ସାବୁନ ଫେଣ ଭର୍ତ୍ତି ଗରମ ପାଣିରେ ଭିଜୁଥିବା ଗୋଟିଏ କମ୍ବଳକୁ ଏକଲୟରେ ପାଦରେ ମାଡ଼ି ଚାଲିଛନ୍ତି ଯୁବକ ତାଲବ ହୁସେନ୍। ଲାଗୁଛି, ସତେ ଅବା ସେ ନାଚୁଛନ୍ତି; ଆଉ ତାଙ୍କ ଓଠରେ ଫୁଟି ଉଠୁଛି ଏକ ଦୀର୍ଘ ସ୍ମିତହାସ୍ୟ। ତାଙ୍କ ଆଗରେ ଥିବା ଗଛ ଉପରେ ଭରା ଦେଇ ସେ କହନ୍ତି, “ନିଜ ଶରୀରର ଭାରସାମ୍ୟ ରଖି, ଭିଜା ଯାଇଥିବା କମ୍ବଳ ଉପରେ ଆପଣଙ୍କୁ ଠିଆ ହେବାକୁ ପଡ଼ିବ।” କମ୍ବଳ ଭିଜୁଥିବା ସେହି ବଡ଼ ଘମେଲା (କୁଣ୍ଡ)ରେ ଆହୁରି ଅଧିକ ଗରମ ସାବୁନ ପାଣି ଢାଳିବାରେ ଲାଗିଥାଆନ୍ତି ଆଉ ଜଣେ ବ୍ୟକ୍ତି।

ଏ ହେଉଛି ଜାମ୍ମୁର ସାମ୍ବା ଜିଲ୍ଲାର ଗୋଟିଏ ଛୋଟ ବକରୱାଲ ଶିବିରରେ ଅନ୍ଧକାରମୟ ଏକ ଶୀତ ରାତିର କଥା। ନିକଟବର୍ତ୍ତୀ ଏକ ଅସ୍ଥାୟୀ କାଠଚୁଲିର ନିଆଁରୁ ହିଁ ଯାହା କିଛି ଆଲୋକ ବାହାରି ଆସୁଥିଲା। ସେହି ଚୁଲିରେ ବସିଥିବା ପାତ୍ରରେ ସଦ୍ୟ ପ୍ରସ୍ତୁତ ଉଲ୍ ତିଆରି କମ୍ବଳ ସଫା କରିବା ପାଇଁ ଲାଗୁଥିବା ପାଣି ଫୁଟୁଥିଲା।

ଉଲ୍ କାରିଗରୀ ନିମନ୍ତେ ସୁପରିଚିତ ମିଘ୍ ଏବଂ ମିଂଘ୍ ଅଧିସୂଚିତ ଜନଜାତି ସଂପ୍ରଦାୟର ସଦସ୍ୟମାନେ ଏହି ଉଲ୍ କମ୍ବଳ ତିଆରି କରିଥାଆନ୍ତି। ଥରେ କମ୍ବଳ ତିଆରି ହୋଇଗଲେ, ବକରୱାଲ ପୁରୁଷମାନେ ସେଗୁଡ଼ିକୁ ଧୋଇ ଶୁଖାଇ ଦିଅନ୍ତି। ସାଧାରଣତଃ ବକରୱାଲ ମହିଳାମାନେ କମ୍ବଳ ପାଇଁ ଆବଶ୍ୟକ ସୂତା ଏବଂ ତନ୍ତ ପ୍ରସ୍ତୁତ କରନ୍ତି ଏବଂ ବକରୱାଲ ପରିବାର ଲୋକେ ନିଜ ନିଜ ଘରେ ତନ୍ତରେ ରଙ୍ଗ ଦେଇଥାଆନ୍ତି।

Talab Hussain (left) stomping on a traditional woollen blanket in Samba district of Jammu
PHOTO • Ritayan Mukherjee
Bakarwal men (right) washing and drying the blankets.
PHOTO • Ritayan Mukherjee

ପ୍ରସ୍ତୁତି ପରେ କମ୍ବଳକୁ ବକରୱାଲ ପୁରୁଷମାନେ (ଡାହାଣ) ଧୋଉଛନ୍ତି ଏବଂ ଶୁଖାଉଛନ୍ତି ଜାମ୍ମୁର ସାମ୍ବା ଜିଲ୍ଲାରେ ଗୋଟିଏ ପାରମ୍ପରିକ ଉଲ୍ ତିଆରି କମ୍ବଳକୁ ପାଦରେ ମାଡୁଛନ୍ତି (ବାମ) ତାଲବ ହୁସେନ

ଜାମ୍ମୁ ଜିଲ୍ଲାର ପରଗାଲତା ଗାଁରେ ସ୍ଥାପିତ ଏକ ଶିବିରରେ ରହନ୍ତି ଖଲିଲ ଖାନ୍। ଯୁବ ବକରୱାଲ କହନ୍ତି ଯେ, ଏହିଭଳି ଏକ କମ୍ବଲ (କମ୍ବଳ) ତିଆରି କରିବାରେ ବହୁ ସମୟ ଲାଗେ ଏବଂ କଠିନ ପରିଶ୍ରମ କରିବାକୁ ପଡ଼େ ସତ, ହେଲେ ଏହା ଦୀର୍ଘ ଦିନ ଧରି ବ୍ୟବହାର କରାଯାଇ ପାରୁଥିବା କଥା ବିଚାରକୁ ନେଲେ ଏହା ଖୁବ୍ ଶସ୍ତାରେ ମିଳେ। ପରଗାଲତା ନିକଟ ଏକ ନଦୀଶଯ୍ୟାର ଉପରମୁଣ୍ଡରେ ସ୍ଥାପିତ ଛୋଟ ଶିବିରରେ ରହନ୍ତି ମହମ୍ମଦ କାଲୁ। ତାଙ୍କର ଛୋଟ ପୁଅ ଶୋଇଥିବା ଏକ ପୁରୁଣା କମ୍ବଳକୁ ଦେଖାଇ ସେ କହନ୍ତି, “ଆପଣ ତା’କୁ (କମ୍ବଳକୁ) ଦେଖୁଛନ୍ତି ? ଜଣେ ମଣିଷ ଯେତେ ଦିନ ଯାଏ ବଞ୍ଚିଥିବ କିମ୍ବା ତା’ଠାରୁ ଆହୁରି ଅଧିକ ଦିନ ଚାଲିବ। କିନ୍ତୁ ବଜାରରୁ କିଣାଯାଉଥିବା ଆକ୍ରାଇଲିକ୍ ଉଲ୍ ବା କୃତ୍ରିମ ଉଲ୍‌ରେ ତିଆରି କମ୍ବଳଟିଏ ବର୍ଷ କେଇଟା ବି ଯିବ କି ନାହିଁ।” କଥା ଯୋଡ଼ି ସେ ଆହୁରି କହନ୍ତି ଯେ, ପଚିମ୍ (ଆକ୍ରାଇଲିକ୍ ଉଲ୍)ରୁ ତିଆରି କମ୍ବଳ ଥରେ ଯଦି ଓଦା ହୋଇଯିବ, ଶୁଖିବାକୁ ବହୁ ଦିନ ଲାଗେ। କିନ୍ତୁ ଖାଣ୍ଟି ଉଲ୍ ତିଆରି କମ୍ବଳ ଏଭଳି ହୁଏ ନାହିଁ। ପଶୁପାଳକ ଖଲିଲ ଓ କାଲୁ କହନ୍ତି, “ଶୀତଦିନେ କୃତ୍ରିମ ଉଲ୍ ତିଆରି କମ୍ବଳ ବ୍ୟବହାର କଲେ ଆମ ପାଦ ପୋଡ଼ିଯାଏ ଏବଂ ଦେହ ଦରଜ ହୁଏ।”

*****

କେବଳ କମ୍ବଳ ନୁହେଁ, ପଶୁଙ୍କ ଶରୀରରୁ ବାହାର କରାଯାଉଥିବା ଉଲ୍‌ରେ ନାମଦା ନାଁରେ ପରିଚିତ ମୋଟା ଉଲ୍‌ରେ ବୁଣା ଏବଂ ରଙ୍ଗିନ ଏମ୍ବ୍ରଡୋରୀ ବା ଫୁଲପକା ହାତକାମରେ ସଜ୍ଜିତ ଗାଲିଚା କିମ୍ବା ଚଟେଇ ବି ତିଆରି ହୁଏ। ସେମାନେ ତାରୁ ବା ଛୋଟ ଛୋଟ କମ୍ବଳ ବି ତିଆରି କରନ୍ତି। ଏଗୁଡ଼ିକ ରେଜେଇ ଭାବରେ ବ୍ୟବହୃତ ହୁଏ ଏବଂ ଉପହାର ରୂପରେ ଦିଆଯାଇପାରେ। ଏଗୁଡ଼ିକରେ ବି ମହିଳାମାନେ ଏମ୍ବ୍ରଡୋରୀ କରି ଫୁଲପକାନ୍ତି ଏବଂ ଏହି କାମରେ ପ୍ରତି ପରିବାର ଏବଂ ଗୋଷ୍ଠୀର ନିଜ ନିଜର ସ୍ୱତନ୍ତ୍ର ଶୈଳୀ ରହିଛି।

ତାଲବ ହୁସେନଙ୍କ ସହିତ ଗୋଟିଏ ଶିବିରରେ ରହୁଥିବା ଜରିନା ବେଗମ୍ କହନ୍ତି, “ମୁଁ ଗୋଟିଏ ରେଜେଇ ଉପରେ ଆଖି ପକାଇ ଏହା କେଉଁ ପରିବାରର କାମ ବୋଲି କହିପାରିବି।” ତାଙ୍କ କହିବା ଅନୁସାରେ ଗୋଟିଏ କମ୍ବଳ ତିଆରି କରିବା ଲାଗି ୧୫ ଦିନ ଲାଗିଯାଏ।

ସେମାନଙ୍କ ସଂପ୍ରଦାୟରେ ଜଣେ ଅତି ପ୍ରିୟ ଆଈ ମାଆ ରୂପରେ ସୁପରିଚିତ ଜରିନା କହନ୍ତି, “ସେଇ କୋଣରେ ରଖାହୋଇଥିବା କମ୍ବଳଗୁଡ଼ିକୁ ଦେଖନ୍ତୁ। ସେଗୁଡ଼ିକ ପରିବାରର ବିବାହ ଉତ୍ସବ ପାଇଁ ତିଆରି ହୋଇଛି। ସେସବୁ ବିଶେଷ ଧରଣର। ବର ପରିବାର ସେମାନଙ୍କ ସାଧ୍ୟମତେ ୧୨ରୁ ୩୦ଟି ଏମିତି କି ୫୦ଟି କମ୍ବଳ ବି ଦେଇଥାଆନ୍ତି।” ସେ ଆହୁରି କହନ୍ତି ଯେ, ଆଜିକାଲି ଲୋକେ ଆଉ ବେଶୀ କମ୍ବଳ ଦେଉନାହାନ୍ତି। ତଥାପି ପ୍ରତି ବିବାହ ଉତ୍ସବରେ ଏକ ପାରମ୍ପରିକ ଉପହାର ରୂପରେ ଏହା ନିଶ୍ଟିତ ଭାବେ ଦେବାକୁ ହୁଏ।

ଯଦିଓ ବିବାହ ଉତ୍ସବ ଅବସରରେ କମ୍ବଳ ଏକ ମୂଲ୍ୟବାନ ଉପହାର ରୂପରେ ବିବେଚିତ ହୋଇଥାଏ, ତଥାପି ଧୀରେ ଧୀରେ ଏହା ବଦଳରେ ବିଦ୍ୟୁତ୍ ଉପକରଣ ଏବଂ ଆସବାବପତ୍ର ପ୍ରଦାନ କରାଗଲାଣି।

Zareena Begum is a veteran weaver and lives in Bakarwal settlement Samba district
PHOTO • Ritayan Mukherjee
Zareena Begum is a veteran weaver and lives in Bakarwal settlement Samba district
PHOTO • Ritayan Mukherjee

ଜରିନା ବେଗମ ଜଣେ ପ୍ରବୀଣ ବୁଣାକାର ଏବଂ ସେ ସାମ୍ବା ଜିଲ୍ଲାର ବକରୱାଲ ଶିବିରରେ ରହନ୍ତି

Munabbar Ali (left) and Maruf Ali (right) showing the handicrafts items they have made with Bakarwal wool
PHOTO • Ritayan Mukherjee
Munabbar Ali (left) and Maruf Ali (right) showing the handicrafts items they have made with Bakarwal wool
PHOTO • Ritayan Mukherjee

ମୁନାୱର ଅଲି (ବାମ) ଏବଂ ମାରୁଫ ଅଲି (ଡାହାଣ) ବକରୱାଲ ଉଲ୍‌ରୁ ସେମାନେ ତିଆରି କରିଥିବା ହସ୍ତଶିଳ୍ପ ସାମଗ୍ରୀ  ଦେଖାଉଛନ୍ତି

ବସୋଲି ତହସିଲରେ ସ୍ଥାପିତ ଗୋଟିଏ ଶିବିରର ଶେଷମୁଣ୍ଡରେ, ନଦୀଶଯ୍ୟାର ଗଡ଼ାଣିଆ ସ୍ଥଳରେ ରହନ୍ତି ମୁନାୱର ଏବଂ ତାଙ୍କ ପତ୍ନୀ ମାରୁଫ। ଗୋଟିଏ ପୁରୁଣା ଚିରାଫଟା ତମ୍ବୁରେ ରଖାଯାଇଥିବା ସେମାନଙ୍କ ହସ୍ତଶିଳ୍ପକୁ ଦେଖାଇ ମୁନାୱର କହନ୍ତି, “ଏହି ସୁନ୍ଦର ଏମ୍ବ୍ରଡୋରୀକୁ ଦେଖନ୍ତୁ, ହେଲେ ଏବେ ଆମର ରୋଜଗାର ବୋଲି କିଛି ନାହିଁ।”

ସେମାନଙ୍କର ୪୦ରୁ ୫୦ଟି ଛେଳି ଓ ମେଣ୍ଢାଙ୍କ ସହିତ ତମ୍ବୁ ଭିତରେ ଆମ ଚାରିପଟେ ପଡ଼ିଥିବା ହାତତିଆରି ସାମଗ୍ରୀଗୁଡ଼ିକୁ ବି ସେମାନେ କାଶ୍ମୀର ଯିବା ବେଳେ ସାଙ୍ଗରେ ନେଇଯିବେ। ସେହି ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ଗୋଟିଏ ତାରୁ (ରେଜେଇ), ତାଲିୟାରୋ ଗଲତାନି ନାଁରେ ପରିଚିତ ଘୋଡ଼ା ବେକରେ ବନ୍ଧା ହେଉଥିବା ଛୋଟ ଛୋଟ ଘଣ୍ଟି ଲାଗିଥିବା ଘାଗୁଡ଼ି, ଏବଂ କେତେକ ଚିକେ କିମ୍ବା ଲଗାମ। ମୁନାୱର କହନ୍ତି, “ଏସବୁରେ ରହିଛି କଠିନ ପରିଶ୍ରମ, ଏହି ଏମ୍ବ୍ରଡରୀ, ପ୍ରାଣୀଧନ- ସବୁ କିଛି। (କିନ୍ତୁ) ଆମର ନିଜସ୍ୱ ପରିଚୟ ବୋଲି କିଛି ନାହିଁ। ଆମକୁ (ଆମ କାମକୁ) କେହି ଜାଣନ୍ତିନି।”

*****

ମାଜ୍ ଖାନ୍ କହନ୍ତି, “ଏବେ ବି ନିଜର କାରଖାନା ଥିବା ଲୋକ ମିଳିବା କଷ୍ଟକର।” ବୟସର ଷାଠିଏ ଦଶକରେ ପହଞ୍ଚିଥିବା ଖାନଙ୍କ ପରିବାର ଏବେ ମଧ୍ୟ ଉଲ୍ ପ୍ରକ୍ରିୟାକରଣ କରନ୍ତି। ତାଙ୍କ ସଂପ୍ରଦାୟର ଅନେକ ଲୋକଙ୍କ ମତରେ ଚରଖା (ଅରଟ)ର ଅନ୍ତ ହୋଇଗଲାଣି ଏବଂ ସେମାନେ ସୂତା କାଟିବା ଛାଡ଼ି ଦେଲେଣି।

ଏହା ଫଳରେ ପଶୁପାଳକମାନଙ୍କ ପାଇଁ ବି ଉଲ୍ ବିକିବା କଷ୍ଟକର ହୋଇପଡ଼ିଲାଣି। କଠୁଆ ଜିଲ୍ଲା ବସୋଲି ତହସିଲର ଜଣେ ବକରୱାଲ ମହମ୍ମଦ ତାଲିବ କହନ୍ତି, “ଆଗରୁ ଆମେ ଏହାକୁ କିଲୋ ପିଛା ୧୨୦ରୁ ୨୨୦ ଟଙ୍କାରେ ବିକୁଥିଲୁ। କିନ୍ତୁ ଏବେ ଆମକୁ କିଛି ହେଲେ ମିଳୁନାହିଁ।” ଅବ୍ୟବହୃତ ଉଲ୍ ସେମାନଙ୍କର ଗୋଦାମରେ ରହିଛି କିମ୍ବା କଟା ହେଉଥିବା ସ୍ଥାନରେ ଫିଙ୍ଗି ଦିଆଯାଇଛି। ଉଲ୍ କାମ କରୁଥିବା କାରିଗରଙ୍କ ସଂଖ୍ୟା ବି କମିଯାଇଛି।

ଗୁଜ୍ଜର-ବକରୱାଲ ସଂପ୍ରଦାୟ ସହିତ ବହୁ ବର୍ଷ ଧରି କାମ କରିଥିବା ଜଣେ ସାମାଜିକ କର୍ମୀ ଓ ଗବେଷକ ଡକ୍ଟର ଜାଭେଦ ରାହି କହନ୍ତି, “ଆଜିକାଲି ବକରୱାଲମାନେ ଆଉ କିଛି ସାମଗ୍ରୀ କରୁନାହାନ୍ତି। ଏହା ଏବେ ଛୋଟା କାମ୍ (ଛୋଟମୋଟ କାମ)ରେ ପରିଣତ ହୋଇଗଲାଣି। ବିକଳ୍ପ ସାମଗ୍ରୀ ଭାବରେ ମିଳୁଥିବା ସିନ୍ଥେଟିକ୍ ଉଲ୍ ଅତି ଶସ୍ତାରେ ମିଳୁଛି।”

Left: Colours for the bankets are chosen by the Bakarwals but the weaving and stitching are done by a blanket maker.
PHOTO • Ovee Thorat
Right: Maaz Khan’s grandson Khalil shows the blanket that the family has made
PHOTO • Ovee Thorat

ବାମ : ବକରୱାଲମାନେ କମ୍ବଳ ପାଇଁ ରଙ୍ଗ ପସନ୍ଦ କରନ୍ତି କିନ୍ତୁ କମ୍ବଳ କାରିଗରମାନଙ୍କ ଦ୍ୱା ରା ବୁଣା ଓ ସିଲେଇ କାମ ହୁଏ। ଡାହାଣ : ମାଜ୍ ଖାନଙ୍କ ନାତି ଖଲିଲ ତାଙ୍କ ପରିବାର ତିଆରି କରିଥିବା କମ୍ବଳ ଦେଖାଉଛନ୍ତି

Left: Goat hair rope is also made along with the woollen articles. It is useful for supporting tents and for tying horses and other livestock.
PHOTO • Ovee Thorat
Right: A taru that was made as a wedding gift some time ago
PHOTO • Ovee Thorat

ବାମ : ଉଲ୍‌ ସାମଗ୍ରୀ ସହିତ ଛେଳିର କେଶରୁ ଦଉଡ଼ି ବି ତିଆରି କରାଯାଏ ଏହା ତମ୍ବୁ ଧରି ରଖିବାରେ ସହାୟତା କରିବା ସହିତ ଘୋଡ଼ା ଓ ଅନ୍ୟ ଗୃହପାଳିତ ପଶୁ ବାନ୍ଧିବା କାମରେ ଲାଗେ ଡାହାଣ : ବିବାହ ଉତ୍ସବରେ ଉପହାର ଦେବା ଉଦ୍ଦେଶ୍ୟରେ କିଛି ଦିନ ତଳେ ତିଆରି ହୋଇଥିବା ଏକ ତାରୁ

ଜାମ୍ମୁ ଓ ଏହାର ଆଖପାଖ ଅଞ୍ଚଳରେ ଚାରଣ ଭୂମିର ଅଭାବ ଯୋଗୁଁ ଉଲ୍ ପାଇବା ସକାଶେ ଗୃହପାଳିତ ପଶୁ ପାଳିବା ଏବଂ ସେମାନଙ୍କର ଦେଖାରଖା କରିବା ସହଜ କାମ ନୁହେଁ। ଯେଉଁ ଲୋକଙ୍କ ଜମିରେ ସେମାନେ ଗୃହପାଳିତ ପଶୁ ଚରାନ୍ତି, ସେମାନଙ୍କୁ ପାଉଣା ଦେବାକୁ ପଡ଼େ।

ନିକଟରେ ସାମ୍ବା ଜିଲ୍ଲାର ଅନେକ ଗାଁ ପାଖ ଅଞ୍ଚଳ ନାଗଅଇରି ଭଳି ବଣୁଆ କଣ୍ଟାଫୁଲ (Lantana camara) ପ୍ରଜାତିର ଗଛରେ ଭରି ଯାଇଛି। ବାସୋଲି ତହସିଲ ଅନ୍ତର୍ଗତ ଏକ ଛୋଟ ଗାଁର ବାସିନ୍ଦା ମୁନାୱର କହନ୍ତି, “ଆମେ ଏଠାରେ ପଶୁ ଚରାଇ ପାରିବୁନି। ଏଠି ସବୁଆଡ଼େ ଖାଲି ଅନାବନା ଗଛ।”

ବକରୱାଲମାନେ ପୂର୍ବରୁ ଯେଉଁ ସବୁ ପ୍ରଜାତିର ଗୃହପାଳିତ ପଶୁ ପାଳୁଥିଲେ ସେ ସବୁକୁ ସରକାର ବଦଳାଇ ଦେଲେଣି ଏବଂ ସେମାନେ କହନ୍ତି ଯେ, ଏହି ନୂତନ ସଙ୍କର ପ୍ରଜାତିର ପଶୁମାନେ ସମତଳ ସ୍ଥାନର ଗରମ ବାତାବରଣକୁ ବେଶୀ ସମୟ ପର୍ଯ୍ୟନ୍ତ ସମ୍ଭାଳି ପାରୁନାହାନ୍ତି କି ପାହାଡ଼ିଆ ରାସ୍ତାରେ ବେଶୀ ବାଟ ଚାଲିପାରୁନାହାନ୍ତି। ଜଣେ ପଶୁଚରାଳି ତାହିର ରାଜା ଆମକୁ କହିଲେ, “ଆମେ କାଶ୍ମୀର ଯିବା ସମୟରେ ଯଦି ସେମାନଙ୍କ ରାସ୍ତାରେ ଅଳ୍ପ ଉଚ୍ଚର ଚଟାଣଟିଏ ବି ପଡ଼ିଲା, ସେମାନଙ୍କ ପାଇଁ ଏହାକୁ ଡେଇଁ ଆଗକୁ ଯିବା କଷ୍ଟକର ହୋଇପଡୁଛି। କିନ୍ତୁ ପୁରୁଣା ପ୍ରଜାତିର ପଶୁମାନେ ଖୁବ୍ ସହଜରେ ଚାଲି ଯାଉଥିଲେ।”

ସେନା ବାହିନୀ ପାଇଁ ତାରବାଡ଼ ଘେରାଇବା ହେଉ କିମ୍ବା ବନ ବିଭାଗର କ୍ଷତିଭରଣା ବାବଦ ବନୀକରଣ ପ୍ରକଳ୍ପ କିମ୍ବା ସଂରକ୍ଷଣ କାର୍ଯ୍ୟକ୍ରମ, ଏ ସବୁ କାରଣରୁ ଚାରଣ ଭୂମିରେ ପ୍ରବେଶ ଉପରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ପଢ଼ନ୍ତୁ: ବାଡ଼ ଘେରରେ: ବକରୱାଲ ଗ୍ରାମୀଣ ପଶୁପାଳକ ଜୀବନ

ଶେଷରେ ସରକାରୀ ଭାଷାରେ ତାରବାଡ଼ ଘେରା କାମ ସଂପର୍କରେ ବର୍ଣ୍ଣନା କରିବାକୁ ଯାଇ ପଶୁପାଳକମାନେ କହନ୍ତି, “ସବୁଆଡ଼େ (ଆମ ପାଇଁ ଏବଂ ଆମ ପାଳିତ ପଶୁମାନଙ୍କ ପାଇଁ) ଖାଲି ବନ୍ଦ ହୋଇ ରହିଛି।”

ରୀତା ୟନ ମୁଖାର୍ଜୀ, ସେଣ୍ଟର ଫର ପାଷ୍ଚୋରାଲିଜମ୍ ପକ୍ଷରୁ ପ୍ରଦତ୍ତ ଏକ ସ୍ୱା ଧୀନ ଯାତ୍ରା ଅନୁଦାନ ଜରିଆରେ ବିଭିନ୍ନ ପଶୁପାଳକ ଏବଂ ଯାଯାବର ସଂପ୍ରଦାୟ ସଂପର୍କରେ ରିପୋର୍ଟ କରନ୍ତି ସେଣ୍ଟର ପକ୍ଷରୁ ଏହି ଲେଖାର ବିଷୟବସ୍ତୁ ଉପରେ କୌଣସି ସଂପାଦକୀୟ ନିୟନ୍ତ୍ରଣ ପ୍ରୟୋଗ କରାଯାଇନାହିଁ।

ଅନୁବାଦ : ଓଡ଼ିଶାଲାଇଭ୍‍

Ritayan Mukherjee

ঋতায়ন মুখার্জি কলকাতার বাসিন্দা, আলোকচিত্রে সবিশেষ উৎসাহী। তিনি ২০১৬ সালের পারি ফেলো। তিব্বত মালভূমির যাযাবর মেষপালক রাখালিয়া জনগোষ্ঠীগুলির জীবন বিষয়ে তিনি একটি দীর্ঘমেয়াদী দস্তাবেজি প্রকল্পের সঙ্গে যুক্ত।

Other stories by Ritayan Mukherjee
Ovee Thorat

ওভি থোরাত একজন স্বতন্ত্র গবেষক। পশুপালন তথা রাজনৈতিক বাস্তুতন্ত্রের চর্চায় তিনি আগ্রহী।

Other stories by Ovee Thorat
Editor : Punam Thakur

অভিজ্ঞ প্রতিবেদক ও সম্পাদক পুনম ঠাকুর দিল্লি-কেন্দ্রিক স্বতন্ত্র সাংবাদিক।

Other stories by Punam Thakur
Photo Editor : Binaifer Bharucha

মুম্বই নিবাসী বিনাইফার ভারুচা স্বাধীনভাবে কর্মরত আলোকচিত্রী এবং পিপলস আর্কাইভ অফ রুরাল ইন্ডিয়ার চিত্র সম্পাদক।

Other stories by বিনাইফার ভারুচা
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE