ରୋଶନ ସଦାଶିବ କୁଲେ ପରୀକୁ କହନ୍ତି, ‘‘ମୁଁ ପ୍ରକୃତରେ ଭାଗ୍ୟବାନ।’’ ଭାଗ୍ୟବାନ ଏଇଥିପାଇଁ ଯେ ସେ ବଞ୍ଚିଛନ୍ତି। ଭାଗ୍ୟବାନ ଏଥିପାଇଁ ଯେ ସେ ଘରେ ଅଛନ୍ତି।
ଏସବୁ ଆରମ୍ଭ ହୋଇଥିଲା ପାଞ୍ଚ ବର୍ଷ ତଳେ। ମିନ୍ଥୁର ଗ୍ରାମର ଏହି ୩୪ ବର୍ଷ ବୟସ୍କ କ୍ଷୁଦ୍ର ଚାଷୀ ଦେଖିଲେ ଯେ ତାଙ୍କର ୧୨ଟି ଜର୍ସିଗାଈ ଲମ୍ପି ବା ଚର୍ମ ବିଣ୍ଡି ଚର୍ମ ରୋଗରେ ପୀଡ଼ିତ ହୋଇଛନ୍ତି। ଏହା ଥିଲା ୨୦୨୧ର ମାର୍ଚ୍ଚ ମାସ। ସାରା ମହାରାଷ୍ଟ୍ରରେ ଗାଈ ଗୋରୁ ମୃତ୍ୟୁବରଣ କରୁଥିଲେ, ଯେତେବେଳେ କି କୋଭିଡ୍-୧୯ର ଦ୍ୱିତୀୟ ଲହରି ସାରା ଦେଶକୁ କବଳିତ କରୁଥିଲା।
ରୋଶନ ମନେପକାନ୍ତି, ‘‘ମୁଁ ସେମାନଙ୍କର ଚିକିତ୍ସା ପାଇଁ ପ୍ରଚୁର ଅର୍ଥ ବ୍ୟୟ କରିଥିଲି। କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇନଥିଲା।’’
ଛଅଟି ଗାଈ ମରିଗଲେ। ଦୁଗ୍ଧ ଉତ୍ପାଦନ ଭୁଷୁଡ଼ି ପଡ଼ିଲା। ଦୁଗ୍ଧରୁ ଆସୁଥିବା ଆୟ ବନ୍ଦ ହୋଇଗଲା। କିନ୍ତୁ ଖର୍ଚ୍ଚ ବନ୍ଦ ହେଲା ନାହିଁ। ଚନ୍ଦ୍ରପୁରର ଜଙ୍ଗଲ ପରିପୂର୍ଣ୍ଣ ନାଗଭିଡ ତହସିଲର ଏହି କ୍ଷୁଦ୍ର ଚାଷୀଙ୍କ ପାଖରେ ତାଙ୍କର ଅବଶିଷ୍ଟ ଛଅଟି ଗାଈଙ୍କ ପାଇଁ ଔଷଧ କିମ୍ବା ଟିକା କିଣିବା ନିମନ୍ତେ ଅର୍ଥ ନ ଥିଲା।
ମହାମାରୀଜନିତ ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କ୍ରୁ ଋଣ ମିଳିବା କଷ୍ଟକର ଥିଲା। ବ୍ୟାଙ୍କ୍ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ଜଣେ ସାଙ୍ଗଙ୍କ ପରାମର୍ଶ କ୍ରମେ ରୋଶନ ଟ. ୧ ଲକ୍ଷର ଏକ ଅନୌପଚାରିକ ଋଣ ନିମନ୍ତେ ନିଟକସ୍ଥ ବ୍ରହ୍ମପୁରି ସହରରେ ଥିବା ଜଣେ ଘରୋଇ ସାହୁକାରଙ୍କୁ ଅନୁରୋଧ କଲେ।
ସେ ଭାବିଲେ ତାଙ୍କର ତତ୍କାଳ ସମସ୍ୟା ଶେଷ ହୋଇଗଲା।
ସେ ମନେପକାନ୍ତି, ‘‘ସେତେବେଳେ ହିଁ ଏହା ଆରମ୍ଭ ହେଲା।’’
ନିଜ ଗାଈମାନଙ୍କ ପାଇଁ ଜୀବନ ରକ୍ଷାକାରୀ ଔଷଧ କିଣିବା ନିମନ୍ତେ ମାର୍ଚ୍ଚ ୨୦୨୧ରେ ରୋଶନ ଯେଉଁ ଟ. ୧ ଲକ୍ଷର ଋଣ ନେଇଥିଲେ ତାହା ବଢ଼ି ଅଣପଞ୍ଜୀକୃତ ସାହୁକାରମାନଙ୍କ ଟ. ୫୦ ଲକ୍ଷରେ ପହଞ୍ଚି ଯାଇଥିଲା ଏବଂ ଏହା ବ୍ୟତୀତ ଏହି ଋଣ ଦୁଗ୍ଧ ଚାଷୀଙ୍କୁ ଏକ ବେଆଇନ ଅଙ୍ଗ ପ୍ରତ୍ୟାରୋପଣ ମଧ୍ୟକୁ ଟାଣି ନେଇଥିଲା ଯେଉଁଥିରେ ସେ ତାଙ୍କର ଗୋଟିଏ କିଡ୍ନୀ ମଧ୍ୟ ହରାଇଥିଲେ। ସେ ଏକ ଅନ୍ତର୍ଜାତୀୟ ସାଇବର୍ କ୍ରାଇମ୍ ରାକେଟ୍ର ଜାଲରେ ପଡ଼ିଯାଇଥିଲା ଯାହା ତାଙ୍କୁ ଲାଓସ୍ରେ ନିଜ ଜାଲରେ ଫାନ୍ଦି ଥିଲା।















