‘‘ଓସୋବ ଭୋଟ୍-ଟୋଟ୍ ଛେଡ଼ୋ, ସନ୍ଧ୍ୟା ନମାର ଆଗେ ଅନେକ କାଜ୍ ଗୋ… [ଭୋଟ୍-ଶୋଟ୍ କ’ଣ! ଅନ୍ଧାର ହେବା ପୂର୍ବରୁ ହଜାରେ କାମ ଶେଷ କରିବାକୁ ଅଛି…] ମାଳତି ମଲ ନିଜ ପାଖରେ ଚଟାଣରେ ଥିବା ସ୍ଥାନକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହନ୍ତି, ଆସ, ଯଦି ଆପଣ ଏହି ଗନ୍ଧ ସହିପାରିବେ ଆମ ସହ ଏଠି ବସନ୍ତୁ।’’ ସେ ଗରମ ଏବଂ ଧୂଳି ଦ୍ୱାରା ଅବିଚଳିତ ହୋଇ ଏକ ବିଶାଳ ପିଆଜ ଗଦା ଚାରିପାଟେ ବସି କାମ କରୁଥିବା ଦଳେ ମହିଳାଙ୍କ ପାଖରେ ବସିବା ପାଇଁ ମୋତେ ଆମନ୍ତ୍ରଣ କରୁଥିଲେ। ଆଜି ସୁଦ୍ଧା ପ୍ରାୟ ସପ୍ତାହେ ହେବ ଏହି ମହିଳାମାନଙ୍କୁ ପିଛା କରି ଏବଂ ସେମାନଙ୍କୁ ଆଗରେ ଥିବା ନିର୍ବାଚନ ବିଷୟରେ ପ୍ରଶ୍ନ ପଚାରି ମୁଁ ଏହି ଗାଁର ବିଭିନ୍ନ ସ୍ଥାନରେ ବୁଲୁଥିଲି।
ଏପ୍ରିଲ ମାସ ଆରମ୍ଭ ହେଉଥିଲା। ପଶ୍ଚିମବଙ୍ଗର ମୁର୍ଶିଦାବାଦର ଏହି ଅଂଶରେ ପାରଦ ପ୍ରତିଦିନ ୪୧ ଡିଗ୍ରୀ ସେଲ୍ସିଅସ୍ରେ ପହଞ୍ଚୁଥିଲା। ଏପରିକି ଅପରାହ୍ଣ ୫ଟା ସମୟରେ ଏହି ମଲ ପାହାଡ଼ିଆ ବସ୍ତିରେ ଭୀଷଣ ଗରମ ହେଉଥିଲା। ଏହି ଅଞ୍ଚଳକୁ ଚାରିପାଖରେ ଥିବା ସମୁଦାୟ କେଇଟି ଗଛରେ ଗୋଟିଏ ପତ୍ର ବି ହଲୁ ନଥିଲା। ତାଜା ପିଆଜର ଗାଢ଼ ଏବଂ କଟୁ ଗନ୍ଧ ପବନରେ ଭାସୁଥିଲା।
ମହିଳାମାନେ ସେମାନଙ୍କର ଅସ୍ଥାୟୀ କୁଡିଆ ଘରଠାରୁ ଅତି ବେଶୀରେ ୫୦ ମିଟର ଦୂରରେ ଏକ ଖୋଲା ଜାଗାର ମଝିରେ ଥିବା ପିଆଜ ଗଦା ଚାରିପାଖରେ ଅର୍ଦ୍ଧଗୋଲାକାରରେ ବସିଥିଲେ। ସେମାନେ ଦାଆରେ କାଣ୍ଡଗୁଡ଼ିକରୁ ପିଆଜ ମୁଣ୍ଡାକୁ ଅଲଗା କରିବାରେ ବ୍ୟସ୍ତ ଥିଲେ। ଅପରାହ୍ଣର ଗରମ ଓ ଗୁଳୁଗୁଳି, ଏଥିସହିତ କଞ୍ଚା ପିଆଜର ବାଷ୍ଫ ସେମାନଙ୍କ ଚେହେରାକୁ ଚମକେଇ ଦେଉଥିଲା ଯାହା କେବଳ କଠିନ ପରିଶ୍ରମ ଦ୍ୱାରା ହିଁ ସମ୍ଭବ।
ବୟସର ୬୦ ଦଶକରେ ପହଞ୍ଚିଥିବା ମାଳତି କହନ୍ତି, ‘‘ଏହା ଆମର ଦେଶ [ନିଜ ଗ୍ରାମ] ନୁହେଁ। ଗତ ସାତ କି ଆଠ ବର୍ଷ ହେବ ଆମେ ଏଠାକୁ ଆସୁଛୁ।’’ ସେ ଏବଂ ସେହି ଦଳରେ ଥିବା ଅନ୍ୟ ମହିଳାମାନେ ମଲ ପାହାଡ଼ିଆ ଆଦିବାସୀ ସମୂହର, ଏହି ସମୂହ ରାଜ୍ୟରେ ଏକ ଅନୁସୂଚିତ ଜନଜାତି ଭାବରେ ଅଧିକାରିକ ଭାବେ ତାଲିକାଭୁକ୍ତ ଏବଂ ସବୁଠାରୁ ଅସୁରକ୍ଷିତ ଜନଜାତି ଗୋଷ୍ଠୀ ମଧ୍ୟରୁ ଅନ୍ୟତମ ଭାବରେ ଜଣାଶୁଣା।
ସେ କହନ୍ତି, ‘‘ଆମ ଗାଁ ଗୋଆସ କଳିକାପୁରରେ ଆମ ପାଇଁ କାମ ନାହିଁ।’’ ମୁର୍ଶିଦାବାଦ ଜିଲ୍ଲାର ରାଣୀନଗର I ବ୍ଲକ୍ର ଗୋଆସରୁ ୩୦ରୁ ଅଧିକ ପରିବାର ବର୍ତ୍ତମାନ ବିଶୁରପୁକୁର ଗାଁର ସୀମାରେ ଅସ୍ଥାୟୀ କୁଡ଼ିଆ ସମୂହରେ ରହୁଛନ୍ତି ଏବଂ ସ୍ଥାନୀୟ କ୍ଷେତଗୁଡ଼ିକରେ କାମ କରୁଛନ୍ତି।
ସେମାନେ ମୋତେ କହିଲେ, ସେମାନଙ୍କୁ ମେ’ ୭ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଭୋଟ୍ ଦେବା ପାଇଁ ସେମାନଙ୍କ ଗାଁକୁ ଫେରିବାକୁ ହେବ। ଗୋଆସ କଳିକାପୁର ବିଶୁରପୁକୁର ବସ୍ତିରୁ ପ୍ରାୟ ୬୦ କିଲୋମିଟର ଦୂର।




























