ରୋଶନ ସଦାଶିବ କୁଲେ ତାଙ୍କର ସାଧାରଣ ଫୋନ୍ଟିରେ ନିଜର ଫେସବୁକ ଆକାଉଣ୍ଟ ଖୋଲି ପୁରୁଣା ନୋଟିଫିକେସନଗୁଡ଼ିକୁ ଗଡ଼େଇ ଚାଲୁଥିବା ବେଳେ ଯେଉଁଠାରେ ଅଟକିଲେ ତାହା ତାଙ୍କ ଜୀବନକୁ ବଦଳେଇ ଦେଲା। ତାଙ୍କ ଦୁର୍ଦ୍ଦଶାର ଦ୍ଵିତୀୟ ପର୍ଯ୍ୟାୟକୁ ସେ ‘ପରୀ’ ଆଗରେ ମନେ ପକାଉଛନ୍ତି।
ମିନ୍ଥୁର ଗାଁରେ ତାଙ୍କ ଘରେ ନିରୁତ୍ସାହିତ ଓ କ୍ଳାନ୍ତ ଦିଶୁଥିବା ପରିବାର ଗହଣରେ ବସିଥିଲେ ଏବଂ ଏବେ ବି ଧକ୍କାରୁ ଉଧୁରି ନଥିବା ସେମାନେ ନୀରବରେ ତାଙ୍କୁ ଶୁଣୁଥିଲେ।
ଅକ୍ଟୋବର ୨୦୨୩ରେ ଦିନେ ସକାଳେ, ରୋଶନ କହୁଥାନ୍ତି, ଋଣଦାତାମାନଙ୍କ ମଧ୍ୟରୁ ତିନିଜଣ ଗୋଟିଏ କାର୍ରେ ଆସି ସକାଳ ୫ଟାରେ ପହଞ୍ଚିଲେ। ହାତରେ ଠେଙ୍ଗାଧରି ସେମାନେ କବାଟ ବାଡ଼େଇଲା ବେଳକୁ ପରିବାରର ସମସ୍ତେ ଶୋଇଥିଲେ। ବଛା ବଛା ଅପଶବ୍ଦ ବ୍ୟବହାର କରି ସେମାନେ ଅଭିଯୋଗମତେ କହିଲେ କି ରୋଶନ ସେମାନଙ୍କୁ ଯଥେଷ୍ଟ ଟଙ୍କା ଦେବାକୁ ଅଛି ଓ ତୁରନ୍ତ ତାହା ଦେବାକୁ ଦାବି କଲେ।
ତା’ପରେ ସେମାନେ ବାରମ୍ବାର ଆସିଲେ। ସେ ଆହୁରି ୧୬ ଲକ୍ଷ ଟଙ୍କା ଦେବାକୁ ବାକି ଅଛି ବୋଲି ସେମାନେ କହିଲେ।
କିନ୍ତୁ ରୋଶନ ଋଣ କରିବାକୁ ଆଉ କୌଣସି ସ୍ଥାନ ନଥିଲା, ଏବଂ ପରିବାରର ସମସ୍ତ ମୂଲ୍ୟବାନ ଜିନିଷ ବନ୍ଧା ପଡ଼ିଥିଲା କିମ୍ବା ବିକ୍ରିହୋଇ ସାରିଥିଲା। ଚାକିରିଟିଏ ପାଇବାକୁ ତାଙ୍କ ଚେଷ୍ଟା ମଧ୍ୟ ବିଫଳ ହୋଇଥିଲା।
“ଋଣ ପରିଶୋଧ କରିବାକୁ କିଡନି ବିକିଦିଅ”, ଛ’ଜଣ ଋଣଦାତାଙ୍କ ମଧ୍ୟରୁ ଜଣେ ସେମାନଙ୍କର ଏକ ସାକ୍ଷାତ ବେଳେ କହିଥିବା କଥା ରୋଶନ ମନେ ପକାଇ କହନ୍ତି। “ନଚେତ, ମୁଁ ଆସି ତୁମ ପରିବାର ପାଖରେ ପହଞ୍ଚିବି”।
ସେହି ଋଣଦାତା ତାଙ୍କୁ ଫେସବୁକରେ ଗୋଟିଏ କିଡନି ଦାନକାରୀ ସମୁଦାୟ ବିଷୟରେ କହିଲା ଓ ସେଥିରେ ଯୋଗଦେବାକୁ ପରାମର୍ଶ ଦେଲା।
“ପ୍ରଥମେ ମୁଁ ଅରାଜି ଥିଲି [ମୋ କିଡନି ବିକିବାକୁ]”, ସେ କହନ୍ତି। “କିନ୍ତୁ ସେମାନେ ଯେତେବେଳେ ଋଣ ଅସୁଲି [ଆଦାୟ] ପାଇଁ ବାରମ୍ବାର ଅସ୍ତ୍ରଶସ୍ତ୍ର ଓ ଠେଙ୍ଗାବାଡ଼ି ଧରି ଘରକୁ ଆସିଲେ, ଆମେ ସମସ୍ତେ ଡରିଲୁ। ମୁଁ ସେହି ଉପାୟଟି ବାବଦରେ ଭାବିବା ଆରମ୍ଭ କଲି”।
୨୦୨୩ ନଭେମ୍ବର ମାସରେ ଦିନେ ସେ ‘ଜଏନ’ ବୋତାମଟିକୁ ଟିପିଲେ (ଫେସବୁକର କିଡନି ଦାନକାରୀ ସମୁଦାୟ ଦଳର)। ଦିନକ ଭିତରେ ଗୋଟିଏ ହ୍ଵାଟସଆପ ଦଳରେ ଯୋଗଦେବାକୁ କହି ବାର୍ତ୍ତାଟିଏ ମିଳିଲା। “ମୋ ମନରେ ସଂଶୟ ଥିଲା, କିନ୍ତୁ ମୁଁ ଯୋଗ ଦେଲି”, ସେ ‘ପରୀ’କୁ କହନ୍ତି।
ସେହି ଫେସବୁକ ଗୋଷ୍ଠୀକୁ ସେବେଠାରୁ ବନ୍ଦ କରି ଦିଆଯାଇଛି।










