ସେ ସାରା ରାତି ଚେଇଁ ରହିଥିଲା। ଅତିବେଶୀରେ ୧୫ ବର୍ଷ ବୟସରେ ସେ ତାମିଲନାଡ଼ୁର ଅନୁମନ୍ଦଇଗ୍ରାମର ମାରିୟମ୍ମନ କୋଏଲଷ୍ଟ୍ରିଟରେ ଯେଉଁ ଦୃଶ୍ୟ ଦେଖିଲା ସେଥିରେ ଅଭିଭୂତ ହୋଇପଡ଼ିଥିଲା। ‘‘ସେମାନେ ସମସ୍ତେ ଓଜନିଆ ବେଶଭୂଷା, ଚମକୁଥିବା ମୁକୁଟ, ସ୍ୱର୍ଣ୍ଣ ଅଳଙ୍କାର, ସୁନ୍ଦର ରଙ୍ଗଏବଂ ଉଜ୍ଜ୍ୱଳ ମେକଅପ୍ରେସଜ୍ଜିତ ହୋଇଥିଲେ। ସେମାନେ ଗାଇଥିଲେ, ନାଚିଥିଲେ ଏବଂଅଭିନୟ କରିଥିଲେ, ସମସ୍ତେ ଆଚମ୍ବିତହୋଇ ସେମାନଙ୍କୁ ଦେଖୁଥିଲେ। ଦର୍ଶକମାନଙ୍କ ମଧ୍ୟରେ ଉପସ୍ଥିତ ତାତା ଓ ପାତୀମାନେ (ଜେଜେବାପା ଓ ଜେଜେମା’) ଭଗବାନଙ୍କୁପ୍ରାର୍ଥନା କରିବା ଭଳି ହାତଯୋଡ଼ି ବସିଥିଲେ। ତାହା ମଜାଦାର ଥିଲା,’’ ୭୦ ବର୍ଷ ବୟସ୍କ ବୀରରାଘବନ୍ ନିଜ ପିଲାଦିନର ସ୍ମୃତିଚାରଣ କରି କହିଥା’ନ୍ତି।
ସେଦିନରାତିରେ ପ୍ରଥମ ଥର ପାଇଁ ସେ ତେରୁକୁତୁ ଦେଖିଥିଲେ ଯାହାର ଆକ୍ଷରିକ ଅର୍ଥ ହେଉଛି ପଥପ୍ରାନ୍ତ ନାଟକ। ଏହି ଅଭିଜ୍ଞ କଳାକାରଙ୍କ ମନରେ ପ୍ରଥମ ନାଟକ ଦେଖା ଅନୁଭୂତି ଜୀବନ୍ତ ହୋଇ ରହିଯାଇଥିଲା। ସେ କୁହନ୍ତି, ‘‘ମୁଁ ଖାଇପାରୁନଥିଲି କି ଶୋଇ ପାରୁନଥିଲି। ମୋ ମନରୁ ଯେମିତି ଗୋଟିଏ ସ୍ୱର ଉଙ୍କି ମାରୁଥିଲା, ‘ମୁଁ ବି ସେମାନଙ୍କ ସହ ଯୋଗ ଦେବି। ସେମାନେ ଯାହା କରୁଛନ୍ତି ମୁଁ ତାହା କରିବାକୁ ଚାହିଁଥିଲି’,’’ ସେ କୁହନ୍ତି। ସେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ ।କିନ୍ତୁ ତାଙ୍କର ଭବିଷ୍ୟତ ନିର୍ଦ୍ଧାରଣ ହୋଇସାରିଥିଲା। ସଂଗୀତ, ନୃତ୍ୟ କିମ୍ବାକାହାଣୀ ଶୁଣାଇବାର କୌଣସି ଔପଚାରିକ ପ୍ରଶିକ୍ଷଣ ନଥିବା କାରଣରୁ, ସେ ବିଦ୍ୟାଳୟଶିକ୍ଷା ଛାଡ଼ିଦେଲେ ଏବଂ ତେରୁକୁତୁ ମଣ୍ଡଳୀରେ ସାମିଲ ହୋଇଗଲେ।
ରାଜ୍ୟରେଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଭାବେତାଲିକାଭୁକ୍ତ ବନିୟାର୍ ସମ୍ପ୍ରଦାୟର ହୋଇଥିବାତାଙ୍କର କୃଷି ଶ୍ରମିକ ବାପାମା’ ଏଥିରେ ଆପତ୍ତିକରିନଥିଲେ। ‘‘ଆମେ ବେଶୀ ରୋଜଗାର କରୁନଥିଲୁ, କିନ୍ତୁ ମୁଁଶିଖିବା ପାଇଁ ଆଗ୍ରହୀ ଥିଲି,’’ ସେ ମନେ ପକାଇ କୁହନ୍ତି। ‘‘ସେମାନେ ମୋତେ ପ୍ରଥମେ ଛୋଟ ଛୋଟ କାମ ଦେଲେ।’’ ଶେଷରେ, ବୀରରାଘବନ୍ ଦିନରାତି ନିଜ ସଂଳାପ ଅଭ୍ୟାସ କରିଥିଲେ ଏବଂ ତାଙ୍କୁ ମହାଭାରତ ଉପରେ ଆଧାରିତ ଏକ ନାଟକରେ ଦୁର୍ଯ୍ୟୋଧନ ଚରିତ୍ରରେ ପ୍ରଥମ ଭୂମିକା ମିଳିଥିଲା। ‘‘ମୁଁ ଆଦୌ ଭୟଭୀତ ନଥିଲି, ବରଂ, ମୁଁ ଅଧିକ ଉତ୍ସାହିତ ଥିଲି,’’ ସେ କହିଥା’ନ୍ତି। ଏତେ ବର୍ଷ ବିତିଯିବା ପରେ ମଧ୍ୟ ତାଙ୍କ ମୁଖମଣ୍ଡଳରେ ରହିଥିବା ସ୍ମିତହାସ୍ୟ ଏବଂ ଗର୍ବ ଭାବନା ମଳିନ ପଡ଼ିନାହିଁ।
ବୀରରାଘବନ୍ଏହି କଳା ଶିଖିବା ସହିତ ଯେଉଁ ମହାକାବ୍ୟ ଉପରେ ନାଟକଗୁଡ଼ିକ ଆଧାରିତ ଥିଲା ସେଗୁଡ଼ିକୁ ବୁଝିବା ଲାଗି ନିଜ ଜୀବନକୁ ସମର୍ପି ଦେଇଥିଲେ। ସେ ନିଜର ଜ୍ଞାନ ବୃଦ୍ଧି କରିବା ଲାଗି ନୁଲ୍ ଅଗରଦୀ, ପେରିୟା ପୁରାଣମ୍ ଏବଂ ବାରଦମ୍ ଭଳି ତାମିଲ ଗ୍ରନ୍ଥର ଗଭୀର ଅଧ୍ୟୟନ କରିଥିଲେ ।
୯୦ ଦଶକ ପର୍ଯ୍ୟନ୍ତ ସେ ଗୋଟିଏ ନାଟକରୁ ପ୍ରାୟ ୫ରୁ ୧୦ ଟଙ୍କା ପାଉଥିଲେ। ‘‘ବର୍ଷ ସାରା ଆମକୁ କାମ ମିଳୁଥିଲା, ୨୫୦ ଦିନଆମେ ଏହି କାମ କରୁଥିଲୁ,’’ ସେ ସ୍ମିତ ହସି କୁହନ୍ତି। ଗ୍ରାମ ପଞ୍ଚାୟତ ଏବଂ ଗାଁ ଲୋକମାନେ ଦେଉଥିବା ଅନୁଦାନରୁ ନାଟକର ଖର୍ଚ୍ଚ ଭରଣା କରାଯାଉଥିଲା। ‘‘ପ୍ରଦର୍ଶନକୁ ଆଧାର କରି ଦର୍ଶକମାନେ ମଧ୍ୟ ଟଙ୍କା ଦେଉଥିଲେ, ସେମାନେ ଭଗବାନଙ୍କୁଦାନ କରୁଛନ୍ତି ବୋଲି ଭାବୁଥିଲେ,’’ ସେ ଆହୁରି କହିଥା’ନ୍ତି। ଲୋକମାନେ ଅଧିକ ରୋଜଗାର କରୁନଥିଲେ, ସେ କୁହନ୍ତି, କେବଳ ସେମାନଙ୍କର ଏଥିପ୍ରତି ଆଗ୍ରହ ରହିଥିଲା।




























