‘ଖେଲା ହୋବେ’ (ଖେଳ ହେବ) ଓ ‘ଅବକି ବାର ୪୦୦ ପାର’ (ଏଥର ୪୦୦ ଉପର) ମଝିରେ ଠିଆ ହେଇଛି ଆମ ରାଜ୍ୟ, ଯାହା ଗୋଟିଏ ଛୋଟ ଭାରତ, ଯେଉଁଠି ସରକାରୀ ଯୋଜନା, ମାଫିଆ ସିଣ୍ଡିକେଟ, ସରକାରୀ ଦାନ ଓ ବେତାଳିଆ ପ୍ରତିବାଦର ଅବୁଝା ମିଶ୍ରଣ ରହିଛି।
ଆମର ଏଠି ଅଛନ୍ତି କାମରେ ଛନ୍ଦି ହେଇ ରହିଥିବା ବାସହୀନ ପ୍ରବାସୀ, ନୈରାଶ୍ୟପୂର୍ଣ୍ଣ ସ୍ଵଦେଶରେ ରହୁଥିବା କର୍ମହୀନ ଯୁବବର୍ଗ, କେନ୍ଦ୍ର ବନାମ ରାଜ୍ୟ ପ୍ରସଙ୍ଗର ଦ୍ଵନ୍ଦ୍ଵରେ ଝୁଲି ରହିଥିବା ସାଧାରଣ ଜନତା, ଜଳବାୟୁ ପରିବର୍ତ୍ତନ ଦ୍ଵାରା ପଙ୍ଗୁ ପାଲଟିଥିବା ଚାଷୀକୁଳ, ଏବଂ ମୌଳବାଦୀ ଚିନ୍ତାଧାରା ବିରୁଦ୍ଧରେ ଲଢୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ। ଉତ୍ତେଜିତ ସ୍ନାୟୁ ଓ ଶକ୍ତିହୀନ ଶରୀର। ଜାତି, ଶ୍ରେଣୀ, ଲିଙ୍ଗ, ଭାଷା, ଜାତି, ଧର୍ମ – ଏ ସବୁକିଛିର ସମାହାରଜନିତ କୋଳାହଳ।
ଏଇ ପାଗଳାମୀକୁ ଡେଇଁ ଆଗକୁ ବଢିଲେ ଶୁଣାଯାଏ ଏକାଧିକ ସ୍ଵର, ବହୁ ମାତ୍ରାରେ ବିଭ୍ରାନ୍ତ, ଅସହାୟ, ପ୍ରଳାପର ସ୍ଵର ସହିତ ଗୋଳାମିଶା ଅନ୍ୟ ଯେଉଁମାନେ କ୍ଷମତା-ମଙ୍ଗଧରା-ବଡ ନାଁ କରା-ନେତାଙ୍କ ଦ୍ଵାରା ଆଉ ବୋକା-ବନିବାକୁ-ରାଜି-ନଥିବା ଲୋକଙ୍କ ସ୍ଵର। ସନ୍ଦେସଖାଲିଠାରୁ ହିମାଳୟର ଚା’ ବଗିଚା, କଲିକତାଠାରୁ ଗଙ୍ଗା-ପ୍ଳାବିତ ରାଢ ସମତଳ ଭୂମି ପର୍ଯ୍ୟନ୍ତ ଆମର ବୁଲିବା, ଜଣେ ସାମ୍ବାଦିକ ଓ ଆଉ ଜଣେ ଚାରଣ କବି। ଆମେ ଶୁଣୁ, ଆମେ ସଂଗ୍ରହ କରୁ, ଆମେ ଫଟୋ ଉଠାଉ, ଆମେ କଥା ହେଉ।

















