ଏକ ଶାନ୍ତ ଗଳିରେ ଗୋଲାକାରରେ ବସିଥିବା ପାଞ୍ଚଜଣ ମହିଳା ‘‘ଆଃ...! ଏକ ନିରାଶା ବା ହତାଶାର ସ୍ୱର ଶୁଭିବା ପରେ ପରେ ହସି ଉଠିବା ଶୁଭିଲା । ଆମେ ପୁଣି ଥରେ ନିଜେ ନିଜକୁ ବୋକା ବନୋଉଥିଲୁ । ସମସ୍ତ ଚାରିଟି କଇଁଆ ମଞ୍ଜି ଚିତ୍ ହୋଇ ପଡ଼ିଥିଲେ ଏବଂ ଚାରିଟି ଭିନ୍ନ ଭିନ୍ନ ଦିଗରେ ବିଞ୍ଚି ହୋଇ ପଡ଼ିଥିଲେ । ଆମେ ଲୁଡୁ ଖେଳର ଗୋଟି ପରି ସେଗୁଡ଼ିକ ଗଡ଼ିବ ବୋଲି ଭାବିନଥିଲୁ । ହାଲମ୍ମା ଖୁବ୍ ଶୀଘ୍ର ଏଥିରେ ପ୍ରବେଶ କଲେ ଏବଂ ସଠିକ କୌଶଳ ପ୍ରଦର୍ଶନ କଲେ । ସେ ଆମକୁ କହିଲେ ଧ୍ୟାନ ଦେଇ ଦେଖ । ସେ କିପରି ଦ୍ରୁତ ଗତିରେ ସମସ୍ତ ମଞ୍ଜି ଗୋଟାଇ ଆଣୁଛନ୍ତି ଏବଂ ତାଙ୍କର ମଣିବନ୍ଧଠାରୁ ମୁଠା ବୁଲାଇ ଲେଗସ୍ପିନ ବୋଲରଙ୍କର ଗୁଗଲି ପରି ଫିଙ୍ଗୁଛନ୍ତି ଦେଖିବା ପାଇଁ କହିଲେ ।
ଏଥର ସେମାନେ ଆଶା କରୁଥିବା ଅସମାନତା ଦେଖିଲେ କିଛି ଚିତ୍ ହୋଇ ପଡ଼ିଥିଲେ ଆଉ କିଛି ଓଲଟି ପଡ଼ିଥିଲେ । ଯେତୋଟି ମଞ୍ଜିର ମଝି ଅଂଶ ବା ପେଟ ଉପର ମୁହାଁ ହୋଇ ପଡ଼ିଥିଲା ହାଲମ୍ମା ତାଙ୍କର ସେତିକି ଘର ଚଳାଇବେ - ଏଠାରେ ଗୋଟି ଥିଲା ଭଙ୍ଗା ସବୁଜ ରଙ୍ଗର କାଚ ଚୁଡ଼ି । ‘‘ଏକ ଗିରତା ହେ ତୋ ଏକ, ଦୋ ଗିରତା ହେ ତୋ ଦୋ, ତିନ ଗିରତା ହେ ତୋ ତିନ, ଚାର ଗିରତା ହେ ତୋ ଚାର (ଯଦି ଗୋଟିଏ ମଞ୍ଜିର ପେଟ ଉପରକୁ ହୋଇ ପଡେ, ଆପଣ ଗୋଟିଏ ଘର ଆଗକୁ ଯିବେ, ଯଦି ଦୁଇ ପଡେ ତେବେ ଦୁଇଟି ଘର ଆଗକୁ ଯିବେ ଏବଂ ଏହିପରି ଚାଲେ),’’ ସେ ବୁଝାଇ ଦେଲେ । ସେ ଖଣ୍ଡି ହିନ୍ଦୀରେ ଆମ ପରି ଦୁଇଜଣ ବାହାର ଲୋକଙ୍କୁ ଏହି ଖେଳ ବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲେ ଯେହେତୁ ଆମେ କନ୍ନଡ଼ ଆଦୌ ଜାଣିନଥିଲୁ ବା ଟିକେ ଟିକେ ଜାଣିଥିଲୁ । ସେ ଆମର ଗୋଟିକୁ ରଙ୍ଗ ଦିଆଯାଇଥିବା ଘର ଉପରେ ଚଲାଇଲେ ଏବଂ କୁଶଳତାର ସହ ପୁଣି ଥରେ କଇଁଆ ମଞ୍ଜି ପକାଇଲେ । ଏବେ ତାଙ୍କର ପାଳି ।





