ଯେଉଁ ଗୋଟିଏ ଶବ୍ଦ ସେ ପଢ଼ି ପାରନ୍ତି ବା ଲେଖି ପାରନ୍ତି ତାହା ହେଲା ତାଙ୍କ ନାଁ । ଦେବନାଗରୀ ଲିପିରେ, ସେ ଏହାକୁ ଗର୍ବର ସହ ଲେଖନ୍ତି ଏବଂ ଅତି ଯତ୍ନରେ କଲମ ଚଳାଇ ଅକ୍ଷରରେ ମାତ୍ରା ଦିଅନ୍ତି: ଗୋ-ପୁ-ଲୀ । ଆଉ ତା’ପରେ ସେ ହସି ଉଠନ୍ତି, ରହି ରହି ଛୁଟିଯାଏ ମନଖୋଲା ହସର ଲହରି ।
ଚାରିଟି ସନ୍ତାନର ମାଆ, ୩୮ ବର୍ଷୀୟା ଗୋପଲି ଗାମେତି କହନ୍ତି, ଥରେ ମନ ସ୍ଥିର କରିନେଲେ, ମହିଳାମାନେ ଯେ କୌଣସି କାମ କରିପାରିବେ ।
ପାଖାପାଖି ୩୦ଟି ପରିବାର ରହୁଥିବା ଏହି ବସତିଟି ଉଦୟପୁର ଜିଲ୍ଲାର ଗୋଗୁନ୍ଦା ବ୍ଲକ୍ ଅନ୍ତର୍ଗତ କରଦା ଗାଁ ଉପକଣ୍ଠରେ ଅବସ୍ଥିତ ଏବଂ ଏହିଠାରେ ହିଁ ତାଙ୍କ ସଂପ୍ରଦାୟର ଅନ୍ୟ କେତେକ ମହିଳାଙ୍କ ସହାୟତାରେ ତାଙ୍କର ଚାରିଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଗୋପଲି । ତାଙ୍କର ଚତୁର୍ଥ ସନ୍ତାନ ତଥା ତୃତୀୟ ଝିଅକୁ ଜନ୍ମ ଦେବା ପରେ ହିଁ ସେ ନିଜର ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ବା ଗର୍ଭାଶୟ ସଂଲଗ୍ନ ନଳୀ ଅବରୋଧ ପ୍ରକ୍ରିୟା ପାଇଁ ପ୍ରଥମ ଥର ପାଇଁ ହସ୍ପିଟାଲ୍ ବା ଡାକ୍ତରଖାନାକୁ ଯାଇଥିଲେ ।
ସେ କହନ୍ତି, “ସେତେବେଳେ ଆମ ପରିବାର ସଂପୂର୍ଣ୍ଣ ହୋଇଗଲା ବୋଲି ମାନି ନେବାର ସମୟ ଆସିଯାଇଥିଲା।” ଗୋଗୁନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ତାଙ୍କୁ ଏହି ‘ଅପରେସନ୍’ ସଂପର୍କରେ ଏବଂ ଏହା ଫଳରେ ଆଉ ଆଗକୁ ସେ ଗର୍ଭଧାରଣ କରିବେ ନାହିଁ ବୋଲି କହିଥିଲେ। ଏହା ଥିଲା ସଂପୂର୍ଣ୍ଣ ମାଗଣା । ତାଙ୍କୁ କେବଳ ଏତିକି କରିବାକୁ ପଡ଼ିବ ଯେ ସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇ ପହଞ୍ଚିବେ। ସେଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଗ୍ରାମୀଣ ହାସପାତାଳ ଅଧୀନରେ ରହିଥିବା ଚାରିଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସେ ଅଞ୍ଚଳର ଗ୍ରାମବାସୀମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିଲା ।
ଘରେ ଏ ସଂପର୍କରେ ସେ ଅନେକ ଥର କଥା ଆରମ୍ଭ କରିଥଲେ। କିନ୍ତୁ ତାଙ୍କ ସ୍ୱାମୀ ଆଦୌ କାନ ଦେଇ ନଥିଲେ । ମାସ ପରେ ମାସ ବିତିବା ସହିତ ସେ ତାଙ୍କ ମନକୁ ଦୃଢ଼ କରିନେଉଥିଲେ ଏବଂ ତାଙ୍କର ସବା ସାନ ଝିଅକୁ ସ୍ତନ୍ୟପାନ କରାଇବା ସମୟରେ ନିଜ ନିଷ୍ପତ୍ତିକୁ କାର୍ଯ୍ୟରେ ପରିଣତ କରାଇ ପାରିବେ କି ନାହିଁ ବୋଲି ଚିନ୍ତା କରିବାରେ ଲାଗିଲେ ।













