‘‘ମୋ ଶ୍ୱଶୁର ଘର ଲୋକମାନେ ଭଲ କନିଆଁ ଆଣିବା ଲାଗି ତା’କୁ ଟଙ୍କା ଦେଇଥିଲେ। ଏଠାରେ ଏପରି ପରମ୍ପରା ଏକ ସାଧାରଣ କଥା।’’ ୨୦ ବର୍ଷ ବୟସ ଟପି ସାରିଥିବା ରୁମା ଖୀଚଡ଼ ନିଜ କାହାଣୀ ମୋତେ କହୁଛନ୍ତି । ‘‘ଦୂର ଜାଗାରୁ ଆସି ଏଠାରେ (ରାଜସ୍ଥାନରେ) ରହିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ମୋ ଜେଠାନୀ (ବଡ଼ ଯାଆ)...’’
‘‘ପଚାଶ ହଜାର ଲଗା କେ ଉସକୋ ଲାୟେ ଥେ! ଫିର ଭି ସାତ୍ ସାଲ୍ କି ବଚ୍ଚୀ କୋ ଛୋଡ଼କର ଭାଗ ଗୟି ଓ୍ୱ (ଆମେ ୫୦,୦୦୦ ଟଙ୍କା ଦେଇ ତା’କୁ କିଣି ଆଣିଥିଲୁ। ତଥାପି ସେ ସାତ ବର୍ଷର ଝିଅକୁ ଛାଡ଼ି ଚାଲିଗଲା)।’’ ୬୭ ବର୍ଷ ବୟସ୍କା ଯଶୋଦା ଖୀଚଡ଼ (ଛଦ୍ମ ନାମ) ନିଜ ବୋହୂର କଥାକୁ ମଝିରୁ କାଟି ନିଜ ପକ୍ଷ ରଖି କହିଥାନ୍ତି।
ପଞ୍ଜାବରୁ ଆଣିଥିବା ନିଜର ବଡ଼ ବୋହୂକୁ ନେଇ ଯଶୋଦା ଏବେ ସୁଦ୍ଧା ରାଗିଛନ୍ତି କାରଣ ସେ ଘରୁ ଲୁଚି ପଳାଇଛି । ସେ ଆହୁରି କୁହନ୍ତି, ‘‘ସବୁବେଳେ ତା’ର ଭାଷା ସମସ୍ୟା ରହୁଥିଲା। କେବେ ବି ଆମ ଭାଷା ଶିଖିନଥିଲା। ଥରେ ରାକ୍ଷୀ ପୂର୍ଣ୍ଣିମାରେ, ସେ କହିଲା ଯେ ବାହାଘର ପରେ ସେ ପ୍ରଥମ ଥର ପାଇଁ ନିଜ ଭାଇ ଓ ପରିବାର ଲୋକମାନଙ୍କୁ ଭେଟିବାକୁ ଚାହୁଁଛି । ଆମେ ତା’କୁ ଛାଡ଼ିଲୁ। ହେଲେ ସେ ଆଉ ଫେରିଲା ନାହିଁ । ଏବେ ୬ ବର୍ଷ ବିତିଗଲାଣି,’’ ସେ କହିଥିଲେ।
ଯଶୋଦାଙ୍କ ଦ୍ୱିତୀୟ ବୋହୂ ରୁମା ଅନ୍ୟ ଜଣେ ଦଲାଲ ଜରିଆରେ ଝୁଁଝୁନୁଁରେ ପହଞ୍ଚି ଥିଲେ।
ତାଙ୍କର ବିବାହ କେବେ ହୋଇଥିଲା ସେ ଜାଣନ୍ତି ନାହିଁ । ଏକ ଧୂସର ଆଲମାରୀରୁ ନିଜର ଆଧାର କାର୍ଡ ଖୋଜିବା ସହିତ ସେ କହିଥିଲେ, ‘‘ମୁଁ କେବେ ସ୍କୁଲ ଯାଇନାହିଁ, ତେଣୁ ମୋର ଜନ୍ମ କେବେ ହୋଇଥିଲା ତାହା ମୁଁ କହିପାରିବି ନାହିଁ।’’
ତାଙ୍କର ପାଞ୍ଚ ବର୍ଷର ଝିଅକୁ କୋଠରୀର ଖଟ ଉପରେ ଖେଳୁଥିବାର ମୁଁ ଦେଖୁଥାଏ।
‘‘ବୋଧହୁଏ ମୋର ଆଧାର କାର୍ଡ ସ୍ୱାମୀଙ୍କ ପର୍ସରେ ରହିଯାଇଛି । ମୁଁ ଭାବୁଛି ମୋତେ ଏବେ ୨୨ ବର୍ଷ ହେବ,’’ ରୁମା କହିଥିଲେ।










