ନିଜ ନିଜ ଭୂମିକାରେ ଅଭିନୟ ଅଭ୍ୟାସ କରୁଥିବା କଳାକାରମାନଙ୍କର କୋଳାହଳ ପୁରୀସାଇର ଗଳିକନ୍ଦିରେ ଶୁଭୁଛି। ଅକ୍ଟୋବର ମାସରେ ଏ ଗାଁ ଆଦୌ ଶୋଇନଥାଏ। ଉତ୍ସାହିତ ଦର୍ଶକମାନେ ଗାଁ ଛକରେ ଅପେକ୍ଷା କରିଥା’ନ୍ତି, ପୂରା ବାତାବରଣ ସଂଗୀତର ସ୍ୱରରେ ପୂରି ଉଠିଥାଏ ଏବଂ ରାସ୍ତା ପାର୍ଶ୍ୱରେ ଥିବା ସାଧାରଣ ଘରଗୁଡ଼ିକ କଳାକାରଙ୍କ ଅଭ୍ୟାସ କୋଠରୀ ପାଲଟିଯାଇଥାଏ। କୁପୁସାମି ଏବଂ ଚନ୍ଦ୍ରାଙ୍କ ଭଳି ଲୋକମାନେ ଚଳାଉଥିବା ଚା’ ଦୋକାନ ଭଳି ସ୍ଥାନୀୟ ବ୍ୟବସାୟଗୁଡ଼ିକ ରାତି ସାରା ଗ୍ରାହକଙ୍କୁ ସେବା ଯୋଗାଇଥା’ନ୍ତି। ସାରା ଦେଶରୁ ବିଭିନ୍ନ ପ୍ରକାରର କଳାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରାଯାଏ। ଝାଡ଼ଖଣ୍ଡର ଲୋକନାଟକ କଳାକାର, ସ୍ଥାନୀୟ ତେରୁକୁତୁ କଳାକାର, ତାମିଲନାଡ଼ୁର ଅନ୍ୟ ପ୍ରାନ୍ତରୁ ପରାଇ ନାଟକ ଦଳ, କେରଳ, ପୁଡୁଚେରୀର କଳାକାର ଏବଂ ଚେନ୍ନାଇ ଓ ଅନ୍ୟସ୍ଥାନରୁ ଆସୁଥିବା ମଞ୍ଚ କଳାକାରମାନେ ଏଠାରେ ପ୍ରଦର୍ଶନ କରିଥା’ନ୍ତି। ୬ ଅକ୍ଟୋବର ୨୦୨୪ର ସମୟ, ପୁରୀସାଇ ମହୋତ୍ସବ ନାମରେ ଅଧିକ ପ୍ରସିଦ୍ଧ କଲାଇମାମନୀ କନ୍ନପ୍ପା ତମ୍ବିରନ ସ୍ମାରକୀ ନାଟକ ମହୋତ୍ସବ ପୁଣି ଥରେ ଫେରି ଆସିଛି।
ପୂର୍ବରୁ ଏହି ମହୋତ୍ସବ ତିନି ଦିନ ଧରି ପାଳନ କରାଯାଉଥିଲା। ମାତ୍ର କୋଭିଡ-୧୯ ମହାମାରୀ ଏଭଳି ଅନେକ ପରମ୍ପରାରେ ବାଧା ସୃଷ୍ଟି କରିଥିଲା। ଫଳରେ ପ୍ରତି ଦୁଇ ବର୍ଷରେ ଥରେ ଏହି ମହୋତ୍ସବ ଦିନେ କିମ୍ବା ଅତିବେଶୀ ଦେଢ଼ ଦିନ ପାଇଁ ପାଳନ କରାଯାଉଛି। ୧୯୮୯ ମସିହାରୁ ଏହି ମହୋତ୍ସବ ଆୟୋଜନ କରାଯାଇଆସୁଛି। ସେତେବେଳେ ଏହା କୋଡ଼ଇ ୱିଳା (ଗ୍ରୀଷ୍ମ ମହୋତ୍ସବ) ପୁରୀସାଇର କନ୍ନପ୍ପା ତମ୍ବିରନ ଏବଂ ତାଙ୍କର ବଡ଼ ପୁଅ କାଶୀଙ୍କ ସହ ମିଶି ଆଧୁନିକ ନାଟ୍ୟକାର ଏନ. ମୁତୁସାମି ଏହାକୁ ଶୁଭାରମ୍ଭ କରିଥିଲେ। ମୁତୁସାମୀ ଏହି ଲୋକକଳା ସ୍ୱରୂପରେ ଥିବା ସତେଜ ଊର୍ଜା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ଏବଂ ତେରୁକୁତୁକୁ ଆଧୁନିକ କାହାଣୀ ବର୍ଣ୍ଣନା ଶୈଳୀ ସହିତ ମିଶ୍ରଣ ନିମନ୍ତେ ତମ୍ବିରନଙ୍କ ସହିତ କାର୍ଯ୍ୟ କରିଥିଲେ।
ଏହି ଗାଁ ତେରୁକୁତୁ କଳାକାରମାନଙ୍କର କେନ୍ଦ୍ରସ୍ଥଳୀ ରୂପେ ପ୍ରସିଦ୍ଧି ଅର୍ଜନ କରିଥିଲା। ‘‘ଏଠାରେ ସମସ୍ତେ ଜଣେ ଜଣେ କଳାକାର, ସେ ଚାଷୀ ହୁଅନ୍ତୁ କିମ୍ବା ଦିନ ମଜୁରିଆ ଶ୍ରମିକ,’’ ଗାଁର ୪୯ ବର୍ଷୀୟ ବାସିନ୍ଦା ପାଲାନି ମୁରଗନ କୁହନ୍ତି। ସେ ମଧ୍ୟ ଜଣେ ତେରୁକୁତୁ କଳାକାର ଏବଂ ମହୋତ୍ସବର ଆୟୋଜକମାନଙ୍କ ମଧ୍ୟରୁ ଅନ୍ୟତମ। ସହରୀ ଆଧୁନିକ ନାଟକ ଏବଂ ସମସାମୟିକ ନୃତ୍ୟ କ୍ଷେତ୍ରରେ କିଛି ଦଶନ୍ଧି କାମ କରିବା ପରେ ସେ ତେରୁକୁତୁକୁ ଫେରି ଆସିଛନ୍ତି। ‘‘କିଛି ବର୍ଷ ଧରି କଳା ପରିବେଷଣ ଅଭ୍ୟାସ ପରେ ଏହାର ସ୍ୱଚ୍ଛନ୍ଦତାକୁ ଗ୍ରହଣ କରିବା ବେଶ୍ ଆହ୍ୱାନପୂର୍ଣ୍ଣ ଥିଲା,’’ ସେ ସ୍ୱୀକାର କରନ୍ତି, ‘‘କିନ୍ତୁ ଏହା ଘରକୁ ଫେରିବା ଭଳି ଅନୁଭବ ଥିଲା।’’
































