲେ, ସେମାନେ ନିଜକୁ ପର୍ଯ୍ୟାପ୍ତ ପରିମାଣରେ ହାଇଡ୍ରେଟ୍ ରଖିବା ପାଇଁ ନିଜ ପାଣି ବୋତଲ ଭର୍ତ୍ତି କରୁଥିଲେ।
ଟ୍ରାକ୍ ଆଗରେ ଏକ ରେଲୱେ ଆଶ୍ରୟସ୍ଥଳୀରେ ସେମାନେ ପ୍ରଥମ ବିରତି ନେଇଥିଲେ। ପ୍ରଥମ ସନ୍ଧ୍ୟାରେ ସେମାନେ ପ୍ରାୟ ପାଞ୍ଚ ଘଣ୍ଟା ଚାଲିଥିଲେ, ଖାଦ୍ୟ ରାନ୍ଧିଥିଲେ ଏବଂ ଏକ ଘାସ ଜମିରେ ଶୋଇପଡ଼ିଥିଲେ।
ପରଦିନ ଭୋରରୁ ସେମାନେ ପୁନର୍ବାର ଚାଲିବା ଆରମ୍ଭ କଲେ ଏବଂ ସୂର୍ଯ୍ୟଙ୍କର ଉତ୍ତାପ ଅଧିକ ହେବା ପର୍ଯ୍ୟନ୍ତ ସେମାନେ ଚାଲିବାକୁ ଲାଗିଲେ। ଟ୍ରାକ୍ ପାଖରେ, ଏକ ପଡିଆରେ ଥିବା, ଏକ ଗଛ ତଳେ, ସେମାନେ ଆଶ୍ରୟ ନେଇଥିଲେ। ସେମାନେ ସନ୍ଧ୍ୟା ହେବା ପରେ ପୁନର୍ବାର ଚାଲିଲେ, ନିଜେ ରାନ୍ଧିଥିବା ଡାଲି-ଭାତ ଖାଇଲେ, କିଛି ଘଣ୍ଟା ଶୋଇଲେ ଏବଂ ଭୋରରୁ ପୁନର୍ବାର ଯାତ୍ରା ଆରମ୍ଭ କଲେ, ସେପର୍ଯ୍ୟନ୍ତ ଚାଲୁଥିଲେ ଯେ ପର୍ଯ୍ୟନ୍ତ ସୂର୍ଯ୍ୟ ପୁନର୍ବାର ସେମାନଙ୍କ ମୁଣ୍ଡ ଉପରକୁ ଆସିନଥିଲେ। ତୃତୀୟ ରାତିରେ ସେମାନେ ମହାରାଷ୍ଟ୍ର ସୀମା ନିକଟ ମାକୋଡ଼ି ନାମକ ଏକ ସ୍ଥାନରେ ପହଞ୍ଚିଥିଲେ।
କୋରେତି କୁହନ୍ତି, ୨-୩ ଦିନ ପରେ, ସେମାନଙ୍କର ମୁଣ୍ଡ କିଛି କାମ କରୁନଥିଲା; ସେମାନେ କିଛି ଚିନ୍ତା କରିବା ଅବସ୍ଥାରେ ନଥିଲେ।
ଜସିନଗରକୁ ବାହାରିଥିବା ୧୭ ଜଣିଆ ପ୍ରଥମ ଦଳର ପ୍ରତିନିଧିତ୍ୱ କରିଥିବା କ୍ଷୁଦ୍ର ଚାଷୀ ହୁମରାଜ ଭୋୟାର କୁହନ୍ତି, "ରେଲୱେ ଟ୍ରାକ୍ର ଉଭୟ ପାର୍ଶ୍ୱରେ, ଅନେକ ଗ୍ରାମ, ହାମଲେଟ୍, ଟ୍ରେନ୍ ଷ୍ଟେସନ, ନଦୀ, ଜଙ୍ଗଲ ଦେଇ ଆମେ ଚାଲିବା ଜାରି ରଖିଥିଲୁ।"
ଏହି ଶ୍ରମିକମାନେ ଅଧିକାଂଶ ୧୮ ରୁ ୪୫ ବର୍ଷ ମଧ୍ୟରେ ଥିଲେ। ସେମାନେ ଚାଲିବାକୁ ସମର୍ଥ ଥିଲେ, କିନ୍ତୁ ଏହି କଠୋର ଖରାଦିନ ଏହାକୁ ଆହୁରି କଷ୍ଟକର କରିଦେଉଥିଲା।
ଛୋଟ ମାଇଲଖୁଣ୍ଟଗୁଡ଼ିକ ବଡ଼ ସଫଳତା ପରି ଲାଗୁଥିଲା। ଯେତେବେଳେ ସେମାନେ ମରାଠୀରେ ସାଇନବୋର୍ଡ ଦେଖିଲେ ସେମାନେ ଆନନ୍ଦ ଏବଂ ଆଶ୍ୱସ୍ତ ଅନୁଭବ କରିଥିଲେ - ସେମାନେ ମହାରାଷ୍ଟ୍ରରେ ଥିଲେ!
ହୁମରାଜ ମନେପକାଇ କୁହନ୍ତି, “ଆମେ ଭାବୁଥିଲୁ ବର୍ତ୍ତମାନ ଆମର ଆଉ କୌଣସି ଅସୁବିଧା ହେବ ନାହିଁ’’। କୋରେତି ଏବଂ ତାଙ୍କର ଦୁଇ ସାଥୀ ସମାନ ମାର୍ଗରେ ଯାଉଥିଲେ ଯାହାକୁ ହୁମରାଜଙ୍କ ଦଳ କିଛି ଦିନ ପୂର୍ବରୁ ପାର କରିଥିଲା ଏବଂ ସମାନ ସ୍ଥାନରେ ଅଟକିଥିଲେ।
କୋରେତି କୁହନ୍ତି "ଆମେ ମହାରାଷ୍ଟ୍ର ସୀମାରେ ଭିହିରଗାଓଁ ନାମକ ଏକ ସ୍ଥାନରେ ଅଟକିଲୁ ଏବଂ ପରଦିନ ମାଣିକଗଡ଼ରେ - ଚନ୍ଦ୍ରପୁର ଜିଲ୍ଲାର ଏହି ସ୍ଥାନ ଅନେକ ସିମେଣ୍ଟ କାରଖାନା ପାଇଁ ଜଣାଶୁଣା।
ପ୍ରତ୍ୟେକ ରାତିରେ ଚାଲିବା ସମୟରେ ଜହ୍ନ ଓ ତାରାଗୁଡ଼ିକ ସେମାନଙ୍କର ସାଥୀ ଥିଲେ।
ଚନ୍ଦ୍ରପୁର ଜିଲ୍ଲାର ବଲାରପୁର ରେଲୱେ ଷ୍ଟେସନରେ ସେମାନେ ସ୍ନାନ କରିଥିଲେ, ଦିନସାରା ଶୋଇଥିଲେ ଏବଂ ଭଲ ଭାବରେ ପେଟ ଭରି ଭୋଜନ କରିଥିଲେ। ରେଳ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକମାନେ ସେଠାରେ ଶହ ଶହ ସଂଖ୍ୟାରେ ଆସୁଥିବା ପ୍ରବାସୀମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ।
କୋରେତି କୁହନ୍ତି, “ଆସେଭାତଥୋଟେ, ପୁରାଦେଶଚଲନରହିଲା [ସତେ ଯେପରି ସମଗ୍ର ଦେଶ ଚାଲୁଛି]।" "ଆମେ ଏକା ନଥିଲୁ।” କିନ୍ତୁ ସେମାନେ ମହିଳା ଏବଂ ଶିଶୁଙ୍କର ଅବସନ୍ନତା, କ୍ଳାନ୍ତି ଓ ଅସହାୟତାକୁ ଦେଖି ଲଜ୍ଜ୍ୟା ଅନୁଭବ କରିଥିଲେ। ସେ ଆମ ସହ କଥା ହେବା ସମୟରେ ସେମାନଙ୍କୁ ଚାହିଁ କୁହନ୍ତି, “ମୁଁ ଖୁସି ଯେ ବେଦାନ୍ତୀ ଏବଂ ମୋ ପତ୍ନୀ ଶାମକଳା ଘରେ ସୁରକ୍ଷିତ ଥିଲେ।"
ପରବର୍ତ୍ତୀ ବିରତି ଚନ୍ଦ୍ରପୁର ସହରରେ ନେଇଥିଲୁ। ସେଠାରେ, ସେମାନେ ଏକ ରେଲୱେ ବ୍ରିଜ୍ ତଳେ ବିଶ୍ରାମ କରିଥିଲେ ଏବଂ ପରେ ଗୋଣ୍ଡିଆକୁ ଯାଇଥିବା ଟ୍ରାକରେ ଚାଲିବା ଆରମ୍ଭ କରିଥିଲେ। ସେମାନେ ଉଭୟ କେଲଜାର, ଚନ୍ଦ୍ରପୁର ଜିଲ୍ଲାର ଟାଇଗର ଟେରିଟୋରି ଅଂଚଳର ମଝିରେ ଥିବା ଏକ ମଫୁସିଲ୍ ଷ୍ଟେସନ୍ ଏବଂ ପରେ ମଲ୍ ଦେଇ ଯାଇଥିଲେ। କୋରେତି କୁହନ୍ତି “କେଲଜାର ଏବଂ ମଲ୍ ମଝିରେ ଆମେ ଏକ ଚିତାବାଘ ଦେଖିଥିଲୁ। ଆମେ ଏକ ଜଳାଶୟ ନିକଟରେ ବସିଥିଲୁ ଯେଉଁଠାକୁ ମଧ୍ୟରାତ୍ରିରେ ଏହା ପାଣି ପିଇବାକୁ ଆସିଥିଲା।" କଥାବାର୍ତ୍ତା କରିବା ସମୟରେ ତାଙ୍କୁ ପଛରୁ ଧ୍ୟାନର ସହ ଶାମକଳା ଦେଖୁଥିଲେ ଓ ତାଙ୍କ ସ୍ୱାମୀଙ୍କୁ ଜୀବନ୍ତ ଘରକୁ ପଠାଇଥିବାରୁ ଭଗବାନଙ୍କୁ କୃତଜ୍ଞତା ପ୍ରଦାନ କରୁଥିଲେ। ସେ କୁହନ୍ତି, "ଚିତାବାଘଟି ଘଞ୍ଚ ବୁଦା ଭିତରକୁ ଦୌଡି ପଳାଇଲା।" ସେମାନେ ଜୀବନ ବିକଳରେ ଦ୍ରୁତ ଗତିରେ ଚାଲିଥିଲେ।
କେଲଜାର ପରେ ସେମାନେ ଟ୍ରାକ ଛାଡ଼ି ରାସ୍ତାରେ ଯିବା ଆରମ୍ଭ କରିଥିଲେ।
ଏହି ତିନିଜଣ ବ୍ୟକ୍ତି - ବିଶେଷକରି ବୟସ୍କ ବ୍ୟକ୍ତି ହୋଦିକର ଚନ୍ଦ୍ରପୁର ଜିଲ୍ଲାର ତହସିଲ ସହର ବ୍ରହ୍ମପୁରୀରେ ପହଞ୍ଚିବା ପରେ ଥକି ଯାଇଥିଲେ, ଯେଉଁଠାରୁ ସେମାନେ ଗଡଚିରୋଲିର ୱାଡସା ଅଭିମୁଖେ ଯାତ୍ରା କରିଥିଲେ ଏବଂ ପରେ ଜସିନଗର ପାଇଁ ଏକ ବଙ୍କାରାସ୍ତାରେ ଯାଇଥିଲେ। ସେପ୍ଟେମ୍ବର ମାସରେ ଯେତେବେଳେ ଆମେ ସେମାନଙ୍କୁ ଦେଖା କରିଥିଲୁ ସେତେବେଳେ ହୋଦିକର ଗାଁରେ ନଥିଲେ। ପରବର୍ତ୍ତୀ ସମୟରେ, ଆମେ ଗୋଷ୍ଠୀ ସହିତ ନିୟମିତ ଯୋଗାଯୋଗରେ ରହିଥିଲୁ।
କୋରେତି କୁହନ୍ତି, "ଆମେ ମୁଲରେ ପହଞ୍ଚିବା ପରେ," "ସ୍ଥାନୀୟ ଲୋକ ଆମ ଭଳି ଲୋକମାନଙ୍କ ପାଇଁ ପ୍ରସ୍ତୁତ କରିଥିବା ଆଶ୍ରୟସ୍ଥଳୀରେ ଭଲ ଖାଦ୍ୟ ଖାଇବାକୁ ପାଇଥିଲୁ।" ମଇ ମାସ ୩ ତାରିଖ, ଚତୁର୍ଦ୍ଦଶ ଦିନ, ଯେତେବେଳେ ସେମାନେ ଶେଷରେ ଜସିନଗରରେ ପହଞ୍ଚିଥିଲେ ଓ ଗ୍ରାମବାସୀମାନେ ସେମାନଙ୍କୁ ସ୍ୱାଗତ କରିଥିଲେ, ଏହା ଏକ ବଡ଼ ସଫଳତା ଭଳି ଲାଗିଥିଲା।
ସେମାନଙ୍କର ଫୁଲିଯାଇଥିବା ଗୋଡ଼ ଭଲ ହେବା ପାଇଁ ଅନେକ ଦିନ ଲାଗିଗଲା।
ଶାମକଳା କୁହନ୍ତି, "ଜବାପରୟାନ୍ତି ହେ ଲୋଗଘରିପୋହୋଚଲେନାଭହତେ, ଆମହାଲାଗିତ୍ ଟେନସନ୍ ହୋତେ (ଏହି ପୁରୁଷମାନେ ଘରକୁ ନଆସିବା ପର୍ଯ୍ୟନ୍ତ ଆମେ ବହୁତ ଟେନସନରେ ଥିଲୁ)।" ଆମେ ମହିଳାମାନେ ପରସ୍ପର ସହ ବାରମ୍ବାର କଥା ହୋଇଥାଉ ଏବଂ ସେମାନଙ୍କ ବନ୍ଧୁମାନଙ୍କ ସହ ଫୋନରେ କଥା ହୋଇ ସେମାନଙ୍କ ସ୍ଥିତି ବିଷୟରେ କିଛି ଜାଣିଛନ୍ତି କି ନାହିଁ ପଚାରିଥାଉ।"
କୋରେତି କୁହନ୍ତି, “ଯେତେବେଳେ ମୁଁ ବେଦାନ୍ତୀଙ୍କୁ ଦେଖିଲି ମୁଁ କାନ୍ଦି ପକାଇଥିଲି।" ମୁଁ ତାଙ୍କୁ ଏବଂ ମୋ ପତ୍ନୀଙ୍କୁ ଦୂରରୁ ଦେଖି ସେମାନଙ୍କୁ ଘରକୁ ଯିବାକୁ କହିଥିଲି।” ସେ ଅନ୍ୟମାନଙ୍କ ସଂଶ୍ପର୍ଶରୁ ଦୂରେଇ ରହିବା ଆବଶ୍ୟକ ଥିଲା। ଦୁଇଟି ସ୍କୁଲ, ମଝିରେ ଏକ ବଡ଼ ପଡିଆ ଏବଂ ସମସ୍ତ ଗ୍ରାମ ପଞ୍ଚାୟତ କୋଠା ଘରଗୁଡ଼ିକ ପ୍ରବାସୀମାନଙ୍କ ଏକ ୧୪ ଦିନିଆ ଏକାନ୍ତବାସ ପାଇଁ ଖୋଲାଯାଇଥିଲା। କେତେକ କ୍ଷେତ୍ରରେ ସରକାରୀ ନିର୍ଦ୍ଦେଶନାମା ବଦଳାଇ ୭-୧୦ ଦିନକୁ ହ୍ରାସ କରାଯାଇଥିଲା ଏବଂ ସମ୍ଭବତଃ କେତେକ ପ୍ରତ୍ୟାବର୍ତ୍ତନକାରୀ ସେମାନଙ୍କର ଏକାକୀ ଯାତ୍ରା ସମୟରେ ଅନ୍ୟମାନଙ୍କ ସଂସ୍ପର୍ଷର ବହୁତ କମ୍ ଆସିଥିଲେ।
ସେହି ଦିନ ରାତିରେ, ଗ୍ରାମର ବିଦ୍ୟାଳୟରେ ଯେଉଁଠାରେ ସେ ଏକ ସପ୍ତାହ ପୃଥକ ଭାବରେ ବିତାଇଥିଲେ, କୋରେତି ଅନେକ ସପ୍ତାହ ପରେ ପ୍ରଥମ ଥର ପାଇଁ ଭଲ ନିଦରେ ଏବଂ ଶାନ୍ତିରେ ଶୋଇଥିଲେ। ଏହା ଥିଲା, ବହୁ ପ୍ରତିକ୍ଷିତ ଘର ବାହୁଡ଼ା।
***
ଜସିନଗରର, ପ୍ରକୃତ ନାମ ତାମ୍ବୋରା ଅଟେ, ବର୍ତ୍ତମାନ ୨,୨୦୦ ଜନସଂଖ୍ୟା ବିଶିଷ୍ଟ ଏକ ବଡ଼ ଗ୍ରାମ ଅଟେ (୨୦୧୧ ଜନଗଣନା ଅନୁସାରେ ୧୯୨୮ ଥିଲା)। ୧୯୭୦ ମସିହାରେ ଇତିଦୋହ ଜଳସେଚନ ପ୍ରକଳ୍ପରେ ପ୍ରକୃତ ବସତି ଜଳମଗ୍ନ ହେବା ପରେ ଏହି ନୂତନ ସ୍ଥାନରେ ବସତିଟି ପୁନଃସ୍ଥାପନ କରାଯାଇଥିଲା। ପାଞ୍ଚ ଦଶନ୍ଧି ପରେ, ନୂତନ ପିଢ଼ି ଏହି ସ୍ଥାନ ପରିତ୍ୟାଗ କରିଥାଇ ପାରିଥାନ୍ତି, କିନ୍ତୁ ବଳପୂର୍ବକ ବିସ୍ଥାପନ ପରେ ଯେଉଁ ପୁରୁଣା ଅଧିବାସୀମାନେ ଏଠାରେ ରହିଗଲେ ସେମାନେ ଏବେବି ବହୁଦିନ ଧରି ରହିଆସିଥିବା ପୁନର୍ବାସ ଓ ପୁର୍ନଥଇଥାନ ସମସ୍ୟା ସହ ସଂଘର୍ଷ କରିଆସୁଛନ୍ତି।
ଗୋଣ୍ଡିଆ ଜିଲ୍ଲାର ଅର୍ଜୁନି ମୋର୍ଗାଓନ୍ ତହସିଲରେ ଥିବା ନାଭେଗାଓଁ ଅଭୟାରଣ୍ୟକୁ ଘେରି ରହିଥିବା ଜଙ୍ଗଲଠାରୁ ବହୁ ଦୂରରେ ଥିବା ଜସିନଗରରେ ଗ୍ରୀଷ୍ମ ଋତୁରେ ପାନୀୟ ଜଳର ଅଭାବ ଦେଖାଦିଏ। ଏହାର କୃଷକମାନେ ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଶେଷ ହେବାକୁ ଅପେକ୍ଷା କରିଛନ୍ତି। ଗାଁରେ ଧାନ, ଡାଲି ଏବଂ କିଛି ଅନ୍ୟାନ୍ୟ ଶସ୍ୟ ଉତ୍ପାଦନ କରାଯାଇଥାଏ।
ଜସିନଗରରୁ ପ୍ରତିବର୍ଷ ୨୫୦ ରୁ ୩୦୦ ପୁରୁଷ ଏବଂ ମହିଳା କାର୍ଯ୍ୟ ଅନ୍ୱେଷଣରେ ଦୂର ସ୍ଥାନକୁ ଯାଇଥାନ୍ତି। ପ୍ରଥମ ଦଳ ଆସିବାପରେ ଗାଁର କୋଭିଡ ମ୍ୟାନେଜମେଣ୍ଟ କମିଟି ଦ୍ୱାରା ଏପ୍ରିଲ ମାସରେ ପ୍ରବାସୀମାନଙ୍କର ପ୍ରସ୍ତୁତ ତାଲିକାରୁ ଏହା ସ୍ପଷ୍ଟ ଥିଲା ଯେ ସେମାନେ ପାଖାପାଖି ଦୁଇ ଡର୍ଜନ ସ୍ଥାନକୁ କାର୍ଯ୍ୟ ଅନ୍ୱେଷଣରେ ଯାଇଥାନ୍ତି- ଗୋଆରୁ ଚେନ୍ନାଇ ଏବଂ ହାଇଦ୍ରାବାଦରୁ କୋହ୍ଲାପୁର ଏବଂ ଅନ୍ୟାନ୍ୟ ସ୍ଥାନ- ଯାହା ସାତୋଟି ରାଜ୍ୟରେ ବ୍ୟାପି ଥିଲା। ଲୋକମାନେ କୃଷିକ୍ଷେତ୍ର, କାରଖାନା, କାର୍ଯ୍ୟାଳୟ, ରାସ୍ତା ନିର୍ମାଣ କାମ କରିବାକୁ ଯାଇ ଘରକୁ ଟଙ୍କା ପଠାଇଥାନ୍ତି।
ପୂର୍ବାଞ୍ଚଳ ବିଦର୍ଭାର ଧାନ ଉତ୍ପାଦନ କରୁଥିବା ଜିଲ୍ଲା ଭଣ୍ଡାରା, ଚନ୍ଦ୍ରପୁର, ଗଡ଼ଚିରୋଲି ଏବଂ ଗୋନ୍ଦିୟା ହେଉଛି ବାହ୍ୟ-ସ୍ଥାନାନ୍ତରଣର କେନ୍ଦ୍ର। ପୁରୁଷ ଏବଂ ମହିଳା କେରଳର ଧାନ କ୍ଷେତରେ କିମ୍ବା ପଶ୍ଚିମ ମହାରାଷ୍ଟ୍ରର ଆଖୁ କିମ୍ବା କଟନ୍ ମିଲ୍ରେ କାମ କରିବାକୁ ଅନେକ ଦୂରରୁ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ବିଗତ ୨୦ ବର୍ଷ ମଧ୍ୟରେ ଦେଖାଦେଇ ଥିବା ଶ୍ରମିକ କଣ୍ଟ୍ରାକ୍ଟରଙ୍କ ଶୃଙ୍ଖଳା ମାଧ୍ୟମରେ ଆଣ୍ଡାମାନକୁ ଯାଇଥାନ୍ତି।
ଭଣ୍ଡାରା ଏବଂ ଗୋନ୍ଦିୟା ପରି ଜିଲ୍ଲାଗୁଡ଼ିକରୁ ସ୍ଥାନାନ୍ତରଣ ହେବାର କାରଣଗୁଡ଼ିକ ମଧ୍ୟରେ ଏକକ ଫସଲ ଚାଷ ପ୍ରଣାଳୀ ଏବଂ ଶିଳ୍ପ ଉଦ୍ୟୋଗର ଅଭାବ ମୁଖ୍ୟ ଅଟେ। ଖରିଫ ଋତୁ ସରିବା ପରେ, ଭୂମିହୀନ ଏବଂ କ୍ଷୁଦ୍ର କୃଷକ, ଯେଉଁମାନଙ୍କ ସଂଖ୍ୟା ଅଧିକ ଅଟେ, ସେମାନେ ଅବଶିଷ୍ଟ ଅଧା ବର୍ଷ ଚଳିବା ପାଇଁ ନିଜ ଅଂଚଳରେ ଛୋଟ କାମ ଖୋଜିଥାନ୍ତି।
ପଡୋଶୀ ଧାବେ-ପାଓନି ଗାଁର ଜଣେ ବଡ଼ ଜମି ମାଲିକ ତଥା ବନ୍ୟଜନ୍ତୁ ସଂରକ୍ଷଣ କର୍ମୀ ଭୀମସେନ ଡୋଙ୍ଗରୱାର କୁହନ୍ତି, "ଏହି ଅଞ୍ଚଳରୁ ବହୁ ସଂଖ୍ୟାକ ଲୋକମାନେ ସ୍ଥାନାନ୍ତର ହୁଅନ୍ତି,"। ସ୍ଥାନାନ୍ତରଣ ବୃଦ୍ଧି ପାଉଥିଲା"[ମହାମାରୀ ପୂର୍ବରୁ ବର୍ଷ ବର୍ଷ ଧରି] ।” ଯେଉଁମାନେ ସ୍ଥାନାନ୍ତରିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ, କ୍ଷୁଦ୍ର ଏବଂ ସାମୟିକ କୃଷକ ଥିଲେ, ନିଯୁକ୍ତି ଚାପରେ- ଏବଂ ବାହାରେ ଅପେକ୍ଷାକୃତ ଭଲ ବେତନ ମିଳୁଥିବାରୁ ଆକର୍ଷିତ ହେଉଥିଲେ।
ଆଶ୍ଚର୍ଯ୍ୟଜନକ ଭାବରେ - ଏବଂ ସୌଭାଗ୍ୟବଶତଃ - ଦୂର ତଥା ପାଖରୁ ସମସ୍ତ ପ୍ରବାସୀ ଶ୍ରମିକ ଘରକୁ ଫେରିଆସିଥିଲେ, ମହାମାରୀ ସମୟରେ ଜସିନଗର କୌଣସି କୋଭିଡ୍ -୧୯ ସଂକ୍ରମଣ ବିନା ନୂତନ ବର୍ଷରେ ପଦାର୍ପଣ କରିଥିଲା-ଏପର୍ଯ୍ୟନ୍ତ।
ଗ୍ରାମର କୋଭିଡ ସମନ୍ୱୟ କମିଟିର ସଦସ୍ୟ ଭିକି ଆରୋରା କୁହନ୍ତି, "ଏପ୍ରିଲ ଶେଷ ଭାଗରୁ ଏପର୍ଯ୍ୟନ୍ତ ଆମର ଗୋଟିଏ ବି ଦିନ ବିନା ସମସ୍ୟାରେ କଟି ନାହିଁ।" ଜଣେ ପୂର୍ବତନ ସରପଞ୍ଚଙ୍କ ପୁଅ ତଥା ଜଣେ ସକ୍ରିୟ ସାମାଜିକ ତଥା ରାଜନୈତିକ କର୍ମୀ, ସେ ଆମକୁ ସୂଚନା ଦେଇଛନ୍ତି ଯେ ତାଲାବନ୍ଦ ସମୟରେ ବାଧ୍ୟତାମୂଳକ ଏକାନ୍ତବାସରେ ଥିବା ଶ୍ରମିକଙ୍କର ଯତ୍ନ ନେବା ପାଇଁ ଗ୍ରାମବାସୀ ଟଙ୍କା ଜମା କରିଥିଲେ।
"ଆମେ ସୁନିଶ୍ଚିତ କରିଥିଲୁ ଯେ ବିନା ଅନୁମତିରେ କୌଣସି ବାହାର ଲୋକ ଯେପରି ଗାଁରେ ପ୍ରବେଶ କରିପାରିବେ ନାହିଁ। ପ୍ରବାସୀଙ୍କ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକତା, ସେମାନଙ୍କ ରହିବା ବ୍ୟବସ୍ଥା ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଏବଂ କୋଭିଡ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଗ୍ରାମବାସୀ କରୁଥିଲେ" ବୋଲି ଆରୋରା ଆମକୁ କୁହନ୍ତି। "ସରକାରଙ୍କଠାରୁ ଗୋଟିଏ ଟଙ୍କା ମଧ୍ୟ ଆସିନାହିଁ। ”
ସେମାନେ ସଂଗ୍ରହ କରିଥିବା ପାଣ୍ଠିରୁ ଗ୍ରାମବାସୀ ସାନିଟାଇଜର, ସାବୁନ୍, ଟେବୁଲ୍ ଫ୍ୟାନ୍, ଶଯ୍ୟା ଏବଂ ଏକାନ୍ତ ବାସ କେନ୍ଦ୍ରରେ ରହୁଥିବା ଲୋକମାନଙ୍କ ପାଇଁ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ।
ଆମର ସେପ୍ଟେମ୍ବର ମାସର ଜସିନଗର ଗସ୍ତ ସମୟରେ, ଗୋଆରୁ ଘରକୁ ଫେରିଥିବା ଚାରିଜଣ ଯୁବକ ପ୍ରବାସୀଙ୍କୁ ଏକ ଖୋଲା ଥିଏଟରରେ ରଖାଯାଇଥିଲା ଓ ଗ୍ରାମ ପଞ୍ଚାୟତ ଲାଇବ୍ରେରୀ ଦ୍ୱାରା ତଦାରଖ କରାଯାଉଥିଲା।
ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଲେ, “ଆମେ ତିନି ଦିନ ପୂର୍ବରୁ ଫେରି ଆସିଥିଲୁ।" "ଆମେ ଆମର ପରୀକ୍ଷା କରାଇବାକୁ ଅପେକ୍ଷା କରିଛୁ। ”
କିଏ ପରୀକ୍ଷା କରିବେ ବୋଲି ଆମେ ପଚାରିଲୁ।
ଆରୋରା ଆମକୁ ସୂଚନା ଦେଇ କହିଲେ, "ଗୋନ୍ଦିୟା ସ୍ୱାସ୍ଥ୍ୟ ବିଭାଗକୁ ଖବର କରାଯାଇଛି।" "ଗ୍ରାମବାସୀଙ୍କୁ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେବାକୁ ପଡ଼ିବ କିମ୍ବା ସ୍ୱାସ୍ଥ୍ୟ ବିଭାଗ କୋଭିଡ -୧୯ ପରୀକ୍ଷା କରିବା ପାଇଁ ଏକ ଦଳ ପଠାଇବେ, ଫଳାଫଳ ଆସିବାପରେ ହିଁ ସେମାନେ ଘରକୁ ଯାଇପାରନ୍ତି।" ସମସ୍ତ ଚାରିଜଣ ମାର୍ଗାଓର ଏକ ଷ୍ଟିଲ୍ ରୋଲିଂ ମିଲରେ କାମ କରନ୍ତି ଏବଂ ଏକ ବର୍ଷ ପରେ ଛୁଟିରେ ଘରକୁ ଫେରିଛନ୍ତି। ତାଲାବନ୍ଦ ସମୟରେ, ସେମାନେ ସେମାନଙ୍କର କାରଖାନା ପରିସରରେ ରହୁଥିଲେ - ଏବଂ କାର୍ଯ୍ୟ କରୁଥିଲେ।
***
ବର୍ତ୍ତମାନ, ଜସିନଗର କାମର ଅଭାବ ସହିତ ସଂଘର୍ଷ କରୁଛି। ପଞ୍ଚାୟତରେ ପ୍ରତ୍ୟେକ ଦିନ ବୈଠକ କରାଯାଉଛି। ଲକ୍ଷ୍ମଣ ଶାହରେ କୁହନ୍ତି, ଗତ କିଛି ମାସ ମଧ୍ୟରେ କାଗଜନଗରରୁ କୋରେତି ଏବଂ ଅନ୍ୟ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ପରେ କେବଳ କିଛି ଶ୍ରମିକ ଗାଁରୁ ବାହାରକୁ ଯାଇଛନ୍ତି।
୫୧ ବର୍ଷୀୟ ଜସିନଗର ଗ୍ରାମ ସେବକ ସିଦ୍ଧାର୍ଥ ଖଡସେ କୁହନ୍ତି,"ଆମେ କାର୍ଯ୍ୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ।" "ସୌଭାଗ୍ୟବଶତଃ, ଚଳିତ ବର୍ଷ ଭଲ ବର୍ଷା ହୋଇଥିଲା ଏବଂ କୃଷକମାନେ ଭଲ ଅମଳ କରିଥିଲେ। [ଯଦିଓ ଅନେକଙ୍କ ପାଇଁ ଏକ କୀଟଙ୍କ ଆକ୍ରମଣ ଏକ ସଫଳ ଖରିଫ୍ ଅମଳ ନଷ୍ଟ କରିଦେଇଥିଲା]। କିନ୍ତୁ ଗାଁ ପଞ୍ଚାୟତ ରୋଜଗାର ସୃଷ୍ଟି କରିବା ଆବଶ୍ୟକ ଯାହାଦ୍ୱାରାକି କିଛି ପ୍ରବାସୀ ରହିଲେ ଆମେ ସେମାନଙ୍କୁ ରୋଜଗାର ଦେଇପାରିବୁ।”
ଶାହରେ ଏବଂ କୋରେତିଙ୍କ ସମେତ କିଛି ଗ୍ରାମବାସୀ ଅନ୍ୟ, ସାମୂହିକ ବିକଳ୍ପଗୁଡିକ ଅନୁସନ୍ଧାନ କରିଥିଲେ। ରବି ବିହନ ବୁଣିବା ପାଇଁ ସେମାନେ ପ୍ରାୟ ୧୦ ଏକର ଜମି ଯୋଗାଡ଼ କରିଥିଲେ। ଏହା ସାହାଯ୍ୟ କରିବ ହେଲେ, ଗାଁରେ ଆବଶ୍ୟକତାଠାରୁ ବହୁତ କମ୍ କାମ ଅଛି - ଏବଂ ୨୦୨୧ ମସିହାର ଶୀତ ପୂର୍ବରୁ ଅନେକ ଲୋକ କାମ ଅନ୍ୱେଷଣରେ ବାହାରକୁ ଚାଲିଯିବେ।
କୋରେତି କୁହନ୍ତି, “ମୁଁ ଚଳିତ ବର୍ଷ ବାହାରକୁ ଯିବି ନାହିଁ, ଯଦିଓ ଏହାର ଅର୍ଥ ଦୁର୍ଦ୍ଦିନରେ ବଞ୍ଚିବା।" ମହାମାରୀ ବଢ଼ିବାର ଭୟ ଏବେ ବି ଲାଗିରହିଛି, ଏହି ଧାରଣା ଜସିନଗରର ସମସ୍ତ ପ୍ରବାସୀଙ୍କ ମନରେ ରହିଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ୨୦୨୦ ମସିହା ଅକ୍ଟୋବର ମାସ ସୁଦ୍ଧା ସ୍ଥାନାନ୍ତର ହେବା ଆରମ୍ଭ କରିଦେଇଥାନ୍ତେ।
ଶାହରେ ନିଜ ଚେୟାରରେ ଆଉଜି କୁହନ୍ତି, "ଚଳିତ ବର୍ଷ ମଧ୍ୟ କେହି ବି ଯିବେ ନାହିଁ।" "ଆମେ ଆମର ସଞ୍ଚୟ ଏବଂ ସ୍ଥାନୀୟ ଚାଷ କାର୍ଯ୍ୟରୁ ବଞ୍ଚିବୁ।"ଗତ ଗ୍ରୀଷ୍ମର କ୍ଷତ ଏବେ ବି ଆଘାତ ଦେଉଛି। ମିଲ୍ ମାଲିକ ମୋତେ ଲୋକମାନଙ୍କୁ ଫେରାଇ ଆଣିବାକୁ କହୁଛନ୍ତି, କିନ୍ତୁ ଆମେ ଯାଉ ନାହୁଁ।"
ଅନୁବାଦ : ଓଡ଼ିଶାଲାଇଭ୍