ଏ ମାଛର ଦାମ୍ କେତେ, କହ କେଉଟୁଣୀ – ବାହାଘର ବେଳେ ପାରମ୍ପରିକ ଭାବେ ବୋଲାଯାଉଥିବା ଏହି ଗୀତର ମୁଖଡ଼ାରେ ରହିଥିବା ଧାଡ଼ିର ଭାବ ହେଲା – ଏହି ପ୍ରକାର ଶୈଳୀର ଦୀର୍ଘସ୍ଥାୟୀ ପ୍ରାସଙ୍ଗିକତା ଓ ଘଟଣାବଳୀକୁ ଗ୍ରହଣ କରିନେବା କ୍ଷମତା। ଏହି ଗୀତଟିକୁ ଗାଇଛନ୍ତି ମୁନ୍ଦରା ତହସିଲ ବାସିନ୍ଦା ଜୁମା ୱାଘେର, ଯେ କି ନିଜେ ଜଣେ କେଉଟ, ଏବଂ ଏହି ଗୀତଟିକୁ ପାରମ୍ପରିକ ଭାବେ ଆନନ୍ଦଦାୟକ ଅବସରରେ ବୋଲା ଯାଇଥାଏ। କିନ୍ତୁ, ସଂପ୍ରତି ଏହି ଅଞ୍ଚଳରେ କେଉଟ ସଂପ୍ରଦାୟର ଲୋକେ ଯେଉଁ ନୂଆ ସାମାଜିକ ଓ ରାଜନୈତିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତାହା ଏହି ଗୀତରେ ପ୍ରତିଧ୍ଵନିତ ହୁଏ।
ସଂଖ୍ୟାଲଘୁ ମୁସଲିମ ସଂପ୍ରଦାୟର ୱାଘେରମାନେ ଏହି ଅଞ୍ଚଳରେ ମାଛ ଧରନ୍ତି, କଚ୍ଛ ଖାଇ ସହ ସେମାନଙ୍କର ଶହ ଶହ ବର୍ଷର ସମ୍ପର୍କ। ଏହି କେଉଟ ସଂପ୍ରଦାୟର ପୁରୁଷ, ମହିଳା ଓ ପିଲାମାନେ ସମସ୍ତେ ନିକଟସ୍ଥ ମୁନ୍ଦରା ଟାଉନ ପାଖରେ ଥିବା ସେମାନଙ୍କ ଗାଁ ଛାଡ଼ି ସମୁଦ୍ର ତଟବର୍ତ୍ତୀ ମାଛଧରା କ୍ଷେତ୍ରକୁ ଜୀବିକା ଉପାର୍ଜନ ପାଇଁ ୮ ରୁ ୯ ମାସ ପର୍ଯ୍ୟନ୍ତ ଆସି ଅସ୍ଥାୟୀ କୁଡ଼ିଆରେ ରହନ୍ତି। ପୁରୁଷମାନେ ମାଛ ଧରନ୍ତି, ପ୍ରତିଦିନ ଧରୁଥିବା ମାଛ କୂଳକୁ ଆଣନ୍ତି, ଆଉ ମହିଳାମାନେ ସେସବୁ ମାଛକୁ ବାଛନ୍ତି, ଶୁଖାନ୍ତି ଓ ବିକ୍ରି କରନ୍ତି।
୨୦୦୦ ମସିହାରେ ଅବସ୍ଥା ବଦଳିଗଲା ଯେତେବେଳେ ରାଜ୍ୟ ସରକାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଶିଳ୍ପ ବିକାଶ ଓ ଘରୋଇକରଣକୁ ପ୍ରୋତ୍ସାହିତ କଲେ। ତୈଳ ପ୍ରକ୍ରିୟାକରଣ, ସିମେଣ୍ଟ ଓ ସାରା କାରଖାନା, ଲୁଣା ଜମି, ବକ୍ସସାଇଟ ଓ ଚୁନ ପଥର ଖଣି ଖନନ ଆଦି ବହୁ ସଂଖ୍ୟକ ପ୍ରକଳ୍ପ ସ୍ଥାପନ ଏବଂ ଜଳ ଜାହାଜ ସମ୍ପର୍କିତ ଏକାଧିକ କାର୍ଯ୍ୟକଳାପ କରାଯିବା ଦ୍ଵାରା ତାହା ଏହି ସମ୍ପ୍ରଦାୟର ଜୀବନଯାପନ ପ୍ରଣାଳୀକୁ ବହୁ ମାତ୍ରାରେ ପ୍ରଭାବିତ କଲା।
ନିର୍ମାଣ ଓ ପ୍ରଦୂଷଣ ଯୋଗୁଁ ଉପକୂଳ ଜୈବାବରଣ ଓ ପ୍ରାକୃତିକ ଜୁଆର ଭଟ୍ଟାର ସ୍ରୋତ ବାଧାପ୍ରାପ୍ତ ହେବା ଦ୍ଵାରା ସେମାନେ ସେମାନଙ୍କ ମାଛଧରା କ୍ଷେତ୍ର ହରାଇବାକୁ ଲାଗିଲେ। ମାଛ ସବୁର ଆକାର ଛୋଟ ହେବାରୁ ଓ ଧରୁଥିବା ମାଛର ପରିମାଣ ସ୍ଥିର ନରହିବାରୁ ୱାଘେରମାନଙ୍କ ଆୟ ବିଶେଷ ଭାବେ ହାନି ହେବା ବହୁତ କମିଗଲା, ଏବଂ ସେମାନେ ମାଛ ଧରିବା ପାଇଁ ଅଧିକ ଗଭୀର ସମୁଦ୍ରକୁ ଯିବାକୁ ବାଧ୍ୟ ହେଲେ। ଏହା ସହିତ ଏହି ସଂପ୍ରଦାୟର ପଗଡ଼ିଆ ମାଛଧରା ପରି ପାରମ୍ପରିକ ପ୍ରଣାଳୀ ହଜିଯିବା ଭଳି କ୍ଷତି ସାଧନ ହେଲା।
ଏପରିକି ପ୍ରାୟ ଏକ ଦଶନ୍ଧି ତଳେ ଏହି କେଉଟମାନେ ଆମେରିକାର ଏକ ଫେଡେରାଲ କୋର୍ଟରେ ବିଶ୍ଵ ବ୍ୟାଙ୍କ ବିରୁଦ୍ଧରେ ଏହାର ଘରୋଇ ନିବେଶ ଏଜେନ୍ସି ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ (ଆଇଏଫସି) ଗୋଟିଏ ବୃହତ୍ତ କୋଇଲା କାରଖାନାରେ ବିନିଯୋଗ କରିଥିବାରୁ, ତାହା ଦ୍ଵାରା ସେମାନଙ୍କ ଜୀବିକା ନିର୍ବାହ କ୍ଷତିଗ୍ରସ୍ତ ହେଉଥିବା ଦର୍ଶାଇ ଗୋଟିଏ ଆଇନଗତ ମୋକଦ୍ଦମା ଦାୟର କରିବାକୁ ଚାହିଁଥିଲେ। ‘ବିକାଶ’ର ଯେଉଁ ଧାରା ଏହି ଅଞ୍ଚଳରେ ଚାଲିଛି ତାହା କଚ୍ଛରେ ରହୁଥିବା ସାମାଜିକ ଓ ଶିକ୍ଷାରେ ପଛୁଆ ଶ୍ରେଣୀଗୁଡ଼ିକ (ଏସଇବିସି) ମଧ୍ୟରେ ସବୁଠୁ ପଛୁଆ ଏହି ସମ୍ପ୍ରଦାୟର ସଂକଟକୁ ଅଧିକ ଗୁରୁତର କରୁଛି।



