ପାରଇ ଡ୍ରମ୍ ବାଜିବା ସହିତ ରାଲି ଆରମ୍ଭ ହେଲା।
ପ୍ରାୟ ୬୦ ଲୋକଙ୍କର ଏକ ଦଳ ସ୍ଲୋଗାନ୍ ଦେଲା: “ଜୟ ଜୟ ଜୟ ଭୀମ, ଜୟ ଆମ୍ବେଦକର୍ ଜୟ ଭୀମ।” ଏହା ହେଉଛି ଧାରାବି, ମୁମ୍ୱାଇର ମହାପରିନିର୍ବାଣ ରାଲି। ପ୍ରତିବର୍ଷ ଡିସେମ୍ବର ୬ ତାରିଖରେ ଡକ୍ଟର୍ ବି ଆର୍ ଆମ୍ୱେଦକରଙ୍କ ଶ୍ରାଦ୍ଧବାର୍ଷିକୀ ଦିନ ଏହି ରାଲି ଆୟୋଜିତ ହୋଇଥାଏ।
ଲୋକମାନେ ଜଣକ ପରେ ଜଣେ ମହମବତୀ ଜଳାଇଲେ ଏବଂ ଧାରାବିର ପେରିୟାର୍ ଛକରେ ସମସ୍ତେ ଏକାଠି ହେଲେ ଏବଂ ତାପରେ ମୁମ୍ୱାଇରେ ଅବସ୍ଥିତ ଏସିଆର ଏହି ସର୍ବବୃହତ୍ ବସ୍ତି ଉତ୍ସବମୁଖର ହୋଇ ଉଠିଲା। ମହାପରିନିର୍ବାଣ ଦିବସ (ଶ୍ରାଦ୍ଧ ବାର୍ଷିକୀ) କାର୍ଯ୍ୟକ୍ରମ ଆୟୋଜିତ କରୁଥିଲେ ଜୟ ଭୀମ ଅନୁଷ୍ଠାନ। ପାଖାପାଖି ଦୁଇ ଘଣ୍ଟା ଧରି ରାଲି ହେବ। ଇ.ଭି. ରାମସ୍ୱାମୀ(ପେରିୟାର୍) ଛକରୁ ପ୍ରାୟ ଦେଢ଼ କିଲୋମିଟର ଦୂର ଗଣେଶନ୍ କୋଭିଲରେ ଥିବା ଆମ୍ବେଦକର ମୂର୍ତ୍ତି ପର୍ଯ୍ୟନ୍ତ ରାଲି ହେବ।
“ଆଜିର ଦିନ ଆମମାନଙ୍କ ପାଇଁ ଗୋଟିଏ ପର୍ବ କହିଲେ ଭୁଲ୍ ହେବ ନାହିଁ। ସାରା ମୁମ୍ବାଇ ସହର ଏପ୍ରିଲ୍ ୧୪ (ଆମ୍ବେଦକର ଜୟନ୍ତୀ) ଏବଂ ଡିସେମ୍ବର ୬ ତାରିଖରେ ମହାନ୍ ନେତାଙ୍କର ଜାତିଗତ ଭେଦଭାବର ଶିକାର ହେଉଥିବା ଲୋକମାନଙ୍କ ପ୍ରତି ଅବଦାନର ସ୍ମୃତିଚାରଣ କରି ଉତ୍ସବ ପାଳନ କରେ,” କୁହନ୍ତି ଭେନିଲା ସୁରେଶ କୁମାର ଯିଏ କି ତାଙ୍କ ସ୍ୱାମୀ ସୁରେଶ କୁମାର ରାଜୁଙ୍କ ସହିତ ଅନୁଷ୍ଠାନର ଜଣେ ପ୍ରମୁଖ ସଦସ୍ୟ ଅଟନ୍ତି। “ଆମେ ପୂରା ରାସ୍ତାକୁ ନୀଳ ପତାକାରେ ସଜାଇଲୁ ଏବଂ ଦୁଆର ଦୁଆର ଯାଇ ଲୋକମାନଙ୍କୁ ଆମ ସହିତ ଯୋଗ ଦେବା ପାଇଁ ଆମନ୍ତ୍ରିତ କଲୁ।”
ସେ ଧାରାବିରେ ଥିବା ଏକମାତ୍ର ଆମ୍ବେଦକରଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ। ତା’ପରେ ସେମାନଙ୍କ ନେତାଙ୍କ ଅବଦାନ ପ୍ରତି ସମର୍ପିତ ଏକ ତାମିଲ ଗୀତ ଗାଉଥିବା ଦଳ ସହିତ ଯୋଗ ଦେଲେ।
ସୁରେଶ ଉତ୍ତର ମୁମ୍ବାଇରେ ଜଣେ ଡ୍ରାଇଭର୍ ଭାବରେ କାମ କରନ୍ତି। ୪୫ ବର୍ଷୀୟ ସୁରେଶ ୧୪ ଘଣ୍ଟିଆ ସିଫ୍ଟରେ କାମ କରନ୍ତି ଏବଂ ମାସକୁ ପାଖାପାଖି ୨୫୦୦୦ ଟଙ୍କା ରୋଜଗାର କରନ୍ତି। ୪୧ ବର୍ଷୀୟା ଭେନିଲା ଧାରାବି ପାଖରେ ଗୋଟିଏ ଆପାର୍ଟମେଣ୍ଟରେ ଦିନକୁ ଛଅ ଘଣ୍ଟା ପାଇଁ ରାନ୍ଧିବା ଏବଂ ସଫା କରିବା କାମ କରନ୍ତି। ଏହି କାମ ପାଇଁ ମାସକୁ ତାଙ୍କୁ ୧୫,୦୦୦ ଟଙ୍କା ମିଳେ।
ଏହି ଦମ୍ପତ୍ତିଙ୍କର ଦୁଇ ପୁଅ ଅଛନ୍ତି, ୧୭ ବର୍ଷର କାର୍ତ୍ତିକ, ଏବଂ ୧୨ ବର୍ଷର ଆରନ୍। ପୁଅ ଦୁଇ ଜଣ ଘରୋଇ ଅନୁଷ୍ଠାନରେ ପାଠ ପଢ଼ୁଛନ୍ତି। “ଦାଦରରେ ଚୈତ୍ୟଭୂମି ଭଳି ସହରର ଅନ୍ୟ ଭାଗରେ ହେଉଥିବା ଉତ୍ସବରେ ମଧ୍ୟ ଆମେ ଭାଗ ନେଉ। ମୁଖ୍ୟତଃ ପରାୟର୍ ସମୁଦାୟ ଆମ୍ବେଦକରଙ୍କ ନୀତି ଅନୁସରଣ କରିଥାନ୍ତି ଏବଂ ଧାରାବିରେ ଉତ୍ସବରେ ଅଂଶଗ୍ରହଣ କରନ୍ତି,” କହନ୍ତି ଭେନିଲା।
ଭେନିଲା ଏବଂ ସୁରେଶ ମୂଳତଃ ପରାୟର୍ ସମୁଦାୟର ଏବଂ ସେମାନେ ତାମିଲନାଡ଼ୁରୁ ଆସିଛନ୍ତି। ତାମିଲନାଡ଼ୁରେ ପରାୟର୍ ସମୁଦାୟ ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ। “ମୋ ବାପା ତିରୁନେଲଭେଲିରୁ ୧୯୬୫ରେ ଚାକିରି ଖୋଜିବା ପାଇଁ ଧାରାବି ଆସିଥିଲେ।” ଜଳସେଚନ ସୁବିଧା ଅଭାବରୁ ଚାଷରୁ କିଛି ମିଳୁ ନ ଥିଲା ଏବଂ ଅନ୍ୟ କେତେକ ସମସ୍ୟା କାରଣରୁ ପୂରା ପରିବାର ତାମିଲନାଡ଼ୁରୁ ମୁମ୍ବାଇ ଚାଲି ଆସିଲା।
ଧାରାବିରେ ସେମାନେ ରହୁଥିବା ସ୍ଥାନର ଆଖପାଖରେ ଆମ୍ବେଦକରଙ୍କ ନୀତି ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଏହି ଦମ୍ପତ୍ତି ପ୍ରମୁଖ ଭୂମିକା ତୁଲାଇଥାନ୍ତି। ସୁରେଶ କହନ୍ତି, ୨୦୧୨ରେ ସେ ରାଜା କୁଟ୍ଟି ରାଜୁ, ନିତ୍ୟାନନ୍ଦ ପାଲାନି, ଅନୀଲ୍ ସାନ୍ତିନି ଏବଂ ଅନ୍ୟ ସଦସ୍ୟମାନଙ୍କ ସହିତ, “ଏପ୍ରିଲ୍ ୧୪ ଏବଂ ଡିସେମ୍ବର ୬ରେ ଆମ୍ବେଦକରଙ୍କ ନୀତି ଏବଂ ଅବଦାନ ବିଷୟରେ ସତେଚନତାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ସାମୂହିକ ଉତ୍ସବ ପାଳନ କରିବା ଆରମ୍ଭ କଲେ।”
ସୁରେଶ ଯେତେବେଳେ ଗାଡ଼ି ଚଲାନ୍ତି ନାହିଁ, ସେ ଜୟ ଭୀମ ଅନୁଷ୍ଠାନ ପାଇଁ ସ୍ୱେଚ୍ଛାସେବୀ ଭାବରେ କାମ କରନ୍ତି। ସେ କହନ୍ତି, ୨୦୧୨ରେ ୨୦ଜଣ ସଦସ୍ୟ ଥିଲେ ଏବଂ ଏବେ ୧୫୦ ଜଣ ଅଛନ୍ତି। “ଆମର ଅଧିକାଂଶ ସଦସ୍ୟ ବାହାର ରାଜ୍ୟରୁ ଆସିଛନ୍ତି। ସେମାନେ ଡ୍ରାଇଭର ଭାବରେ ଏବଂ ରେଳବାଇରେ କାମ କରନ୍ତି କିନ୍ତୁ ରାଲି ସମୟରେ ଆମ ସହିତ ଯୋଗ ଦିଅନ୍ତି।”
ଭେନିଲା ନବମ ଶ୍ରେଣୀ ଯାଏଁ ପଢ଼ିଛନ୍ତି। ପରିବାର ପାଇଁ ରୋଜଗାର କରିବାକୁ ପଡ଼ିବାରୁ ତାଙ୍କୁ ପଢ଼ା ଛାଡ଼ିବାକୁ ପଡ଼ିଲା। ସେ ଗୋଟିଏ ଅଫିସରେ ରୋଷେୟା ଭାବରେ କାମ କରିବା ସମୟରେ ସେ ଇଂରାଜୀ କହିବା ଶିଖିଥିଲେ। ୨୦୧୬ରେ ଭେନିଲା ଏବଂ ସ୍ଥାନୀୟ ଅଞ୍ଚଳର ଅନ୍ୟ କିଛି ମହିଳା ମିଶି ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ପ୍ରତିଷ୍ଠା କଲେ ଏବଂ ତାର ନାମ ଦେଲେ ମାଗିଚି ମାଗାଲିର୍ ପେରାବାଇ। “ମହିଳାମାନେ ହସଖୁସି କରିବା ପାଇଁ ସମୟ ପାଆନ୍ତି ନାହିଁ। ତେଣୁ ଏହା ସଂପୂର୍ଣ୍ଣ ଭାବରେ ମହିଳାମାନଙ୍କ ଗ୍ରୁପ୍ ହୋଇଥିବାରୁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରୁ ଏବଂ ସାଙ୍ଗ ହୋଇ ସିନେମା ଦେଖିବାକୁ ଯାଉ।” ଲକ ଡାଉନ ସମୟରେ ଭେନିଲାଙ୍କ ଜଣାଶୁଣା ଲୋକଙ୍କ ସହାୟତାରେ ଏସଏଚଜି ଧାରାବିର ଗରିବ ଲୋକମାନଙ୍କୁ ଖାଦ୍ୟ, ଗ୍ରୋସରୀ, ଏବଂ ଅଳ୍ପ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲା।
ତାମିଲ ଭାଷାରେ ‘ମାଗିଚି’ର ଅର୍ଥ ହେଉଛି ସୁଖ, ସେ ହସି କହନ୍ତି। “ମହିଳାମାନେ ସବୁବେଳେ ଘର ଭିତରେ ଅତ୍ୟାଚାରିତ ହୋଇଥାନ୍ତି, ମାନସିକ ଚାପରେ ଥାନ୍ତି। ଏଠି ଆମେମାନେ ସମସ୍ତଙ୍କ ସୁଖଦୁଃଖ ବାଣ୍ଟି ଖୁସି ଅନୁଭବ କରୁ।”
ଅନୁବାଦ : ଓଡ଼ିଶାଲାଇଭ୍